ସହାନୁଭୂତି ନୁହେଁ, ସମାଲୋଚନାର ଶରବ୍ୟ ହୋଇଛନ୍ତି ପ୍ରତାପ ନନା !


ପ୍ରସାଦ ରାଓ
ଡିସେମ୍ବର ୨୨
ଶିକ୍ଷକରୁ ରାଜନେତା ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରର ପ୍ରଥମ ପାଳିରେ କିଛି ମାସ ପାଇଁ କେନ୍ଦ୍ର ମନ୍ତ୍ରୀ ହେବା ସୁଯୋଗ ପାଇଥିବା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଜଣେ ଗରୀବ ଓ ଅମାୟିକ ରାଜନେତା ଭାବେ ଭାରତୀୟ ରାଜନୀତିରେ ପରିଚିତ । ଅତି ସାଧାରଣ ଜୀବନ ଜିଉଁଥିବା ଷଡଙ୍ଗୀ କେନ୍ଦ୍ର ମନ୍ତ୍ରୀ ଥିବା ସମୟରେ ଚର୍ଚ୍ଚାରେ ଥିଲେ । ଆଜି ଦିନରେ ଭିନ୍ନ କାରଣରୁ ସେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛନ୍ତି । ସଂସଦର ଶୀତ ଅଧିବେଶନ ସରିବା ପୂର୍ବ ଦିନ ମକର ଦ୍ୱାରରେ ବିଜେପି ଓ କଂଗ୍ରେସ ସାଂସଦଙ୍କ ମଧ୍ୟରେ ହାତାହାତି ନାଟକୀୟ ପରିସ୍ଥିତି ସୃଷ୍ଟି କରିଥିଲା ଏବଂ ଠେଲାପେଲା ବେଳେ ସାଂସଦ ଷଡଙ୍ଗୀ ପାହାଚରୁ ଖସି ପଡି ଆଘାତପ୍ରାପ୍ତ ହୋଇଥିଲେ । ତେବେ, ଏହି ଦୁଃଖଦ ଘଟଣା ପାଇଁ ବିଜେପି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଦାୟି କରି ତାଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରିଛି ଏବଂ ଓଡ଼ିଶାର ଏହି ବିଜେପି ସାଂସଦ ମୋହରା ହୋଇ ସାମାଜିକ ଗଣମାଧ୍ୟମରେ ‘ଟ୍ରୋଲ୍’ ହେଉଛନ୍ତି । ସାଂସଦ ଷଡଙ୍ଗୀ ପାହାଚରୁ ତଳକୁ ଖସି ପଡିବା ପରେ ତାଙ୍କ ଆଖି ପାଖରେ ଆଘାତ ଲାଗି କ୍ଷତ ସୃଷ୍ଟି ହୋଇଥିବା ବୈଦ୍ୟୁତିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା । ଷଡଙ୍ଗୀଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହ୍ୱିଲଚେୟାରରେ ବସାଇ ମେଡିକାଲକୁ ସ୍ଥାନାନ୍ତର କରାଯିବା ସମୟରେ ସେ ଗଣମାଧ୍ୟମକୁ ବୟାନ ଦେଇଥିଲେ ଯେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏଥିପାଇଁ ଦାୟି । ଷଡଙ୍ଗୀଙ୍କ ବୟାନ ଥିଲା, ସଂସଦର ମୁଖ୍ୟ ପ୍ରବେଶ ଦ୍ୱାର ବା ମକର ଦ୍ୱାରରେ ବିଜେପି ଓ କଂଗ୍ରେସ ସାଂସଦଙ୍କ ମଧ୍ୟରେ ଠେଲାପେଲା ବେଳେ ସେ ମକର ଦ୍ୱାର ପ୍ରବେଶ ପଥରେ ଥିବା ପାହାଚରେ ଠିଆ ରହିଥିଲେ । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ସାଂସଦମାନେ ସଂସଦ ଗୃହରେ ବଳପୂର୍ବକ ପ୍ରବେଶ ଉଦ୍ୟମ କରିବା ବେଳେ ବିଜେପି ସାଂସଦମାନେ ସେମାନଙ୍କୁ ରୋକିବାରୁ ଠେଲାପେଲା ହୋଇଥିଲା ଏବଂ ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଧକ୍କା ଦେବାରୁ ସେ ତାଙ୍କ ଉପରେ ଆସି ପଡିଥିଲେ ଏବଂ ଷଡଙ୍ଗୀ ନିୟନ୍ତ୍ରଣ ହରାଇ ପାହାଚରୁ ତଳକୁ ଖସି ପଡି ଆହତ ହେଲେ । ଷଡଙ୍ଗୀଙ୍କୁ ହ୍ୱିଲଚେୟାରରେ ଆମ୍ବୁଲାନ୍ସ ନିକଟକୁ ନିଆଯିବା ବେଳେ ତାଙ୍କ ଆଖି ପାଖରେ କ୍ଷତ ଥିବା ଓ ସଂସଦର ଜଣେ ମହିଳା କର୍ମଚାରୀ ତାଙ୍କ କ୍ଷତକୁ ତୁଳାରେ ଚାପି ଧରି ଆମ୍ବୁଲାନ୍ସକୁ ନେଉଥିବା ଦେଖିବାକୁ ମିଳିଥିଲା । ତେବେ, ସାଂସଦ ଷଡଙ୍ଗୀ ବାରମ୍ବାର ରାହୁଲଙ୍କ ନାମକୁ ନେଇ ଗଣମାଧ୍ୟମରେ ଅଭିଯୋଗ କରୁଥିଲେ । ତେବେ, ସାଂସଦ ଷଡଙ୍ଗୀଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ପରେ ଆଖି ପାଖ କ୍ଷତ ସଂପୂର୍ଣ୍ଣ ମୁଣ୍ଡକୁ ବ୍ୟାପିଯିବା ଓ ହସ୍ପିଟାଲରେ ତାଙ୍କ ମୁଣ୍ଡକୁ ବ୍ୟାଣ୍ଡେଜରେ ଢାଙ୍କି ଦିଆଯିବା ହିଁ ଟ୍ରୋଲ୍ ର କାରଣ ହୋଇଛି । ରାହୁଲଙ୍କ ଆକ୍ରମଣରେ ସାଂସଦ ଷଡଙ୍ଗୀ ଯେ ଗୁରୁତର ଆହତ ହୋଇଛନ୍ତି ତାହା ଦେଖାଇବାକୁ ଏଭଳି ପ୍ରୟାସ ହୋଇଥିବା ବେଳେ ବିଜେପି ସାଂସଦର କିଛି ସାଂସଦ ପାର୍ଲାମେଂଟ ଷ୍ଟ୍ରିଟ୍ ରେ ଥିବା ପୁଲିସ ଥାନାରେ ପହଂଚି ରାହୁଲଙ୍କ ବିରୋଧରେ ଏତଲା ଦେଲେ । ବିଏନଏସର ବିଭିନ୍ନ ଧାରାରେ ରାହୁଲଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରିବାକୁ ବିଜେପି ଆଡୁ ପୁଲିସ ଉପରେ ହୋଇଥିବା ଚାପ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି । ଷଡଙ୍ଗୀ ହ୍ୱିଲଚେୟାରରେ ବସି ଆମ୍ବୁଲାନ୍ସ ନିକଟକୁ ଯାଉଥିବା ବେଳ ତାଙ୍କ ଆଖି ପାଖରେ କ୍ଷତ ଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କୁ ମୁଣ୍ଡକୁ ବ୍ୟାଣ୍ଡେଜ କରିବାର ଆବଶ୍ୟକ ପଡିଲା କାହିଁକି (?) ବୋଲି ପ୍ରଶ୍ନ କରାଯାଇ ସମାଜି ଗଣମାଧ୍ୟମରେ ଷହଙ୍ଗୀଙ୍କୁ ଟ୍ରୋଲ୍ କରାଯାଉଥିବା ବେଳେ ପ୍ରତାପ ନନାଙ୍କ ଆଖି ପାଖ କ୍ଷତରୁ ଆରମ୍ଭ କରି ମୁଣ୍ଡରେ ବ୍ୟାଣ୍ଡେଜ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଫଟୋ କ୍ରମାନ୍ୱୟରେ ସମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ସାଂସଦ ଷଡଙ୍ଗୀଙ୍କୁ ଡାକ୍ତରଖାନା ନିଆଯିବା ପରେ ଆଇସିୟୁରେ ରଖି ଚିକିତ୍ସା କରାଯାଇଛି । ଡାକ୍ତରଖାନାର ଜଣେ ମୁଖପାତ୍ର ମଧ୍ୟ ଗଣମାଧ୍ୟମକୁ ସୂଚନା ଦେବା ବେଳେ ସାଂସଦ ଷଡଙ୍ଗୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଥବା କହିଥିଲେ । ତଳେ ପଡିଯିବା ପରେ ଷଡଙ୍ଗୀଙ୍କ ରକ୍ତଚାପ ଓ ଉକ୍ରଂଠା ବଢି ଯାଇଥିବା ସେ ସୂଚନା ଦେଇଥିଲେ । ତେବେ, ଷଡଙ୍ଗୀ ନିଜେ ଥାନାରେ ଏତଲା ନଦେଇ ବିଜେପିର ଦୁଇ ସାଂସଦ ଅନୁରାଗ ଠାକୁର ଓ ବାଂଶୁରୀ ସ୍ୱରାଜ ଥାନାରେ ଏତଲା ଦେବା ଓ ସାଂସଦ ଷଡଙ୍ଗୀ ରାହୁଲଙ୍କ ମାଡରେ ଗୁରୁତର ଆହତ ହୋଇଛନ୍ତି ବୋଲି ଏତଲାରେ ଦର୍ଶାଇବା ଏବଂ ଦିଲ୍ଲୀ ପୁଲିସ ତାହାକୁ ଆଧାର କରି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତ (ବିଏନଏସ)ର ବିଭିନ୍ନ ଧାରାରେ ଆପରାଧିକ ମାମଲା ରୁଜୁ କରିବା ତଥ୍ୟାଭିଜ୍ ମହଲକୁ ବିସ୍ମିତ କରିଛି । ପରବର୍ତ୍ତୀ ସମୟରେ ମାମଲାର ତଦନ୍ତ ପାଇଁ ଦିଲ୍ଲୀ ପୁଲିସର କ୍ରାଇମ ବ୍ରାଂଚକୁ ହସ୍ତାନ୍ତର ହୋଇଛି । ବିଜେପି ଚାହୁଁଥିଲା ରାହୁଲ ଗାନ୍ଧୀଙ୍କ ବିରୋଧରେ ହତ୍ୟା ଉଦ୍ୟମ (୧୦୯ ଧାରା) ମାମଲା ରୁଜୁ ହେଉ । ଏହି ଧାରା ଲାଗିଲେ ରାହୁଲଙ୍କୁ ଜାମନ ମିଳିବ ନାହିଁ । ତେବେ, ବିଜେପି ସାଂସଦଙ୍କ ଚାପ ସତ୍ତ୍ୱେ ଦିଲ୍ଲୀ ପୁଲିସ ରାହୁଲଙ୍କ ବିରୋଧରେ ବିଏନଏସର ୧୦୯ ଧାରା ଲଗାଇ ନାହାନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ସେଦିନ ବିଜେପି ସାଂସଦ ଷଡଙ୍ଗୀଙ୍କୁ ପ୍ରତ୍ୟକ୍ଷ ଭାବେ ଆକ୍ରମଣ କରିଥିବା ନେଇ କୌଣସି ପ୍ରମାଣିତ ତଥ୍ୟ ଆଜି ସୁଦ୍ଧା ସାମ୍ନାକୁ ଆସି ନାହିଁ । ଆହତ ସାଂସଦ ଷଡଙ୍ଗୀ ନିଜେ ଗଣମାଧ୍ୟମରେ ବୟାନ ଦେଇଥିଲେ ବିଜେପି ସାଂସଦଙ୍କ ସହ ଧସ୍ତାଧସ୍ତି ସମୟରେ ରାହୁଲ ଜଣେ ସାଂସଦଙ୍କୁ ଠେଲି ଦେବାରୁ ସେ ଆସି ତାଙ୍କ ଉପରେ ପଡିଥିଲେ ଏବଂ ମକର ଦ୍ୱାର ପାହାଚ ଉପରେ ଠିଆ ଥିବା ଅବସ୍ଥାରେ ସେ ତଳେ ଖସି ପଡି ଆହତ ହୋଇଥିଲେ । ଏଭଳି ସ୍ଥିତିରେ ରାହୁଲଙ୍କୁ ଟାର୍ଗେଟ କରି ଆପରାଧିକ ମାମଲା ରୁଜୁ କରାଯିବା ଏବଂ ଦିଲ୍ଲୀ ପୁଲିସ ସେହି ଆଧାରରେ ରାହୁଲଙ୍କ ବିରୋଧରେ ଏକ ଆପରାଧିକ ମାମଲା ପଂଜୀକୃତ କରିବା ପଛରେ ରାଜନୀତି ରହିଛି, ଏଥିରେ କିଛି ସନ୍ଦେହ ନାହିଁ । ଡିସେମ୍ବର ୧୭ ତାରିଖ ଦିନ ରାଜ୍ୟସଭାରେ ଭାରତୀୟ ସମ୍ବିଧାନକୁ ନେଇ ବିତର୍କ ଚାଲିଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଭାଷଣ ପ୍ରସଙ୍ଗରେ ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବେଦକରଙ୍କ ସଂପର୍କରେ କିଛି ଟିପ୍ପଣୀ ଦେଇଥିଲେ, ଯାହାକୁ କି କଂଗ୍ରେସ ସମତେ ବିରୋଧୀ ସାଂସଦମାନେ ବିରୋଧ କରି ୧୮ ତାରିଖ ଗୃହ ମନ୍ତ୍ରୀ ଶାହାଙ୍କ ବରଖାସ୍ତ ବା ଇସ୍ତଫା ଦାବି କରିଥିଲେ । ୧୯ ତାରିଖ ସଂସଦ ପରିସରରେ ସେମାନେ ସମ୍ବିଧାନ ପ୍ରଣେତା ବି.ଆର.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ତଳେ ଅମିତ ଶାହାଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭ ପରେ କଂଗ୍ରେସ ସାଂସଦମାନେ ଦଳବଦ୍ଧ ଭାବେ ସଂସଦ ଗୃହ ନିକଟକୁ ଯାଇ ଗୃହରେ ପ୍ରବେଶ ଉଦ୍ୟମ କଲା ବେଳେ ମକର ଦ୍ୱାରକୁ ଅବରୋଧ କରି ରଖିଥିବା ବିଜେପି ସାଂସଦଙ୍କ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ଆଜି ଦିନରେ ସଂସଦ ଓ ବିଧାନସଭାରେ ଏଭଳି ଦୃଶ୍ୟ ଅତି ସାଧାରଣ ହୋଇଗଲାଣି । ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ସାଂସଦଙ୍କ ମଧ୍ୟରେ ଧସ୍ତାଧସ୍ତ ବେଳେ ବିଜେପିର ତିନି ଜଣ ସାଂସଦ ଆହତ ହୋଇଥିବା ଏବଂ ବାଲେଶ୍ୱର ସାଂସଦ ଷଡଙ୍ଗୀ ଗୁରୁତର ଆହତ ହୋଇଥିବା ଦର୍ଶାଇ ବିଜେପି ସାଂସଦମାନେ ଥାନାରେ ମାମଲା ରୁଜୁ କରିବା, କଂଗ୍ରେସ ସାଂସଦଙ୍କ ପକ୍ଷରୁ ହୋଇଥିବା ପାଲଟା ମାମଲାକୁ ପୁଲିସ ଗୁରୁତ୍ୱ ନଦେଇ ରାହୁଲଙ୍କ ବିରୋଧରେ ଆପରାଧିକ ମାମଲା ପଂଜୀକରଣ କରିବା ଏବଂ ପରେ ଏହି କ୍ରାଇମ ବ୍ରାଂଚକୁ ହସ୍ତାନ୍ତର ହେବା ଶାସକ ଦଳର ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି । ବିଚରା ବାଲେଶ୍ୱର ସାଂସଦ ସତ ଜାଣି ମଧ୍ୟ ଦଳୀୟ ସ୍ୱାର୍ଥକୁ ନଜରରେ ରଖି ମୁହଁ ବନ୍ଦ ରଖି ସାମାଜିକ ଗଣମାଧ୍ୟମରେ ‘ମିଛୁଆ ରାଧୁଆ…’ ଭାବେ ଟ୍ରୋଲ୍ ହେଉଛନ୍ତି । ଦିଲ୍ଲୀ ପୁଲସ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧିନରେ । କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ସେଦିନ ସଂସଦରେ ଲଙ୍କାକାଣ୍ଡ ଘଟି ଥିଲା । ଏବେ, ଦିଲ୍ଲୀ ପୁଲିସର କ୍ରାଇମ ବ୍ରାଂଚ ରାହୁଲ ମାମଲାର ତଦନ୍ତ କରିବାକୁ ଥିବାରୁ ଆଗକୁ କଣ ହେବ ଦେଖିବା ପାଇଁ ଦେଶବ୍ୟାପୀ ଉତ୍କଂଠା ରହିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS