ଦିଲ୍ଲୀ ନିର୍ବାଚନ ପୂର୍ବରୁ କେଜରୀୱାଲଙ୍କ ଅଡୁଆ ବଢିଲା ?


ପ୍ରସାଦ ରାଓ
ଡିସେମ୍ବର ୨୧
ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ୨୦୨୫ ଫେବୃୟାରୀରେ ଶେଷ ହେଉଥିବାରୁ ଯେକୌଣସି ସମୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା ହେବାକୁ ଥିବା ବେଳେ ଦିଲ୍ଲୀ ରାଜନୀତି ସରଗରମ ହେବାରେ ଲାଗିଛି । ଏହି କେନ୍ଦ୍ର ଶାସିତ ରାଜ୍ୟରେ ଆମ୍ ଆଦମୀ ପାର୍ଟି (ଆପ୍) ସରକାର ରହିଛି । ଆମ୍ ଆଦମୀ ପାର୍ଟି ଜାତୀୟ ରାଜନୀତିରେ ବିରୋଧୀ ‘ଇଣ୍ଡି’ ମେଂଟର ସହଯୋଗୀ ଦଳ ଥିଲେ ମଧ୍ୟ ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସ ସହ ମେଂଟ ନକରି ଏକାକୀ ନିର୍ବାଚନ ଲଢିବ ବୋଲି ଦଳର ମୁଖ୍ୟ ଅରବିନ୍ଦ କେଜରୀୱାଲ ଗଣମାଧ୍ୟମକୁ ସୂଚନା ଦେଇସାରିଛନ୍ତି । ତେଣୁ, ଦିଲ୍ଲୀ ବିଧାନସଭା ନିର୍ବାଚନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ ଏବଂ ‘ଆପ୍’, ବିଜେପି ଓ କଂଗ୍ରେସ ପରସ୍ପର ବିରୋଧରେ ଲଢିବେ, ଏହା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ‘ଆପ୍’ ପକ୍ଷରୁ ରାଜ୍ୟର ୭୦ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ମଧ୍ୟ ଘୋଷଣା ସରିଲାଣି । ଏଭଳି ସ୍ଥିତିରେ ଦିଲ୍ଲୀର ଉପରାଜ୍ୟପାଳ (ଲ୍ୟୁଟିନାଂଟ ଗଭର୍ଣ୍ଣର) ଭି.କେ.ସାକ୍ସେନା ଦିଲ୍ଲୀ ସରକାରଙ୍କ ଅବକାରୀ ଦୁର୍ନୀତି ମାମଲା (ପିଏମଏଲଏ)ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବାକୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)କୁ ଅନୁମୋଦନ ଦେଇଥିବା ଖବର ଆଲୋଡନ ସୃଷ୍ଟି କଲା ଭଳି ହୋଇଛି । ଇଡି ପୂର୍ବରୁ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମନିଲଂଡରିଂ ଅଭିଯୋଗକୁ ନେଇ ତଦନ୍ତ କରୁଛି । କେଜରୀୱାଲ ମୁଖ୍ୟମନ୍ତ୍ରୀ ଥିବା ଅବସ୍ଥାରେ ଇଡି ଦ୍ୱାରା ଜେରାର ସମ୍ମୁଖୀନ ହୋଇ ମାର୍ଚ୍ଚ ୨୧ ତାରିଖରେ ଗିରଫ ହୋଇଥିଲେ । ସେପ୍ଟେମ୍ବର ମାସରେ ସୁପ୍ରିମ କୋର୍ଟରୁ ଜାମିନ ପାଇ ସେ ତିହାର ଜେଲରୁ ମୁକ୍ତ ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ଇସ୍ତଫା ପରେ ଆତିଶୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅଛନ୍ତି । ଦିଲ୍ଲୀ ସରକାରଙ୍କ ଅବକାରୀ ଦୁର୍ନୀତି ମାମଲାରେ ଇଡି ପୂର୍ବତନ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ମୁଖ୍ୟ କାରପଟଦାର ଦର୍ଶାଇ ପିଏମଏଲଏ ମାମଲା ରୁଜୁ କରିଥିଲେ ମଧ୍ୟ ଅଦାଲତରେ ମାମଲାର ବିଚାରଣା ଆରମ୍ଭ ହୋଇପାରୁନାହିଁ । ସରକାରୀ ପଦପଦବୀରେ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ପିଏମଏଲଏ ମାମଲା ହୋଇଥିଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆଗକୁ ନେବା ପାଇଁ ଉପରାଜ୍ୟପାଳ ବା ଏଲଜିଙ୍କ ଅନୁମୋଦନ ଆବଶ୍ୟକ ବୋଲି ସୁପ୍ରିମ କୋର୍ଟଙ୍କ ରାୟ ରହିଛି । ତେଣୁ, ଇଡି କେଜରୀୱାଲଙ୍କ ବିରୋଧରେ ହୋଇଥିବା ପିଏମଏଲଏ ମାମଲାକୁ ଆଗକୁ ବଢାଇବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ମାଧ୍ୟମରେ ଦିଲ୍ଲୀ ଉପରାଜ୍ୟପାଳଙ୍କ ଅନୁମୋଦନ ଲୋଡି ଥିଲେ । ଆଗକୁ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆଗକୁ ବଢାଇବାକୁ ଦିଲ୍ଲୀ ଉପରାଜ୍ୟପାଳଙ୍କ ଅନୁମୋଦନ ମିଳି ସାରିଛି ବୋଲି ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚ୍ଚଦେବ ମନ୍ତବ୍ୟ ଦେଇ ବେଳେ ଆମ୍ ଆଦମୀ ପାର୍ଟି (ଆପ୍) ଏହାକୁ ‘ମିଥ୍ୟା ଓ ଅପପ୍ରଚାର’ କହି ଉପରାଜ୍ୟପାଳ ଯଦି ଅନୁମୋଦନ ଦେଇଛନ୍ତି ସେହି ଚିଠି ଦେଖାଇବାକୁ ବିଜେପି ଆହ୍ୱାନ ଦେଇଛି । ‘ଅବକାରୀ ଦୁର୍ନୀତି ମାମଲାରେ କେଜରୀୱାଲଙ୍କ ବିରୋଧରେ ତଦନ୍ତ ଆଗକୁ ନେବାକୁ ଦିଲ୍ଲୀ ଉପରାଜ୍ୟପାଳ ଅନୁମୋଦନ ଦେଇଥିବା ସ୍ୱାଗତଯୋଗ୍ୟ । ଆମେ କହୁଛୁ ପୂର୍ବତନ ମୁଖ୍ୟମନ୍ତ୍ରୀ କେଜରୀୱାଲ ଅବକାରୀ ଠିକା ଦେବାରେ କମିଶନ ନେଇଛନ୍ତି । ତଦନ୍ତ ଆଗକୁ ବଢିବା ସହ ସେ ଫସି ଫସି ଯିବେ’ ବୋଲି ଦିଲ୍ଲୀ ବିଜେପି ମୁଖ୍ୟ କହିଥିବା ବେଳେ ନିର୍ବାଚନ ସମୟରେ ଦିଲ୍ଲୀବାସୀଙ୍କ ବିଭ୍ରାନ୍ତ କରିବାକୁ ବିଜେପିର ଏହା ଚାଲ୍ ବୋଲି ‘ଆପ୍’ କହିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତଶୀ କହିଛନ୍ତି, ଅନ୍ୟ ପ୍ରସଙ୍ଗରୁ ଦିଲ୍ଲୀ ବାସିନ୍ଦାଙ୍କ ନଜର ହଟାଇବା ପାଇଁ ବିଜେପି ଆଡୁ ଏଭଳି ବିଭ୍ରାନ୍ତିକର ପ୍ରଚାର ଚାଲିଛି । ଦିଲ୍ଲୀ ଉପରାଜ୍ୟପାଳ ଯଦି ଆଇନଗତ କାର୍ଯ୍ୟାନୁଷ୍ଠାନ ଆଗକୁ ନେବାକୁ ଅନୁମତି ଦେଇଛନ୍ତି ଇଡି ସେହି ଚିଠି ସର୍ବସାଧାରଣରେ ଉପସ୍ଥାପନ କରୁ । ‘ବିଜେପି ଏଭଳି ଅପପ୍ରଚାର ବନ୍ଦ କରୁ ଓ ବାସ୍ତବ ସତ୍ୟ ସାମ୍ନାକୁ ଆଣୁ’ ବୋଲି ମୁଖ୍ୟମନ୍ତ୍ରୀ ଆତଶୀ ତାଙ୍କ ‘ଏକ୍ସ’ ହ୍ୟାଣ୍ଡେଲରେ ପୋଷ୍ଟ୍ କରି ଆହ୍ୱାନ ଦେଇଛନ୍ତି । ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅଭିଯୋଗ କରିଛନ୍ତି, ଗତ ୧୭ ତାରିଖ ଦିନ ରାଜ୍ୟସଭାରେ ସମ୍ବିଧାନ ପ୍ରଣେତା ବି.ଆର.ଆମ୍ବେଦକରଙ୍କ ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଦେଇଥିବା ମନ୍ତବ୍ୟକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି । ବିରୋଧୀ ରାଜନୈତିକ ଦଳମାନେ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରି ଜୋରଦାର ପ୍ରଦର୍ଶନ କରୁଥିବା ବେଳେ ବିଜେପି ଦିଲ୍ଲୀବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ କେଜରୀୱାଲଙ୍କୁ ନେଇ ଏଭଳି ଅପପ୍ରଚାର ଆରମ୍ଭ କରିଛି । ଏଠାରେ ସୂଚନାଯୋଗ୍ୟ, ସିସୋଦିଆ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ସହ ଅବକାରୀ ମନ୍ତ୍ରୀ ଥିବା ବେଳେ ସରକାର ୨୦୨୧-୨୨ରେ ନୂତନ ଅବକାରୀ ନୀତି ଆଣିଥିଲେ । ‘ଦକ୍ଷିଣୀ ଲବି’କୁ ଅବକାରୀ ଠିକା ଦେବା ସକାଶେ ଶାସକ ଦଳ ୧୦୦ କୋଟି ଟଙ୍କା ଲାଂଚ ନେଇଥିଲା ଏବଂ ସେଥିରୁ ପ୍ରାୟ ୪୫ କୋଟି ଟଙ୍କା ଗୋଆ ବିଧାନସଭା ନିର୍ବାଚନରେ ଖର୍ଚ୍ଚ କରିଛି ବୋଲି ଉଭୟ ସିବିଆଇ ଓ ଇଡି ଅଭିଯୋଗ କରିଛନ୍ତି । ଉଭୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ଓ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆ ଏହି ଲାଂଚ କାରବାରର ମୁଖ୍ୟ କାରପଟଦାର ଥିଲେ ବୋଲି ଇଡି ତାହାର ଅଭିଯୋଗପତ୍ରରେ ଦର୍ଶାଇଛି । ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ସିସୋଦିଆ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିଲେ ଏବଂ ୧୮ ମାସ ପରେ ଜାମିନରେ ମୁକୁଳିଛନ୍ତି । ସିସୋଦିଆ ଗିରଫ ହେବାରୁ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏବେ ଦୁଇ ନେତା ଜାମିନରେ ଥାଇ ଦିଲ୍ଲୀ ନିର୍ବାଚନରେ ‘ଆପ୍’ର ମଂଗ ଧରିଛନ୍ତି । ଦିଲ୍ଲୀବାସୀ ଭୋଟ ମାଧ୍ୟମରେ ସେମାନଙ୍କୁ ନିର୍ଦୋଷ ସାବ୍ୟସ୍ତ ନକରିବା ଯାଏଁ ସେମାନେ ସରକାରରେ କୌଣସି ପଦପଦବୀରେ ରହିବେ ନାହିଁ ବୋଲି ଉଭୟ ନେତା ଘୋଷଣା କରି ଜନତା ଦରବାରକୁ ଯାଇଛନ୍ତି । ତେବେ, ବିଜେପି ଦିଲ୍ଲୀ ସରକାରଙ୍କ ଅବକାରୀ ଦୁର୍ନୀତିକୁ ଦିଲ୍ଲୀ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ କରିଥିବା ଦେଖିବାକୁ ମିଳୁଛି । ଇତିମଧ୍ୟରେ, ଇଡିର ଅଭିଯୋଗକୁ ଅଦାଲତ ରଦ୍ଦ କରିବାକୁ କେଜରୀୱାଲ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିବା ବେଳେ କୋର୍ଟ ପକ୍ଷରୁ ଗତକାଲି ଇଡିକୁ ନୋଟିସ ଜାରି କରାଯାଇଛି । ୨୦୨୧-୨୨ରେ ଦିଲ୍ଲୀ ଉପରାଜ୍ୟପାଳ ସାକ୍ସେନା ସରକାରଙ୍କ ବିରୋଧରେ ହୋଇଥିବା ଅବକାରୀ ଦୁର୍ନୀତିର ତଦନ୍ତ ପାଇଁ ସିବିଆଇକୁ ସୁପାରିଶ କରିଥିଲେ । ସିବିଆଇ ତଦନ୍ତ ଆରମ୍ଭ ହେବା ପରେ କେଜରୀୱାଲ ସରକାର ନୂତନ ଅବକାରୀ ନୀତିକୁ ପ୍ରତ୍ୟାହାର କରି ନେଇଥିଲେ । ସିବିଆଇ ତଦନ୍ତ ଚାଲିଥିବା ବେଳେ ଇଡି ଅର୍ଥନୈତିକ ଦୁର୍ନୀତିର ତଦନ୍ତ ପାଇଁ ପିଏମଏଲଏ ମାମଲା ରୁଜୁ କରିଥିଲା । ସିସୋଦିଆ, କେଜରୀୱାଲଙ୍କ ସମେତ ‘ଆପ୍’ ରାଜ୍ୟସଭା ସାଂସଦ ସିଂଜୟ ସିଂହ ମଧ୍ୟ ପିଏମଏଲଏ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ । ଛଅ ମାସ ଜେଲରେ ରହି ସିଂହ ଜାମିନରେ ମୁକୁଳିଛନ୍ତି । କଂଗ୍ରେସ ମଧ୍ୟ ଅବକାରୀ ଦୁର୍ନୀତି ମାମଲାକୁ ଆଳ କରି ‘ଆପ୍’ ଓ କେଜରୀୱାଲଙ୍କ ସରକାରଙ୍କୁ ଘେରୁ ଥିବାରୁ ଦିଲ୍ଲୀ ନିର୍ବାଚନ ବେଶ୍ ରୋଚକ ହେବା ନିଶ୍ଚିତ ହୋଇଯାଇଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS