ସିଡିଏସ ଜେନେରାଲ ବିପିନ ରାୱତଙ୍କ ବିମାନ ଦୁର୍ଘଟଣା ‘ମାନବିକ ତୃଟି’ ଜନିତ ଥିଲା !


ପ୍ରସାଦ ରାଓ
ଡିସେମ୍ବର ୨୦
୨୦୨୧ ଡିସେମ୍ବର ୦୮ତାରିଖ ମଧ୍ୟାହ୍ନରେ ତାମିଲନାଡୁରର କୁନ୍ନୁର ପାର୍ବତ୍ୟାଂଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭାରତୀୟ ବିମାନ ବାହିନୀର ଦୁଇ ଇଂଜିନ ବିଶିଷ୍ଟ ଏମଆଇ ୧୭ ଭି୫ ହେଲିକପ୍ଟର ‘ମାନବୀୟ ତୃଟି’ ଥିଲା ବୋଲି ଭାରତୀୟ ବିମାନ ବାହିନୀ ସ୍ପଷ୍ଟ କରିଛି । ଏହି ଅତ୍ୟନ୍ତ ସୁରକ୍ଷିତ କୁହାଯାଉଥିବା ହେଲିକପ୍ଟରରେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ଜେନେରାଲ ବିପିନ ରାୱତ ତାଙ୍କ ପତ୍ନୀ ମଧୁଲିକା ରାୱତ ଓ ଅନ୍ୟ ୧୧ ଜଣ ସହ ସୁଲୁର ଏୟାର ଷ୍ଟେସନରୁ ୱେଲିଟନସ୍ଥିତ ଡିଫେନ୍ସ ସର୍ଭିସ ଷ୍ଟାଫ କଲେଜ (ଡିଏସଏସସି)କୁ ଫ୍ୟାକଲିଟି ଓ ଛାତ୍ରମାନଙ୍କୁ ଉଦବୋଧନ ଦେବାକୁ ଯାଉଥିବା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ସେଥିରେ ନିଆ ଲାଗି ଯାଇଥିଲା ଏବଂ ଜେନେରାଲ ରାୱତ, ତାଙ୍କ ପତ୍ନୀ ଓ ହେଲିକପ୍ଟରରେ ଥିବା ୧୧ ଜଣ ସେଥିରେ ମୃତ୍ୟୁବରଣ କରିଥିଲେ । ଖରାପ ପାଗ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପ୍ରଥମେ କୁହାଯାଉଥିଲା । ବିମାନରେ ୧୪ ଜଣ ଯାତ୍ରୀ ଥିବା ବେଳେ ୧୩ ଜଣ ପ୍ରାଣ ହରାଇଥିଲେ । ନିକଟରେ ପ୍ରତିରକ୍ଷା ସଂପର୍କିତ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଲୋକସଭାରେ ଉପସ୍ଥାପନ ହୋଇଛି ଏବଂ ସେଥିରେ ଜେନେରାଲ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ‘ମାନବୀୟ ତୃଟି’ ବୋଲି ଆଇଏଏଫ (ଭାରତୀୟ ବିମାନ ବାହିନୀ) ପକ୍ଷରୁ ସୂଚିତ କରାଯାଇଛି । ଏହି ରିପୋର୍ଟରେ ଦର୍ଶାଯାଇଛି, ୧୩ତମ ଡିଫେନ୍ସ ପ୍ଲାନ ପିରିୟଡରେ ଘଟିଥିବା ୩୪ଟି ପ୍ରତିରକ୍ଷା ବିମାନ ଦୁର୍ଘଟଣା ମଧ୍ୟରୁ ୧୬ଟି ‘ମାନବିକ ତୃଟି’ କାରଣରୁ ଘଟିଛି । ଦେଶର ପ୍ରଥମ ସିଡିଏସ ଜେନେରାଲ ରାୱତଙ୍କ ଏମଆଇ ୧୭ ଭି୫ ପ୍ରତିରକ୍ଷା ବିଭାଗ ହେଲିକପ୍ଟରେ ଏହି ୧୬ଟି ବିମାନ ମଧ୍ୟରେ ଅନ୍ତର୍ଭୁକ୍ତ । ସାତଟି ବିମାନ ଦୁର୍ଘଟଣା ବୈଷୟିକ ତୃଟି କାରଣରୁ ହୋଇଥିବା ବେଳେ ବିମାନରେ ପକ୍ଷୀ ମାଡ ହେବା ଓ ଅନ୍ୟ କାରଣରୁ ଅନ୍ୟ କିଛି ଦୁର୍ଘଟଣା ଘଟିଥିଲା । ଜେନେରାଲ ରାୱତଙ୍କ ହେଲିକପ୍ଟର ୨୦୨୧ ଡିସେମ୍ବର ୦୮ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ୫୦ ମିନିଟରେ ଭାରତୀୟ ବିମାନ ବାହିନୀର ସୁଲୁର ଏୟାର ଷ୍ଟେସନରୁ ଉଡାଣ ଭରିଥିଲା ଏବଂ ପାଖାପାଖି ୧୨ଟା ୨୦ ମିନିଟରେ ଡିଏସଏସସିରେ ପହଂଚିବାକୁ ମାତ୍ର ୧୦ କିମି ଦୂରରେ ଥିବା ବେଳେ ପାର୍ବତ୍ୟାଂଚଳରେ ଦୁର୍ଘଟଣାଗ୍ରସ୍ତ ହୋଇ ପାର୍ବତ୍ୟ ଉପତ୍ୟାକାରେ ଜଂଗଲ ଭିତରେ ଖସି ପଡିଥିଲା । ଘନ କୁହୁଡି ମଧ୍ୟରେ ବିମାନଟି ଲୋ-ଅଲଟିଚ୍ୟୁଡରେ ଉଡୁଥିବା ସମୟରେ ଖସି ପଡିଥିଲା ଏବଂ ଜଳି ଯାଇଥିଲା ବୋଲି ସେତେବେଳେ ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ସୂଚନା ମିଳିଥିଲା । ଏହି ଦୁର୍ଘଟଣା ହେଲିକପ୍ଟରରେ ଥିବା ବିମାନ ବାହିନୀ ଗୃପ୍ କ୍ୟାପଟେନ ବରୁଣ ସିଂହ କେବଳ ବଂଚି ଯାଇଥିଲେ । ଅନ୍ୟ ଯେଉଁ ବିମାନଗୁଡିକ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ସେଥିମଧ୍ୟରେ ୧୦ଟି ଭାରତୀୟ ବିମାନ ବାହିନୀର ୧୦ଟି ମିଗ୍-୨୧ ବିମାନ ଥିବା ବେଳେ ଅନ୍ୟ ବିମାନ ମଧ୍ୟରେ ଜାଗୁଆର, ଚିତା, କାରାନ ପ୍ରଭୃତି ବିମାନ ରହିଥିବା ଏହି ରିପୋର୍ଟରୁ ସୂଚନା ମିଳିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS