ରାହୁଲଙ୍କ ବିରୋଧରେ ପୁଲିସର ମାମଲା, କଂଗ୍ରେସର ଅଭିଯୋଗକୁ ନେଇ ନିରବ ?


ପ୍ରସାଦ ରାଓ
ଡିସେମ୍ବର ୨୦
ଗୁରୁବାର ସକାଳେ ସଂସଦର ମୁଖ୍ୟ ପ୍ରବେଶ ଦ୍ୱାର ବା ମକର ଦ୍ୱାରରେ କଂଗ୍ରେସ ଓ ବିଜେପି ସାଂସଦଙ୍କ ମଧ୍ୟରେ ହୋଇଥିବା ହାତାହାତି ଘଟଣାରେ ଦିଲ୍ଲୀ ପୁଲିସ ବିଜେପି ଆଡୁ ହୋଇଥିବା ଏତଲା ଆଧାରରେ କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ବିଭିନ୍ନ ଧାରାରେ ମାମଲା ରୁଜୁ କରିଥିବା ବେଳେ କଂଗ୍ରେସ ସାଂସଦଙ୍କ ଆଡୁ ହୋଇଥିବା ଅଭିଯୋଗ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନ କଣ ହୋଇଛି ତାହା ଆଜି ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଉଭୟ ପକ୍ଷ ଗତକାଲି ପାର୍ଲାମେଂଟ ଷ୍ଟ୍ରିଟ୍ ପୁଲିସ ଥାନାରେ ପରସ୍ପର ବିରୋଧରେ ଲିଖିତ ଏତଲା ଦେଇଥିଲେ । ବିଜେପି ସାଂସଦ ଅନୁରାଗ ସିଂହ ଠାକୁର ଓ ବାଂଶୁରୀ ସ୍ୱରାଜ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଦେଇଥିବା ଏତଲାରେ ସଂସଦର ମୁଖ୍ୟ ପ୍ରଦେଶ ଦ୍ୱାରରେ ବଳ ପ୍ରୟୋଗ କରି ତିନି ଜଣ ବିଜେପି ସାଂସଦଙ୍କୁ ଆହତ କରିଥିବା ଅଭିଯୋଗ କରିଥିବା ବେଳେ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ ଥାନାରେ ଏତଲା ଦେଇ ବିଜେପି ସାଂସଦମାନେ କଂଗ୍ରେସ ମୁଖ୍ୟ ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଦୁର୍ବ୍ୟବହାର କରିଥିବା ଓ ତାଙ୍କୁ ଠେଲି ଦିଆଯିବାରୁ ଖାର୍ଗେ ତଳେ ପଡିଯାଇ ଆଘାତପ୍ରାପ୍ତ ହୋଇଥିବା ଅଭିଯୋଗ କରିଛନ୍ତି । ବିଜେପି ସାଂସଦମାନଙ୍କ ଏତଲା ଆଧାରରେ ଦିଲ୍ଲୀ ପୁଲିସ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଏନଏସର ୧୧୫ (ସ୍ୱେଚ୍ଛାରେ ଜଣକୁ ଆଘାତ ଦେବା), ୧୧୭ (ସ୍ୱେଚ୍ଛାରେ ଜଣକୁ ଆଘାତ ଦେଇ ଗୁରୁତର ଆହତ କରିବା), ୧୨୫ (ଆଘାତ ଦେଇ ଜଣକ ଜୀବନକୁ ଓ ବ୍ୟକ୍ତିଗତ ସୁରକ୍ଷାକୁ ବିପନ୍ନ କରିବା), ୧୩୧ (ଆପରାଧିକ ବଳ ପ୍ରୟୋଗ କରିଥିବା), ୩୫୧ (ଆପରାଧୀକ ହସ୍ତକ୍ଷେପ) ଓ ୩(୫) (ସାମୂହିକ ଉଦ୍ଦେଶ୍ୟ) ଧାରାରେ ମାମଲା ରୁଜୁ କରିଥିବା ବେଳେ କଂଗ୍ରେସ ଆଡୁ ହୋଇଥିବା ଏତଲାକୁ ନେଇ ନିରବ ଥିବା ତଥ୍ୟାଭିଜ୍ଞ ମହଲକୁ ବିସ୍ମିତ କରିଛି । ଅବଶ୍ୟ, ଦିଲ୍ଲୀ ପୁଲିସ ରାହୁଲଙ୍କ ବିରୋଧରେ ବିଏନଏସର ୧୦୯ ଧାରା (ହତ୍ୟା ଉଦ୍ୟମ) ଲଗାଇବାକୁ ବିଜେପି ଚାପକୁ ଏଡାଇ ଯାଇ ଆଇନଗତ ପରାମର୍ଶ ପରେ ରାହୁଲଙ୍କ ବିରୋଧରେ ବିଭିନ୍ନ ଦଫା ଲଗାଇ ଥିବା କହିଛନ୍ତି । ଯେଉଁ ସବୁ ଦଫାରେ ମାମଲା ରୁଜୁ ହୋଇଛି ସେଥିରେ ଦିଲ୍ଲୀ ପୁଲିସ ରାହୁଲଙ୍କୁ ଥାନାକୁ ଡକାଇ ବା ତାଙ୍କ ବାସଭବନକୁ ଯାଇ ପଚରାଉଚୁରା କରି ପାରିବେ । ରାହୁଲଙ୍କ ବିରୋଧରେ ଲଗା ଯାଇଥିବା ସବୁ ଦଫା ଜାମିନଯୋଗ୍ୟ । ପୁଲିସ ବିଏନଏସର ୧୦୯ ଧାରା ଲଗାଇ ଥିଲେ ତାହା ଜାମିନଯୋଗ୍ୟ ହୋଇନଥିବାରୁ ରାହୁଲଙ୍କ ଅଡୁଆ ବଢିଥା’ନ୍ତା, ଯାହା ଲଗାଇବାକୁ ବିଜେପି ଚାହୁଁଥିଲା । ଗତକାଲି ସକାଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନେତୃତ୍ୱରେ କଂଗ୍ରେସ ସାଂସଦମାନେ ନୀଳ ରଂଗର ପୋଷାକ ପରିଧାନ କରି ଓ ହାତରେ ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବେଦକରଙ୍କ ଫଟୋ ଥିବା ପ୍ଲାକାର୍ଡ ଧରି ସଂସଦ ପରିସରରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ନିକଟରେ ପ୍ରଥମେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟସଭାରେ ସମ୍ବିଧାନକୁ ନେଇ ବିତର୍କରେ ସମୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ୧୭ ତାରିଖ ଦିନ ସମ୍ବିଧାନ ପ୍ରଣେତା ବି.ଆର.ଆମ୍ବେଦକରଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ତାଙ୍କୁ କେନ୍ଦ୍ର ମନ୍ତ୍ରୀ ପରିଷଦରୁ ବରଖାସ୍ତ କରାଯିବାକୁ କଂଗ୍ରେସ ପକ୍ଷରୁ ଜୋରଦାର ଦାବି ହୋଇଥିଲା । ଅପରପକ୍ଷରେ, ବିଜେପି ସାଂସଦମାନେ ସଂସଦର ପ୍ରବେଶ ଦ୍ୱାର ବା ମକର ଦ୍ୱାରକୁ ଅବରୋଧ କରି କଂଗ୍ରେସ ଓ ବିରୋଧୀ ମେଂଟ ସାଂସଦଙ୍କ ବିରୋଧରେ ବିକ୍ଷୋଭ କରୁଥିଲେ । କଂଗ୍ରେସ ଓ ବିରୋଧୀ ମେଂଟ ସାଂସଦମାନେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ନିକଟରେ ବିକ୍ଷୋଭ ଶେଷ କରି ସଂସଦ ଭିତରକୁ ଯିବାକୁ ମାଡି ଆସିବା ବେଳେ ବିଜେପି ସାଂସଦମାନେ ପ୍ରତିରୋଧ କରିବାରୁ ଉଭୟ ପକ୍ଷ ମଧ୍ୟରେ ବଳ କଷାକଷି ହୋଇଥିଲା । କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଜ୍ୟସଭା ଏଲଓପି (ବିରୋଧୀ ଦଳ ନେତା) ମଲ୍ଲିକାର୍ଜୁନ ଖାର୍ଗେଙ୍କ ସହ ବଳପୂର୍ବକ ସଂସଦରେ ପ୍ରବେଶ ଉଦ୍ୟମ କରିବାରୁ ଠେଲାପେଲା ହୋଇ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ଓ ମୁକେଶ ରାଜପୁତ ମକର ଦ୍ୱାରରେ ତଳେ ପଡି ଆହତ ହୋଇଥିଲେ । ଏହି ଦୁଇ ସାଂସଦଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି । ବାଲେଶ୍ୱର (ଓଡ଼ିଶା) ସାଂସଦ ଷଡଙ୍ଗୀଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡିଛି । ତେବେ, ଆହତ ଅବସ୍ଥାରେ ସେ ହ୍ୱିଲଚେୟାରରେ ବସି ଆମ୍ବୁଲାନ୍ସକୁ ଯିବା ବେଳେ ଗଣମାଧ୍ୟମକୁ ଦେଇଥିବା ବୟାନ କହୁଛି ଯେ, ସେ ମକର ଦ୍ୱାର ପାହାଚ ଉପରେ ଠିଆ ହୋଇଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମକର ଦ୍ୱାରରେ ପହଂଚି ତାଙ୍କୁ ଅଟକାଉ ଥିବା ଜଣେ ସାଂସଦଙ୍କୁ ଠେଲି ଦେବାରୁ ସାଂସଦ ଜଣକ ତାଙ୍କ ଉପରେ ପଡିଥିଲେ ଏବଂ ସେ (ଷଡଙ୍ଗୀ) ପାହାଚରୁ ତଳକୁ ଖସି ପଡି ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡରେ ଆଘାତ ଲାଗିଛି । ତେବେ, ବିଜେପିର ଅଭିଯୋଗ ହେଉଛି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ବାଲେଶ୍ୱର ସାଂସଦ ଷଡଙ୍ଗୀଙ୍କୁ ଠେଲି ଦେବାରୁ ସେ ଗୁରୁତର ଆହତ ହୋଇଛନ୍ତି । ଷଡଙ୍ଗୀ ବା ଅନ୍ୟତମ ବିଜେପି ସାଂସଦ ମୁକେଶ ରାଜପୁତ ଥାନାରେ ଏତଲା ନଦେଇ ଏତଲା ଦେଇଛନ୍ତି ବିଜେପି ସାଂସଦ ଅନୁରାଗ ଠାକୁର ଓ ବାଂଶୁରୀ ସ୍ୱରାଜ । ପୁଲିସ ସେମାନଙ୍କ ଏତଲା ଉପରେ ରାହୁଲଙ୍କ ବିରୋଧରେ ମାମଲା ରୁଜୁ କରିଛି । ଅପରପକ୍ଷରେ, କଂଗ୍ରେସ ସାଂସଦଙ୍କ ଅଭିଯୋଗ ହେଉଛି, ହାତରେ ଠେଙ୍ଗା ଧରି ମକର ଦ୍ୱାରକୁ ଅବରୋଧ କରିଥିବା ବିଜେପି ସାଂସଦମାନେ ବିରୋଧୀ ସଂସଦଙ୍କୁ ସଂସଦରେ ପ୍ରବେଶ କରିବାକୁ ଦେଇନଥିଲେ, ଫଳରେ ଉଭୟ ପକ୍ଷ ମଧ୍ୟରେ ହୋଇଥିଲା । ବିଜେପି ସାଂସଦମାନେ କଂଗ୍ରେସ ମୁଖ୍ୟ ଖାର୍ଗେଙ୍କୁ ଠେଲି ଦେବାରୁ ସେ ନିୟନ୍ତ୍ରଣ ହରାଇ ତଳେ ବସି ପଡିଥିଲେ । ତାଙ୍କ ଆଂଠୁରେ ଆଘାତ ଲାଗିଛି । ପ୍ରଥମେ ବିଜେପି ପକ୍ଷରୁ ଓ ପରେ କଂଗ୍ରେସ ପକ୍ଷରୁ ପାର୍ଲାମେଂଟ ଷ୍ଟ୍ରିଟ୍ ଥାନାରେ ଏତଲା ହୋଇଥିବା ବେଳେ ପୁଲିସ ରାହୁଲଙ୍କ ବିରୋଧରେ ହିଁ ମାମଲା ପଂଜୀକୃତ କରିଥିବା ଗଣମାଧ୍ୟମକୁ କହିଛି । ଗତକାଲିର ନାଟକୀୟ ଘଟଣାବଳୀ ପରେ ଆଜି ସଂସଦର ଶୀତକାଳୀନ ଅଧିବେଶର ଶେଷ ଦିବସରେ କଂଗ୍ରେସ ସାଂସଦମାନେ ଦିଲ୍ଲୀ ବିଜୟ ଚୌକରୁ ସଂସଦ ଭବନ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ । ସମ୍ବିଧାନ ପ୍ରଣେତା ବି.ଆର.ଆମ୍ବେଦକରଙ୍କ ସଂପର୍କରେ କଟୁ ମନ୍ତବ୍ୟ ଦେଇଥିବା କେନ୍ଦ୍ର ଗୃହ ମନ୍ତ୍ରୀ ଶାହା ଇସ୍ତଫା ଦିଅନ୍ତୁ ଓ ସର୍ବସାଧାରଣରେ କ୍ଷମା ମାଗନ୍ତୁ ବୋଲି ଦାବି କରଥିଲେ । ସଂସଦରେ ପ୍ରବଳ ହଟ୍ଟଗୋଳ ହେବାରୁ ଉଭୟ ଗୃହକୁ ଅନିଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି । ବିଜେପି ଗତକାଲିର ଘଟଣାରେ ରାହୁଲ ଗାନ୍ଧୀଙ୍କୁ ସିଧାସଳଖ ଦାୟି କରି ‘ରାହୁଲଙ୍କ ଗୁଣ୍ଡାଗର୍ଦ୍ଦି’ ଲଜ୍ୟାଜନକ ବୋଲି କହିଥିବା ବେଳେ ଆଦାନୀ ପ୍ରସଙ୍ଗରେ ସଂସଦରେ ଆଲୋଚନାକୁ ଏଡାଇବା ପାଇଁ ବିଜେପିର ‘ସୁଚିନ୍ତିତ ଷଡଯନ୍ତ୍ର’ ଥିଲା ବୋଲି କଂଗ୍ରେସ ଅଭିଯୋଗ କରିଛି । ଗତକାଲିର ଘଟଣା ପରେ ଓଡ଼ିଶାର ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ଅଚାନକ ଦେଶବ୍ୟାପୀ ଚର୍ଚ୍ଚିତ ଚେହେରା ହୋଇଛନ୍ତି । ଓଡ଼ିଶା ସମେତ ଦିଲ୍ଲୀ, ମୁମ୍ବାଇ, କୋଲକାତା ପ୍ରଭୃତି ଅଂଚଳରେ ବିଜେପି ସମର୍ଥକମାନେ ରହୁଲଙ୍କ କୁଶପୁତ୍ତଳିକା ଦାହ କରି ପ୍ରତିବାଦ ବିକ୍ଷୋଭ କରିଥିବା ବେଳେ କଂଗ୍ରେସ ସମର୍ଥକମାନେ କେନ୍ଦ୍ର ଗୃହ ମନ୍ତ୍ରୀ ଶାହାଙ୍କ କୁଶପୁତ୍ତିଳିକା ଦାହ କରି ବିକ୍ଷୋଭ କରିଛନ୍ତି । ନୂତନ ବର୍ଷ ଆଗମନ ପୂର୍ବରୁ ଦେଶର ଏହି ଦୁଇ ଜାତୀୟ ରାଜନୈତିକ ଦଳ ମଧ୍ୟରେ ଯେଭଳି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ଆଗାମୀ ଦିନରେ ଭାରତୀୟ ରାଜନୀତି କିଭଳି ଉତ୍କଂଠାପୂର୍ଣ୍ଣ ହେବାକୁ ଯାଉଛି ତାହାର ସୂଚନା ଦେଉଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS