ଭାରତୀୟ ସଂସଦ ପାଲଟିଲା ରଣଭୂମୀ ?


ପ୍ରସାଦ ରାଓ
ଡିସେମ୍ବର ୧୯
ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତା କାଲି ଶେଷ ହେବାକୁ ଥିବା ବେଳେ ଆଜି ସଂସଦର ପ୍ରବେଶ ଦ୍ୱାରରେ ବିଜେପି-କଂଗ୍ରେସ ସାଂସଦଙ୍କ ମଧ୍ୟରେ ହାତାହାତି ହୋଇ ଦୁଇ ଜଣ ବିଜେପି ସାଂସଦ ଆହତ ହୋଇଥିବା ଘଟଣା ଆଲୋଡନ ସୃଷ୍ଟି କଲା ଭଳି ହୋଇଛି । ସଂସଦକୁ ପ୍ରବେଶ ଦ୍ୱାର ବା ମକର ଦ୍ୱାରରେ ସକାଳେ ଏହି ଘଟଣା ଘଟିଛି । ଆହତ ଦୁଇ ବିଜେପି ସାଂସଦଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ସାଂସଦ ପ୍ରତାପ ଷଡଙ୍ଗୀ । ଭାରତୀୟ ସମ୍ବିଧାନର ୭୫ତମ ବାର୍ଷିକୀ ଅବସରରେ ସଂସଦରେ ଆୟୋଜିତ ବିତର୍କରେ ଭାଗ ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ ସମ୍ବିଧାନ ପ୍ରଣେତା ବି.ଆର.ଆମ୍ବେଦକରଙ୍କ ଅପମାନସୂଚକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ତାଙ୍କ ଇସ୍ତଫା ଦାବିରେ କଂଗ୍ରେସ ସାଂସଦମାନେ ମକର ଦ୍ୱାରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ବିଜେପି ସାଂସଦମାନେ ଧସେଇ ପଶିବାକୁ ଉଦ୍ୟମ କରିବାରୁ ସକାଳେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଆହତ ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଅଭିଯୋଗ ହେଉଛି, ମକର ଦ୍ୱାରରେ ଠେଲାପେଲା ଚାଲିଥିବା ବେଳେ ସେ ପାହାଚ ଉପରେ ଠିଆ ହୋଇଥିଲେ । କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଠେଲି ଦେବାରୁ ସେହି ସାଂସଦ ଜଣକ ତାଙ୍କ ଉପରେ ଆସି ପଡିଥିଲେ ଏବଂ ସେ ତଳ ପଡିଯାଇ ଆହତ ହୋଇଥିଲେ । ଷଡଙ୍ଗୀଙ୍କ ମୁଣ୍ଡରେ ବ୍ୟାଂଡେଜ ହୋଇଥିବା ଦେଖିବାକୁ ମିଳିଛି । ତାଙ୍କୁ ଆମ୍ବୁଲାନ୍ସରେ ସଂସଦରୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଠେଲାପେଲାରେ ଆହତ ଦ୍ୱିତୀୟ ବିଜେପି ସାଂସଦ ହେଉଛନ୍ତି ମୁକେଶ ରାଜପୁତ । ସକାଳର ଏହି ଘଟଣାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ପରସ୍ପରକୁ ଦୋଷାରୋପ କରୁଛନ୍ତି । ରାହୁଲ ଗାନ୍ଧୀ ଏହି ଦୁଇ ସାଂସଦଙ୍କୁ ଗୁତର ଆହତ କରିଛନ୍ତି ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ଜୁ ଅଭିଯୋଗ କରିଥିବା ବେଳେ ଏହି ଠେଲାପେଲାରେ କଂଗ୍ରେସ ମୁଖ୍ୟ ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ଆହତ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି । ଖାର୍ଗେ ତାଙ୍କ ଆଂଠୁରେ ଆଘାତ ଲାଗିଥିବା କହିଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ରିଜ୍ଜୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡା ସମାଲୋଚନା କରି କହିଛନ୍ତି, ରାହୁଲ ଜାପାନୀ ମାର୍ସିଆଲ ଆର୍ଟ ‘ଆକିଡୋ’ରେ ବ୍ଲାକ ବେଲ୍ଟ କରିଥିବା ଅର୍ଥ ନୁହେଁ ଯେ ସେ ଅନ୍ୟ ସାଂସଦଙ୍କୁ ମାଡ ମାରିବାରେ ସେହି ବିଦ୍ୟା ପ୍ରୟୋଗ କରିବେ । ‘ସଂସଦ ରେସଲିଂ କ୍ଷେତ୍ର ନୁହେଁ’ ବୋଲି ରିଜ୍ଜୁ କଟାକ୍ଷ କରିବା ସହ ଦୁଇ ଜଣ ବିଜେପି ସାଂସଦ ଆହତ ହୋଇଥିବା ସୂଚିତ କରିଥିଲେ ଏବଂ ରାହୁଲ ଏଥି ସକାଶେ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହତ ଦୁଇ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ଓ ମୁକେଶ ରାଜପୁତଙ୍କ ସହ କଥା ହୋଇଥିବା ସୂଚନା ମିଳିଛି । ଇତିମଧ୍ୟରେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀଙ୍କ ଅଭିଯୋଗକୁ ଖଣ୍ଡନ କରି ଗଣମାଧ୍ୟମକୁ କହିଛନ୍ତି ଯେ, କଂଗ୍ରେସ ସଭାପତି ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ଖାର୍ଗେଙ୍କ ସହ ସେ (ରାହୁଲ) ସଂସଦରେ ପ୍ରବେଶ କରିବା ସମୟରେ ଦଳେ ବିଜେପି ସାଂସଦ ଠେଲାପେଲା କହିଥିଲେ ଓ ଧମକ ଦେଇଥିଲେ । ତାହାର ପ୍ରତିବାଦ କରିବାରୁ ଉଭୟ ପକ୍ଷ ମଧ୍ୟରେ ଠେଲାପେଲା ଓ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । କଂଗ୍ରେସ ମୁଖ୍ୟ ଖାର୍ଗେ ମଧ୍ୟ ଆହତ ହୋଇଥିବା ନେଇ ଯେଉଁ ଦାବି କରୁଛନ୍ତି ତାହାର ସତ୍ୟତା ନେଇ ପ୍ରଶ୍ନ କରାଯିବାରୁ ଖାର୍ଗେଙ୍କ ଅଭିଯୋଗ ସତ୍ୟ ବୋଲି ରାହୁଲ କହିଛନ୍ତି । ତେବେ, ଏହି ଠେଲାପୋଲାରେ ସେମାନେ ବିଶେଷ ପ୍ରଭାବିତ ହୋଇନଥିବା ରାହୁଲ କହିବା ସହ ‘ଏହା ହେଉଛି ସଂସଦ, ଆମର ପ୍ରବେଶ ଅଧିକାର ରହିଛି’ ବୋଲି ଗଣମାଧ୍ୟମରେ ଦାବି କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଦେଶର ପ୍ରମୁଖ୍ୟ ଶିଳ୍ପଦ୍ୟୋଗୀ ଗୌତ ଆଦାନୀଙ୍କ ବିରୋଧରେ ଆମେରିକାର ଏକ ଅଦାଲତ ଲାଂଚ ଅଭିଯୋଗ ଆଣି ସମନ ଜାରି କରିଥିବା ଖବର ପ୍ରସାରିତ ହେବା ପରେ ବିରୋଧୀ କଂଗ୍ରେସ ଓ ‘ଇଣ୍ଡି’ ମେଂଟ ପକ୍ଷରୁ ଆଦାନୀଙ୍କୁ ଗିରଫ କରାଯିବା ଦାବିରେ ସଂସଦର ଶୀତ ଅଧିବେଶନର ପ୍ରାରମ୍ଭରୁ ଅଚଳାବସ୍ଥା ସୃଷ୍ଟି କରିଥିଲେ । ବିଜେପି ଏହାର ମୁକାବିଲା କରିବାକୁ ଯାଇ ସଂସଦରେ ଆମେରିକୀୟ ପୁଂଜିପତି ଜର୍ଜ ସୋରୋସଙ୍କ ସହ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସଂପର୍କ କଥା ଉଠାଇ ଥିଲା । ଦେଶରେ ଅସ୍ଥିରତା ସୃଷ୍ଟି ପାଇଁ ସୋରେସଙ୍କ ବିଦେଶୀ ପାଂଠି ବିନିଯୋଗ ହେଉଥିବା ଏଭଳି ବିଭାଜନକାରୀ ଶକ୍ତିଙ୍କ ସହ ସୋନିଆ ଓ ରାହୁଲ ଗାନ୍ଧୀଙ୍କ ସଂପର୍କ କଣ ବୋଲି ବିଜେପି ମନ୍ତ୍ରୀ ଓ ସାଂସଦମାନେ ପ୍ରଶ୍ନ କରିଥିଲେ । ରାହୁଲ ଗାନ୍ଧୀଙ୍କୁ ‘ଦେଶଦ୍ରୋହୀ’ ବୋଲି ଆକ୍ଷେପ କରିବାକୁ ସେମାନେ ପଛାଇ ନଥିଲେ । ଆଦାନୀ ଓ ଜର୍ଜ ସୋରୋସଙ୍କୁ ନେଇ ସଂସଦର ଉଭୟ ଗୃହ ଅଚଳ ରହିଥିବା ବେଳେ ସମ୍ବିଧାନର ୭୫ତମ ବାର୍ଷିକୀ ଅବସରରେ ସଂସଦରେ ‘ସମ୍ବିଧାନ ଦିବସ’ ପାଳନ କରାଯାଇ ଦୁଇ ଦିନିଆ ବିତର୍କର ଆୟୋଜନ କରାଯିବାକୁ କଂଗ୍ରେସ ଓ ବିରୋଧୀ ‘ଇଣ୍ଡି’ ମେଂଟ ସଂସଦର ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ । ଏହି ଅନୁରୋଧକୁ ଗ୍ରହଣ କରାଯାଇ ଡିସେମ୍ବର ୧୩ ଓ ୧୪ ତାରିଖ ଦୁଇ ଦିନ ଲୋକସଭାରେ ଓ ୧୭ ଓ ୧୮ ତାରିଖ ଦୁଇ ଦିନ ଧରି ରାଜ୍ୟସଭାରେ ବିତର୍କର ଆୟୋଜନ ହୋଇଥିଲା । ତେବେ, ଏହି ବିତର୍କ ଗଠନମୂଳକ ହେବା ବଦଳରେ କଂଗ୍ରେସ ଓ ବିଜେପି ମଧ୍ୟରେ ଆକ୍ଷେପ, ପ୍ରତ୍ୟାକ୍ଷେପର ରଣକ୍ଷେତ୍ର ହୋଇଥିଲା । ବିଜେପି ସରକାର ଗଲା ଦଶ ବର୍ଷର ଶାସନରେ ସମ୍ବିଧାନକୁ ପଦାନତ କରି ଆସିଥିବା ଓ ବିରୋଧୀଙ୍କ କଂଠରୋଧ ପାଇଁ ବିଭିନ୍ନ ସାମ୍ବିଧାନିକ ସଂସ୍ଥାଙ୍କ ଦୁରୁପଯୋଗ କରିଥିବା ବିରୋଧୀ ମେଂଟ ସାଂସଦମାନେ ଅଭିଯୋଗ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ବିଜେପିର ବରିଷ୍ଠ ମନ୍ତ୍ରୀ ସାଂସଦମାନେ ଦେଶ ସ୍ୱାଧୀନତା ପରଠାରୁ କଂଗ୍ରେସର ୫୫ ବର୍ଷ ଶାସନରେ ସମ୍ବିଧାନର କିପରୁ ଦୁରୁପଯୋଗ କରାଯାଇଥିଲା ଓ କ୍ଷମତାକୁ ଜାବୁଡି ରଖିବାକୁ କିଭଳି ଲଗାତର ସମ୍ବିଧାନ ସଂଶୋଧନ କରାଯାଇଥିଲା ତାହାର ଉଦାହରଣ ଦେଇ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କଠାରୁ ଆରମ୍ଭ କରି ରାଜୀବ ଗାନ୍ଧୀଙ୍କ ପର୍ଯ୍ୟନ୍ତ ସମସ୍ତ ପ୍ରଧାନମନ୍ତ୍ରୀଙ୍କୁ କାଠଗଡାରେ ଠିଆ କରିଥିଲେ । ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଅଦାଲତ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରି ସାଂସଦ ପଦ ରଦ୍ଦ କରିବାରୁ ସେ ୧୯୭୫ରେ ଦେଶରେ ଜରୁରୀ ପରିସ୍ଥିିତି ଜାରି କରିଥିଲେ, ଯାହାକି ଦେଶ ପାଇଁ ଏକ ‘କଳା ଅଧ୍ୟକ୍ଷ’ ଥିଲା ବୋଲି ସେମାନେ ସମାଲୋଚନା କରିଥିଲେ । ସାହା ବାନୁ ମାମଲାରେ ରାଜୀବ ଗାନ୍ଧୀ ସୁପ୍ରିମ କୋର୍ଟ ରାୟକୁ ଅକାମୀ କରିବାକୁ ଯାଇ ସମ୍ବିଧାନରେ ସଂଶୋଧନ କରିଥିବା ଏବଂ ଜଣେ ଗରୀବ ମୁସଲିମ ମହିଳାଙ୍କୁ ନ୍ୟାୟ ଦେବା ବଦଳରେ ମୁସଲିମ୍ ମୌଳବାଦୀଙ୍କୁ ସମର୍ଥନ ଦେଇଥିବା କେତେଦୂର ନ୍ୟାୟସଂଗତ ଥିଲା ବୋଲି ବିଜେପି ମନ୍ତ୍ରୀ, ସାଂସଦମାନେ ପ୍ରଶ୍ନ କରିଥିଲେ । ଡକ୍ଟର ମନମୋହନ ସିଂହଙ୍କ ଦଶ ବର୍ଷର ୟୁପିଏ ସରକାର ତତ୍କାଳୀନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ବାସଭବନରୁ ରିମୋର୍ଟ ଦ୍ୱାରା ନିୟନ୍ତ୍ରିତ ହେଉଥିଲା । ସିଂହଙ୍କ ଦ୍ୱାରା ଅଣାଯାଇଥିବା ଏକ ଅଧ୍ୟାଦେଶକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗଣମାଧ୍ୟମ ସମ୍ମୁଖରେ ଚିରି ଫିଙ୍ଗିବା କେତେଦୂର ସମ୍ବିଧାନ ସମ୍ମତ ଥିଲା ବୋଲି ଶାସକ ମେଂଟ ପ୍ରଶ୍ନ କରି କଂଗ୍ରେସକୁ କଡା ଆକ୍ରମଣ କରିଥିଲେ । କଂଗ୍ରେସ ସରକାର ସମୟରେ ଗାନ୍ଧୀ ପରିବାର ନିଜ ସୁରକ୍ଷା ଓ ସ୍ୱାର୍ଥ ପାଇଁ ସମ୍ବିଧାନରେ ସଂଶୋଧନ କରୁଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନରେ ସମ୍ବିଧାନରେ ଯାହା ବି ସଂଶୋଧନ ହୋଇଛି ତାହାର ଦେଶର ସ୍ୱାର୍ଥ ପାଇଁ ବୋଲି ବିଜେପି ଦାବି କରିଥିଲା । ଲୋକସଭା ଓ ରାଜ୍ୟସଭାରେ ସମ୍ବିଧାନକୁ ନେଇ ହୋଇଥିବା ବିତର୍କରେ ବିଜେପି କଂଗ୍ରେସକୁ ଏବଂ କଂଗ୍ରେସ ଓ ବିରୋଧୀ ମେଂଟ ବିଜେପିକୁ ଆକ୍ରମଣ କରିବାରେ ସୀମିତ ଥିଲା । ତେବେ, ମଂଗଳବାର ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ ତାଙ୍କ ଭାଷଣରେ କଂଗ୍ରେସକୁ ସମାଲୋଚନା କରିବାକୁ ଯାଇ ସମ୍ବିଧାନ ପ୍ରଣେତା ଆମ୍ବେଦକରଙ୍କ ସଂପର୍କରେ ଦେଇଥିବାରୁ ଟିପ୍ପଣୀ ବିରୋଧୀ ଗଂଠି ପକାଇ ଧରିଛନ୍ତି । ‘ବିରୋଧୀ ବାରମ୍ବାର ଆମ୍ବେଦକରଙ୍କ ନାମ ଘୋଷୁଛନ୍ତି । ଆମ୍ବେଦକର, ଆମ୍ବେଦକର, ଆମ୍ବେଦକର ହେଉଛନ୍ତି । ସେମାନେ ଯେତେଥର ଆମ୍ବେଦକରଙ୍କ ନାମ ଘୋଷି ହେଉଛନ୍ତି ସେତିକି ଥର ଯଦି ଭାଗବାନଙ୍କ ନାମ ନିଅନ୍ତେ ତେବେ ସେମାନଙ୍କୁ ସ୍ୱର୍ଗରେ ସ୍ଥାନ ମିଳି ଯାଆନ୍ତା’ ବୋଲି ଶାହାଙ୍କ ମନ୍ତବ୍ୟ ଆମ୍ବେଦକରଙ୍କ ପାଇଁ ଅପମାନସୂଚକ ବୋଲି ବିରୋଧୀ ମେଂଟ କହିଛି । ଗତକାଲି ବିରୋଧୀ ମେଂଟର ଅଧିକାଂଶ ନେତା ଏଭଳି ଟିପ୍ପଣୀ ପାଇଁ ଶାହାଙ୍କୁ କଡା ସମାଲୋଚନା କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଗୃହ ମନ୍ତ୍ରୀ ଶାହାଙ୍କୁ କ୍ୟାବିନେଟରୁ ହଟାଇବାକୁ ଦାବି କରିଥିଲେ । ବୁଧବାର ରାତି ସୁଦ୍ଧା ସେମାନେ ପ୍ରଧାନମନ୍ତ୍ରୀଙ୍କୁ ସମୟ ଦେଇଥିଲେ । ‘ଆମ୍ବେଦକର ହେଉଛନ୍ତି ଭଗବାନ, ଆମ ଭଳି ଦେଶର ଅଧିକାଂଶ ଲୋକ ତାଙ୍କୁ ଭଗବାନ ମାନୁଛନ୍ତି । ଆମ୍ବେଦକର ଦେଶକୁ ସମ୍ବିଧାନ ଦେଇନଥିଲେ ଆଜି ଆମମାନଙ୍କ କୌଣସି ଅଶ୍ୱିସ୍ତ ନଥା’ନ୍ତା । ଦେଶରେ ଏକଛତ୍ର ଚାଲିଥାନ୍ତା’ ବୋଲି କଂଗ୍ରେସ ସଭାପତି ଖାର୍ଗେ ଗତକାଲି ଏକ ସଂବେଦନଶୀଳ ବୟାନ ଦେଇଥିଲେ । ଆଜି ସଂସଦ ଅଧିବେଶନ ଆରମ୍ଭ ସମୟରେ କଂଗ୍ରେସ ସାଂସଦମାନେ ସଂସଦର ମକର ଦ୍ୱାରରେ ସମ୍ବିଧାନ ପ୍ରଣେତା ଆମ୍ବେଦକରଙ୍କ ଫଟୋ ଧରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ସମୟରେ କଂଗ୍ରେସ ଓ ବିଜେପି ସାଂସଦଙ୍କ ମଧ୍ୟରେ ଏହି ହାତାହାତି ଘଟଣା ଘଟିଛି । ସକାଳ ଘଟଣା ପାଇଁ ବିଜେପି କଂଗ୍ରେସକୁ ଦାୟି କରିଥିବା ବେଳେ କଂଗ୍ରେସ ବିଜେପି ସାଂସଦଙ୍କୁ ଦାୟି କରିଛି । ଇତିମଧ୍ୟରେ, ସଂସଦରୁ ଆଜି ଆଉ ଏକ ରୋଚକ ଖବର ଆସିଛି । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକରଙ୍କ ବିରୋଧରେ କଂଗ୍ରେସ ଓ ବିରୋଧୀ ମେଂଟର ୭୦ରୁ ଅଧିକ ସାଂସଦ ଯେଉଁ ଅନାସ୍ଥା ନୋଟିସ ଦେଇଥିଲେ ରାଜ୍ୟସଭା ଉପାଧ୍ୟକ୍ଷ ଆଜି ତାହାକୁ ଖାରଜ କରି ଦେଇଛନ୍ତି । ବିରୋଧୀ ସାଂସଦମାନେ ୧୪ ଦିନ ପୂର୍ବରୁ ଏହି ଅନାସ୍ଥା ନୋଟିସ ଦେବା କଥା । କିନ୍ତୁ, ସଂସଦ ଅଧିବେଶନ ଶେଷ ହେବାର ୧୦ ପୂର୍ବରୁ ସେମାନେ ରାଜ୍ୟସଭା ସଚିବାଳୟରେ ଅନାସ୍ଥା ନୋଟିସ ଦେଇଥିବାରୁ ଏବଂ ସେଥିରେ ଧନକର ନାମକୁ ଠିକ ଭାବେ ଲେଖାଯାଇ ନଥିବାରୁ ଏହି ଅନାସ୍ଥା ନୋଟିସ ନାକଚ କରିଦିଆଗଲା ବୋଲି ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ସିଂହ ସୂଚିତ କରିଛନ୍ତି । ସମ୍ବିଧାନର ୬୭ (ଖ) ଅନୁଚ୍ଛେଦ ଅନୁସାରେ ବିରୋଧୀ ଏହି ଅନାସ୍ଥା ନୋଟିସ ଦେଇଥିଲେ । କଂଗ୍ରେସ ପକ୍ଷରୁ ଦିଆଯାଇଥିବା ନୋଟିସ ପ୍ରତି ସମାଜବାଦୀ ପାର୍ଟି, ଟିଏମସି, ‘ଆପ୍’ର ସମର୍ଥନ ରହିଥିଲା । ରାଜ୍ୟସଭା ଅଧ୍ୟକ୍ଷ ଗୃହରେ ପକ୍ଷପାତ କରୁଥିବା ଏବଂ ବିରୋଧୀ ସାଂସଦଙ୍କୁ ବାରମ୍ବାର ଅପମାନିତ କରୁଥିବା କଂଗ୍ରେସ ମୁଖ୍ୟ ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ଅଭିଯୋଗ କରିବା ସହ ବିରୋଧୀ ମେଂଟ ଆଡୁ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ନୋଟିସ ଦିଆଯାଇଥିଲା । ତେବେ, ସମ୍ବିଧାନରେ ଥିବା ବ୍ୟବସ୍ଥା ଅନୁସାରେ ଅଧ୍ୟକ୍ଷଙ୍କୁ ଅପସାରଣ ପାଇଁ ୧୪ ଦିନିଆ ନୋଟିସ ଦିଆଯାଇନଥିବାରୁ ତାହା ଖାରଜ କରାଯାଇଥିବା ଆଜି ରାଜ୍ୟସଭା ସଚିବାଳୟ ବିରୋଧୀଙ୍କୁ ଜଣାଇ ଦେଇଛନ୍ତି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS