ବିଜେଡି ସାଂସଦଙ୍କୁ ସଫେଇ ଦେବାକୁ ପଡୁଛି କାହିଁକି ?


ପ୍ରସାଦ ରାଓ
ଡିସେମ୍ବର ୧୮
୨୦୨୪ ସାଧାରଣ ନିର୍ବାଚନ ପରେ ଓଡ଼ିଶାରେ ବିଜେଡି ମୁଖ୍ୟ ବିରୋଧୀ ଦଳ ଭୂମିକାରେ ରହିଛି । ଲୋକସଭାରେ ଦଳର ଜଣେ ହେଲେ ସାଂସଦ ନଥିବା ବେଳେ ରାଜ୍ୟସଭାରେ ଏବେ ସାତ ଜଣ ସାଂସଦ ଅଛନ୍ତି । କେନ୍ଦ୍ର ଓ ରାଜ୍ୟରେ ବିଜେପି ଏବଂ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡିଏ) ସରକାର ଥିବାରୁ ବିଜେଡି ଏକ ଦାୟିତ୍ୱସଂପନ୍ନ ବିରୋଧୀ ରାଜନୈତିକ ଦଳ ଭାବେ କାର୍ଯ୍ୟ କରିବା ଓଡ଼ିଶାବାସୀ ଆଶା କରୁଛନ୍ତି । ତେବେ, ବିଜେପିକୁ ନେଇ ବିଜେଡି ନେତୃତ୍ୱର ଆଭିମୁଖ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ନଥିବାରୁ ଦଳ ଭିତରେ ଯେଉଁ ହଲଚଲ ରହିଛି ତାହା ବିଜେପି ରାଜ୍ୟସଭା ସାଂସଦମାନଙ୍କ କାର୍ଯ୍ୟକଳାପରୁ ସ୍ପଷ୍ଟ ହେଉଛି । ଗତ ଜୁନ ମାସରେ ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠା ହେବା ପରେ କମ୍ ଦିନ ବ୍ୟବଧାନରେ ବିଜେଡିର ଦୁଇ ଜଣ ରାଜ୍ୟସଭା ସାଂସଦ ମମତା ମହାନ୍ତ ଓ ସୁଜିତ କୁମାର ଦଳର ପ୍ରାଥମିକ ସଦସ୍ୟତା ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଲେ ଏବଂ ପରବର୍ତ୍ତୀ ସମୟରେ ସେହି ଦୁଇ ରାଜ୍ୟସଭା ଆସନ ପାଇଁ ହୋଇଥିବା ଉପ ନିର୍ବାଚନରେ ବିଜେପି ସେମାନଙ୍କୁ ପ୍ରାର୍ଥୀ କରି ରାଜ୍ୟସଭାକୁ ନେଇଛି । ଯେହେତୁ ବିଜେପି ରାଜ୍ୟସଭାରେ ତାହାର ସଂଖ୍ୟା ବଢାଇବାକୁ ଚାହୁଁଛି ଓଡ଼ିଶାର ବିଜେଡି ସାଂସଦମାନଙ୍କୁ ଟାର୍ଗେଟ କରୁଛି । ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଲେ ଉପ ନିର୍ବାଚନରେ ସେମାନେ ବିଜେପିରୁ ପ୍ରାର୍ଥୀ ହୋଇ ରାଜ୍ୟସଭାକୁ ଫେରି ପାରିବେ ଏବଂ ସେମାନଙ୍କ ବଳକା କାର୍ଯ୍ୟକାଳ ସୁରକ୍ଷିତ ରହିବ – ବିଜେପି ଏଭଳି ଏକ ବାର୍ତ୍ତା ମମତା ମହାନ୍ତ ଓ ସୁଜିତ କୁମାରଙ୍କ ମାଧ୍ୟମରେ ଓଡ଼ିଶାର ବିଜେଡି ସାଂସଦମାନଙ୍କୁ ଦେଇଥିବାରୁ ଆଗାମୀ ଦିନରେ ଆଉ କିଛି ସାଂସଦ ବିଜେଡିରୁ ଇସ୍ତଫା ଦେଇ ବିଜେପିକୁ ଯାଇପାରନ୍ତି ବୋଲି ରାଜ୍ୟର ରାଜନୈତିକ ବିଶ୍ଲେଷକମାନେ କେବଳ ଅନୁମାନ ବ୍ୟକ୍ତ କରିଛନ୍ତି । ମମତା ମହାନ୍ତ ଓ ସୁଜିତ କୁମାର ମଧ୍ୟ ଏକଦା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କ ବିଶ୍ୱସ୍ତ ଥିବା ଦାବି କରୁଥିଲେ । ଓଡ଼ିଶାରେ ବିଜେଡି କ୍ଷମତାରେ ଥିବା ଯାଏଁ ସେମାନେ ଦଳୀୟ ନେତୃତ୍ୱ ବିରୋଧରେ କେବେ ପ୍ରଶ୍ନ ଉଠାଇ ନଥିଲେ । ତେବେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ୨୦୨୪ ଜୁନରେ କ୍ଷମତାଚ୍ୟୁତ ହେବା ପରେ ଏହି ଦୁଇ ରାଜ୍ୟସଭା ସାଂସଦ ବିଜେଡିରେ ଅଲୋଡା ହୋଇ ରହିଥିବା ଦର୍ଶାଇ ଦଳରୁ ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ଥିବା ଦର୍ଶାଇ ବିଜେପିରେ ସାମିଲ ହୋଇଥିଲେ । ବିଜେପି ମଧ୍ୟ ସେମାନଙ୍କୁ ପୁନଃ ରାଜ୍ୟସଭାକୁ ପଠାଇ ସେମାନଙ୍କ ରାଜନୈତିକ ଭବିଷ୍ୟତକୁ ସୁରକ୍ଷିତ କରିଛି । ତେଣୁ, ଏହାର ପ୍ରଭାବ ବିଜେଡିର ଅନ୍ୟ ରାଜ୍ୟସଭା ସାଂସଦଙ୍କ ଉପରେ ପଡିବା ଆଶଙ୍କା ପ୍ରକାଶ ପାଇବାରେ କିଛି ଅସ୍ୱାଭାବିକତା ନାହିଁ । ଗଣମାଧ୍ୟମରେ ରାଜନୈତିକ କଳ୍ପନାଜଳ୍ପନା କିଛି ନୂଆ କଥା ନୁହେଁ । ତେବେ, ଗଣମାଧ୍ୟମର ଏହି କଳ୍ପନାଜଳ୍ପନାକୁ ନେଇ ରାଜ୍ୟସଭାରେ ଥିବା ବିଜେଡିର ସାତ ଜଣ ସାଂସଦ ଗତକାଲି ନୂଆଦିଲ୍ଲୀରେ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ପ୍ରତି ସେମାନଙ୍କ ଆନୁଗତ୍ୟ ଅତୁଟ ଥିବା ଏବଂ ସେମାନେ ବିଜେପିକୁ ଯିବା ପ୍ରଶ୍ନ ଉଠୁନଥିବା ଘୋଷଣା କରିବା ରାଜନୈତିକ ସମୀକ୍ଷଙ୍କୁ ବିସ୍ମିତ କରିଛି । ରାଜ୍ୟସଭା ସାଂସଦ ମମତା ମହାନ୍ତ ଓ ସୁଜିତ କୁମାର ବିଜେଡିରୁ ଇସ୍ତଫା ଦେଇ ବିଜେପିକୁ ଚାଲି ଯିବା ପରେ ବିଜେଡିର ଆହୁରି ଅନେକ ନେତା ବିଜେପିକୁ ଯିବା ଅପେକ୍ଷାରେ ରହିଥିବା ଓଡ଼ିଶା ବିଜେପି ନେତାମାନେ ଦାବି କରୁଛନ୍ତି । ହୁଇସିଲ ମାରିଲେ ଦଳ (ବିଜେଡି) ଖାଲି ହୋଇଯିବ ବୋଲି ଦଳର ଜଣେ ବରିଷ୍ଠ ନେତା ଲଗାତର ଗଣମାଧ୍ୟମରେ ମନ୍ତବ୍ୟ ଦେଉଛନ୍ତି । ଓଡ଼ିଶାର ବିଭିନ୍ନ ସହରାଂଚଳ ଓ ଗ୍ରାମାଂଚଳରେ ବିଜେଡିର ତୃଣମୂଳ ନେତାମାନେ ଦଳବଳ ସହ ଇସ୍ତଫା ଦେଇ ବିଜେପିରେ ସାମିଲ ହେଊଥିବା ଓ ବିଜେପି ରାଜ୍ୟ ନେତୃତ୍ୱ ସେମାନଙ୍କୁ ଗେରୁଆ ଟୋପି ଓ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରୁଥିବା ପ୍ରତିଦିନ ଟିଭି ପରଦାରେ ଦେଖିବାକୁ ମିଳୁଛି । ଆଗକୁ ପଂଚାୟତ ଓ ପୌର ନିର୍ବାଚନ ହେବାକୁ ଥିବା ବେଳେ ବିଜେଡି ଖାଲି ହେଉଥିବା ଓ ବିଜେପି ନେତୃତ୍ୱ ମିଶ୍ରଣ ପର୍ବମାନ ଆୟୋଜନ କରି ସେମାନଙ୍କୁ ସ୍ୱାଗତ କରୁଥିବା ଦୃଶ୍ୟ ବିଜେଡି ନେତୃତ୍ୱକୁ ମଧ୍ୟ ବିଚଳିତ କରୁଛି । ତୃଣମୂଳସ୍ତର ନେତାମାନେ ସେମାନଙ୍କ ରାଜନୈତିକ ସ୍ୱାର୍ଥ ପାଇଁ ବିଜେପିରେ ସାମିଲ ହେଉଥିବା କୁହାଯାଉଥିବା ବେଳେ ବରିଷ୍ଠ ନେତାମାନେ ଗଣମାଧ୍ୟମରେ ଯେଭଳି ବୟାନବାଜୀରେ ଲିପ୍ତ ରହୁଛନ୍ତି ତାହା ବିଜେଡି ପାଇଁ ଅଧିକ ଘାତକ ମନେ ହେଉଛି । ଏହି ପରିସ୍ଥିତିରେ, ବିଜେଡିର ସାତ ଜଣ ରାଜ୍ୟସଭା ସାଂସଦ ମିଳିତ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଓ ଦଳର ମୁଖ୍ୟଙ୍କ ପ୍ରତି ସେମାନଙ୍କ ଆନୁଗତ୍ୟ ପ୍ରକାଶ କରିବା ପ୍ରୟୋଜିତ ନା ସ୍ୱତଃପ୍ରବୃତ୍ତ – ତାହା ବଡ ପ୍ରଶ୍ନ ହୋଇଛି । ଶେଷ ନିଶ୍ୱାସ ଥିବା ଯାଏଁ ସେମାନେ ବିଜେଡି ଓ ଦଳର ନେତାଙ୍କ ପ୍ରତି ଅନୁଗତ ରହିବେ ବୋଲି ଏହି ସାଂସଦମାନେ ଘୋଷଣା କରିବା ସହ ଗଣମାଧ୍ୟମରେ ସେମାନଙ୍କୁ ନେଇ ଚାଲିଥିବା କଳ୍ପନାଜଳ୍ପନା ମିଥ୍ୟା ଏବଂ କପୋଳକଳ୍ପିତ ବୋଲି କହିଛନ୍ତି । ଯେଉଁ କିଛି ଗଣମାଧ୍ୟମ ସେମାନଙ୍କୁ ନେଇ ଅପପ୍ରଚାର ଚଳାଇଛନ୍ତି ସେମାନଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ମଧ୍ୟ କିଛି ବିଜେଡି ରାଜ୍ୟସଭା ସାଂସଦ ଚେତାବନୀ ଦେଇଥିବା ସୂଚନା ମିଳିଛି । ବିଜେଡିର ଏହି ସାତ ସାଂସଦ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକରଙ୍କୁ ଭେଟି ଆଲୋଚନା କରିବା ପରେ କିଛି ଗଣମାଧ୍ୟମରେ ସେମାନଙ୍କୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ତେବେ, ବିଜେଡି ସାଂସଦମାନେ ଗଣାମଧ୍ୟମକୁ କହିଛନ୍ତି, ସେମାନେ ରାଜ୍ୟସଭା ଅଧ୍ୟକ୍ଷ ଧନକରଙ୍କୁ ଭେଟି ବିଭିନ୍ନ ସଂସଦୀୟ ବ୍ୟାପାର ବିଷୟରେ ଆଲୋଚନା କରିଥିଲେ । ରାଜ୍ୟସଭା ଅଧ୍ୟକ୍ଷ ତଥା ଦେଶର ଉପ ରାଷ୍ଟ୍ରପତିଙ୍କୁ ଅଯଥାରେ ରାଜନୈତିକ ବିବାଦ ଭିତରକୁ ଟଣାଯିବା ଉଚିତ ନୁହେଁ । ତେବେ, ଏକଥା କାହାରିକୁ ଅଛପା ନାହିଁ ଯେ, ସଂସଦର ଚଳିତ ଶୀତକାଳୀନ ଅଧିବେଶନରେ କଂଗ୍ରେସ ସମତେ ବିରୋଧୀ ‘ଇଣ୍ଡି’ ମେଂଟର ସାଂସଦମାନେ ରାଜ୍ୟସଭା ଅଧ୍ୟକ୍ଷ ଧନକରଙ୍କ ବିରୋଧରେ ଅନାସ୍ଥା ନୋଟିସ ଦେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ଗୃହରେ ନିରପେକ୍ଷ ରହିବା ବଦଳରେ ପକ୍ଷଭୁକ୍ତ ହୋଇ ବିରୋଧୀ ସାଂସଦଙ୍କୁ ଆଲୋଚନାର ସୁଯୋଗ ଦେଉ ନାହାନ୍ତି, । ଗୃହରେ ସେମାନଙ୍କ ପ୍ରତି ପକ୍ଷପାତ କରାଯାଉଛି । ଅଧ୍ୟକ୍ଷ ଗୃହରେ ସେମାନଙ୍କୁ ଅପମାନିତ କରିବାକୁ ପଛାଉ ନାହାନ୍ତି । କଂଗ୍ରେସ ମୁଖ୍ୟ ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ଥିବା ମଲ୍ଲିକାର୍ଜୁନ ଖର୍ଗେଙ୍କ ସମେତ ଅନ୍ୟୁନ ୭୦ ଜଣ ସାଂସଦ ଧନକରଙ୍କ ବିରୋଧରେ ଦେଇଥିବା ଅନାସ୍ଥା ନୋଟିସରେ ଏଭଳି ଅଭିଯୋଗ କରିଛନ୍ତି । ସଂସଦୀୟ ବିଧି ବ୍ୟବସ୍ଥା ଅନୁଯାୟୀ, ବିରୋଧୀ ସଂସଦମାନେ ୧୪ ଦିନ ପୂର୍ବରୁ ଏହି ଅନାସ୍ଥା ନୋଟିସ ଦାଖଲ କରିବା କଥା । କିନ୍ତୁ, ବିରୋଧୀ ସାଂସଦମାନେ ସଂସଦ ଅଧିବେଶନ ଶେଷ ହେବାକୁ ଦଶ ଦିନ ଥିବା ବେଳେ ରାଜ୍ୟସଭା ସଚିବାଳୟରେ ଏହି ନୋଟିସ ଦାଖଲ କରିଛନ୍ତି । ଆସନ୍ତା ୨୦ ତାରିଖରେ ସଂସଦ ଅଧିବେଶନ ଶେଷ ହେଉଥିବାରୁ ଆନାସ୍ଥା ପ୍ରସ୍ତାବ ଆଲୋଚନାକୁ ଆସିବା ଅବକାଶ ନାହିଁ । ପରବର୍ତ୍ତୀ ଅଧିବେଶନରେ ଏହା ଚର୍ଚ୍ଚାକୁ ଆସିବ କି ନାହିଁ ତାହା ସେହି ସମୟରେ ନିଷ୍ପତ୍ତି ହେବ । ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ‘ଇଣ୍ଡି’ ମେଂଟ ସାଂସଦମାନେ ଆଣିଥିବା ଅନାସ୍ଥା ପ୍ରସ୍ତାବରେ ବିଜେଡିକୁ ସାମିଲ କରିବାକୁ ମେଂଟ ନେତାମାନେ ଚାହୁଁଥିଲେ । ତେବେ, ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତା ନୀତିକୁ ଦୋହରାଇ ଏହି ପ୍ରସଙ୍ଗରେ ନିଜକୁ ‘ଇଣ୍ଡି’ ମେଂଟ ଠାରୁ ଦୂରେଇ ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେଡିର ସାତ ଜଣ ରାଜ୍ୟସଭା ସାଂସଦ ଏକାଠି ରାଜ୍ୟସଭା ଅଧ୍ୟକ୍ଷ ଧନକରଙ୍କୁ ଭେଟି ଆଲୋଚନା କରିବା ନିଶ୍ଚିତ ଭାବେ ରହସ୍ୟମୟ । ଏହାକୁ ନେଇ ଗଣମାଧ୍ୟମରେ ଯାହା ବି ଚର୍ଚ୍ଚା ହେଉନା କାହିଁକି ବିଜେଡି ରାଜ୍ୟସଭା ସାଂସଦଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀ ଯେ ସାମୟିକ ଭାବେ ଦଳର ମୁଖ୍ୟଙ୍କୁ ଆଶ୍ୱସ୍ତ କରିଥିବ, ଏଥିରେ କୌଣସି ସନ୍ଦେହ ନାହିଁ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS