‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍ ଲୋକସଭାରେ ଉପସ୍ଥାପିତ


ପ୍ରସାଦ ରାଓ
ନୂଆଦିଲ୍ଲୀ/ଡିସେମ୍ବର ୧୭
ସଂସଦର ଶୀତକାଳୀନ ଅଧିବେଶନ ଅବସରରେ ଆଜି ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ପକ୍ଷରୁ ଲୋକସଭାରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍ ଆଗତ ହୋଇଛି । ବିରୋଧୀଙ୍କ ବିରୋଧ ଓ ହଟ୍ଟଗୋଳ ମଧ୍ୟରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ ଗୃହରେ ସମ୍ବିଧାନ ସଂଶୋଧନ ପାଇଁ ଦୁଇଟି ବିଲ୍ ଉପସ୍ଥାପନ କରିଛନ୍ତି । ବିଲ୍ ସପକ୍ଷରେ ଗୃହରେ ୨୬୯ ଜଣ ସାଂସଦ ଭୋଟ ଦେଇଥିବା ବେଳ ବିପକ୍ଷରେ ୧୯୮ ଜଣ ସାଂସଦ ଭୋଟ ଦେଇଛନ୍ତି । ଦେଶରେ ଭିନ୍ନ ଭିନ୍ନ ସମୟରେ ଲୋକସଭା ଏବଂ ବିଧାନସଭା ନିର୍ବାଚନଗୁଡିକ ହେଉଥିବାରୁ ବିପୁଳ ଅର୍ଥବ୍ୟୟ ସହ ସମୟର ଅପଚୟ ହେଉଛି । ବର୍ଷ ସାରା କøଣସି ନା କୌଣସି ରାଜ୍ୟରେ ନିର୍ବାଚନ ହେଉଥିବାରୁ ନିର୍ବାଚନ କମିଶନଙ୍କ ଦ୍ୱାରା ଆଦର୍ଶ ଆଚରଣ ବିଧି ଜାରି ହୋଇ ବିକାଶ କାର୍ଯ୍ୟ ମଧ୍ୟ ମନ୍ଥର ହୋଇଯାଉଛି । ତେଣୁ, ଗୋଟିଏ ସମୟରେ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡିକର ନିର୍ବାଚନ କରାଇବା ପାଇଁ ଦେଶର ସମ୍ବିଧାନରେ ୧୨୯ତମ ସଂଶୋଧନର ଆବଶ୍ୟକତା ରହିଛି । ଲୋକସଭା ଓ ବିଧାନସଭା ନିର୍ବାଚନ ସବୁ ଏକାଠି ହେଲେ ସମୟ, ଅର୍ଥର ଅପବ୍ୟୟ ରୋକାଯିବା ସହ ବିକାଶ କାର୍ଯ୍ୟରେ ସୃଷ୍ଟି ହେଉଥିବା ପ୍ରତିବନ୍ଧକକୁ ମଧ୍ୟ ଦୂର କରାଯାଇପାରିବ । ତେଣୁ, କେନ୍ଦ୍ର ସରକାର ଏହି ସମ୍ବିଧାନ ସଂଶୋଧନ ପାଇଁ ପ୍ରତିବଦ୍ଧ ଥିବା ସରକାର ଦାବି କରୁଥିବା ବେଳେ ବିରୋଧୀ ଏହାକୁ ‘ଗଣତନ୍ତ୍ରର କଂଠରୋଧ’ ଉଦ୍ୟମ କହି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । କେନ୍ଦ୍ର ଆଇନ ମନ୍ତ୍ରୀ ମେଘୱାଲ ଏହି ସମ୍ବିଧାନ ସଂଶୋଧନ ବିଲ୍ ଗୃହରେ ଉପସ୍ଥାପ କରିଥିବା ବେଳେ ଅଧିକ ତର୍ଜମା ପାଇଁ ବିଲ୍ ଟି ଯୁଗ୍ମ ସଂସଂଦୀୟ କମିଟି (ଜେପିସି)କୁ ଯାଇପାରେ ବୋଲି ସୂଚନା ମିଳିଛି । ଆଜି ଲୋକସଭାରେ ସରକାରଙ୍କ ପକ୍ଷରୁ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଲ୍’ ଉପସ୍ଥାପନ ପରେ କଂଗ୍ରେସ ସାଂସଦ ମନୀଷ ତିୱାରୀ, ସମାଜବାଦୀ ପାର୍ଟି ସାଂସଦ ଧର୍ମେନ୍ଦ୍ର ୟାଦବ, ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ, ଡିଏମକେ ସାଂସଦ ଟି.ଆର.ବାଲୁ, ଏନସିପି (ଶରଦଚନ୍ଦ୍ର ପାୱାର) ସାଂସଦ ସୁପ୍ରିୟା ସୁଲେ ପ୍ରମୁଖ ତାହାର କଡା ସମାଲୋଚନା କରିଥିଲେ । ଅପରପକ୍ଷରେ, ବିଜେପିର ତିନି ସହଯୋଗୀ ଦଳ – ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି), ରାଜ୍ୟରେ ବିରୋଧୀ ଦଳ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇ.ଏସ.ଜଗନମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ପାର୍ଟି (ୱାଇଏସଆରସିପି) ଓ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଶିବସେନା ତାହାକୁ ସମର୍ଥନ କରିଛି । ଗୃହରେ ଆଲୋଚନା ସମୟରେ କଂଗ୍ରେସ ଏହି ବିଲ୍ କୁ ବରୋଧ କରିବାର କୌଣସି ‘ଯଥାର୍ଥ କାରଣ’ ନାହିଁ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ଜୁ ଯୁକ୍ତି ରଖିଥିବା ବେଳେ ଏହି ବିଲ୍ ଦେଶରେ ଗଣତନ୍ତ୍ରର ‘କଂଠରୋଧ’ ପାଇଁ ଉଦ୍ଦିଷ୍ଟ ବୋଲି ବିରୋଧୀ ସାଂସଦମାନେ ଅଭିଯୋଗ କରିଛନ୍ତି । ବିଲ୍ ଟି ଅଧିକ ତର୍ଜମା ପାଇଁ ଯୁଗ୍ମ ସଂସଦୀୟ କମିଟିକୁ ଯିବାକୁ ଥିବା ବେଳେ ବିଜେପି ଲୋକସଭାରେ ସବୁଠାରୁ ବଡ ଦଳ ହୋଇଥିବାରୁ ଜେପିସିର ଅଧ୍ୟକ୍ଷ ପଦ ବିଜେପି ହାତରେ ରହିବ । ସେହିପରି, ଜେପିସିରେ ବିଜେପିର ହିଁ ଅଧିକ ସଦସ୍ୟ ରହିବେ । ପ୍ରାଥମିକ ଭାବେ ଜେପିସିକୁ ୯୦ ଦିନ ସମୟ ମିଳିବ । ଆବଶ୍ୟକତା ପଡିଲେ ଜେପିସିକୁ ଅଧିକ ସମୟ ମଧ୍ୟ ଦିଆଯାଇପାରେ । ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସ୍ତାବକୁ ଗତ ସପ୍ତାହରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇ ସାରିଛି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସ୍ତାବକୁ ଅନୁଧ୍ୟାନ କରିବା ପରେ ଏହା କାର୍ଯ୍ୟକାରୀ କରିଯିବା ସପକ୍ଷରେ ଗତ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । ଏଥିସକାଶେ ଆବଶ୍ୟକ ସମ୍ବିଧାନ ସଂଶୋଧନ ପାଇଁ ମଧ୍ୟ କମିଟି ସରକାରଙ୍କୁ ସୁପାରିଶ କରିଛନ୍ତି । କୋଭିନ୍ଦଙ୍କ କମିଟିରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଅନ୍ୟତମ ସଦସ୍ୟ ଥିଲେ । ସମ୍ବିଧାନରେ ୧୨୯ତମ ସଂଶୋଧନ ପାଇଁ ଯେଉଁ ଦୁଇଟି ପ୍ରସ୍ତାବ ରହିଛି ସେଥିରୁ ଗୋଟିଏ ହେଉଛି, ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନଗୁଡିକୁ ସଂଯୁକ୍ତ କରିବା । ଏହାର ଅର୍ଥ ହେଉଛି, ୨୦୨୯ରେ ଚଳିତ ଲୋକସଭାର କାର୍ଯ୍ୟକାଳ ସରିବା ପରେ ଯେଉଁ ସବୁ ବିଧାନସଭା ନିର୍ବାଚନ ହୋଇଥିବ ସେସବୁର କାର୍ଯ୍ୟକାଳ ପାଂଚ ବର୍ଷ ପୂର୍ବରୁ ସମାପ୍ତ କରାଯାଇ ୨୦ତମ ଲୋକସଭା ନିର୍ବାଚନ ସହ ସେମାନଙ୍କୁ ଯୋଡା ଯିବ । ଦ୍ୱିତୀୟ ସଂଶୋଧନ ପ୍ରସ୍ତାବ ହେଉଛି, କେନ୍ଦ୍ର ଶାସିତ ପୁଡୁଚେରୀ, ଦିଲ୍ଲୀ ଓ ଜମ୍ମୁ-କଶ୍ମୀରକୁ ବଳକା ରାଜ୍ୟ ସହ ଯୋଡା ଯାଇ ଲୋକସଭା ନିର୍ବାଚନ ସହ ଯୋଡିବା । ତେବେ, ୨୦୩୪ ନିର୍ବାଚନ ପୂର୍ବରୁ ଏସବୁ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ସମ୍ଭାବନା କ୍ଷୀଣ । ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍ ଆଜି ଲୋକସଭାରେ ଉପସ୍ଥାପିତ ହୋଇଥିଲେ ମଧ୍ୟ ଲୋକସଭା ନିର୍ବାଚନ ସହ ରାଜ୍ୟ ବିଧାନସଭାଗୁଡିକର ନିର୍ବାଚନ ଏକାଠି କରିବାକୁ ହେଲେ ବହୁ ବୈଷୟିକ ପ୍ରଶ୍ନ ଓ ପ୍ରସଙ୍ଗ ଉପରେ ତର୍ଜମାର ଆବଶ୍ୟକତା ରହିଛି । କୌଣସି କାରଣରୁ ଗୋଟିଏ ରାଜ୍ୟରେ ସରକାର ଅସମୟରେ ଭାଂଗି ଗଲେ ନିର୍ବାଚନ କମିଶନ ସେଠାରେ ତ୍ୱରିତ ନିର୍ବାଚନ କରିବେ କି ରାଷ୍ଟ୍ରପତି ଶାସନ ଜାରି ହେବ (?) ବୋଲି ବିରୋଧୀ ପ୍ରଶ୍ନ କରୁଛନ୍ତି । ଏହି ବିଲ୍ ଜେପିସିକୁ ଯିବାକୁ ଥିବାରୁ ଜେପିସି ରିପୋର୍ଟ ଆସିବା ପରେ ହିଁ ଏହା ଉପରେ ଅଧିକ ଆଲୋଚନା ସମ୍ଭବ ବୋଲି ବିରୋଧୀ କହିଛନ୍ତି । ଜେପିସି ରିପୋର୍ଟ ମିଳିବା ପରେ ତାହାକୁ ନେଇ ସଂସଦରେ ପୁଣିଥରେ ଚର୍ଚ୍ଚା ହେବ । ସଂସଦରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍ ଗୃହୀତ ହେଲେ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଦେଶର ଅର୍ଦ୍ଧାଧିକ ରାଜ୍ୟଙ୍କ ସମର୍ଥନର ଆବଶ୍ୟକତା ଥିବାରୁ ଏହା ଏକ ଲମ୍ବା ପ୍ରକ୍ରିୟା ହେବା ନିଶ୍ଚିତ । ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସ୍ତାବକୁ କଂଗ୍ରେସ, ସମାଜବାଦୀ ପାର୍ଟି, ଏନସିପି (ଶରଦଚନ୍ଦ୍ର ପାୱାର), ଆମ୍ ଆଦମୀ ପାର୍ଟି, ଟିଏମସି, ଡିଏମକେ, ଜେଏମଏମ ସମତେ ବିରୋଧୀ ‘ଇଣ୍ଡି’ ମେଂଟର ଅଂଶୀଦାରମାନେ ବିରୋଧ କରୁଥିବା ବେଳେ ବିଜେପି ସମତେ ଏନଡିଏ (ଜାତୀୟ ଗଣତାନ୍ତ୍ରିକ ମେଂଟ) ଅଂଶୀଦାରମାନେ ସମର୍ଥନ କରୁଛନ୍ତି । ‘ଇଣ୍ଡି’ ମେଂଟ ଓ ଏନଡିଏରେ ନଥିବା ରାଜନୈତିକ ଦଳଙ୍କ ମଧ୍ୟରେ ରହିଛି ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) । ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିକୁ ମାତ୍ ଦେଇଛି ବିଜେପି । ଲୋକସଭାରେ ବିଜେଡିର ଜଣେ ହେଲେ ସାଂସଦ ନାହାନ୍ତି । ରାଜ୍ୟସଭାରେ ମାତ୍ର ୦୭ ଜଣ ସାଂସଦ ଅଛନ୍ତି । ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ଶାସନକୁ ଆସିଛି । ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ୨୦୦୯ ପର୍ଯ୍ୟନ୍ତ ବିଜେପି ନେତୃତ୍ୱାଧୀନ ଏନଡିଏରେ ଥିଲେ ଏବଂ ଓଡ଼ିଶାରେ ବିଜେଡି-ବିଜେପି ମେଂଟ ସରକାର ଚାଲିଥିଲା । ୨୦୦୯ ନିର୍ବାଚନ ପୂର୍ବରୁ ନବୀନ ଓଡ଼ିଶାରେ ବିଜେପି ସହ ସଂପର୍କ ଛିନ୍ନ କରିବା ସହ ଏନଡିଏରୁ ଓହରି ଯାଇ ଉଭୟ ଜାତୀୟ ରାଜନୈତିକ ଦଳ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ନୀତି ଆପଣାଇଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେଡିର ବିପର୍ଯ୍ୟୟ ପାଇଁ ବିଜେପି ଦାୟି, ଏହା ସମସ୍ତେ ଜାଣନ୍ତି । ତଥାପି, ନବୀନ ବିଜେପିର ନିକଟତର ଥିବା ଆଲୋଚନା ହେଉଛି । ‘ଗୋଟିଏ ରାଜ୍ୟ, ଗୋଟିଏ ନିର୍ବାଚନ’ ପ୍ରସଙ୍ଗରେ ମଧ୍ୟ ବିଜୁ ଜନତା ଦଳ (ବିଜେଡି)ର ଆଭିମୁଖ୍ୟ ଆଜି ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଅଧିକ ତର୍ଜମା ପାଇଁ ଏହି ବିଲ୍ ଜେପିସିକୁ ଯିବାକୁ ଥିବାରୁ ଜେପିସି (ଯୁଗ୍ମ ସଂସଦୀୟ କମିଟି) ରିପୋର୍ଟ ମିଳିବା ପରେ ହିଁ ବିଜେଡି ତାହାର ତର୍ଜମା କରିବ ଏବଂ ଦଳର ମୁଖ୍ୟ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବେ ବୋଲି ବିଜେଡି ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଆଜି ଦିଲ୍ଲୀରେ ଗଣମାଧ୍ୟମକୁ କହିଛନ୍ତି । ବିଜେଡ଼ି ସର୍ବଦା ଓଡ଼ିଶାର ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇଆସିଛି କହି ଗଲା ୨୪ ବର୍ଷ ଧରି ରାଜ୍ୟରେ ଶାସନ କରୁଥିଲା । କ୍ଷମତାରୁ ଯାଇ ବିରୋଧୀ ଭୂମିକାରେ ଥାଇ ସେହି ଏକା କଥା କହୁଛି । ବିଜେଡ଼ି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ଏହି କଥାକୁ ଦୋହରାଇଛନ୍ତି । ତେଣୁ, ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ କଣ ହେବ ଏଥିରୁ ଅନୁମାନ କରିବା କଷ୍ଟକର ନୁହେଁ ବୋଲି ରାଜନୈତିକ ବିଶ୍ଲେଷକମାନେ କହୁଛନ୍ତି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS