ପୁନଶ୍ଚ ବିଜେପିର ନିକଟତର ହେଉଛି କି ନବୀନଙ୍କ ବିଜେଡି ?


ପ୍ରସାଦ ରାଓ
ଡିସେମ୍ବର ୧୪
ଓଡ଼ିଶାରେ ସାତ ମାସ ହେଲା ଶାସନ ବଦଳିଛି । ୨୦ ବର୍ଷର ବିଜେଡି ସରକାରଙ୍କୁ କ୍ଷମତାଚ୍ୟୁତ କରି ବିଜେପି ପ୍ରଥମ ଥର ପାଇଁ ରାଜ୍ୟରେ ସରକାର କରିଛି । ସରକାର ବଦଳିବା ପରେ ପୂର୍ବ ସରକାରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶ୍ୱସ୍ତ ସହଯୋଗୀ ଥିବା ପୂର୍ବତନ ଆଇଏଏସ୍ ଭି.କାର୍ତ୍ତିକେୟ ପାଣ୍ଡିଆନଙ୍କୁ ନେଇ ଆଲୋଚନା, ସମାଲୋଚନାରେ ପୂର୍ଣ୍ଣଛେଦ ପଡିବ ବୋଲି ଆଶା କରାଯାଉଥିଲା । ତେବେ, ସେଭଳି କିଛି ଜଣାପଡୁନାହିଁ । ପ୍ରଥମେ ପ୍ରଥମେ ମୁଖ୍ୟନ୍ତ୍ରୀ ମୋହନ ମାଝୀଙ୍କ ସରକାର ପ୍ରତି କଥାରେ ପାଣ୍ଡିଆନଙ୍କୁ ଟାର୍ଗେଟ କରିବା ସହ ପୂର୍ବ ସରକାରରେ ହୋଇଥିବା ବିଭିନ୍ନ ଦୁର୍ନୀତିର ତଦନ୍ତ କରାଯିବ ବୋଲି ବଡ ଜୋରରେ କହୁଥିଲେ । କଥା କଥାରେ ପାଣ୍ଡିଆନଙ୍କୁ ସମାଲୋଚନା କରୁଥିଲେ । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ତାଙ୍କ ବାନ୍ଧବୀ ଶଶିକଳା ଗୃହବନ୍ଦୀ କରି ଯେଭଳି କ୍ଷମତା ହଡପ କରିଥିଲେ ଓଡ଼ିଶାରେ ଠିକ୍ ସେହିଭଳି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ନବୀନ ନିବାସ’ରେ ଅଟକ ରଖି ପାଣ୍ଡିଆନ ଓ ତାଙ୍କ ସହଯୋଗୀମାନେ କ୍ଷମତା ହଡପ କରିବାକୁ ଚକ୍ରାନ୍ତ କରିଥିଲେ ବୋଲି ବିଜେପିର ତୁଂଗ ନେତାମାନେ ଅଭିଯୋଗ କରୁଥିଲେ । ତେବେ, ଧୀରେ ଧୀରେ ଶାସକ ଦଳ ନେତାଙ୍କ ଆଡୁ ପାଣ୍ଡିଆନଙ୍କ ପ୍ରତି ହେଉଥିବା ପ୍ରତ୍ୟକ୍ଷ ଆକ୍ରମଣ କମିଛି । ଟେଂପୋ ବଜାୟ ରଖିବାକୁ ରାଜ୍ୟର ମନ୍ତ୍ରୀ, ବିଧାୟକମାନେ ପୂର୍ବ ସରକାରଙ୍କ ବିଭିନ୍ନ ସ୍କିମ୍ କୁ ସମାଲୋଚନା କରିବା ସହ ହୋଇଥିବା ଦୁର୍ନୀତିର ତଦନ୍ତ କରାଯିବ ବୋଲି ଚେତାବନୀ ଦେଉଥିଲେ ମଧ୍ୟ ଆଜି ସୁଦ୍ଧା କୌଣସି ଯୋଜନା ବା ଦୁର୍ନୀତିକୁ ନେଇ ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ ତଦନ୍ତ ନିର୍ଦେଶ ଦିଆଯାଇ ନାହିଁ । ଅନ୍ୟପକ୍ଷରେ, ଇତିମଧ୍ୟରେ ଏଭଳି କିଛି ଘଟଣା ଘଟିଛି ଯାହାକୁ ନେଇ କି ବିଜେପି ସହ ପାଣ୍ଡିଆନଙ୍କ ଭିତିରି ସଂପର୍କ ଥିବା ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ବିଶେଷକରି, ପାଣ୍ଡିଆନଙ୍କ ମାଧ୍ୟମରେ ବିଜେଡିରେ ପ୍ରବେଶ କରି ତୁରନ୍ତ ରାଜ୍ୟସଭାକୁ ଯାଇଥିବା ସୁଜିତ କୁମାର ଗତ ସେପ୍ଟେମ୍ବର ୦୬ ତାରିଖରେ ଉଭୟ ବିଜେଡିର ପ୍ରାଥମିକ ସଦସ୍ୟତା ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେବା ସନ୍ଦେହର ବାତାବରଣ ସୃଷ୍ଟି କରିଥିଲା । ପ୍ରଥମେ ମମତା ମହାନ୍ତ ବିଜେଡିରୁ ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେବା ପରେ ସେହି ଆସନରେ ହୋଇଥିବା ଉପ ନିର୍ବାଚନରେ ପୁନର୍ବାର ବିଜେପିରୁ ରାଜ୍ୟସଭାକୁ ଯାଇଛନ୍ତି । ଏହା ପରେ ପରେ ବିଜେଡିର ଦ୍ୱିତୀୟ ରାଜ୍ୟସଭା ସାଂସଦମାନେ ସୁଜିତ କୁମାର ସେପ୍ଟେମ୍ବର ମାସରେ ବିଜେଡି ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି ଏବଂ େସେହି ଖାଲି ଥିବା ଆସନ ପାଇଁ ଆସନ୍ତା ୨୦ ତାରିଖରେ ହେବାକୁ ଥିବା ଉପ ନିର୍ବାଚନରେ ବିଜେପି ତାଙ୍କୁ ପୁନଃ ରାଜ୍ୟସଭାକୁ ପଠାଉଛି । ରାଜ୍ୟସଭାରେ ବିଜେଡି ସାଂସଦଙ୍କ ସଂଖ୍ୟା ୦୯ରୁ ୦୭କୁ ଖସିଥିବା ବେଳେ ପାଣ୍ଡିଆନଙ୍କ ବିଶ୍ୱସ୍ତ ତାଲିକାରେ ଥିବା ଆଉ କିଛି ରାଜ୍ୟସଭା ସାଂସଦ ବିଜେଡି ଛାଡି ବିଜେପିକୁ ଯାଉଥିବା ନେଇ ସାମାଜିକ ଗଣମାଧ୍ୟମରେ ଜୋରଦାର ଆଲୋଚନା ଆରମ୍ଭ ହୋଇଯାଇଛି । ଜାତୀୟ ରାଜନୀତିରେ ବିଜେପି ବିଜେଡିର ଅସ୍ତିତ୍ୱକୁ ବିଲୋପ କରି ରାଜ୍ୟସଭାରେ ନିଜର ଶକ୍ତି ବଢାଉ ଥିବା ବେଳେ ବିଜେଡି ମୁଖ୍ୟ ତଥା ରାଜ୍ୟ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସଂପୂର୍ଣ୍ଣ ପ୍ରତିକ୍ରିୟା ଶୂନ୍ୟ ରହିବା ଏବଂ ପାଣ୍ଡିଆନଙ୍କ ପ୍ରତି ତାଙ୍କ ବିଶ୍ୱାସ ଅତୁଟ ରହିବା ପଛରେ କି ରହସ୍ୟ ରହିଛି, ତାହା କାହାରି ଗୋଚରରେ ନାହିଁ । ବିଜେଡି ନେତାମାନେ ଭିତରେ ଭିତରେ କୁହୁଳୁ ଥିଲେ ମଧ୍ୟ ବାହାରକୁ ଶାନ୍ତ ଦିଶୁଛନ୍ତି । ଜଣେ ଅଧେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହୁଛନ୍ତି – ‘ପାଣ୍ଡିଆନ ଦଳରେ ଥିବା ଯାଏଁ ବିଜେଡି ଉଧେଇବ ନାହିଁ ।’ ବାରମ୍ବାର ପାଣ୍ଡିଆନଙ୍କ ବିଶ୍ୱସନୀୟତାକୁ ନେଇ ସାର୍ଟିଫିକେଟ ଦେଇ ଆସୁଥିବା ବିଜେଡି ମୁଖ୍ୟଙ୍କ କାନରେ ଏହା ପଡୁଛି କି ନାହିଁ ଜଣାନାହିଁ । ତେବେ, ରାଜ୍ୟ ବିଜେପି ନେତାଙ୍କ ଦାବି ହେଉଛି, ବହୁ ବିଜେଡି ନେତା ବିଜେପିରେ ଯୋଗ ଦେବାକୁ ଆଗ୍ରହୀ, ହୁଇସିଲ ମାରିଲେ ବିଜେଡି ନେତା-ଶୂନ୍ୟ ହୋଇଯିବ । ବିଜେପିର ଏଭଳି ଆସ୍ଫାଳନକୁ ନେଇ ଦଳର ମୁଖିଆ ମୁହଁ ଖୋଲୁ ନଥିବା ବେଳେ ତଳିଆ ନେତାମାନେ ଯାହା ଗଣମାଧ୍ୟମକୁ ଆସୁ ପ୍ରତିକ୍ରିୟା ରଖୁଛନ୍ତି । ‘ଯେଉଁମାନେ କ୍ଷମତା ଲୋଭି ସେମାନେ ଯାଆନ୍ତୁ, ବିଜେଡି ପାଇଁ କିଛି ଫରକ ପଡିବ ନାହିଁ’- ଏହା ହେଉଛି ସେମାନଙ୍କ ପ୍ରତିକ୍ରିୟା । ତେବେ, ଓଡ଼ିଶାରେ ଆଜି ମଧ୍ୟ ନବୀନ ପଟ୍ଟନାୟକଙ୍କ ଯେଉଁ ପ୍ରଶଂସକ ରହିଛନ୍ତି ଓ ଆଜି ଯଦି ନିର୍ବାଚନ ହେବ ନବୀନ କ୍ଷମତାକୁ ଲେଉଟିବେ ବୋଲି ବିଶ୍ୱାସ କରୁଛନ୍ତି ସେମାନେ ବୁଝିପାରୁ ନାହାନ୍ତି ନବୀନ ଆଜି ମଧ୍ୟ ‘ଟିମ୍ ପାଣ୍ଡିଆନ’କୁ ଏବେ ବିଶ୍ୱାସ କରୁଛନ୍ତି କେମିତି ? ବିଜେଡି କ୍ଷମତାରୁ ଯିବା ପରେ କ୍ଷମତା କରିଡରର ବିଶ୍ୱସ୍ତ ନେତାମାନେ ଦଳ ଛାଡୁଥିବା ବା ଦଳ ଛାଡିବା ଉପକ୍ରମରେ ଥିବା ବେଳେ ଏବେ ପୂର୍ବ ସରକାରରେ କ୍ଷମତା କେନ୍ଦ୍ରରେ ରହିଥିବା ଦୁଇ ବିଶ୍ୱସ୍ତ ଆଇପିଏସ୍ ଅଧିକାରୀ ଡି.ଏସ.କୁଟ୍ଟେ ଓ ଆଶିଷ ସିଂହଙ୍କୁ ବିଜେପି ସରକାର କେନ୍ଦ୍ରୀୟ ଡେପୁଟେସନରେ ନେଇ ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଥଇଥାନ କରିବା ବିଜେପି-ବିଜେଡି ସଂପର୍କକୁ ନେଇ ପୁନର୍ବାର ଚର୍ଚ୍ଚାର ସୂତ୍ରପାତ କରିଛି । ଏହି ଦୁଇ ଆଇପିଏସ ଅଧିକାରୀ ନବୀନ ସରକାରର ଦ୍ୱିତୀୟ କ୍ଷେମତା କେନ୍ଦ୍ର (ପାଣ୍ଡିଆନଙ୍କ)ର ଅତ୍ୟନ୍ତ ବିଶ୍ୱସ୍ତ ଥିଲେ ଏବଂ ରାଜ୍ୟରେ ଦଳ ଓ ଶାସନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଥିଲେ । ସେମାନେ ପ୍ରତ୍ୟକ୍ଷ ଭାବେ ବିଜେଡି ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗ ପାଇବା ପରେ ନିର୍ବାଚନ କମିଶନ ସେମାନଙ୍କୁ କ୍ଷମତା-ଶୂନ୍ୟ କରି ବସାଇ ଦେଇଥିଲେ । ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଦୁଇ ଆଇପିଏସଙ୍କୁ ଗୃହ ବିଭାଗ ଓଏସଡି ଭାବେ ସଚିବାଳୟରେ ବସାଇ ଦେଇଥିଲେ । ସେମାନଙ୍କ ବିରୋଧରେ ରାଜ୍ୟ ସରକାରଙ୍କ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କଣ ହେଉଛି ଦେଖିବା ପାଇଁ ସମସ୍ତେ ଅପେକ୍ଷାରେ ଥିବା ବେଳେ କେନ୍ଦ୍ର ସରକାର ସେମାନଙ୍କୁ ଡେପୁଟେସନରେ ନେଇ ଗୃହ ମନ୍ତ୍ରଣାଳୟ ଅଧିନରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଆଇଜି ଭାବେ ନିଯୁକ୍ତି ଦେଇଥିବା ଓଡ଼ିଶାବାସୀଙ୍କ ବିସ୍ମିତ କରିଛି । ଏହା ପଛରେ ଯେ ‘ଟିମ୍ ପାଣ୍ଡିଆନ’ର ହାତ ରହିଛି, ତାହା ନିଃସନ୍ଦେହରେ କୁହାଯାଇପାରେ । ବିଜେଡି ନେତୃତ୍ୱ ଦଳରୁ ଅଧିକ ନେତାଙ୍କ ପଳାୟନକୁ ରୋକିବା ପାଇଁ ବିଜେପି ସହ କିଛି ଭିତିରି ସନ୍ଧି କରିଛନ୍ତି ନା ବିଜେପି ମୁହାଁ ହୋଇଥିବା କେହି ରାଜ୍ୟସଭା ସାଂସଦ ଦଳତ୍ୟାଗ ପାଇଁ ଏଭଳି କିଛି ସର୍ତ୍ତ ରଖିବାରୁ ବିଜେପି ନେତୃତ୍ୱ ତାହାକୁ ମାନି ନେଇ ଏହି ଦୁଇ ଆଇପିଏସ୍ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ନେଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥଇଥାନ କରିଛନ୍ତି (?) – ତାହା ଏବେ ରାଜ୍ୟ ରାଜନୀତିରେ ବଡ ପ୍ରଶ୍ନ ହୋଇଛି । ପାଣ୍ଡିଆନ ଓ ତାଙ୍କ କୋଟେରୀ ବିରୋଧରେ ଗଲା କିଛି ମାସ ହେଲା ବିଷୋଦଗାର କରି ଆସୁଥିବା ରାଜ୍ୟ ବିଜେପି ନେତାମାନେ ମଧ୍ୟ ଦଳର କେନ୍ଦ୍ରୀୟ ନେତୃତ୍ୱର ଏଭଳି ଏକ ନିର୍ଣ୍ଣୟକୁ ନେଇ ବିସ୍ମିତ ଥିବା କୁହାଯାଉଛି । ତେବେ, ମୁଖ୍ୟମନ୍ତ୍ରୀଙ୍କ ସହମତି ବିନା କଣ କେନ୍ଦ୍ର ସରକାର କଣ ଏହି ପଦକ୍ଷେପ ନେଇଛନ୍ତି ? ୨୦୨୪ ନିର୍ବାଚନରେ ରାଜ୍ୟରେ ବିଜେଡି କ୍ଷମତାଚ୍ୟୁତ ହୋଇ ବିଜେପି ସରକାର ପ୍ରତିଷ୍ଠା ହେବା ପରେ କେନ୍ଦ୍ରୀୟ ରାଜନୀତିରେ ବିଜେଡିର ଭୂମିକା କଣ ହେବ (?) – ତାହା ଉପରେ ରାଜ୍ୟବାସୀଙ୍କ ନଜର ଥିଲା । ଲୋକସଭାରେ ବିଜେଡି ସାଂସଦ-ଶୂନ୍ୟ ହୋଇପଡିଥିବା ବେଳେ ବିଜେଡି ମୁଖ୍ୟ ରାଜ୍ୟସଭାରେ ଥିବା ୦୯ ସାଂସଦଙ୍କୁ ନେଇ ରଣନୀତି ପ୍ରସ୍ତୁତ କରିଥିଲେ । ସଂସଦରେ ବିଜେଡି ସାଂସଦମାନେ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରିବେ ଓ କେନ୍ଦ୍ର ସରକାରଙ୍କୁ ଘେରିବେ ବୋଲି ବିଜେଡିର ରଣନୀତି ଥିଲା । ଗୋଟିଏ ଦୁଇଟି ପ୍ରସଙ୍ଗରେ ବିଜେଡି ସାଂସଦମାନେ ରାଜ୍ୟସଭାରେ ବିରୋଧୀ ସାଂସଦଙ୍କ ସହ କକ୍ଷତ୍ୟାଗ କରି ବିରୋଧୀ ମେଂଟ ସହ ଥିବା ଆଭାସ ଦେଇଥିଲେ । ତେବେ, ବିଜେଡିରୁ ଓ ରାଜ୍ୟସଭା ସାଂସଦ ପଦରୁ ମମତା ମହାନ୍ତଙ୍କ ଇସ୍ତଫା ଓ ବିଜେପିରେ ଯୋଗଦାନ ପରେ ଅବଶିଷ୍ଟ କାର୍ଯ୍ୟକାଳ ପାଇଁ ବିଜେପି ଟିକଟରେ ପୁନଃ ନିର୍ବାଚିତ ହେବା ଏବଂ କିଛି ସମୟ ବ୍ୟବଧାନରେ ରାଜ୍ୟସଭା ସାଂସଦ ସୁଜିତ କୁମାର ବିଜେଡି ନେତୃତ୍ୱ ବିରୋଧରେ ବିଷୋଦଗାର କରି ଦଳ ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ସହ ବିଜେପିରେ ସାମିଲ ହୋଇ ଅବଶିଷ୍ଟ କାର୍ଯ୍ୟକାଳ ଶେଷ କରିବାକୁ ପୁନର୍ବାର ବିଜେପିରୁ ରାଜ୍ୟସଭାକୁ ପ୍ରାର୍ଥୀ ହୋଇଥିବା ଜାତୀୟ ରାଜନୀତିରେ ବିଜେଡିର ସ୍ଥିତିକୁ ବିପନ୍ନ କରିଛି । ବିଜେପିର ରଣନୀତି ବିଜେଡିର ଅନ୍ୟ ରାଜ୍ୟସଭା ସାଂସଦଙ୍କୁ ପ୍ରଲୋଭିତ କରିବାକୁ ଯଥେଷ୍ଟ ଥିବା ବେଳେ ବିଜେଡି ନିଜ ସ୍ଥିତାବସ୍ଥାକୁ ନେଇ ସନ୍ଦେହରେ ପଡି ଯାଇଛି । ତେଣୁ, ଦଳ ତାହାର ରଣନୀତି ବଦଳାଉ ଥିବା ମନେ ହେଉଛି । ଦେଶରେ ସମ୍ବିଧାନକୁ ସୁରକ୍ଷିତ ରଖିବା ଭଳି ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରସଙ୍ଗରେ ବିରୋଧୀ ‘ଇଣ୍ଡି’ ମେଂଟ ବିଜେଡିକୁ ସାମିଲ କରିବାକୁ ଚାହିଁଛି ଏବଂ ଏନେଇ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କ ସହ ସେମାନେ ଆଲୋଚନା କରିବେ ବୋଲି ‘ଇଣ୍ଡି’ ମେଂଟର କିଛି ନେତା ନିକଟରେ ଜାତୀୟ ଗଣମଧ୍ୟମରେ ବୟାନ ଦେଇଥିବା ବେଳେ ନବୀନ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ନୀତିକୁ ଦୋହରାଇ ‘ଇଣ୍ଡି’ ମେଂଟକୁ ଜବାବ ଦେଇଛନ୍ତି । ଅତୀତରେ, ଗଲା ୨୪ ବର୍ଷ ଧରି ନବୀନ ଏହି ସମଦୂରତା କଥା କହୁଥିଲେ ମଧ୍ୟ ବାସ୍ତବ ରାଜନୀତିରେ ବିଜେପିର ନିକଟତର ଥିଲେ । ଏବେ, ପୁଣି ଥରେ ବିଜେଡିର ଅସ୍ତିତ୍ୱକୁ ବଂଚାଇ ରଖିବାକୁ ସେ ବିଜେପି ମୁହାଁ ହେଉ ନାହାନ୍ତି ତ ? ଏହା ଆଜି ଦିନରେ ଲକ୍ଷେ ଡଲାରର ପ୍ରଶ୍ନ ହୋଇଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS