ତେଲୁଗୁ ସୁପରଷ୍ଟାର ଆଲ୍ଲୁ ଅର୍ଜୁନ ଗିରଫ, ହାଇକୋର୍ଟରୁ ମିଳିଲା ଅନ୍ତରୀଣ ଜାମିନ


ପ୍ରସାଦ ରାଓ
ଡିସେମ୍ବର ୧୩
ଡିସେମ୍ବର ୦୪ ତାରିଖ ଦିନ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ସୁପରଷ୍ଟାର ଆଲ୍ଲୁ ଅର୍ଜୁନଙ୍କ ନୂଆ ଫିଲ୍ମ ତଥା ‘ପୁଷ୍ପା-୧’ର ସିକ୍ୱେଲ ‘ପୁଷ୍ପା-୨: ଦି ରୁଲ୍’ର ସ୍କ୍ରିନିଂ ସମୟରେ ନାୟକ ଆଲ୍ଲୁ ଅର୍ଜୁନ ଓ ନାୟିକା ରଶ୍ମୀକା ମନ୍ଧାନାଙ୍କୁ ପାଖରୁ ଟିକିଏ ଦେଖିବା ପାଇଁ ହୋଇଥିବା ପ୍ରବଳ ଭିଡ଼ ଓ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ମହିଳା ଜଣକ ଅଣନିଶ୍ୱାସୀ ହୋଇ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ୦୯ ବର୍ଷର ପୁଅ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି । ଏହି ଆକସ୍ମିକ ଘଟଣା ସମସ୍ତଙ୍କୁ ହତଚକିତ କରିଥିବା ବେଳେ ହାଇଦ୍ରାବାଦ ପୁଲିସ ‘ପୁଷ୍ପା-୨’ର ନାୟକ ତଥା ସୁପରଷ୍ଟାର ଆଲ୍ଲୁ ଅର୍ଜୁନ, ତାଙ୍କ ସପୋର୍ଟ ଷ୍ଟାଫ, ସନ୍ଧ୍ୟା ଥିଏଟର ପରିଚାଳକଙ୍କ ବିରୋଧରେ ମାମଲା ରୁଜୁ କରି ଆଜି ସକାଳେ ଆଲ୍ଲୁ ଅର୍ଜୁନଙ୍କୁ ତାଙ୍କ ଜୁବଲି ହିଲ୍ସସ୍ଥିତ ବାସଭବନରୁ ଗିରଫ କରିଛି । ଚିକ୍କଡପାଲ୍ଲୀ ଥାନା ପୁଲିସ ତାଙ୍କୁ ଗିରଫ କରି ନାମପଲ୍ଲୀ କୋର୍ଟକୁ ଚାଲାଣ କରିଥିଲେ । ସୋମବାର ପର୍ଯ୍ୟନ୍ତ ଗିରଫକୁ ଟାଳିବାକୁ ଆଲ୍ଲୁ ଅର୍ଜୁନ ପୁଲିସକୁ ନିବେଦନ କରିଥିଲେ ମଧ୍ୟ ପୁଲିସ ତାଙ୍କୁ କୋର୍ଟ ଚାଲାଣ କରିବା ପରେ ନାମପଲ୍ଲୀ କୋର୍ଟ ଅପରାହ୍ନ ୦୪ଟାରେ ମାମଲାର ଶୁଣାଣୀ କରି ଆଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଇ ଦେଇଥିଲେ । ତେବେ, ଆଲ୍ଲୁ ଅର୍ଜୁନଙ୍କ ପକ୍ଷରୁ ମାମଲା ଖାରଜ ପାଇଁ ତେଲେଂଗାନା ହାଇକୋର୍ଟରେ ଗତ ୧୧ ତାରିଖ ଦାଏର ହୋଇଥିବା ପିଟିସନ ଉପରେ ଆଜି ଶୁଣାଣୀ ହୋଇ ୫୦ ହଜାର ଟଙ୍କା ବ୍ୟକ୍ତିଗତ ବଂଡରେ ଜାନୁଆରୀ ୨୧ ତାରିଖ ଯାଏଁ ତାଙ୍କୁ ଅନ୍ତରୀଣ ଜାମିନ ଦିଆଯାଇଛି । ତଥାପି, ହାଇକୋର୍ଟଙ୍କ ଜାମିନ ଆଦେଶ ଜେଲରେ ରାତିରେ ପହଂଚି ଥିବା ଦର୍ଶାଇ ଚଂଚଳଗୁଡା କେନ୍ଦ୍ରୀୟ ଜେଲ କର୍ତ୍ତୃପକ୍ଷ ଆଲ୍ଲୁଙ୍କୁ ମୁକ୍ତ ନ କରିବାରୁ ଆଲ୍ଲୁ ରାତିଟା ଜେଲରେ କଟାଇଛନ୍ତି । ଶୁକ୍ରବାର ସକାଳେ ଆଲ୍ଲୁ ଅର୍ଜୁନଙ୍କୁ ତାଙ୍କ ଘରୁ ଗିରଫ କରାଯିବା ସମୟରେ ପିତା ତଥା ଜଣାଶୁଣା ଫିଲ୍ମ ନିର୍ମାତା ଆଲ୍ଲୁ ଅରବିନ୍ଦ ଏବଂ ପରିବାର ସଦସ୍ୟମାନେ ଘରେ ଉପସ୍ଥିତ ଥିଲେ । ପୁଲିସ ତାଙ୍କ ଶୟନ କକ୍ଷରେ ପ୍ରବେଶ କରି ତାଙ୍କୁ ଗିରଫ କରିଥିଲେ ବୋଲି ଆଲ୍ଲୁ ଅର୍ଜୁନ ଅଭିଯୋଗ କରିଛନ୍ତି । ଦଳାଚକଟାରେ ମୃତ୍ୟୁବରଣ କରିଥିବା ମହିଳାଙ୍କ ସ୍ୱାମୀଙ୍କ ଏତଲା ଆଧାରରେ ହାଇଦ୍ରାବାଦ ପୁଲିସ ମାମଲା ରୁଜୁ କରି ଆଲ୍ଲୁଙ୍କୁ ଗିରଫ କରିଥିବା ଜଣାପଡିଛି । ଗତ ୦୪ ତାରିଖ ଦିନ ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା-୨: ଦି ରୁଲ୍’ର ସ୍କ୍ରିନି ଥିବାରୁ ସେଦିନ ରାତି ସାଢେ ୯ଟାରେ ଆଲ୍ଲୁ ଓ ରଶ୍ମୀକା ସନ୍ଧ୍ୟା ଥିଏଟରକୁ ଯିବା ଯୋଜନା ରହିଥିବା ସଂପର୍କରେ ଅଭିନେତା ଓ ସନ୍ଧ୍ୟା ଥିଏଟର ମ୍ୟାନେଜମେଂଟ ପକ୍ଷରୁ ପୁଲିସକୁ ଆଗୁଆ ସୂଚନା ଦିଆଯାଇନଥିଲା । ଯାହାକି ଚରମ ଅବହେଳା । ଫଳରେ, ଏଭଳି ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇ ତାଙ୍କ ପତ୍ନୀଙ୍କ ଜୀବନ ଯାଇଛି ବୋଲି ଅଭିଯୋଗକାରୀ ତାଙ୍କ ଏତଲାରେ ଅଭିଯୋଗ କରିଥିବା ବେଳେ ଆଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯିବାର ଗୋଟିଏ ଘଂଟା ପରେ ତାଙ୍କ କାର୍ଯ୍ୟାଳୟ ଓ ସନ୍ଧ୍ୟା ଥିଏଟର ପକ୍ଷରୁ ପୁଲିସକୁ ଦିଆଯାଇଥିବା ପୂର୍ବ ସୂଚନା ସଂପର୍କିତ ଚିଠିର ନକଲ ଗଣମାଧ୍ୟମକୁ ହସ୍ତାନ୍ତର କରାଯାଇଛି । ଡିସେମ୍ବର ୦୪ ତାରିଖ ରାତି ସାଢେ ୯ଟା ସମୟରେ ଆଲ୍ଲୁ ଅର୍ଜୁନ ଓ ନାୟିକା ରଶ୍ମୀକା ମନ୍ଧାନା ସନ୍ଧ୍ୟା ଥିଏଟରକୁ ଯିବା କାର୍ଯ୍ୟକ୍ରମ ଥିବା ସେହି ଚିଠିରେ ପୁଲିସକୁ ଆଗୁଆ ସୂଚିତ କରାଯାଇଛି । ଆଲ୍ଲୁ ଅର୍ଜୁନ ତାଙ୍କ ବିରୋଧରେ ପୁଲିସ ରୁଜୁ କରିଥିବା ମାମଲା ଖାରଜ କରାଯିବାକୁ ୧୧ ତାରିଖ ଦିନ ତେଲେଂଗାନା ହାଇକୋର୍ଟରେ ଆବେଦନ କରିଥିଲେ । ଆଲ୍ଲୁ ଅର୍ଜୁନ ଡିସେମ୍ବର ୦୪ ତାରିଖ ରାତିରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଆୟାଜନ ହୋଇଥିବା ‘ପୁଷ୍ପା-୨: ଦି ରୁଲ୍’ର ସ୍ପେଶାଲ ସୋ’ରେ ଯୋଗଦେବାକୁ ପୁଲିସଠାରୁ ଆଗୁଆ ଅନୁମତି ଲୋଡିଥିଲେ କି ନାହିଁ (?) ଏବଂ ଥିଏଟର ବାହାରେ ପ୍ରଶଂସକଙ୍କୁ ଭେଟିବାକୁ ତାଙ୍କୁ ଅନୁମତି ମିଳିଥିଲା କି ନାହିଁ (?) – ଏହି ଦୁଇଟି ପ୍ରଶ୍ନକୁ ନେଇ ଏବେ ପୁଲିସ ତଦନ୍ତ କରୁଛି । ତେବେ, ହାଇଦ୍ରାବାଦ ପୁଲିସ କମିଶନର ସି.ଭି.ଆନନ୍ଦ କହିଛନ୍ତି, ଅଭିନେତା ଆଲ୍ଲୁ ଅର୍ଜୁନ ଓ ଅଭିନେତ୍ରୀ ରଶ୍ମୀକା ମନ୍ଧାନା ସେଦିନ ସନ୍ଧ୍ୟା ଥିଏଟରକୁ ଯାଉଥିବା ନେଇ ଅଭିନେତା ବା ଥିଏଟର ପରିଚାଳକଙ୍କ ଆଡୁ ପୁଲିସକୁ କୌଣସି ଆଗୁଆ ସୂଚନା ଦିଆଯାଇନଥିଲା । ଆଗୁଆ ସୂଚନା ମିଳିଥିଲେ ପୁଲିସ ସେମାନଙ୍କ ପାଇଁ ଅଲଗା ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା କରିଥା’ନ୍ତେ । ଆଲ୍ଲୁ ଅର୍ଜୁନ ସେଦିନ ରାତି ସାଢେ ୯ଟା ସମୟରେ ଥିଏଟରରେ ପହଂଚି ଥିଲେ । ଏହା ପ୍ରଘଟ ହୋଇଯିବା ପରେ ସେଠାରେ ପ୍ରଶଂସକଙ୍କ ଅସମ୍ଭବ ଗହଳି ଜମି ଥିଲା । ତାଙ୍କୁ ପାଖରୁ ଟିକିଏ ଦେଖିବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଆଲ୍ଲୁ ଅର୍ଜୁନ ୧୫ରୁ ୨୦ ମିନିଟ ପ୍ରଶଂସକଙ୍କ ଗହଳି ଭିତରେ ରହିଥିଲେ ଏବଂ ତାଙ୍କ ସୁରକ୍ଷା କର୍ମୀମାନେ ଭିଡକୁ ଦୂରେଇ ରଖିବାକୁ ଗହଳିକୁ ପଛକୁ ଠେଲିବାକୁ ଉଦ୍ୟମ କରିଥିଲେ । ଫଳରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଦଳାଚକଟାରେ ମୃତ୍ୟୁବରଣ କରିଥିବା ମହିଳାଙ୍କ ନାମ ରେବତୀ ବୋଲି ଜଣାପଡିଛି । ଆଲ୍ଲୁଙ୍କୁ ଗିରଫ କରଯିବା ଘଟଣାରେ ଭାଷା ନିର୍ବିଶେଷରେ ଫିଲ୍ମ ଇଣ୍ଡଷ୍ଟ୍ରୀ ଏବଂ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରି୍ରୟା ପ୍ରକାଶ ପାଇଛି । ବିଆରଏସ ନେତା କେ.ଟି.ରାମାରାଓ ଆଲ୍ଲୁ ଅର୍ଜୁନଙ୍କ ଗିରଫକୁ ନିନ୍ଦା କରିଥିବା ବେଳେ ଦଳାଚକଟାରେ ମୃତ୍ୟୁ ପାଇଁ ଜଣେ ବ୍ୟକ୍ତିଙ୍କୁ ଦାୟି କରାଯିବା ଉଚିତ ନୁହେଁ ବୋଲି ବହୁ ହିନ୍ଦି ଫିଲ୍ମ ତାରକା ମତ ଦେଇଛନ୍ତି । ‘ପୁଷ୍ପା-୨: ଦି ରୁଲ୍’ ଦେଶବ୍ୟାପୀ ରିଲିଜ ହେବା ପରେ ଆଶାତୀତ ବ୍ୟବସାୟ କରୁଛି । ଫିଲ୍ମଟି ଦେଖିବାକୁ ଦେଶବ୍ୟାପୀ ଥିଏଟରଗୁଡିକରେ ପ୍ରବଳ ଗହଳି ହେଉଛି । ଡିସେମ୍ବର ୦୪ ତାରିଖ ଘଟଣାରେ ଅଭିନେତା ଆଲ୍ଲୁ ଅର୍ଜୁନଙ୍କୁ ଶୁକ୍ରବାର ଗିରଫ କରାଯିବା ଯଥାର୍ଥ ବୋଲି ତେଲେଂଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡୀ ଦାବି କରିଥିବା ବେଳେ ତେଲେଂଗାନା କଂଗ୍ରେସ ସରକାର ଜଣେ ସୁପରଷ୍ଟାରଙ୍କୁ ଗିରଫ କରିବା ମାଧ୍ୟମରେ ନିଜର ପ୍ରଚାର କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ଆଲ୍ଲୁଙ୍କୁ ଏହି ମାମଲାରେ ଗିରଫ କରାଯିବାର କିଛି ଯଥାର୍ଥତା ନାହିଁ, ହାଇଦ୍ରାବାଦ ପୁଲିସ ନିଜର ବିଫଳତାକୁ ଘୋଡାଇବା ପାଇଁ ଏଭଳି ପଦକ୍ଷେପ ନେଇଛି ବୋଲି ସେମାନେ କହିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS