ଦିଲ୍ଲୀ ନିର୍ବାଚନ ପୂର୍ବରୁ କେଜରୀୱାଲ ମଧ୍ୟ ଖେଳିଲେ ‘ମହିଳା କାର୍ଡ’ !


ପ୍ରସାଦ ରାଓ
ଡିସେମ୍ବର ୧୨
ବିଭିନ୍ନ ରାଜ୍ୟରେ ନିର୍ବାଚନ ଆସିଲେ ମହିଳାଙ୍କ ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ଆର୍ଥିକ ପ୍ରୋତ୍ସାହନ ଘୋଷଣା କରାଯାଉଛି । କ୍ଷମତାକୁ ଆସିଲେ ସେମାନଙ୍କ ନିଦ୍ଧିଷ୍ଟ ପରିମାଣର ଟଙ୍କା ସଂପୃକ୍ତ ରାଜ୍ୟର ମହିଳାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଇବେ ବୋଲି ଉଭୟ ଶାସକ ଓ ବିରୋଧୀ ଦଳମାନେ ଘୋଷଣା କରୁଛନ୍ତି । ସେହି ଟଙ୍କା ପ୍ରତି ମାସରେ ବା ବର୍ଷିକୁ ଏକାଧିକ କିସ୍ତିରେ ଦିଆଯିବ ବୋଲି ହେଉଥିବା ଘୋଷଣା ଅଧିକରୁ ଅଧିକ ମହିଳାଙ୍କୁ ମତଦାନକୁ କେନ୍ଦ୍ରକୁ ଆସି ଭୋଟ ଦେବାକୁ ପ୍ରୋତ୍ସାହିତ କରୁଛି । ନିର୍ବାଚନ ଫଳାଫଳକୁ ମଧ୍ୟ ତାହା ପ୍ରଭାବିତ କରୁଥିବା ଦେଖିବାକୁ ମିଳିଛି । ତେଣୁ, ନିର୍ବାଚନ ସମୟରେ ଉଭୟ ଶାସକ ଓ ବିରୋଧୀ ଦଳମାନେ ଏହି ଫର୍ମୂଲାକୁ ଆପଣେଇ ସାରିଲେଣି । ନିର୍ବାଚନ ପରେ କ୍ଷମତାକୁ ଆସିଥିବା ଦଳର ସରକାର ମହିଳାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ଟ୍ରାନ୍ସଫର କରି ଅନ୍ୟ ରାଜ୍ୟ ପାଇଁ ଦୃଷ୍ଟାନ୍ତ ହୋଇଥିବା ବେଳେ ନିର୍ବାଚନ ହେବାକୁ ଥିବା ରାଜ୍ୟରେ ମଧ୍ୟ ସମାନ ପ୍ରତିଶ୍ରୁତି ଦିଆଯାଇ ମହିଳା ମତଦାତାଙ୍କୁ ପ୍ରଲୋଭିତ କରିବା ପ୍ରୟାସ ଆରମ୍ଭ ହୋଇଯାଇଛି । ଓଡ଼ିଶାରେ ବିଜେପି ‘ସୁଭଦ୍ରା’ ଯୋଜନା ଘୋଷଣା କରି ପ୍ରଥମ ଥର ପାଇଁ କ୍ଷମତାକୁ ଆସିଛି । କ୍ଷମତାକୁ ଆସିଲେ ଦଳ ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ପ୍ରୋତ୍ସାହନ ଦେବ ବୋଲି ଘୋଷଣା କରିଥିଲା । ଅବଶ୍ୟ, ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବା ପରେ ବର୍ଷକୁ ଦୁଇଟି କିସ୍ତିରେ ଦଶ ହଜାର ଟଙ୍କା ଓ ପାଂଚ ବର୍ଷରେ ପଚାଶ ହଜାର ଟଙ୍କା ଦେବ ବୋଲି ଘୋଷଣା କରି ସେଥିପାଇଁ ମହିଳାଙ୍କ ବୟସ ସୀମା ଓ ଆର୍ଥିକ ଅସ୍ୱଚ୍ଛଳତାର ସୀମା ଧାର୍ଯ୍ୟ କରିଛି । ରାଜ୍ୟରେ ଦୁଇ କୋଟିରୁ ଅଧିକ ମହିଳା ଭୋଟର ଥିବା ବେଳେ ଏହାର ଅଧାଅଧି ମହିଳା ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଆର୍ଥିକ ପ୍ରୋତ୍ସାହନ ପାଇବେ ବୋଲି କ୍ଷମତାକୁ ଆସିବା ପରେ ରାଜ୍ୟ ବିଜେପି ସରକାର ସ୍ପଷ୍ଟ କରିଥିଲେ । ଓଡ଼ିଶାର କୋଟିଏରୁ ଅଧିକ ମହିଳା ‘ସୁଭଦ୍ରା’ ଯୋଜନାରେ ପଂଜୀକୃତ ହୋଇ ପ୍ରଥମ ଦୁଇଟି କିସ୍ତି ଆର୍ଥିକ ପ୍ରୋତ୍ସାହନ ପାଇବାକୁ ଉଦ୍ୟମ କରୁଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଯୋଜନା ପାଇଁ ଜାରି ନିର୍ଦେଶାବଳୀ ଅନେକ ମହିଳଙ୍କୁ ନିରାଶ କରିଛି । ତଥାପି, ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଗଲା ସାତ ମାସ ମଧ୍ୟରେ ‘ସୁଭଦ୍ରା’ ଯୋଜନାକୁ ‘ଫ୍ଲାଗସିପ୍’ ଯୋଜନା ଭାବେ କାର୍ଯ୍ୟକାରୀ କରି ପଂଜୀକୃତ ହୋଇଥିବା ମହିଳାଙ୍କ ବ୍ୟାଙ୍କ ଖାତାକୁ ପର୍ଯ୍ୟାୟକ୍ରମେ ପ୍ରଥମ କିସ୍ତି ଟଙ୍କା ପଠାଉଛନ୍ତି । ରାଜ୍ୟର ମହିଳା ମାନେ ମାସକୁ ୮୩୩ ଟଙ୍କା ଲେଖାଏଁ ପାଉଥିଲେ ମଧ୍ୟ ଏକାଥରେ ସେମାନଙ୍କ ବ୍ୟାଙ୍କ ଖାତାକୁ ପାଂଚ ହଜାର ଟଙ୍କା ଯାଉଥିବାରୁ ଖୁସି । ଓଡ଼ିଶା ଭଳି ଅନ୍ୟ ରାଜ୍ୟରେ ମଧ୍ୟ ଏକାଭଳି ସ୍କିମ୍ ଘୋଷଣା କରାଯାଉ କ୍ଷମତାସୀନ ଦଳ ତାହାର ଫାଇଦା ପାଇଥିବା ଦେଖିବାକୁ ମିଳୁଛି । ମହାରାଷ୍ଟ୍ରରେ ବିଜେପି-ଶିବସେନା-ଏନସିପି ମେଂଟ ସରକାର ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ‘ଲଡକି ବହୀନ’ ଯୋଜନା କାର୍ଯ୍ୟକାରୀ କରି ମହିଳାଙ୍କ ବ୍ୟାଙ୍କ ଖାତାକୁ ନିର୍ଦ୍ଧିଷ୍ଟ ପରିମାଣର ଅର୍ଥ ପଠାଇବା ଆରମ୍ଭ କରିଥିଲେ । କ୍ଷମତାକୁ ଆସିଲେ ଏହି ଟଙ୍କାର ପରିମାଣ ବଢାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ଗତ ନଭେମ୍ବର ୨୦ ତାରିଖରେ ଅନୁଷ୍ଠିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏହାର ସୁଫଳ ଦେଖିବାକୁ ମିଳିଛି । ଅଧିକରୁ ଅଧିକ ସଂଖ୍ୟାରେ ମହିଳା ୨୦୨୪ ନିର୍ବାଚନରେ ଭୋଟ ଦେଇଛନ୍ତି ଏବଂ ମହାରାଷ୍ଟ୍ରର ମହାୟୁତି ସରକାର ବିରୋଧୀଙ୍କୁ ମୂଳପୋଛ କରି କ୍ଷମତାକୁ ଫେରିଛନ୍ତି । ଝାଡଖଣ୍ଡ ନିର୍ବାଚନରେ ମଧ୍ୟ ‘ଆଦିବାସୀ କାର୍ଡ’ ସହ ‘ମହିଳା କାର୍ଡ’ କାମ କରିଛି । ରାଜ୍ୟରେ କ୍ଷମତାରେ ଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚ (ଜେଏମଏମ) ସରକାର ୨୦୧୯ରେ କ୍ଷମତାସୀନ ହେବା ପରରୁ ରାଜ୍ୟର ଆର୍ଥିକ ଅସ୍ୱଚ୍ଛଳ ମହିଳାଙ୍କ ବ୍ୟାଙ୍କ ଖାତାକୁ ନିର୍ଦ୍ଧିଷ୍ଟ ପରିମାଣର ଅର୍ଥ ମାସକୁ ମାସ ପଠାଉଥିଲେ । ୨୦୨୪ ନଭେମ୍ବରରେ ହୋଇଥିବା ନିର୍ବାଚନରେ ସରକାରଙ୍କ ଘୋଷଣା ଥିଲା ଲଗାତର ଦ୍ୱିତୀୟ ଥର ପାଇଁ ରାଜ୍ୟରେ ଜେଏମଏମ ସରକାର ପ୍ରତିଷ୍ଠା ହେଲେ ମହିଳାଙ୍କ ବ୍ୟାଙ୍କ ଖାତାକୁ ଯାଉଥିବା ଅର୍ଥର ପରିମାଣ ବଢାଇ ଦିଆଯିବ । ନିର୍ବାଚନ ଫଳାଫଳ ଜେଏମଏମ ସରକାରଙ୍କ ସପକ୍ଷରେ ଯାଇଛି । ରାଜ୍ୟର ୮୧ ବିଧାନସଭା ଆସନରୁ ୫୭ ଆସନରେ ‘ଇଣ୍ଡି’ ମେଂଟର ବିଜୟ ହୋଇଛି ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଲଗାତର ଦ୍ୱିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ମହିଳାଙ୍କ ବ୍ୟାଙ୍କ ଆକାଉଂଟକୁ ସିଧାସଳଖ ଟଙ୍କା ପଠାଇବା ଘୋଷଣାରେ ନିର୍ବାଚନ ଫଳାଫଳକୁ ଏକପାଖିଆ ହେଉଥିବା ଦେଖି ଦିଲ୍ଲୀର ‘ଆମ୍ ଆଦମୀ ପାର୍ଟି’ (ଆପ୍) ସରକାର ମଧ୍ୟ ସେହି ରଣନୀତିକୁ ଆପଣାଇଛନ୍ତି । ଆସନ୍ତା ଫେବୃୟାରୀରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ଆପ୍’ ଜାତୀୟ ଆବାହକ ଅରବିନ୍ଦ କେଜରୀୱାଲ ଏହି କେନ୍ଦ୍ର ଶାସିତ ଅଂଚଳର ମହିଳାଙ୍କ ପାଇଁ ଏକ ସ୍ୱତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ଯୋଜନା ଘୋଷଣା କରିଛନ୍ତି । ଦିଲ୍ଲୀର ପ୍ରତ୍ୟେକ ମହିଳାଙ୍କ ଖାତାକୁ ଏକ ହଜାର ଟଙ୍କା ଲେଖାଏଁ ପଠାଯିବ । ଫେବୃୟାରୀରେ ‘ଆପ୍’ କ୍ଷମତାକୁ ଫେରିଲେ ଅର୍ଥର ପରିମାଣ ୨୧୦୦ ଟଙ୍କାକୁ ବୃଦ୍ଧି ହେବ ବୋଲି କେଜରୀୱାଲ ପ୍ରତିଶ୍ରୁତି ଦେଇଛନ୍ତି । ତେବେ, ନିର୍ବାଚନ କମିଶନ ୧୦ରୁ ୧୫ ଦିନ ମଧ୍ୟରେ ନିର୍ବାଚନ ତାରିଖ ଘୋଷଣା କରିବାକୁ ଥିବାରୁ ଏବେ ଯେଉଁ ଏକ ହଜାର ଟଙ୍କାର ଘୋଷଣା ହୋଇଛି ତାହା ମଧ୍ୟ ନିର୍ବାଚନ ପରେ ମହିଳାଙ୍କ ଖାତାକୁ ଯିବା ସମ୍ଭବ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି । ୨୧୦୦ ଟଙ୍କା ଲେଖାଏଁ ପାଇବା ସକାଶେ ମହିଳାଙ୍କୁ ପଂଜୀକୃତ ହେବାକୁ ପଡିବ । ଆସନ୍ତା କାଲିଠାରୁ ପଂଜୀକରଣ ଆରମ୍ଭ ହେବ ବୋଲି ଆତଶୀ ସରକାର କହିଛନ୍ତି । କେଜରୀୱାଲ ଆଜି ଏହି ଘୋଷଣା କରିବା ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମିର୍ଲିନ ତାଙ୍କ ନିକଟରେ ଥିଲେ । ସକାଳେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଗୃହୀତ ହୋଇଛି । ଦିଲ୍ଲୀ ସରକାରଙ୍କ ଏହି ସ୍କିମ୍ ମହିଳାଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ସହ ସେମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବ ବୋଲି ‘ଆପ୍’ ମୁଖ୍ୟ କହଛନ୍ତି । ଯେଉଁ ମହିଳାଙ୍କ କୌଣସି ଆନୁଷ୍ଠାନିକ ଆର୍ଥିକ ଉତ୍ସ ନଥିବ, ଆୟକର ଦେଉନଥିବେ ବା ଅନ୍ୟ କୌଣସି ସରକାରୀ ସହାୟତା ପାଉନଥିବେ ସେମାନେ ନିଜକୁ ପଂଜୀକୃତ କରି ପାରିବ । ଦିଲ୍ଲୀ ସରକାରଙ୍କ ଏହି ଯୋଜନାରେ ପ୍ରାୟ ୪୫ ଲକ୍ଷ ମହିଳା ଉପକୃତ ହେବେ ବୋଲି ହିସାବ କରାଯାଇଛି । ଦିଲ୍ଲୀ ସରକାର ଏହି ସ୍କିମ୍ ପାଇଁ ୨୦୨୪-୨୫ ଆର୍ଥିକ ବଜେଟରେ ୨୦୦୦ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ ରଖିଛନ୍ତି । ଦିଲ୍ଲୀ ମହିଳାଙ୍କ ପାଇଁ କେଜରୀୱାଲଙ୍କ ଏହି ଘୋଷଣାକୁ ନେଇ ବିଜେପି ଆଡୁ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରାଯାଇଛି । ନିର୍ବାଚନ ପୂର୍ବ ‘ଆପ୍’ ମହିଳାଙ୍କୁ ପ୍ରଲୋଭିତ କରିବା ପାଇଁ ‘ରେବଡି’ ଘୋଷଣା କରିଛି ବୋଲି ବିଜେପି ଦିଲ୍ଲୀ ମୁଖ୍ୟ ବିରେନ୍ଦ୍ର ସଚଦେବ ସମାଲୋଚନା କରିଛନ୍ତି । ପଂଜାବରେ ମଧ୍ୟ ‘ଆପ୍’ ସରକାର କରିବା ପୂର୍ବରୁ ଏଭଳି ଘୋଷଣା କରିଥିଲା । ପ୍ରତି ମହିଳାଙ୍କ ବ୍ୟାଙ୍କ ଖାତାକୁ ଏକ ହଜାର ଟଙ୍କା ଲେଖାଏଁ ପଠାଯିବ ବୋଲି କୁହାଯାଇଥିଲା । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ନେତୃତ୍ୱରେ ‘ଆପ୍’ ସରକାର ପ୍ରତିଷ୍ଠା ପରେ ମହିଳାଙ୍କ ବ୍ୟାଙ୍କ ଖାତାକୁ ଏକ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଯାଇଛି କି ବୋଲି ସଚଦେବ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ପରେ ଏହି ପ୍ରେତ୍ସାହନ ରାଶିକୁ ୧୧୦୦ ଟଙ୍କାକୁ ବୃଦ୍ଧି କରିଥିଲେ ମଧ୍ୟ ସବୁ ବକି ଖାତାରେ ରହିଛି ବୋଲି ସଚଦେବ ସମାଲୋଚନା କରିଛନ୍ତି । କେବଳ ଦିଲ୍ଲୀ ନୁହେଁ, ୨୦୨୬ରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ରାଜ୍ୟରେ ବିଜେପି-ଜେଡିୟୁ ମେଂଟ ସରକାର ଚାଲିଛି ଏବଂ ଜେଡିୟୁ ମୁଖ୍ୟ ନୀତୀଶ କୁମାର ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି । ବିହାରରେ ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବେଠାରୁ ରାଜ୍ୟବ୍ୟାପୀ ଗସ୍ତ କରି ‘ମହିଳା ସଂପର୍କ ଯୋଜନା’ ଆରମ୍ଭ କରିବାକୁ ପାଇଁ ଅଂଟା ଭିଡିଥିବା ସୂଚନା ମିଳିଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) ମୁଖ୍ୟ ଲାଲୁ ଯାଦବ ଏନେଇ ନୀତୀଶଙ୍କୁ ସମାଲୋଚନା କରିବା ପରେ ଜାତୀୟ ରାଜନୀତିରେ ନୀତୀଶ ଚର୍ଚ୍ଚାରେ ରହିଛନ୍ତି । ମହିଳା ସଶକ୍ତିକରଣ ଯୋଜନାରେ ଓଡ଼ିଶା ସର୍ବଦା ଆଗୁଆ ରହିଛି । ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଗ୍ରାମାଂଚଳ ମହିଳାଙ୍କୁ ପଂଚାୟତ ନିର୍ବାଚନ ଲଢିବାର ସୁଯୋଗ ଦେଇ ରାଜ୍ୟରେ ମହିଳା ସଶକ୍ତିକରଣ ଅଭିଯାନ ଆରମ୍ଭ କରିଥିଲେ । ତାଙ୍କ ପୁତ୍ର ନବୀନ ପଟ୍ଟନାୟକ ଗତ ୨୪ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ‘ମିଶନ ଶକ୍ତି’ ମାଧ୍ୟମରେ ରାଜ୍ୟର ମହିଳାଙ୍କୁ ସଶକ୍ତ କରିବାକୁ ଉଦ୍ୟମ କରିଥିଲେ । ରାଜ୍ୟବ୍ୟାପୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ମାଧ୍ୟମରେ ଲକ୍ଷ ଲକ୍ଷ ମହିଳାଙ୍କୁ ‘ମିଶନ ଶକ୍ତି’ରେ ସାମିଲ କରାଯାଇ ସେମାନଙ୍କ ତାଲିମ ଓ ଦକ୍ଷତା ବୃଦ୍ଧି ଉଦ୍ୟମ ହୋଇଥିଲା ଏବଂ ଏହି ଏସଏଚଜି ଗୋଷ୍ଠୀମାନେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ଆର୍ଥିକ ସ୍ୱଚ୍ଛଳ ହେବାକୁ ଉଦ୍ୟମ କରୁଥିଲେ । ରାଜ୍ୟ ସରକାର ଏଥିସକାଶେ ରାଜ୍ୟ ବଜେଟରେ କୋଟି କୋଟି ଟଙ୍କାର ବ୍ୟୟବରାଦ ରଖୁଥିଲେ । ନବୀନଙ୍କ ଶାସନରେ ‘ମିଶନ ଶକ୍ତି’ ରାଜ୍ୟ ସରକାରଙ୍କ ‘ଫ୍ଲାଗସିପ୍’ ଥିଲା ଏବଂ ସମଗ୍ର ଦେଶ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହାକୁ ଉଦାହରଣ ଭାବେ ଗ୍ରହଣ କରୁଥିଲା । ବିଜେଡ଼ି ମହିଳା ସଶକ୍ତିକରଣ ନାମରେ ‘ମିଶନ ଶକ୍ତି’ ଅଧିନରେ ଗଢି ଉଠିଥିବା ଏସଏଚଜି ଗୋଷ୍ଠୀଙ୍କୁ ନିଜର ଭୋଟ ବ୍ୟାଙ୍କ୍ ଭାବେ ବ୍ୟବହାର କରୁଥିଲା, ଏଥିରେ କିଛି ସନ୍ଦେହ ନାହିଁ । ତଥାପି, ଏସଏଚଜି ଗୃପ୍ ମହିଳାମାନେ ସ୍ୱାବଲମ୍ବୀ ମଧ୍ୟ ହେଉଥିଲେ । ୨୦୨୪ରେ ମହିଳା ସଶକ୍ତିକରଣର ଅର୍ଥ ଓ ରୂପରେଖ ବଦଳି ଯାଇ ଓଡ଼ିଶାରେ ‘ସୁଭଦ୍ରା’ ଭଳି ବିଭିନ୍ନ ରାଜ୍ୟରେ ବିଭିନ୍ନ ଯୋଜନା ଚାଲିଛି । ମହିଳାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଇ ଭୋଟ ହାତେଇବା ଯଦି ସହଜ ହେଉଛି ମହିଳାଙ୍କ ଦୀର୍ଘକଳୀନ ସ୍ୱାର୍ଥ କଥା କାହିଁକି ବା କିଏ ଚିନ୍ତା କରିବ ? ଏବେ, ନିର୍ବାଚନ ଆସିଲେ ଆର୍ଥିକ ଦୁର୍ବଳ ମହିଳାଙ୍କୁ ମାସିକା ବା ବାର୍ଷିକ କିଛି କିଛି ଟଙ୍କା ଯୋଗାଇ ଦେବାର ପ୍ରତିଶ୍ରୁତି ନିର୍ବାଚିନ ଜିତିବାର ଅମୋଘ ଅସ୍ତ୍ର ହୋଇଛି । ରାଜନୈତିକ ଦଳମାନେ ଏହାକୁ ‘ଫ୍ଲାଗସିପ୍’ ଯୋଜନା କହି ଆନନ୍ଦ ପାଉଛନ୍ତି । ଆମ୍ ଆଦମୀ ପାର୍ଟି ମୁଖ୍ୟ କେଜରୀୱାଲ ନିଜକୁ ଏଥିରୁ କେମିତି ବା ଦୂରେଇ ରଖିଥାନ୍ତେ ?
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS