ଦଳୀୟ ରାଜନୀତି ନିକଟରେ ଫିକା ପଡି ଯାଉଛି ସାମ୍ବିଧାନିକ ବିଧି ବ୍ୟବସ୍ଥା ?


ପ୍ରସାଦ ରାଓ
ଡିସେମ୍ବର ୧୧
ସଂସଦରେ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟଙ୍କୁ ସମାନ ଗୁରୁତ୍ୱ ଦେବା ଅଧ୍ୟକ୍ଷମାନଙ୍କ ଦାୟିତ୍ୱ ହୋଇଥିବା ବେଳେ ଗଲା କିଛି ବର୍ଷ ହେଲା ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଲୋକସଭା ହେଉ ବା ରାଜ୍ୟସଭା – ବିରୋଧୀ ସାଂସଦଙ୍କ ଅଭିଯୋଗ ହେଉଛି, ଗୃହର ଅଧ୍ୟକ୍ଷମାନେ ପକ୍ଷଭୁକ୍ତ ଆଚରଣ ପ୍ରଦର୍ଶନ କରୁଛନ୍ତି । ଶାସକ ଦଳର ମନ୍ତ୍ରୀ, ସାଂସଦମାନେ ଗୃହରେ ଅବାଧରେ ନିଜ ନିଜ ମତ ରଖିବାର ସୁଯୋଗ ପାଉଥିଲେ ମଧ୍ୟ ବିରୋଧୀ ଦଳର ସାଂସଦମାନଙ୍କୁ ସୁଯୋଗ ମିଳୁ ନାହିଁ । ଗୃହରେ ସେମାନଙ୍କ ସ୍ୱର ଦବାଇ ଦେବାର ରିତିମତ ପ୍ରୟାସ ହେଉଛି । ବିରୋଧୀ ଦଳ ସାଂସଦମାନେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ଗୃହରେ ତାହା ଉପରେ ଆଲୋଚନା ହେବା ଚାହୁଁଥିବା ବେଳେ ଅଧ୍ୟକ୍ଷ ସେମାନଙ୍କୁ ସୁଯୋଗ ନଦେଇ ଶାସକ ଦଳର ଶୁଭାକାଂକ୍ଷୀ ଭାବେ ପକ୍ଷପାତିତା କରୁଛନ୍ତି । ଅନ୍ୟପକ୍ଷରେ, ଶାସକ ଦଳ ମନ୍ତ୍ରୀ, ସାଂସଦମାନେ ଯାହା ଚାହୁଁଛନ୍ତି ଗୃହରେ ଆଲୋଚନା କରିବାର ସୁଯୋଗ ପାଉଛନ୍ତି । ବିରୋଧୀ କଟୁ ସମାଲୋଚନାର ଶରବ୍ୟ ହେଉଥିଲେ ମଧ୍ୟ ଅଧ୍ୟକ୍ଷଙ୍କ ଆଡୁ ସେମାନଙ୍କୁ ସୁରକ୍ଷା ମିଳୁ ନାହିଁ । ୨୦୧୪ରୁ ୨୦୨୪ – ବିଜେପିର ଗଲା ଦଶ ବର୍ଷର ଶାସନରେ ଏହା ଥିଲା ବିରୋଧୀ ସାଂସଦଙ୍କ ଅଭିଯୋଗ । ଅଷ୍ଟାଦଶ ସଂସଦରେ ମଧ୍ୟ ବିରୋଧୀ ସାଂସଦଙ୍କ ଆଡୁ ସେହି ଏକା ଅଭିଯୋଗ ଆସିଛି । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ସେମାନଙ୍କ ପ୍ରତି ପକ୍ଷପାତ ଆଚରଣ କରୁଥିବା ବିରୋଧୀ ସାଂସଦମାନେ ମଂଗଳବାର ଦିନ ତାଙ୍କ ବିରୋଧରେ ରାଜ୍ୟସଭା ସଚିବାଳୟରେ ଏକ ଅନାସ୍ଥା ନୋଟିସ ଦାଖଲ କରିଛନ୍ତି । ଏହି ନୋଟିସ ଦିଆଯିବାର ଯଥାର୍ଥତାକୁ ନେଇ ରାଜ୍ୟସଭାର କଂଗ୍ରେସ ସଂସଦୀୟ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ଦୃଢ ଯୁକ୍ତି ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି, ଗୃହରେ ବିଶୃଙ୍ଖଳ ଆଚଳ ପ୍ରଦର୍ଶନ କରୁଥିବା ଅଭିଯୋଗରେ ବିରୋଧୀ ସାଂସଦଙ୍କ ବିରୋଧରେ ବାରମ୍ବାର କାର୍ଯ୍ୟାନୁଷ୍ଠାନ ହେଉଛି । ସେମାନଙ୍କୁ ଗୃହର ଅଧ୍ୟକ୍ଷ କହିବାକୁ ସୁଯୋଗ ଦେଉ ନାହାନ୍ତି । ଅନ୍ୟପକ୍ଷରେ, ଶାସକ ଦଳ ମନ୍ତ୍ରୀ, ସାଂସଦମାନେ ବିରୋଧୀଙ୍କ ପ୍ରତି ଆକ୍ଷେପମୂଳକ ମନ୍ତବ୍ୟ ଦେଉଥିଲେ ମଧ୍ୟ ସେମାନଙ୍କୁ ତାଗିଦ କରାଯାଉନାହିଁ ବା କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଅଧ୍ୟକ୍ଷ ଧନକର ହେଉଛନ୍ତି ରାଜ୍ୟସଭାରେ ସବୁଠାରୁ ବଡ ‘ବିଶୃଙ୍ଖଳା ସୃଷ୍ଟିକାରୀ’ ବୋଲି ଖାର୍ଗେ ଅଭିଯୋଗ କରିଛନ୍ତି । ‘ରାଜ୍ୟସଭା ଅଧ୍ୟକ୍ଷଙ୍କ ପ୍ରତି ଆମର କିଛି ବ୍ୟକ୍ତିଗତ ଆକ୍ରେଶ ନାହିଁ । ତେବେ, ଅଧ୍ୟକ୍ଷଙ୍କ କାର୍ଯ୍ୟକଳାପ ଦେଶର ମାର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରୁଛି । ତେଣୁ, ଆମେ ଏଭଳି ଏକ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛୁ । ଦୁଃଖର ସହିତ କହିବାକୁ ଚାହୁଁଛି, ରାଜ୍ୟସଭା ଅଧ୍ୟକ୍ଷ ଆମ ନିକଟରେ ଅନ୍ୟ କିଛି ବିକଳ୍ପ ରଖି ନାହାନ୍ତି । ଗଲା ତିନି ବର୍ଷ ମଧ୍ୟରେ ସେ ଆମକୁ ଗୃହରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବାକୁ ସମୟ ବା ସୁଯୋଗ ଦେଇ ନାହାନ୍ତି । ଏହି ସ୍ପର୍ଶକାତର ପ୍ରସଙ୍ଗରେ ଆମେ ସମେସ୍ତ ଏକାଠି ଅଛୁ’ ବୋଲି ଆଜି (ବୁଧବାର) ଅପରାହ୍ନରେ ଖାର୍ଗେ କହିଛନ୍ତି । ସେ କହିଛନ୍ତି, ‘ଆମେ ଅଧ୍ୟକ୍ଷଙ୍କଠାରୁ ସୁରକ୍ଷା ଆଶା କରୁଥିଲୁ । କିନ୍ତୁ, ସେ ଶାସକ ଦଳ ସାଂସଦଙ୍କୁ ହିଁ ଗୃହରେ କହିବାକୁ ଅନୁମତି ଦେଉଛନ୍ତି । ଅଧ୍ୟକ୍ଷ ନିଜେ ଯେତେବେଳେ ଶାସକ ଦଳ ସାଂସଦ ଓ ସରକାରଙ୍କୁ ସୁରକ୍ଷା ଦେଉଛନ୍ତି ବିରୋଧୀଙ୍କ କଥା ଶୁଣିବ କିଏ ?’ ଗୃହର ଅଧ୍ୟକ୍ଷ ବିରୋଧୀ ସାଂସଦଙ୍କୁ ରିତିମତ ‘ଅପମାନିତ’ କରୁଥିବା, ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଭଳି ସଂସଦରେ ସାଂସଦଙ୍କୁ ବ୍ୟବହାର କରୁଥିବା, ସରକାରଙ୍କ ମୁଖପାତ୍ର ଭଳି ଗୃହରେ କାର୍ଯ୍ୟ କରୁଥିବା ଅଭିଯୋଗ କରି ରାଜ୍ୟସଭା ଅଧ୍ୟକ୍ଷ ହେଉଛନ୍ତି ସବୁଠାରୁ ବଡ ବିଶୃଙ୍ଖଳା ସୃଷ୍ଟିକାରୀ ବୋଲି ଖାର୍ଗେ ଅଭିଯୋଗ କରିଛନ୍ତି । ଗତକାଲି ୭୦ ଜଣ ବିରୋଧୀ ସାଂସଦଙ୍କ ଦସ୍ତଖତରେ ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ନୋଟିସ ଦିଆଯିବା ପରେ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଉଭୟ ଲୋକସଭା ଓ ରାଜ୍ୟସଭାରେ ଶାସକ ମେଂଟର ସଂଖ୍ୟାଗରିଷ୍ଠତା ଥିବାରୁ ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ଆଗତ ଅନାସ୍ଥା ନୋଟିସ ଖାରଜ ହେବା ନିଶ୍ଚିତ, ଏହି ପ୍ରସ୍ତାବ ନାକଚ ହେବା ଦିଗରେ ଆମେ ପଦକ୍ଷେପ ନେବୁ ବୋଲି କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ଜୁ ଗତକାଲି କହିଛନ୍ତି । ଆଜି ମଧ୍ୟ ଏହି ଅନାସ୍ଥା ନୋଟିସକୁ ନେଇ ସଂସଦରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ଓ ଗୃହ ମୁଲତବୀ ରହିଥିଲା । ରାଜ୍ୟସଭାରେ ଏନଡିଏର ୧୨୪ ସଦସ୍ୟ ଥିବା ବେଳେ କୌଣସି ପ୍ରସ୍ତାବ ପାରିତ କରିବା ପାଇଁ ମେଜିକ ସଂଖ୍ୟା ରହିଛି ୧୧୯ । ସେହିଭଳି, ଲୋକସଭାରେ ଏହି ମେଜିକ ସଂଖ୍ୟା ୨୭୨ ଥିବା ବେଳେ ଏନଡିଏ ସାଂସଦଙ୍କ ସଂଖ୍ୟା ରହିଛି ୨୯୫ । ତେଣୁ, ରାଜ୍ୟସଭା ଅଧ୍ୟକ୍ଷ ଧନକରଙ୍କ ବିରୋଧରେ ବିରୋଧୀଙ୍କ ପକ୍ଷରୁ ଆସିଥିବା ଅନାସ୍ଥା ପ୍ରସ୍ତାବ କାଟ୍ ଖାଇବାରେ କିଛି ଅସୁବିଧା ନାହିଁ । ଏହାଛଡା, ବିରୋଧୀ ସାଂସଦମାନେ ୧୪ ଦିନ ପୂର୍ବରୁ ଆନାସ୍ଥା ନୋଟିସ ଦେବାର ଆବଶ୍ୟକତା ଥିବା ବେଳେ ସଂସଦର ଶୀତ ଅଧିବେଶନ ସରିବାର ୧୦ ଦିନ ପୂର୍ବରୁ ନୋଟିସ ଦେଇଛନ୍ତି । ଡିସେମ୍ବର ୨୦ ତାରିଖରେ ସଂସଦର ଶୀତ ଅଧିବେଶନ ସରିବାକୁ ଯାଉଛି । ଚଳିତ ଅଧିବେଶନରେ ଏହି ଅନାସ୍ଥା ପ୍ରସ୍ତାବ ଆଲୋଚନା ପାଇଁ ଆସିବା ସମ୍ଭାବନା ନଥିବା ବେଳେ ପରବର୍ତ୍ତୀ ଅଧିବେଶନରେ ମଧ୍ୟ ଏହା ଆଲୋଚନାକୁ ଆସିବ କି ନାହିଁ ଅନିଶ୍ଚିତ । ତଥାପି, ଉଭୟ ଶାସକ ଓ ବିରୋଧୀ ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ନୋଟିସକୁ ନେଇ ଶୀତ ଅଧିବେଶନର ବାକି ଦିନଗୁଡିକ ଧୋଇ ଦେବେ । ସଂସଦରେ ଅଚଳାବସ୍ଥା ପାଇଁ ବିଜେପି ଓ କଂଗ୍ରେସ ପରସ୍ପରକୁ ଦାୟି କରି ଦେଶବାସୀଙ୍କୁ ବିଭ୍ରାନ୍ତ କରିବେ । ଦଳୀୟ ରାଜନୀତି ନିକଟରେ ସାମ୍ବିଧାନିକ ବିଧି ବ୍ୟବସ୍ଥା କେମିତି ଫିକା ହୋଇପଡୁଛି ତାହା ଧନକର ଏପିସୋଡରୁ ସ୍ପଷ୍ଟ ଅନୁଭବ କରି ହେଉଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS