ରାଜ୍ୟସଭା ଅଧ୍ୟକ୍ଷ ଧନକରଙ୍କ ବିରୋଧରେ ଆସିଲା ଅନାସ୍ଥା ପ୍ରସ୍ତାବ
ପ୍ରସାଦ ରାଓ
ଡିସେମ୍ବର ୧୦
ରାଜ୍ୟସଭା ଅଧ୍ୟକ୍ଷ ଥିବା ଉପ ରାଷ୍ଟ୍ରପତି ଜଗଦୀପ ଧନକରଙ୍କ ବିରୋଧରେ ଆଜି ଆସିଛି ଅନାସ୍ଥା ପ୍ରସ୍ତାବ । ବିରୋଧୀ ‘ଇଣ୍ଡି’ ମେଂଟ ପକ୍ଷରୁ ଏହି ପ୍ରସ୍ତାବ ଆସିଛି । ରାଜ୍ୟସଭା ଅଧ୍ୟକ୍ଷ ନିରପେକ୍ଷ ରହିବା ବଦଳରେ ପକ୍ଷଭୁକ୍ତ ରହୁଥିବା ଓ ଶାସକ ବିଜେପିକୁ ସୁହାଇଲା ଭଳି ଗୃହ ପରିଚାଳନା କରୁଥିବା ବିରୋଧୀ ଅଭିଯୋଗ କରି ତାଙ୍କ ପ୍ରତି ଅନାସ୍ଥା ବ୍ୟକ୍ତ କରିଛନ୍ତି । ସର୍ବନିମ୍ନ ୫୦ ଜଣ ସାଂସଦଙ୍କ ଦସ୍ତଖତରେ ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସି ପାରିବ । ଧନକରଙ୍କ ବିରୋଧରେ ରାଜ୍ୟସଭାରେ ‘ଇଣ୍ଡି’ ମେଂଟ ପକ୍ଷରୁ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବରେ ୫୦ରୁ ଅଧିକ ସାଂସଦ ଦସ୍ତଖତ କରିଥିବା ସୂଚନା ମିଳିଛି । କଂଗ୍ରେସ, ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି), ଅରବିନ୍ଦ କେଜରୀୱାଲଙ୍କ ଆମ୍ ଆଦମୀ ପାର୍ଟି (ଆପ୍), ଅଖିଳେଶ ଯାଦବଙ୍କ ସମାଜାଦୀ ପାର୍ଟି (ଏସପି), ତାମିଲନାଡୁର ଡିଏମକେ ଏବଂ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସାଂସଦମାନେ ଏହି ଅନାସ୍ଥା ପ୍ରସ୍ତାବରେ ଦସ୍ତଖତ କରିଥିବା ସୂଚନା ମିଳିଥିବା ବେଳେ ଆଜି ରାଜ୍ୟସଭା ସଚିବାଳୟରେ ତାହା ଦାଖଲ ହୋଇଛି । ରାଜ୍ୟସା ଅଧ୍ୟକ୍ଷ ଧନକର ଏକପାଖିଆ ରହି ଗୃହ ପରିଚାଳନା କରୁଥିବାରୁ ବିରୋଧୀ ‘ଇଣ୍ଡି’ ମେଂଟ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ବାଧ୍ୟ ହୋଇଛି । ଏହି ନିଷ୍ପତ୍ତି ଦୁଃଖଦାୟକ ହୋଇଥିଲେ ମଧ୍ୟ ପାର୍ଲିଆମେଂଟାରୀ ଗଣତନ୍ତ୍ରର ସୁରକ୍ଷା ପାଇଁ ଆମେ ଏହା କରିବାକୁ ବାଧ୍ୟ ହୋଇଛୁ ବୋଲି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଆଜି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରିଥିବା ବେଳେ ଟିଏମସି ସାଂସଦ ସାଗରିକା ଘୋଷ ତାଙ୍କ ବୟାନରେ ସରକାର ‘ପାର୍ଲିଆମେଂଟାରୀ ଗଣତନ୍ତ୍ରର ହତ୍ୟାକାରୀ’ ବୋଲି ଅଭିଯୋଗ କରିବା ସହ ବିରୋଧୀ ମେଂଟ ସଂସଦରେ ନିଜ ଅଧିକାର ସାବ୍ୟସ୍ତ କରିବା ଓ ପାର୍ଲିର୍ଆମେଂଟାରୀ ଗଣତନ୍ତ୍ରର ସୁରକ୍ଷା ପାଇଁ ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ଏହି ଅନାସ୍ଥା ପ୍ରସ୍ତାବ ଆଣିଛି ବୋଲି ମନ୍ତବ୍ୟ ରଖିଛନ୍ତି । ‘ସଂସଦରେ ଆମକୁ କହିବାକୁ ଦିଆଯାଉନାହିଁ’ ବୋଲି ସେ ଅଭିଯୋଗ କରିଛନ୍ତି । ରାଜ୍ୟସଭାରେ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାରିତ କରାଇବାକୁ ହେଲେ ପଚାଶ ପ୍ରତିଶତରୁ ଅଧିକ (୫୦ ପ୍ରତିଶତ ଯୁକ୍ତ ଏକ) ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ଥିବା ବେଳେ ଲୋକସଭାରେ ମଧ୍ୟ ସେହି ପରିମାଣର ସମର୍ଥନ ମିଳିବା ଆବଶ୍ୟକ । ଉଭୟ ରାଜ୍ୟସଭା ଓ ଲୋକସଭାରେ ବିରୋଧୀ ‘ଇଣ୍ଡି’ ମେଂଟର ସେଭଳି ସଂଖ୍ୟା ନଥିବାରୁ ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ସମ୍ଭାବନା ନାହିଁ । ତାହା ଜାଣି ସୁଦ୍ଧା ବିରୋଧୀ ମେଂଟ ରାଜ୍ୟସଭା ଅଧ୍ୟକ୍ଷ ଧନକରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ସଂସଦର ଶୀତ ଅଧିବେଶନ ଆରମ୍ଭରୁ ହିଁ ବିରୋଧୀ ଓ ଶାସକ ଦଳ ମୁହାଁମୁହିଁ ରହିଥିବାରୁ ଉଭୟ ଗୃହରେ ଅଚଳାବସ୍ଥା ଲାଗି ରହିଛି । ଦେଶର ପ୍ରମୁଖ ଉଦ୍ୟୋଗପତି ଗୌତମ ଆଦାନୀଙ୍କ ‘ଆଦାନୀ ଗୃପ’ର ଗ୍ରୀନ୍ ଏନର୍ଜି ସଂସ୍ଥା ବ୍ୟବସାୟ ପାଇଁ ଲାଂଚ କାରବାରରେ ସଂପୃକ୍ତ ଥିବା ଆମେରିକାର ଏକ ଅଦାଲତ ଅଭିଯୋଗ କରିବା ସହ ଗୌତମ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀ ଓ ଅନ୍ୟ କେତେକ ବ୍ୟକ୍ତିଙ୍କ ବିରୋଧରେ ୱାରେଂଟ ଜାରି କରିଥିବା ଖବରକୁ ଗଣମାଧ୍ୟମକୁ ଆସିବା ପରେ ଆଦାନୀଙ୍କୁ ଗିରଫ କରାଯାଉ ବୋଲି ଦାବି କରି ବିରୋଧୀ ସରକାରଙ୍କୁ ଘେରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଦାନୀଙ୍କ ଘନିଷ୍ଟତା ଦୃଷ୍ଟିରୁ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ‘ଇଣ୍ଡି’ ମେଂଟ ଅଭିଯୋଗ କରିବା କରିବା ସହ ଆଦାନୀଙ୍କ ବିରୋଧରେ ଜେପିସି (ଜଏଂଟ ପାର୍ଲିଆମେଂଟାରୀ କମିଟି) ତଦନ୍ତ ନିର୍ଦେଶ ଦିଆଯିବାକୁ ଉଭୟ ଲୋକସଭାରେ କଂଗ୍ରେସ ଓ ବିରୋଧୀ ମେଂଟ ପକ୍ଷରୁ ଦାବି ହେଉଥିବା ବେଳେ ବିଜେପି ଏହାକୁ ପ୍ରତିହତ କରିବା ପାଇଁ ବିଦେଶୀ ଉଦ୍ୟୋଗପତି ଜର୍ଜ ସୋରେସ ଓ ତାଙ୍କ ଫାଉଣ୍ଡେସନରୁୁ ପାଂଠି ପାଉଥିବା ମିଡ଼ିଆ ସଂସ୍ଥା ସହ ପୂର୍ବତନ କଂଗ୍ରେସ ସଭାପତି ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀଙ୍କ କି ସଂପର୍କ ରହିଛି (?) ତାହା ସୋନିଆ ସ୍ପଷ୍ଟ କରନ୍ତୁ ବୋଲି ଦାବି କରି ଅଚଳାବସ୍ଥା ସୃଷ୍ଟି କରିଛି । କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ବିଜେପି ‘ଦେଶଦ୍ରୋହୀ’ ବୋଲି ଆକ୍ଷେପ କରିବା ସହ ବିଦେଶୀ ପାଂଠିଦାତା ଜର୍ଜ ସୋରୋସଙ୍କ ଆର୍ଥିକ ସହାୟତାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଦେଶ ମାଟିରେ ଭାରତକୁ ନିନ୍ଦିତ କରିବା ସହ ଦେଶରେ ଅରାଜକତା ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ କରିଛି । ସଂସଦର ଉଭୟ ଗୃହ ଏବଂ ସଂସଦ ପରିସରରେ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ମଧ୍ୟରେ ‘ଆଦାନୀ ବନାମ ଜର୍ଜ ସୋରୋସ’ର ଯେଉଁ ମହାନାଟକ ଚାଲିଛି ତାହା ସଂସଦକୁ ସଂପୂର୍ଣ୍ଣ ଅଚଳ କରିଥିବା ବେଳେ ଏଥିପାଇଁ ସରକାର ବିରୋଧୀ ମେଂଟକୁ ଓ ବିରୋଧୀ ସରକାରଙ୍କୁ ଦାୟି କରୁଛନ୍ତି । ଶାସକ ବିଜେପି ସାଂସଦମାନେ ଗତକାଲି (ସୋମବାର) ସଂସଦରେ ଜର୍ଜ ସୋରେସଙ୍କ ସହ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସଂପର୍କକୁ ନେଇ ପ୍ରଶ୍ନ ଉଠାଇ କଂଗ୍ରେସକୁ କାଠଗଡାକୁ ଟାଣିଥିବା ବେଳେ ସଂସଦ ପରିସରରେ କଂଗ୍ରେସ ଓ ବିରୋଧୀ ‘ଇଣ୍ଡି’ ମେଂଟ ସାଂସଦମାନେ ଉଦ୍ୟୋଗପତି ଗୌତମ ଆଦାନୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସ୍କ୍ (ମୁଖା) ମୁହଁରେ ଲଗାଇ ସେମାନଙ୍କ ଘନିଷ୍ଟତାକୁ ନେଇ ପ୍ରଶ୍ନ ଉଠାଇ ଥିଲେ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତାଙ୍କ ମୋବାଇଲରେ ଗୌତମ ଆଦାନୀ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାସ୍କ୍ ଲଗାଇ ହାତ ମିଳାଉ ଥିବା ଦୁଇ ବିରୋଧୀ ସାଂସଦଙ୍କ ଫଟୋ ଉଠାଇ ମଜା ନେଉଥିବା ଦେଖିବାକୁ ମିଳିଥିଲା । ମୋଦୀ ପ୍ରଧାନମନ୍ତ୍ରୀ ଥିବା ଯାଏଁ ଆଦାନୀ ସୁରକ୍ଷିତ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କିଛି ଦିନ ହେଲା ଲଗାତର ଅଭିଯୋଗ କରି ଆସୁଛନ୍ତି । ରାଜ୍ୟସଭାରେ ଶାସକ ଦଳର ନେତା ଥିବା ଜେପି ନଡ୍ଡା ଗତକାଲି ରାଜ୍ୟସଭାରେ ଏସିଆ ପେସିଫିକ୍ ଫାଉଣ୍ଡେସନ ମୁଖ୍ୟ ତଥା ଡେମୋକ୍ରେଟିକ ନେତା ଜର୍ଜ ସୋରୋସଙ୍କ ସହ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସଂପର୍କକୁ ନେଇ ପ୍ରଶ୍ନ ଉଠାଇବା ସହ ସୋରୋସଙ୍କ ସଂସ୍ଥା ‘ସ୍ୱାଧୀନ କଶ୍ମୀର’ ସପକ୍ଷରେ କହୁଥିବା ବେଳେ ସୋନିଆ ତାହାକୁ ସମର୍ଥନ କରନ୍ତି କି (?) ବୋଲି ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଥିଲେ । ଅପରପକ୍ଷରେ, ସୋନିଆ ଗାନ୍ଧୀଙ୍କ ବିରୋଧରେ ବିଜେପିର ଅଭିଯୋଗ ‘କଂଚା ମିଛ’ ଏବଂ ଗୃହରେ ଅନୁପସ୍ଥିତ ଥିବା ଜଣେ ସଦସ୍ୟଙ୍କୁ ନେଇ ଅଭିଯୋଗ କରାଯିବା ଯୁକ୍ତିସଂଗତ ନୁହେଁ ବୋଲି ରାଜ୍ୟସଭାରେ ବିରୋଧୀ ଦଳ ନେତା ଥିବା କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେ କହିଥିଲେ । ଜର୍ଜ ସୋରେସଙ୍କ ସହ ସୋନିଆ ଗାନ୍ଧୀଙ୍କ ସଂପର୍କକୁ ନେଇ ବିଜେପି ମୁଖ୍ୟ ପ୍ରଶ୍ନ ଉଠାଇବା ସହ ରାହୁଲ ଗାନ୍ଧୀଙ୍କୁ ‘ଗଦ୍ଦାର’ ବା ‘ଦେଶଦ୍ରୋହୀ’ ବୋଲି ଆକ୍ଷେପ କରାଯିବା କଥାକୁ ନେଇ ବିଜେପି ଓ ବିରୋଧୀ କଥା କଟାକଟିରେ ବ୍ୟସ୍ତ ଥିବା ରାଜ୍ୟସଭା ଅଧ୍ୟକ୍ଷ ଧନକର ସୋନିଆଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେବାକୁ ବିଜେପି ସାଂସଦମାନଙ୍କୁ ବାରମ୍ବାର ସୁଯୋଗ ଦେଉଥିବା ବେଳେ ଗୃହରେ ବିରୋଧୀଙ୍କୁ କହିବାକୁ ସୁଯୋଗ ଦେଉ ନାହାନ୍ତି ବୋଲି ଅଭିଯୋଗ କରି କଂଗ୍ରେସ ମୁଖ୍ୟ ଖାର୍ଗେ ଅଭିଯୋଗ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଚେତାଇ ଦେଇଥିଲେ । ଆଜି ମଧ୍ୟ ସଂସଦରେ ଅଚଳବସ୍ଥା ରହିବାରୁ ଗୃହକୁ ଆଜି ପାଇଁ ମୁଲତବୀ ରଖା ଯାଇଛି । ବିରୋଧୀ ମେଂଟ ପକ୍ଷରୁ ରାଜ୍ୟସଭା ଅଧ୍ୟକ୍ଷ ଧନକର ବିରୋଧରେ ଲିଖିତ ଭାବେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇ ରାଜ୍ୟସଭା ସଚିବାଳୟରେ ତାହା ଦାଖଲ କରିଛନ୍ତି । ‘ମିଡ଼ିଆପାର୍ଟ’ ନାମକ ଏକ ଫରାସୀ ମିଡ଼ିଆ କଂପାନୀ ତାହାର ରିପୋର୍ଟରେ ଓସିସିଆରପି (ଅର୍ଗାନାଇଜଡ୍ କ୍ରାଇମ୍ ଏଂଡ କରପସନ୍ ରିପୋଟିଂ ପୋଜେକ୍ଟ) ଓ ଆମେରିକା ସରକାରଙ୍କ ମଧ୍ୟରେ ଭିତିରି ସଂପର୍କ ଥିବା ଅଭିଯୋଗ କରିଥିବା ବେଳେ ବିଜେପି ଅଭିଯୋଗ କରିଛି, ଜର୍ଜ ସୋରେସଙ୍କଠାରୁ ପାଂଠି ପାଉଥିବା ଓସିସିଆରପି ତାହାର ରିପୋର୍ଟ ସବୁରେ ଭାରତକୁ ଟାର୍ଗେଟ୍ କରୁଛି ଏବଂ କଂଗ୍ରେସ ଦଳ ତାହାକୁ ବ୍ୟବହାର କରି ଦେଶର ଶାସକ ଦଳ, ସରକାର ଓ ବ୍ୟବସାୟିକ ସ୍ୱାର୍ଥକୁ ସମାଲୋଚନା କରୁଛି । କଂଗ୍ରେସ ଦେଶ-ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ବିଜେପି କହୁଥିବା ବେଳେ କଂଗ୍ରେସ ଏଭଳି ଅଭିଯୋଗକୁ ‘ଅସତ୍ୟ’ କହି ‘ଆମେ ହେଉଛୁ ଦେଶଭକ୍ତ’ ବୋଲି ପାଲଟା ଦାବି କରିଛି । ଅନ୍ୟପକ୍ଷରେ, ବିଜେପି ପକ୍ଷରୁ ହୋଇଥିବା ଅଭିଯୋଗକୁ ନେଇ ଇତିମଧ୍ୟରେ ଆମେରିକା ସରକାର ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । ସମ୍ବାଦିକମାନଙ୍କ ପେଶାଗାତ ଓ ଦକ୍ଷତା ବିକାଶ ଦିଗରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଥିବା ସ୍ୱାଧୀନ ସଂସ୍ଥାଙ୍କ ସହ ଆମେରିକା ସରକାର କାର୍ଯ୍ୟ କରୁଛନ୍ତି । ଏହା ସଂପାଦକୀୟ ନୀତିକୁ କୌଣସି ପ୍ରକାର ପ୍ରଭାବିତ କରୁନାହିଁ । ଭାରତରେ ଶାସନରେ ଥିବା ରାଜନୈତିକ ଦଳ ଆମେରିକା ସରକାରଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଆଣିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ଆମେରିକା ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । କଂଗ୍ରେସ ମଧ୍ୟ କହିଛି, ଅତୀତରେ ରାଫେଲ ଯୁଦ୍ଧ ବିମାନ କିଣ କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ‘ମିଡ଼ିଆପାର୍ଟ’ ଯେତେବେଳେ ରିପୋର୍ଟ ଛାପି ଥିଲା ସେତେବେଳେ ବିଜେପି ତାହାକୁ ଜବରଦସ୍ତ ବିରୋଧ କରିଥିଲା । ଏବେ, ସେହି ମିଡ଼ିଆ କଂପାନୀ (ମିଡ଼ିଆପାର୍ଟ) ଜର୍ଜ ସୋରୋସଙ୍କଠାରୁ ପାଂଠି ପାଉଥିବା ଓସିସିଆରପି ଓ ଆମେରିକା ସରକାରଙ୍କ ମଧ୍ୟରେ ଭିତରି ସଂପର୍କ ଥିବା ଅଭିଯୋଗ କରିଛି ଏବଂ ଓସିସିଆରପି ସହ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସଂପର୍କକୁ ନେଇ ପ୍ରଶ୍ନ ଠିଆ କରିଛି ବିଜେପି ଏତେମାତ୍ରାରେ ଉତ୍ସାହିତ କାହିଁକି (?) ବୋଲି କଂଗ୍ରେସ ପ୍ରଶ୍ନ କରିଛି । ସଂସଦର ଶୀତ ଅଧିବେଶନ ଉଦ୍ୟୋଗପତି ଗୌତମ ଆଦାନୀ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଦେଶୀ ପାଂଠିଦାତା ଜର୍ଜ ସୋରୋସଙ୍କ ସହ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସଂପର୍କ ଚର୍ଚାର ମୁଖ୍ୟ ପ୍ରସଙ୍ଗ ହୋଇ ସଂସଦ ଆରମ୍ଭରୁ ଅଚଳ ରହିଥିବା ବେଳେ ୟୁପିର ସମ୍ବଲରେ ହୋଇଥିବା ହିଂସା, ମଣିପୁର ହିଂସା ଭଳି ପ୍ରସଙ୍ଗ ଆଲୋଚନାକୁ ଆସିବାର ଅବକାଶ ରହିଲା କେଉଁଠି ? ରାଜ୍ୟସଭା ଅଧ୍ୟକ୍ଷ ଧନକରଙ୍କ ବିରୋଧରେ ବିରୋଧୀ ‘ଇଣ୍ଡି’ ମେଂଟ ଆଜି ଅଣିଥିବା ଅନାସ୍ଥା ପ୍ରସ୍ତାବ ଉଭୟ ରାଜ୍ୟସଭା ଓ ଲୋକସଭାରେ ବିରୋଧୀଙ୍କ ଆବଶ୍ୟକ ସଂଖ୍ୟା ନଥିବାରୁ ଗୃହୀତ ନହେବା ନିଶ୍ଚିତ । ତେବେ, ବିଭିନ୍ନ ନିର୍ବାଚନରେ ବିପର୍ଯ୍ୟୟ ପରେ ବିରୋଧୀ ‘ଇଣ୍ଡି’ ମେଂଟରେ ସୃଷ୍ଟି ହୋଇଥିବା ଫାଟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକାଠି ଲଢିବାରେ ପ୍ରତିବନ୍ଧକ ହୋଇନି – ତାହା ଆଜି ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ଆନୁଷ୍ଠାନିକ ଭାବେ ଆସିଥିବା ଆନାସ୍ଥା ପ୍ରସ୍ତାବରୁ ସ୍ପଷ୍ଟ ହେଉଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS