ସୁଜିତ କୁମାର ବିଜେପିରୁ ରାଜ୍ୟସଭା ପ୍ରାର୍ଥୀ
ପ୍ରସାଦ ରାଓ
ଡିସେମ୍ବର ୦୯
ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାର ପୁଣି ଥରେ ଓଡ଼ିଶାରୁ ରାଜ୍ୟସଭାକୁ ଯାଉଛନ୍ତି । ତେବେ, ବିଜେପି ସାଂସଦ ଭାବେ । ପୂର୍ବରୁ ସେ ବିଜେଡିରୁ ରାଜ୍ୟସଭାରେ ସାଂସଦ ରହିଥିଲେ । ଗତ ସେପ୍ଟମ୍ବର ୦୬ ତାରିଖରେ ବିଜେଡି ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ସେ ବିଜେପିରେ ଯୋଗଦେବା ପରେ ଖାଲି ଥିବା ରାଜ୍ୟସଭା ଆସନ ପାଇଁ ୨୦ ତାରିଖ ନିର୍ବାଚନ ହେବାକୁ ଯାଉଛି । ଓଡ଼ିଶାର ଏହି ଖାଲି ପଡିଥିବା ଆସନ ପାଇଁ ଭାରତୀୟ ନିର୍ବାଚନ ଆୟୁକ୍ତ (ଇସିଆଇ) ନଭେମ୍ବର ୨୬ ତାରିଖରେ ଉପ ନିର୍ବାଚନ ତାରିଖ ଘୋଷଣା କରି ବିଜ୍ଞପ୍ତି ଜାରି କରିଥିଲେ । ଆସନ୍ତା ୨୦ ତାରିଖରେ ଭୋଟ ହେବାକୁ ଥିବା ବେଳେ ଆସନ୍ତା କାଲି ନାମାଂକନ ଦାଖଲର ଶେଷ ତାରିଖ ରହିଛି । ଏହି ଉପ ନିର୍ବାଚନରେ ମଧ୍ୟ ବିଜେପି ତାହାର ପୁରୁଣା ଖେଳକୁ ଦେହରାଇଛି ଓ ପୂର୍ବତନ ସାଂସଦ ସୁଜିତ କୁମାରଙ୍କୁ ପୁଣି ଥରେ ସେହି ଆସନରୁ ପ୍ରାର୍ଥୀ କରି ୨୦୨୬ ଏପ୍ରିଲରେ ସରିବାକୁ ଥିବା କାର୍ଯ୍ୟକାଳ ସଂପୂର୍ଣ୍ଣ କରିବାକୁ ସୁଯୋଗ ଦେଇଛି । ବିଜେପି ରାଜ୍ୟସଭା ସାଂସଦ ଭାବେ ସେ ଏହି କାର୍ଯ୍ୟକାଳ ଶେଷ କରିବେ । ରାଜ୍ୟସଭା ସଦସ୍ୟ ପଦରୁ ସୁଜିତ କୁମାରଙ୍କ ଇସ୍ତଫା ପରେ ଓଡ଼ିଶା ବିଜେପିର ବହୁ ବରିଷ୍ଠ ନେତା ରାଜ୍ୟସଭାକୁ ଯିବା ଲବିରେ ଥିଲେ । ବିଜେପି କେନ୍ଦ୍ରୀୟ ନେତୃତ୍ୱ ନିକଟରେ ସେମାନଙ୍କ ଲବି ଚାଲିଥିଲା । ୨୦୨୪ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ଓଡ଼ିଶାରେ ବିଜେପିକୁ କ୍ଷମତାସୀନ କରାଇବାରେ ସଫଳ ହୋଇଥିବା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ରାଜ୍ୟସଭା ଲବିରେ ଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା । ତେବେ, ସାମଲ ଦିନକ ତଳେ ଗଣମାଧ୍ୟମରେ ବୟାନ ଦେଇ ସେ ରାଜ୍ୟସଭା ଲବିରେ ଥିବା ଚର୍ଚ୍ଚାକୁ ଅସ୍ୱୀକାର କରିଥିଲେ । ବିଜେପି କେନ୍ଦ୍ରୀୟ ନେତୃତ୍ୱ ସୁଜିତ କୁମାରଙ୍କୁ ମଧ୍ୟ ‘ମମତା ମହାନ୍ତ ଫର୍ମୂଲା’ରେ ରାଜ୍ୟସଭାକୁ ପଠାଉଥିବା ଜାଣି ସାମିଲ ଲବିର ଓହରି ଥିବା ଚର୍ଚ୍ଚା ହେଉଛି । ଓଡ଼ିଶାର ମୟୁରଭଂଜ ଜିଲ୍ଲାରୁ ରାଜ୍ୟସଭାକୁ ଯାଇଥିବା ମମତା ମହାନ୍ତ ମଧ୍ୟ ପ୍ରଥମେ ବିଜେଡିରୁ ରାଜ୍ୟସଭାକୁ ଯାଇଥିଲେ । ୨୦୨୬ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ଥିଲା । ତେବେ, ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ବିପୁଳ ବିଜୟ ଏବଂ ଓଡ଼ିଶାରେ ବିଜେଡିର ବିପର୍ଯ୍ୟୟ ଦେଖିବା ପରେ ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ଥିବା ଦର୍ଶାଇ ବିଜେଡିର ପ୍ରାଥମିକ ସଦସ୍ୟତା ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ଦିନକ ପରେ ବିଜେପିରେ ସାମିଲ ହୋଇଛନ୍ତି । ନିର୍ବାଚନ କମିଶନ ଏହି ରାଜ୍ୟସଭା ଆସନ ପାଇଁ ଉପ ନିର୍ବାଚନ ତାରିଖ ଘୋଷଣା କିରିବା ପରେ ବିଜେପି ମମତାଙ୍କୁ ହିଁ ପ୍ରାର୍ଥୀ କରି ରାଜ୍ୟସଭାକୁ ପଠାଇଛି । ସୁଜିତ କୁମାରଙ୍କ କ୍ଷେତ୍ରରେ ମଧ୍ୟ ତାହା ହେବ ବୋଲି ଅନୁମାନ କରାଯାଉଥିଲା । ମମତା ମହାନ୍ତଙ୍କ ରାଜ୍ୟସଭାରୁ ଇସ୍ତଫା ପରେ ତାଙ୍କ ସ୍ଥାନରେ ରାଜ୍ୟସଭାକୁ ଯିବାକୁ ବିଜେପିର ବହୁ ନେତା ଲବିରେ ଥିଲେ ଓ ସେତେବେଳେ ମଧ୍ୟ ବିଜେପି ରାଜ୍ୟ ସଭାପତି ସାମଲଙ୍କ ନାମ ଚର୍ଚ୍ଚାରେ ଥିଲା । ତେବେ, ବିଜେପି କେନ୍ଦ୍ରୀୟ ନେତୃତ୍ୱର ମନୋଭାବକୁ ଜାଣି ସାମଲ ମମତାଙ୍କୁ ବାଟ ଛାଡି ଦେଇଥିଲେ । ରାଜ୍ୟସଭାରେ ଓଡ଼ିଶାର ମୋଟ ୧୦ ସାଂସଦ ଥିବା ବେଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଜେଡି ସମର୍ଥନରେ ବିଜେପିରୁ ଦୁଇ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ସଂସଦର ସର୍ବୋଚ୍ଚ ଗୃହରେ ବିଜେଡ଼ିର ୦୯ ସାଂସଦ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ରାଜ୍ୟସଭାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଲ୍ ଗୃହୀତ କରାଇବା ସକାଶେ ବିଜେଡି ସାଂସଦଙ୍କ ଉପରେ ନିର୍ଭରଶୀଳ ରହୁଥିଲେ । ମମତା ମହାନ୍ତ ଓ ସୁଜିତ କୁମାର ରାଜ୍ୟସଭା ସାଂସଦ ଓ ବିଜେଡି ସଦସ୍ୟତାରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେବା ପରେ ରାଜ୍ୟସଭାରେ ବିଜେଡିର ସଂଖ୍ୟା ୦୭କୁ ଖସିଛି । ସେଥିରୁ ମଧ୍ୟ ଆଉ କିଛି ସାଂସଦ ବିଜେପି ଯୋଗାଯୋଗରେ ଥିବା ଓଡ଼ିଶା ବିଜେପି ନେତାମାନେ ଗଣମାଧ୍ୟମରେ ରୋଳ କରୁଥିବାରୁ ବିଜେଡ଼ି ମୁଖ୍ୟ ନବୀନ ପଟ୍ଟନାୟକ ରିତିମତ ନିଜ ସାଂସଦଙ୍କ ବୈଠକ ନେଉଥିବା ଦେଖିବାକୁ ମିଳୁଛି । ୨୦୨୪ ସାଧାରଣ ନିର୍ବାଚନ ପରେ ଲୋକସଭାରେ ବିଜେଡି ସାଂସଦ ସଂଖ୍ୟା ‘ଶୂନ’ ହୋଇଥିବା ବେଳେ ବିଜେପି ୨୧ ଲୋକସଭା ଆସନରୁ ୨୦ଟି ହାତେଇଛି । ତେବେ, କୋରାପୁଟ ସାଂସଦ (କଂଗ୍ରେସ) ତାଙ୍କ ପତିଆରା ବଜାୟ ରଖିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS