ନେତୃତ୍ୱକୁ ନେଇ ‘ଇଣ୍ଡି’ ମେଂଟରେ ବିଦ୍ରୋହର ପଦଧ୍ୱନୀ !
ପ୍ରସାଦ ରାଓ
ଡିସେମ୍ବର ୦୮
ଭାରତୀୟ ରାଜନୀତିରେ ବିଜେପିର ବିକଳ୍ପ ହେବାକୁ ୨୦୨୩ରେ ଗଠିତ ବିରୋଧୀ ‘ଇଣ୍ଡି’ ମେଂଟରେ ଏବେ ନିରାଶା ସହ ବିଦ୍ରୋହର ସ୍ୱର ଶୁଣିବାକୁ ମିଳିଲାଣି । ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ବିରୋଧୀ ମେଂଟର ପରାଜୟ ପରେ ମେଂଟର ନେତୃତ୍ୱକୁ ନେଇ କିଛି ସହଯୋଗୀ ଦଳ ପ୍ରଶ୍ନ ଉଠାଇ ନେତୃତ୍ୱ ପରିବତ୍ ର୍ତନର ଆବଶ୍ୟକତା ଥିବା କହିଲେଣି । ହରିୟାଣାରେ କଂଗ୍ରେସ ଓ ବିଜେପି ମଧ୍ୟରେ ମୁହାଁମୁହିଁ ଲଢେଇ ହୋଇଥିଲା । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଦଳ ‘ମହା ବିକାଶ ଅଘାଡି’ର ସହଯୋଗୀ ଥାଇ ସର୍ବାଧିକ ସଂଖ୍ୟକ ବିଧାନସଭା ଆସନରେ ପ୍ରାର୍ଥୀ ଦେଇଥିଲେ ମଧ୍ୟ ମାତ୍ର ୧୬ଟି ଆସନରେ ବିଜୟୀ ହୋଇଛି । ଏହାଛଡା, ଜମ୍ମୁ-କଶ୍ମୀରରେ ଆଂଚଳିକ ଦଳ ନ୍ୟାସନାଲ କନ୍ଫରେନ୍ସ ସରକାର ଗଠନ କରିଥିଲେ ମଧ୍ୟ ଏହାର ସହଯୋଗୀ ଦଳ ଭାବେ ନିର୍ବାଚନ ଲଢିଥିବା କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ମଧ୍ୟ ଏକା ଅବସ୍ଥା ଦେଖିବାକୁ ମିଳିଛି । ଜେଏମଏମ୍ (ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା) ସର୍ବାଧିକ ସଂଖ୍ୟକ ଆସନ ପାଇ ଲଗାତର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିଥିଲେ ମଧ୍ୟ ସହଯୋଗୀ ଦଳ ଭାବେ କଂଗ୍ରେସ ଦଳର ପ୍ରଦର୍ଶନ ଉତ୍ସାହଜନକ ନଥିଲା । ଏସବୁ କାରଣରୁ ବିରୋଧୀ ‘ଇଣ୍ଡି’ ମେଂଟରେ କଂଗ୍ରେସ ନେତୃତ୍ୱର ଗୁରୁତ୍ୱ ହ୍ରାସ ପାଇବା ସହ ମେଂଟରେ ସାମିଲ ଥିବା ବିଭିନ୍ନ ରାଜ୍ୟର ଆଂଚଳିକ ରାଜନୈତିକ ଦଳମାନେ କଂଗ୍ରେସକୁ ଭରସା କରି ନିର୍ବାଚନ ଲଢିବାକୁ ଅମଙ୍ଗ ହେଉଥିବା କଂଗ୍ରେସ ପାଇଁ ଚିନ୍ତାର କାରଣ ହୋଇଛି । ଜାତୀୟ ରାଜନୀତିରେ କଂଗ୍ରେସ ହେଉଛି ସର୍ବ ପୂରାତନ ଜାତୀୟ ରାଜନୈତିକ ଦଳ । ୨୦୧୪ ସାଧାରଣ ନିର୍ବାଚନରେ ଦେଶବାସୀ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ-୨ ସରକାରକୁ କ୍ଷମାତାଚ୍ୟୁତ କରି ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ପ୍ରତିଷ୍ଠା କରିବା ପରଠାରୁ ଗଲା ୧୦ ବର୍ଷ ହେଲା କଂଗ୍ରେସର ସ୍ଥିତି ଦୁର୍ବଳରୁ ଦୁର୍ବଳତର ହୋଇଛି । ବିଭିନ୍ନ ରାଜ୍ୟରେ (ଓଡ଼ିଶା ସମେତ) ଦଳର ସଂଗଠନ ଭୁଶୁଡି ପଡିଥିବା ବେଳେ କଂଗ୍ରେସ ଶାସିତ ରାଜ୍ୟ ସଂଖ୍ୟା ମଧ୍ୟ ସଂକୁଚିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ୨୦୧୪ରେ ‘କଂଗ୍ରେସ ମୁକ୍ତ’ ଭାରତ ଚିନ୍ତାଧାରାକୁ ନେଇ ଜାତୀୟ ରାଜନୀତିରେ ପ୍ରବେଶ କରିଥିଲେ । ଗଲା ଦଶ ବର୍ଷରେ ଦେଶ ସଂପୂର୍ଣ୍ଣ ‘କଂଗ୍ରେସ ମୁକ୍ତ’ ହୋଇନଥିଲେ ମଧ୍ୟ କଂଗ୍ରେସ ଦଳ ଆଉ ଏକାକୀ ବିଜେପିର ସାମ୍ନା କରିବା ଅବସ୍ଥାରେ ନାହିଁ । କର୍ଣ୍ଣାଟକ, ହିମାଚଳ ପ୍ରଦେଶ ଓ ତାମିଲନାଡୁରେ ଦଳର ସରକାର ସୀମିତ ରହିଛି । ଅନ୍ୟ ଯେଉଁଠି ସରକାରରେ ରହିଛି ସେହି ରାଜ୍ୟର ଶାସନରେ ଥିବା ଆଂଚଳିକ ଦଳର ସହଯୋଗୀ ଭାବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ ବିଜେପି ସରକାରକୁ କ୍ଷମତାଚ୍ୟୁତରୁ ହଟାଇବା ପାଇଁ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉଦ୍ୟମରେ ୨୦୨୧ ବିଧାନସଭା ନିର୍ବାଚନ ପରରୁ ଯେଉଁ ଉଦ୍ୟମ ଆରମ୍ଭ ହୋଇଥିଲା ତାହା ୨୦୨୩ରେ ବାସ୍ତବ ରୂପରେଖ ନେଇଥିଲା । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର (ଜେଡିୟୁ) ବିଜେପି ନେତୃତ୍ୱାଧୀନ ଏନଡିଏ ସହ ସଂପର୍କ ଛିନ୍ନ କରି ରାଜ୍ୟରେ ଆରଜେଡି ସହଯୋଗରେ ସରକାର ଗଠନ କରିବା ପରେ ମମତାଙ୍କ ବିରୋଧୀ ମେଂଟ ଗଠନ ଉଦ୍ୟମର ନେତୃତ୍ୱ ନେଇଥିଲେ । ୨୦୨୩ରେ ‘ଇଣ୍ଡି’ ମେଂଟ ରୂପରେଖ ନେଇଥିଲା । ଦେଶର ୨୭ରୁ ୨୮ ବିରୋଧୀ ରାଜନୈତିକ ଦଳ (ଆଂଚଳିକ ଦଳଙ୍କ ସମେତ) ଏଥିରେ ସାମିଲ ହୋଇ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ପରାଜିତ କରି କ୍ଷମତାକୁ ଆସିବା ସ୍ୱପ୍ନ ଦେଖିଥିଲେ । ସେମାନଙ୍କ ମଧ୍ୟରେ ବିଚାରଧାରାରେ ଭିନ୍ନତା ଓ ରାଜନୈତିକ ବିରୋଧାଭାସ ଥିବା ସତ୍ତ୍ୱେ ବିଜେପିକୁ ପରାଜିତ କରିବା ଲକ୍ଷ୍ୟ ନେଇ ଏକାଠି ହୋଇଥିବାରୁ ୨୦୨୪ ଲୋକସଭା ନିର୍ବାଚନରେ ତାହାର ସୁଫଳ ପାଇଥିଲେ । ବିଜେପିକୁ କ୍ଷମତାଚ୍ୟୁତ କରିବାରେ ସେମାନେ ସଫଳ ହୋଇନଥିଲେ ମଧ୍ୟ ଲୋକସଭାରେ ବିଜେପିର ସଂଖ୍ୟାକୁ ୨୪୦ରେ ସୀମିତ କରି ସରକାର ଗଠନ ପାଇଁ ଏନଡିଏରେ ଦୁଇ ପ୍ରମୁଖ ଅଂଶୀଦାର ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁ (ଜନତା ଦଳ-ୟୁନାଇଟେଡ) ଉପରେ ନିର୍ଭର କରିବାକୁ ବାଧ୍ୟ କରିଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଲଗାତର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ମଧ୍ୟ ଦେଶରେ ବିଜେପି ନୁହେଁ ଏନଡିଏ (ଜାତୀୟ ଗଣତାନ୍ତ୍ରିକ ମେଂଟ) ସରକାର ପ୍ରତିଷ୍ଠା ହୋଇଛି । ପୂର୍ବ ଦଶ ବର୍ଷ ଲୋକସଭାରେ ବିଜେପିର ନିଜସ୍ୱ ସଂଖ୍ୟା ବଳ (୨୦୧୪ରେ ୨୮୨ ଓ ୨୦୧୯ରେ ୩୦୩) ଥିଲା ଏବଂ ଦେଶରେ ଏନଡିଏ ସରକାର ଥିଲେ ମଧ୍ୟ ବିଜେପିର ସାଂସଦ ସଂଖ୍ୟା ନିକଟରେ ଏନଡିଏର ଅନ୍ୟ ସହଯୋଗୀମାନେ ଏକ ପ୍ରକାର ନିଷ୍ପ୍ରଭ ଦିଶୁଥିଲେ । ଏଠାରେ ସୂଚନାଯୋଗ୍ୟ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀ ‘ଇଣ୍ଡି’ ମେଂଟର ନେତୃତ୍ୱ ନେବା ଆଶା ରଖିଥିବା ବେଳେ ମେଂଟରେ କଂଗ୍ରେସର ବଡଭାଇପଣ ତାଙ୍କ ପାଇଁ ଅସହ୍ୟ ଥିଲା । କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେ ବିରୋଧୀ ମେଂଟର ନେତା ଭାବେ ଚୟନ ହେବା ପରେ ନୀତୀଶ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ‘ଇଣ୍ଡି’ ମେଂଟ ଛାଡି ଏନଡିଏକୁ ଫେରି ଯାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ‘ଅବକି ବାର୍, ୪୦୦ ପାର୍’ ସ୍ଲୋଗାନ ଦେଇ ୨୦୨୪ ନିର୍ବାଚନ ଲଢିଥିଲେ ଏବଂ ବିରୋଧୀ ‘ଇଣ୍ଡି’ ମେଂଟ ବିଜେପିର ଦଶ ବର୍ଷର ଶାସନରେ ଦେଶର ସମ୍ବିଧାନ, ସାମ୍ବିଧାନିକ ସଂସ୍ଥା ଓ ଗଣତନ୍ତ୍ର ବିପନ୍ନ ହୋଇପଡିଥିବା ଦର୍ଶାଇ ବିଜେପିର ମୁକାବିଲା କରିଥିଲା । ବିଜେପି ଲୋକସଭାରେ ଏତେ ବଡ ସଂଖ୍ୟା ପାଇଲେ ଦେଶର ସମ୍ବିଧାନକୁ ବଦଳାଇ ଦେବ ଓ ବିଭିନ୍ନ ବର୍ଗଙ୍କ ପାଇଁ ଥିବା ଆରକ୍ଷଣ ସୁବିଧାକୁ ଉଚ୍ଛେଦ କରି ଦେବ ବୋଲି କଂଗ୍ରେସ ଓ ବିରୋଧୀ ମେଂଟ ନେତାଙ୍କ ପ୍ରଚାର ମତଦାନକୁ ପ୍ରଭାବିତ କଲା । ବିଜେପି ଏକାକୀ ସରକାର ଗଠନ ପାଇଁ ଆବଶ୍ୟକ ୨୭୨ ସଂଖ୍ୟା ମଧ୍ୟ ପାଇଲା ନାହିଁ । ବିରୋଧୀ ମେଂଟ ଏଳି ଏକ ଦମଦାର ସଫଳତା, ଲୋକସଭାରେ କଂଗ୍ରେସର ଆସନ ସଂଖ୍ୟା ୯୯କୁ ବୃଦ୍ଧି ପାଇବା ସହ ବିରୋଧୀ ମେଂଟର ସଂଖ୍ୟା ୨୩୪କୁ ବୃଦ୍ଧି ପାଇବା ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳ ନେତା ସହ ବିରୋଧୀ ମେଂଟ ନେତା ଭାବେ ସ୍ୱୀକୃତି ପାଇବା ‘ଇଣ୍ଡି’ ମେଂଟ ତଥା ତାହାର ନେତୃତ୍ୱ ନେଉଥିବା କଂଗ୍ରେସର ବଡ ସଫଳତା ବୋଲି ମେଂଟ ନେତାମାନେ ଧରି ନେଇଥିଲେ ଏବଂ ଲୋକସଭା ନିର୍ବାଚନ ପରବର୍ତ୍ତୀ ରାଜ୍ୟ ବିଧାନସଭା ନିର୍ବାଚନଗୁଡିକରେ ମଧ୍ୟ ତାହାର ପ୍ରତିଫଳନ ହେବ ବୋଲି ଆଶା କରିଥିଲେ । କଂଗ୍ରେସ ନେତୃତ୍ୱ ମଧ୍ୟ ମାତ୍ରାଧିକ ଆତ୍ମବିଶ୍ୱାସୀ ହୋଇ ସହଯୋଗୀଙ୍କୁ ଉପେକ୍ଷା କରି ଏକାକୀ ହରିୟାଣାରେ ବିଜେପିର ମୁକାବିଲା କରିଥିଲା । ହରିୟାଣାରେ ଦୀର୍ଘ ବର୍ଷ ଧରି ବିଜେପିର ସରକାର ଥିବାରୁ ସରକାରୀ ବିରୋଧୀ ହାୱା ଥିଲା । ତେଣୁ, କଂଗ୍ରସ ଆଶା କରିଥିଲା ବିଧାନସଭା ନିର୍ବାଚନରେ ଦଳର ସହଜ ବିଜୟ ହେବ । କିନ୍ତୁ, ଫଳାଫଳ କଂଗ୍ରେସ ପାଇଁ ନିରାଶାଜନକ ହେଲା । ବିଜେପି ସମସ୍ତ ସରକାରୀ ବିରୋଧୀ ହାୱାକୁ କାଟି ରାଜ୍ୟରେ ଲଗାତର ତୃତୀୟ ଥର ପାଇଁ କ୍ଷମତାକୁ ଆସିଲା । ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ନ୍ୟାସନାଲ କନ୍ଫରେନ୍ସ-କଂଗ୍ରେସ ମେଂଟ ବିଜୟୀ ହୋଇ ସରକାର କରିଥିଲେ ମଧ୍ୟ କଂଗ୍ରେସ ପ୍ରଦର୍ଶନରେ ନ୍ୟାସନାଲ କନ୍ଫରେନ୍ସ (ଏନସି) ନିରାଶ । ମୁଖ୍ୟମନ୍ତ୍ରୀ ଓମାର ଅବୁଦୁଲ୍ଲା କଂଗ୍ରେସର ସହଯୋଗ ନନେଇ ସରକାର କରିଛନ୍ତି । ନିକଟରେ ସରିଥିବା ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ‘ଇଣ୍ଡି’ ମେଂଟର ବିଜୟ ହୋଇ ଜେଏମଏମ ସରକାର କରିଛି ସତ, କିନ୍ତୁ ସମସ୍ତ ଶ୍ରେୟ ଜେଏମଏମକୁ ଯାଉଛି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମହାମେଂଟ ୨୮୮ରୁ ୨୩୦ ଆସନ ପୋଛି ନେଇଛି । କଂଗ୍ରେସ ସାମିଲ ଥିବା ମହା ବିକାଶ ଅଘାଡି (ଏମଭିଏ) ମାତ୍ର ୪୬ ଆସନ ପାଇ ନିର୍ବାଚନ ବିପର୍ଯ୍ୟୟ ପାଇଁ ଇଭିଏମ୍ କୁ ଦାୟି କରୁଛି । ଏମଭିଏର ମୁଖ୍ୟ ଅଂଶୀଦାର ଥିବା ଶିବସେନା (ୟୁବିଟି) ସର୍ବାଧିକ ୨୦ ଆସନରେ ବିଜୟୀ ହୋଇଛି । ନିର୍ବାଚନ ପୂର୍ବରୁ ଶିବସେନା ୟୁବିଟି ଦାବି କରୁଥିଲା ଦଳର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରି ଏମଭିଏ ନିର୍ବାଚନକୁ ଯିବାକୁ । ତେବେ, କଂଗ୍ରେସ ଓ ଏନସିପି (ଶରଦଚନ୍ଦ୍ର ପାୱାର) ତାହାକୁ ଅଗ୍ରାହ୍ୟ କରି ନିର୍ବାଚନ ଫଳାଫଳ ଆସିବା ପରେ ‘ମୁଖ୍ୟମନ୍ତ୍ରୀ’ କିଏ ହେବ ନିଷ୍ପତ୍ତି ହେବ ବୋଲି ଗଡାଇ ଥିଲେ । ଏବେ, ଶିବସେନା (ୟୁବିଟି) ଦାବି କରୁଛି ଉଦ୍ଧବ ମୁଖ୍ୟମନ୍ତ୍ରୀ ମୁହଁ ହୋଇଥିଲେ ନିର୍ବାଚନ ଫଳାଫଳ ଭିନ୍ନ ହୋଇଥା’ନ୍ତା । ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ବିରୋଧୀ ମେଂଟ ନେତାମାନଙ୍କୁ ଏତେଦୂର ନିରାଶ କରିଛି ଯେ ପଶିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମେଂଟ ନେତୃତ୍ୱର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ବିରୋଧୀ ମେଂଟ ଚାହିଁଲେ ସେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ରହିବା ସହ ସହ ବିରୋଧୀ ମେଂଟର ନେତୃତ୍ୱ ନେବାକୁ ପ୍ରସ୍ତୁତ ବୋଲି ଗତକାଲି ବୟାନ ଦେଇ ବିରୋଧୀ ମେଂଟରେ ଭୂକଂପ ସୃଷ୍ଟି କରିଛନ୍ତି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଓ ଏନସିପି (ଏସପି) ମୁଖ୍ୟ ଶରଦ ପାୱାର ମମତାଙ୍କୁ ସମର୍ଥନ କରି ଆଜି ବୟାନ ଦେଇଛନ୍ତି । ଶରଦ ପାୱାର କହିଛନ୍ତି, ଟିଏମସି (ତୃଣମୂଳ କଂଗ୍ରେସ ପାର୍ଟି) ମୁଖ୍ୟ ମମତା ବାନାର୍ଜୀ ହେଉଛନ୍ତି ଜଣେ ଦକ୍ଷ ନେତ୍ରୀ ଓ ‘ଇଣ୍ଡି’ ମେଂଟର ନେତୃତ୍ୱ ନେବାକୁ ଯୋଗ୍ୟ । ମମତା କେବଳ ନିଜର ଇଚ୍ଛା ବ୍ୟକ୍ତ କରିଛନ୍ତି । ସେ ଯେଉଁ ସାଂସଦମାନଙ୍କୁ ସଂସଦକୁ ପଠାଇଛନ୍ତି ସେମାନେ ପରିଶ୍ରମି ଓ ଦକ୍ଷ । ଶରଦ ପାୱାରଙ୍କ ଝିଅ ତଥା ଏନସିପି (ଏସପି) ସାଂସଦ ସୁପ୍ରିୟା ସୁଲେ ମଧ୍ୟ ମମତାଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି । ତେବେ, ମମତାଙ୍କ ବୟାନ କଂଗ୍ରେସରେ ଭୃକୁଂଚନ ସୃଷ୍ଟି କରିଛି । ୨୦୨୫ରେ ଫେବୃୟାରୀ ପୂର୍ବରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ହେଉଛି । ଦିଲ୍ଲୀରେ ଅରବିନ୍ଦ କେଜରୀୱାଲଙ୍କ ‘ଆମ୍ ଆଦମୀ ପାର୍ଟି’ (ଆପ୍) ସରକାର ରହିଛି । କେଜରୀୱାଲ ଘୋଷଣା କରି ସାରିଲେଣି ଦିଲ୍ଲୀ ବିଧାନସଭା ନିର୍ବାଚନରେ ‘ଆପ୍’ କଂଗ୍ରେସ ସହ କୌଣସି ମେଂଟ କରିବ ନାହିଁ, ଏକାକୀ ନିର୍ବାଚନ ଲଢିବ । ୨୦୨୬, ୨୦୨୭ରେ ବିହାର, ୟୁପିରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବିଜେପି ଓ ତାହାର ସହଯୋଗୀ ଦଳମାନେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏପର୍ଯ୍ୟନ୍ତ କୌଣସି ରଣନୀତି ପ୍ରସ୍ତୁତ କରିଥିବା ଦେଖିବାକୁ ମିଳୁନାହିଁ । ସେ ସମ୍ବିଧାନର ନକଲ ଧରି ଦେଶର ସମ୍ବିଧାନ ସଂକଟରେ ଥିବା ଘୋଷା ପାଠ ପଢୁଛନ୍ତି । ଏଭଳି ସ୍ଥିତିରେ ‘ଇଣ୍ଡି’ ମେଂଟ ବିଜେପିକୁ ମୁକାବିଲା କଲା ଭଳି ଏକ ଶକ୍ତିଶାଳୀ ନେତୃତ୍ୱର ଆବଶ୍ୟକତା ଅନୁଭବ କରୁଛି । ମମତାଙ୍କ ବୟାନ ମେଂଟ ଭିତରେ ଥିବା କ୍ଷୋଭକୁ ପ୍ରତିଫଳିତ କରିଛି । ଆଗକୁ କଣ ହେବ, ତାହା ‘ଇଣ୍ଡି’ ମେଂଟର ସବୁ ନେତା ଏକାଠି ବସି ମାନସମନ୍ଥନ କରିବା ପରେ ହିଁ ଜଣାପଡିବ । କଂଗ୍ରେସ ବଡଭାଇ ରହିବ କି ନେତୃତ୍ୱ ମମତାଙ୍କ ଭଳି ଜଣେ ଦକ୍ଷ ନେତାଙ୍କ ହାତକୁ ଯିବ – ତାହା ସ୍ପଷ୍ଟ ହୋଇଯିବ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS