ମହାରାଷ୍ଟ୍ରରେ ଏମଭିଏରୁ ଓହରିଲା ସମାଜବାଦୀ ପାର୍ଟି
ପ୍ରସାଦ ରାଓ
ଡିସେମ୍ବର ୦୭
ମହାରାଷ୍ଟ୍ରରେ ବିରୋଧୀ ମହା ବିକାଶ ଅଘାଡିରୁ ଓହରି ଯାଇଛି ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି (ଏସପି) । ଶିବସେନା (ୟୁବିଟି) ନେତା ମିଳିନ୍ଦ ନରୱେକରଙ୍କ ଏକ ‘ଏକ୍ସ’ ପୋଷ୍ଟକୁ ନେଇ କ୍ଷୁବ୍ଧ ଥିବା ସମାଜବାଦୀ ପାର୍ଟି ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଅଯୋଧ୍ୟା ବାବରୀ ମସଜିଦ ଭଂଗାର ୩୨ତମ ବାର୍ଷିକୀ ଅବସରରେ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କ ଘନିଷ୍ଟ କୁହାଯାଉଥିବା ନରୱେକର ‘ଏକ୍ସ’ରେ ବାବରୀ ମସଜିଦ ଭଂଗା ସପକ୍ଷରେ ମତ ଦେଇ ଏକ ପୋଷ୍ଟ୍ କରିଛନ୍ତି, ଯାହାକି ସମାଜବାଦୀ ପାର୍ଟିକୁ କ୍ଷୁବ୍ଧ କରିଛି । ଏହି ପୋଷ୍ଟରେ ନରୱେକର ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକରେ, ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ, ବିଧାୟକ ଆଦିତ୍ୟ ଠାକରେଙ୍କ ଫଟୋ ସହ ନିଜ ଫଟୋ ମଧ୍ୟ ରଖିଛନ୍ତି । ‘ଯେଉଁମାନେ ବାବରୀ ମସଜିଦ ଭାଂଗିଛନ୍ତି ସେମାନଙ୍କ ପାଇଁ ମୁଁ ଗର୍ବିର୍ତ’ ବୋଲି ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକରେ ବାବରୀ ମସଜିଦ ଭଂଗା ସମୟରେ ଯେଉଁ ମନ୍ତବ୍ୟ ଦେଇଥିଲେ ତାହା ଏହି ପୋଷ୍ଟ୍ ରେ ଅବିକଳ ଉଲ୍ଲେଖ ରହିଛି । ଆଜି ମହାରାଷ୍ଟ୍ର ବିଧାନସଭାର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଏହି ପୋଷ୍ଟ୍ ସମାଜବାଦୀ ପାର୍ଟିକୁ କ୍ଷୁବ୍ଧ କରିଛି । ‘ସମାଜବାଦୀ ପାର୍ଟି ସାଂପ୍ରଦାୟିକ ଚିନ୍ତାଧାରା ସହ କେବେ ରହି ନାହିଁ, ତେଣୁ ଆମେ ଏମଭିଏରୁ ନିଜକୁ ଅଲଗା କରି ନେଉଛୁ’ ବୋଲି ଦଳର ମହାରାଷ୍ଟ୍ର ରାଜ୍ୟ ସଭାପତି ଆବୁ ଅସୀମ ଆଜମୀ କହିଛନ୍ତି । ସେ ଏକଥା ଦଳର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବଙ୍କୁ ଜଣାଇ ଦେଇଛନ୍ତି ବୋଲି ମଧ୍ୟ ସୂଚିତ କରିଛନ୍ତି । ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକମାନଙ୍କୁ ଶପଥ ପାଠ କରାଇବା ସକାଶେ ବିଧାନସଭାର ଏହି ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଆଜି ବିରୋଧୀ ମହା ବିକାଶ ଅଘାଡି (ଏମଭିଏ)ର ବିଧାୟକମାନେ ଶପଥ ଗ୍ରହଣ ବର୍ଜନ କରି କକ୍ଷତ୍ୟାଗ କରିଥିଲେ । ତେବେ, ବିଧାନସଭାକୁ ନିର୍ବାଚିତ ହୋଇଥିବା ସମାଜବାଦୀ ପାର୍ଟି (ଏସପି)ର ଦୁଇ ବିଧାୟକ ରାଜ୍ୟ ସଭାପତି ଆବୁ ଅସୀମ ଆଜମୀ ଓ ଦଳର ନେତା ରଇସ ଶେଖ୍ ଆଜି ଏମଭିଏର ଆହ୍ୱାନକୁ ଏଡାଇ ବିଧାୟକ ଭାବେ ଶପଥ ନେଇଛନ୍ତି । ଯଦି ମହା ବିକାଶ ଅଘାଡିର କେହି ନେତା ଏଭଳି ଭାଷା କହିପାରୁଛି ବିଜେପି ଓ ଏମଭିଏ ମଧ୍ୟରେ ଫରକ ରହିଲା କେଉଁଠି (?) ସମାଜବାଦୀ ପାଟିର ଏହି ଦୁଇ ନେତା ପ୍ରଶ୍ନ କରିଛନ୍ତି । ସେମାନେ କହିଛନ୍ତି, ଏମଭିଏ ଗଠନର ଦୁଇଟି ମୌଳିକ ଉପାଦାନ ଥିଲା । ଗୋଟିଏ ହେଉଛି, ସମ୍ବିଧାନକୁ ସୁରକ୍ଷିତ ରଖିବା ଓ ଅନ୍ୟଟି ଧର୍ମନିରପେକ୍ଷତା ମୂଲ୍ୟବୋଧ ବଜାୟ ରଖିବା । ଗତ ଲୋକସଭା ଓ ବିଧାନସଭା ନିର୍ବାଚନରେ ଶିବସେନା ଏମଭିଏ ନାମରେ ଭୋଟ ପାଇଛି । ସବୁ ଧର୍ମ ଓ ଧର୍ମନିରପେକ୍ଷ ମନୋଭାବ ରଖିଥିବା ଭୋଟର ଏମଭିଏକୁ ଭୋଟ ଦେଇଛନ୍ତି । ଶିବସେନା (ୟୁବିଟି)ର ଜଣେ ନେତା ବାବରୀ ମସଜିଦ ଭଂଗାକୁ ସମର୍ଥନ କରି ବୟାନ ରଖିବା କେତେଦୂର ଯୁକ୍ତିସଂଗତ ତାହା ଉଦ୍ଧବ-ସେନା ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ସମାଜବାଦୀ ପାର୍ଟିର ଦୁଇ ନେତା ଆହ୍ୱାନ ଦେଇଛନ୍ତି । ମହାରାଷ୍ଟ୍ର ରାଜ୍ୟପାଳ ସି.ପି.ରାଧାକ୍ରିଷ୍ଣନଙ୍କ ଦ୍ୱାରା କାମଚଳା ବାଚସ୍ପତି ଭାବେ ନିଯୁକ୍ତ ବରିଷ୍ଠ ବିଜେପି ବିଧାୟକ କାଳୀଦାଶ କୋଲାମ୍ବକର ଆଜି ନିଜେ ଶପଥ ନେବା ସହ ନବ ନିର୍ବାଚିତ ବିଧାୟକମାନଙ୍କୁ ଶପଥ ପାଠ କରାଇବା ଆରମ୍ଭ କରିଛନ୍ତି । ଏମଭିଏ ବିଧାୟକମାନେ ଶପଥ ଗ୍ରହଣକୁ ବର୍ଜନ କରି କକ୍ଷତ୍ୟାଗ କରିବା ସହ ବିଧାନସଭା ପରିସରରେ ଥିବା ଛତ୍ରପତି ଶିବାଜୀ ପ୍ରତିମୂର୍ତ୍ତି ନିକଟରେ ଏକାଠି ହୋଇଥିଲେ ଏବଂ ନିର୍ବାଚନରେ ମହାୟୁତିର ବିପୁଳ ବିଜୟ ପଛରେ ଜନାଦେଶ ନାହିଁ, ଇଭିଏମ୍ ଜାଲିଆତି ରହିଛି ବୋଲି ସେମାନଙ୍କ ମତ ଉପସ୍ଥାପନ କରିଥିଲେ । ବିଧାନସଭାର ଏହି ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନରେ ନବ ନିର୍ବାଚିତ ବିଧାୟକମାନଙ୍କୁ ଶପଥ ପାଠ କରାଯିବା ସହ ବାଚସ୍ପତି ନିର୍ବାଚନ ହେବ । ନୂଆ ସରକାର ଆସ୍ଥା ଭୋଟ ଲୋଡିବେ । ଶେଷରେ, ରାଜ୍ୟପାଳ ବିଧାନସଭାରେ ତାଙ୍କ ଅଭିଭାଷଣ ରଖିବା କାର୍ଯ୍ୟକ୍ରମ ରହିଛି । ନଭେମ୍ବର ୨୦ ତାରିଖରେ ଅନୁଷ୍ଠିତ ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପି, ଶିବସେନା ଓ ଏନସିପି ମହାମେଂଟ ବା ମୟାହୁତିକୁ ୨୩୦ ଆସନ ମିଳିଥିବା ବେଳେ ବିରୋଧୀ ମହା ବିକାଶ ଅଘାଡି (ଏମଭିଏ)କୁ ମାତ୍ର ୪୬ ଆସନ ମିଳିଛି । ତେଣୁ, ଏମଭିଏ ଏହାକୁ ଜନାଦେଶ ନୁହେଁ, ଇଭିଏମ୍ ଜାଲିଆତି କହି ଫଳାଫଳକୁ ଗ୍ରହଣ କରୁନଥିବା ବେଳେ ସେମାନେ ବିଧାନସଭା ଅଧିବେଶନକୁ ବର୍ଜନ ନକରି ପ୍ରମାଣ ସହ ଭାରତୀୟ ନିର୍ବାଚନ କମିଶନ ବା କୋର୍ଟକୁ ଯିବା ଆବଶ୍ୟକ ବୋଲି ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି । ଗତ ୫ ତାରିଖ ଦିନ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିସ ମୁମ୍ବାଇ ଆଜାଦ ମେଇଦାନରେ ମୁଖ୍ୟମନ୍ତ୍ରୀ ଏବଂ ଶିବସେନା ନେତା ଏକନାଥ ସିନ୍ଧେ ଓ ଏନସିପି ନେତା ଅଜିତ ପାୱାର ଦୁଇ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ବୁଧବାର ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବହୁ କେନ୍ଦ୍ର ମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶାସକ ମହାୟୁତି ‘ସୁନାମୀ’ ସୃଷ୍ଟି କରିଥିବା ବେଳେ ବିରୋଧୀ ମହା ବିକାଶ ଅଘାଡି (ଏମଭିଏ) ଏକପ୍ରକାର ନିଶ୍ଚିହ୍ନ ହୋଇଯାଇଛି । ଏବେ, ୩୨ ବର୍ଷ ତଳେ ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକରେ ବାବରୀ ମସଜିଦ ଭଂଗାକୁ ନେଇ ଦେଇଥିବା ମନ୍ତବ୍ୟକୁ ଆଧାର କରି ଶିବସେନା (ୟୁବିଟି) ନେତା ନରୱେକରଙ୍କ ‘ଏକ୍ସ’ ପୋଷ୍ଟ୍ ଏମଭିଏରେ ଆଉ ଏକ ‘ସୁନାମୀ’ ଆଣିଛି । ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ପିତା ବାଲାସାହେବ ଠାକରେଙ୍କ କଟ୍ଟର ‘ହିନ୍ଦୁତ୍ୱ’ ନୀତିରୁ ଦୂରେଇ ଯିବା କାରଣରୁ ମହାରାଷ୍ଟ୍ର ଜନତା ତାଙ୍କୁ ଭୋଟ ମାଧ୍ୟମରେ ନକାରି ଦେଇଛନ୍ତି ବୋଲି ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ଲଗାତର ବୟାନବାଜୀ କରୁଥିବାରୁ ଉଦ୍ଧବ ପୁନର୍ବାର କଟ୍ଟର ହିନ୍ଦୁତ୍ୱ ଆଡକୁ ଢଳୁଥିବା ମିଳିନ୍ଦ ନରୱେକରଙ୍କ ‘ଏକ୍ସ’ ପୋଷ୍ଟ୍ କୁ ନେଇ ଅନୁମାନ କରାଯାଉଥିବା ବେଳେ ଠାକରେ କହିଛନ୍ତି, ମହାୟୁତିର ଅବିଶ୍ୱସନୀୟ ବିଜୟ ଜନାଦେଶ ନୁହେଁ, ଇଭିଏମ୍ ଜାଲିଆତି ଓ ଭାରତୀୟ ନିର୍ବାଚନ କମିଶନଙ୍କ ସହଯୋଗରୁ ସମ୍ଭବ ହୋଇଛି । ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପଟୋଲେ ଓ ଏନସିପି ନେତା ଜିତେନ୍ଦ୍ର ଅୱଧ ମଧ୍ୟ ଏଥିରେ ସହମତି ପ୍ରକାଶ କରି ତାହାକୁ ଅଗଣତାନ୍ତ୍ରିକ କହିବା ସହ ନିର୍ବାଚନ ଇଭିଏମ୍ ମାଧ୍ୟମରେ ନୁହେଁ, ବ୍ୟାଲଟ ପେପରରେ କରାଯିବା ସପକ୍ଷରେ ଦାବି ଉପସ୍ଥାପନ କରିଛନ୍ତି । ଏବେ, ସମାଜବାଦୀ ପାର୍ଟି (ଏସପି)ର ମହାରାଷ୍ଟ୍ର ଶାଖା ମହା ବିକାଶ ଅଘାଡି (ଏମଭିଏ) ସହ ସଂପର୍କ ଛିନ୍ନ କରିଥିବା ଘୋଷଣା କରିଥିବାରୁ ଆଗକୁ ରାଜ୍ୟ ରାଜନୀତି କୁଆଡେ ଯାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିବ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS