କଂଗ୍ରେସ ରାଜ୍ୟସଭା ସାଂସଦଙ୍କ ଆସନରୁ ମିଳିଲା ୫୦୦ଟଙ୍କିଆ ବଣ୍ଡଲ !
ପ୍ରସାଦ ରାଓ
ଡିସେମ୍ବର ୦୬
ଗତକାଲି ରାଜ୍ୟସଭା ଅଧିବେଶନ ସରିବା ପରେ ରାଜ୍ୟସଭା ଗୃହରେ ଆଂଟି-ସାବୋଟଜ୍ ଯାଂଚ ସମୟରେ ସୁରକ୍ଷା କର୍ମୀଙ୍କୁ ମିଳିଛି ୫୦୦ ଟଙ୍କିଆ ନୋଟ ଥିବା ଏକ ବଂଡଲ । ତାହା ମଧ୍ୟ କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂଘଭିଙ୍କ ନାମରେ ଅଲଟ୍ ହୋଇଥିବା ଆସନରୁ । ବଂଡଲରେ ୧୦୦ଟି ୫୦୦ ଟଙ୍କିଆ ନୋଟ ଅର୍ଥାତ ୫୦ ହଜାର ଟଙ୍କା ଥିବା ଅନୁମାନ କରାଯାଉଛି । ଆଜି ସକାଳେ ରାଜ୍ୟସଭା ଅଧିବଶେନ ଆରମ୍ଭ ହେବା ମାତ୍ରେ ଉପ ରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ଗୃହରେ ଏହି ସୂଚନା ଦେବା ସହ ଟଂକା କାହାର ଜାଣିବାକୁ ଚାହିଁଥିଲେ । ତେବେ, କେହି ଦାବିଦାର ସାମ୍ବାକୁ ନ ଆସବାରୁ ରାଜ୍ୟସଭା ଗୃହକୁ ଅବୈଧ ଭାବେ ଏତେ ପରିମାଣର ଟଙ୍କା କେମିତି ଆସିଲା ତାହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅଧ୍ୟକ୍ଷ ଓନକର ନିର୍ଦେଶ ଦେଇଛନ୍ତି । ତଦନ୍ତ ପାଇଁ ଗଠନ ହେଉଥିବା ଉଚ୍ଚସ୍ତରୀୟ କମିଟିରେ ବିଭିନ୍ନ ସୁରକ୍ଷା ସଂସ୍ଥା ଓ ରାଜ୍ୟସଭା ସଚିବାଳୟର ଅଧିକାରୀ ଏବଂ ବରିଷ୍ଠ ସାଂସଦମାନେ ରହିବେ ବୋଲି ଧନକର ଘୋଷଣା କରିଛନ୍ତି । ଏହି ଘଟଣା ଆଜି ସଂସଦରେ ଆଲୋଡନ ସୃଷ୍ଟି କରିଛି । ନିକଟରେ ତେଲେଂଗାନାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ଆସିଥିବା କଂଗ୍ରେସ ସାଂସଦ ସିଂଘଭିଙ୍କୁ ରାଜ୍ୟସଭାର ୨୨୨ ନମ୍ବର ଆସନ ଆଲଟ୍ ହୋଇଛି । ଗୁରୁବାର ରାଜ୍ୟସଭା ଅଧିବେଶନ ସରିବା ପରେ ନିୟମିତ ହେଉଥିବା ଆଂଟି-ସାବୋଟେଜ୍ ଯାଂଚ ହୋଇଥିଲା । ଯାଂଚ ସମୟରେ ରାଜ୍ୟସଭାର ୨୨୨ ନମ୍ବର ଆସନରୁ ସୁରକ୍ଷା କର୍ମୀଙ୍କୁ ଏହି ଟଙ୍କା ମିଳିଥିଲା । ସେମାନେ ଏହି ଟଙ୍କାକୁ ରାଜ୍ୟସଭା ସଚିବାଳୟର ‘ଲ୍ଟ ଏଣ୍ଡ ଫାଉଣ୍ଡ’ କାଉଂଟରରେ ଜମା କରି ଦେଇଥିଲେ । କଂଗ୍ରେସ ସାଂସଦ ସିଂଘଭି ଆଜି ରାଜ୍ୟସଭା ଅଧ୍ୟକ୍ଷଙ୍କଠାରୁ ତାଙ୍କ ଆସନରୁ ୫୦୦ ଟଙ୍କିଆ ବଂଡଲ ମିଳିଥିବା ସୂଚନା ପାଇବା ପରେ ବିସ୍ମିତ ହୋଇଥିଲେ । ସିଂଘଭି କହିଛନ୍ତି, ଗତକାଲି ସେ ଗୋଟିଏ ମାତ୍ର ୫୦୦ଟଙ୍କିଆ ନୋଟ ଧରି ସଂସଦକୁ ଆସିଥିଲେ । ୧୨ଟା ୫୭ ମିନିଟ ସମୟରେ ରାଜ୍ୟସଭା ଗୃହରେ ପ୍ରବେଶ କରିଥିଲେ ଏବଂ ଅପରାହ୍ନ ଗୋଟାଏ ସମୟରେ ଗୃହ ଛାଡି ରାଜ୍ୟସଭା କ୍ୟାଂଟିନକୁ ଯାଇଥିଲେ । ସେଠାରେ ସେ ୩୦ ମିନିଟ ରହିଥିଲେ । ମଧ୍ୟାହ୍ନ ଭୋଜନ ସାରି ବାହାରି ଯାଇଥିଲେ । ରାଜ୍ୟସଭାରେ ସାଂସଦଙ୍କ ଆସନରେ କିଏ, କଣ, କେମିତି କିଛି ହେଲେ ରଖି ଦେଉଛି (?) ବୋଲି ସିଂଘଭି ପାଲଟା ପ୍ରଶ୍ନ କରିବା ସହ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଥିଲେ । ଏଭଳି ହେବା ପ୍ରଥମ ଥର ପାଇଁ ସେ ଶୁଣୁଛନ୍ତି ବୋଲି ସିଂଘଭି କହିଛନ୍ତି । ବିରୋଧୀଙ୍କ ପକ୍ଷରୁ ମଧ୍ୟ ଏହି ଘଟଣାର ତଦନ୍ତ ଦାବି ହୋଇଛି । ଆଜି ରାଜ୍ୟସଭାରେ ସାଂସଦଙ୍କ ଆସନରେ କେହି ଟଙ୍କା ବଂଡଲ ଥୋଇଲା, ଆସନ୍ତା କାଲି ଆଉ କଣ ଥୋଇବ । ସଂସଦ ଚବିଶି ଘଂଟିଆ ସିସିଟିଭି ନିରୀକ୍ଷଣରେ ରହିଛି । ଏଫବିଆଇର ସହାୟତା ନିଆଯାଉ ବା ଇଂଟରପୋଲର… ବାସ୍ତବ ସତ୍ୟ ସାମ୍ନାକୁ ଅଣାଯାଉ ବୋଲି ଶିବସେନା (ୟୁବିଟି) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଦାବି କରିଛନ୍ତି । ଏହି ଘଟଣାକୁ ନେଇ ଆଜି ରାଜ୍ୟସଭାରେ ତୁମ୍ବିତୋଫାନ ହୋଇଥିଲା । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଥିଲେ, କଂଗ୍ରେସ ସାଂସଦ ସିଂଘଭିଙ୍କ ନାମରେ ଆଲଟ୍ ହୋଇଥିବା ଆସନରୁ ୫୦୦ ଟଙ୍କିଆ ବଂଡଲ ମିଳିବା ଘଟଣାର ତଦନ୍ତରେ ତାଙ୍କର କୌଣସି ଆପତ୍ତି ନାହିଁ । ତେବେ, ଘଟଣା ତଦନ୍ତସ୍ତରରେ ଥିବା ସମୟରେ ଗୃହର ଅଧ୍ୟକ୍ଷ ସଂପୃକ୍ତ ସାଂସଦଙ୍କ ନାମ ପ୍ରକାଶ କରିବା ଉଚିତ ନଥିଲା । ବିଜେପି ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ର ମନ୍ତ୍ରୀ ଜେ.ପି.ନଡ୍ଡା ଘଟଣାକୁ ରାଜ୍ୟସଭାର ସ୍ୱାଭିମାନ ପ୍ରତି ‘ଅପମାନ’ ବୋଲି ମନ୍ତବ୍ୟ ଦେବା ପରେ ଗୃହରେ ସରକାରୀ ଦଳ ଓ ବିରୋଧୀଙ୍କ ମଧ୍ୟରେ ହଟ୍ଟଗୋଳ ହୋଇଥିଲା । ବିଜେପି ସାଂସଦ ସୁଧାଂଶୁ ତ୍ରିବେଦୀ ଗଣମାଧ୍ୟମରେ କହିଛନ୍ତି, କଂଗ୍ରେସ ସାଂସଦଙ୍କ ଆସନରୁ ମିଳିଥିବା ୫୦୦ ଟଙ୍କିଆ ବଂଡଲର ଦାବିଦାର କିଏ (?) ତାହା ରାଜ୍ୟସଭା ଅଧ୍ୟକ୍ଷ ଜାଣିବାକୁ ଅପେକ୍ଷା କରିଥିଲେ । କେହି ଦାବିଦାର ନ ଆସିବାରୁ ସେ କଥା ଗୃହ ସମ୍ମୁଖରେ ରଖିଥିଲେ । ବିରୋଧୀ ଘଟଣାକୁ ନେଇ ସ୍ପଷ୍ଟୀକରଣ ଦେବା ବା ୫୦୦ ଟଙ୍କିଆ ବଂଡଲର ଦାବିଦାର ହେବା ବଦଳରେ ବିରୋଧ ଆରମ୍ଭ କରିବା ଆଶ୍ଚର୍ଯ୍ୟର ବିଷୟ । ଏହାର ଅର୍ଥ ହେଉଛି, ସେମାନଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣର ଅର୍ଥ ରହିଛି, ସେମାନେ ଏଠି, ସେଠି ଟଙ୍କା ଛାଡି ମଧ୍ୟ ତାହା ସେମାନଙ୍କର ବୋଲି ଦାବି କରୁନାହାନ୍ତି । ଏଇଥି ପାଇଁ ବୋଧହୁଏ କଂଗ୍ରେସ ବିରୋଧରେ ବହୁ ଦୁର୍ନୀତି ଅଭିଯୋଗ ରହିଛି ବୋଲି ତ୍ରିବେଦୀ କଟାକ୍ଷ କରିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS