ସିନ୍ଧେଙ୍କ ନିକଟରେ ଅନ୍ୟ ବିକଳ୍ପ ନଥିଲା…


ପ୍ରସାଦ ରାଓ
ଡିସେମ୍ବର ୦୬
ବିଜେପି ନେତା ତଥା ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ବୁଧବାର ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଗୁରୁବାର ସନ୍ଧ୍ୟାରେ ଶିବସେନା-ବିଜେପି-ଏନସିପି ମେଂଟ ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତାଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶିବସେନା ନେତା ଏକନାଥ ସିନ୍ଧେ ଓ ଏନସିପି ନେତା ଅଜିତ ପାୱାର । ଗୁରୁବାର ସନ୍ଧ୍ୟା ସାଢେ ପାଂଚଟାରେ ମୁମ୍ବାଇର ଆଜାଦ ମଇଦାନରେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀଙ୍କ ଶପଇ ପାଠ କରାଇ ଥିଲେ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ । ଫଡନାଭିସ ବୁଧବାର ଶାସକ ମହାମେଂଟ ବା ମହାୟୁତିର ନେତା ମଧ୍ୟ ନିର୍ବାଚିତ ହୋଇଥିଲେ ଏବଂ ବା ଗୁରୁବାର ସନ୍ଧ୍ୟାରେ ତୃତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଫଡନାଭିସ ୨୦୧୪ରୁ ୨୦୧୯ ମେ’ ପର୍ଯ୍ୟନ୍ତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଥିଲେ । ପରେ, ୨୦୧୯ରେଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ସର୍ବାଧିକ ୧୦୫ ଆସନରେ ବିଜୟୀ ହୋଇ ଏକକ ବୃହତ ଦଳ ଭାବେ ଉଭା ହୋଇଥିଲା ଏବଂ ମେଂଟରେ ଥିବା ଅବିଭକ୍ତ ଶିବସେନାର ସହଯୋଗରେ ସରକାର ଗଠନ ନିମନ୍ତେ ପ୍ରସ୍ତୁତି ହେଉଥିଲା । ତେବେ, ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି ଓ ଶିବସେନାରେ ବିଭେଦ ସୃଷ୍ଟି ହେବାରୁ ଶିବସେନା ବିଜେପି ସହ ମେଂଟରୁ ଓହରି ଯାଇଥିଲା । ତଥାପି, ଏନସିପି ନେତା ଅଜିତ ପାୱାରଙ୍କ ସମର୍ଥନ ପାଇ ଫଡନାଭିସ ଦ୍ୱତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତାଙ୍କୁ ସମର୍ଥନ ଦେଇଥିବା ଅଜିତ ପାୱାର ଫଡନାଭିସଙ୍କ ସରକାରରେ ଉପ ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ, ଏନସିପି ମୁଖ୍ୟ ଶରଦ ପାୱାର ଏହାକୁ ସମର୍ଥନ ନ ଦେବାରୁ ଫଡନାଭିସଙ୍କ ଦ୍ୱିତୀୟ ସରକାର ମାତ୍ର ତିନି ଦିନରେ ଭାଂଗି ଯାଇଥିଲା । ଉଭୟ ଫଡନାଭିସ ଓ ପାୱାର ବାଧ୍ୟବାଧକତାରେ ଇସ୍ତଫା ଦେଇଥିଲେ । ଅପରପକ୍ଷରେ, ଶିବସେନା ନେତା ଉଦ୍ଧବ ଠାକରେ ଶରଦ ପାୱାର ନେତୃତ୍ୱାଧୀନ ଏନସିପି ଓ କଂଗ୍ରେସ ସହ ମେଂଟରେ ମହା ବିକାଶ ଅଘାଡି (ଏମଭିଏ) ସରକାର ଗଠନ କରି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ, ଉଦ୍ଧବ ସରକାର ମାତ୍ର ଅଢେଇ ବର୍ଷ ପରେ ଶାାସନରୁ ବିଦା ନେବାକୁ ବାଧ୍ୟ ହୋଇଥିଲେ । ୨୦୨୨ ଜୁନରେ ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ଶିବସେନାରେ ବିଦ୍ରୋହର ସୂତ୍ରପାତ ହୋଇଥିଲା ଏବଂ ସରକାର ସଂଖ୍ୟାଲଘୁ ହେବାରୁ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ଶିବସେନା ବିଦ୍ରୋହୀ ନେତା ସିନ୍ଧେ ନିଜର ୪୦ ଜଣ ସମର୍ଥକ ବିଧାୟକଙ୍କ ସହ ଭିନ୍ନ ଗୋଷ୍ଠୀ ଗଠନ କରି ରାଜ୍ୟରେ ବିଜେପି ସମର୍ଥନରେ ସରକାର କରିଥିଲେ ଏବଂ ବିଜେପି -ସିନ୍ଧେ ଶିବସେନା ମେଂଟ ସରକାରରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୧୯ରେ ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେପି ରାଜନୈତିକ ଖେଳ ଖେଳିଥିଲା ସିନା ବିଦ୍ରୋହୀ ଶିବସେନା ନେତାଙ୍କୁ ସିନ୍ଧେଙ୍କୁ ଦେଇଥିବା ପ୍ରତିଶ୍ରୁତି ମୁତାବକ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଫଡନାଭିସଙ୍କୁ ତାଙ୍କ ଡେପୁଟୀ ବା ଉପ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାକୁ ବାଧ୍ୟ କରିଥିଲା । ଅନିଚ୍ଛା ସତ୍ତ୍ୱେ ଦଳୀୟ ଶୃଙ୍ଖଳା କାରଣରୁ ଫଡନାଭିସ ଗଲା ଅଢେଇ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଅଧିନରେ ଉପ ମୁଖ୍ୟମନ୍ତ୍ରୀ ରହିବାକୁ ବାଧ୍ୟ ହୋଇଥିଲେ । ତେବେ, ଫଡନାଭିସଙ୍କ ଭାଗ୍ୟ ଉଦୟ ହୋଇଛି ୨୦୨୪ ବିଧାନସଭା ନିର୍ବାଚନରେ । ମହାରାଷ୍ଟ୍ର ବିଧାନସଭାର ୨୮୮ ଆସନରୁ ବିଜେପି ଏକକୀ ୧୩୨ ଆସନରେ ବିଜୟୀ ହୋଇ ୨୦୧୪ ଓ ୨୦୧୯ର ରେକର୍ଡ ଭାଂଗି ଥିଲେ ମଧ୍ୟ ସରକାର ଗଠନରୁ ମାତ୍ର ୧୩ଟି ଆସନ ପଛରେ ରହି ମହାମେଂଟ ସରକାର ଗଠନ କରିବାକୁ ବାଧ୍ୟ ହୋଇଛି । ମହାୟୁତିରେ ଥିବା ସିନ୍ଧେଙ୍କ ଶିବସେନା ୫୭ ଓ ଅଜିତ ପାୱାରଙ୍କ ଏନସିପି ୪୧ ଆସନରେ ବିଜୟୀ ହୋଇ ମହାରାଷ୍ଟ୍ରକୁ ଏକ ସୁଦୃଢ ମିଳିତ ସରକାର ଦେଇଛନ୍ତି । ତେବେ, ନିର୍ବାଚନ ପରେ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଆସୁଥିବା ସିନ୍ଧେ ନୂଆ ସରକାରରେ ମୁଖ୍ୟମନ୍ତ୍ରୀ ହେବାକୁ ଅଡି ରହିବାରୁ ଗଲା ଏଗାର ଦିନ ଧରି ସରକାର ଗଠନରେ ଅନିଶ୍ଚିତତା ଲାଗି ରହିଥିଲା । ବିଜେପି ଚାହୁଁଥିଲା ଫଡନାଭିସ ମୁଖ୍ୟମନ୍ତ୍ରୀ ହୁଅନ୍ତୁ । ଦଳ ସାମ୍ନାରେ ୨୦୧୯ ଭଳି ବାଧ୍ୟବାଧକତା ନଥିଲା । ସରକାର ଗଠନ ପାଇଁ ବିଧାନସଭାରେ ୧୪୫ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ଥିବା ବେଳେ ବିଜେପିର ୧୩୨ ବିଧାୟକ ଥିଲେ । ମହାୟୁତିରେ ଥିବା ଏନସିପି ନେତା ଅଜିତ ପାୱାରଙ୍କ ୪୧ ବିଧାୟକ ଫଡନାଭିସଙ୍କୁ ସମର୍ଥନ କରୁଥିଲେ ଏବଂ ଫଡନାଭିସଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରିବାକୁ ଅଂଟା ଭିଡି ଥିଲେ । ଦୁଇ ଦଳର ବିଧାୟକ ସଂଖ୍ୟା ମିଶି ୧୭୩ ଥିଲା । ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ପଦ ସହ ଅର୍ଥ ମନ୍ତ୍ରଣାଳୟ ନିଜ ହାତରେ ରଖିବାକୁ ଚାହୁଁଥିଲେ । ବିଜେପି ସେଥିରେ ଅମଙ୍ଗ ହେବାର କାରଣ ନଥିଲା । ସିନ୍ଧେଙ୍କ ନେତୃତ୍ୱାଧୀନ ଶିବସେନା ବିଧାୟକଙ୍କ ବିନା ସହାୟତାରେ ମହାରାଷ୍ଟ୍ରରେ ବିଜେପି-ଏନସିପି ମେଂଟ ସରକାର ହେବାରେ କିଛି ଅସୁବିଧା ନଥିଲା । ତେବେ, ବିଜେପି ନେତୃତ୍ୱ ମରାଠା ନେତା ସିନ୍ଧେଙ୍କୁ ଅସନ୍ତୁଷ୍ଟ କରିବା ପକ୍ଷରେ ନଥିବାରୁ ଏଗାର ଦିନ ଧରି ତାଙ୍କୁ ମନାଇବା ଉଦ୍ୟମ କରିଥିଲେ । ଶେଷରେ ସିନ୍ଧେ-ଫଡନାଭିସ ଭେଟଘାଟ ଓ ଆଲୋଚନା ସିନ୍ଧେଙ୍କୁ ମୁଖ୍ୟମନ୍ତ୍ରୀ ଦୌଡରୁ ଓହରାଇବାରେ ସଫଳ ହୋଇଥିଲା । ସିନ୍ଧେ ଗତ ମଂଗଳବାର ଦିନ ମହାୟୁତି ସରକାରରେ ସାମିଲ ହେବାକୁ ରାଜି ହୋଇଥିଲେ ଏବଂ ବୁଧବାର ବିଜେପି ବିଧାୟକ ଦଳ ସହ ମହାୟୁତି ନେତାଙ୍କ ବୈଠକ ବସି ଫଡନାଭିସଙ୍କୁ ନେତା ନିର୍ବାଚନ କରାଯାଇଥିଲା । ବରିଷ୍ଠ ବିଜେପି ନେତା ତଥା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀଥାରମଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବୈଠକରେ ଯୋଗ ଦେଇ ଫଡନାଭିସଙ୍କ ନେତା ନିର୍ବାଚନ କାର୍ଯ୍ୟକୁ ସଂପନ୍ନ କରିଥିଲେ । ଶିବସେନା ମୁଖ୍ୟ ସିନ୍ଧେ ମହାୟୁତି ନେତା ଭାବେ ଫଡନାଭିସଙ୍କ ନାମକୁ ପ୍ରସ୍ତାବ କରିଥିବା ବେଳେ ଏନସିପି ମୁଖ୍ୟ ଅଜିତ ପାୱାର ତାହାକୁ ସମର୍ଥନ କରି ଫଡନାଭିସଙ୍କୁ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର ବାଟ ଖୋଲି ଥିଲେ । ତଥାପି, ଗୁରୁବାର ସନ୍ଧ୍ୟା ସୁଦ୍ଧା ସିନ୍ଧେ ଉପ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ କି ନାହିଁ – ସେନେଇ ଅନିଶ୍ଚିତତା ଲାଗି ରହିଥିଲା । ମୁମ୍ବାଇର ଆଜାଦ ମୈଦାନରେ ଗୁରୁବାର ସନ୍ଧ୍ୟା ସାଢେ ୫ଟାରେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ହେବାକୁ ଥିବା ବେଳେ ସିନ୍ଧେ ମୌନବ୍ରତ ଧାରଣ କରି ସମସ୍ତଙ୍କୁ ଅନିଶ୍ଚିତତା ମଧ୍ୟରେ ରଖିଥିଲେ । ଶପଥ ଗ୍ରହଣ ପାଇଁ କାର୍ଯ୍ୟକ୍ରମରେ ଫଡନାଭିସ ଓ ଅଜିତ ପାୱାରଙ୍କ ନାମ ଥିଲେ ମଧ୍ୟ ସିନ୍ଧେଙ୍କ ନାମ ନଥିଲା । ତେବେ, ଶପଥ ସମାରୋହର ଘଟାଏ ପୂର୍ବରୁ ସିନ୍ଧେ ମୌନବ୍ରତ ତ୍ୟାଗ କରି ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ରାଜି ହୋଇଥିଲେ । ସିନ୍ଧେ ଉପ ମୁଖ୍ୟମନ୍ତ୍ରୀ ହେବା ପାଇଁ ଗୃହ ମନ୍ତ୍ରଣାଳୟ ପାଇବାକୁ ଦାବି କରିଥିଲେ ମଧ୍ୟ ବିଜେପି ପ୍ରଥମରୁ ରାଜି ନାହିଁ । ଗତକାଲି ସିନ୍ଧେ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମଧ୍ୟ ତାଙ୍କୁ ଗୃହ ମନ୍ତ୍ରଣାଳୟ ଦେବା ନେଇ ବିଜେପି କୌଣସି ପ୍ରତିଶ୍ରୁତି ଦେଇନଥିବା ଜଣାପଡିଛି । ସିନ୍ଧେ ମୁଖ୍ୟମନ୍ତ୍ରୀ ଭାବେ ଅେଇ ବର୍ଷ କାର୍ଯ୍ୟ କରି ଉପ ମୁଖ୍ୟମନ୍ତ୍ରୀ ହେବାକୁ ଅରାଜି ଥିବା ବେଳେ ଫଡନାଭିସ ତାଙ୍କୁ ବୁଝାଇ ଦେଇଥିଲେ ଯେ ଅତୀତରେ ସେ ମଧ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ଘଟଣାଚକ୍ରରେ ୨୦୨୨ରେ ଉପ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରି ଅଢେଇ ବର୍ଷ ଧରି ତାଙ୍କ (ସିନ୍ଧେ) ଅଧିନରେ କାର୍ଯ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ପଦ କେବଳ ନାମକୁମାତ୍ର । ନିର୍ବାଚନ ସମୟରେ ମହାରାଷ୍ଟ୍ରବାସୀଙ୍କୁ ମହାୟୁତି ଯେଉଁ ସବୁ ପ୍ରତିଶ୍ରୁତି ଦେଇଛି ସେସବୁ ମିଳିତ ଭାବେ କାର୍ଯ୍ୟକାରୀ କରିବା ସମୟ ଆସିଛି । ସିନ୍ଧେ ମୁଖ୍ୟମନ୍ତ୍ରୀରୁ ଉପ ମୁଖ୍ୟମନ୍ତ୍ରୀ ହେବାକୁ କୁଂଠିତ ଥିଲେ ମଧ୍ୟ ତାଙ୍କ ନେତୃତ୍ୱରେ ବିଧାନସଭାକୁ ଆସିଥିବା ଶିବସେନା ବିଧାୟକମାନେ ଫଡନାଭିସଙ୍କ ସରକାରରେ ସାମିଲ ହେବାକୁ ବ୍ୟଗ୍ର ଥିଲେ ଏବଂ ସିନ୍ଧେଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରି ନେବାକୁ ଚାପରେ ରଖିଥିଲେ । ସରକାର ସହ ରିଲେ ହିଁ ଦଳର ଅସ୍ତିତ୍ୱ ରହିବ – ଏକଥା ମଧ୍ୟ ସେମାନେ ସିନ୍ଧେଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ । ନୂଆ ସରକାରରେ ମୁଖ୍ୟମନ୍ତ୍ରୀ ପଦକୁ ମିଶାଇ ୪୩ ଜଣ ମନ୍ତ୍ରୀ ରହିବେ । ବିଜେପି ନିଜେ ୨୨ଟି ମନ୍ତ୍ରୀ ପଦ ରଖିବ ଏବଂ ଶିବସେନାକୁ ୧୨ଟି ଓ ଏନସିପିକୁ ୦୯ଟି ମନ୍ତ୍ରୀ ପଦ ଦେବ ବୋଲି ପୂର୍ବରୁ ଅଂକକଷା ସରିଛି । ମନ୍ତ୍ରୀ ପଦ ଆଶାୟୀ ଶିବସେନା ବିଧାୟକମାନଙ୍କ ଚାପ ସିନ୍ଧେଙ୍କୁ ଉପ ମୁଖ୍ୟମନ୍ତ୍ରୀ ହେବାକୁ ବାଧ୍ୟ କରିଛି । ଏହା ହୋଇନଥିଲେ ୨୦୨୨ରେ ସେ (ସିନ୍ଧେ) ଯେଭଳି ବିଦ୍ରୋହର ସୂତ୍ରପାତ କରି ଶିବସେନାରେ ବିଭାଜନ ଘଟାଇ ଥିଲେ ତାହାର ପୁନରାବୃତ୍ତି ଘଟିବାର ଯଥେଷ୍ଟ ସମ୍ଭାବନା ଥିଲା । ତେଣୁ, ସିନ୍ଧେ ଉପ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ବ୍ୟତୀତ ଅନ୍ୟ ବିକଳ୍ପ ନଥିଲା ବୋଲି ରାଜନୈତିକ ମହଲ ବିଶ୍ୱାସ କରୁଛନ୍ତି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS