ସ୍ୱର୍ଣ୍ଣ ମନ୍ଦିର ମୁଖ୍ୟଦ୍ୱାରରେ ଗୁଳିମାଡ, ବର୍ତ୍ତିଲେ ସୁଖବୀର ବାଦଲ୍


ପ୍ରସାଦ ରାଓ
ଡିସେମ୍ବର ୦୪
ଆଜି ସକାଳେ ଅମୃତସର ସ୍ୱର୍ଣ୍ଣ ମନ୍ଦିରରେ ଶିରୋମଣୀ ଅକାଳୀ ଦଳ (ସାଦ୍)ନେତା ତଥା ପଂଜାବର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ ଗୁଳିମାଡ ହୋଇଛି । ତେବେ, ଘଟଣା ବେଳେ ତାଙ୍କ ନିକଟରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ଆକ୍ରମଣକାରୀର ହାତ ଧରି ନେଇ ଉପରକୁ ଟକି ଦେବାରୁ ଗୁଳି ସୁଖବୀରଙ୍କୁ ନବାଜି ମନ୍ଦିର କାନ୍ଥରେ ବାଜିଛି । ପୁଲିସ ଆକ୍ରମଣକାରୀକୁ ଗିରଫ କରିଛି । ଅକ୍ରମଣର ଉଦ୍ଦେଶ୍ୟ କଣ, ତାହା ପୁଲିସ ତଦନ୍ତ କରୁଛି । ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ବାଦଲ ଶିଖ୍ ଧର୍ମର ସର୍ବୋଚ୍ଚ ଅନୁଷ୍ଠାନ ‘ଶ୍ରୀ ଅକାଲ ତାଖତ ସାହିବ’ ଦ୍ୱାରା ଧର୍ମ ସଂପର୍କିତ ଦୋଷ କରିଥିବା ଅଭିଯୋଗରେ ଦଣ୍ଡିତ ହୋଇ ଦୁଇ ଦିନ ହେଲା ଅମୃତସର ସ୍ୱର୍ଣ୍ଣ ମନ୍ଦିରରେ ବାସନ ମାଜିବା ଓ ଭକ୍ତଙ୍କ ଯୋତା ସଫା କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଆଜି ସକାଳ ୦୯ଟା ସମୟରେ ଆକ୍ରମଣ ବେଳେ ବାଦଲ ନୀଳ ରଂଗର ‘ସେବାଦାର’ ପୋଷାକ ପରିଧାନ କରି ଓ ହାତରେ ବର୍ଚ୍ଛା ଧରି ସ୍ୱର୍ଣ୍ଣ ମନ୍ଦିର ପ୍ରବେଶ ଦ୍ୱାରରେ ‘ସେବାଦାର’ କାର୍ଯ୍ୟ କରୁଥିଲେ । ତାଙ୍କ ଗୋଡରେ ପ୍ଲାଷ୍ଟର ହୋଇଥିବାରୁ ସେ ହ୍ୱିଲ ଚେୟାରରେ ଥିଲେ । ଏହି ସମୟରେ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଆକ୍ରମଣକାରୀ ନାରାୟଣ ସିଂହର ଘର ଅମୃତସରରୁ ୭୫ କିମି ଦୂର ଗୁରୁଦାସପୁର ଗ୍ରାମରେ । ସ୍ୱର୍ଣ୍ଣ ମନ୍ଦିର ପରିସରର ସିସିଟିଭି ଭିଜୁଆଲରୁ ଦେଖିବାକୁ ମିଳିଛି, ସକାଳ ୦୯ଟା ବେଳେ ସୁଖବୀର ସିଂହ ବାଦଲ ସେବାଦାର ଭାବେ କାର୍ଯ୍ୟ ଆରମ୍ଭ କରିଥିବା ସମୟରେ ଆକ୍ରମଣକାରୀ ନାରାୟଣ ସିଂହ ଧୀରେ ଧୀରେ ମନ୍ଦିର ପ୍ରବେଶ ଦ୍ୱାର ଆଡକୁ ଅଗ୍ରସର ହୋଇଥିଲେ ଏବଂ ପ୍ରବେଶ ଦ୍ୱାର ନିକଟରେ ବନ୍ଧୁକ ବାହାର କରି ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ବାଦଲଙ୍କୁ ଲକ୍ଷ୍ୟ କରି ଗୁଳି ଚଳାଇ ଥିଲା । ତେବେ, ଭାଗ୍ୟକୁ ସେହି ସମୟରେ ପାଖରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ଆକ୍ରମଣକାରୀଙ୍କ ହାତକୁ ଧରି ଉପରକୁ ଟେକି ଦେବାରୁ ଗୁଳି ଯାଇ କାନ୍ଥରେ ବାଜି ଥିଲା ଓ ବାଦଲ ଅଳ୍ପକେ ବତ୍ତି ଯାଇଥିଲେ । ସୁଖବୀର ସିଂହ ବାଦଲ ହେଉଛନ୍ତି ଶିରୋମଣୀ ଅକାଳୀ ଦଳର ପ୍ରତିଷ୍ଠାତା ତଥା ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲଙ୍କ ପୁତ୍ର । ୨୦୦୭ରୁ ୨୦୧୭ ପଂଜାବରେ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲଙ୍କ ନେତୃତ୍ୱରେ ଶିରୋମଣୀ ଅକାଳୀ ଦଳ (ସାଦ୍)ର ଶାସନ ଥିଲା । ସେହି ସରକାର ଅମଳରେ ହୋଇଥିବା କିଛି ଗୁରୁତର ଧାମିକ ତୃଟି ପାଇଁ ୬୨ବର୍ଷ ବୟସ୍କ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କୁ ଏବେ ସ୍ୱର୍ଣ୍ଣ ମନ୍ଦିରରେ ସେବାଦାର ଭୂମିକାରେ କାର୍ଯ୍ୟ କରିବାକୁ ପଡୁଛି । ‘ଅକାଲ ତାଖତ’ ବାଦଲଙ୍କ ସମେତ ବହୁ ଅକାଳୀ ନେତାଙ୍କୁ ଧର୍ମଦ୍ରୋହ ଅଭିଯୋଗରେ ଧର୍ମଦଣ୍ଡ (ତନଖାହ)ରେ ଦଣ୍ଡିତ କରିଛି ଏବଂ ଅମୃତସର ସ୍ୱର୍ଣ୍ଣ ମନ୍ଦିର ସମେତ ବିଭିନ୍ନ ଗୁରୁଦ୍ୱାରରେ ସେମାନଙ୍କୁ ‘ସେବାଦାର’ ଭାବେ ବାସନ ମାଜିବା ଓ ଭକ୍ତଙ୍କ ଯୋତା ସଫା କରିବା ଭଳି କାର୍ଯ୍ୟ ଦିଆଯାଇଛି । ଆଜି ସକାଳେ ସୁଖବୀର ସିଂହ ବାଦଲଙ୍କ ଉପରେ ସ୍ୱର୍ଣ୍ଣ ମନ୍ଦିର ପ୍ରବେଶ ଦ୍ୱାରରେ ହୋଇଥିବା ଆକ୍ରମଣକୁ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ନିନ୍ଦା କରିଛନ୍ତି । ପଂଜାବ ସରକାର ଓ ପୁଲିସକୁ ନିନ୍ଦିତ କରିବା ପାଇଁ ଉଦ୍ୟମ ହୋଇଥିଲା, ତେବେ ପଂଜାବ ପୁଲିସର ତତ୍ପରତା ଯୋଗୁଁ ତାହା ପଣ୍ଡ ହୋଇଛି ବୋଲି ମାନ୍ କହିଛନ୍ତି । ମୁଖ୍ୟମନ୍ତ୍ରୀ ପଂଜାବ ପୁଲିସକୁ ପ୍ରଶଂସା କରିଛନ୍ତି । ଘଟଣାର ତୁରନ୍ତ ତଦନ୍ତ କରି ରିପୋର୍ଟ ଦେବାକୁ ସେ ନିର୍ଦେଶ ଦେଇଥିବା ମୁଖ୍ୟମନ୍ତ୍ରୀ ମାନ୍ ‘ଏକ୍ସ’ରେ ପୋଷ୍ଟ୍ କହିଛନ୍ତି । ଅମୃତସର ପୁଲିସ କମିଶନର ଗୁରୁପ୍ରିତ ସିଂହ ଭୁଲର କହିଛନ୍ତି, ମନ୍ଦିର ପରିସରରେ ନିୟୋଜିତ ଥିବା ସତର୍କ ପୁଲିସ କର୍ମଚାରୀ ରିସପାଲ ସିଂହ, ଜଶବୀର ଓ ପରମିନ୍ଦର ସିଂହଙ୍କ ସତର୍କତାରୁ ଏଭଳି ଅଘଟଣ ଟଳିଛି । ଆକ୍ରମଣକାରୀ ନାରାୟଣ ସିଂହଙ୍କ କ୍ରମିନାଲ ରେକର୍ଡ ରହିଛି । ପୁଲିସ ଏକ ମାମଲା ରୁଜୁ କରି ସବୁ ଦିଗରୁ ଘଟଣାର ତଦନ୍ତ କରୁଛି । ଜନସାଧାରଣ ଶାନ୍ତି ବଜାୟ ରଖିବାକୁ ସେ ନିବେଦନ କରିଛନ୍ତି । ପଂଜାବ ସ୍ୱର୍ଣ୍ଣ ମନ୍ଦିରରେ ପୁଲିସ ଅଫିସରଙ୍କୁ ମୁତୟନ କରିବା କଷ୍ଟସାଧ୍ୟ ବ୍ୟାପାର । ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ନଦେଇ ମନ୍ଦିର ପରିସରରେ ସାଦା ପୋଷାକରେ ପୁଲିସ ମୁତୟନ କରିବାକୁ ପଡୁଛି । ଆଜିର ଘଟଣା ଏଭଳି ଅସମୟରେ ପଂଜାବ ପୁଲିସ କେତେ ପ୍ରସ୍ତୁତ ତାହା ପ୍ରମାଣ କରିଛି ବୋଲି ଭୁଲର କହିଛନ୍ତି । ଭିନ୍ନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆକ୍ରମଣକାରୀ ନାରାୟଣ ସିଂହ ହେଉଛି ଜଣେ ଖାଲିସ୍ଥାନୀ ଆତଙ୍କବାଦୀ । ବାବର ଖାଲସା ସହ ତାଙ୍କର ସଂପର୍କ ରହିଛି । ୨୦୦୪ରେ ହୋଇଥିବା ବୁରାଇଲ ଜେଲ୍-ବ୍ରେକ୍ ଘଟଣାର ସେ ମାଷ୍ଟର ମାଇଣ୍ଡ୍ ଥିଲା । ଜେଲରେ ଥିବା ଚାରି ଜଣ ଆତଙ୍କବାଦୀଙ୍କୁ ଫେରାର କରିବାକୁ ୯୪ ଫୁଟର ଏକ ଟନେଲ ଖୋଳା ଯାଇଥିଲା । ଏହି ଜେଲ୍-ବ୍ରେକ୍ ରେ ଜେଲରୁ ଖସି ପଳାଇଥିବା ଚାରି କଏଦୀ ଥିଲେ – ବାବଦ ଖାଲସା ମୁଖ୍ୟ ଜଗତ ସିଂହ ହାୱାରା, ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବିୟନ୍ତ ସିଂହଙ୍କ ହତ୍ୟାକାରୀ ପରମଜିତ ସିଂହ ଭେହୋରା ଓ ଜଗତ ସିଂହ ତାରା ଏବଂ ଏକ ହତ୍ୟା ମାମଲାରେ ଦଣ୍ଡିତ ଦେବୀ ସିଂହ । ୨୦୦୭ରେ ଶିରୋମଣୀ ଅକାଳୀ ଦଳ ସରକାର ସମୟରେ ଧର୍ମଦ୍ରୋହରେ ଜଡିତ ଡେରା ସଚ୍ଚା ସାହେବ ମୁଖ୍ୟ ଗୁରୁମିତ ରାମ ରହିମ ସିଂହଙ୍କୁ କ୍ଷମା କରିଦେବା ଭଳି ବିଭିନ୍ନ ଧାର୍ମିକ ତୃଟିରେ ‘ସାଦ୍’ ନେତା ତଥା ପଂଜାବର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲ ସଂପୃକ୍ତ ଥିବାରୁ ‘ଅକାଲ ତାଖତ’ ଦ୍ୱାରା ଦଣ୍ଡିତ ହୋଇଛନ୍ତି । ସେ ନିଜ ଦୋଷ ସ୍ୱୀକାର କରିଛନ୍ତି । ଅକାଲ ତାଖତ ତାଙ୍କୁ ‘ତନଖାଇୟା’ (ଧାର୍ମିକ ତୃଟି ପାଇଁ ଦୋଷି ଘୋଷଣା) କରି ତିନି ମାସ ପରେ ଗତ ୦୨ ତାରିଖ ଦିନ ଦଣ୍ଡବିଧାନ କରିଛି । ସୁଖବୀର ସିଂହ ବାଦଲ ଦଣ୍ଡବିଧାନ ଅନୁସାରେ ଅମୃତସର ସ୍ୱର୍ଣ୍ଣ ମନ୍ଦିରରେ ‘ସେବାଦାର’ କାମ କରୁଛନ୍ତି ଏବଂ ବାସନ ମାଜିବା ସହ ସ୍ୱର୍ଣ୍ଣ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ଯୋତା ସଫା କରୁଛନ୍ତି । ଆଜି ସକାଳେ ସ୍ୱର୍ଣ୍ଣ ମନ୍ଦିର ପ୍ରବେଶ ଦ୍ୱାରରେ ସୁଖବୀର ବାଦଲଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ପଂଜାବ ରାଜନୀତିକୁ ସରଗରମ କରିଛି । ପଂଜାବର ‘ଆପ୍’ର ଶାସନରେ ଅପରାଧୀମାନେ ଖୋଲାମେଲା ବୁଲୁଛନ୍ତି, ରାଜ୍ୟର ଆଇନ ଶୃଙ୍ଖଳା ବିଗିଡି ଯାଇଛି । ଏପରିକି, ସ୍ୱର୍ଣ୍ଣ ମନ୍ଦିର ପ୍ରବେଶ ଦ୍ୱାର ମଧ୍ୟ ସେଥିରୁ ବାଦ୍ ପଡି ନାହିଁ ବୋଲି ପୂର୍ବତନ ‘ସାଦ୍’ ସାଂସଦ ନରେଶ ଗୁଜରାଲ ଅଭିଯୋଗ କରିବା ସହ ଭାଗ୍ୟକୁ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ବାଦଲ ବତ୍ତିଗଲେ ବୋଲି କହିଛନ୍ତି । ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଜୟ ସାଂପଲା ଏହି ଅକ୍ରମଣକୁ ଦୁର୍ଭଗ୍ୟଜନକ ବୋଲି କହିବା ସହ ସ୍ୱର୍ଣ୍ଣ ମନ୍ଦିର ପ୍ରବେଶ ଦ୍ୱାରରେ କାର୍ଯ୍ୟରତ ଜଣେ ସେବାଦାରଙ୍କ ଉପରେ ଅକ୍ରମଣ ହେବା ସ୍ୱର୍ଣ୍ଣ ମନ୍ଦିର ଉପରେ ଆକ୍ରମଣ ଭଳି ବୋଲି ମନ୍ତବ୍ୟ ଦେଇଛନ୍ତି । କଂଗ୍ରେସ ସାଂସଦ ମନୀଷ ତିୱାରୀ ମଧ୍ୟ ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣକୁ ନିନ୍ଦା କରି ଏହାର ତ୍ୱରିତ ତଦନ୍ତ କରାଯାଇ ଆକ୍ରମଣକାରୀକୁ ଦଣ୍ଡିତ କରାଯାଉ ବୋଲି ଦାବି କରିଛନ୍ତି । ତେବେ, ବିରୋଧୀଙ୍କ ଅଭିଯୋଗକୁ ଆପ୍ ଖଣ୍ଡନ କରିଛି । ‘ଆପ୍’ ପକ୍ଷରୁ ଅମନ ଆରୋରା କହିଛନ୍ତି, ପଂଜାବରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଠିକ୍ ଅଛି । ପଂଜାବ ପୁଲିସ ସତର୍କ ଥିବାରୁ ଏଭଳି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାକୁ ନିୟନ୍ତ୍ରଣ କରିଛନ୍ତି । ସବୁ ପରିସ୍ଥିକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ଓ ପୁଲିସ ସକ୍ଷମ ବୋଲି ଆରୋରା ଦୃଢୋକ୍ତି ପ୍ରକାଶ କରିଛନ୍ତି । ଶିରୋମଣୀ ଅକାଳୀ ଦଳ ରାଜ୍ୟରେ ଦଶ ବର୍ଷ ଧରି କ୍ଷମତାରେ ଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ ଥିବା ସୁଖବୀର ସିଂହ ବାଦଲ ଏମିତି କଣ ଦୋଷ କରିଛନ୍ତି ଯେ ଆଜି ତାଙ୍କୁ ସେବାଦାର ହେବାକୁ ପଡିଛି (!) ବୋଲି ଆରୋରା ପାଲଟା ପ୍ରଶ୍ନ କରିଛନ୍ତି । ପଂଜାବରେ ଆମ୍ ଆଦମୀ ପାର୍ଟି (ଆପ୍) ସରକାର ଅଛି । ଦିଲ୍ଲୀରେ ମଧ୍ୟ ‘ଆପ୍’ର ସରକାର ରହିଛି । ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଏବଂ ନିର୍ବାଚନରେ ଆପ୍, କଂଗ୍ରେସ ଓ ବିଜେପି ପ୍ରମୁଖ ପ୍ରତିଦ୍ୱନ୍ଦ୍ୱିତା ଥିବାରୁ ପଂଜାବରେ ଆଜି ସୁଖବୀର ବାଦଲଙ୍କ ଉପରେ ହୋଇଥିବା ଆକ୍ରମଣର ସ୍ୱର ଦିଲ୍ଲୀ ନିର୍ବାଚନରେ ମଧ୍ୟ ଶୁଣିବାକୁ ମିଳିବ ବୋଲି ରାଜନୈତିକ ବିଶ୍ଲେଷକମାନେ ଅନୁମାନ କରୁଛନ୍ତି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS