ରାଜନୀତି ହେଉଛି ‘ଅସନ୍ତୁଷ୍ଟ ଆତ୍ମା’ଙ୍କ ସମୁଦ୍ର !


ପ୍ରସାଦ ରାଓ
ଡିସେମ୍ବର ୦୩
ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡକରି ଜଣେ ଶୃଙ୍ଖଳିତ ଓ ଶିଷ୍ଟ ରାଜନେତା ଭାବେ ଭାରତୀୟ ରାଜନୀତିରେ ପରିଚିତ । ଅନେକ ସମୟରେ ସେ ଦେଇଥିବା ବକ୍ତବ୍ୟ ଦଳୀୟ ରାଜନୀତିର ସୀମା ସରହଦ ମଧ୍ୟରେ ଥିଲେ ମଧ୍ୟ ବିତର୍କର ଖୋରାକ ଯୋଗାଇ ଥାଏ । ନାଗପୁର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଗଡକରୀ ଗତ ରବିବାର ଦିନ ନାଗପୁରଠାରେ ଆୟୋଜିତ ଏକ ପୁସ୍ତକ ଉନ୍ମୋଚନ ସଭାରେ ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚାର ଅବକାଶ ସୃଷ୍ଟି ହୋଇଛି । ‘୫୦ ଗୋଲଡେନ ରୁଲସ୍ ଅଫ୍ ଲାଇଫ୍’ ନାମକ ପୁସ୍ତକ ଉନ୍ମୋଚନ ସଭାରେ ଗଡକରୀ କହିଛନ୍ତି, ରାଜନୀତି ହେଉଛି ‘ଅସନ୍ତୁଷ୍ଟ ଆତ୍ମା’ଙ୍କ ସମୁଦ୍ର, ଯେଉଁଠି କି ସମସ୍ତେ ଦୁଃଖି । ଯିଏ ଯାହା ପାଇ ଥାଉଛି ତା’ଠାରୁ ଅଧିକ ଆଶା କରୁଛି ଏବଂ ପାଇବାକୁ ଦୁଃଖି ରହୁଛି । ଜୀବନ ହେଉଛି ସାଲିସ, ବାଧ୍ୟବାଧକତା, ଇଚ୍ଛାର ସୀମା ଏବଂ ବିରୋଧାଭାସର ଖେଳ । ତାହା ପରିବାର ହେଉ, ସମାଜ ହେଉ, ରାଜନୀତି କ୍ଷେତ୍ର ହେଉ ବା କର୍ପୋରେଟ ଜୀବନ – ସବୁଠି ସମସ୍ୟା ଓ ଚ୍ୟାଲେଂଜ ରହିଛି । ଜଣେ ବ୍ୟକ୍ତି ତାହାରି ଭିତରେ ବଂଚିବାର କଳା ବା ‘ଆର୍ଟ ଅଫ୍ ଲିଭିଙ୍ଗ’କୁ ବୁଝି ତାହାକୁ ସାମ୍ନା କରିବା ଆବଶ୍ୟକ । କେନ୍ଦ୍ର ମନ୍ତ୍ରୀ ଗଡକରି ଏହି ସଭାରେ ରାଜସ୍ଥାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଦେଇଥିବା ଭାଷଣ ମନେ ପକାଇ ଥିଲେ । ସେଠି ସେ କହିଥିଲେ, ‘ଜୀବନ ହେଉଛି ଅସନ୍ତୁଷ୍ଟ ଆତ୍ମାଙ୍କ ସମୁଦ୍ର, ଯେଉଁଠି କି ସମସ୍ତେୁ ଦୁଃଖି…’ । ଯିଏ କର୍ପୋରେଟର ଅଛି ସେ ଏଇଥି ପାଇଁ ଦୁଃଖି ଯେ ତାଙ୍କୁ ବିଧାୟକ ହେବା ସୁଯୋଗ ମିଳି ନାହିଁ, ଯିଏ ବିଧାୟକ ଅଛନ୍ତି ସେ ଏଇଥି ପାଇଁ ଦୁଃଖି ଯେ ତାଙ୍କୁ ମନ୍ତ୍ରୀ ପଦ ମିଳି ନାହିଁ । ଯିଏ ମନ୍ତ୍ରୀ ଅଛନ୍ତି ସେ ଦୁଃଖି ଯେ ତାଙ୍କୁ ଭଲ ବିଭାଗ ବା ମନ୍ତ୍ରଣାଳୟ ବା ମୁଖ୍ୟମନ୍ତ୍ରୀ ପଦ ମିଳି ନାହିଁ । ସେହିଭଳି, ଯିଏ ମୁଖ୍ୟମନ୍ତ୍ରୀ ଅଛନ୍ତି ସେ ସର୍ବଦା ଚାପରେ ରହୁଛନ୍ତି କେତେବେଳେ ହାଇକମାଣ୍ଡ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ନିର୍ଦେଶ ଦେଇ ପାରନ୍ତି ବୋଲି । ଜୀବନରେ ଆସୁଥିବା ସମସ୍ୟା ହିଁ ସର୍ବଦା ବଡ ଚ୍ୟାଲେଂଜ ସୃଷ୍ଟି କରିଥାଏ, ତାହାକୁ ସାମ୍ନା କରି ଆଗକୁ ବଢିବା ହେଉଛି ‘ଆର୍ଟ ଅଫ୍ ଲିଭିଙ୍ଗ । ‘ଜଣେ ମଣିଷ ଯେତେବେଳେ ହାରିଯାଉଛି ସମାପ୍ତ ହୋଇଯାଉନି, ଯେତେବେଳେ ମଇଦାନ ଛାଡୁଛି ସମାପ୍ତ ହେଉଛି’ ବୋଲି ପୂର୍ବତନ ଆମେରିକା ରାଷ୍ଟ୍ରପତି ରିଚାର୍ଡ ନିକ୍ସନଙ୍କ ବାୟୋଗ୍ରାଫିରୁ ଏକ କୋଟ୍ ଉଦ୍ଧାର କରି ମାନିବକ ମୂଲ୍ୟବୋଧ ଏବଂ ସଂସ୍କାର ହିଁ ମଣିଷ ଜୀବନକୁ ସୁଖି କରି ପାରିବ ବୋଲି ଗଡକରି କହିଛନ୍ତି । ବ୍ୟକ୍ତି, ଦଳ ଓ ଦଳୀୟ ବିଚାରଧାରାକୁ ସେ ତାଙ୍କ ଭାଷଣରେ ଗୁରୁତ୍ୱ ଦେଇଛନ୍ତି । ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା-ଏନସିପି ମେଂଟ ବା ମହାୟୁତି ଆଶାତୀତ ଜନମତ ପାଇ ସୁଦ୍ଧା ମୁଖ୍ୟମନ୍ତ୍ରୀ ବିବାଦ ତୁଟୁ ନଥିବାରୁ ଦଶ ଦିନ ହେଲା ସରକାର ଗଠନ ହୋଇପାରୁନାହିଁ । କେନ୍ଦ୍ର ମନ୍ତ୍ରୀ ଗଡକରିଙ୍କ ରବିବାରର ବୟାନ ସହ ଏହାର କିଛି ସଂପର୍କ ନଥିଲେ ମଧ୍ୟ ଦେଶରେ ରାଜନୀତି କେମିତି ଅସନ୍ତୁଷ୍ଟ ଆତ୍ମାଙ୍କ ସମୁଦ୍ର ହୋଇଛି, ତାହା ଏଥିରୁ ସ୍ପଷ୍ଟ ହେଉଛି । ଶିବସେନା ମୁଖ୍ୟ ଏକନାଥ ସିନ୍ଧେ ଏକଦା ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ବଶମ୍ବଦ ଥିଲେ । ପରେ, ତାଙ୍କ ପୁଅ ଉଦ୍ଧବ ଠାକରେଙ୍କ ବଶମ୍ବଦ ହେଲେ । ଶିବସେନା ୨୦୧୯ରେ ବିଜେପି ସହ ସଂପର୍କ ତୁଟାଇ କଂଗ୍ରେସ, ଏନସିପି ସହ ମିଶି ମହାରାଷ୍ଟ୍ରରେ ‘ମହା ବିକାଶ ଅଘାଡି’ ସରକାର କରିବା ପରେ ଉଦ୍ଧବଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ସିନ୍ଧେ ବରିଷ୍ଠ ମନ୍ତ୍ରୀ ଥିଲେ । ୨୦୨୨ ଜୁନରେ ଉଦ୍ଧବଙ୍କ ବିରୋଧରେ ବିଦ୍ରୋହ କରି ସେ ଶିବସେନାରେ ବିଭାଜନ ଘଟାଇଲେ ଏବଂ ନିଜ ସମର୍ଥକ ବିଧାୟକ ଓ ସାଂସଦଙ୍କୁ ଧରି ବିଜେପି ସହ ହାତ ମିଳାଇବା ସହ ରାଜ୍ୟରେ ବିଜେପି-ଶିବସେନା ସରକାରରେ ମୁଖ୍ୟମନ୍ତ୍ରୀ ହେଲେ । ସେ ଅଢେଇ ବର୍ଷ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରହିବା ପରେ ୨୦୨୪ରେ ତାଙ୍କ ନେତୃତ୍ୱରେ ମହାୟୁତି ନିର୍ବାଚନ ଲଢିଲା ଏବଂ ଆଶାତୀତ ଜନସମର୍ଥନ ପାଇ କ୍ଷମତାକୁ ଆସିଲା । ସିନ୍ଧେ ଆଶା ରଖିଥିଲେ ବିଜେପି ତାଙ୍କ ମୁଖ୍ୟମନ୍ତ୍ରୀ ପଦ ବାହାଲ ରଖିବ । ତେବେ, ବିଜେପି ଦଳର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଦେଖିବାକୁ ଚାହୁଁଛି ଏବଂ କାମଚଳା ମୁଖ୍ୟମନ୍ତ୍ରୀ ଥିବା ସିନ୍ଧେଙ୍କୁ ଉପ ମୁଖ୍ୟମନ୍ତ୍ରୀ ହୋଇଯିବାକୁ ଚାପ ପକାଉଛି । ସିନ୍ଧେ-ବିଜେପି ମଧ୍ୟରେ ଚାଲିଥିବା ଛକାପଂଝା ଯୋଗୁଁ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇପାରୁନି । ଆସନ୍ତା ପାଂଚ ତାରିଖ ନୂତନ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀ ପରିଷଦର ଶପଥ ଗ୍ରହଣ ଉତ୍ସବ ପାଇଁ ମୁମ୍ବାଇ ଆଜାଦ ମଇଦାନରେ ମଂଚ ନିର୍ମାଣ ଚାଲିଥିବା ବେଳେ ମହାୟୁତିରୁ କିଏ ମୁଖ୍ୟମନ୍ତ୍ରୀ ହେବ – ସସ୍ପନ୍ସ ଦୂର ହୋଇନାହିଁ । ମହାରାଷ୍ଟ୍ର ରାଜ୍ୟପାଳଙ୍କ ନିକଟରେ ମହାୟୁତି କେହି ସରକାର କରିବାକୁ ଏପର୍ଯ୍ୟନ୍ତ ଦାବି ଉପସ୍ଥାପନ କରିନାହାନ୍ତି । ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଅସୁସ୍ଥ ଥବା ଦର୍ଶାଇ ଥାନେ ଛାଡୁ ନଥିବା ବେଳେ ବିଜେପିର ମୁଖ୍ୟମନ୍ତ୍ରୀ ମୁହଁ ଦେବେନ୍ଦ୍ର ଫଡନାଭିସ ମୁମ୍ବାଇରେ ଅପେକ୍ଷା କରିଛନ୍ତି । ମହାୟୁତିର ତୃତୀୟ ନେତା ଏନସିପି ମୁଖ୍ୟ ଅଜିତ ପାୱାର ଦିଲ୍ଲୀରେ ଅଛନ୍ତି । ସରକାର ଗଠନ ନେଇ ବିଜେପି ନେତୃତ୍ୱ ସହ ଆଲୋଚନା କରିବାକୁ ପାୱାର ଦିଲ୍ଲୀରେ ଥିବା କୁହାଯାଉଛି । ତିନି ନେତା ଏକାଠି ବସିଲେ ନୂଆ ସରକାରର ରୂପରେଖ ପ୍ରସ୍ତୁତ ହେବ । କିନ୍ତୁ, ମହାୟୁତି ବୈଠକ ହୋଇପାରୁନି । ମୁମ୍ବାଇରେ ବିଜେପି ବିଧାୟକ ଦଳ ବୈଠକରେ ବିଧାୟକ ଦଳ ନେତା ନିର୍ବାଚନ କରାଯାଇ ଘୋଷଣା କରାଯିବା ପରେ ମହାୟୁତି ନେତା ଏକାଠି ବସି ସରକାରର ରୂପରେଖ ପ୍ରସ୍ତୁତ କରିବେ ବୋଲି କୁହାଯାଉଛି । ଆସନ୍ତା କାଲି ଏସବୁ ହେବା ଆଶା କରାଯାଉଥିବା ବେଳେ ମହାୟୁତି ନେତାମାନେ ପରସ୍ପରକୁ ଧରାଛୁଆଁ ଦେଉନଥିବାରୁ ସେମାନଙ୍କ ଉଚ୍ଚାଭିଳାଷ ହିଁ ଦୁଃଖର କାରଣ ହୋଇଥିବା ଚର୍ଚ୍ଚା ହେଉଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS