ମହାୟୁତି ରାଜନୀତି: ସରକାର ଗଠନରେ ବିଳମ୍ବ, ବିଜେପି ଡରୁଛି କାହାକୁ ?


ପ୍ରସାଦ ରାଓ
ଡିସେମ୍ବର ୦୨
ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ସରି ଏକ ସପ୍ତାହରୁ ଅଧିକ ସମୟ ବିତିଲାଣି, ସର୍ବାଧିକ ସଂଖ୍ୟକ ବିଧାନସଭା ଆସନରେ ବିଜୟୀ ହୋଇଥିବା ବିଜେପି ନେତୃତ୍ୱରେ ମହାୟୁତି ସରକାର ଗଠନ ହୋଇପାରୁ ନଥିବା ସମାଲୋଚନାର ବିଷୟ ହୋଇଛି । ୧୩୨ ଆସନ ପାଇଥିବା ବିଜେପିର ବିଧାୟକ ଦଳ ବୈଠକ ହୋଇପାରିନି । ଅପରପକ୍ଷରେ, ଶାସକ ମେଂଟର ଅନ୍ୟ ଦୁଇ ସହଯୋଗୀ ଶିବସେନା ଓ ଏନସିପି ବିଧାୟକ ଦଳ ବୈଠକ ସାରି ସେମାନଙ୍କ ନେତାଙ୍କ ନାମ ଘୋଷଣା କରି ସାରିଛନ୍ତି । ଶିବସେନା ମୁଖ୍ୟ ଏକନାଥ ସିନ୍ଧେ ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିବା ବେଳେ ଅଜିତ ପାୱାର ଏନସିପି ବିଧାୟକ ଦଳ ନେତା ହୋଇଛନ୍ତି । କିନ୍ତୁ, ଆଜି ସୁଦ୍ଧା ବିଜେପି ବିଧାୟକ ଦଳ ବୈଠକ ହୋଇ ପାରିନି ବା ଦଳ ଆନୁଷ୍ଠାନିକ ଭାବେ କାହାକୁ ବିଧାୟକ ଦଳ ନେତା କରିବାକୁ ଚାହୁଁଛି, ତାହା ମଧ୍ୟ ସ୍ପଷ୍ଟ ହୋଇନି । ମହାୟୁତି ସରକାରରେ ଉପ ମୁଖ୍ୟମନ୍ତ୍ରୀ ଥିବା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ବିଜେପି ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଥିବା ଦଳ ପକ୍ଷରୁ ସଂକେତ ଦିଆଯାଇଛି । ତେବେ, ଆନୁଷ୍ଠାନିକ ଭାବେ ବିଧାୟକ ଦଳ ବୈଠକ ବସି ତାଙ୍କ ନାମ ଘୋଷଣା ହୋଇନଥିବାରୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଗଲା ଏକ ସପ୍ତାହ ଧରି ରହିଥିବା ସସ୍ପେନ୍ସ ଦୂର ହୋଇପାରୁନି । ବିଜେପି-ଶିବସେନା-ଏନସିପି ମିଳିତ ଭାବେ ୨୮୮ଆସନ ବିଶିଷ୍ଟ ବିଧାନସଭାରେ ୨୩୦ ଆସନ ଜିତିଥିଲେ ମଧ୍ୟ ରାଜ୍ୟରେ ‘ମହାୟୁତି’ ସରକାର ଗଠନରେ ବିଳମ୍ବ ହେଉଥିବାରୁ ଓ ମହାୟୁତି ସରକାରରେ ମୁଖ୍ୟମନ୍ତ୍ରୀ କିଏ ହେବ (?) ତାହାକୁ ନେଇ ଅନିଶ୍ଚିତତା ଦୂର ହେଉନଥିବାରୁ ବିରୋଧୀ ମେଂଟ ‘ମହା ବିକାଶ ଅଘାଡି’ ପକ୍ଷରୁ କଡା ସମାଲୋଚନା ହେଲାଣି । ଏହା ଗଣତନ୍ତ୍ର ପ୍ରତି ଉପହାସ ବୋଲି ଏମଭିଏ ବିଧାୟକ ଦଳ ନେତା ଆଦିତ୍ୟ ଠାକେର ଗତକାଲି ସମାଲୋଚନା କରିଥିବା ବେଳେ ମହାୟୁତିରେ ସବୁ ଠିକଠାକ୍ ଚାଲିଥିବା ଦିଶୁନି ବୋଲି ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେ ଓ ଏନସିପି (ଶରଦଚନ୍ଦ୍ର ପାୱାର) କଟାକ୍ଷ କରିଛନ୍ତି । ରାଜ୍ୟରେ ଉପୁଜିଥିବା ଏଭଳି ଅନିଶ୍ଚିତ ବାତାବରଣ ପାଇଁ ବିଜେପି ଓ ଏନସିପି ନେତାମାନେ ଭିନ୍ନ ଭିନ୍ନ ଭାବେ ଶିବସେନା ମୁଖ୍ୟ ଏକନାଥ ସିନ୍ଧେଙ୍କୁ ଦାୟି କରୁଥିଲେ ମଧ୍ୟ ଖୋଲାଖୋଲି କୌଣସି ମନ୍ତବ୍ୟ ଦେବାକୁ ପଛାଉଛନ୍ତି । ସିନ୍ଧେଙ୍କ ଉଚ୍ଚାକାଂକ୍ଷା ଯୋଗୁଁ ମହାରାଷ୍ଟ୍ରରେ ମହାୟୁତି ସରକାର ଗଠନରେ ବିଳମ୍ବ ହେଉଥିବା ଜାଣି ସୁଦ୍ଧା ମହାୟୁତିର ଅନ୍ୟ ଦୁଇ ସହଯୋଗୀ ସେମାନଙ୍କ ମଧ୍ୟରେ ସବୁ ଠିକଠାକ୍ ଚାଲିଛି, କୌଣସି ପ୍ରକାର ମତଭେଦ ନାହିଁ, ଏକାଠି ବସି ସେମାନେ ମୁଖ୍ୟମନ୍ତ୍ରୀ ଚୟନ କରିବା ସହ ନିଜ ନିଜ ଭିତରେ ବିଭାଗ ବଂଟନ କାର୍ଯ୍ୟ ସୁରୁଖୁରରେ ସମାପନ କରିବେ ବୋଲି ବାହାସ୍ପୋଟ ମାରୁଥିଲେ । ନଭେମ୍ବର ୨୭ ତାରିଖରେ ଶିବସେନା ମୁଖ୍ୟ ସିନ୍ଧେ ଗଣମାଧ୍ୟମକୁ ଆସି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କିଏ ହେବ – ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ସେ ନିଷ୍ପତ୍ତି ନେବେ, ସେମାନଙ୍କ ନିଷ୍ପତ୍ତି ଚୂଡାନ୍ତ ରହିବ । ସରକାର ଗଠନରେ ସେ କୌଣସି ପ୍ରକାର ପ୍ରତିବନ୍ଧକ ହେବାକୁ ଚାହୁଁ ନାହାନ୍ତି ବୋଲି ସ୍ପଷ୍ଟ କରିବା ପରେ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଡକରା ପାଇ ତିନି ଦଳର ନେତା ଦେବେନ୍ଦ୍ର ଫଡନାଭିସ (ବିଜେପି), ଏକନାଥ ସିନ୍ଧେ (ଶିବସେନା) ଓ ଆଜିତ ପାୱାର (ଏନସିପି) ଦିଲ୍ଲୀ ଯାଇଥିଲେ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହ ସେମାନଙ୍କ ଆଲୋଚନା ହୋଇଥିଲା । କଥାବାର୍ତ୍ତା ସନ୍ତାଷଜନକ ଓ ଫଳପ୍ରଦ ଥିଲା ବୋଲି ବୈଠକ ପରେ ସେମାନେ ଗଣମାଧ୍ୟମକୁ କହିଥିଲେ । ପରଦିନ, ସେମାନେ ମୁମ୍ବାଇ ଫେରି ମହାୟୁତିର ବୈଠକ କରି ମୁଖ୍ୟମନ୍ତ୍ରୀ ପଦକୁ ନେଇ ନିଷ୍ପତ୍ତି ସହ ମନ୍ତ୍ରୀ ପରିଷଦରେ ବିଭାଗ ବଂଟନ ଚୂଡାନ୍ତ କରିବା କଥା । କିନ୍ତୁ, ଦିଲ୍ଲୀରୁ ଫେରିବା ପରେ ଶିବସେନା ମୁଖ୍ୟ ସିନ୍ଧେ ସମସ୍ତଙ୍କୁ ଚକିତ କରି ଅଚାନକ ମହାରାଷ୍ଟ୍ରର ସତାରା ଜିଲ୍ଲାରେ ଥିବା ନିଜ ଗାଁକୁ ଚାଲି ଯାଇଥିଲେ । ମହାୟୁତି ବୈଠକ ସ୍ଥଗିତ ରହିଥିଲା । ସିନ୍ଧେ ଗାଁରୁ ଫେରିବା ପରେ ବୈଠକ ହେବ ଓ ସବୁ ବିବାଦର ସମାଧାନ ହୋଇଯିବ ବୋଲି ଶିବସେନା ନେତାମାନେ ବୟାନବାଜୀ କରିଥିଲେ । ସିନ୍ଧେ ଅସୁସ୍ଥ ହୋଇପଡିବାରୁ ଗାଁକୁ ଯାଇଥିବା କହିଥିଲେ । ଗାଁରୁ ଫେରିବା ପରେ ସେ ସୁସ୍ଥ ଥିବା କହିଛନ୍ତି । ଆଜି ମହାୟୁତି ନେତାଙ୍କ ବୈଠକ ବସିବା ଆଶା କରାଯାଉଥିବା ବେଳେ ଏହି ବୈଠକ ମଧ୍ୟ ବାତିଲ ହୋଇଛି । ବିଜେପି ତାହାର ବୈଠକ କରିବାକୁ ଥିବାରୁ ମହାୟୁତି ବୈଠକ ବାତିଲ କରାଯାଇଥିବା ଶିବସେନା ମୁଖ୍ୟ ସିନ୍ଧେ କହି ବଲ୍ ବିଜେପି କୋର୍ଟକୁ ଫିଙ୍ଗି ଦେଇଛନ୍ତି । ଅତିଶୀଘ୍ର ମହାରାଷ୍ଟ୍ର ବିଜେପି ବିଧାୟକ ଦଳ ବୈଠକ ବସିବ ଏବଂ ବୈଠକରେ ଦଳର ବରିଷ୍ଠ ନେତା ବିଜୟ ରୂପାନି ଓ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଯୋଗଦେବେ ବୋଲି ବିଜେପି ପକ୍ଷରୁ ଆଜି ଘୋଷଣା କରାଯାଇଛି । ବିଜେପି ବିଧାୟକ ଦଳ ବୈଠକରେ ଦେବେନ୍ଦ୍ର ଫଡନାଭିସଙ୍କୁ ନେତା ନିର୍ବାଚନ କରାଯିବା ସହ ମୁଖ୍ୟମନ୍ତ୍ରୀ କରାଯିବା ନିଷ୍ପତ୍ତିରେ ମୋହର ଲାଗିବ ବୋଲି ଦଳର ନେତାମାନେ ଆଶା କରୁଛନ୍ତି । ଏନସିପି ନେତା ଅଜିତ ପାୱାର ଫଡନାଭିସ ମୁଖ୍ୟମନ୍ତ୍ରୀ ହେବା ସପକ୍ଷରେ ପ୍ରାରମ୍ଭରୁ ଲବିରେ ଅଛନ୍ତି । ସେ ରାଜ୍ୟ ମନ୍ତ୍ରୀ ପରିଷଦରେ ଅର୍ଥ ବିଭାଗ ସହ ଉପ ମୁଖ୍ୟମନ୍ତ୍ରୀ ପଦ ପାଇଲେ ସନ୍ତୁଷ୍ଟ । ତେବେ, ଫଡନାଭିସ ସରକାରରେ ଉପ ମୁଖ୍ୟମନ୍ତ୍ରୀ ହେବା ପ୍ରସ୍ତାବରେ ଶିବସେନା ମୁଖ୍ୟ ସିନ୍ଧେ ଅମଙ୍ଗ ହେଉଥିବା ଆରମ୍ଭରୁ ସୂଚନା ମିଳୁଛି । ବିଜେପି ଆଗ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଘୋଷଣା କରୁ, ପରେ ଅନ୍ୟ ସମସ୍ତ ବିଷୟ ଉପରେ ଆଲୋଚନା ହେବ ବୋଲି ସିନ୍ଧେ ଆଜି ମଧ୍ୟ ବୟାନ ଦେଇଛନ୍ତି । ସେ ମହାରାଷ୍ଟ୍ର ସରକାରରେ ଉପ ମୁଖ୍ୟମନ୍ତ୍ରୀ ହେଲେ ଗୃହ ମନ୍ତ୍ରଣାଳୟ ସହ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଶିବସେନାକୁ ଦିଆଯିବାକୁ ସିନ୍ଧେ ଦାବି କରୁଛନ୍ତି । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ନିଷ୍ପତ୍ତିକୁ ସେ ମାନି ନେବେ ବୋଲି କହୁଥିବା ବେଳେ ବାରମ୍ବାର ମହାୟୁତି ବୈଠକ ଟାଳିବା ଏବଂ ଫଡନାଭିସଙ୍କ ଅଧିନରେ ଥିବା ଗୃହ ମନ୍ତ୍ରଣାଳୟ ପାଇଁ ଦାବି ରଖିବା ସିନ୍ଧେଙ୍କ ମତିଗତିକୁ ସନ୍ଦିଗ୍ଧ କରିଛି । ସିନ୍ଧେଙ୍କ ଯୁକ୍ତି ହେଉଛି, ମହାୟୁତି ତାଙ୍କ ନେତୃତ୍ୱରେ ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲଢି ଆଶାତୀତ ସଫଳତା ପାଇଛି । ଗତ ଅଢେଇ ବର୍ଷରେ ମୁଖ୍ୟମନ୍ତ୍ରୀ ଭାବେ ସେ ମହାରାଷ୍ଟ୍ରରେ ଯେଭଳି ବିକାଶ କାର୍ଯ୍ୟ କରିଛନ୍ତି ତାଙ୍କ ନାମ ମହାରାଷ୍ଟ୍ର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ଇତିମଧ୍ୟରେ, ସିନ୍ଧେଙ୍କ ସାଂସଦ ପୁଅ ଶ୍ରୀକାନ୍ତ ସିନ୍ଧେ ଶିବସେନାରୁ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ଆଜି ଶ୍ରୀକାନ୍ତ ସିନ୍ଧେ ଏହାକୁ ଖଣ୍ଡନ କରି ସେ ଉପ ମୁଖ୍ୟମନ୍ତ୍ରୀ ପଦ ପାଇଁ ଲାଳାୟିତ ନୁହନ୍ତି ବୋଲି କହିଛନ୍ତି । ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି, ଆସନ୍ତା ୫ ତାରିଖ ସନ୍ଧ୍ୟାରେ ମୁମ୍ବାଇର ଆଜାଦ ମଇଦାନରେ ମହାୟୁତି ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ହେବ ବୋଲି ଘୋଷଣା ହୋଇଥିବା ବେଳେ ମହାୟୁତି ନେତାଙ୍କ ମଧ୍ୟରେ ଥିବା ବିବାଦ ଦାଣ୍ଡରେ ପଡି ହାଟରେ ଗଡୁଛି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ରାଓସାହେବ ଦାନଭେ ଏକ ବୟାନ ଦେଇ ଅବିଭକ୍ତ ଶିବସେନା ଓ ବିଜେପି ମେଂଟ ମିଳିତ ଭାବେ ଏହି ନିର୍ବାଚନ ଲଢିଲେ ମେଂଟ ଆହୁରି ଅଧିକ ସଂଖ୍ୟକ ଆସନରେ ଜିତିଥାନ୍ତା ବୋଲି କହିଥିବା ବେଳେ ଶିବସେନା ବିଧାୟକ ଗୁଲାବରାଓ ପାଟିଲ ଭିନ୍ନ ଏକ ବିବୃତିରେ ଦାବି କରିଛନ୍ତି, ଏନସିପି ଅଜିତ ପାୱାର ଗୋଷ୍ଠୀକୁ ମୟାୟୁତି ବା ମହାମେଂଟରେ ସାମିଲ କରାଯାଇନଥିଲେ ସିନ୍ଧେଙ୍କ ନେତୃତ୍ୱାଧୀନ ଶିବସେନା ୨୦୨୪ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥା’ନ୍ତା ଏବଂ ଦଳକୁ ୯୦ରୁ ୧୦୦ ବିଧାନସଭା ଆସନ ମିଳିଥା’ନ୍ତା । ଅଜିତ ପାୱାରଙ୍କ ଏନସିପି ଏଭଳି ମନ୍ତବ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଯେଉଁମାନେ ଏଭଳି ମନ୍ତବ୍ୟ ଦେଉଛନ୍ତି ସେମାନେ ମୁହଁ ବନ୍ଦ କରିବାକୁ ଏନସିପି ପରାମର୍ଶ ଦେଇଛି । ରାଜ୍ୟରେ ମହାୟୁତି ସରକାର ଗଠନ ନିଶ୍ଚିତ । ତେବେ, ସରକାର ଗଠନ ପୂର୍ବରୁୁ ମହାମେଂଟ ନେତାଙ୍କ ମଧ୍ୟରେ ଥିବା ତୀକ୍ତ ସଂପର୍କ ପଦାରେ ପଡୁଥିବାରୁ ଫଡନାଭିସ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା ଅନ୍ୟ କେହି ହୁଅନ୍ତୁ ଆଗକୁ ସରକାର କେମିତି ଚାଲିବ, ତାହା ବଡ ପ୍ରଶ୍ନ ହୋଇଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS