‘ଆପ୍’ ଏକାକୀ ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢିବ !


ପ୍ରସାଦ ରାଓ
ଡିସେମ୍ବର ୦୧
୨୦୨୫ ଫେବୃୟାରୀରେ ଦିଲ୍ଲୀ ସରକାରଙ୍କ କାର୍ଯ୍ୟକାଳ ସରୁଛି । ତାହା ପୂର୍ବରୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଜାତୀୟ ରାଜନୀତିରେ ଆମ୍ ଆଦମୀ ପାର୍ଟି (ଆପ୍) ବିରୋଧୀ ‘ଇଣ୍ଡି’ ମେଂଟରେ ଥିଲେ ମଧ୍ୟ ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସ ବା ‘ଇଣ୍ଡି’ ମେଂଟର କୌଣସି ଅଂଶୀଦାର ଦଳ ସହ ମେଂଟ କରିବ ନାହିଁ ବୋଲି ‘ଆପ୍’ ମୁଖ୍ୟ ତଥା ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ସ୍ପଷ୍ଟ କରିଛନ୍ତି । ‘ଦିଲ୍ଲୀରେ କୌଣସି ମେଂଟ ହେବ ନାହିଁ’ ବୋଲି କେଜରୀୱାଲ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି । ୨୦୨୪ ଲୋକସଭା ନିର୍ବାଚନରେ ଦିଲ୍ଲୀରେ ଆପ୍-କଂଗ୍ରେସ ମଧ୍ୟରେ ମେଂଟ ହୋଇଥିଲା ଏବଂ ଦୁଇ ଦଳ ମିଳିତ ଭାବେ ନିର୍ବାଚନ ଲଢିଥିଲେ । ତେବେ, ଦିଲ୍ଲୀର ସାତଟି ଯାକ ଲୋକସଭା ଆସନରେ ବିଜେପିର ବିଜୟ ହୋଇଥିଲା । ଗତ ଅକ୍ଟୋବରରେ ଅନୁଷ୍ଠିତ ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ‘ଆପ୍’ ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା କଥାବାର୍ତ୍ତା ହୋଇଥିଲା । ତେବେ, କଂଗ୍ରେସର ଅଡିଅଳପଣ ଯୋଗୁଁ କଥାବାର୍ତ୍ତା ବିଫଳ ହେବା ସହ ବିଜେପି ଏହି ନିର୍ବାଚନ ଜିତି ନେଇଥିଲା । ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସ ବା ‘ଇଣ୍ଡି’ ମେଂଟର କୌଣସି ଅଂଶୀଦାର ଦଳ ସହ ‘ଆପ୍’ ଆସନ ବୁଝାମଣା କରିବ ନାହିଁ ବୋଲି କେଜରୀୱାଲ ଆଜି ଗଣମାଧ୍ୟମକୁ କହିବା ପରେ ଦିଲ୍ଲୀରେ ‘ଆପ୍’ ଏକାକୀ ନିର୍ବାଚନ ଲଢିବ ବୋଲି ସ୍ପଷ୍ଟ ହୋଇଛି । କେଜରୀୱାଲ ଗତକାଲି ଦିଲ୍ଲୀର ମାଲବ୍ୟ ନଗର ଅଂଚଳରେ ଏକ ରାଲିରେ ଯାଉଥିବା ସମୟରେ ଜଣେ ବ୍ୟକ୍ତିି ତାଙ୍କ ଉପରକୁ ତରଳ ପଦାର୍ଥ ଫିଙ୍ଗି ଘଟଣାସ୍ଥଳରେ ଧରା ପଡିଛନ୍ତି । ଏହି ତରଳ ପଦାର୍ଥ ‘ସ୍ପିରିଟ’ ବୋଲି ‘ଆପ୍’ ନେତାମାନେ ଅଭିଯୋଗ କରିଥିବା ବେଳେ ଅଟକ ଯୁବକ ଅଶୋକ ଝା (୪୧) ଦିଲ୍ଲୀ ଟ୍ରାନ୍ସପୋର୍ଟ କର୍ପୋରେସନ (ଡିଟିସି)ର ଜଣେ କର୍ମଚାରୀ ବୋଲି ଚିହ୍ନଟ କରାଯାଇଛି । କେଜରୀୱାଲଙ୍କ ସହ ଥିବା ‘ଆପ୍’ କର୍ମୀମାନେ ସଂପୃକ୍ତ ଯୁବକକୁ ମାଡି ବସି ମାଡ ମାରିବା ସହ ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରିଥିଲେ । ଆକ୍ରମଣ ବିଜେପି ଦ୍ୱାରା ପ୍ରୟୋଜିତ ବୋଲି ‘ଆପ୍’ ମୁଖ୍ୟ କେଜରୀୱାଲ ଓ ଦିଲ୍ଲୀ ମନ୍ତ୍ରୀମାନେ ଅଭିଯୋଗ କରୁଥିବା ବେଳେ ଦିଲ୍ଲୀ ପୁଲିସ କହିଛନ୍ତି, କେଜରୀୱାଲଙ୍କ ଉପରେ ଆକ୍ରମଣ କରିଥିବା ଡିଟିସି କର୍ମଚାରୀ ଜଣକ ଜଣେ ‘ଆପ୍’ ସମର୍ଥକ । ସେ ଛଅ ମାସର ଦରମା ପାଇନଥିବାରୁ ହତାଶ ହୋଇ ଏହି ଘଟଣା ଘଟାଇଥିବା କହୁଛି । ଦିଲ୍ଲୀ ପୁଲିସ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧିନରେ ରହିଛି । ଦିନକ ପରେ କେଜରୀୱାଲ ଆଜି ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାର ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଆକ୍ରମଣ କରିଛନ୍ତି । ସେ କି ଦୋଷ କରିଛନ୍ତି ଯେ ତାଙ୍କ ଉପରେ ଏଭଳି ଆକ୍ରମଣ ହେଉଛି ବୋଲି କେଜରୀୱାଲ ପ୍ରଶ୍ନ କରିଛନ୍ତି । ଦେଶର ରାଜଧାନୀ ଦିଲ୍ଲୀରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ନେଇ ସେ ଅଭିଯୋଗ କରିଥିଲେ । ଆଶା କରିଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଶାହାଙ୍କ ଆଡୁ କିଛି କାର୍ଯ୍ୟାନୁଷ୍ଠାନ ହେବ । ତେବେ, ଓଲଟା ଗତକାଲି ସେ ପଦଯାତ୍ରା କରିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଛି । ତାଙ୍କ ଉପରକୁ ଫିଙ୍ଗା ଯାଇଥିବା ତରଳ ପଦାର୍ଥ ଯଦି ବିପଜ୍ଜନକ ଦ୍ରବ୍ୟ ହୋଇଥା’ନ୍ତା ତେବେ କଣ ହୋଇଥା’ନ୍ତ (?) ବୋଲି କେଜରୀୱାଲ ପ୍ରଶ୍ନ ଉଠାଇଛନ୍ତି । ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱଜଙ୍କ ଅଭିଯୋଗ ହେଉଛି, ଗତକାଲି ‘ଆପ୍’ ନେତା କେଜରୀୱାଲଙ୍କ ଉପରକୁ ଫିଙ୍ଗା ଯାଇଥିବା ତରଳ ପଦାର୍ଥ ‘ସ୍ପିରିଟ’ ଭଳିି ବାସ୍ନା ହେଉଥିଲା ଏବଂ ତାହା ଫିଙ୍ଗି ଥିବା ବ୍ୟକ୍ତିଙ୍କ ନିକଟରୁ ଗୋଟିଏ ଦିଆସିଲି ମିଳିଛି । ଏଥିରୁ ରାଲି କରୁଥିବା ‘ଆପ୍’ ମୁଖ୍ୟ ଓ ତାଙ୍କ ସମର୍ଥକଙ୍କୁ ଜୀବନ୍ତ ଜାଳି ଦେବାକୁ ହୋଇଥିବା ଷଡଯନ୍ତ୍ର ପଦାରେ ପଡିଛି । ରାଲିରେ ଉପସ୍ଥିତ ‘ଆପ୍’ ସମର୍ଥକମାନେ ତୁରନ୍ତ ଆକ୍ରମଣକୁ ପଣ୍ଡ କରିଥିଲେ । ନହେଲେ କେଉଁପ୍ରକାର ଅଘଟଣ ଘଟିଥା’ନ୍ତା ଅନୁମାନ କରିହେବ ବୋଲି ସୌରଭ କହିଛନ୍ତି । ତେବେ, ବିଜେପି ଏହାକୁ ‘ଆପ୍’ର ‘ପବ୍ଲିସିଟି ଷ୍ଟଂଟ୍’ କହି ଅଭିଯୋଗକୁ ଖାରଜ କରିଦେଇଛି । ଦିଲ୍ଲୀ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଥିବାରୁ ଦିଲ୍ଲୀବାସୀଙ୍କ ସହାନୁଭୂତି ପାଇବା ପାଇଁ ଏଭଳି ‘ଷ୍ଟଂଟ୍’ର ଆଶ୍ରୟ ନେଇଛନ୍ତି ବୋଲି ବିଜେପି ପାଲଟା ଅଭିଯୋଗ କରିଛି । ଦିଲ୍ଲୀ ପୁଲିସ ମଧ୍ୟ କହିଛନ୍ତି, କେଜରୀୱାଲଙ୍କ ଉପରେ ପିଙ୍ଗା ଯାଇଥିବା ତରଳ ପଦାର୍ଥ ହେଉଛି ପାଣି, ସ୍ପିରିଟ ନୁହେଁ । ଗତକାଲି ଦିଲ୍ଲୀ ପୁଲିସର କ୍ରାଇମ ବ୍ରାଂଚ୍ ‘ଆପ୍’ର ଉତ୍ତମ ନଗର ବିଧାୟକ ନରେଶ ବାଲ୍ୟାନଙ୍କୁ ପଚରା ଉଚୁରା ପାଇଁ ଡକାଇ ଗିରଫ କରିବା ଘଟଣାକୁ ମଧ୍ୟ ଆଜି ‘ଆପ୍’ ମୁଖ୍ୟ କେଜରୀୱାଲ ବିରୋଧ କରିଛନ୍ତି । କେଜରୀୱାଲ ଅଭିଯୋଗ କରିଛନ୍ତି, ‘ଆପ୍’ ବିଧାୟକ ବାଲ୍ୟାନ ଗ୍ୟାଙ୍ଗଷ୍ଟରଙ୍କ ଶିବାର ହୋଇଛନ୍ତି । ବର୍ଷେ, ଦୁଇ ବର୍ଷ ତଳେ ତାଙ୍କୁ ‘ବଟି’ ମଗାଯାଇ ଧମକ ଦିଆଯାଉଥିଲା । ବାଲ୍ୟାନ ଏନେଇ ବହୁବାର ଥାନାରେ ଏତଲା ଦେଇଛନ୍ତି । ତେବେ, ପୁଲିସ ଗତକାଲି ତାଙ୍କୁ ପଚରା ଉଚୁରା କରିବାକୁ ଡାକି ଦୀର୍ଘ ସମୟ ଜେରା ପରେ ଗିରଫ କରିଛନ୍ତି । ବାଲ୍ୟାନଙ୍କ ଗିରଫକୁ ନେଇ ଦିଲ୍ଲୀ ପୁଲିସ କହୁଛି, ସ୍ଥାନୀୟ ବ୍ୟବସାୟୀଙ୍କଠାରୁ ଜବରଦସ୍ତ ଚାନ୍ଦା ଆଦାୟ ସଂପର୍କରେ ଗତ ବର୍ଷ ହୋଇଥିବା ଏକ ମାମଲାରେ ବିଧାୟକ ବାଲ୍ୟାନଙ୍କୁ ଗିରଫ କରାଯାଇଛି । ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ବିଧାୟକ ନରେଶ ବାଲ୍ୟାନ ଓ ବିଦେଶରୁ ଅପରେଟ୍ କରୁଥିବା କପିଳ ସାଂଗୱାନ ନାମକ ଜଣେ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ସ୍ଥାନୀୟ ବ୍ୟବସାୟୀଙ୍କ ଠାରୁ ଜବରଦସ୍ତ ଚାନ୍ଦା ଅସୁଲି ନେଇ କଥାବାର୍ତ୍ତା ହେଉଥିବାର ଏକ ଅଡିଓ କ୍ଲିପ୍ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିଲା । ପୁଲିସ ଏହାର ତଦନ୍ତ କରୁଛି । ବାଲ୍ୟାନଙ୍କୁ ଅଧିକ ଜେରା କରାଯିବାର ଆବଶ୍ୟକତା ରହିଛି । ଏଠାରେ ସୂଚନାଯୋଗ୍ୟ, କଂଗ୍ରେସ ନେତୃତ୍ୱାଧୀନ ୟୁପିଏ-୨ ସରକାରଙ୍କ ଦୁର୍ନୀତି ବିରୋଧରେ ଆନ୍ନା ହଜାରେଙ୍କ ଆନ୍ଦୋଳନରୁ କେଜରୀୱାଲଙ୍କ ‘ଆପ୍’ର ଜନ୍ମ ହୋଇଥିଲେ ମଧ୍ୟ ଗତ ଦଶ ବର୍ଷ ମଧ୍ୟରେ ଦଳ ବହୁ ଦୁର୍ନୀତି ଅଭିଯୋଗରେ ଫସିଛି । କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ସରକାରଙ୍କ ସହ ଦିଲ୍ଲୀର ‘ଆପ୍’ ସରକାରଙ୍କ ତୀକ୍ତ ସଂପର୍କ ସର୍ବବିଦିତ । ଦିଲ୍ଲୀ ସରକାରଙ୍କ ନୂତନ ଅବକାରୀ ନୀତିର କାର୍ଯ୍ୟକାରିତାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗର ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ରାଜ୍ୟସଭା ସାଂସଦ ସଂଜୟ ସିଂହଙ୍କ ସମେତ ମୁଖ୍ୟମନ୍ତ୍ରୀ ଥାଇ ଅରବିନ୍ଦ କେଜରୀୱାଲ ଗିରଫ ହୋଇ ଜେଲ ଯାଇଥିଲେ । ଏବେ ସେମାନେ ସୁପ୍ରିମ କୋର୍ଟରୁ ଜାମିନ ପାଇ ବାହାରେ ଅଛନ୍ତି । ‘ଆପ୍’ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଗଠିତ ବିରୋଧୀ ‘ଇଣ୍ଡି’ ମେଂଟରେ ଥାଇ ସୁଦ୍ଧା ଏକାକୀ ବିଭିନ୍ନ ରାଜ୍ୟ ବିଧାନସଭା ନିର୍ବାଚନ ଲଢି ସାରିଛି । ଦିଲ୍ଲୀରେ ଉଭୟ ବିଜେପି ଓ କଂଗ୍ରେସ ଶାସକ ‘ଆମ୍ ଆଦମୀ ପାର୍ଟି’ର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି । ହରିୟାଣା ବିଧାନସଭା ନିର୍ବାଚନ ଆସନ ବୁଝାମଣା କଥାବାର୍ତ୍ତା ବିଫଳ ହେବା ପରରୁ କଂଗ୍ରେସ ସହ ‘ଆପ୍’ର ସଂପର୍କ ତୀକ୍ତ ରହିଛି । ଏହି ପରିପ୍ରେକ୍ଷୀରେ ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ‘ଆପ୍’ କଂଗ୍ରେସ ବା ‘ଇଣ୍ଡି’ ମେଂଟର କୌଣସି ସହଯୋଗୀ ଦଳ ସହ ମେଂଟ କରିବ ନାହିଁ ବୋଲି ଆଜି ‘ଆପ୍’ ମୁଖ୍ୟ କେଜରୀୱାଲଙ୍କ ଘୋଷଣାରେ କିଛି ବିଚିତ୍ରତା ନାହିଁ । ଆଜି ଦିନରେ ଜାତୀୟ ରାଜନୀତିରେ କଂଗ୍ରେସ ଯେଭଳି ଦୁର୍ବଳ ସ୍ଥିତିରେ ରହିଛି ‘ଆପ୍’ ଏକାକୀ ନିର୍ବାଚନ ଲଢିଲେ ହିଁ ବିଜେପିର କଡା ମୁକାବିଲା କରି ପାରିବ ବୋଲି ‘ଆପ୍’ ମୁଖ୍ୟ ବିଶ୍ୱାସ କରୁଥିବାରୁ ଆଜି ଏକାକୀ ନିର୍ବାଚନ ଲଢିବା କଥା ଘୋଷଣା କରିଥିବା ରାଜନୈତିକ ବିଶ୍ଲେଷକମାନେ ଅନୁମାନ କରୁଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS