ଇଭିଏମକୁ ନେଇ କଂଗ୍ରେସର ସନ୍ଦେହ ଦୂର କରିପାରିବ ତ ନିର୍ବାଚନ କମିଶନ ?


ପ୍ରସାଦ ରାଓ
ନୂଆଦିଲ୍ଲୀ/ନଭେମ୍ବର ୩୦
ଗତ ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଦଳର ବିପର୍ଯ୍ୟୟ ପାଇଁ କଂଗ୍ରେସ ନେତୃତ୍ୱ ଇଭିଏମ୍ ମାଧ୍ୟମରେ ଭୋଟ ଗ୍ରହଣକୁ ଦାୟି କରିବା ସହ ନିର୍ବାଚନ ପରିଚାଳନାରେ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛି । ଦୁଇଟି ଯାକ ବିଧାନସଭା ନିର୍ବାଚନରେ ମତଦାନ ଶେଷ ଆଡକୁ ମତଦାନ ପ୍ରତିଶତ ବଢି ଯାଇଥିବା ସନ୍ଦେହର ଅବକାଶ ସୃଷ୍ଟି କରିଛି ବୋଲି ଦଳ ପକ୍ଷରୁ କୁହାଯିବା ସହ ଇଭିଏମ ପରିବର୍ତ୍ତେ ‘ପେପର ବ୍ୟାଲଟ’ ମାଧ୍ୟମରେ ନିର୍ବାଚନ ହୋଇଥିଲେ ଫଳାଫଳ ଭିନ୍ନ ହୋଇଥାନ୍ତା ବୋଲି ଦାବି କରିଛି । ନିର୍ବାଚନ ପରିଚାଳନାରେ ସ୍ୱଚ୍ଛତାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇବା ସହ ଦେଶରେ ‘ପେପର ବ୍ୟାଲେଟ’ ମାଧ୍ୟମରେ ମତଦାନର ପୁନଃ ପ୍ରଚଳନ ପାଇଁ ଦାବି କରି ଏହା ସପକ୍ଷରେ ଦେଶବ୍ୟାପୀ ପଦଯାତ୍ରା କରି ଜନମତ ଜାଗ୍ରତ କରିବାକୁ କଂଗ୍ରେସ ଅଂଟା ଭିଡିଛି । ବିରୋଧୀ ‘ଇଣ୍ଡି’ ମେଂଟ ମଧ୍ୟ ନିର୍ବାଚନ ପରିଚାଳନାରେ ସ୍ୱଚ୍ଛତାକୁ ନେଇ ବିଭିନ୍ନ ସମୟରେ ନିର୍ବାଚନ କମଶନଙ୍କୁ ଟାର୍ଗେଟ୍ କରି ଆସୁଛନ୍ତି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଆସବା ପରଠାରୁ ନିର୍ବାଚନ କମିଶନ କଂଗ୍ରେସର ନିଶାଣ ହୋଇଛନ୍ତି । ଏଭଳି ପରିସ୍ଥିତିରେ ନିର୍ବାଚନ କମିଶନ ନିର୍ବାଚନ ପରିଚାଳନାକୁ ନେଇ କଂଗ୍ରେସର କିଛି ନ୍ୟାୟସଂଗତ ଉଦବେଗ ରହିଛି ତାହା ଉପରେ ଆଲୋଚନା କରିବାକୁ କମିଶନ ପ୍ରସ୍ତୁତ ଥିବା ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଡିସେମ୍ବର ୦୩ ତାରିଖରେ କଂଗ୍ରେସ ପ୍ରତିନିଧି ଦଳକୁ ଭୋଟି ଆଲୋଚନା କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି । କଂଗ୍ରେସ ପ୍ରତିନିଧି ଦଳର ଅଭିଯୋଗ ଶୁଣିବା ପରେ ଯଦି କିଛି ଯୁକ୍ତିସଂଗତ ଅଭିଯୋଗ ରହିଛି ତାହାର ସମୀକ୍ଷା କରାଯାଇ ଇସିଆଇ ଲିଖିତ ଭାବରେ ତାହାର ଉତ୍ତର ଦେବ ବୋଲି ମଧ୍ୟ ଇସିଆଇ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । ନଭେମ୍ବର ୨୦ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସରିଥିଲା ଓ ୨୩ ତାରିଖ ଫଳାଫଳ ପ୍ରକାଶ ପାଇଥିଲା । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ବିଜେପି, ଶିବସେନା, ଏନସିପି ମେଂଟ (ମହାୟୁତି)କୁ ୨୩୦ଟି ଆସନ ମିଳିଥିବା ବେଳେ କଂଗ୍ରେସ, ଶିବସେନା (ୟୁବିଟି), ଏନସିପି (ଶରଦଚନ୍ଦ୍ର ପାୱାର) ମେଂଟ ବା ମହା ବିକାଶ ଅଘାଡି (ଏମଭିଏ)କୁ ମାତ୍ର ୪୬ ଆସନ ମିଳିଛି । କଂଗ୍ରେସ ୧୦୩ଟି ଆସନରେ ନିର୍ବାଚନ ଲଢି ମାତ୍ର ୧୬ଟି ଆସନରେ ବିଜୟୀ ହୋଇଛି । ପୂର୍ବରୁ ହରିୟାଣା ବିଧାନସଭା ନିର୍ବାଚନରେ ମଧ୍ୟ କଂଗ୍ରେସ ସରକାର ଗଠନ କରିବା ନିଶ୍ଚିତ ବୋଲି ବିଭିନ୍ନ ଏକିଜିଟ୍ ପୋଲ୍ ଆକଳନ କରିଥିବା ବେଳେ ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯାଇଥିଲା । ଏହାପରେ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ କଂଗ୍ରେସ ପାଇଁ ଅପମାନସୂଚକ ହୋଇଛି ଏବଂ ବିରୋଧୀ ‘ଇଣ୍ଡି’ ମେଂଟରେ କଂଗ୍ରେସର ଗୁରୁତ୍ୱ କମି ଯାଇଛି । ହରିୟାଣା ନିର୍ବାଚନରେ ବିପର୍ଯ୍ୟୟ ପାଇଁ କଂଗ୍ରେସ ଇଭିଏମକୁ ଦାୟି କରିଥିଲା । ମହାରାଷ୍ଟ୍ର ବିପର୍ଯ୍ୟୟ ପାଇଁ ଇଭିଏମକୁ ଦାୟି କରିଛି । ନିର୍ବାଚନ କମିଶନଙ୍କ ସ୍ୱଚ୍ଛତାକୁ ନେଇ ମଧ୍ୟ ଦଳ ସନ୍ଦେହ ବ୍ୟକ୍ତ କରିଛି । ତେବେ, ୨୦୨୪ ଲୋକସଭା ନିର୍ବାଚନ ଓ ଅନ୍ୟ କିଛି ରାଜ୍ୟ ବିଧାନସଭା ନିର୍ବାଚନରେ ଭଲ ପ୍ରଦର୍ଶନ ପରେ କଂଗ୍ରେସ ଓ ‘ଇଣ୍ଡି’ ମେଂଟ ଇଭିଏମକୁ ନେଇ ସନ୍ଦେହ ବ୍ୟକ୍ତ କରିନଥିବା ବେଳେ ଯେଉଁ ନିର୍ବାଚନରେ ପରାଜିତ ହେଉଛନ୍ତି ସେଠି ଇଭିଏମ ଓ ନିର୍ବାଚନ କମିଶନଙ୍କ ସ୍ୱଚ୍ଛତାକୁ ଦୋଷ ଦେଉଥିବା ପ୍ରତିରଣାପୂର୍ଣ୍ଣ ବୋଲି ବିଜେପି କଟାକ୍ଷ କରିଥିବା ବେଳେ ମହାରାଷ୍ଟ୍ର ଫଳାଫଳ ଆସିବା ପରେ ଇଭିଏମର ସ୍ୱଚ୍ଛତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇବା ଛଳନାପୂର୍ଣ୍ଣ ବୋଲି ନିକଟରେ ସୁପ୍ରିମ କୋର୍ଟ ମଧ୍ୟ ମନ୍ତବ୍ୟ ଦେଇଛନ୍ତି । ଇଭିଏମକୁ ବର୍ଜନ କରାଯିବା ପାଇଁ ସୁପ୍ରିମ କୋର୍ଟରେ ହୋଇଥିବା ଆବେଦନଗୁଡିକ ବିଚାର କରିବା ସମୟରେ ସୁପ୍ରିମ କୋର୍ଟ ଖଣ୍ଡପୀଠ ନିର୍ବାଚନ ଜିତିଲେ ଇଭିଏମକୁ ନେଇ ପ୍ରଶ୍ନ କରାନଯିବା ଏବଂ ହାରିଲେ ପ୍ରଶ୍ନ କରାଯିବା ଛଳନାପୂର୍ଣ୍ଣ କହି ଇଭିଏମ ବର୍ଜନ କରାଯାଇ ପେପର ବ୍ୟାଲେଟ ମାଧ୍ୟମରେ ନିର୍ବାଚନ କରାଯିବା ସକାଶେ ନିର୍ବାଚନ କମିଶନଙ୍କୁ ନିର୍ଦେଶ ଦିଆଯିବାକୁ ହୋଇଥିବା ଆବେଦନଗୁଡିକ ଖାରଜ କରି ଦେଇଥିଲେ । କଂଗ୍ରେସ ଦଳ ଯଦି କିଛି ନ୍ୟାୟସଂଗତ ଅଭିଯୋଗ ରହିଛି ନିର୍ବାଚନ କମିଶନଙ୍କୁ ଭେଟି ଉଦବେଗ ଜଣାଇବା ଉଚିତ ବୋଲି ମଧ୍ୟ କେତେକ ମହଲରେ କଂଗ୍ରେସ ନେତୃତ୍ୱକୁ ପରାମର୍ଶ ମିଳିଥିଲା । କଂଗ୍ରେସର ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟି ଏସଂପର୍କରେ ଆଲୋଚନା କରିବାକୁ ଚାହୁଁଥିବା ଇସିଆଇକୁ ଜଣାଇବା ପରେ ଆଜି ଇସିଆଇ ପକ୍ଷରୁ ପ୍ରାଥମିକ ପ୍ରତିକ୍ରିୟା ମିଳିଛି । ଇସିଆଇ ପକ୍ଷରୁ କୁହାଯାଇଛି, ନିର୍ବାଚନର ପ୍ରତିଟି ସ୍ତରରେ ସ୍ୱଚ୍ଛତା ଅବଲମ୍ବନ କରାଯାଇଛି । ରାଜନୈତିକ ଦଳର ପ୍ରାର୍ଥୀ ଏବଂ ସେମାନଙ୍କ ପୁଲିଂ ଏଜେଂଟଙ୍କୁ ନେଇ ନିର୍ବାଚନ ପରିଚାଳନାରେ ପାରଦର୍ଶିତା ରକ୍ଷା କରାଯାଇଛି । ଭୋଟର ତାଲିକା ସଂଶୋଧନ ବେଳେ ମଧ୍ୟ ରାଜନୈତିକ ଦଳଙ୍କୁ ସାମିଲ କରାଯାଇ ସ୍ୱଚ୍ଛତା ରକ୍ଷା କରାଯାଇଛି । ତଥାପି ଯଦି କଂଗ୍ରେସର କିଛି ନ୍ୟାର୍ଯ୍ୟ ଉଦବେଗ ରହିଛି ଇସିଆଇ ତାହାର ପୁନଃ ସମୀକ୍ଷା କରିବ ଏବଂ ଲିଖିତ ଭାବେ ତାହାର ଉତ୍ତର ରଖିବ ବୋଲି ଇସିଆଇ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ମତଦାନ ପରିମାଣ ଆଶାତୀତ ବୃଦ୍ଧି ଘଟିଥିବା ନେଇ କଂଗ୍ରେସ ଆଡୁ ଯେଉଁ ଅଭିଯୋଗ ହୋଇଛି ତାହାର ଉତ୍ତର ଦେବାକୁ ଯାଇ ନିର୍ବାଚନ କମିଶନ କହିଛନ୍ତି, ଏଥିରେ କୌଣସି ପ୍ରକାର ଅସାମଂଜସ୍ୟ ନାହିଁ । ନିର୍ବାଚନ ସରିବା ବେଳକୁ କେଉଁ ଭୋଟ ଗ୍ରହଣ କେନ୍ଦ୍ରରେ କେତେ ପ୍ରତିଶତ ମତଦାନ ହୋଇଛି ତାହାର ଟିକିନିକି ବିବରଣୀ ପୁଲିଂ ଷ୍ଟେସନୱାରୀ ରହିଛି । ତାହା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ଓ ସେମାନଙ୍କ ପୁଲିଂ ଏଜେଂଟଙ୍କୁ ମଧ୍ୟ ଯୋଗାଇ ଦିଆଯାଇଛି, ଯାହାକି ଯେକୌଣସି ସମୟରେ ଯାଂଚ କରି ହେବ । ସନ୍ଧ୍ୟା ୫ଟା ମତଦାନ ସରିବା ପରେ ମତଦାନ ପ୍ରତିଶତକୁ ନେଇ ଇସିଆଇ ଦେଇଥିବା ତଥ୍ୟ ସହ ଚୂଡାନ୍ତ ମତଦାନ ପ୍ରତିଶତ ମେଳ ଖାଉନଥିବା ନେଇ କଂଗ୍ରେସ ଯେଉଁ ଅଭିଯୋଗ କରିଛି ତାହା ଉପରେ ଇସିଆଇ କହିଛି, ମତଦାନ ସରିବା ପରେ ବିଭିନ୍ନ ବ୍ୟବସ୍ଥାଗତ କାର୍ଯ୍ୟ ସଂପାଦନ ହେଉଥିବାରୁ ଚୂଡାନ୍ତ ମତଦାନ ପ୍ରତିଶତ ଜଣାପଡିବା ବିଳମ୍ବିତ ହେଉଛି ଏବଂ ନିର୍ବାଚନ ସରୁ ସରୁ ଯେଉଁ ତଥ୍ୟ ଦିଆଯାଉଛି ତାହା ଚୂଡାନ୍ତ ରିପୋର୍ଟରେ ବଢିଯାଇ ଅଧିକ ରହୁଛି । ତେଣୁ, ନିର୍ବାଚନ କମିଶନ ୨୦୨୪ ଲୋକସଭା ନିର୍ବାଚନରେ ରାତି ପ୍ରାୟ୧୧ଟା ୪୫ ମିନିଟରେ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଚୂଡାନ୍ତ ମତଦାନ ପରିମାଣ ସୂଚିତ କରିବା ଆରମ୍ଭ କରିଥିଲେ । ଯାହାକି, ପରବର୍ତ୍ତୀ ବିଧାନସଭା ନିର୍ବାଚନଗୁଡିକରେ ମଧ୍ୟ ଅନୁସରଣ କରାଯାଉଛି । ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରୀଣୀ (ସିଡବ୍ଲୁସି) ବୈଠକରେ ଏହି ପ୍ରସଙ୍ଗରେ ଚର୍ଚ୍ଚା ହୋଇଥିଲା ଏବଂ ନିର୍ବାଚନ କମିଶନଙ୍କ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ କରାଯାଇଥିଲା । ବୈଠକ ସରିବା ପରେ କଂଗ୍ରେସ ସାଧାରଣ ସଂପାଦକ କେ.ସି.ବେଣୁଗୋପାଲ ସାମ୍ବାଦିକ ସମ୍ମିଳନୀ କରି ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳରେ ମଧ୍ୟ ‘ଜାଲିଆତି’ ହୋଇଛି ବୋଲି ଅଭିଯୋଗ କରିଥିଲେ । ମତଦାନ ଶେଷ ହେବା ପରେ ଯେଉଁ ମତଦାନ ପ୍ରତିଶତ ଦିଆଯାଉଛି ଚୂଡାନ୍ତ ମତଦାନ ରିପୋର୍ଟ ଆସିବା ବେଳକୁ ତାହା ୭.୮୩ ପ୍ରତିଶତ ବଢି ଯାଉଥିବା ହିଁ ସନ୍ଦେହଜନକ ବୋଲି ବେଣୁଗାପାଳ କହିଥିଲେ । ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପଟୋଲେ ମଧ୍ୟ ଏକାଭଳି ଅଭିଯୋଗ କରି ନିର୍ବାଚନ କମିଶନ ପ୍ରମାଣ ଉପସ୍ଥାପନ କରୁ ବୋଲି ଦାବି କରିଥିଲେ । ନାନା ପଟୋଲେ କହିଛନ୍ତି, ନଭେମ୍ବର ୨୦ ତାରିଖରେ ମହାରାଷ୍ଟ୍ରରେ ମତଦାନ ସରିବା ପରେ ରାତି ସାଢେ ୧୧ଟା ବେଳେ ନିର୍ବାଚନ କମିଶନ ୬୫.୨ ପ୍ରତିଶତ ମତଦାନ ହୋଇଥିବା ସୂଚିତ କରିଥିଲେ । ୨୧ ତାରିଖ ଅପରାହ୍ନ ୩ଟାରେ ଇସିଆଇ କହିଛି ରାଜ୍ୟରେ ୬୬.୦୫ ପ୍ରତିଶତ ମତଦାନ ହୋଇଛି । ରାତାରାତି ମତଦାନ ପରିମାଣ କେମିତି ୧.୦୩ ପ୍ରତିଶତ ବଢିଗଲା ଏବଂ କେଉଠୁ ଆସିଲା ଏହି ଭୋଟ ? ଗୋଟିଏ ଦିନରେ ଅଧିକ ନଅ ଲକ୍ଷ ୯୯ ହଜାର ୩୫୯ ଭୋଟ କେଉଁଠୁ ଆସିଲା ନିର୍ବାଚନ କମିଶନ ଉତ୍ତର ରଖନ୍ତୁ ବୋଲି ମହାରାଷ୍ଟ୍ର କଂଗ୍ରେସ ନେତା ପଟୋଲେ ଦାବି କରିଛନ୍ତି । କଂଗ୍ରେସ ହରିୟାଣା ଓ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଘୋଷଣାରେ ଅସଂଗତି ଥିବା ଦର୍ଶାଇ ନିର୍ବାଚନ କମିଶନଙ୍କୁ ଘେରୁଥିବା ବେଳେ ନିର୍ବାଚନ କମିଶନ ଯଦି କିଛି ନ୍ୟାୟସଂଗତ ଉଦବେଗ ରହିଛି କଂଗ୍ରେସ ପ୍ରତିନିଧି ଦଳ ଜଣାଇଲେ ଫଳାଫଳର ପୁନଃ ସମୀକ୍ଷା କରାଯାଇ ଲିଖିତ ଉତ୍ତର ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବାରୁ ଏବଂ କଂଗ୍ରେସ ପ୍ରତିନିଧି ଦଳକୁ ଡିସେମ୍ବର ୦୩ ତାରିଖରେ ଆଲୋଚନା ପାଇଁ ଡାକି ଥିବାରୁ କଂଗ୍ରେସର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିବ । ନିର୍ବାଚନ କମିଶନ ହେଉଛନ୍ତି ଦେଶର ଏକ ସାମ୍ବିଧାନିକ ଅନୁଷ୍ଠାନ । ସେହିଭଳି କଂଗ୍ରେସ ହେଉଛି ଦେଶର ପ୍ରମୁଖ ଜାତୀୟ ବିରୋଧୀ ଦଳ । ନିର୍ବାଚନ କମିଶନଙ୍କ ସ୍ୱଚ୍ଛତାକୁ ନେଇ କଂଗ୍ରେସ ଓ ବିରୋଧୀ ମେଂଟ ପ୍ରଶ୍ନ ଉଠାଇବା ଓ ସନ୍ଦେହ ବ୍ୟକ୍ତ କରିବା ନିଶ୍ଚିତ ଭାବେ ଉଦବେଗଜନକ । ବିରୋଧୀଙ୍କ ମନରେ ସୃଷ୍ଟି ହୋଇଥିବା ସନ୍ଦେହ ଦୂର କରିବାରେ ନିର୍ବାଚନ କମିଶନ ସଫଳ ହେଲେ ହିଁ ଦେଶବାସୀଙ୍କ ମନରେ ଗଣତନ୍ତ୍ର ପ୍ରତି ଥିବା ଆସ୍ଥା ଅଧିକ ସୁଦୃଢ ହୋଇପାରିବ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS