ମହାରାଷ୍ଟ୍ର ମହାୟୁତିରେ ସବୁ କିଛି ଠିକଠାକ୍ ନାହିଁ ?


ପ୍ରସାଦ ରାଓ
ନଭେମ୍ବର ୨୯
‘ମହାରାଷ୍ଟ୍ର ‘ମହାୟୁତି’ରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି ମତାନ୍ତର ନାହିଁ । ମେଂଟ ଅଂଶୀଦାର ଥିବା ତିନି ରାଜନୈତିକ ଦଳ ନେତା ଆମେ ଏକାଠି ବସି ସବୁ ନିଷ୍ପତ୍ତି ନେଉଛୁ । ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଶିବସେନା ନେତା ଏକନାଥ ସିନ୍ଧେ ପ୍ରଥମେ ଅଡି ରହିଥିଲେ ମଧ୍ୟ ପରେ ବାସ୍ତବତାକୁ ଗ୍ରହଣ କରି ଏହି ଦାବିରୁ ଓହରିଛନ୍ତି ଏବଂ କେତେକ ମହଲରେ ଥିବା ଭୁଲ ବୁଝାମଣାକୁ ଇତିମଧ୍ୟରେ ଦୂର କରିଦେଇଛନ୍ତି’ ବୋଲି ମହାରାଷ୍ଟ୍ରର ବରିଷ୍ଠ ବିଜେପି ନେତା ତଥା ବିଜେପିର ‘ମୁଖ୍ୟମନ୍ତ୍ରୀ ଚେହେରା’ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଗତକାଲି ମୁମ୍ବାଇରେ ଗଣମାଧ୍ୟମକୁ କହିଥିଲେ । ପୂର୍ବଦିନ ଶିବସେନା ମୁଖ୍ୟ ତଥା ରାଜ୍ୟର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ସୁହାଇଲା ଭଳି ବୟାନ ଦେଇଥିଲେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ପାଇଁ ସେ ଆଉ ଦାବିଦାର ନାହାନ୍ତି । ସରକାର ଗଠନରେ ମଧ୍ୟ ପ୍ରତିବନ୍ଧକ ହେବାକୁ ଚାହୁଁ ନାହାନ୍ତି । ବରିଷ୍ଠ ବିଜେପି ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସରକାର ଗଠନକୁ ନେଇ ଯେକୌଣସି ନିଷ୍ପତ୍ତି ନେବେ ତାଙ୍କ ଦଳ ତାହାକୁ ସାଦରେ ଗ୍ରହଣ କରି ନେବ ବୋଲି ମୁଖ୍ୟମନ୍ତ୍ରୀ ସିନ୍ଧେ ଗଣମାଧ୍ୟମକୁ କହିଥିଲେ । ସିନ୍ଧେଙ୍କ ସାମ୍ବାଦିକ ସମ୍ମିଳନୀ ପରେ ମହାରାଷ୍ଟ୍ର ମହାୟୁତି ରାଜନୀତିରେ ସବୁ କିଛି ସ୍ୱାଭାବିକ ହୋଇଯାଇଥିବା ଧାରଣା ସୃଷ୍ଟି ହୋଇଥିଲା । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ମହାୟୁତିର ତିନି ବରିଷ୍ଠ ନେତାଙ୍କ ଗତକାଲି ଦିଲ୍ଲୀ ଡକାଇ ଆଲୋଚନା କରିଥିଲେ । ରାତି ୯ଟାରେ ଶାହାଙ୍କ ସହ ତିନି ନେତାଙ୍କ ଆନୁଷ୍ଠାନିକ ବୈଠକ ହୋଇଥିଲା । କେନ୍ଦ୍ର ଗୃହ ମନ୍ତ୍ରୀ ଶାହାଙ୍କ ସହ ବିଜେପି ନେତା ଫଡନାଭିସ, ଶିବସେନା ନେତା ସିନ୍ଧେ ଓ ଏନସିପି ନେତା ଅଜିତ ପାୱାରଙ୍କ ଆଲୋଚନା ସନ୍ତୋଷଜନକ ଥିଲା ବୋଲି କୁହାଯାଇଥିଲା । ଗତକାଲି ରାତି ବୈଠକରେ ସିନ୍ଧେ ବିଳମ୍ବରେ ପହଂଚି ଚର୍ଚ୍ଚାରେ ଥିଲେ । ମୁଖ୍ୟମନ୍ତ୍ରୀ ଚୟନ ସହ ତିନି ଦଳ ମଧ୍ୟରେ ବିଭାଗ ବଂଟନକୁ ନେଇ ଆଲୋଚନା ହେଉଥିବାରୁ ଗଣମାଧ୍ୟମର ନଜର ଶାହାଙ୍କ ବାସଭବନ ଉପରେ ରହିଥିଲା । କିଛି ସୁଖଦ ଖବର ଆସିପାରେ ବୋଲି ସମସ୍ତେ ଆଶା କରିଥିବା ବେଳେ ବିଭାଗ ବଂଟନକୁ ନେଇ ମହାୟୁତି ନେତାଙ୍କ ମଧ୍ୟରେ ଥିବା ଅସହମତି ଦୂର କରିବା ସକାଶେ ଆଜି ମୁମ୍ବାଇରେ ସେମାନଙ୍କ ବୈଠକ ହେବା ଧାର୍ଯ୍ୟ ହୋଇଥିଲା । ତେବେ, କାମଚଳା ମୁଖ୍ୟମନ୍ତ୍ରୀ ଥିବା ସିନ୍ଧେ ଆଜି ଅଚାନକ ନିଜ ଗାଁ ସତାରା ଚାଲି ଯିବାରୁ ମହାୟୁତି ବୈଠକ ସ୍ଥଗିତ କରାଯାଇଛି । ସିନ୍ଧେ ସତାରା ଯିବା କାରଣ ସ୍ପଷ୍ଟ ନଥିଲେ ମଧ୍ୟ ସରକାର ଗଠନ କଥାବାର୍ତ୍ତାକୁ ନେଇ ସନ୍ତୁଷ୍ଟ ନଥିବାରୁ ଆଜିର ବୈଠକ ବାତିଲ ହୋଇଥିବା ଚର୍ଚ୍ଚା ହେଉଛି । ତେବେ, ଶିବସେନା ନେତା ତଥା ମନ୍ତ୍ରୀ ଉଦୟ ସାମନ୍ତ କହିଛନ୍ତି, ମୁଖ୍ୟମନ୍ତ୍ରୀ ସିନ୍ଧେ କୌଣସି କଥାକୁ ନେଇ ‘ବିବ୍ରତ’ ନାହାନ୍ତି, ଗାଁକୁ ଯିବାକୁ ପଡିବାରୁ ଯାଇଛନ୍ତି । ଆସନ୍ତା କାଲି ସେ ଫେରିଲେ ମହାୟୁତି ନେତାଙ୍କ ବୈଠକ ହେବ । ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ସିନ୍ଧେ ରାଜି ହୋଇ ଥିବାରୁ ବିଜେପିରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଗତ ମହାୟୁତି ସରକାରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାର ସ୍ପଷ୍ଟ ହୋଇଥିଲା । ଶାହାଙ୍କ ସହ ଆଲୋଚା ପରେ ବିଧିବଦ୍ଧ ଭାବେ ଏହି ନିଷ୍ପତ୍ତି ଘୋଷଣା ହେବ ବୋଲି ସମସ୍ତେ ଆଶା କରୁଥିଲେ । ପୂର୍ବ ମହାୟୁତି ସରକାର ଭଳି ନୂଆ ସରକାରରେ ମଧ୍ୟ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ରହିବା ଚର୍ଚ୍ଚାରେ ଥିଲା । ତେବେ, ସିନ୍ଧେ ମୁଖ୍ୟମନ୍ତ୍ରୀରୁ ଉପ ମୁଖ୍ୟମନ୍ତ୍ରୀ ହେବାକୁ ଅରାଜି ଥିବା ଦଳୀୟ ସୂତ୍ରରୁ ସୂଚନା ମିଳୁଛି । ଏହା ବଦଳରେ କିଛି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଶିବସେନାକୁ ଦିଆଯାଉ ବୋଲି ସିନ୍ଧେଙ୍କ ଦାବି ଥିବା କୁହାଯାଉଛି । ୨୦୨୨ରୁ ୨୦୨୪ ସିନ୍ଧେ ମହାୟୁତି ସରକାରରେ ମୁଖ୍ୟମନ୍ତ୍ରୀ ଥିଲେ ଓ ନିର୍ବାଚନ ଫଳାଫଳ ଆସବା ପରେ ଗତ ୨୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳଙ୍କ ଅନୁରୋଧକ୍ରମେ ନୂତନ ସରକାର ଗଠନ ପର୍ଯ୍ୟନ୍ତ ସେ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଅପରପକ୍ଷରେ, ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ୨୦୧୪ରୁ ୨୦୧୯ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଥିଲେ । ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ସର୍ବାଧିକ ୧୦୫ ଆସନ ପାଇବା ପରେ ସେ ବିଜେପି-ଶିବସେନା (ଅବିଭକ୍ତ) ସରକାରରେ ମୁଖ୍ୟମନ୍ତ୍ରୀ ହେବା ବିଜେପି ଚାହୁଁଥିଲା । ତେବେ, ଶିବସେନା ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଡି ବସି ବିଜେପିରୁ ଓହରି ଯାଇଥିଲା ଏବଂ କଂଗ୍ରେସ ଓ ଏନସିପି (ଅବିଭକ୍ତ) ସହ ମେଂଟରେ ସରକାର କରିଥିଲା । ଏହି ସରକାର ପ୍ରତିଷ୍ଠା ପୂର୍ବରୁ ଫଡନାଭିସ ଓ ଏନସିପି ନେତା ଅଜିତ ପାୱାରଙ୍କ ସହ ସରକାର କରି ତିନି ଦିନ ପାଇଁ ମୁଖମନ୍ତ୍ରୀ ପଦରେ ରହିଥିଲେ ଏବଂ ଅଜିତ ପାୱାରଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିଥିଲେ । ପରେ ୨୦୨୨ରେ ଶିବସେନାରେ ବିଭାଜନ ଘଟି ଯେଉଁ ବିଜେପି-ବିଭାଜିତ ଶିବସେନା ସରକାର ହେଲା ସେଥିରେ ବିଭାଜିତ ଶିବସେନା ନେତା ସିନ୍ଧେଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ପଦରେ ବସାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କୁ ତାଙ୍କ ଅଧିନରେ ଉପ ମୁଖ୍ୟମନ୍ତ୍ରୀ କରିଥିଲା । ୨୦୨୩ରେ ଅଜିତ ପାୱାର ଏନସିପିରେ ବିଭାଜ ନ ଘଟାଇ ସିନ୍ଧେ ସରକାରରେ ସାମିଲ ହୋଇ ଦ୍ୱିତୀୟ ଉପ ମୁଖ୍ୟମନ୍ତ୍ରୀ ରହିଥିଲେ । ନୂଆ ସରକାରରେ ଫଡନାଭିସ ମୁଖ୍ୟମନ୍ତ୍ରୀ ହେବା ବିଜେପି ଚାହୁଁଛି ଏବଂ ଏହାକୁ ନେଇ ବାଦବିବାଦ କାରଣରୁ ଛଅ ଦିନ ହେଲା ମହାରାଷ୍ଟ୍ରରେ ସରକାର ଗଠନ ହୋଇପାରୁନାହିଁ । ନୂଆ ସରକାରରେ ଅଜିତ ପାୱାର ଅର୍ଥ ମନ୍ତ୍ରଣାଳୟ ସହ ଉପ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ଚାହୁଁଥିବା ବେଳେ ବିଜେପି ପକ୍ଷରୁ କିଛି ଆପତ୍ତି ନାହିଁ । ତେବେ, ଶିବସେନା ନେତା ସିନ୍ଧେଙ୍କ ପାଇଁ ସରକାର ଗଠନ ବିଳମ୍ବିତ ହୋଇଛି । ସିନ୍ଧେ ଗତ ମହାୟୁତି ସରକାରରେ ମୁଖ୍ୟମନ୍ତ୍ରୀ ଥିଲେ ଓ ଏବେ କାମଚଳା ମୁଖ୍ୟମନ୍ତ୍ରୀ ଅଛନ୍ତି । ଏଭଳି ସ୍ଥିତିରେ ସେ ନୂଆ ସରକାରରେ ଉପ ମୁଖ୍ୟମନ୍ତ୍ରୀ ହେବା ସମ୍ମାନଜନକ ଭାବୁ ନଥିବା କୁହାଯାଉଛି । ଶିବସେନା ମନ୍ତ୍ରୀ ଉଦୟ ସାମନ୍ତଙ୍କ କହିବା ଅନୁଯାୟୀ, ସିନ୍ଧେ ମହାୟୁତି ସରକାରରେ ସାମିଲ ରହିବା ଦଳ (ଶିବସେନା) ଚାହୁଁଛି । ସେ ଯଦି ନିଜେ ଉପ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁନାହାନ୍ତି ଦଳରୁ ଅନ୍ୟ କାହାରିକୁ ଉପ ମୁଖ୍ୟମନ୍ତ୍ରୀ କରି ପାରିବେ । ଯାହାକି ତାଙ୍କ ବଦାନ୍ୟତା କୁହାଯିବ । ଇତମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଶାହାଙ୍କ ସହ ଆଲୋଚନା ବେଳେ ସରକାର ଗଠନ ପାଇଁ ଫର୍ମୂଲା ପ୍ରସ୍ତୁତ ହୋଇଛି । ବିଜେପି ମୁଖ୍ୟମନ୍ତ୍ରୀ ପଦ ସହ ରାଜ୍ୟର ଗୃହ ମନ୍ତ୍ରଣାଳୟକୁ ନିଜ ହାତରେ ରଖିବ । ଅଜିତ ପାୱାରଙ୍କୁ ଅର୍ଥ ମନ୍ତ୍ରଣାଳୟ ସହ ଉପ ମୁଖ୍ୟମନ୍ତ୍ରୀ କରାଯିବ ଏବଂ ଶିବସେନାକୁ ଶିବସେନାକୁ ନଗର ଉନ୍ନୟନ ଓ ପୂର୍ତ୍ତ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ମିଳିବ । ୨୮୮ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ମହାୟୁତିର ବିଧାୟକଙ୍କ ସଂଖ୍ୟା ୨୩୦ ରହିଛି । ବିଜେପିର ସବାଧିକ ୧୩୨, ଶିବସେନାର ୫୭ ଓ ଏନସିପିର ୪୧ ବିଧାୟକ ରହିଛନ୍ତି । ମନ୍ତ୍ରୀଙ୍କ ସଂଖ୍ୟା ୪୩ରେ (ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ) ରହିବ । ସେଥିରେ ବିଜେପିର ୨୨, ଶିବସେନାର ୧୨ ଓ ଏନସିପିର ୦୯ ମନ୍ତ୍ରୀ ରହିବେ ବୋଲି ଆଲୋଚନା ହେଉଛି । ଡିସେମ୍ବର ୦୨ ତାରିଖରେ ନୂଆ ସରକାର ଶପଥ ଗ୍ରହଣ କରିପାରନ୍ତି କୁହାଯାଉଥିବା ବେଳେ ଆଜି ସିନ୍ଧେ ମହାୟୁତିର ମୁମ୍ବାଇ ବୈଠକ ବାତିଲ କରି ଗାଁକୁ ପଳାଇବା ଚର୍ଚ୍ଚାର ବିଷୟ ରହିଛି । ଗତକାଲି କେନ୍ଦ୍ର ଗୃହ ମନ୍ତ୍ରୀ ଶାହା ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ସହ ମହାରାଷ୍ଟ୍ର ମହାୟୁତି ନେତାମାନେଙ୍କ ଆଲୋଚନା ସନ୍ତୋଷଜନକ ଓ ଫଳପ୍ରଦ ଥିଲା ବୋଲି ଏନସିପି ନେତା ଅଜିତ ପାୱାର ଗଣମାଧ୍ୟମକୁ କହିଥିଲେ । ତେବେ, ଆଜି ମୁମ୍ବାଇରେ ହେବାକୁ ଥିବା ମହାୟୁତି ନେତାଙ୍କ ବୈଠକ ବାତିଲ ହୋଇଯିବା ମହାୟୁତିରେ ସବୁ କିଛି ଠିକଠାକ୍ ଠିକଠାକ୍ ନାହିିଁ ବୋଲି ଧାରଣା ସୃଷ୍ଟି ହୋଇଛି । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟକୁ ନେଇ ମହାୟୁତି ନେତାଙ୍କ ମଧ୍ୟରେ ସହମତି ଆସି ନଥିବାରୁ ଆଜିର ବୈଠକ ଗୁରୁତ୍ୱୂର୍ଣ୍ଣ ଥିଲା ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS