ଝାଡଖଣ୍ଡରେ ହେମନ୍ତ ସୋରେନଙ୍କ ଶପଥ ଗ୍ରହଣ


ପ୍ରସାଦ ରାଓ
ନଭେମ୍ବର ୨୮
ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଜି ଚତୁର୍ଥ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜଧାନୀ ରାଂଚିରେ ଅନୁଷ୍ଠିତ ଉତ୍ସବରେ ଝାଡଖଣ୍ଡ ରାଜ୍ୟପାଳ ସନ୍ତୋଷ କୁମାର ଗଂଗୱାର ସୋରେନଙ୍କୁ ଶପଥ ପାଠ କରାଇ ଥିଲେ । ସୋରେନ ହେଉଛନ୍ତି ରାଜ୍ୟର ୧୪ତମ ମୁଖ୍ୟମନ୍ତ୍ରୀ । ଆଜିର ଏହି ଉତ୍ସବରେ ଏଆଇସିସି ସଭାପତି ମଳ୍ଲିକାର୍ଜୁନ ଖାର୍ଗେ, ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ, ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ, ‘ଆପ୍’ ରାଜ୍ୟସଭା ସାଂସଦ ସଂଜୟ ସିଂହ, ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଧାନସଭାର ବିରୋଧୀ ଦଳ ନେତା ତେଜସବୀ ଯାଦବ (ଆରଜେଡି), ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ, କର୍ଣ୍ଣାଟକ ଉପ ମୁଖ୍ୟମନ୍ତ୍ରୀ ଡି.କେ.ଶିବକୁମାରଙ୍କ ସମେତ ‘ଇଣ୍ଡି’ ମେଂଟର ବହୁ ନେତା ଉପସ୍ଥିତି ଥିଲେ । ନଭେମ୍ବର ୧୩ ଓ ୨୦ ତାରିଖରେ ୮୧ ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭା ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ସୋରେନଙ୍କ ଜେଏମଏମ (ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା) ଏକାକୀ ୩୪ ଆସନରେ ଜିତିଥିବା ବେଳେ ଜେଏମଏମ ନେତୃତ୍ୱାଧୀନ ମେଂଟ ୫୬ ଆସନରେ ଜିତିଛି । ବିଜେପି ଓ ତାର ସହଯୋଗୀମାନେ ୨୪ ଆସନରେ ସୀମିତ ଅଛନ୍ତି । ୪୯ ବର୍ଷ ବୟସ୍କ ସୋରେନ ୨୦୧୯ରୁ ରାଜ୍ୟରେ ଜେଏମଏମ-କଂଗ୍ରେସ ମେଂଟ ସରକାରରେ ମୁଖ୍ୟମନ୍ତ୍ରୀ ଥିଲେ । ରାଂଚିର ଏକ କଥିତ ଜମି ଦୁର୍ନୀତି ମାମଲାରେ ଇଡି ତାଙ୍କୁ ଗିରଫ କରିବାରୁ ସେ ମୁଖମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଜେଏମଏମର ବରିଷ୍ଠ ନେତା ଚଂପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ । ୨୦୨୪ ଲୋକସଭା ନିର୍ବାଚନ ସମୟରେ ସୋରେନ ଜେଲରେ ଥିବାରୁ ତାଙ୍କ ପତ୍ନୀ କଳ୍ପନା ସୋରେନଙ୍କ ନେତୃତ୍ୱରେ ବିରୋଧୀ ମେଂଟ ନିର୍ବାଚନ ଲଢିଥିଲେ । ହେମନ୍ତ ସୋରେନ ଝାରଖଣ୍ଡ ହାଇକୋର୍ଟରୁ ଜାମିନରେ ମୁକୁଳିବା ପରେ ପୁନର୍ବାର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ଏବଂ ୨୦୨୪ ବିଧାନସଭା ନିର୍ବାଚନରେ ରାଜ୍ୟରେ ‘ଇଣ୍ଡି’ ମେଂଟର ନେତୃତ୍ୱ ନେଇଥିଲେ । ସେରେନଙ୍କ ସରକାରକୁ କ୍ଷମତାରୁ ହଟାଇବା ପାଇଁ ବିଜେପି ୨୦୨୪ ବିଧାନସଭା ନିର୍ବାଚନରେ ସମସ୍ତ କୌଶଳ ପ୍ରୟୋଗ କରିଥିଲେ ମଧ୍ୟ ଆଦିବାସୀ ବହୁଳ ଏହି ରାଜ୍ୟ ପୁନର୍ବାର ଜେଏମଏମ ନେତୃତ୍ୱରେ ‘ଇଣ୍ଡି’ ମେଂଟକୁ କ୍ଷମତାସୀନ କରିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS