ସିନ୍ଧେଙ୍କ ସମର୍ପଣ ପରେ କଥା ଆଗେଇଲା


ପ୍ରସାଦ ରାଓ
ନଭେମ୍ବର ୨୮
କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ‘ସମର୍ପଣ’ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ପାଇଁ ମହାୟୁତିରେ ୨୩ ତାରିଖରୁ ଚାଲିଥିବା ଛକାପଂଝାର ପରିସମାପ୍ତି ଘଟିଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଉ ତାଙ୍କ ଆଗ୍ରହ ନାହିଁ ବା ରାଜ୍ୟରେ ମହାୟୁତି ସରକାର ଗଠନରେ ସେ ପ୍ରତିବନ୍ଧକ ହେବାକୁ ଚାହୁଁ ନାହାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ପଦକୁ ନେଇ ଯାହା ନିଷ୍ପତ୍ତି ନେବେ ତାହାକୁ ସେ ଓ ତାଙ୍କ ଦଳ ପୂର୍ଣ୍ଣ ସମର୍ଥନ କରିବ ବୋଲି ସିନ୍ଧେ ଗତକାଲି ଗଣମାଧ୍ୟମରେ ବୟାନ ରଖିବା ପରେ ଶାହାଙ୍କ ଡାକରା ପାଇ ମହାୟୁତିର ତିନି ନେତା ଦେବେନ୍ଦ୍ର ଫଡନାଭିସ, ସିନ୍ଧେ ଓ ଏନସିପି ନେତା ଅଜିତ ପାୱାର ଦିଲ୍ଲୀ ଯାଇଛନ୍ତି ଏବଂ ଗୃହ ମନ୍ତ୍ରୀ ଶାହାଙ୍କ ସହ ଆଲୋଚନା କରିଛନ୍ତି । ବିଜେପି ଆଜି ସନ୍ଧ୍ୟା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିନଥିଲେ ମଧ୍ୟ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାର ନିଶ୍ଚିତ । ଏହା ବଦଳରେ ସିନ୍ଧେଙ୍କ ନେତୃତ୍ୱାଧୀନ ଶିବସେନାକୁ ୪୩ ଜଣିଆ ମନ୍ତ୍ରୀ ପରିଷଦରେ ୧୨ ଓ ଅଜିତ ପାୱାରଙ୍କ ଏନସିପିକୁ ୦୯ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ପଦ ମିଳିପାରେ ବୋଲି ଆଲୋଚନା ହେଉଛି । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ପାଇଁ ୨୦ ତାରିଖ ଭୋଟ ହୋଇଥିଲା ଓ ୨୩ ତାରିଖ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା । ମହାୟୁତି ଓ ମହା ବିକାଶ ଅଘାଡି (ଏମଭିଏ) ମଧ୍ୟରେ ହୋଇଥିବା ମୁହାମୁହିଁ ଲଢେଇରେ ମହାୟୁତି ୨୩୦ ଆସନରେ ବିଜୟୀ ହୋଇଥିବା ବେଳେ ମହା ବକାଶ ଅଘାଡିକୁ ୪୯ ଆସନ ମିଳିଛି । ମହାୟୁତିରେ ଥିବା ବିଜେପି ସର୍ବାଧିକ ୧୩୨ ବିଧାନସଭା ଆସନରେ ବିଜୟୀ ହୋଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କିଏ ହେବ ନିଷ୍ପତ୍ ତିରେ ପହଂଚିବା ପୂର୍ବରୁ ଗୃହ ମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ର ବିଜେପି ନେତା ବିନୋଦ ତାୱଡେଙ୍କ ସହ ଆଲୋଚନା କରି ମରାଠୀ ସଂପ୍ରଦାୟର ମନୋଭାବ ଜାଣିବାକୁ ଉଦ୍ୟମ କରିଥିଲେ । ଶିବସେନା ନେତା ସିନ୍ଧେ ଜଣେ ମରାଠୀ ହୋଇଥିବା ବେଳେ ବିଜେପି ନେତା ଫଡନାଭିସ ବ୍ରାହ୍ମଣ ସଂପ୍ରଦାୟର । ତେଣୁ, ସିନ୍ଧେଙ୍କ ସ୍ଥାନରେ ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରାଗଲେ ମରାଠୀମାନେ କ୍ଷୁବ୍ଧ ହେବେ ନାହିଁ ତ (?) – ଏହା ସେ ତାୱଡେଙ୍କଠାରୁ ଜାଣିବାକୁ ଉଦ୍ୟମ କରିଥିଲେ । କାରଣ, ମହାରାଷ୍ଟ୍ରରେ ମରାଠୀଙ୍କ ପାଇଁ ସ୍ଥାନ ସଂରକ୍ଷଣ ସପକ୍ଷରେ ଆନ୍ଦୋଳନ ଚାଲିଥିବା ବେଳେ ମରାଠୀ ନେତା ମନୋଜ ଜରାଙ୍ଗ-ପାଟିଲ ଫଡନାଭିସ ଜଣେ ମରାଠୀ-ବିରୋଧୀ ବୋଲି ସମାଲୋଚନା କରିଥିଲେ । ତେବେ, ମରାଠୀ ନେତା ସିନ୍ଧେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆଉ ବିବାଦରେ ନାହାନ୍ତି ବୋଲି ଗତକାଲି ସ୍ପଷ୍ଟ କରିବା ସହ ବିଜେପି ନିକଟରେ ନିଜକୁ ସମର୍ପିତ କରି ଦେଇଥିବାରୁ ଆଉ ବିବାଦର ଅବକାଶ ନାହିଁ । ଏନସିପି ନେତା ଅଜିତ ପାୱାର (ସେ ମଧ୍ୟ ଜଣେ ମରାଠୀ ନେତା) ମଧ୍ୟ ଫଡନାଭିସ ମୁଖ୍ୟମନ୍ତ୍ରୀ ହେବା ଚାହୁଁଛନ୍ତି । ଫଡନାଭିସ ମୁଖ୍ୟମନ୍ତ୍ରୀ ହେଲେ ମହାୟୁତିର ଅନ୍ୟ ଦୁଇ ଭାଗିଦାର ଶିବସେନା ଓ ଏନସିପିରୁ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ହେବେ । ଚଳିତ ସପ୍ତାହ ଶେଷ ସୁଦ୍ଧା ରାଜ୍ୟରେ ଫଡନାଭିସଙ୍କ ନେତୃତ୍ୱରେ ନୂଆ ସରକାର ଶପଥ ନେବେ ବୋଲି ସୂଚନା ମିଳୁଛି । ଅପରପକ୍ଷରେ, କଂଗ୍ରେସର ‘ମାତ୍ରାଧିକ ଆତ୍ମବିଶ୍ୱାସ’ ଓ ଏମଭିଏର ଆସନ ବୁଝାମଣା ସମୟରେ ‘ଅଡିଅଳପଣ’ କାରଣରୁ ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ‘ମହା ବିକାଶ ଅଘାଡି’ର ଶୋଚନୀୟ ପରାଜୟ ଘଟିଲା ବୋଲି ଶିବସେନା (ୟୁବିଟି)ର ଜଣେ ବରିଷ୍ଠ ନେତା ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଏମଭିଏ ତାହାର ‘ମୁଖ୍ୟମନ୍ତ୍ରୀ ମୁହଁ’ ଭାବରେ ଉପସ୍ଥାପିତ କରିବା ଉଚିତ ଥିଲା । ମହାରାଷ୍ଟ୍ର ବିଧାନସଭା ପରିଷଦରେ ବିରୋଧୀ ଦଳ ନେତା ଥିବା ଅମ୍ବାଦାସ ଦାନଭେ ଏହି ଅଭିଯୋଗ କରିଛନ୍ତି । ଲୋକସଭା ନିର୍ବାଚନରେ ସଫଳତା ପରେ କଂଗ୍ରେସ ହରିୟାଣା, ଜମ୍ମୁ-କଶ୍ମୀର ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ମାତ୍ରାଧିକ ଆତ୍ମବିଶ୍ୱାସ ଦେଖାଇଲା । ଏହାର ପରିଣାମ ନିର୍ବାଚନ ଫଳାଫଳରେ ଦେଖିବାକୁ ମିଳିଲା ବୋଲି ସେ କହିଛନ୍ତି । ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ମହାରାଷ୍ଟ୍ରର ୪୮ ଲୋକସଭା ଆସନରୁ ୧୩ଟି ଜିତିଥିଲା । ଅଳ୍ପ ବ୍ୟବଧାନରେ ହୋଇଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଦଳ ଏମଭିଏରୁ ସର୍ବାଧିକ ୧୦୩ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ମାତ୍ର ୧୬ଟି ଜିତିଥିବା ବେଳେ ଶିବସେନା (ୟୁବିଟି) ୮୯ ଆସନରେ ପ୍ରାର୍ଥୀ ଦେଇ ୨୦ ଏବଂ ଶରଦ ପାୱାରଙ୍କ ଏନସିପି ୮୭ ଆସନରେ ପ୍ରାର୍ଥୀ ଦେଇ ୧୦ଟି ଜିତିଛି । ଉଦ୍ଧବ ମହା ବିକାଶ ଅଘାଡିର ମୁଖ୍ୟମନ୍ତ୍ରୀ ଚେହେରା ରହିଥିଲେ ଫଳାଫଳ କିଛି ଭିନ୍ନ ହୋଇଥା’ନ୍ତା ବୋଲି ଦାନଭେ କହିଛନ୍ତି । ଇତିମଧ୍ୟରେ, ‘ମହା ବିକାଶ ଅଘାଡି’ରେ ଥିବା କଂଗ୍ରେସ, ଶିବସେନା (ୟୁବିଟି) ଓ ଏନସିପି (ଶରଦଚନ୍ଦ୍ର ପାୱାର) ନେତାମାନେ ମହାରାଷ୍ଟ୍ର, ହରିୟାଣା ବିପର୍ଯ୍ୟୟ ପାଇଁ ‘ଇଭିଏମ୍’କୁ ଦାୟୀ କରିଥିବା ବେଳେ ବିଜେପି ତାହାର କଡା ସମାଲୋଚନା କରିଛି । ବିରୋଧୀ ଯେତେବେଳେ ନିର୍ବାଚନ ଜିତୁଛନ୍ତି ଇଭିଏମ୍ ଠିକ୍ ରହୁଛି, ବିପର୍ଯ୍ୟୟର ସମ୍ମୁଖୀନ ହେଲେ ସେମାନେ ‘ଇଭିଏମ୍’ ମାଧ୍ୟମରେ ମତଦାନକୁ ଦାୟୀ କରୁଛନ୍ତି ବୋଲି ବିଜେପି କଟାକ୍ଷ କରିଥିବା ବେଳେ ସୁପ୍ରିମ କୋର୍ଟ ମଧ୍ୟ ନିକଟରେ ସମାନ ମତ ଦେଇଛନ୍ତି । ଯାହାକି ବିରୋଧୀ ‘ଇଣ୍ଡି’ ମେଂଟ ପାଇଁ ଅଡୁଆ ହୋଇଛି । ତଥାପି, ବିରୋଧୀ ମେଂଟ ‘ଇଭିଏମ୍’ରେ ମତଦାନ ବନ୍ଦ କରାଯାଇ ‘ପେପର୍ ବ୍ୟାଲଟ’ ମାଧ୍ୟମରେ ମତଦାନ କରାଯିବା ଦାବି ସପକ୍ଷରେ ଦେଶବ୍ୟାପୀ ପଦଯାତ୍ରା କରିବ ବୋଲି ଘୋଷଣା କରିଥିବାରୁ ତାହାକୁ ନେଇ ଜାତୀୟ ଗଣମାଧ୍ୟମରେ ବିତର୍କ, ଆଲୋଚନା, ସମାଲୋଚନା ଜୋରଦାର ହୋଇଥିବା ଦେଖିବାକୁ ମିଳୁଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS