ଚାରି ଦିନ ବିତିଲାଣି, ମୁଖ୍ୟମନ୍ତ୍ରୀ ଚୟନ ହୋଇପାରୁନି ?


ପ୍ରସାଦ ରାଓ
ନଭେମ୍ବର ୨୭
ଆଜି ମଧ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସ୍ପେନ୍ସ ଜାରି ରହିଛି । ବିଜେପି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଥିବା ବେଳେ ଶିବସେନା କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛି । ଏନସିପି ବିଜେପି ନେତା ଫଡନାଭିସ ମୁଖ୍ୟମନ୍ତ୍ରୀ ହେବା ସପକ୍ଷରେ ରହିଛି । ମୟାହୁତିରେ ଥିବା ଏହି ତିନି ରାଜନୈତିକ ଦଳ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆଜି ମଧ୍ୟ କୌଣସି ସମାଧାନରେ ପହଂଚି ନାହାନ୍ତି । ନଭେମ୍ବର ୨୦ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସରିଲା । ୨୩ ତାରିଖ ଫଳାଫଳ ଆସିଲା । ବିଜେପି-ଶିବସେନା-ଏନସିପି ମେଂଟ ବା ମହାୟୁତି ୨୮୮ ଆସନରୁ ୨୩୦ରେ ବିଜୟୀ ହୋଇ ବିଧାନସଭାରେ ସରକାର ଗଠନ କରିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାରି ଦିନ ହେଲା କୌଣସି ନିର୍ଣ୍ଣୟ ହୋଇପାରୁ ନଥିବାରୁ ସରକାର ଗଠନ ସମ୍ଭବ ହୋଇପାରୁନି । ‘ମୁଖ୍ୟମନ୍ତ୍ରୀ’ ବିବାଦର ସମାଧାନ ପାଇଁ ବିଜେପି ନେତା ଫଡନାଭିସ, ଶିବସେନା ନେତା ଏକନାଥ ସିନ୍ଧେ ଓ ଏନସିପି ନେତା ଅଜିତ ପାୱାର ଆସନ୍ତା କାଲି ନୂଆଦିଲ୍ଲୀ ଯାଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ ଏବଂ ଆଲୋଚନା ମାଧ୍ୟମରେ ଏହି ବିବାଦର ଯଥାଶୀଘ୍ର ସମାଧାନ ହେବ ବୋଲି ଆଜି ସୂଚନା ମିଳିଛି । ୨୦୧୯ରେ ମଧ୍ୟ ଏକାଭଳି ପରିସ୍ଥିତି ହୋଇଥିଲା । କେନ୍ଦ୍ର ଗୃହ ମନ୍ତ୍ରୀ ଶାହା ଠିକ୍ ବିଧାନସଭା ନିର୍ବାଚନ ପୂର୍ବରୁ ମୁମ୍ବାଇରେ ଅବିଭକ୍ତ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରି ବିଜେପି-ଶିବସେନା ମେଂଟରେ ନିର୍ବାଚନ ଲଢିବାର ବାଟ ଖୋଲିଥିଲେ । ମିଳିତ ଭାବେ ସେମାନେ ନିର୍ବାଚନ ଲଢିଥିଲେ । ବିଧାନସଭା ନିର୍ବାଚନରେ ବିଜେପି ସର୍ବାଧିକ ୧୦୫ ଆସନ ପାଇଥିବା ବେଳେ ତାହାର ଶିବସେନା ସହଯୋଗୀକୁ ୫୬ ଆସନ ମିଳିଥିଲା । ରାଜ୍ୟରେ ବିଜେପି-ଶିବସେନା ମେଂଟ ସରକାର ହେବାରେ କୌଣସି ପ୍ରତିବନ୍ଧକ ନଥିଲା । ତେବେ, ଅବିଭକ୍ତ ଶିବସେନା ମୁଖ୍ୟ ଠାକରେ ନିର୍ବାଚନ ପୂର୍ବ ବୁଝାମଣା ଅନୁସାରେ ଶିବସେନାକୁ ମୁଖ୍ୟମନ୍ତ୍ରୀ ଦିଆଯାଉ ବୋଲି ଅଡି ରହିଲେ । ଗୃହ ମନ୍ତ୍ରୀ ଶାହା ଏହି ପ୍ରତିଶ୍ରୁତି ଦେଇଥିଲେ ବୋଲି ଠାକରେ ଦାବି କରୁଥିବା ବେଳେ ଶାହା ଓ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଏଭଳି କୌଣସି ପ୍ରତିଶ୍ରୁତି ଦିଆଯାଇନଥିଲା କହି ଦେବେନ୍ଦ୍ର ଫଡନାଭିସ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଅଡି ରହିଲେ । ଫଳରେ, ଶିବସେନା ବିଜେପି ହାତ ଛାଡି ଏନସିପି ଓ କଂଗ୍ରେସ ସହ ମେଂଟରେ ରାଜ୍ୟରେ ସରକାର କଲା ଏବଂ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ସରକାରର ନେତୃତ୍ୱ ନେଲେ । ଏହା ପରର ଘଟଣାବଳୀ ସମସ୍ତେ ଜାଣନ୍ତି । ସରକାର ଗଠନରୁ ବଂଚିତ ହୋଇଥିବା ବିଜେପି ଆକ୍ରୋଶରେ ଥିଲା । ଉଦ୍ଧବ ସରକାରଙ୍କ ପତନ ପାଇଁ ଯୋଜନା ଆରମ୍ଭ ହୋଇଯାଇଥିଲା । ଯୋଜନା ଅନୁସାରେ ୨୦୨୨ରେ ପ୍ରଥମେ ଶିବସେନା ଓ ୨୦୨୩ରେ ଏନସିପିରେ ବିଭାଜନ ଘଟିଲା । ୨୦୨୨ରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ କ୍ଷମତାଚ୍ୟୁତ ହେବା ସହ ରାଜ୍ୟରେ ବିଜେପି-ଶିବସେନା (ବିଦ୍ରୋହୀ ଗୋଷ୍ଠୀ)ର ମିଳିତ ସରକାର ପ୍ରତିଷ୍ଠା ହେଲା । ବିଜେପିର ରାଷ୍ଟ୍ରୀୟ ନେତୃତ୍ୱ ଚତୁର ଗୋଟିଚାଳନା କରି ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଧେଙ୍କୁ ମୁଖ୍ୟମନ୍ତ୍ରୀ କରି ୨୦୧୪ରୁ ୨୦୧୯ ଯାଉଁ ମୁଖ୍ୟମନ୍ତ୍ରୀ ଥିବା ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ସିନ୍ଧେଙ୍କ ଡେପୁଟୀ ବା ଉପ ମୁଖ୍ୟମନ୍ତ୍ରୀ କରି ଦେଲେ । ଫଡନାଭିସ ପ୍ରଥମେ ଏହାର ବିରୋଧ କରିଥିଲେ ମଧ୍ୟ କେନ୍ଦ୍ରୀୟ ନେତୃତ୍ୱ ଚାପରେ ଓ ଦଳୀୟ ଶୃଙ୍ଖଳା ବାହାନାରେ ଏହି ନିଷ୍ପତ୍ତିକୁ ଗ୍ରହଣ କରି ନେଲେ । ବିଜେପି ନେତୃତ୍ୱର ନିଷ୍ପତ୍ତି ସଦ୍ୟ ଶିବସେନାରେ ବିଭାଜନ ଘଟାଇ ବିଜେପି ସମର୍ଥନରେ ସରକାର କରିଥିବା ସିନ୍ଧେ ଓ ତାଙ୍କ ସମର୍ଥକ ବିଧାୟକ ଓ ସାଂସଦଙ୍କୁ ଆହ୍ଲାଦିତ କରିଥିଲା ସିନା ପ୍ରକାରାନ୍ତରେ ରାଜ୍ୟ ସରକାରର ନିୟନ୍ତ୍ରଣ ବିଜେପି କେନ୍ଦ୍ରୀୟ ନେତୃତ୍ୱ ହାତରେ ଥିଲା । ୨୦୨୩ରେ ଶିବସେନା ନେତା ସିନ୍ଧେଙ୍କ ଭଳି ଏନସିପି ନେତା ଅଜିତ ପାୱାର ତାଙ୍କ ଦଳର ପ୍ରତିଷ୍ଠାତା ନେତା ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ କରି ଏନସିପିରେ ବିଭାଜନ ଘଟାଇବା ସହ ସିନ୍ଧେ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଭାବେ ସାମିଲ ହୋଇଗଲେ । ମହାରାଷ୍ଟ୍ରରେ ମହାୟୁତି ସରକାରଙ୍କ କାର୍ଯ୍ୟକାଳ ନଭେମ୍ବର ୨୬ ତାରିଖରେ ସରିଛି । ଚାରି ଦିନ ହେଲା ମୁଖ୍ୟମନ୍ତ୍ରୀ କିଏ ହେବ (?) ଚୂଡାନ୍ତ ହୋଇପାରୁନଥିବାରୁ ସରକାର ଗଠନ ପ୍ରକ୍ରିୟା ବିଳମ୍ବିତ ହେବାରେ ଲାଗିଛି । ମହାରାଷ୍ଟ୍ର ବିଧାନସଭାର ୨୮୮ ଆସନରୁ ବିଜେପି ସର୍ବାଧିକ ୧୩୨ ଆସନରେ ବିଜୟୀ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ପଦ ହାତଛଡା କରିବାକୁ ପ୍ରସ୍ତୁତ ନୁହେଁ । ନଭେମ୍ବର ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ସରକାର ଚଳାଉ ଥିବା ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ରହିବା ଜିଦରେ ଅଟଳ । ମହାୟୁତିରେ ଶିବସେନା ବିଧାୟକଙ୍କ ସଂଖ୍ୟା ୫୭ ରହିଥିଲେ ମଧ୍ୟ ଯେଉଁ ଫର୍ମୂଲାରେ ବିଜେପି ବିହାରରେ ନୀତୀଶ କୁମାର (ଜେଡିୟୁ)ଙ୍କୁ ମୁଖ୍ୟମନ୍ତ୍ରୀ ରଖିଛି ମହାରାଷ୍ଟ୍ରରେ ସେହି ଫର୍ମୂଲାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେଉ ବୋଲି ସିନ୍ଧେ ଓ ତାଙ୍କ ସେନା ଦାବି କରୁଛନ୍ତି । ୪୧ ବିଧାୟକ ଥିବା ଏନସିପି ଅଜିତ ପାୱାର ମୁଖ୍ୟମନ୍ତ୍ରୀ ହେବାର କୌଣସି ସମ୍ଭାବନା ନଦେଖି ଫଡନାଭିସ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଦାବି କରୁଛନ୍ତି । ଏହି ବିବାଦ ଭିତରେ ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରି ସିନ୍ଧେଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଦିଆଯାଉ ବା ତାଙ୍କୁ କେନ୍ଦ୍ର ରାଜନୀତିକୁ ନେଇ ସିନ୍ଧେଙ୍କ ଜଣେ ଘନିଷ୍ଟ ସହଯୋଗୀଙ୍କୁ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ବିଜେପିର ସହଯୋଗୀ ଦଳ ଆରପିଆଇ (ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆ)ର ନେତା ତଥା କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେ ବିଜେପି ନେତୃତ୍ୱ ନିକଟରେ ପ୍ରସ୍ତାବ ରଖିଛନ୍ତି । ମହାରାଷ୍ଟ୍ର ବିଧାନସଭାର ମୋଟ ଆସନ ୨୮୮ରୁ ମହାୟୁତି ବିଧାୟକଙ୍କ ସଂଖ୍ୟା ୨୩୦ରୁ ଅଧିକ ଥିବାରୁ ରାଜ୍ୟ ସରକାରରେ ମୁଖ୍ୟମନ୍ତ୍ରୀ ପଦକୁ ମିଶାଇ ମୋଟ ୪୩ ଜଣ ମନ୍ତ୍ରୀ ପଦ ପାଇ ପାରିବେ । ବିଜେପି ସର୍ବାଧିକ ୧୩୨ ଆସନରେ ବିଜୟୀ ହୋଇଥିବା ଦୃଷ୍ଟିରୁ ଅଧାରୁ ଅଧିକ ମନ୍ତ୍ରୀ ପଦର ଦାବିଦାର ହେବା ସ୍ୱାଭାବିକ । ବଳକା ମନ୍ତ୍ରୀ ପଦ ମୟାହୁତିର ଅନ୍ୟ ସହଯୋଗୀଙ୍କ ହାତକୁ ଯିବ । ଶିବସେନା ଓ ଏନସିପିକୁ କିଛି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ମନ୍ତ୍ରୀ ପଦ ଦେଇ ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ବିଜେପି ନେତୃତ୍ୱ ଯୋଜନାରେ ରହିଛି ଏବଂ ଆରଏସଏସ ମଧ୍ୟ ଫଡନାଭିସଙ୍କୁ ସମର୍ଥନ କରୁଛି । ଏଭଳି ସ୍ଥିତିରେ ଶିବସେନା ନେତା ସିନ୍ଧେ ଏଥର ମୁଖ୍ୟମନ୍ତ୍ରୀରୁ ଉପ ମୁଖ୍ୟମନ୍ତ୍ରୀ ପଦକୁ ଖସିଛନ୍ତି ବୋଲି ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେ ଓ ମହା ବିକାଶ ଅଘାଡି (ଏମଭିଏ) ନେତାମାନେ ଛିଗୁଲାଉ ଥିବାରୁ ସିନ୍ଧେ ମୁଖ୍ୟମନ୍ତ୍ରୀ ପଦରେ ରହିବା ଜିଦରୁ ହଟୁ ନାହାନ୍ତି । ବିଜେପି ଫଡନାଭିସଙ୍କୁ ଯଦି ମୁଖ୍ୟମନ୍ତ୍ରୀ କରିବାକୁ ମନ ସ୍ଥିର କରିସାରିଛି ତୁରନ୍ତ ଘୋଷଣା କରିବାକୁ ଡରୁଛି କାହିଁକି (?) ବୋଲି ଶିବସେନା (ୟୁବିଟି) ରାଜ୍ୟସଭା ସାଂସଦ ତଥା ଦଳର ଜାତୀୟ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀଙ୍କ ପ୍ରଶ୍ନବାଣ ମଧ୍ୟ ମହାୟୁତି ବିବାଦକୁ ଅଧିକ ଘନିଭୂତ କରୁଛି । ଏନସିପି ନେତା ଅଜିତ ପାୱାର ଆରମ୍ଭରୁ ଫଡନାଭିସଙ୍କ ସମର୍ଥନରେ ଥିବାରୁ ସିନ୍ଧେଙ୍କ ମୂଳଚାଲ କ୍ଷମତା ମଧ୍ୟ ସୀମିତ ହୋଇଯାଇଛି । ଏଭଳି ସ୍ଥିତିରେ ବିଜେପି ନେତୃତ୍ୱ ଫଡନାଭିସଙ୍କ ନାମ କେବେ ଘୋଷଣା କରିବେ ଏବଂ ସିନ୍ଧେଙ୍କୁ କେମିତି ସନ୍ତୁଷ୍ଟ କରିବେ – ତାହା ବଡ ପ୍ରଶ୍ନ ହୋଇଛି । ବିଜେପି କହୁଛି, ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ମହାୟୁତି ନେତାଙ୍କ ମଧ୍ୟରେ ଆଲୋଚନା ଚାଲିଛି । ସରକାର କରିବାକୁ ସମୟ ଲାଗିବ । ଆମେ ଟାଇମଲାଇନ୍ ଦେଖୁନୁ । ୟୁପିରେ ସରକାର କରିବାକୁ ଆମକୁ ଦୁଇ ସପ୍ତାହ ଲାଗି ଥିଲା’ । ଥରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇଗଲେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ବିଜେପି ସମୟ ଗଡାଉଛି ଏବଂ ପଛଦ୍ୱାର ଆଲୋଚନା ଜାରି ରଖିଛି । କାଲି ଗୃହ ମନ୍ତ୍ରୀ ଶାହାଙ୍କ ସହ ମୟାହୁତି ନେତାଙ୍କ ଆଲୋଚନା ହେବାକୁ ଥିବାରୁ ତାହା ପରେ ହିଁ ମୁଖ୍ୟମନ୍ତ୍ରୀ ପଦକୁ ନେଇ କିଛି ଘୋଷଣା ହେବା ଆଶା କରାଯାଉଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS