ଏସବିଆଇ କର୍ମଚାରୀଙ୍କ ସତର୍କତାରୁ ବରିଷ୍ଠ ନାଗରିକ ୧୩ ଲକ୍ଷ ଠକେଇରୁ ବର୍ତ୍ତିଲେ !


ପ୍ରସାଦ ରାଓ
ନଭେମ୍ବର ୨୬
‘ଡିଜିଟାଲ ଆରେଷ୍ଟ’ ଆଜି ଦିନରେ ସବୁଠାରୁ ବଡ ସାଇବର ଠକେଇ ହୋଇଛି । ପ୍ରତିଦିନ ବରିଷ୍ଠ ନାଗରିକମାନେ ଠକଙ୍କ ହାବୁଡରେ ପଡୁଛନ୍ତି ଏବଂ ଡିଜିଟାଲ ଠକମାନେ ‘ଡିଜିଟାଲ ଆରେଷ୍ଟ’ ନାମରେ ଭୟଭିତ କରି ସେମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଚୁନ ମାରୁଛନ୍ତି । ଏଭଳି ଖବର ପ୍ରତ୍ୟୟ ଗଣମାଧ୍ୟମରେ ଆସୁଛି ଓ ଆରବିଆଇଠାରୁ ଆରମ୍ଭ କରି ପୁଲିସ ପର୍ଯ୍ୟନ୍ତ ସମସ୍ତେ ଏହାକୁ ନେଇ ବରିଷ୍ଠ ନାଗରିକଙ୍କୁ ବାର୍ତ୍ତା ମାଧ୍ୟମରେ ସଚେତନ କରୁଥିଲେ ମଧ୍ୟ ‘ଡିଜିଟାଲ ଆରେଷ୍ଟ’ ନାମରେ ସାଇବର ଠକେଇ ଥମିବା ନାଁ ନେଉନି । ହାଇଦ୍ରାବାଦରୁ ମିଳିଥିବା ଖବର ଅନୁଯାୟୀ, ସେଠାକାର ଏକ ଏସବିଆଇ (ଭାରତୀୟ ଷ୍ଟେଟ ବ୍ୟାଙ୍କ) ଶାଖା କର୍ମଚାରୀଙ୍କ ସତର୍କତାରୁ ଜଣେ ୬୧ ବର୍ଷ ବୟସ୍କ ଶିଶୁ ରୋଗ ବିଶେଷଜ୍ଞ ନିକଟରେ ୧୩ ଲକ୍ଷ ଟଙ୍କା ଠକେଇରୁ ବତ୍ତିଛନ୍ତି । ଏହି ଶିଶୁ ରୋଗ ବିଶେଷଜ୍ଞ ଜଣକ ହେଉଛନ୍ତି ଏସବିଆଇର ସଂପୃକ୍ତ ଶାଖାର ଜଣେ ପୁରୁଣା ଗ୍ରହକ । ନିକଟରେ ସାଇବର ଠକ ତାଙ୍କୁ ‘ଡିଜିଟାଲ ଆରେଷ୍ଟ’ କରାଯାଇଥିବା ସୂଚିତ କରି ୧୩ ଲକ୍ଷ ଟଙ୍କା ଦେବାକୁ କହିଥିଲେ । ବ୍ୟାଙ୍କ କର୍ମଚାରୀଙ୍କୁ ଏନେଇ କୌଣସି ପ୍ରକାର ସୂଚନା ନଦେବାକୁ ମଧ୍ୟ ତାଙ୍କୁ ଚେତାଇ ଦିଆଯାଇଥିଲା । ବରିଷ୍ଠ ନାଗରିକ ଜଣକୁ ଭୟଭିତ ଅବସ୍ଥାରେ ବ୍ୟାଙ୍କକୁ ଯାଇ ଫିକ୍ସଡ ଡିପୋଜିଟ ଭଂଗାଇ ଟଙ୍କା ଉଠାଇବାକୁ ପ୍ରଥମେ ସଂପୃକ୍ତ ଏସବିଆଇ ଶାଖାର କର୍ମଚାରୀ ସୂର୍ଯ୍ୟା ସ୍ୱାତୀ ଡି’ଙ୍କୁ ଭେଟିଥିଲେ । ବରିଷ୍ଠ ନାଗରିକ ଜଣକ ବିବ୍ରତ ଥିବା ଦେଖି ସୂର୍ଯ୍ୟା ସ୍ୱତୀଙ୍କ ସନ୍ଦେହ ହୋଇଥିଲା । ଫିକ୍ସଡ ଡିପୋଜିଟ ଭଂଗାଇ ଏତେ ପରିମାଣର ଟଙ୍କା ଉଠାଇବାକୁ ଚାହୁଁଛନ୍ତି କାହିଁକି (?) ବୋଲି ସୂର୍ଯ୍ୟା ପ୍ରଶ୍ନ କରିବାରୁ ବ୍ୟକ୍ତିଗତ କାରଣରୁ ଟଙ୍କା ଉଠାଇବାକୁ ଚାହୁଁଥିବା ବରିଷ୍ଠ ନାଗରିକ ଜଣକ କହିଥିଲେ । ତେବେ, ସୂର୍ଯ୍ୟା ତାଙ୍କ ବିବ୍ରତ ଅବସ୍ଥାକୁ ଦେଖି ସନ୍ତୁଷ୍ଟ ହୋଇନଥିଲେ ଏବଂ ବରିଷ୍ଠ ନାଗରିକ ଜଣକୁ ବ୍ୟାଙ୍କର ଶାଖା ପରିଚାଳକ କୁମାର ଗୌଡଙ୍କ ନିକଟକୁ ନେଇଥିଲେ । ଶାଖା ପରିଚାଳିକ କୁମାର ଗୌଡ ମଧ୍ୟ ଗ୍ରାହକ ଜଣକୁ ଏକା ପ୍ରଶ୍ନ ପଚାରିବାରୁ ସେ ଗୋଟିଏ ସଂପତ୍ତି କିଣିବାକୁ ଫିକ୍ସଡ ଡିପୋଜିଟ ଭଂଗାଇବାକୁ ଚାହୁଁଛନ୍ତି ବୋଲି ଉତ୍ତର ରଖିଥିଲେ । କିନ୍ତୁ, ସେହି ସଂପତ୍ତିଟି କୋଉଠି କିଣିବାକୁ ଅଛି କହିବାକୁ ଥଂଗାଇ ଥିଲେ । ବ୍ୟାଙ୍କ ଶାଖା ପରିଚାଳକ ଅଧିକ ଖୋଳତାଡ କରିବାରୁ କେଉଠି ସଂପତ୍ତି କିଣିବେ ଏପର୍ଯ୍ୟନ୍ତ ସ୍ଥିର କରିନାହାନ୍ତି ବୋଲି ଗ୍ରାହକ ଜଣକ କହିଥିଲେ । ବ୍ୟାଙ୍କ ଶାଖା ପରିଚାଳକଙ୍କ ସନ୍ଦେହ ବଢିବାରୁ ପରିବାରର କୌଣସି ସଦସ୍ୟଙ୍କୁ ଧରି ବ୍ୟାଙ୍କ ଆସିବାକୁ ଗ୍ରାହକଙ୍କୁ ସେ କହିଥିଲେ । ତିନି ଦିନ ପର୍ଯ୍ୟନ୍ତ ତାଙ୍କ ଟଙ୍କା ବ୍ୟାଙ୍କ ଆକାଉଂଟକୁ ଟ୍ରାନ୍ସଫର୍ ହୋଇନଥିଲା । ଗ୍ରାହକ ଜଣକ ବ୍ୟାଙ୍କକୁ ଯାଇ ସମାନ ପ୍ରଶ୍ନର ସମ୍ମୁଖୀନ ହେବା ଆଶଙ୍କାରେ ଆଉ ସ୍ୱାତୀଙ୍କ କାଉଂଟରକୁ ନଯାଇ ଅନ୍ୟ ଜଣେ କର୍ମଚାରୀଙ୍କ କାଉଂଟରକୁ ଯାଇଥିଲେ । ତେବେ, ସେତେବେଳକୁ ବ୍ୟାଙ୍କ କର୍ମଚାରୀମାନେ ସତର୍କ ହୋଇସାରିଥିଲେ ଏବଂ ଗ୍ରାହକଙ୍କ ତୃତୀୟ ଭିଜିଟରେ ତାଙ୍କୁ ସାଇବର ସ୍କାମ୍ ସଂପର୍କିତ ଜାତୀୟ ହେଲ୍ପଲାଇନ ନମ୍ବର ୧୯୩୦ ସହ ସଂଯୁକ୍ତ କରାଇ ଦେଇଥିଲେ । ‘ଡିଜିଟାଲ ଆରେଷ୍ଟ’ ବୋଲି କିଛି ନାହିଁ, ଏହା ସାଇବର ଠକେଇର ନୂଆ ତରିକା ହୋଇଛି ବୋଲି ସାଇବର ହେଲ୍ପଲାଇନ ପକ୍ଷରୁ ତାଙ୍କୁ ବୁଝାଇ ଦିଆଯାଇଥିଲା । ତିନି ଦିନର ମାନସିକ ନିର୍ଯ୍ୟାତନା ପରେ ବରିଷ୍ଠ ନାଗରିକ ଜଣକ ବ୍ୟାଙ୍କ କର୍ମଚାରୀଙ୍କୁ ବିଶ୍ୱାସକୁ ନେଇ ବାସ୍ତବତା ବୁଝିଥିଲେ ଏବଂ ୧୩ ଲକ୍ଷ ଟଙ୍କା ଠକେଇରୁ ବର୍ତ୍ତି ଥିଲେ । ଠକମାନେ ଗ୍ରାହକ ଜଣକୁ ଡରାଇ ଦେଇଥିଲେ ଯେ ସେ ‘ଡିଜିଟାଲ ଆରେଷ୍ଟ’ରେ ଅଛନ୍ତି, ଟଙ୍କା ବିଷୟକୁ ନେଇ କୋଉଠି ମୁହଁ ଖୋଲିବେ ନାହିଁ । ଯେଉଁମାନେ ଏଭଳି ଠକେଇରେ ସଂପୃକ୍ତ ଅଛନ୍ତି ସେମାନେ ଗ୍ରାହକଙ୍କୁ ହ୍ୱାଟସଆପ୍ ମାଧ୍ୟମରେ ଫୋନ କରି ‘ଡିଜିଟାଲ ଆରେଷ୍ଟ’ ହୋଇଥିବା କଥା କହୁଛନ୍ତି ଏବଂ ମୋଟା ଅଂକର ଟଙ୍କା ମାଗୁଛନ୍ତି । ଟଙ୍କା ନ ମିଳିବା ଯାଏଁ ସେମାନେ ସଂପୃକ୍ତ ବ୍ୟକ୍ତିଙ୍କୁ ଭିଡ଼ିଓ ବା ଅଡିଓ କଲ୍ ମାଧ୍ୟମରେ ନଜରବନ୍ଦୀ କରି ରଖୁଛନ୍ତି । ସେମାନେ ଦେଉଥିବା ବ୍ୟାଙ୍କ ଆକାଉଂଟକୁ ଟଙ୍କା ଟ୍ରାନ୍ସଫର୍ ହୋଇଯିବା ପରେ ସଂପୃକ୍ତ ମୋବାଇଲ ନମ୍ବର ସ୍ୱିଚ୍ ଅଫ୍ ହୋଇଯାଉଛି । କେବଳ ନିରକ୍ଷର ନୁହନ୍ତି, ଶିକ୍ଷିତ ନାଗରିକମାନେ ମଧ୍ୟ ‘ଡିଜିଟାଲ ଆରେଷ୍ଟ’ ଭୟରେ ଲକ୍ଷ ଲକ୍ଷ ଟଙ୍କା ଠକଙ୍କ ଆକଉଂଟକୁ ଟ୍ରାନ୍ସଫର କରି ପରେ ଜାଣୁଛନ୍ତି ଠକାମୀରେ ପଡିଲେ ବୋଲି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସଚେତନ କରାଇଛନ୍ତି ଦେଶରେ ‘ଡିଜିଟାଲ ଆରେଷ୍ଟ’ ବା ‘ଭର୍ଚୁଆଲ ଆରେଷ୍ଟ’ ବୋଲି କିଛି ବ୍ୟବସ୍ଥା ନାହିଁ । ସାଇବର ଠକଙ୍କ ଏହା ନୂଆ ଚାଲ୍ ହୋଇଥିବାରୁ ଜନସାଧାରଣ ଏଥିରୁ ବର୍ତ୍ତିକି ରୁହନ୍ତୁ । ଆରବିଆଇ ଓ ପୁଲିସ ବିଭାଗ ପକ୍ଷରୁ ମଧ୍ୟ ଏନେଇ ନିୟମିତ ଆଡଭାଇଜରୀ ଜାରି ହେଉଛି ଏବଂ ମୋବାଇଲ୍ ମେସେଜ୍ ମାଧ୍ୟରେ ପ୍ରତିଦିନ ଗ୍ରାହକଙ୍କୁ ଚେତାଇ ଦିଆଯାଉଛି । ତଥାପି, ଏହି ବାର୍ତ୍ତା ସମସ୍ତଙ୍କ ନିକଟରେ ପହଂଚି ନଥିବାରୁ ଆଜି ମଧ୍ୟ ସଚେତନ ବ୍ୟକ୍ତି ମଧ୍ୟ ଠକଙ୍କ ଶିକାର ହେଉଛନ୍ତି । ହାଇଦ୍ରାବାଦ ଏସବିଆଇ ଶାଖା କର୍ମଚାରୀଙ୍କ ସତର୍କତାରୁ ଜଣେ ବୟସ୍କ ଶିଶୁ ରୋଗ ବିଶେଷଜ୍ଞ ୧୩ ଲକ୍ଷ ଟଙ୍କାର ଠକେଇରୁ ବତ୍ତି ଗଲେ । ସବୁ ବେଳେ ସମସ୍ତଙ୍କୁ ଜଗିବା ସମ୍ଭବ ନୁହେଁ । ତେଣୁ, ନିଜେ ସତର୍କ ରହିଲେ ହିଁ ଏଭଳି ସାଇବର ଠକାମୀରୁ ବର୍ତ୍ତି ପାରିବେ – ଏହା ହେଉଛି ଏହି ଖବରର ନିର୍ଯାସ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS