ସିନ୍ଧେଙ୍କ ମୋହଭଂଗ ହୋଇନିି, ତଥାପି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ


ପ୍ରସାଦ ରାଓ
ନଭେମ୍ବର ୨୬
୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା-ଏନସିପି ମେଂଟ ବା ମହାୟୁତି ଅଧିକ ସଂଖ୍ୟା, ଶକ୍ତି ଓ ଉତ୍ସାହର ସହ କ୍ଷମତାକୁ ଫେରିଛି । ଏହି ମେଂଟକୁ ମିଳିଥିବା ସଂଖ୍ୟା ବିରୋଧୀ ଏମଭିଏ (ମହା ବିକାଶ ଅଘାଡି)କୁ ସଂପୂର୍ଣ୍ଣ ନିଷ୍ପ୍ରଭ କରି ଦେଇଛି । ମହାୟୁତି କ୍ଷମତାକୁ ଫେରିଲେ ତାଙ୍କ ମୁଖ୍ୟମନ୍ତ୍ରୀ ପଦ ସୁରକ୍ଷିତ ବୋଲି ୨୦୨୨ ଜୁନରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଥିବା ଶିବସେନା ନେତା ଏକନାଥ ସିନ୍ଧେ ବିଶ୍ୱାସ କରୁଥିଲେ । ତେବେ, ମହାୟୁତିରେ ଥିବା ବିଜେପି ଏକାକୀ ଅଧିକ ସଂଖ୍ୟକ ବିଧାୟକଙ୍କୁ ନେଇ ବିଧାନସଭାକୁ ଆସିଥିବାରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ବଡ ଦାବିଦାର ରହିଛି । ବିଧାନସଭାରେ ୨୮୮ରୁ ୧୩୨ ଆସନ ପାଇଥିବା ବିଜେପିର ରାଜ୍ୟ ଓ ଜାତୀୟସ୍ତର ନେତାମାନେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଏକପ୍ରକାର ସ୍ଥିର କରି ସାରିଥିବା ବେଳେ ମହାୟୁତି ସରକାରରେ ମୁଖ୍ୟମନ୍ତ୍ରୀ ଥିବା ଶିବସେନା ନେତା ଏକନାଥ ସିନ୍ଧେ ତିନି ଦିନ ହେଲା ବିଜେପି ନେତାଙ୍କୁ ନିଜ ସପକ୍ଷରେ ବୁଝାଇବାକୁ ଉଦ୍ୟମ କରି ଏକପ୍ରକାର ନିରାଶ ହୋଇଥିବା ଆଜି ଦେଖିବାକୁ ମିଳିଛି । ସିନ୍ଧେ ଆଜି ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ବିଜେପି ନେତା ତଥା ପୂର୍ବ ମହାୟୁତି ସରକାରରେ ଦୁଇ ଉପ ମୁଖ୍ୟମନ୍ତ୍ରୀ ଥିବା ଫଡନାଭିସ (ବିଜେପି) ଓ ଅଜିତ ପାୱାର (ଏନସିପି) ଆଜି ମୁଖ୍ୟମନ୍ତ୍ରୀ ସିନ୍ଧେଙ୍କ ସହ ମହାରାଷ୍ଟ୍ର ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ଭେଟିଥିଲେ । ଦୁଇ ଉପ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ସିନ୍ଧେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ଜଣେ ନୂତନ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବା ପର୍ଯ୍ୟନ୍ତ ରାଜ୍ୟର କାମଚଳା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବାକୁ ସିନ୍ଧେଙ୍କୁ ଅନୁରୋଧ କରିଥିବା ଜଣାପଡିଛି । ରାଜ୍ୟ ବିଧାନସଭାକୁ ସିନ୍ଧେଙ୍କ ଶିବସେନାର ୫୭ ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି ଏବଂ ଦଳ ବିଧାନସଭାରେ ବିଜେପି ପଛକୁ ଦ୍ୱିତୀୟ ବୃହତ୍ ଦଳ ରହିଛି । ନଭେମ୍ବର ୨୩ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରଠାରୁ ଶିବସେନା ନେତା ସିନ୍ଧେ ବିଜେପି ନେତୃତ୍ୱକୁ ବୁଝାଇ ଆସୁଛନ୍ତି ବିହାର ଫର୍ମୂଲା ମହାରାଷ୍ଟ୍ର ପାଇଁ ଲାଗୁ କରିବାକୁ । ବିହାର ବିଧାନସଭାରେ ବିଜେପି ଏକକ ସଂଖ୍ୟାଗରିଷ୍ଠ ଦଳ ଥିଲେ ମଧ୍ୟ ଏନଡିଏରେ ଥିବା ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି । ବିହାର ରାଜନୀତିରେ ଆଂଚଳିକ ଦଳ ଜେଡିୟୁର ଯେଭଳି ଗୁରୁତ୍ୱ ରହିଛି ମହାରାଷ୍ଟ୍ରରେ ଶିବସେନାର ସେଭଳି ଗୁରୁତ୍ୱ ରହିଛି । ମୟାହୁତି ତାଙ୍କ ନେତୃତ୍ୱରେ ବିଧାନସଭା ନିର୍ବାଚନରେ ଲଢି ୨୦୨୪ରେ ବିପୁଳ ଜନସମର୍ଥନ ପାଇଥିବାରୁ ବିହାର ଫର୍ମୂଲାରେ ସେ ମୁଖ୍ୟମନ୍ତ୍ରୀ ପଦରେ ରହିବା ଯଥାର୍ଥ ହେବ । ଏହାଦ୍ୱାରା, ବିଜେପି ସିନ୍ଧେ ଶିବସେନାକୁ ବ୍ୟବହାର କରି ଶେଷରେ ଫିଙ୍ଗିଦେଲା ବୋଲି ଯେଉଁମାନେ ସମାଲୋଚନା କରୁଛନ୍ତି ସେମାନଙ୍କ ପାଇଁ ଉଚିତ ଜବାବ ହେବ । ଶିବସେନା ସାଂସଦ ନରେଶ ମାସ୍କେ ଗତକାଲି ଏଭଳି ଯୁକ୍ତି ଉପସ୍ଥାପନ କରିଥିବା ବେଳେ ଶିବସେନା ନେତା ତଥା ରାଜ୍ୟର ମନ୍ତ୍ରୀ ଦୀପକ କେଶରକର କହିଛନ୍ତି, ରାଜ୍ୟର ଶିବସେନା ବିଧାୟକମାନେ ଚାହୁଁଛନ୍ତି ଏକନାଥ ସିନ୍ଧେଙ୍କ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖାଯାଉ । ଏକ ପ୍ରକାର ନିରାଶ ଥିବା ମୁଖ୍ୟମନ୍ତ୍ରୀ ସିନ୍ଧେ ଆଜି ‘ଏକ୍ସ’ରେ ଏକ ପୋଷ୍ଟ୍ କରି ଦଳର ସମର୍ଥକମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ରଖାଯିବା ଦାବିରେ ଦକ୍ଷିଣ ମୁମ୍ବାଇସ୍ଥିତ ସରକାରୀ ବାସଭବନ ବା ଅନ୍ୟତ୍ର କେଉଁଠି ସଂଗଠିତ ନ ହେବାକୁ ନିବେଦନ କରିଛନ୍ତି । ‘ମହାୟୁତିର ଅଂଶୀଦାର ଭାବେ ଆମେ ଏକାଠି ନିର୍ବାଚନ ଲଢିଛୁ । ରାଜ୍ୟରେ ବିପୁଳ ଜନମତ ପାଇଁ ମହାୟୁତି ସରକାର ଗଠନ କରିବାକୁ ଯାଉଛି । ଆମେ ଆଜି ମଧ୍ୟ ଏକାଠି ଅଛୁ’ ବୋଲି ସେ ବାର୍ତ୍ତା ଦେଇଛନ୍ତି । ସିନ୍ଧେ ଆଜି ପୂର୍ବାହ୍ନ ୧୧ଟା ୧୫ ମିନିଟରେ ରାଜଭବନରେ ପହଂଚି ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫାପତ୍ର ଦେଇଥିଲେ । ଆଜି ଚତୁର୍ଦ୍ଦଶ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଶେଷ ହୋଇଛି । ନୂଆ ସରକାର ଗଠନରେ ବିଳମ୍ବ ହେଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ସମ୍ଭାବନା ଥିବାରୁ ବିଜେପି ନେତୃତ୍ୱ ଆଜି ହିଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କିଏ ହେବ, ତାହା ନିର୍ଣ୍ଣୟ କରିବା ଆଶା କରାଯାଉଛି । ଏନସିପି ନେତା ଅଜିତ ପାୱାର ବିଜେପି ନେତା ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଦେଖିବାକୁ ଚାହୁଁଥିବା ବେଳେ ଫଡନାଭିସ ମଧ୍ୟ ଦଳୀୟ ନେତୃତ୍ୱର ସବୁଜ ସଂକେତ ପାଇ ସାରିଥିବା ଆଲୋଚନା ହେଉଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS