ମୁଖ୍ୟମନ୍ତ୍ରୀ ଦୌଡରେ ଫଡନାଭିସ, ସିନ୍ଧେ – ଅଜିତ ପାୱାରଙ୍କ ପସନ୍ଦ ଫଡନାଭିସ୍ ?


ପ୍ରସାଦ ରାଓ
ନଭେମ୍ବର ୨୫
ମହାରାଷ୍ଟ୍ରରେ ମହାୟୁତିର ବିପୁଳ ବିଜୟ ପରେ ଏବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଛକାପଂଝା ଚାଲିଛି । ୨୮୮ ସଭ୍ୟ ବିଶିଷ୍ଟ ବିଧାନସଭାରେ ମହାୟୁତି ବିଧାୟକଙ୍କ ସଂଖ୍ୟା ୨୩୨ ଥିବା ବେଳେ ବିଜେପିରୁ ସର୍ବାଧିକ ୧୩୨ ବିଧାୟକ ନିର୍ବାଚିତ ହୋଇଛନ୍ତି । ଏକୁଟିଆ ସରକାର ଗଢିବାକୁ ବିଜେପି ନିକଟରେ ମାତ୍ର ୧୪ ଆସନ କମ୍ ଅଛି । ଅପରପକ୍ଷରେ, ମହାୟୁତିର ଦୁଇ ଅଂଶୀଦାର ଶିବସେନା ଓ ଏନସିପିରୁ ଯଥାକ୍ରମେ ୫୭ ଓ ୪୧ ବିଧାୟକ ପଂଚଦଶତମ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ତେଣୁ, ରାଜ୍ୟରେ ମହାୟୁତି ସରକାର ଗଠନରେ କୌଣସି ପ୍ରତିବନ୍ଧକ ନାହିଁ । ଏକାକୀ ସରକାର ଗଠନ ପାଇଁ ବିଜେପିର ଆବଶ୍ୟକ ସଂଖ୍ୟା ଥାଆନ୍ତା ତେବେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ନୂଆ ସରକାରରେ ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେପି ନେତୃତ୍ୱ ବୋଧହୁଏ ଏତେ ଛିନ୍ତା କରି ନଥା’ନ୍ତେ । ମହାୟୁତିର ଦୁଇ ଅଂଶୀଦାର ବିଜେପିର ନିଷ୍ପତ୍ତିକୁ ମାନି ନେବାକୁ ବାଧ୍ୟ ହୋଇଥା’ନ୍ତେ । ତେବେ, ବିଜେପି ସରକାର ଗଠନ ପାଇଁ ଅନୁକୂଳ ସ୍ଥିତିରେ ଥିଲେ ମଧ୍ୟ ଏକାକୀ ସରକାର ଗଠନ କରିବାକୁ ଆବଶ୍ୟକ ବହୁମତ ପାଇ ନାହିଁ । ତେଣୁ, ମୁଖ୍ୟମନ୍ତ୍ରୀ ପଦକୁ ନେଇ ମେଂଟରେ ଏକପ୍ରକାର ଛକାପଂଝାର ବାତାବରଣ ରହିଛି । ଇତିମଧ୍ୟରେ, ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ୨୦୨୨ରୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଅଧିନରେ ଉପ ମୁଖ୍ୟମନ୍ତ୍ରୀ ଥିବା ଦେବେନ୍ଦ୍ର ଫଡନାଭିସ ରାଜ୍ୟର ନବ ନିର୍ବାଚିତ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି । ସେହିଭଳି, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଶିବସେନା ବିଧାୟକ ଦଳର ଓ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏନସିପି ବିଧାୟକ ଦଳର ନେତା ନିର୍ବାଚିତ ହୋଇସାରିଛନ୍ତି । ଏହି ତିନି ନେତାଙ୍କ ମଧ୍ୟରୁ ବିଜେପି ନେତା ଫଡନାଭିସ ଓ ଶିବସେନା ନେତା ସିନ୍ଧେଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଛକାପଂଝା ଚାଲିଥିବା ବେଳେ ଏନସିପିର ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିବା ଅଜିତ ପାୱାର ଏହି ଦୌଡରୁ ନିଜକୁ ନିରାପଦ ଦୂରତ୍ୱରେ ରଖି ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ହେବା ସେ ଚାହାଁନ୍ତ ବୋଲି ମତ ଦେଇଥିବା ମହାୟୁତିର ଆଭ୍ୟନ୍ତରୀଣ ସୂତ୍ରରୁ ସୂଚନା ମିଳୁଛି । ଚତୁର୍ଦ୍ଦଶ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟାକାଳ ଆସନ୍ତା କାଲି (୨୬ ତାରିଖ) ସରୁଥିବା ବେଳେ ପଂଚଦଶ ବିଧାନସଭାରେ ମହାୟୁତିର ମୁଖ୍ୟମନ୍ତ୍ରୀ କିଏ ହେବ, ତାହାକୁ ନେଇ ଦୁଇ ଦିନ ହେଲା (ନଭେମ୍ବର ୨୩ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି) ବିଜେପି ଓ ଶିବସେନା ମଧ୍ୟରେ ଛକାପଂଝା ଜୋର ଧରିଛି । ବିଜେପିର ନବ ନିର୍ବାଚିତ ବିଧାୟକମାନେ ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ସପକ୍ଷରେ ଦୃଢ ଦାବି ଉପସ୍ଥାପନ କରିଛନ୍ତି । ସେମାନଙ୍କ ଯୁକ୍ତି ହେଉଛି, ଯେହେତୁ ପଂଚଦଶ ବିଧାନସଭାରେ ବିଜେପିକୁ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ସର୍ବାଧିକ ସଂଖ୍ୟକ ଆସନ ମିଳିଛି ମୁଖ୍ୟମନ୍ତ୍ରୀ ମଧ୍ୟ ବିଜେପିରୁ ହେବା ଉଚିତ । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ରରେ ଜଣେ ଲୋକପ୍ରିୟ ନେତା । ୨୦୧୪ରୁ ୨୦୧୯ ସେ ରାଜ୍ୟର ପୂର୍ଣ୍ଣ ସମୟ ମୁଖ୍ୟମନ୍ତ୍ରୀ ରହିଥିଲେ । ତାଙ୍କ ନେତୃତ୍ୱରେ ବିଜେପି ୨୦୧୯ ବିଧାନସଭା ନିର୍ବାଚନରେ ସର୍ବାଧିକ ୧୦୫ ଆସନରେ ବିଜୟୀ ହୋଇଥିଲା । ସେହି ସମୟରେ ଅବିଭକ୍ତ ଶିବସେନା (୫୬ ଆସନ ପାଇଥିଲା) ବିଜେପି ସହ ମେଂଟରେ ରହିଥିଲା । ତେଣୁ, ୨୦୧୯ରେ ଫଡନାଭିସ ଲଗାତର ଦ୍ୱିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା କିଛି ବିଚିତ୍ର ନଥିଲା । କିନ୍ତୁ, ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ପଦ ଦାବିରେ ଶିବସେନା ବିଜେପି ସହ ମେଂଟ ଛିନ୍ନ କରି କଂଗ୍ରେସ (୪୪) ଓ ଅବିଭକ୍ତ ଏନସିପି (୫୪) ସହ ମେଂ କରିଥିଲା ଏବଂ ରାଜ୍ୟରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ମହା ବିକାଶ ଅଘାଡି (ଏମଭିଏ) ସରକାର ପ୍ରତିଷ୍ଠା ହୋଇଥିଲା । ଏହି ସରକାର ମାତ୍ର ଅଢେଇ ବର୍ଷ ଚାଲିବା ପରେ ବାକି ଅଢେଇ ବର୍ଷ ରାଜ୍ୟରେ ବିଜେପି ନେତୃତ୍ୱରେ ମହାୟୁତି ସରକାର ଚାଲିଲା । ୨୦୨୪ ବିଧାନସଭା ନିର୍ବାଚନରେ ସେଭଳି ପରିସ୍ଥିତି ନାହିଁ । ବିଜେପି ଏକାକୀ ସରକାର ଗଠନରୁ ମାତ୍ର ୧୪ଟି ଆସନ ଦୂରରେ ରହିଛି । ୨୦୨୨ରୁ ଶିବସେନା (ସିନ୍ଧେ) ଓ ୨୦୨୩ରୁ ଏନସିପି (ଅଜିତ ପାୱାର) ମହାୟୁତି ସରକାରରେ ସାମିଲ ରହିଛି । ମହାୟୁତିର ଏହି ଦୁଇ ଅଂଶୀଦାର ଅଂଶୀଦାର ୨୦୨୪ ବିଦାନସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରି ମିଳିତ ଭାବେ ୯୮ଟି ଆସନ (ଶିବସେନା-୫୭ ଓ ଏନସିପି-୪୧) ଯୋଡିଛନ୍ତି । ମୋଟାମୋଟି କହିବାକୁ ଗଲେ ୨୮୮ରୁ ୨୩୦ ଆସନ ପାଇଥିବା ମହାୟୁତିରେ ବିଜେପି ୧୩୨ ଆସନ ପାଇ ଏକକ ସଂଖ୍ୟାଗରିଷ୍ଠ ଦଳ ରହିଥିବାରୁ ବିଜେପି ନେତୃତ୍ୱ ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେଇ ମହାରାଷ୍ଟ୍ରବାସୀଙ୍କ ଆସ୍ଥା ବଢାଇବା ଆବଶ୍ୟକ । ବିଜେପି ନେତାମାନେ ଏଭଳି କହୁଥିବା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ (ଶିବସେନା)ଙ୍କ ସମର୍ଥକ ବିଧାୟକମାନେ କହୁଛନ୍ତି, ଶିବସେନା ନେତା ସିନ୍ଧେ ୨୦୨୨ ଜୁନରେ ଶିବସେନାରେ ବିଭାଜନ ଘଟାଇ ବିଜେପି ସହ ମେଂଟରେ ସାମିଲ ହେବାରୁ ହିଁ ରାଜ୍ୟରେ ମହା ବିକାଶ ଅଘାଡି ସରକାରକୁ କ୍ଷତାଚ୍ୟୁତ କରି ବିଜେପି-ଶିବସେନା ମେଂଟ ସରକାର ପ୍ରତିଷ୍ଠା ସମ୍ଭବ ହୋଇଥିଲା । ଏଥିପାଇଁ ବିଜେପି ସିନ୍ଧେ ନିକଟରେ ଋଣି ରହିବା ଉଚିତ । ଏହାଛଡା, ସିନ୍ଧେ ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ଭିତରେ ମହାରାଷ୍ଟ୍ରରେ ବହୁ ବିକାଶମୂଳକ କାର୍ଯ୍ୟ ହୋଇଛି । ୨୦୨୪ ବିଧାନସଭା ନିର୍ବାଚନରେ ମହାୟୁତିର ବିପୁଳ ବିଜୟ ପାଇଁ ଯେଉଁ ‘ଲଡକି ବହୀନ’ ଯୋଜନାକୁ ଶ୍ରେୟ ଦିଆଯାଉଛି ତାହା ସିନ୍ଧେଙ୍କ ସରକାର ଦ୍ୱାରା ସମ୍ଭବ ହୋଇଛି । ମହାୟୁତି ୨୦୨୪ ବିଧାନସଭା ନିର୍ବାଚନ ମୁଖ୍ୟମନ୍ତ୍ରୀ ସିନ୍ଧେଙ୍କ ନେତୃତ୍ୱରେ ଲଢିଛି ଓ ମହାବିଜୟ ପାଇଛି । ଏହାର ଶ୍ରେୟ ମୁଖ୍ୟମନ୍ତ୍ରୀ ସିନ୍ଧେଙ୍କୁ ଯିବା ଉଚିତ । ବିହାର ବିଧାନସଭାରେ ବିଜେପିର ଏକକ ସଂଖ୍ୟାଗରିଷ୍ଠତା ଥିଲେ ମଧ୍ୟ କମ୍ ସଂଖ୍ୟକ ବିଧାୟକ ଥିବା ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କୁ ଯେଭଳି ମୁଖ୍ୟମନ୍ତ୍ରୀ କରିଆସୁଛି ମହାରାଷ୍ଟ୍ରରେ ମଧ୍ୟ ସେହି ‘ଫର୍ମୂଲା’ ଅନୁସରଣ କରାଯାଇ ସିନ୍ଧେଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ପୁନଃ ଅବସ୍ଥାପିତ କରାଯାଉ । ମୁଖ୍ୟମନ୍ତ୍ରୀ ପଦକୁ ନେଇ ଫଡନାଭିସ ଓ ସିନ୍ଧେ ଗୋଷ୍ଠୀ ବିଜେପି ନେତୃତ୍ୱ ନିକଟରେ ଏଭଳି ଯୁକ୍ତି ଉପସ୍ଥାପନ କରୁଥିବା ବେଳେ ଏନସିପି ନେତା ଅଜିତ ପାୱାର ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିର ଦୂରେଇ ରହି ଫଡନାଭିସ ମୁଖ୍ୟମନ୍ତ୍ରୀ ହେବା ଉଚିତ ବୋଲି ଯୁକ୍ତି ଉପସ୍ଥାପନ କରିବା ତାଙ୍କ ରାଜନୈତିକ ଚତୁରତାକୁ ସୂଚାଉଛି । ୨୦୨୩ରେ ଅଜିତ ଏନସିପିରେ ବିଭାଜନ ଘଟାଇ ସମର୍ଥକ ବିଧାୟକ ଓ ସାଂସଦଙ୍କ ସହ ବିଜେପି-ଶିବସେନା ସରକାରରେ ସାମିଲ ହୋଇଥିଲେ ଓ ସରକାରରେ ଦ୍ୱିତୀୟ ଉପ ମୁଖ୍ୟମନ୍ତ୍ରୀ ପଦ ପାଇଥିଲେ । ବିଜେପିରୁ ଫଡନାଭିସ ଥିଲେ ଏକ ନମ୍ବର ଉପ ମୁଖ୍ୟମନ୍ତ୍ରୀ । ୨୦୨୪ ଲୋକସଭା ନିର୍ବାଚନରେ କିନ୍ତୁ ସିନ୍ଧେଙ୍କ ଶିବସେନା ମହାରାଷ୍ଟ୍ରରେ ଭଲ ପ୍ରଦର୍ଶନ କରିଥିବା ବେଳେ ଅଜିତଙ୍କ ଏନସିପିର ପ୍ରଦର୍ଶନ ଥିଲା ନୈରାଶ୍ୟଜନକ । ମହାୟୁତିରେ ଅଜିତ ପାୱାର ଏକପ୍ରକାର ଅଲୋଡା ମନେ ହେଉଥିବା ବେଳେ ୨୦୨୪ ବିଧାନସଭା ନିର୍ବାଚନରେ ପୁନଃ ଭାଗ୍ୟ ପରୀକ୍ଷାର ସୁଯୋଗ ପାଇଥିଲେ । ଅବଶ୍ୟ, ବିଧାନସଭା ନିର୍ବାଚନରେ ଉଭୟ ସିନ୍ଧେ ଓ ଅଜିତ ପାୱାରଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ତେବେ, ଦୁଇ ମରାଠୀ ନେତା ମହାୟୁତିରେ ଥାଇ ମଧ୍ୟ ପରସ୍ପରକୁ ଗ୍ରହଣ କରିପାରୁନଥିବା ସେମାନଙ୍କ ହାବଭାବରୁ ସ୍ପଷ୍ଟ ହେଉଥିଲା । ପାୱାର ଭଲରେ ଜାଣନ୍ତି – ମହାୟୁତି ସରକାରରେ ସେ ମୁଖ୍ୟମନ୍ତ୍ରୀ ହେବାର ସାମାନ୍ୟତମ ସମ୍ଭାବନା ନାହିଁ । ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ବିଜେପି ମାତ୍ର ୧୪ଟି ଆସନ ଦୂରରେ ଥିବା ବେଳେ ସେହି ସଂଖ୍ୟା ଯୋଗାଡ କରିବା ଦଳ ପାଇଁ ବାମହାତର ଖେଳ । ସିନ୍ଧେ ମୁଖ୍ୟମନ୍ତ୍ରୀ ରହିଲେ ତାଙ୍କ ଅଧିନରେ ପୁଣି ଥରେ ଉପ ମୁଖ୍ୟମନ୍ତ୍ରୀ ପଦ ମିଳି ପାରେ । ସିନ୍ଧେଙ୍କ ଅଧିନରେ ଉପ ମୁଖ୍ୟମନ୍ତ୍ରୀ ରହିବା ଅପେକ୍ଷା ଫଡନାଭିସଙ୍କ ଅଧିନରେ ଉପ ମୁଖ୍ୟମନ୍ତ୍ରୀ ରହିବା ଅଧିକ ସମ୍ମାନଜନକ ବୋଲି ଅଜିତ ପାୱାର ଭାବୁଛନ୍ତି ଏବଂ ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ସପକ୍ଷରେ ମତ ଦେଇଛନ୍ତି ବୋଲି ପାୱାର ସମର୍ଥକମାନେ କହୁଛନ୍ତି । ଏହି ଛକାପଂଝା ଭିତରେ ବିଜେପି ରାଷ୍ଟ୍ରୀୟ ନେତୃତ୍ୱ ଉପରେ ସମସ୍ତଙ୍କ ନଜର ରହିଛି । ଯଦି ସିନ୍ଧେ ମୁଖ୍ୟମନ୍ତ୍ରୀରୁ ଉପ ମୁଖ୍ୟମନ୍ତ୍ରୀ ଓ ଫଡନାଭିସ ଉପ ମୁଖ୍ୟମନ୍ତ୍ରୀରୁ ମୁଖ୍ୟମନ୍ତ୍ରୀ ହେଉଛନ୍ତି ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି ରାଜନୈତିକ ବିଶ୍ଲେଷକମାନେ କହୁଛନ୍ତି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS