ଜାତୀୟ ରାଜନୀତିରେ କଂଗ୍ରେସର ଗୁରୁତ୍ୱ କମିଛି !


ପ୍ରସାଦ ରାଓ
ନଭେମ୍ବର ୨୪
ଜାତୀୟ ରାଜନୀତିରେ କଂଗ୍ରେସ ଏକପ୍ରକାର ଗୁରୁତ୍ୱହୀନ ସ୍ଥିତିକୁ ଚାଲି ଆସିଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେଉଛି । ପୂର୍ବରୁ ସେପ୍ଟେମ୍ବର-ଅକ୍ଟୋବରରେ ଅନୁଷ୍ଠିତ ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ଜିତିବା ବାଜିକୁ ହାରି ଯାଇଥିଲା । ନଭେମ୍ବରରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମଧ୍ୟ ଦଳର ପ୍ରଦର୍ଶନ ଅତ୍ୟନ୍ତ ଦୟନୀୟ ରହିଛି । ମହାରାଷ୍ଟ୍ର ସହ ହୋଇଥିବା ଝାଡଖଣ୍ଡ ବିଧାନସଭା ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ‘ଇଣ୍ଡି’ ମେଂଟର ଆଶାତୀତ ବିଜୟ ହୋଇଥିଲେ ମଧ୍ୟ ଏଥିରେ କଂଗ୍ରେସର ଭୂମିକା ଗୋଟିଏ କନିଷ୍ଠ ସହଯୋଗୀ ଦଳର ଭୂମିକାତୁଲ୍ୟ ରହିଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ବିଜୟର ଶ୍ରେୟ ନେଉଛି । ଏହି ଦୁଇ ବିଧାନସଭା ନିର୍ବାଚନ କଂଗ୍ରେସ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା । ହରିୟାଣା ପରାଜୟକୁ ନେଇ କଂଗ୍ରେସ ନେତୃତ୍ୱ ଅନ୍ତତଃ ଆତ୍ମସମୀକ୍ଷା କରି ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ରଣନୀତି ପ୍ରସ୍ତୁତି କରିଥିବେ ବୋଲି ଆଶା କରାଯାଇଥିବା ବେଳେ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ କଂଗ୍ରେସ ନେତୃତ୍ୱର ଦୟନୀୟ ଅବସ୍ଥାକୁ ପୁନର୍ବାର ଉଜାଗର କରି ଦେଇଛି । କଂଗ୍ରେସ ଦଳ ମହାରାଷ୍ଟ୍ରରେ ବିରୋଧୀ ‘ମହା ବିକାଶ ଅଘାଡି’ (ଏମଭିଏ)ର ପ୍ରମୁଖ ଅଂଶୀଦାର ଥାଇ ମଧ୍ୟ ୨୦୨୪ ବିଧାନସଭା ନିର୍ବାଚନରେ ଲଢି ଥିବା ୧୦୧ ଆସନରୁ ମାତ୍ର ୧୬ଟି ଆସନରେ ବିଜୟୀ ହୋଇଛି । ଅପରପକ୍ଷରେ, ଏମଭିଏର ଅନ୍ୟ ଦୁଇ ଅଂଶୀଦାର ଶିବସେନା (ୟୁବିଟି) ୯୫ ଆସନ ଓ ଏନସିପି (ଶରଦଚନ୍ଦ୍ର ପାୱାର) ୮୬ ଆସନରେ ନିର୍ବାଚନ ଲଢି ସେଥିରୁ ଶିବସେନା (ୟୁବିଟି) ସର୍ବାଧିକ ୨୦ଟି ଆସନରେ ବିଜୟୀ ହୋଇଛି ଏବଂ ଶରଦ ପାୱାରଙ୍କ ଏନସିପିକୁ ମାତ୍ର ୧୦ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି । ଏହାଦ୍ୱାରା, ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଏମଭିଏର ସଂଖ୍ୟା ୪୬ ଆସନରେ ସୀମିତ ରହିଥିବା ବେଳେ ବିଜେପି ନେତୃତ୍ୱାଧୀନ ମହାମେଂଟ ବା ମହାୟୁତି ୨୩୦ ଆସନରେ ବିଜୟର ମହୋତ୍ସବ ପାଳନ କରୁଛି । କଂଗ୍ରେସ ସମେତ ମହା ବିକାଶ ଅଘାଡି (ଏମଭଏ)ର ଅନ୍ୟ ଦୁଇ ଅଂଶୀଦାରଙ୍କ ପାଦତଳୁ ମାଟି ଖସି ଯାଇଛି । ୧୫ତମ ମହାରାଷ୍ଟ୍ରର ବିଧାନସଭାରେ ଏମଭିଏ ବିରୋଧୀ ଦଳ ସ୍ୱୀକୃତି ପାଇବାକୁ ମଧ୍ୟ ଯୋଗ୍ୟ ରହି ନାହିଁ । ୨୦୧୯ ବିଧାନସଭା ନିର୍ବାଚନରେ ମହାରାଷ୍ଟ୍ରରେ ବିଜେପି ସର୍ବାଧିକ ୧୦୫ ଆସନରେ ବିଜୟୀ ହୋଇ ମଧ୍ୟ ସରକାର କରିବାକୁ ସୁଯୋଗ ପାଇ ନଥିଲା । ସହଯୋଗୀ ଦଳ ଥିବା ଅବିଭକ୍ତ ଶିବସେନା ୫୬ ଆସନ ପାଇଥିବା ବେଳେ ଏନସିପି (୫୪) ଓ କଂଗ୍ରେସ (୪୪) ସହ ମେଂଟରେ ରାଜ୍ୟରେ ମହା ବିକାଶ ଅଘାଡି (ଏମଭିଏ) ସରକାର ପ୍ରତିଷ୍ଠା କରିଥିଲା । ଅବଶ୍ୟ, ଏହି ସରକାର ଅଢେଇ ବର୍ଷ ଚାଲିବା ପରେ ୨୦୨୨ରେ ଶିବସେନା ଓ ୨୦୨୩ରେ ଏନସିପିରେ ବିଭାଜନ ଘଟି ରାଜ୍ୟରେ ବିଜେପି-ଶିବସେନା (ସିନ୍ଧେ) ଓ ଏନସିପି (ଅଜିତ ପାୱାର) ସରକାର ପ୍ରତିଷ୍ଠା ହୋିଥିଲା ଏବଂ ଏହି ମହାୟୁତି ସରକାର ଶାସନରେ ଥାଇ ନିର୍ବାଚନ ସରିଛି । ୨୦୨୪ ବିଧାନସଭା ନିର୍ବାଚନରେ କେବଳ ବିଜେପିର ବିଧାୟକ ସଂଖ୍ୟା ୧୩୨କୁ ବୃଦ୍ଧି ପାଇ ନାହିଁ, ମହାୟୁତି (ମହାମେଂଟ)ରେ ଥିବା ଶିବସେନା (ସିନ୍ଧେ) ୫୭ ଓ ଏନସିପି (ଅଜିତ ପାୱାର) ୪୧ ବିଧାନସଭା ଆସନରେ ବିଜୟୀ ହୋଇ ମହାୟୁତିକୁ ଏକ ବଡ ବିଜୟ ଦେଇଛନ୍ତି । ମହାୟୁତିର ଏହି ବିରାଟ ବିଜୟ ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାୱାରଙ୍କ ଏନସିପି ପାଇଁ ବଡ ଝଟକା ହୋଇଛି ସତ, କିନ୍ତୁ ସବୁଠାରୁ ବଡ ଧକ୍କା ହୋଇଛି କଂଗ୍ରେସ ପାଇଁ । ଏହା ବିଧାନସଭା ନିର୍ବାଚନ ହୋଇଥିଲେ ମଧ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଭା ସମିତିରେ ଭାରତର ସମ୍ବିଧାନକୁ ଦେଖାଇ ଦେଶରେ ଗଣତନ୍ତ୍ର ବିପଦରେ ଅଛି ବୋଲି ଅଭିଯୋଗ କରିଥିଲେ ଏବଂ କୌଣସି ଆଂଚଳିକ ସମସ୍ୟାକୁ ପ୍ରଭାବୀ ଢଙ୍ଗରେ ଉପସ୍ଥାପନ କରିନଥିଲେ । ସେହିଭଳି, ଶିବସେନା (ୟୁବିଟି) ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଏନସିପି (ଏସପି) ନେତା ଶରଦ ପାୱାର ନିର୍ବାଚନ ତାରିଖ ଘୋଷଣା ପର୍ଯ୍ୟନ୍ତ ଏକପ୍ରକାର ନିଷ୍କ୍ରିୟ ଥିଲେ । ଅପରପକ୍ଷରେ, ନିର୍ବାଚନ ତାରିଖ ଘୋଷଣାର ବହୁ ପୂର୍ବରୁ ରାଜ୍ୟର ମହାୟୁତି ସରକାର ଡିବିଟି ମାଧ୍ୟରେ ମହିଳାଙ୍କ ଖାତାକୁ ସିଧାସଳଖ ନଗଦ ଅର୍ଥ ପଠାଇବା ସହ ବହୁ ବିକାଶମୂଳକ ଯୋଜନା କାର୍ଯ୍ୟକାରୀ କରିଥିଲେ ବା ଘୋଷଣା କରିଥିଲେ । ଯାହାକି, ମହାରାଷ୍ଟ୍ରରେ ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ଚାଲିଥିବା ସରକାର ‘କାମିକା ସରକାର’ ଭାବେ ମହାରାଷ୍ଟ୍ରବାସୀଙ୍କ ବିଶ୍ୱାସଭାଜନ ହେଲେ । ଗୋଟ ଫଳାଫଳ ମଧ୍ୟ ମହାୟୁତି ସପକ୍ଷରେ ଯାଇଛି ବୋଲି ନିର୍ବାଚନ ଫଳାଫଳ ଆସିବା ପରେ ଜାତୀୟସ୍ତରରେ ଚର୍ଚ୍ଚା ଚାଲିଛି । ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚକିତ କଲା ଭଳି ହୋଇଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ପ୍ରତିକ୍ରିୟା ବ୍ୟକ୍ତ କରିଥିବା ବେଳେ ମହାରାଷ୍ଟ୍ରରେ ସୁଶାସନର ବିଜୟ ହେଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ ‘ଏକ୍ ହୋ ତୋ ସେଫ୍ ହୋ’ ସ୍ଲୋଗାନ ଆଗାମୀ ଦିନରେ ବିଜେପି ଓ ତାହାର ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡିଏ) ମହାମନ୍ତ୍ର ହେବାକୁ ଯାଉଛି ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି । ଅପରପକ୍ଷରେ, ବିଧାନସଭା ନିର୍ବାଚନରେ ମହାରାଷ୍ଟ୍ରରେ ଜନମତ ଏଭଳି ମୋଡି ହୋଇଗଲା କାହିଁକି (?), କଂଗ୍ରେସ ତାହାର ସମୀକ୍ଷା କରିବ ବୋଲି ରାହୁଲ ଗାନ୍ଧୀ ଘୋଷଣା କରିଛନ୍ତି । ୨୦୨୪ ନଭେମ୍ବର ନିର୍ବାଚନରେ କଂଗ୍ରେସ ପାଇଁ ଏକମାତ୍ର ସୁଖଦ ଖବର ହୋଇଛି, କେରଳର ୱାଏନାଡ ଲୋକସଭା ଉପ ନିର୍ବାଚନରେ ଏଆଇସିସି ସାଧାରଣ ସଂପାଦକ ତଥା ଗାନ୍ଧୀ ପରିବାର ସଦସ୍ୟା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିପୁଳ ବିଜୟ । ପ୍ରିୟଙ୍କା ୱାଏନାଡ ଲୋକସଭା ଉପ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ଥିଲେ । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବାମ ଗଣତାନ୍ତ୍ରିକ ମେଂଟ (ଏଲଡିଏଫ) ପ୍ରାର୍ଥୀ ସିପିଆଇର ବରିଷ୍ଠ ନେତା ସତ୍ୟନ ମୋକେରୀଙ୍କୁ ଚାରି ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । ସତ୍ୟନ ମୋକେରୀଙ୍କୁ ୨.୧ ଲକ୍ଷ ଭୋଟ ମିଳିଥିବା ବେଳେ ପ୍ରିୟଙ୍କାଙ୍କୁ ୦୬ ଲକ୍ଷରୁ ଅଧିକ ଭୋଟ ମିଳିଛି । ଉପ ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଥିବା ବିଜେପିର ନବ୍ୟା ହରିଦାଶ ମାତ୍ର ୧୧.୪ ପ୍ରତିଶତ ଭୋଟ ପାଇଁ ତୃତୀୟ ସ୍ଥନରେ ରହିଛନ୍ତି । ୨୦୨୪ ଜୁନ ଲୋକସଭା ନିର୍ବାଚରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେରଳର ୱାଏନାଡ ଓ ୟୁପିର ରାଏବରେଲୀ ଆସନରୁ ବିଜୟୀ ହୋଇଥିଲେ । ତେବେ, ନିର୍ବାଚିତ ହେବା ପରେ ସେ ୱାଇନାଡକୁ ପରିତ୍ୟାଗ କରି ରାଏବରିଲୀରୁ ସାଂସଦ ଅଛନ୍ତି । ତାଙ୍କ ଇସ୍ତଫା ଯୋଗୁଁ ହୋଇଥିବା ଉପ ନିର୍ବାଚନରେ ଭଉଣୀ ପ୍ରିୟଙ୍କାଙ୍କ ବିଜୟ ହୋଇଛି । ତାହା ମଧ୍ୟ ରାହୁଲଙ୍କ ଗତ ଜୁନ ବିଜୟ ବ୍ୟବଧାନଠାରୁ ୫୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ । ଆଗାମୀ ଦିନରେ ପ୍ରିୟଙ୍କା ମା’ ସୋନିଆ ଗାନ୍ଧୀ ଓ ଭାଇ ରାହୁଲ ଗାନ୍ଧୀଙ୍କ ସହ ସଂସଦରେ ଦେଖିବାକୁ ମିଳିବେ – ଏହା ପ୍ରିୟଙ୍କାଙ୍କ ବିଜୟ ପରେ ନିଶ୍ଚିତ ହୋଇଯାଇଛି । ନଭେମ୍ବରରେ ହୋଇଥିବା ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ‘ଇଣ୍ଡି’ ମେଂଟର ପୁନର୍ବିଜୟ ମଧ୍ୟ କଂଗ୍ରେସର ସଫଳତା କୁହାଯାଇପାରେ । ତେବେ, ଝାଡଖଣ୍ଡ ବିଜୟର ଶ୍ରେୟ ସଂପୂର୍ଣ୍ଣ ଭାବେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ତାଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ଯାଉଛି । ୮୧ ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)କୁ ୩୪ ଆସନ ମିଳିଥିବା ବେଳେ ‘ଇଣ୍ଡି’ ମେଂଟର ସହଯୋଗୀ ଦଳ କଂଗ୍ରେସକୁ ୧୬, ଆରଜେଡ଼ିକୁ ୦୪ ଏବଂ ସିପିଆଇ (ଏମଏଲ) ୦୨ ଆସନ ମିଳିିଛି । ‘ଇଣ୍ଡି’ ମେଂଟକୁ ମୋଟ ୫୬ ଆସନ ମିଳିଥିବା ବେଳେ ଏନଡିଏରେ ଥିବା ବିଜେପିକୁ ୨୧, ଜେଡି-ୟୁକୁ ଗୋଟିଏ, ଏଲଜେପି-ଆରଭିକୁ ଗୋଟିଏ, ଏଜେଏସୟୁକୁ ଗୋଟିଏ ଓ ଜେଏଲକେଏମକୁ ଗୋଟିଏ ଆସନ ମିଳିଛି । ୨୦୧୯ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଜେଏମଏମ ୩୦, ବିଜେପି ୨୫, କଂଗ୍ରେସ ୧୬, ଆରଜେଡ଼ି, ଏନସିପି, ସିପିଆଇଏମ (ଏଲଏଲ) ଗୋଟିଏ ଲେଖାଏଁ, ଏଜେଏସୟୁ ଦୁଇଟି ଜେଭିଏମ (ପି) ତିନିଟି ଓ ସ୍ୱାଧୀନ ଦୁଇଟି ଆସନରେ ବିଜୟୀ ହୋଇଥିଲେ । ରାଜ୍ୟରେ ଗତ ପାଂଚ ବର୍ଷ ଧରି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନେତୃତ୍ୱରେ ଜେଏମଏମ-କଂଗ୍ରେସ ମେଂଟ ସରକାର ଚାଲିଥିଲା । ୨୦୨୪ ନିର୍ବାଚନରେ ଜେଏମଏମ ରାଜ୍ୟ ବିଧାନସଭାରେ ତାହାର ବିଧାୟକ ସଂଖ୍ୟା ୩୦ରୁ ୩୪କୁ ବଢାଇ ଥିବା ବେଳେ କଂଗ୍ରେସର ବିଧାୟକ ସଂଖ୍ୟା ୧୬ରେ ରହିଛି । ଆରଜେଡ଼ି ତାହାର ବିଧାୟକ ସଂଖ୍ୟା ୦୧ରୁ ୦୪କୁ ଓ ସିପିଆଇଏମଏଲ ୦୧ରୁ ୦୨କୁ ବୃଦ୍ଧି କରିଛି । ଝାଡଖଣ୍ଡରେ ‘ଇଣ୍ଡି’ ମେଂଟ ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କଠାରୁ ଆରମ୍ଭ କରି ଏନଡିଏ ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ସେମାନଙ୍କ ଶକ୍ତି ଲଗାଇ ଥିଲେ । ‘ବଟେଙ୍ଗେ ତୋ କେଟେଙ୍ଗେ, ଏକ୍ ହୋ ତୋ ସେଫ୍ ହୋ..’ ଭଳି ସ୍ଲାଗାନ ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ପ୍ରଭାବିତ କଲା ସିନା ଆଦିବାସୀ ବହୁଳ ଝାଡଖଣ୍ଡକୁ ଛୁଇଁ ପାରି ନାହିଁ । ଝାଡଖଣ୍ଡରେ କେଉଁଠି ତୃଟି ରହିଲା ତାହାର ସମୀକ୍ଷା କରାଯିବ ବୋଲି ନିର୍ବାଚନ ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୟାନରୁ ଝାଡଖଣ୍ଡ ବିଫଳତାକୁ ବିଜେପି ଗୁରୁତ୍ୱ ଦେଉଥିବା ସ୍ପଷ୍ଟ ହେଉଛି । ଚଳିତ ନଭେମ୍ବର ୨୦ ତାରିଖରେ ୟୁପିରେ ୦୯ଟି ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନରେ ଉପ ନିର୍ବାଚନ ହୋଇଥିବା ବେଳେ କଂଗ୍ରେସକୁ ପ୍ରାର୍ଥୀ ଦେବାରୁ ଏସପି (ସମାଜବାଦୀ ପାର୍ଟି) ସୁଯୋଗ ଦେଇନଥିଲା । ନଅଟି ବିଧାନସଭା ଉପ ନିର୍ବାଚନରୁ ସାତଟିରେ ବିଜେପିର ବିଜୟ ହୋଇଥିବା ବେଳେ ମାତ୍ର ଦୁଇଟିରେ ସମାଜବାଦୀ ପାର୍ଟି ବିଜୟୀ ହୋଇଛି । ସମାଜବାଦୀ ପାର୍ଟି ‘ଇଣ୍ଡି’ ମେଂଟରେ ଥାଇ କଂଗ୍ରେସକୁ ବିଶ୍ୱାସକୁ ନ ନେବା ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ଥିଲା । ୟୁପି ହେଉଛି ଭାରତୀୟ ରାଜନୀତିର ପ୍ରବେଶ ଦ୍ୱାର । ରାଜ୍ୟରେ ସର୍ବାଧିକ ୮୦ ଲୋକସଭା ଆସନରେ ରହିଛି । କଂଗ୍ରେସ ସେଠି ବିଧାନସଭା ଉପ ନିର୍ବାଚନ ଲଢିବାକୁ ଗୋଟିଏ ମଧ୍ୟ ଆସନକୁ ପ୍ରାର୍ଥୀ ଦେଇନପାରିବା ସମାଲୋଚନାର ବିଷୟ ହୋଇଥିବା ବେଳେ ମହାରାଷ୍ଟ୍ର ପରାଜୟ ଦେଶର ଏହି ପ୍ରମୁଖ ବିରୋଧୀ ଜାତୀୟ ରାଜନୈତିକ ଦଳର ଭାବମୂର୍ତ୍ତୀ କ୍ଷୁର୍ଣ୍ଣ କରିବାକୁ ଯଥେଷ୍ଟ । ୨୦୨୫ ଫେବୃୟାରୀ ପୂର୍ବରୁ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ସେଠି ବିଜେପି, କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଅଛନ୍ତି । ‘ଆପ୍’ ‘ଇଣ୍ଡି’ ମେଂଟର ସହଯୋଗୀ ଦଳ ହୋଇଥିଲେ ମଧ୍ୟ ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ‘ଆପ୍’ ସହ ଆସନ ବୁଝାମଣା ପାଇଁ ରାଜି ହୋଇନଥିଲା ଏବଂ ‘ଆପ୍’ ଏକାକୀ ନିର୍ବାଚନ ଲଢିଥିଲା । ଦିଲ୍ଲୀରେ ‘ଆପ୍’ ଶାସନରେ ଅଛି । ମହାରାଷ୍ଟ୍ର ନିର୍ବାଚନରେ କଂଗ୍ରେସର ଦୟନୀୟ ଅବସ୍ଥା ଦେଖିବା ପରେ ଫେବୃୟାରୀରେ ହେବାକୁ ଥିବା ଦିଲ୍ଲୀ ନିର୍ବାଚନରେ ‘ଆପ୍’ କଂଗ୍ରେସକୁ କେତେଦୂର ଗୁରୁତ୍ୱ ଦେବ, ତାହା ଆଜି ବଡ ପ୍ରଶ୍ନ ହୋଇଛି ।
– ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS