ମହାରାଷ୍ଟ୍ରରେ ‘ମହାୟୁତି’ ଓ ଝାଡଖଣ୍ଡରେ ‘ଇଣ୍ଡି’ ମେଂଟ


ପ୍ରସାଦ ରାଓ
ନଭେମ୍ବର ୨୩
ଆଜି ଭୋଟ ଗଣତି ସହ ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଆସି ଯାଇଛି । ମହାରାଷ୍ଟ୍ରରେ ବିଜେପି-ଶିବସେନା-ଏନସିପି ମେଂଟ ବା ‘ମହାୟୁତି’ ପୂର୍ଣ୍ଣ ବହୁମତରେ ସରକାର କରିବାକୁ ଯାଉଥିବା ବେଳେ ଝାଡଖଣ୍ଡ ମତଦାତା ‘ଇଣ୍ଡି’ ମେଂଟକୁ ପୂର୍ଣ୍ଣ ବହୁମତ ଦେଇ ହେମନ୍ତ ସୋରେନଙ୍କୁ ଲଗାତର ଦ୍ୱିତୀୟ ଥର ପାଇଁ ସରକାର କରିବାକୁ ସୁଯୋଗ ଦେଇଛନ୍ତି । ୨୦୧୯ ବିଧାନସଭା ନିର୍ବାଚନରେ ମହାରାଷ୍ଟ୍ରରେ ବିଜେପି ୨୮୮ରୁ ୧୦୫ ଆସନରେ ବିଜୟୀ ହୋଇ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିଲା । ୨୦୨୪ ନିର୍ବାଚନରେ ମଧ୍ୟ ଦଳ ତାହାଠାରୁ ବହୁ ଅଧିକ ଆସନରେ ବିଜୟୀ ହୋଇ ଏକକ ସଂଖ୍ୟାଗରିଷ୍ଠ ଦଳ ହେବାକୁ ଯାଉଥିବା ବେଳେ ‘ମହାୟୁତି’ରେ ଥିବା ଶିବସେନା ଓ ଏନସିପି ମଧ୍ୟ ଆଶାତୀତ ଜନସମର୍ଥନ ପାଇଛନ୍ତି । ଅନ୍ୟପକ୍ଷରେ, ବିରୋଧୀ ମହା ବିକାଶ ଅଘାଡି (ଏମଭିଏ)ରେ ଥିବା କଂଗ୍ରେସ, ଶିବସେନା (ୟୁବିଟି) ଓ ଏନସିପି (ଶରଦଚନ୍ଦ୍ର ପାୱାର) ଦୟନୀୟ ସ୍ଥିତିରେ ରହିଛି । ମହାରାଷ୍ଟ୍ରରେ ୨୦୨୨ରେ ଶିବସେନା ଓ ୨୦୨୩ରେ ଏନସିପିରେ ବିଭାଜନ ପରେ ପ୍ରକୃତ ଶିବସେନା କିଏ (?) ଓ ପ୍ରକୃତ ଏନସିପି କିଏ (?) – ସେନେଇ ଯଥାକ୍ରମେ ଉଦ୍ଧବ ଠାକରେ ଶିବସେନା ବନାମ ଏକନାଥ ସିନ୍ଧେ ଶିବସେନା ମଧ୍ୟରେ ଏବଂ ଶରଦଚନ୍ଦ୍ର ପାୱାର ଏନସିପି ଓ ଅଜିତ ପାୱାର ଏନସିପି ମଧ୍ୟରେ ଆଇନଗତ ଲଢେଇ ସୁପ୍ରିମ କୋର୍ଟ ସାମ୍ବିଧାନିକ ବେଂଚରେ ବିଚାରାଧୀନ ଥିବା ବେଳେ ବିଧାନସଭା ନିର୍ବାଚନରେ ଜନମତ ସିନ୍ଧେ ଓ ଅଜିତ ପାୱାରଙ୍କ ସପକ୍ଷରେ ଯାଇଛି । ଅପରପକ୍ଷରେ, ବିଧାନସଭା ନିର୍ବାଚନରେ ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାୱାରଙ୍କ ଏନସିପିର ଯାହା ସ୍ଥିତି ହୋଇଛି ମହାରାଷ୍ଟ୍ରରେ ଆଗାମୀ ଦିନରେ ବିରୋଧୀ ମେଂଟ ଏମଭିଏର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସ ଏମଭିଏର ପ୍ରମୁଖ ଅଂଶୀଦାର ଭାବେ ସର୍ବାଧିକ ୧୦୧ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଉଦ୍ଧବ ଠାକରେଙ୍କ ଶିବସେନା ୯୫ ଓ ଶରଦ ପାୱାରଙ୍କ ଏନସିପି ୮୬ ଆସନରେ ପ୍ରାର୍ଥୀ ଦେଇଥିଲେ । ତେବେ, ମିଳିତ ଭାବେ ଏହି ମେଂଟ ଅପରାହ୍ନ ସୁଦ୍ଧା ମାତ୍ର ୫୩ ଆସନରେ ଅଗ୍ରଣୀ ରହିଥିବା ବେଳେ ‘ମହାୟୁତି’ ୨୩୦ ଆସନରେ ଅଗ୍ରଣୀ ରହିଛି ଏବଂ କଂଗ୍ରେସ ନେତୃତ୍ୱାଧୀନ ଏମଭିଏ ମେଂଟକୁ ଧୂଳି ଚଟାଇଛି । ରାଜ୍ୟରେ ସରକାର ଗଠନ ପାଇଁ ୧୪୫ ବିଧାୟକ ଆବଶ୍ୟକ । ବିଜେପି ନେତୃତ୍ୱରେ ମହାରାଷ୍ଟ୍ରରେ ୨୬ ତାରିଖ ପୂର୍ବରୁ ନୂଆ ସରକାର ଶପଥ ନେଉଥିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ନିର୍ବାଚନ ଫଳାଫଳ ଆସୁ ଆସୁ ମହାରାଷ୍ଟ୍ରରେ ବିଜେପିରେ ପ୍ରବଳ ଉତ୍ସାହ ଓ ଉତ୍ସବର ମାହୋଲ ସୃଷ୍ଟି ହୋଇଥିବା ବେଳେ ମହା ବିକାଶ ଅଘାଡି (ଏମଭିଏ)ରେ ଘୋର ନୈରାଶ୍ୟ ଦେଖିବାକୁ ମିଳିଛି । ନିର୍ବାଚନ ପଳାଫଳ ଗ୍ରହଣୀୟ ନୁହେଁ ବୋଲି ଏମଭିଏ ମେଂଟର ନେତାମାନେ ବୟାନ ଦେଉଛନ୍ତି । ଅପରପକ୍ଷରେ, ରାଜ୍ୟରେ ବିଜେପି ସର୍ବାଧିକ ୧୩୦ ଆସନରେ ଅଗ୍ରଣୀ ଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିନ୍ଧେ ସରକାରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାକୁ ତାଙ୍କ ସମର୍ଥକମାନେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ସମ୍ମୁଖରେ ଦାବି ଉପସ୍ଥାପନ କଲେଣି । ୨୦୨୨ ଜୁନରୁ ଶିବସେନାରେ ବିଭାଜନ ପରେ ମହାରାଷ୍ଟ୍ରରେ ଶିବସେନା ନେତା ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ସରକାର ଚାଲିଛି । ସିନ୍ଧେ ବିଜେପି-ଶିବସେନା ସରକାରରେ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ବିଜେପି ନେତା ଫଡନାଭିସ ଉପ ମୁଖ୍ୟମନ୍ତ୍ରୀ ରହିଥିଲେ । ୨୦୨୩ରେ ଅଜିତ ପାୱାର ଏନସିପିରେ ବିଭାଜନ ଘଟାଇ ଦଳର ଏକ ବଡ ଗୋଷ୍ଠୀ ସହ ବିଜେପି-ଶିବସେନା ମେଂଟ ସରକାରରେ ସାମିଲ ହୋଇ ଦ୍ୱିତୀୟ ଉପ ମୁଖ୍ୟମନ୍ତ୍ରୀ ରହି ଥିଲେ । ଏହି ମେଂଟକୁ ‘ମହାୟୁତି’ବା ମହାମେଂଟ କୁହାଯାଉଥିଲା । ମହାୟୁତି ମୁଖ୍ୟମନ୍ତ୍ରୀ ସିନ୍ଧେଙ୍କ ନେତୃତ୍ୱରେ ୨୦୨୪ ନିର୍ବାଚନ ଲଢୁଛି ବୋଲି ନିର୍ବାଚନର ପ୍ରାରମ୍ଭରେ ବିଜେପି ଘୋଷଣା କରିଥିଲେ ମଧ୍ୟ ନିର୍ବାଚନ ଫଳାଫଳକୁ ଅପେକ୍ଷା କରିଥିଲେ । ୨୦୧୯ ତୁଳନାରେ ୨୦୨୪ ନିର୍ବାଚନରେ ବିଜେପିକୁ ଅଧିକ ୨୫ ମିଳୁଥିବା ଦେଖି ମୁଖ୍ୟମନ୍ତ୍ରୀ ସିନ୍ଧେଙ୍କ ଶିବିରରେ ନିରାଶା ଦେଖା ଦେଇଛି । ସିନଧେଙ୍କ ରାଜନୈତିକ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ଚାଲି ଥିବା ବେଳେ ୨୦୨୪ରେ ମଧ୍ୟ ସିନ୍ଧେ ମୁଖ୍ୟମନ୍ତ୍ରୀ ରହିବେ କି ବିଜେପିରୁ କେହି ଜଣେ ମୁଖ୍ୟମନ୍ତ୍ରୀ ହେବେ ତାହା ‘ମହାୟୁତି’ର ନବ ନିର୍ବାଚିତ ବିଧାୟକ ଏବଂ ବିଜେପି କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେବେ ବୋଲି ମହାରାଷ୍ଟ୍ର ବିଜେପି ପକ୍ଷରୁ କୁହାଯାଇଛି । ତଥାପି, ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ହେଉଥିବା ସମ୍ଭାବନା ଅଧିକ ଥିବା ବିଜେପି ନେତା ଓ କର୍ମୀମାନେ ଦାବି କରୁଛନ୍ତି । ଅପରପକ୍ଷରେ, ଝାଡଖଣ୍ଡରେ ବିଜେପିର ସମସ୍ତ ରାଜନୈତିକ ଖେଳକୁ ‘ଇଣ୍ଡି’ ମେଂଟ ବିଗାଡି ଦେଇଥିବା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେଉଛି । ୮୧ ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ଜେଏମଏମ (ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା)-କଂଗ୍ରେସ ମେଂଟ ବା ‘ଇଣ୍ଡି’ ମେଂଟ ଅପରହ୍ନ ସୁଦ୍ଧା ୫୫ ଆସନରେ ଅଗ୍ରଣୀ ଥିବା ବେଳେ ବିଜେପି ନେତୃତ୍ୱାଧୀନ ଏନଡିଏ ୨୫ ଓ ଅନ୍ୟମାନେ ଗୋଟିଏ ଆସନରେ ଅଗ୍ରଣୀ ଅଛନ୍ତି । ଏହି ଆଦିବାସୀ ବହୁଳ ରାଜ୍ୟର ଭୋଟ ଏକପାଖିଆ ‘ଇଣ୍ଡି’ ମେଂଟ ସପକ୍ଷରେ ଯାଇଥିବା ସ୍ପଷ୍ଟ ସୂଚନା ମିଳୁଛି । ୨୦୨୪ ଲୋକସଭା ନିର୍ବାଚନର କିଛି ମାସ ଆଗରୁ କେନ୍ଦ୍ର ସରକାରଙ୍କ ଅପରାଧ ତଦନ୍ତକାରୀ ସଂସ୍ଥାମାନେ ରାଂଚିର ଏକ କଥିତ ଜମି ଦୁର୍ନୀତି ମାମଲାରେ ଜେଏମଏମ ନେତା ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରି ଜେଲରେ ପୁରାଇ ଥିଲେ । ଲୋକସଭା ନିର୍ବାଚନରେ ତାହାର ପ୍ରଭାବ ଦେଖିବାକୁ ମିଳିଥିଲା । ରାଜ୍ୟର ଅଧିକାଂଶ ଆଦିବାସୀ ମତଦାତା ବିଜେପି ବିରୋଧରେ ବା ‘ଇଣ୍ଡି’ ମେଂଟ ସପକ୍ଷରେ ଭୋଟ ଦେଇ ସେମାନଙ୍କ ଅସନ୍ତୋଷ ଜାହିର କରିଥିଲେ । ଜେଲ ଯିବା ସମୟରେ ହେମନ୍ତ ସୋରେନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ଦଳର ବରିଷ୍ଠ ନେତା ଚଂପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ । ଲୋକସଭା ନିର୍ବାଚନ ପରେ ହେମନ୍ତ ହାଇକୋର୍ଟରୁ ଜାମିନ ପାଇ ବାହାରକୁ ଆସିବା ପରେ ଚଂପାଇ ସୋରେନଙ୍କୁ ହଟାଇ ପୁନର୍ବାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଚଂପାଇ ତାଙ୍କ ପ୍ରତି ଅନ୍ୟାୟ ହୋଇଥିବା ଦର୍ଶାଇ ବିଧାନସଭା ନିର୍ବାଚନ ପୂର୍ବରୁ ଜେଏମଏମରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ । ଚଂପାଇଙ୍କ ଅଭିଜ୍ଞତା ଓ ଆଦିବାସୀ ମତଦାତାଙ୍କ ଉପରେ ଥିବା ପ୍ରଭାବକୁ ନିଜ ପକ୍ଷରେ ବ୍ୟବହାର କରିବାକୁ ବିଜେପି ପୂର୍ଣ୍ଣ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନାହିଁ । ୨୦୧୯ ବିଧାନସଭା ନିର୍ବାଚନରେ ଝାଡଖଣ୍ଡ ମତଦାତା ଜେଏମଏମକୁ ୩୦, କଂଗ୍ରେସକୁ ୧୬, ଆରଜେଡିକୁ ଗୋଟିଏ ଆସନରୁ ବିଜୟୀ କରାଇ ରାଜ୍ୟରେ ସରକାର କରିବାକୁ ସୁଯୋଗ ଦେଇଥିଲେ । ବିଜେପି ୨୫ ଆସନରେ ଜିତିଥିଲା । ୨୦୨୪ ବିଧାନସଭା ନିର୍ବାଚନରେ ଜେଏମଏମ ଓ କଂଗ୍ରେସ ଅଂଶୀଦାର ଥିବା ‘ଇଣ୍ଡି’ ମେଂଟ ୫୫ ଆସନରେ ଅଗ୍ରଣୀ ଥିବା ବେଳେ ବିଜେପିରେ ସୀମିତ ରହିଛି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନେତୃତ୍ୱରେ ପୂର୍ଣ୍ଣ ବହୁମତ ଥିବା ଜେଏମଏମ ସରକାର ପ୍ରତିଷ୍ଠା ହେବା ନିଶ୍ଚିତ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ନିରାଶ କରିଥିବା ବେଳେ ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ସଂଜୀବନୀ ସଦୃଶ କାର୍ଯ୍ୟ କରିବ ବୋଲି ନିର୍ବାଚନ ଫଳାଫଳ ଆସିବା ପରେ ଦେଶରେ ଚର୍ଚ୍ଚା ହେଉଛି । ତେବେ, ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମ ବିଜେପିର ମହାରାଷ୍ଟ୍ର ବିଜୟକୁ ଯେଭଳି ଗୁରୁତ୍ୱ ଦେଇ ପ୍ରସାରଣ କରୁଛନ୍ତି ଝାଡଖଣ୍ଡରେ ‘ଇଣ୍ଡି’ ମେଂଟର ବିଜୟକୁ ସେଭଳି ଗୁରୁତ୍ୱ ଦେଇ ପ୍ରସାରଣ କରୁନଥିବା ହିଁ ଗଣମାଧ୍ୟମର ନିରପେକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
– ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS