ମହାରାଷ୍ଟ୍ର: ମୁଖ୍ୟମନ୍ତ୍ରୀ ଆଶାୟୀଙ୍କ ମଧ୍ୟରେ ଉଦ୍ଧବ, ଅଜିତ ଓ ନାନା ପଟୋଲେ !


ପ୍ରସାଦ ରାଓ
ନଭେମ୍ବର ୨୨
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଆସନ୍ତା କାଲି ପ୍ରକାଶ ପାଇବ । ବିଭିନ୍ନ ଏକଜିଟ୍ ପୋଲ୍ ସଂସ୍ଥାର ପୂର୍ବାନୁମାନ କେତେଦୂର ବାସ୍ତବ ହେଉଛି, ତାହା କାଲି ଅପରାହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯିବ । ଅଧିକାଂଶ ଏକଜିଟ୍ ପୋଲ୍ ‘ମହାୟୁତି’ ସପକ୍ଷରେ ପୂର୍ବାନୁମାନ କରିଥିବା ବେଳେ ଗୋଟିଏ, ଦୁଇଟି ସଂସ୍ଥା ‘ମହା ବିକାଶ ଅଘାଡି’ ସରକାର କରିପାରେ ବୋଲି ପୂର୍ବନୁମାନ କରିଛନ୍ତି । ଏକଜିଟ୍ ପୋଲ୍ ସଂସ୍ଥାଙ୍କ ପୂର୍ବାନୁମାନ ଅନେକ ସମୟରେ ବାସ୍ତବତାଠାରୁ ବହୁ ଦୂରରେ – ତାହା ଗତ ଲୋକସଭା ଓ ହରିୟାଣା ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଛି । ତେଣୁ, ଫଳାଫଳକୁ ନେଇ ଦୁଇ ମେଂଟ ନିଶ୍ଚିତ ନୁହନ୍ତି । ୨୦ ତାରିଖ ବିଳମ୍ବିତ ସନ୍ଧ୍ୟାରୁ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ସମ୍ଭାବ୍ୟ ଫଳାଫଳକୁ ନେଇ ବିତର୍କ ଚାଲିଥିଲେ ମଧ୍ୟ ଏକଜିଟ୍ ପୋଲ୍ ପୂର୍ବାନୁମାନକୁ କେହି ପଣା ଭାବି ପିଇ ପାରୁ ନାହାନ୍ତି କି ପାଣି ଭାବି ଫିଙ୍ଗି ପାରୁ ନାହାନ୍ତି । ସମସ୍ତେ ଅପେକ୍ଷା କରିଛନ୍ତି କାଲି ସକାଳକୁ । ଭୋଟ ବାକ୍ସ ଖୋଲିବ, ଭୋଟ ଗଣତି ଆରମ୍ଭ ହେବ ଏବଂ ଧୀରେ ଧୀରେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବ । ‘ମହାୟୁତି’ ନା ‘ମହା ବିକାଶ ଅଘାଡି’ (?) – ତାହା ସନ୍ଧ୍ୟା ପୂର୍ବରୁ ସ୍ପଷ୍ଟ ହୋଇଯିବ । ଜନତା କାଲିକୁ ଅପେକ୍ଷା କରିଥିବା ବେଳେ ଦୁଇ ମେଂଟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଛକାପଂଝା ଆରମ୍ଭ ହୋଇ ଗଲାଣି । ମହାରାଷ୍ଟ୍ରରେ ସଂପ୍ରତ୍ତି ବିଜେପି-ଶିବସେନା-ଏନସିପିର ମେଂଟ ବା ମହାୟୁତି ସରକାର ଚାଲିଛି । ଶିବସେନା ନେତା ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ଥିବା ବେଳେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଓ ଏନସିପି ନେତା ଅଜିତ ପାୱାର ସରକାରରେ ଦୁଇ ଉପ ମୁଖ୍ୟମନ୍ତ୍ରୀ ଅଛନ୍ତି । ୨୦୨୪ ବିଧାନସଭା ନିର୍ବାଚନରେ ‘ମହାୟୁତି’ ଓ ‘ମହା ବିକାଶ ଅଘାଡି’ ମଧ୍ୟରେ ମୁହାଁମୁହିଁ ପ୍ରତିଦ୍ୱନ୍ଦ୍ୱିତା ହୋଇଥିବାରୁ ‘ମହାୟୁତି’ କ୍ଷମତାକୁ ଆସିଲେ ଶିବସେନା ନେତା ସିନ୍ଧେ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ ନା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ପଦର ଦାବିଦାର ହେବେ (?) – ତାହାକୁ ନେଇ ଦୁଇ ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ବିତର୍କ ଆରମ୍ଭ ହୋଇଗଲାଣି । ମହାୟୁତିରେ ଅଂଶୀଦାର ଥିବା ଏନସିପି ନେତା ଅଜିତ ପାୱାର ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ଅଛନ୍ତି ବୋଲି ତାଙ୍କ ସମର୍ଥକମାନେ ପୁନେରେ ପୋଷ୍ଟର ଲଗାଇ ଥିଲେ । ତେବେ, ପରେ ତାହା କାଢି ନିଆଯାଇଥିବା ଜଣାପଡିଛି । ‘ମହାୟୁତି’ରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଏହି ତିନି ପ୍ରମୁଖ ନେତା ଦାବିଦାର ଥିବା ବେଳେ ନିର୍ବାଚନ ଫଳାଫଳ ଆସିବା ପରେ ‘ମହାୟୁତି’ ବିଧାୟକଙ୍କ ବୈଠକ ବସି କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ନିର୍ଣ୍ଣୟ କରାଯିବ ବୋଲି ‘ମହାୟୁତି’ ପକ୍ଷରୁ କୁହାଯାଇଛି । ଅପରପକ୍ଷରେ, ରାଜ୍ୟରେ ‘ମହାୟୁତି’କୁ ବହୁମତ ମିଳିବ ବୋଲି ବିଭିନ୍ନ ଏକଜିଟ୍ ପୋଲ୍ କରିଥିବା ପୂର୍ବାନୁମାନକୁ ‘ମହା ବିକାଶ ଅଘାଡି’ ନେତୃବର୍ଗ ‘ଫମ୍ପା’ କଥା କହି ନକାରି ଦେଇଛନ୍ତି । କଂଗ୍ରେସ, ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଓ ଏନସିପି (ଶରଦଚନ୍ଦ୍ର ପାୱାର)କୁ ଗଠିତ ମହା ବିକାଶ ଅଘାଡି ରାଜ୍ୟରେ ସରକାର କରିବାକୁ ଯାଉଛି ବୋଲି ସେମାନେ ଦୃଢତାର ସହ କହିଛନ୍ତି । ମୁଖ୍ୟମନ୍ତ୍ରୀ ପଦ ପାଇଁ ମହା ବିକାଶ ଅଘାଡି (ଏମଭିଏ)ରେ ନିର୍ବାଚନ ପୂର୍ବରୁ ଛକାପଂଝା ଆରମ୍ଭ ହୋଇସାରିଛି । ଶିବସେନା (ୟୁବିଟି) ମୁଖ୍ୟ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତାଙ୍କୁ ଏମଭିଏ ‘ମୁଖ୍ୟମନ୍ତ୍ରୀ ମୁହଁ’ କରି ନିର୍ବାଚନ ଲଢିବା ପ୍ରାରମ୍ଭରୁ ଚାହୁଁଥିଲେ ମଧ୍ୟ ଏନସିପି (ଏସପି) ମୁଖ୍ୟ ଶରଦ ପାୱାର ତାହାକୁ ଟାଳି ଦେଇଥିଲେ । ନିର୍ବାଚନ ଫଳାଫଳ ଆସିଲେ ଏମଭିଏ ବିଧାୟକ ଦଳ ବୈଠକ ବସିବ ଏବଂ ଯେଉଁ ଦଳରୁ ସଂଖ୍ୟାଧିକ ବିଧାୟକ ନିର୍ବାଚିତ ହୋଇଥିବେ ସେହି ଦଳରୁ ଏମଭିଏର ମୁଖ୍ୟମନ୍ତ୍ରୀ ଚୟନ ହେବ ବୋଲି ଶରଦ ପାୱାର ସ୍ପଷ୍ଟ କରିଥିଲେ । ତଥାପି, ଉଦ୍ଧବ ଠାକରେ ଏମଭିଏ ସରକାରରେ ମୁଖ୍ୟମନ୍ତ୍ରୀ ହେବା ପାଇଁ ପ୍ରଥମ ଦାବିଦାର ରହିଛନ୍ତି । ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ମହାରାଷ୍ଟ୍ର କଂଗ୍ରେସ ନେତା ନାନା ପଟୋଲେ ଗଣମାଧ୍ୟମରେ ଦେଇଥିବା ଏକ ବୟାନ ଏବେ ବିବାଦୀୟ ହୋଇଛି । ରାଜ୍ୟରେ ଏମଭିଏକୁ ବହୁମତ ମିଳିବ ଏବଂ କଂଗ୍ରେସ ନେତୃତ୍ୱରେ ସରକାର ପ୍ରତିଷ୍ଠା ହେବ ବୋଲି ନାନା ପଟୋଲେ କହିଥିବା ବେଳେ ଏହା ପଛରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରଙ୍କ ସହମତି ରହିଛି କି (?) ବୋଲି ଶିବସେନା (ୟୁବିଟି) ନେତା ସଂଜୟ ରାଉତ ପ୍ରଶ୍ନ କରିଛନ୍ତି । ଯଦି ସେମାନଙ୍କ ସହମତି ରହିଛି ସେମାନେ ଆଗୁଆ ଘୋଷଣା କରନ୍ତୁ ବୋଲି ସଂଜୟ ଆହ୍ୱାନ ଦେଇଛନ୍ତି । ଆସନ୍ତା କାଲି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଉ ପାଉ ଏମଭିଏ ବିଧାୟକମାନଙ୍କୁ ଗୋଟିଏ ଛାତ ତଳେ ଏକାଠି ରଖାଯିବ । ଏହାଦ୍ୱାରା ସରକାର ଗଠନ ପାଇଁ ‘ଘୋଡାବେପାର’ ଆଶଙ୍କାକୁ ଏଡାଇ ହେବ ବୋଲି ରାଉତ କହିଛନ୍ତି । ମହାରାଷ୍ଟ୍ରରେ ୨୦ ତାରିଖରେ ହୋଇଥିବା ବିଧାନସଭା ଭୋଟରେ ୬୬.୦୫ ପ୍ରତିଶତ ମତଦାତା ସେମାନଙ୍କ ମତଦାନ କରିଛନ୍ତି । ମୁମ୍ବାଇ ସହରରେ ମତଦାନ ହାର ରହିଛି ୫୨.୬୫ । ସର୍ବାଧିକ ମତଦାନ ହୋଇଛି ଗଡଚିରୋଲିରେ । ଏହି ନିର୍ବାଚନରେ ‘ମହାୟୁତି’ରେ ଥିବା ବିଜେପି ସର୍ବାଧିକ ୧୪୯ (୨୮୮ରୁ) ପ୍ରାର୍ଥୀ ଦେଇଥିବା ବେଳେ ଶିବସେନା (ସିନ୍ଧେ) ଗେଷ୍ଠୀ ୮୧ ଓ ଏନସିପି (ଅଜିତ ପାୱାର) ୫୯ ଆସନରୁ ପ୍ରାର୍ଥୀ ଦେଇଛି । ସେହିଭଳି, ଏମଭିଏ (ମହା ବିକାଶ ଅଘାଡି)ରେ ଥିବା କଂଗ୍ରେସ ସର୍ବାଧିକ ୧୦୧ ଆସନରୁ ପ୍ରାର୍ଥୀ ଦେଇଥିବା ବେଳେ ଶିବସେନା (ୟୁବିଟି) ୯୫ ଓ ଏନସିପି (ଏସପି) ୮୬ ଆସନରୁ ପ୍ରାର୍ଥୀ ଦେଇଛି । କାଲି ମହାରାଷ୍ଟ୍ର ବିଧାନସଭା ସହ ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ମଧ୍ୟ ପ୍ରକାଶ ପାଇବ । ଝାଡଖଣ୍ଡର ମୋଟ ୮୧ ବିଧାନସଭା ଆସନ ପାଇଁ ନଭେମ୍ବର ୧୩ ଓ ୨୦ ତାରିଖରେ ଦୁଇ ପର୍ଯ୍ୟାୟରେ ମତଦାନ ସରିଛି । ଝାଡଖଣ୍ଡ ନିର୍ବାଚନରେ ମୁଖ୍ୟତଃ କଂଗ୍ରେସ-ଜେଏମଏମ (ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା) ସାମିଲ ଥିବା ‘ଇଣ୍ଡି’ ମେଂଟ ଓ ବିଜେପି ନେତୃତ୍ୱାଧୀନ ଏନଡିଏ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଛି । ଝାଡଖଣ୍ଡରେ ମଧ୍ୟ ଏନଡିଏ ସରକାର ପ୍ରତିଷ୍ଠା ହେବ ବୋଲି ଅଧିକାଂଶ ଏକଜିଟ୍ ପୋଲ୍ ସଂସ୍ଥା ପୂର୍ବାନୁମାନ କରିଥିବା ବେଳେ ଜେଏମଏମ ଓ କଂଗ୍ରେସ ଏହାକୁ ଅଗ୍ରାହ୍ୟ କରି ମେଂଟ ପୂନର୍ବାର କ୍ଷମତାକୁ ଫେରୁଥିବା ଦାବି କରିଛନ୍ତି । କିଛି ପୂର୍ବାନୁମାନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସପକ୍ଷରେ ମଧ୍ୟ ଯାଇଛି । ମୋଟାମୋଟି ଭାବେ ରାଜ୍ୟରେ ‘ଇଣ୍ଡି’ ମେଂଟ ଓ ଏନଡିଏ ମଧ୍ୟରେ କଡା ଟକ୍କର ହୋଇଥିବା ଏବଂ କଂଗ୍ରେସ ଦଳର ପ୍ରଦର୍ଶନ ଉପରେ ସୋରେନ ସରକାରଙ୍କ ଭବିଷ୍ୟତ ନିର୍ଭର କରୁଥିବା ରାଜନୈତିକ ବିଶ୍ଲେଷକମାନେ କହୁଛନ୍ତି ।
– ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS