ଝାଡଖଣ୍ଡ ନିର୍ବାଚନ ଫଳାଫଳ ଓଡ଼ିଶା ରାଜନୀତିକୁ ପ୍ରଭାବିତ କରିବ ?


ପ୍ରସାଦ ରାଓ
ନଭେମ୍ବର ୨୧
ଝାଡଖଣ୍ଡ ବିଧାନସଭାର ମୋଟ ୮୧ ଆସନ ପାଇଁ ଗତକାଲି ମତଦାନ ସରିଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪୩ ବିଧାନସଭା ଆସନ ପାଇଁ ନଭେମ୍ବର ୧୩ ତାରିଖରେ ମତଦାନ ହୋଇଥିଲା । ଗତକାଲି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟରେ ୩୮ ବିଧାନସଭା ଆସନରେ ମତଦାନ ସରିଛି । ଏହି ୩୮ ବିଧାନସଭା ଆସନରେ ଗତକାଲି ଅପରାହ୍ନ ୩ଟା ସୁଦ୍ଧା ୬୧.୪୭ ପ୍ରତିଶତ ଓ ସନ୍ଧ୍ୟା ୫ଟା ସୁଦ୍ଧା ୬୭.୫୯ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ନଭେମ୍ବର ୧୩ରେ ୪୩ ବିଧାନସଭା ଆସନ ପାଇଁ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରାୟ ୬୬ ପ୍ରତିଶତ ମତଦାନ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଆଦିବାସୀ-ବହୁଳ ଅଂଚଳରେ ମତଦାନ ହୋଇଥିଲା । ଭୋଟରମାନେ ଯେଭଳି ଉତ୍ସାହ ଦେଖାଇ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଇଥିଲେ ତାହା ଶାସକ ଜେଏମଏମ-କଂଗ୍ରେସ ମେଂଟକୁ ସୁହାଇଲା ଭଳି ଥିଲା ବୋଲି ପ୍ରଥମ ପର୍ଯ୍ୟାୟ ମତଦାନ ସରିବା ପରେ ବିଭିନ୍ନ ଆଂଚଳିକ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହୋଇଥିଲା । ଗତକାଲି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ପରେ ବିଭିନ୍ନ ଏକଜିଟ୍ ପୋଲ୍ ସଂସ୍ଥାଙ୍କ ଆନୁମାନିକ ଆକଳନ ଗଣମାଧ୍ୟମରେ ପ୍ରସାରିତ ହେବାରେ ଲାଗିଛି । କିଛି ଏକଜିଟ୍ ପୋଲ୍ ରିପୋର୍ଟ ବିଜେପି ନେତୃତ୍ୱାଧୀନ ଏନଡିଏ ରାଜ୍ୟରେ ସରକାର କରୁଥିବା ଆକଳନ କରିଥିବା ବେଳେ ଗୋଟିଏ, ଦୁଇଟି ଏକଜିଟ୍ ପୋଲ୍ ସଂସ୍ଥା ରାଜ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସରକାର ପ୍ରତ୍ୟାବର୍ତ୍ତନ କରୁଥିବା ଦାବି କରିଛନ୍ତି । ଆଉ କିଛି ଏକଜିଟ୍ ପୋଲ୍ ସଂସ୍ଥା ଜେଏମଏମ (ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା) ଓ କଂଗ୍ରେସ ଦଳ ସାମିଲ ଥିବା ‘ଇଣ୍ଡି’ ମେଂଟ ଓ ବିଜେପି ନେତୃତ୍ୱାଧୀନ ଏନଡିଏ (ଜାତୀୟ ଗଣତାନ୍ତ୍ରିକ ମେଂଟ) ମଧ୍ୟରେ କଡା ଟକ୍କର ହୋଇଥିବା କହୁଛନ୍ତି । ୨୦୨୪ ଲୋକସଭା ଓ ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ବିଭିନ୍ନ ଏକଜିଟ୍ ପୋଲ୍ ସଂସ୍ଥାଙ୍କ ପୂର୍ବାନୁମାନ ଭୁଲ ପ୍ରକାଣିତ ହୋଇଥିବାରୁ ୨୦ ତାରିଖ ସନ୍ଧ୍ୟାରେ ମହାରାଷ୍ଟ୍ର ଓ ଝାଡଖଣ୍ଡରେ ମତଦାନ ସରିବା ପରେ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଏକଜିଟ୍ ପୋଲ୍ ସଂସ୍ଥାଙ୍କ ପୂର୍ବାନୁମାନକୁ କେହି ସହଜରେ ବିଶ୍ୱାସ କରୁନାହାନ୍ତି । ସମସ୍ତଙ୍କ ଅପେକ୍ଷା ରହିଛି ନଭେମ୍ବର ୨୩ ତାରିଖକୁ । ସେହି ଦିନ ଭୋଟ ଗଣତି ହୋଇ ଫଳାଫଳ ମଧ୍ୟ ସାମ୍ନାକୁ ଆସି ଯିବ । ତେଣୁ, ରାଜ୍ୟରେ କେଉଁ ମେଂଟ ଅଗ୍ରଣୀ ରହିବ ଓ ସରକାର କରିବ – ତାହା ସ୍ପଷ୍ଟ ହୋଇଯିବ । ୨୦୨୪ ବିଧାନସଭା ନିର୍ବାଚନରେ ଝାଡଖଣ୍ଡରେ ଉଭୟ ଶାସକ ‘ଇଣ୍ଡି’ ମେଂଟ ଓ ବିରୋଧୀ ଏନଡିଏର ନେତାମାନେ ଯେଭଳି ପରସ୍ପର ବିରୋଧରେ ନିର୍ବାଚନ ପ୍ରଚାର କରି ମତଦାତାଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଉଦ୍ୟମ କରିଛନ୍ତି ଫଳାଫଳ ମଧ୍ୟ ସେଭଳି ସମସ୍ତଙ୍କୁ ଚମକ୍ରୃତ କଲା ଭଳି ହେବ ବୋଲି ରାଜନୈତିକ ବିଶ୍ଲେଷକମାନେ ଅନୁମାନ କରୁଛନ୍ତି । ଜେଏମଏମ ମୁଖ୍ୟ ତଥା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସାନ୍ତାଳପ୍ରଗଣା ଜିଲ୍ଲାର ବାରହାଇତ ବିଧାନସଭା ଆସନରୁ ନିର୍ବାଚନ ଲଢିଥିବା ବେଳେ ତାଙ୍କ ପତ୍ନୀ କଳ୍ପନା ସୋରେନ ଗନେ୍ଦ ବିଧାନସଭା ଆସନରୁ ଲଢିଛନ୍ତି । ଝାଡଖଣ୍ଡ ମତଦାତା ମୁଖ୍ୟମନ୍ତ୍ରୀ ସୋରେନ ଓ ତାଙ୍କ ଜେଏମଏମକୁ ଲଗାତର ଦ୍ୱତୀୟ ଥର ପାଇଁ କ୍ଷମତାକୁ ଆଣିବେ ବୋଲି କଳ୍ପନା ସୋରେନ ଗତକାଲି ଗଣମାଧ୍ୟମରେ ଦୃଢତାର ସହ କହିଛନ୍ତି । ଅପରପକ୍ଷରେ, ଝାଡଖଣ୍ଡର ଜେଏମଏମ-କଂଗ୍ରେସ ସରକାରକୁ କ୍ଷମତାଚ୍ୟୁତ କରିବା ସକାଶେ ବିଜେପି ନେତୃତ୍ୱ ଏହି ନିର୍ବାଚନରେ ସମସ୍ତ କୌଶଳ ପ୍ରୟୋଗ କରିଛି । ସୋରେନଙ୍କ ଶାସନରେ ରାଜ୍ୟରେ କୌଣସି ପ୍ରକାର ବିକାଶ କାର୍ଯ୍ୟ ହୋଇନଥିବା, ରାଜ୍ୟ ସରକାର ବାଂଲାଦେଶୀଙ୍କ ବେଆଇନ ଅନୁପ୍ରବେଶ ଉପରେ ଲଗାମ ଲଗାଇବା ବଦଳରେ ଅନୁପ୍ରବେଶକାରୀଙ୍କ ବିଭିନ୍ନ ସରକାରୀ ସୁବିଧା, ସୁଯୋଗ ଦେଇ ଥଇଥାନ କରିଥିବା, ଏହି ଅନୁ୍ରବେଶକାରୀମାନେ ଆଦିବାସୀଙ୍କ ଜମି, ଜଳ, ଜଂଗଲକୁ ହଡପ କରି ନିଜେ ହୃଷ୍ଟପୃଷ୍ଟ ହୋଇଥିବା ବେଳେ ଆଦିବାସୀ ବହୁଳ ଅଂଚଳରେ ଆଦିବାସୀଙ୍କ ସଂଖ୍ୟା ନିମ୍ନମୁଖୀ ହୋଇଥିବା ବିଜେପି ନେତୃବର୍ଗ ଅଭିଯୋଗ କରିଛନ୍ତି । ବାଂଲାଦେଶୀ ଅନୁପ୍ରବେଶକାରୀ ରାଜ୍ୟରେ ନିଜର ଆସ୍ଥାନ ଦୃଢ କରିବା ପରେ ବିଭିନ୍ନ ଅଂଚଳରେ ଆଦିବାସୀ ଯୁବତୀଙ୍କୁ ବିବାହ କରି ଜମିଜମା ହଡପ କରୁଥିବା ମଧ୍ୟ ବିଜେପି ଆଡୁ ଅଭିଯୋଗ ହୋଇଛି । ରାଜ୍ୟରେ ବିଜେପି ସରକାର କଲେ ଏହି ଅନୁପ୍ରବେଶକାରୀଙ୍କୁ ତଡିବା ପାଇଁ ପ୍ରଥମେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବ ବୋଲି କେନ୍ଦ୍ରରେ ଗୃହ ମନ୍ତ୍ରୀ ଅମିତ ଶାହା ନିଜେ ବିଭିନ୍ନ ନିର୍ବାଚନ ସଭାରେ ଝାଡଖଣ୍ଡବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହାଛଡା, ‘ଏକ ହୋ ତୋ ସେଫ୍ ହୋ’ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲଗାତର ଆହ୍ୱାନ ମଧ୍ୟ ହିନ୍ଦୁ ଭୋଟବ୍ୟାଙ୍କକୁ ଏକାଠି କରିବାରେ ସଫଳ ହୋଇଥିବା ବିଜେପି ଅନୁମାନ କରୁଛି । ଉଭୟ ‘ଇଣ୍ଡି’ ଓ ଏନଡିଏ ମେଂଟ ରାଜ୍ୟର ମତଦାତାଙ୍କ ବିଭିନ୍ନ ବାଟରେ ପ୍ରଲୋଭିତ କରିବାକୁ ମଧ୍ୟ ପଛାଇ ନାହାନ୍ତି । ତେଣୁ, ଝାଡଖଣ୍ଡ ମତଦାତା କେଉଁ ମେଂଟର ବୟାନବାଜୀରେ ଅଧିକ ପ୍ରଭାବିତ ହୋଇଛନ୍ତି ଓ କାହାକୁ କ୍ଷମତାକୁ ଆଣିବାକୁ ପସନ୍ଦ କରିଛନ୍ତି ତାହା ନଭେମ୍ବର ୨୩ରେ ନିର୍ବାଚନ ଫଳାଫଳ ଆସିଲେ ସ୍ପଷ୍ଟ ହୋଇଯିବ । ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଓଡ଼ିଶା ରାଜନୀତିକୁ ମଧ୍ୟ କିଛିମାତ୍ରାରେ ପ୍ରଭାବିତ କରି ପାରେ ବୋଲି ଓଡ଼ିଶାର ରାଜନୈତିକ ବିଶ୍ଲେଷକମାନେ ଅନୁମାନ କରିବାର ଯଥେଷ୍ଟ କାରଣ ରହିଛି । ଏଭଳି ଅନୁମାନ କରାଯିବାର ପ୍ରମୁଖ କାରଣ ହେଉଛି, ୨୦୨୪ ନଭେମ୍ବର ଝାଡଖଣ୍ଡ ବିଧାନସଭା ନିର୍ବାଚନ ଓଡ଼ିଶା ମାଟିରୁ ଏକପ୍ରକାର ନିୟନ୍ତ୍ରିତ ହେଉଥିବା ପ୍ରାରମ୍ଭରୁ ଆଲୋଚନା ହେଉଥିଲା । ବିଜେପି କେନ୍ଦ୍ରୀୟ ନେତୃତ୍ୱ ଜୁନ ୧୨ ତାରିଖରେ ଓଡ଼ିଶାରେ ଦଳର ପ୍ରଥମ ସରକାରରେ ଆଦିବାସୀ ନେତା ମୋହନ ଚରଣ ମାଝୀଙ୍କୁ (ଜୁନ ୧୨ ତାରିଖରେ) ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଝାଡଖଣ୍ଡ ବିଧାନସଭା ନିର୍ବାଚନକୁ ନେଇ କଳ୍ପନାଜଳ୍ପନାର ଅବକାଶ ସୃଷ୍ଟି କରିଥିଲେ । ମାଝୀଙ୍କ କ୍ୟାବିନେଟରେ ସ୍ଥାନ ପାଇଥିବା ସଂଖ୍ୟାଧିକ ବିଧାୟକ ହେଉଛନ୍ତି ଜନଜାତି ସଂପ୍ରଦାୟର । ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ‘ଆଦିବାସୀ କାର୍ଡ’ ଖେଳିବା ପାଇଁ ଏହା ବିଜେପି କେନ୍ଦ୍ରୀୟ ନେତୃତ୍ୱର ରଣନୀତି ଥିଲା ବୋଲି ଗତ ଜୁନ ମାସରୁ ଚର୍ଚ୍ଚା ଆରମ୍ଭ ହୋଇସାରିଥିଲା । ପରବର୍ତ୍ତୀ ସମୟରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରସ୍ଥିତ ରାଜଭବନ (ରାଜ୍ୟପାଳଙ୍କ ସରକାରୀ ବାସଭବନ)ରେ ରାଜ୍ୟପାଳ ରଘୁବର ଦାସ (ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ) ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମାଝୀଙ୍କ ସହ ନିଭୃତ ଆଲୋଚନା କରିବା ଝାଡଖଣ୍ଡ ନିର୍ବାଚନ ପାଇଁ ବିଜେପି ତାହାର ରଣନୀତିକୁ ଓଡ଼ିଶା ରାଜଭବନରୁ ପରିଚାଳିତ କରୁଥିବା ଚର୍ଚ୍ଚାକୁ ଆସିଥିଲା । ରାଜ୍ୟପାଳ ରଘୁବର ଦାସ ନିଜ ସାମ୍ବିଧାନିକ ପଦବୀରୁ ଇସ୍ତଫା ଦେଇ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିବା ବେଳେ ରାଜ୍ୟପାଳ ଦିଲ୍ଲୀ ଗସ୍ତରେ ଯାଇ ବିଜେପି କେନ୍ଦ୍ରୀୟ ନେତୃତ୍ୱ ସହ ଆଲୋଚନା ମଧ୍ୟ କରିଥିଲେ । ତେବେ, ରାଜ୍ୟପାଳ ଦାସଙ୍କୁ ବିଜେପି ବିଧାନସଭା ନିର୍ବାଚନ ଳଢିବାକୁ ନଦେଇ ତାଙ୍କ ବୋହୂଙ୍କୁ ଝାଡଖଣ୍ଡରୁ ପ୍ରାର୍ଥୀ କରିବା ପରେ ସମସ୍ତ ଆଲୋଚନାର ଅବସାନ ଘଟିଥିଲା । ଓଡ଼ିଶା ମୁଖ୍ୟମନ୍ତ୍ରୀ ମାଝୀ ଗତ ସେପ୍ଟେମ୍ବର ମାସରେ ଝାଡଖଣ୍ଡର ବିଚ୍ଛନ୍ନାଂଚଳ (ଓଡ଼ିଆ ବହୁଳ ଅଂଚଳ)କୁ ଗସ୍ତରେ ଯାଇ ସଭା, ସମିତିରେ ଭାଷଣ ଦେଇଥିଲେ । ନିର୍ବାଚନ ତାରିଖ ଘୋଷଣା ପରେ ବିଜେପି ତାହାର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମାଝୀଙ୍କୁ ରଖିଥିଲା ଏବଂ ମୁଖ୍ୟମନ୍ତ୍ରୀ ଝାଡଖଣ୍ଡକୁ ପ୍ରଚାରରେ ଯାଇ ବିଭିନ୍ନ ନିର୍ବାଚନ ସଭାରେ ଭାଷଣ ଦେଇଥିଲେ । ଓଡ଼ିଶା ରାଜ୍ୟପାଳ ମଧ୍ୟ ନିର୍ବାଚନ ସମୟରେ ବେହୂଙ୍କ ସପକ୍ଷରେ ପ୍ରଚାର ପାଇଁ ଯାଇଥିଲେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ଏସବୁ ଦୃଷ୍ଟିରୁ ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଓଡ଼ିଶା ବିଜେପି ରାଜନୀତିକୁ ପ୍ରଭାବିତ କରିବା ସମ୍ଭାବନାକୁ ଗୁରୁତ୍ୱ ଦିଆଯାଉଛି । ଏଠାରେ ସୂଚନାଯୋଗ୍ୟ କି, ଝାଡଖଣ୍ଡ ରାଜ୍ୟର ପୂର୍ବ ସୀମାନ୍ତ ପଶ୍ଚିମ ବଂଗକୁ ଛୁଇଁଥିବା ବେଳେ ପଶ୍ଚିମ ସୀମାନ୍ତ ଛତିଶଗଡ଼, ଉତ୍ତର-ପଶ୍ଚିମ ସୀମାନ୍ତ ଉତ୍ତର ପ୍ରଦେଶ, ଉତ୍ତର ସୀମାନ୍ତ ବିହାର ଏବଂ ଦକ୍ଷିଣ ସୀମାନ୍ତ ଓଡ଼ିଶା ସୀମାକୁ ଛୁଇଁଛି । ଖଣିଜ ସଂପଦରେ ଭରପୁର ଏହି ରାଜ୍ୟର ଜନସଂଖ୍ୟା ପ୍ରାୟ ୩୩ ଲକ୍ଷ (୨୦୧୧ ଜନଗଣନା ଅନୁଯାୟୀ) ଥିବା ବେଳେ ୨୬ ପ୍ରତିଶତ ହେଉଛନ୍ତି ଜନଜାତି ବର୍ଗ । ରାଜ୍ୟର ୩୯.୧ ପ୍ରତିଶତ ଜନତା ଦାରିଦ୍ର ସୀମାରେଖା ତଳେ ଅଛନ୍ତି । ଷଢେଇକଳା, ଖରସୁଆଁ ଭଳି ଓଡ଼ିଶା ଭାଷାଭାଷି ଅଂଚଳରେ ଓଡ଼ିଆଙ୍କ ବେଶ୍ ପ୍ରଭାବ ରହିଛି । ରାଜ୍ୟରେ ଜନଜାତି ଭୋଟ ଭଳି ଓବିସି ଭୋଟ ମଧ୍ୟ ବେଶ୍ ଗୁରୁତ୍ୱ ରଖୁଛି । ୨୦୦୦ ମସିହା ନଭେମ୍ବର ମାସ ପର୍ଯ୍ୟନ୍ତ ଝାଡଖଣ୍ଡ ରାଜ୍ୟ ବିହାରର ଏକ ଅଂଶ ଥିଲା । ସେହି ବର୍ଷ ନଭେମ୍ବର ୧୫ ତାରିଖରେ ସ୍ୱତନ୍ତ୍ର ଝାଡଖଣ୍ଡ ରାଜ୍ୟ ଗଠନ ହୋଇଥିଲା । ୧୯୮୮ରେ ବିଜେପି ପ୍ରଥମେ ଦକ୍ଷିଣ ବିହାରର ବନାଂଚଳକୁ ନେଇ ସ୍ୱତନ୍ତ୍ର ଝାଡଖଣ୍ଡ ରାଜ୍ୟ ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲା । ୧୯୯୯ରେ ବିଜେପି କେନ୍ଦ୍ରରେ ସରକାର ହେଲେ ଝାଡଖଣ୍ଡ ବନାଂଚଳ ରାଜ୍ୟ ଗଠନ ପ୍ରତିଶ୍ରୁତି ଦେଇଥିଲା । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଏନଡିଏ ସରକାର କ୍ଷମତାସୀନ ହେବା ପରେ ୧୯୯୯ ଅଗଷ୍ଟରେ ବିହାର ରାଜ୍ୟ ପୁନର୍ଗଠନ ବିଲ୍ ସଂସଦରେ ଗୃହୀତ କରାଯିବା ସହ ଦକ୍ଷିଣ ବିହାରର ଛୋଟନାଗପୁର ଡିଭିଜନ ଓ ସାନ୍ତାଳ ପ୍ରଗଣା ଡିଭିଜନକୁ ନେଇ ଏହି ସ୍ୱତନ୍ତ୍ର ରାଜ୍ୟ ଗଠନ ହୋଇଛି । ସ୍ୱାଧୀନତା ସଂଗ୍ରମୀ ଆଦିବାସୀ ନେତା ବିର୍ଶା ମୁଣ୍ଡାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ୨୦୦୦ ମସିହା ନଭେମ୍ବର ମାସରେ ସ୍ୱତନ୍ତ୍ର ଝାଡଖଣ୍ଡ ରାଜ୍ୟ ଗଠନ ପରେ ବିଜେପି ନେତା ବାବୁଲାଲ ମାରାଣ୍ଡି ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୦୦ ମସିହାରେ ଝାଡଖଣ୍ଡର ପ୍ରଥମ ବିଧାନସଭାରେ ଏନଡିଏର ୪୦ (ବିଜେପି ୩୨, ସମତା ପାର୍ଟି ୦୫ ଓ ଜେଡ଼ିୟୁ ୦୩), ଜେଏମଏମର ୧୨, କଂଗ୍ରେସର ୧୧, ଆରଜେଡ଼ି ୦୯, ସିପିଆଇ ୦୩ ଓ ଅନ୍ୟାନ୍ୟରୁ ୦୬ ବିଧାୟକ ଥିଲେ । ୨୦୦୫ରେ ଦ୍ୱିତୀୟ ବିଧାନସଭାରେ ଏନଡିଏ ୩୬ (ବିଜେପି ୩୦, ଜେଡିୟୁ ୦୬) ଏବଂ ୟୁପିଏ ୨୬ (ଜେଏମଏମ ୧୭ ଓ କଂଗ୍ରେସ ୦୯), ଆରଜେଡ଼ି ୦୭ ଓ ଅନ୍ୟାନ୍ୟରେ ୧୨ ବିଧାୟକ ରହିଥିଲେ । ଜେଏମଏମ ମୁଖ୍ୟ ଶିବୁ ସୋରେନ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୦୫ରୁ ୨୦୦୯ ମଧ୍ୟରେ ଅର୍ଜୁନ ମୁଣ୍ଡା (ବିଜେପି), ମଧୁ କୋଡା (ସ୍ୱାଧୀନ) ଓ ଶିବୁ ସୋରେନ (ଜେଏମଏମ) ମଧ୍ୟ ମୁଖ୍ୟମନ୍ତ୍ରୀ ଥିଲେ । ୨୦୦୯ ବିଧାନସଭାରେ ୟୁପିଏ ବିଧାୟକ ସଂଖ୍ୟା ୨୫ (କଂଗ୍ରେସ ୧୪, ଜେଭିଏମ (ପି) ୧୧) ଓ ଏନଡିଏ ବିଧାୟକ ସଂଖ୍ୟା ୨୦ (ବିଜେପି ୧୮ ଓ ଜେଡିୟୁ-୦୨) ଥିଲା । ଏହାଛଡା, ବିଧାନସଭାରେ ଜେଏମଏମ ୧୮, ଆରଜେଡ଼ି ୦୫, ଏଜେଏସୟୁର ୦୫ ଓ ଅନ୍ୟାନ୍ୟ ବିଧାୟକ ୦୮ ଥିଲେ । ଏହି ପାଂଚ ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ଥିଲେ – ଜେଏମଏମ ମୁଖ୍ୟ ଶିବୁ ସୋରେନ, ଅର୍ଜୁନ ମୁଣ୍ଡା (ବିଜେପି) ଓ ହେମନ୍ତ ସୋରେନ (ଜେଏମଏମ) । ୨୦୧୪ ବିଧାନସଭା ନିର୍ବାଚନରେ ବିଜେପିର ୩୭, ଜେଏମଏମର ୧୯, କଂଗ୍ରେସର ୦୬, ଜେଭିଏମର ୦୮, ଏଜେଏସୟୁର ୦୫ ଏବଂ ବିଏସପି, ସିପିଆଇଏମଏଲଏଲ, ଝାଡଖଣ୍ଡ ପାର୍ଟି, ମାର୍କସିଷ୍ଟ କୋଡନେସନ ପାର୍ଟି, ଜୟ ଭାରତ ସାମନ୍ତ ପାର୍ଟି ଓ ନବଯବାନ ସଂଘର୍ଷ ମୋର୍ଚ୍ଚାରୁ ଜଣେ ଲେଖାଏଁ ବିଧାୟକ ରହିଥିଲେ । ବିଜେପି ନେତା ରଘୁବର ଦାସ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୧୯ ବିଧାନସଭା ନିର୍ବାଚନରେ ଜେଏମଏମ ୩୦, କଂଗ୍ରେସ ୧୬ ଓ ଆରଜେଡି ଗୋଟିଏ ଆସନରେ ବିଜୟୀ ହୋଇ ରାଜ୍ୟରେ ମେଂଟ ସରକାର କରିଥିବା ବେଳେ ବିଜେପି ୨୫, ଜେଭିଏମ (ପ୍ରଜାତାନ୍ତ୍ରିକ) ୦୩, ଆଜସୁ ୦୨,ସିପିଆଇଏମ (ଏଲଏଲ) ଓ ଏନସିପି ଗୋଟିଏ ଲେଖାଁଏ ଆସନରେ ବିଜୟୀ ହୋଇଥିଲା । ରାଜ୍ୟରେ ୟୁପିଏ ମେଂଟ ସରକାର କରିଥିଲା ଏବଂ ଜେଏମଏମ ନେତା ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ହେଲେ । ୨୦୨୪ ଲୋକସଭା ନିର୍ବାଚନରେ ଝାଡଖଣ୍ଡର ମୋଟ ୧୪ ଲୋକସଭା ଆସନରୁ ବିଜେପି ୦୮ଟି ଆସନରେ ବିଜୟୀ ହୋଇଥିବା ବେଳେ ଜେଏମଏମ ୦୩, କଂଗ୍ରେସ ୦୨ ଓ ଏଜେଏସୟୁ ପାର୍ଟି ଗୋଟିଏ ଆସନରେ ବିଜୟୀ ହୋଇଛି । ୨୦୨୪ ବିଧାନସଭା ନିର୍ବାଚନରେ ବିଜେପି ଆଜସୁ ଓ ଅନ୍ୟ ଛୋଟ ଦଳଙ୍କ ସହ ନିର୍ବାଚନୀ ବୁଝାମଣା କରି ନିର୍ବାଚନ ଲଢିଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS