ମହାରାଷ୍ଟ୍ର ଜନମତ କାହା ପକ୍ଷରେ ଯିବ ?


ପ୍ରସାଦ ରାଓ
ଭୁବନେଶ୍ୱର/୧୯ ନଭେମ୍ବର
ମହାରାଷ୍ଟ୍ରର ୨୮୮ ଓ ଝାଡଖଣ୍ଡର ୩୮ (୮୧ରୁ) ବିଧାନସଭା ଆସନ ପାଇଁ ଆସନ୍ତା କାଲି (ବୁଧବାର) ମତଦାନ ହେବାକୁ ଯାଉଛି । ମହାରାଷ୍ଟ୍ରର ସମସ୍ତ ବିଧାନସଭା ଆସନ ପାଇଁ କାଲି ଗୋଟିଏ ପର୍ଯ୍ୟାୟରେ ଭୋଟ ହେଉଥିବା ବେଳେ ଝାଡଖଣ୍ଡର ୪୩ ବିଧାନସଭା ଆସନରେ ଗତ ୧୩ ତାରିଖ ପ୍ରଥମ ପର୍ଯ୍ୟାୟ ଭୋଟ ହୋଇଥିଲା । କାଲି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ ହେବାକୁ ଯାଉଛି । ମହାରାଷ୍ଟ୍ରର ୧୪ତମ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ୨୬ ତାରିଖରେ ସରୁଥିବାରୁ ୧୫ ତମ ବିଧାନସଭା ପାଇଁ ନଭେମ୍ବର ୨୦ରେ ଭୋଟ ହେଉଛି । ଦୁଇଟି ଯାକ ରାଜ୍ୟର ନିର୍ବାଚନ ଫଳାଫଳ ୨୩ ତାରିଖ ପ୍ରକାଶ ପାଇବ । ମହାରାଷ୍ଟ୍ରର ୧୪ତମ ବିଧାନସଭାର ବିଶେଷତ୍ୱ ହେଉଛି – ଗତ ପାଂଚ ବର୍ଷ ମଧ୍ୟରେ ମହାରାଷ୍ଟ୍ର ଜନତା ତିନି ଜଣ ମୁଖ୍ୟମନ୍ତ୍ରୀଙ୍କ ଶାସନ ଦେଖିଛନ୍ତି । ୨୦୧୯ରେ ରାଜ୍ୟରେ ୧୪ତମ ବିଧାନସଭା ନିର୍ବାଚନ ହୋଇଥିଲା । ନିର୍ବାଚନରେ ବିଜେପି ସର୍ବାଧିକ ୧୦୫ ଆସନରେ ବିଜୟୀ ହୋଇଥିଲେ ମଧ୍ୟ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ପାଇନଥିଲା । ଅବିଭକ୍ତ ଶିବସେନା ବିଜେପିର ସହଯୋଗୀ ଦଳ ଭାବେ ନିର୍ବାଚନ ଲଢିଥିଲା ଏବଂ ୨୮୮ରୁ ୫୬ ଆସନରେ ବିଜୟୀ ହୋଇଥିଲା । ଦୁଇ ଦଳ ମେଂଟରେ ନିର୍ବାଚନ ଲଢି ଥିବାରୁ ସରକାର ଗଠନ ପାଇଁ ସେମାନଙ୍କ ନିକଟରେ ଆବଶ୍ୟକ ସଂଖ୍ୟା ଥିଲା । ତେବେ, ଶିବସେନା ମୁଖ୍ୟମନ୍ତ୍ରୀ ଆସନ ପାଇଁ ଦାବିଦାର ହେବାରୁ ବିଜେପି-ଶିବସେନା ମେଂଟରେ ଫାଟ ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ତାହା ଗମ୍ଭୀର ହେବା ସହ ମହା ବିକାଶ ଅଘାଡି (ଏମଭିଏ)ର ଜନ୍ମ ହୋଇଥିଲା । ୨୦୧୯ ବିଧାନସଭା ନିର୍ବାଚନରେ ଶରଦ ପାୱାରଙ୍କ ଅବିଭକ୍ତ ଏନସିପି ୫୪ ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୪୪ ଆସନରେ ବିଜୟୀ ହୋଇଥିଲା । ଅବିଭକ୍ତ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ବିଜେପି ହାତ ଛାଡି ଏନସିପି ଓ କଂଗ୍ରେସ ସହ ମେଂଟରେ ସରକାର ଗଠନ ପାଇଁ ଆଲୋଚନାରେ ବ୍ୟସ୍ତ ଥିବା ବେଳେ ବିଜେପି ଏନସିପି ନେତା ଅଜିତ ପାୱାରଙ୍କୁ ନିଜ ପକ୍ଷକୁ ନେଇ ରାତାରାତି ସରକାର ଗଠନ କରିଥିଲା । ମହାରାଷ୍ଟ୍ରର ତତ୍କାଳୀନ ରାଜ୍ୟପାଳ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ (୨୦୧୪ରୁ ୨୦୧୯) ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ରାତିଅଧିଆ ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ କରି ଶପଥ ଗ୍ରହଣ ଉତ୍ସବ ସମାପନ କରିଥିଲେ । ଫଡନାଭିସଙ୍କ ସରକାରରେ ଏନସିପି ନେତା ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ରହିଥିଲେ । ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବା ସହ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଆଡକୁ ଆଂଗୁଠି ଉଠିବାରୁ ସେ ଏହି ବିବାଦରୁ ନିଜକୁ ଦୂରେଇ ନେଇ ଉଦ୍ଧବଙ୍କ ଶିବସେନା ଓ କଂଗ୍ରେସ ସହ ମେଂଟ ଆଲୋଚନା ଜାରି ରଖିଥିଲେ । ଫଡନାଭିସଙ୍କ ସରକାର ମାତ୍ର ତିନି ଦିନ ପାଇଁ ଶାସନରେ ଥିଲା । ପରେ, ମୁଖ୍ୟମନ୍ତ୍ରୀ ପଦରୁ ଫଡନାଭିସ ଇସ୍ତଫା ଦେଇଥିଲେ ଓ ଅଜିତ ପାୱାର ତାଙ୍କ ଦାଦା ଶରଦ ପାୱାରଙ୍କ ନିକଟକୁ ଫେରି ଆସିଥିଲେ । ୨୦୧୯ରେ ଥିଲା ଏହା ପ୍ରଥମ ପରୀକ୍ଷା ନିରୀକ୍ଷା । ଇତିମଧ୍ୟରେ, ସର୍ବନିମ୍ନ କାର୍ଯ୍ୟସୂଚୀ ଆଧାରରେ ଶିବସେନା, ଏନସିପି ଓ କଂଗ୍ରେସ ‘ମହା ବିକାଶ ଅଘାଡି’ ନାମରେ ଏକ ମେଂଟ ଗଠନ କରି ରାଜ୍ୟପାଳ ନିକଟରେ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ । ଉଦ୍ଧବ ଠାକରେ ଏହି ମେଂଟର ନେତା ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହେବାର ଦାବିସାର ହୋଇଥିଲେ । ମହାରାଷ୍ଟ୍ର ରାଜ୍ୟପାଳ ଅନ୍ୟ ଉପାୟ ନଦେଖି ଉଦ୍ଧବଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିଲେ ଏବଂ ରାଜ୍ୟରେ ମହା ବିକାଶ ଅଘାଡି ସରକାର ପ୍ରତିଷ୍ଠା ହୋଇଥିଲା । ୨୦୨୨ରେ ଶିବସେନାରେ ବିଦ୍ରୋହ ପର୍ଯ୍ୟନ୍ତ ରାଜ୍ୟରେ ‘ମହା ବିକାଶ ଅଘାଡି’ର ଶାସନ ଚାଲିଥିଲା ଏବଂ ଏନସିପି ନେତା ଅଜିତ ପାୱାର ଏହି ସରକାରରେ ଉପ ମୁଖ୍ୟମନ୍ତ୍ରୀ ଥିଲେ । ୨୦୨୨ ଜୁନରେ ଶିବସେନାରେ ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ବିଦ୍ରୋହର ସୂତ୍ରପାତ ହୋଇଥିଲା ଏବଂ ସିନ୍ଧେ ଶିବସେନାର ସଂଖ୍ୟାଧିକ ବିଧାୟକ ଓ ସାଂସଦଙ୍କ ସହ ଶିବସେନାରୁ ଅଲଗା ହୋଇ ନିଜକୁ ପ୍ରକୃତ ଶିବସେନା ବୋଲି ଦାବି କରିଥିଲେ ଏବଂ ‘ମହା ବିକାଶ ଅଘାଡି’ ସରକାର ସଂଖ୍ୟାଲଘୁ ହୋଇଯିବାରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ଏହା ପଛରେ ବିଜେପିର ସମର୍ଥନ ଥିଲା ବୋଲି ନିକଟରେ ଦଳର ନେତା ତଥା ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଅଶୋକ ଚଭନ ନିକଟରେ ସତାରାଠାରେ ଗଣମାଧ୍ୟମକୁ କହିଛନ୍ତି । ଶିବସେନା ସିନ୍ଧେ ଗୋଷ୍ଠୀ ଉଦ୍ଧବଙ୍କୁ ପରିତ୍ୟାଗ କରିବା ପରେ ବିଜେପି ସହ ମେଂଟରେ ନୂଆ ସରକାର ଗଠନ କରିଥିଲେ ଏବଂ ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଫଡନାଭିସ ଦଳର ସର୍ବୋଚ୍ଚ ନେତୃତ୍ୱର ଚାପରେ ସିନ୍ଧେଙ୍କ ସରକାରରେ ଉପ ମୁଖ୍ୟମନ୍ତ୍ରୀ ରହିବାକୁ ବାଧ୍ୟ ହୋଇଥିଲେ । ମହାରାଷ୍ଟ୍ରରେ ସିନ୍ଧେ-ଫଡନାଭିସଙ୍କ ମେଂଟ ଶାସନରେ ଥିବା ସମୟରେ ୨୦୨୩ରେ ଏନସିପି ନେତା ଅଜିତ ପାୱାର ଦାଦା ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହର ସୂତ୍ରପାତ କରି ଦଳରେ ବିଭାଜନ ଘଟାଇଲେ ଓ ନିଜ ସମର୍ଥକ ବିଧାୟକଙ୍କ ସହ ରାଜ୍ୟରେ ଚାଲିଥିବା ସିନ୍ଧେ-ଫଡନାଭିସ ସରକାରରେ ସାମିଲ ହୋଇ ଦ୍ୱିତୀୟ ଉପ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ । ଅଜିତଙ୍କ ସହ ଦଳ ଛାଡିଥିବା ଏନସିପି ବିଧାୟକ ଓ ସାଂସଦମାନେ ସିନ୍ଧେ-ଫଡନାଭିସ ସରକାରରେ ସାମିଲ ହେବା ପରେ ଶାସକ ଗୋଷ୍ଠୀର ନାମକରଣ ‘ମହାୟୂତି’ ବା ମହାମେଂଟ ହୋଇଥିଲା । ଆଜି ମହାରାଷ୍ଟ୍ରରେ ମହାୟୁତି ସରକାର ଚାଲିଛି । ଶିବସେନା (ସିନ୍ଧେ)-ବିଜେପି-ଏନସିପି (ଅଜିତ ପାୱାର) ‘ମହାୟୁତି’ରେ ସାମିଲ ଥିବା ବେଳେ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ), କଂଗ୍ରେସ ଓ ଏନସିପି (ଶରଦଚନ୍ଦ୍ର ପାୱାର) ପୂର୍ବ ଭଳି ‘ମହା ବିକାଶ ଅଘାଡି’ରେ ଅଛନ୍ତି । ଶିବସେନା ଓ ଏନସିପିରେ ବିଭାଜନ ଘଟାଇ ଥିବା ନେତାମାନଙ୍କୁ ମହା ବିକାଶ ଅଘାଡି ‘ଗଦ୍ଦାର’ ବୋଲି ଆକ୍ଷେପ କରି ୨୦୨୪ ନିର୍ବାଚନରେ ମଇଦାନରେ ରହିଥିବା ବେଳେ ‘ମହାୟୂତି’ରେ ଥିବା ନେତାମାନେ ‘ମହା ବିକାଶ ଅଘାଡି’କୁ ନିକମ୍ମା ଓ ‘ବିକାଶ ବିରୋଧୀ’ କହି ସମାଲୋଚନା କରୁଛନ୍ତି ଓ ତାହା ବିରୋଧରେ ଜନମତ ଲୋଡୁଛନ୍ତି । ୨୦୨୨ରେ ଶିବସେନା ଓ ୨୦୨୩ରେ ଏନସିପିରେ ବିଭାଜନ ସହ ସଂପୃକ୍ତ ଉଭୟ ଦଳର ୧୨୦ ଜଣ (୪୨ ପ୍ରତିଶତ) ବିଧାୟକଙ୍କ ‘ବିଧାୟକ ପଦ ରଦ୍ଦ’ ପାଇଁ ବିରୋଧରେ ‘ଦଳ ବଦଳ ନିରୋଧ ଆଇନ’ରେ ମାମଲା ଚାଲିଛି । ବାଚସ୍ପତିଙ୍କ ନିର୍ଣ୍ଣୟ ପକ୍ଷଭୁକ୍ତ ଥିବା ଦର୍ଶାଇ ବିରୋଧୀ ପକ୍ଷ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଏହି ଉପରେ ଶୁଣାଣୀ ଚାଲୁ ରହିଛି । ଅପରପକ୍ଷରେ, ଭାରତୀୟ ନିର୍ବାଚନ ଆୟୁକ୍ତ (ଇସିଆଇ) ସିନ୍ଧେଙ୍କ ନେତୃତ୍ୱାଧୀନ ଶିବସେନା ଓ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ଗୋଷ୍ଠୀକୁ ‘ମୂଳ ଶିବସେନା’ ଓ ‘ମୂଳ ଏନସିପି’ ଭାବେ ସ୍ୱୀକୃତି ଦେଇ ଦୁଇ ଦଳର ମୂଳ ନିର୍ବାଚନ ଚିହ୍ନ ସେମାନଙ୍କୁ ଧରାଇ ଦେଇଛନ୍ତି । ନିର୍ବାଚନ ଚିହ୍ନ ମାମଲା ମଧ୍ୟ ସୁପ୍ରିମ କୋର୍ଟଙ୍କ ବିଚାରାଧୀନ ରହିଛି । ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀ ନିଜକୁ ‘ପ୍ରକୃତ ଶିବସେନା’ ଓ ଏନସିପି ପ୍ରତିଷ୍ଠାତା ଶରଦ ପାୱାର ତାଙ୍କ ସହ ଥିବା ଗୋଷ୍ଠୀ ହିଁ ‘ପ୍ରକୃତ ଏନସିପି’ ବୋଲି ଦାବି ଉପସ୍ଥାପନ କରି ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଲଡୁଛନ୍ତି । ତେବେ, ଭାରତୀୟ ନିର୍ବାଚନ ଆୟୁକ୍ତ ଶିବସେନା ଉଦ୍ଧବ ଗୋଷ୍ଠୀକୁ ଶିବସେନା (ୟୁବିଟି) ଓ ଏନସିପି ଶରଦ ପାୱାର ଗୋଷ୍ଠୀକୁ ଏନସିପି (ଶରଦଚନ୍ଦ୍ର ପାୱାର) ନାମରେ ପଂଜୀକୃତ କରି ନୂଆ ନିର୍ବାଚନ ଚିହ୍ନ ଦେଇଛି ଓ ନିର୍ବାଚନ ଲଢାଉଛି । ୨୦୨୪ ଲୋକସଭା ନିର୍ବାଚନରେ ଏହି ଦୁଇ ଦଳ ନୂଆ ନାମ ଓ ନୂଆ ନିର୍ବାଚନ ଚିହ୍ନରେ ଲଢିଥିଲେ ଓ ଆଶାତୀତ ଜନସମର୍ଥନ ପାଇଛନ୍ତି । ତେଣୁ, ମହାରାଷ୍ଟ୍ର ରାଜ୍ୟ ବିଧାନସଭା ନିର୍ବାଚନରେ ମଧ୍ୟ ରାଜ୍ୟବାସୀ ‘ମହା ବିକାଶ ଅଘାଡି’କୁ ଅନୁରୂପ ସମର୍ଥନ ଦେବେ ବୋଲି ଉଦ୍ଧବ ଓ ଶରଦ ପାୱାର ଗୋଷ୍ଠୀ ଆଶା ରଖିଛନ୍ତି । ୨୦୨୪ ବିଧାନସଭା ନିର୍ବାଚନରେ ଏମଭିଏ (ମହା ବିକାଶ ଅଘାଡି) ଓ ମହାୟୁତି ପରସ୍ପର ବିରୋଧରେ ନିର୍ବାଚନ ଲଢୁଥିଲେ ମଧ୍ୟ ଉଭୟ ପକ୍ଷରୁ କେହି ‘ମୁଖ୍ୟମନ୍ତ୍ରୀ ଚେହେରା’ ଭାବେ ଉପସ୍ଥାପିତ ହୋଇନାହାନ୍ତି । ନିର୍ବାଚନ ଫଳାଫଳ ଆସିଲେ ଯାହାର ସଂଖ୍ୟାଧିକ ବିଧାୟକ ଥିବେ ସେହି ଦଳ ମୁଖ୍ୟମନ୍ତ୍ରୀ ପଦର ଦାବିଦାର ହେବ ବୋଲି ଉଭୟ ପକ୍ଷ କହୁଛନ୍ତି । ଇତିମଧ୍ୟରେ ରାଜ୍ୟରେ ୧୪ଟି ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ଓ ରାଜ୍ୟବାସୀ ୨୦ ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପଦରେ ଦେଖିଛନ୍ତି । ସେଥିରୁ କିଛି ଏକାଧିକ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତେବେ, ମାତ୍ର ଦୁଇ ଜଣ ମୁଖ୍ୟମନ୍ତ୍ରୀ ପୂର୍ଣ୍ଣ ପାଂଚ ବର୍ଷ କାର୍ଯ୍ୟକାଳ ଶେଷ କରିଛନ୍ତି । ଏହି ଦୁଇ ମୁଖ୍ୟମନ୍ତ୍ରୀ ହେଉଛନ୍ତି – କଂଗ୍ରେସର ବସନ୍ତରାଓ ନାଏକ ଓ ବିଜେପିର ଦେବେନ୍ଦ୍ର ଫଡନାଭିସ । ବସନ୍ତରାଓ ନାଏକ ସବାଧିକ ୧୧ ବର୍ଷ ୭୮ ଦିନ ଓ ଦେବେନ୍ଦ୍ର ଫଡନାଭିସ ୨୦୧୪ରୁ ୨୦୧୯ ପାଂଚ ବର୍ଷ ମୁଖମନ୍ତ୍ରୀ ପଦରେ ରହି କାର୍ଯ୍ୟକାଳ ସମାପନ କରିଥିଲେ । ଫଡନାଭିସ ୨୦୧୯ରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମଧ୍ୟ ତାଙ୍କ କାର୍ଯ୍ୟକାଳ ମାତ୍ର ତିନି ଦିନ ରହିଥିଲା । ୧୯୬୦ରେ ମହାରାଷ୍ଟ୍ର ରାଜ୍ୟ ଗଠନ ହେବା ପରଠାରୁ ପ୍ରଥମ ୩୦ ବର୍ଷ ରାଜ୍ୟରେ କଂଗ୍ରେସର ପୂର୍ଣ୍ଣ ବହୁମତ ଥିବା ସରକାର ଚାଲି ଥିଲା । ୧୯୯୫ରେ ବିଜେପି-ଶିବସେନା ମେଂଟ ପ୍ରଥମ କରି ରାଜ୍ୟରେ ଅଣ-କଂଗ୍ରେସ ସରକାର ପ୍ରତିଷ୍ଠା କରିଥିଲେ । ୧୯୯୯ରେ ଶରଦ ପାୱାର କଂଗ୍ରେସରେ ବିଭାଜନ ଘଟାଇ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଗଠନ କରିବା ପରେ ୨୦୧୪ ପର୍ଯ୍ୟନ୍ତ ରାଜ୍ୟରେ ଏନସିପି-କଂଗ୍ରେସର ମଂଟ ସରକାର ରହିଥିଲା । ୨୦୧୪ରେ ବିଜେପି-ଶିବସେନା ମେଂଟ କ୍ଷମତାକୁ ଆସିଥିଲେ ଏବଂ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଫଡନାଭିସ ନାଗପୁରରୁ ପାଂଚ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଦୁଇ ଥର ନାଗପୁର-ୱେଷ୍ଟ ଓ ତିନି ଥର ନାଗପୁର ସାଉଥ-ୱେଷ୍ଟରୁ । ଷଷ୍ଠ ଥର ପାଇଁ ସେ ଏବେ ନିର୍ବାଚନ ଲଢୁଛନ୍ତି । ସେହିଭଳି, ଏନସିପି ନେତା ଅଜିତ ପାୱାର ତାଙ୍କ ଗଡ଼ କୁହାଯାଉଥିବା ବାରାମତି ବିଧାନସଭା ଆସନରୁ ପ୍ରାର୍ଥୀ ଅଛନ୍ତି ଓ ପୁତୁରା ୟୁଗେନ୍ଦ୍ର ପାୱାର (ଏନସିପି-ଏସପି)ଙ୍କ ସହ ତାଙ୍କର ଲଢେଇ ହେଉଛି । ଏନସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କ ସହ ଥିବା ସମୟରେ ଅଜିତ ପାୱାର ସାତ ଥର ବାରାମତୀ ବିଧାନସଭା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେହିଭଳି, ମୁମ୍ବାଇ ୱର୍ଲି ବିଧାନସଭା ଆସନରୁ ଶିବସେନା (ସିନ୍ଧେ) ଗୋଷ୍ଠୀ ପୂର୍ବତନ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ମିଲିନ୍ଦ ଦେଓରାଙ୍କୁ ପ୍ରାର୍ଥୀ କରିଛନ୍ତି । ଶିବସେନା (ୟୁବିଟି)ରୁ ଏହି ଆସନରେ ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କ ପୁଅ ତଥା ବିଧାୟକ ଆଦିତ୍ୟ ଠାକରେ ନିର୍ବାଚନ ଲଢୁଛନ୍ତି । ମିଲିନ୍ଦ ଦେଓରା ହେଉଛନ୍ତି କଂଗ୍ରେସର ଦିବଂଗତ ନେତା ମୁରଲୀ ଦେଓରାଙ୍କ ପୁଅ ଏବଂ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡି ଶିବସେନା (ସିନ୍ଧେ)ରେ ଯୋଗ ଦେଇଥିଲେ ଓ ରାଜ୍ୟସଭାକୁ ଯାଇଥିଲେ । ଛଅ ବର୍ଷ ପାଇଁ ତାଙ୍କ ରାଜ୍ୟସଭା କାର୍ଯ୍ୟକାଳ ରହିଛି । ସେଂଟ୍ରାଲ ମୁମ୍ବାଇର ମହିମ ଆସନରୁ ଏମଏନଏସ (ମହାରାଷ୍ଟ୍ର ନବ ନିର୍ମାଣ ସେନା) ମୁଖ୍ୟ ରାଜ୍ ଠାକରେଙ୍କ ପୁଅ ଅମିତ ଠାକରେ ପ୍ରତିଦ୍ୱନ୍ଦ୍ୱତାରେ ଥିବା ବେଳେ ଶିବସେନା (ସିନ୍ଧେ) ବିଧାୟକ ସଦା ସର୍ବାଂକର ଓ ଶିବସେନା ୟୁବିଟିରୁ ମହେଶ ସାୱନ୍ତ ସେଠାରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ବିଜେପି ଏମଏନଏସ ପ୍ରାର୍ଥୀ ଅମିତ ଠାକରେଙ୍କୁ ସମର୍ଥନ କରୁଥିବା ସ୍ପଷ୍ଟ କରିଛି । ୨୦୨୪ ସାଧାରଣ ନିର୍ବାଚନରେ ମହାରାଷ୍ଟ୍ରର ୪୮ଟି ଲୋକସଭା ଆସନରୁ ବିଜେପି ୨୮ଟିରେ ପ୍ରାର୍ଥୀ ଦେଇ ମାତ୍ର ୦୯ଟି ଆସନରେ ବିଜୟୀ ହୋଇଛି । କଂଗ୍ରେସ ୧୭ ଆସନରେ ପ୍ରାର୍ଥୀ ଦେଇ ୧୩ଟି, ଉଦ୍ଧବ ଠାକରେଙ୍କ ଶିବସେନା ୨୧ଟି ଆସନରେ ପ୍ରାର୍ଥୀ ଦେଇ ୦୯ଟି (୧୬.୭ ପ୍ରତିଶତ) ଏବଂ ଏନସିପି (ଶରଦଚନ୍ଦ୍ର ପାୱାର) ଦଶଟି ଆସନରେ ପ୍ରାର୍ଥୀ ଦେଇ ଆଠଟି ଆସନ (୧୦.୩ ପ୍ରତିଶତ ଭୋଟ ସେୟାର)ରେ ବିଜୟୀ ହୋଇଛି । ‘ମହାୟୂତି’ରୁ ଶିବସେନା ସିନ୍ଧେ ଗୋଷ୍ଠୀ ୧୫ ଆସନରେ ପ୍ରାର୍ଥୀ ଦେଇ ୦୭ଟି ଜିତିଥିବା ଓ ଏନସିପି ଅଜିତ ପାୱାର ଗୋଷ୍ଠୀ ୪ଟି ଆସନରେ ପ୍ରାର୍ଥୀ ଦେଇ ମାତ୍ର ଗୋଟିଏ ଆସନ ଜିତିଥିବା ମହା ବିକାଶ ଅଘାଡିର ମନୋବଳ ବଢାଇଛି । ଲୋକସଭା ନିର୍ବାଚନରେ ଅଜିତ ପାୱାରଙ୍କ ଭୋଟ ସେୟାର ଥିଲା ମାତ୍ର ୩.୬ ପ୍ରତିଶତ । ଅନ୍ୟପକ୍ଷରେ, ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ମହାରାଷ୍ଟ୍ରରେ ୨୩ ଲୋକସଭା ଆସନରେ ବିଜୟୀ ହୋଇଥିଲା ଓ ଦଳର ଭୋଟ ସେୟାର ଥିଲା ୨୭.୮ ପ୍ରତିଶତ । କଂଗ୍ରେସର ଭୋଟ ସେୟାର ୧୬.୪ ପ୍ରତିଶତ, ଅବିଭାଜିତ ଶିବସେନାର ଭୋଟ ସେୟାର ୨୩.୫ ପ୍ରତିଶତ ଓ ଅବିଭାଜିତ ଏନସିପିର ଭୋଟ ସେୟାର ୧୫.୭ ପ୍ରତିଶତ ଥିଲା । ୨୦୨୪ ୧୫ତମ ବିଧାନସଭା ନିର୍ବାଚନ ଉଭୟ ‘ମହାୟୂତି’ ଓ ‘ମହା ବିକାଶ ଅଘାଡି’ ପାଇଁ ଆତ୍ମସମ୍ମାନର ପ୍ରଶ୍ନ ରହିଛି । ହିନ୍ଦୁ ଓ ମୁସଲମାନ ଭୋଟର ଧ୍ରୁବୀକରଣ ପାଇଁ ମହାରାଷ୍ଟ୍ରରେ ଯେଉଁ ମହାଯୁଦ୍ଧ ଚାଲିଛି କାଲି ତାହା ଉପରେ ରାଜ୍ୟବାସୀ ମତଦାନ କରିବେ । କିଏ ବିଜୟୀ ହେଉ ଓ କାହାର ପରାଜୟ ଘଟିବ ତାହା ୨୩ ତାରିଖ ଫଳାଫଳ ଆସିଲେ ସ୍ପଷ୍ଟ ହୋଇଯିବ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS