ବିଜେପିରେ ମିଶିଲେ ଗେହେଲୋଟ, ଦିଲ୍ଲୀରେ ଯୋଡ, ତୋଡ ରାଜନୀତି ଆରମ୍ଭ !


ପ୍ରସାଦ ରାଓ
ନୂଆଦିଲ୍ଲୀ/ ୧୮ ନଭେମ୍ବର
ଗତକାଲି ଯାହା ଅନୁମାନ କରାଯାଉଥିଲା ତାହା ଆଜି ସତ୍ୟସିଦ୍ଧ ହୋଇଛି । ‘ଆମ୍ ଆଦମୀ ପାର୍ଟି’ର ପ୍ରାଥମିକ ସଦସ୍ୟତା ଓ ମନ୍ତ୍ରୀ ପଦରୁ ଗତକାଲି ଇସ୍ତଫା ଦେଇଥିବା ଦଳର ବରିଷ୍ଠ ନେତା କୈଳାଶ ଗେହେଲୋଟ ଆଜି ବିଜେପିରେ ସାମିଲ ହୋଇଛନ୍ତି । ୫୦ ବର୍ଷ ବୟସ୍କ ଏହି ଜାଠ ନେତା ଦୁଇ ଥର ଦିଲ୍ଲୀର ନଜଫଗଡ ବିଧାନସଭା ଆସନରୁ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୫ରୁ ସେ ରାଜ୍ୟ ସରକାରଙ୍କ ଅର୍ଥ, ପରିବହନ ଓ ଆଇଟି ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱରେ ଥିଲେ । ଗତକାଲି ସେ ‘ଆପ୍’ରୁ ଇସ୍ତଫା ଦେଇଥିବା ଘୋଷଣା କରିବା ପରେ ପରେ ବିଜେପି ଆଡୁ ତାଙ୍କୁ ସ୍ୱାଗତ କରାଯାଇ ଯେଭଳି ବୟାନବାଜୀ କରାଯାଉଥିଲା ସେଥିରୁ ସେ ବିଜେପିରେ ଯୋଗ ଦେଉଥିବା ସ୍ପଷ୍ଟ ହୋଇସାରିଥିଲା । ଆଜି ସେ ବିଜେପିରେ ଯୋଗ ଦେଇ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କ ମନୋଭାବକୁ ଅଧିକ ସ୍ପଷ୍ଟ କରିଛନ୍ତି । ୨୦୨୫ ଫେବୃୟାରୀରେ ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ସରୁଥିବାରୁ ତାହା ପୂର୍ବରୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ପୂର୍ବରୁ ବିଜେପି ଇଡି, ସିବିଆଇ ଓ ଆୟକର ବିଭାଗ ଭଳି କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସୀଙ୍କ ମାଧ୍ୟମରେ ଦିଲ୍ଲୀର ‘ଆପ୍’ ସରକାରଙ୍କୁ ନିଶ୍ଚିହ୍ନ କରି ଦେବାକୁ ଷଡଯନ୍ତ୍ର ଚଳାଇଛି ବୋଲି ‘ଆପ୍’ ପକ୍ଷରୁ ଲଗାତର ଅଭିଯୋଗ ହୋଇଆସୁଛି । ଗତକାଲି ‘ଆପ୍’ ନେତା ଦଳରୁ ଇସ୍ତଫା ଦେଉ ଦେଉ ବିଜେପି ପକ୍ଷରୁ ଦଳର ଜାତୀୟ ମୁଖପାତ୍ର ଶେହେନାଜ ପୁନାୱାଲା ଓ ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚଦେବ ତାଙ୍କୁ ଯେଭଳି ଭାବେ ବିଜେପିକୁ ସ୍ୱାଗତ କଲେ ଏବଂ ଗେହେଲୋଟ ବିଜେପିରେ ଯୋଗଦେବାକୁ ଚାହିଁଲେ ତାଙ୍କ ପାଇଁ ଦ୍ୱାର ଉନ୍ମୁକ୍ତ ଥିବା କଥା କହିଲେ ତାହା ବିଜେପିର ରଣନୀତିକୁ ସ୍ପଷ୍ଟ କରିଥିବା ବେଳେ ଗେହେଲୋଟ ଆଜି ବିଜେପିରେ ସାମିଲ ହୋଇ ତାଙ୍କ ଇସ୍ତଫା ରହସ୍ୟକୁ ଅଧିକ ସ୍ପଷ୍ଟ କରିଛନ୍ତି । କୈଳାଶ ଗେହେଲୋଟ ହେଉଛନ୍ତି ‘ଆପ୍’ର ତୃତୀୟ ନେତା ତଥା ମନ୍ତ୍ରୀ ଯିଏକି ଦଳ ଓ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ଗେହେଲୋଟଙ୍କ ପୂର୍ବରୁ ୨୦୨୨ ନଭେମ୍ବରରେ ଦିଲ୍ଲୀ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ଦଳ ଓ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ ରାଜ କୁମାର ଆନନ୍ଦଙ୍କୁ ରାଜ୍ୟ ସରକାରରେ ସାମିଲ କରାଯାଇ ରାଜ୍ୟ ସମାଜ କଲ୍ୟାଣ, ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭାବେ ଅବସ୍ଥାପିତ କରାଯାଇଥିଲା । ଆନନ୍ଦ ମଧ୍ୟ ଗତ ଏପ୍ରିଲ ମାସରେ ଦଳ ତଥା ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ୨୦୨୫ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀର ‘ଆପ୍’ ସରକାରକୁ ଦୁର୍ବଳ କରିବାକୁ ଯେଉଁ ଷଡଯନ୍ତ୍ର ଚାଲିଛି ଗେହେଲୋଟଙ୍କ ଇସ୍ତଫା ତାହାର ଅଂଶ ବୋଲି ଏବେ ‘ଆପ୍’ ପକ୍ଷରୁ ଅଭିଯୋଗ ହୋଇଛି । ଆପ୍ ନେତାମାନେ କହିବା ଅନୁସାରେ, ଗେହେଲୋଟ ୨୦୧୮ରୁ ଆୟକର ଫାଙ୍କି ଅଭିଯୋଗରେ ଆୟକର ବିଭାଗର ସ୍କାନରରେ ଥିଲେ । ଅବକାରୀ ଦୁର୍ନୀତି ମାମଲାରେ ଇଡି ତାଙ୍କୁ ସମନ କରିଥିଲା । ଆୟକର ବିଭାଗ ଗେହେଲୋଟ ଓ ତାଙ୍କ ପରିବାର ସଦସ୍ୟଙ୍କ ଘରେ ମଧ୍ୟ ଚଢାଉ କରିଥିଲେ । ତେଣୁ, ଇଡି, ସିବିଆଇ ଓ ଆୟକର ବିଭାଗ ନିକଟରୁ ବର୍ତ୍ତିବା ପାଇଁ ଗେହେଲୋଟଙ୍କ ନିକଟରେ ଅନ୍ୟ ରାସ୍ତା ନଥିଲା ବୋଲି ‘ଆପ୍’ର ରାଜ୍ୟସଭା ସାଂସଦ ସଂଜୟ ସିଂହ ଗତକାଲି ଗଣମାଧ୍ୟମରେ କହିଛନ୍ତି । ଗେହେଲୋଟ ଗତକାଲି ତାଙ୍କ ଇସ୍ତଫାପତ୍ର ଦଳର ମୁଖ୍ୟ ଅରବିନ୍ଦ କେଜରୀୱାଲଙ୍କ ନିକଟକୁ ପଠାଇ ଥିଲେ । ସେଥିରେ ସେ ଦଳୀୟ ନେତୃତ୍ୱର ଉଚ୍ଚାକାଂକ୍ଷାକୁ ସମମାଲୋଚନା କରିବା ସହ କେନ୍ଦ୍ର ସହ ରାଜ୍ୟ ସରକାରଙ୍କ ସଂପର୍କ ଲଗାତର ଖରାପ ରହିବାରୁ ଦିଲ୍ଲୀର ବିକାଶ ହୋଇପାରୁନାହିଁଁ ବୋଲି ଅଭିଯୋଗ କରିଥିଲେ । ସେ ଦିଲ୍ଲୀବାସୀଙ୍କ ସେବା କରିବାକୁ ‘ଆପ୍’ରେ ଯୋଗ ଦେଇଥିଲେ । ଏବେ ମଧ୍ୟ ସେ ଦିଲ୍ଲୀବାସୀଙ୍କ ସେବା କରିବାକୁ ଚାହୁଁଛନ୍ତି ବୋଲି ଗେହେଲୋଟ ତାଙ୍କ ଚିଠିରେ ଉଲ୍ଲେଖ କରିବା ସହ କେଜରୀୱାଲ ଓ ତାଙ୍କ ସରକାରର ସମାଲୋଚନା କରିଥିଲେ । ଯମୁନା ନଦୀ ଜଳ ଅଧିକ ପ୍ରଦୂଷିତ ଓ ବିଷାକ୍ତ ହେବା ପାଇଁ ସେ ଦିଲ୍ଲୀ ସରକାରଙ୍କ ନିକମାପଣକୁ ଦାୟି କରିଥିଲେ । ଆସନ୍ତା ୨୦ ତାରିଖରେ ମହାରାଷ୍ଟ୍ର ଓ ଝାଡଖଣ୍ଡ ରାଜ୍ୟ ବିଧାନସଭା ନିର୍ବାଚନ ସରୁଛି ଓ ୨୩ ତାରିଖ ଫଳାଫଳ ପ୍ରକାଶ ପାଇବ । ଏହାପରେ ବିଜେପିର ଫୋକସ୍ ଦିଲ୍ଲୀରେ ରହିବ । ତେଣୁ, ‘ଆପ୍’ ସରକାରକୁ କ୍ଷମତାରୁ ହଟାଇବା ପାଇଁ ବିଜେପିର ଅଭିଯାନ ଆରମ୍ଭ ହୋଇଯାଇଛି । ପ୍ରଥମେ ସ୍ୱାସ୍ଥ୍ୟ ବିଭାଗରେ ଦୁର୍ନୀତି ଅଭିଯୋଗରେ ଦିଲ୍ଲୀ ସରକାରର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ ହୋଇ ଜେଲ ଯାଇଥିଲେ ଓ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଦୀର୍ଘ ଦିନ ଧରି ତିହାର ଜେଲରେ ରହିବା ପରେ ସେ ନିକଟରେ ସୁପ୍ରିମ କୋର୍ଟରୁ ଜାମିନ ପାଇଛନ୍ତି । ଦିଲ୍ଲୀ ସରକାରଙ୍କ ନୂତନ ଅବକାରୀ ନୀତିର କାର୍ଯ୍ୟକାରିତାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଧାରରେ ରାଜ୍ୟର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଇଡି ଓ ସିବିଆଇ ଗିରଫ କରି ଜେଲରେ ରଖିଥିଲେ । ସେ ମଧ୍ୟ ଏବେ ସୁପ୍ରିମ କୋର୍ଟରୁ ଜାମିନ ପାଇ ବାହାରେ ଅଛନ୍ତି । ‘ଆପ୍’ ରାଜ୍ୟସଭା ସାଂସଦ ସଂଜୟ ସିଂହ ମଧ୍ୟ ଏହି ମାମଲାରେ ପ୍ରାୟ ଛଅ ମାସ ଜେଲରେ ରହିବା ପରେ ସୁପ୍ରିମ କୋର୍ଟରୁ ଜାମିନରେ ଅଛନ୍ତି । ଶେଷରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥାଇ ‘ଆପ୍’ ମୁଖ୍ୟ ଅରବିନ୍ଦ କେଜରୀୱାଲ ପ୍ରଥମେ ଇଡି ଓ ପରେ ସିବିଆଇ ଦ୍ୱାରା ଗିରଫ ହୋଇ ତିହାର ଜେଲରେ ଥିଲେ । ତାଙ୍କୁ ମଧ୍ୟ ସୁପ୍ରିମ କୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି । ଜାମିନ ପାଇବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦଳର ଅନ୍ୟତମ ନେତ୍ରୀ ଆତିଶୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛନ୍ତି । ବିଜେପି ବିରୋଧୀଙ୍କ ସ୍ୱରକୁ ଦବାଇବା ପାଇଁ ଇଡି, ଆୟକର ବିଭାଗ ଓ ସିବିଆଇକୁ ବ୍ୟବହାର କରୁଥିବା ‘ଇଣ୍ଡି’ ମେଂଟର ନେତାମାନେ ଲଗାତର ଅଭିଯୋଗ କରୁଥିବା ବେଳେ ଆଇନ ତା’ ବାଟରେ କାମ କରୁଛି ବୋଲି ବିଜେପି କହି ଆସୁଛି । ହରିୟାଣା ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ଦଳର ମନୋବଳକୁ ଅଧିକ ଦୁରୁସ୍ତ କରିଥିଲା । ଏବେ, ନଭେମ୍ବର ୨୩ ରେ ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ଏବଂ ଫଳାଫଳକୁ ନେଇ ଦେଶର ରାଜନୀତି ଗତିଶୀଳ ହେବ । ଝାଡଖଣ୍ଡରେ ବିଜେପି ବାଂଲାଦେଶୀଙ୍କ ଅନୁପ୍ରବେଶକୁ ମୁଖ୍ୟ ପ୍ରସଙ୍ଗ କରି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ କ୍ଷମତାଚ୍ୟୁତ କରିବା ଉଦ୍ୟମରେ ଥିବା ବେଳେ ମହାରାଷ୍ଟ୍ରରେ ଲଢେଇ ‘ମହା ବିକାଶ ଅଘାଡି’ (ଏମଭିଏ) ବନାମ ‘ମହାୟୂତି’ ରହିଛି । ‘ଧର୍ମଯୁଦ୍ଧ’ ବନାମ ‘ଭୋଟ ଜେହାଦ’ କୁହାଯାଉଥିବା ଏହି ଲଢେଇରେ କାହା ବିଜୟ ହେବ (?) – ତାହା ଉପରେ ଦେଶର ଭବିଷ୍ୟତ ରାଜନୀତି ନିର୍ଭର କରୁଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS