‘ଆପ୍’ରୁ କୈଳାଶ ଗେହେଲୋଟଙ୍କ ଇସ୍ତଫା, ଦଳକୁ ଶକ୍ତ ଝଟକା


ପ୍ରସାଦ ରାଓ
ନୂଆଦିଲ୍ଲୀ/ ୧୭ ନଭେମ୍ବର
ଆସନ୍ତା ଫେବୃୟାରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ‘ଆମ୍ ଆଦମୀ ପାର୍ଟି’କୁ ଆଜି ଶକ୍ତ ଧକ୍କା ଲାଗିଛି । ଦଳର ବରିଷ୍ଠ ନେତା ତଥା ଦିଲ୍ଲୀ ସରକାରରେ ଅର୍ଥ, ଗୃହ, ପରିବହନ, ଆଇଟି ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କୈଳାଶ ଗେହେଲୋଟ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଗେହେଲୋଟଙ୍କ ଇସ୍ତଫାକୁ ମୁଖ୍ୟମନ୍ତ୍ରୀ ଆତିଶୀ ଗ୍ରହଣ କରି ନେଇଛନ୍ତି । ଗେହେଲୋଟଙ୍କ ଇସ୍ତଫା ପରେ ବିଜେପିର ଜାତୀୟ ପ୍ରବକ୍ତା ଶେହେନାଜ ପୁନାୱାଲା ଗଣମାଧ୍ୟମରେ ଦେଇଥିବା ବୟାନରୁ ଗେହେଲୋଟ ବିଜେପିରେ ଯୋଗଦେବା ଚର୍ଚ୍ଚା ଜୋର ଧରିଛି । ୫୦ ବର୍ଷ ବୟସ୍କ ଗେହେଲୋଟ ‘ଆପ୍’ ମୁଖ୍ୟ ଅରବିନ୍ଦ କେଜରୀୱାଲଙ୍କୁ ଚିଠି ଲେଖି ସେ ଇସ୍ତଫା ଦେବା କଥା ଜଣାଇଛନ୍ତି । ଦଳ ଭିତରେ ଭିତରେ ‘ଗମ୍ଭୀର ସମସ୍ୟା’ର ସମ୍ମୁଖୀନ ହେଉଛି । ରାଜନୈତିକ ଉଚ୍ଚାଭିଳାଷ କାରଣରୁ ସରକାର ଦିଲ୍ଲୀବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିପାରୁ ନାହାନ୍ତି । ସରକାରଙ୍କ ଅଧିକାଂଶ ପ୍ରତିଶ୍ରୁତି ପାଳନ ହୋଇନଥିବା ଦର୍ଶାଇ ଗେହେଲୋଟ ଯମୁନା ନଦୀକୁ ସ୍ୱଚ୍ଛ କରିବା ପ୍ରତିଶ୍ରୁତି କଥା ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ଯମୁନା ଜଳକୁ ସଂପୂର୍ଣ୍ଣ ସ୍ୱଚ୍ଛ କରିବାକୁ ଦଳ ଦିଲ୍ଲୀବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲା । ତେବେ, ତାହା ହେଲା ନାହିଁ । ଅପରପକ୍ଷରେ, ଯମୁନା ନଦୀ ପାଣି ପୂର୍ବାପେକ୍ଷା ଅଧିକ ବିଷାକ୍ତ ହୋଇ ପଡିଛି ବୋଲି ଗେହେଲୋଟ କହିଛନ୍ତି । ମୁଖ୍ୟମନ୍ତ୍ରୀ ଥିବା ସମୟରେ କେଜରୀୱାଲ ଯେଉଁ ସରକାରୀ ବାସଭବନରେ ରହୁଥିଲେ ତାହାକୁ ବିଜେପି ‘ଶିଶମହଲ’ କହୁଥିଲା । ଗେହେଲୋଟ ତାଙ୍କ ଚିଠିରେ ‘ଶିଶମହଲ’ର ନବୀକରଣ ସମେତ ଅନେକ ବିବାଦରେ ‘ଆପ୍’ ଫସିଥିବା ଦର୍ଶାଇ ବାସ୍ତବରେ ଆମ୍ ଆଦମୀ ପାର୍ଟି ‘ଆମ୍ ଆଦମୀ’ରେ ବିଶ୍ୱାସ କରୁଛି କି ନାହିଁ ସେନେଇ ଜନତାଙ୍କ ମନରେ ସନ୍ଦେହ ଉପୁଜି ଥିବା କହିଛନ୍ତି । ଅରବିନ୍ଦ କେଜରୀୱାଲ ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କ ସରକାରୀ ବାସଭବନର ନବୀକରଣରେ ପ୍ରାୟ ୪୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ବିଜେପି ଏହାକୁ କେଜରୀୱାଲଙ୍କ ‘ଶିଶମହଲ’ ବୋଲି ସମାଲୋଚନା କରୁଥିଲା । ଏବେ, ଦଳର ନେତା ଗେହେଲୋଟ ‘ଆପ୍’ ସରକାରଙ୍କୁ କାଠଗଡାରେ ଠିଆ କରାଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ନେଇ ସରକାରଙ୍କ ଯୁକ୍ତି ଥିଲା, ୧୯୪୨ ମସିହାରେ ନିର୍ମିତ ହୋଇଥିବା କୋଠାର ସଂପୂର୍ଣ୍ଣ ନବୀକରଣ କରାଯିବା ଆବଶ୍ୟକତା ଥିଲା । ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଏହି ନବୀକରଣ ପ୍ରସ୍ତାବ ଦେଇଥିଲେ । ‘ଆପ୍’ ନିଜ ରାଜନୈତିକ ଆଜେଣ୍ଡାକୁ ନେଇ ସଂଘର୍ଷ କରୁଥିବାରୁ ଦିଲ୍ଲୀବାସୀଙ୍କୁ ସର୍ବନିମ୍ନ ସେବା ଯୋଗାଇ ପାରୁନାହିଁ ବୋଲି ଗେହେଲୋଟ ଦଳର ମୁଖ୍ୟ କେଜରୀୱାଲଙ୍କୁ ଲେଖିଥିବା ଚିଠିରେ କହିଛନ୍ତି । କେନ୍ଦ୍ର ସରକାରଙ୍କ ସହ ଝଗଡାରେ ରାଜ୍ୟ ସରକାର ଅଧିକ ସମୟ ଅତିବାହିତ କରୁଥିବାରୁ ଦିଲ୍ଲୀବାସୀଙ୍କ ବିକାଶ କାର୍ଯ୍ୟ ସମ୍ଭବ ହେଉନଥିବା ଦର୍ଶାଇ ଗେହେଲୋଟ କହିଛନ୍ତି, ଦିଲ୍ଲୀବାସୀଙ୍କ ସେବା କରିବାକୁ ସେ ‘ଆପ୍’ରେ ଯୋଗ ଦେଇଥିଲେ । ସେହି କାର୍ଯ୍ୟ ଚାଲୁ ରଖିବାକୁ ସେ ଚାହୁଁଛନ୍ତି । ତେବେ, ‘ଆପ୍’ ମାଧ୍ୟମରେ ଏହା ସମ୍ଭବ ନଥିବା ଦେଖି ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛନ୍ତି । ଗେହେଲୋଟ ହେଉଛନ୍ତି ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ । ଦିଲ୍ଲୀର ନଜଫଗଡ ଆସନରୁ ସେ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ୨୦୧୫ରୁ ସେ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିଲେ । ଦିଲ୍ଲୀ ସରକାରଙ୍କ ନୂତନ ଅବକାରୀ ନୀତିର କାର୍ଯ୍ୟକାରିତାରେ ବ୍ୟାପକ ଦୁର୍ନୀତି ଅଭିଯୋଗରେ ପୂର୍ବତନ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜେଲ ଯିବା ପରେ ଗେହେଲୋଟଙ୍କୁ ଗୁରୁତ୍ୱପୂର୍ଣ୍ଣ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ୱ ମିଳି ଥିଲା । ଗେହେଲୋଟଙ୍କ ଇସ୍ତଫା ଉପରେ ବିଜେପି ତୁରନ୍ତ ପ୍ରତିକ୍ରିୟା ଦେଇଛି । ବିଜେପି ଜାତୀୟ ମୁଖପାତ୍ର ପୁନାୱାଲା କହିଛନ୍ତି, ଆମ୍ ଆଦମୀ ପାର୍ଟି (ଆପ୍) ଏବେ ‘ଖାସ୍ ଆଦମୀ ପାର୍ଟି’ରେ ପରିଣତ ହୋଇଛି । ଦଳ ଦିଲ୍ଲୀବାସୀଙ୍କୁ ଯାହା ସବୁ ପ୍ରତିଶ୍ରୁତି ଦେଇଥିଲା ସେସବୁ ରକ୍ଷା କରିବାରେ ବିଫଳ ହୋଇଛି । ଗେହେଲୋଟ ‘ଆପ୍’ର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବାରୁ ଦିଲ୍ଲୀ ବିଜେପି ମୁଖ୍ୟ ବିରେନ୍ଦ୍ର ସଚଦେବ ମଧ୍ୟ ତାଙ୍କୁ ପ୍ରଶଂସା କରିଛନ୍ତି । ଏହା ଏକ ‘ଦୃଢ ପଦକ୍ଷେପ’ ବୋଲି ସେ କହିଛନ୍ତି । ସଚଦେବ କହିଛନ୍ତି, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ସହ ଯେଉଁମାନେ ଥିଲେ ସେମାନେ ଏବେ ଅନୁଭବ କରୁଛନ୍ତି ଯେ ଦିଲ୍ଲୀବାସୀଙ୍କ ଟିକସ ଅର୍ଥରୁ ‘ଶିଶମହଲ’ର ନବୀକରଣ ହୋଇଛି । କେଜରୀୱାଲଙ୍କ ନେତୃତ୍ୱରେ ପରିଚାଳିତ ଡକାୟତଙ୍କ ଗ୍ୟାଙ୍ଗରେ କୌଣସି ସ୍ୱାଭିମାନୀ ବ୍ୟକ୍ତି ରହିବାକୁ ଚାହୁଁ ନାହାନ୍ତି । ତାହା ଗେହେଲୋଟଙ୍କ ଇସ୍ତଫାରୁ ସୂଚନା ମିଳୁଛି । ଗେହେଲୋଟ ଯଦି ବିଜେପିରେ ଯୋଗ ଦେବାକୁ ଚାହାନ୍ତି ଦଳ ତାଙ୍କୁ ସ୍ୱାଗତ କରିବ ବୋଲି ଦିଲ୍ଲୀ ବିଜେପି ମୁଖ୍ୟ କହିଛନ୍ତି । ଏଠରେ ସୂଚନାଯୋଗ୍ୟ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥାଇ ଅରବିନ୍ଦ କେଜରୀୱାଲ ଦିଲ୍ଲୀ ସରକାରଙ୍କ ଅବକାରୀ ଦୁର୍ନୀତି ମାମଲାରେ ଜେଲ ଯାଇଥିଲେ । ସୁପ୍ରିମ କୋର୍ଟରୁ ସର୍ତ୍ତମୂଳକ ଜାମିନରେ ଆସିବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ତାଙ୍କ ସ୍ଥାନରେ ଆତିଶୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି । ଗେହେଲୋଟ ‘ଆପ୍’ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ପରେ ବିଜେପିର ଦୁଇ ଥରର ବିଧାୟକ ଅନୀଲ ଝା କେଜରୀୱାଲଙ୍କ ଉପସ୍ଥିତିରେ ଆଜି ଆମ୍ ଆଦମୀ ପାର୍ଟି (ଆପ୍)ରେ ଯୋଗ ଦେଇଛନ୍ତି । ପୂର୍ବତନ ବିଧାୟକ ଝା କିରାରୀ ଆସନରୁ ଦୁଇ ଥର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । ବିଜେପିରେ ପୂର୍ବାଂଚଳୀଙ୍କ ସ୍ଥାନ ନାହିଁ ବୋଲି ଝା ‘ଆପ୍’ ଯୋଗଦେଇ କହିଛନ୍ତି । ‘ଆପ୍’ ପକ୍ଷରୁ ଅଭିଯୋଗ ହୋଇଛି, ଗେହେଲୋଟଙ୍କ ଉପରେ ଇଡି ଓ ଆୟକର ବିଭାଗ ଆଡୁ ପ୍ରବଳ ଚାପ ଥିଲା । ଗତ କିଛି ମାସ ହେଲା ସେ ଆୟକର ବିଭାଗର ଚାପରେ ଥିବା ସମସ୍ତେ ଜାଣନ୍ତି । ଆୟକର ଫାଙ୍କି ମାମଲାରେ ଗେହେଲୋଟ ଓ ତାଙ୍କ ପରିବାର ସଦସ୍ୟଙ୍କ ଉପରେ ୨୦୧୮ରେ ଆୟକର ଚଢାଉ ହୋଇଥିଲା । ଗତ ମାର୍ଚ୍ଚ ମାସରେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମଧ୍ୟ ତାଙ୍କୁ ସମନ ହୋଇଥିଲା । ତେଣୁ, ସେ ବିଜେପିକୁ ଯିବା ବ୍ୟତୀତ ଅନ୍ୟ ବିକଳ୍ପ ନଥିଲା । ‘ଆପ୍’ ବିଧାୟକ ଦୁର୍ଗେଶ ପାଠକ ଗଣମାଧ୍ୟମରେ ଏହା କହିଥିବା ବେଳେ ‘ଆପ୍’ ମୁଖ୍ୟ କେଜରୀୱାଲ ଗେହେଲୋଟଙ୍କ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନକୁ ଏଡାଇ ଯାଇ ମାଇକ ବିଧାୟକ ଦୁର୍ଗେଶ ପାଠକଙ୍କୁ ଧରାଇ ଦେଇଥିଲେ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS