୨୦୨୪ ମହାରାଷ୍ଟ୍ର ମହାଯୁଦ୍ଧ : ଧର୍ମଯୁଦ୍ଧ, ରଜାକରରୁ ରିଲ୍ ପର୍ଯ୍ୟନ୍ତ…
ପ୍ରସାଦ ରାଓ
୧୪ ନଭେମ୍ବର
ନଭେମ୍ବର ୨୦ ତାରିଖରେ ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଦିନକୁ ଦିନ ରୋଚକ ହେବାରେ ଲାଗିଛି । ବିଜେପି ନେତାମାନେ କଂଗ୍ରେସ ନେତାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରି ଏହି ନିର୍ବାଚନକୁ ଏକ ଧର୍ମଯୁଦ୍ଧ ବୋଲି ଖୋଲାମେଲା ମନ୍ତବ୍ୟ ଦେଉଥିବା ବେଳେ କଂଗ୍ରେସ ନେତାମାନେ ମଧ୍ୟ ସେହି ଭାଷାରେ ବିଜେପିକୁ ଉତ୍ତର ଦେଉଛନ୍ତି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ପାଇଁ ହେବାକୁ ଯାଉଥିବା ନିର୍ବାଚନ ଏକ ‘ଧର୍ମଯୁଦ୍ଧ’ କହି ଏହି ଯୁଦ୍ଧରେ ସାମିଲ ହେବାକୁ ହିନ୍ଦୁ ପରିବାରଙ୍କୁ ଆହ୍ୱାନ ଦେଇଥିବା ବେଳେ କଂଗ୍ରେସ ନେତା କହ୍ନେୟା କୁମାର ଦେବେନ୍ଦ୍ରଙ୍କ ପତ୍ନୀ ଅମୃତା ଫଡନାଭିସଙ୍କୁ ଟାର୍ଗେଟ କରି ଦେବେନ୍ଦ୍ର ଧର୍ମଯୁଦ୍ଧ କଥା କହୁଥିବା ବେଳେ ପତ୍ନୀ ଅମୃତା ‘ରିଲ୍ସ’ ବାନାଇବାରେ ବ୍ୟସ୍ତ ବୋଲି ଆକ୍ଷେପ କରି ବିବାଦ ଘେରକୁ ଆସିଛନ୍ତି । ସେହିଭଳି, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଟାର୍ଗେଟ୍ କରିଥିବା ବେଳେ ମଲ୍ଲିକାର୍ଜୁନ ଖର୍ଗେଙ୍କ ପୁଅ ପ୍ରିୟଙ୍କ ଖାର୍ଗେ ତାଙ୍କୁ ଜବାବ ଦେଇଛନ୍ତି । ମହାରାଷ୍ଟ୍ରର ଏକ ନିର୍ବାଚନ ସଭାରେ କଂଗ୍ରେସ ସଭାପତି ଖାର୍ଗେଙ୍କ ପ୍ରତି ୟୁପି ମୁଖ୍ୟମନ୍ତ୍ରୀଙ୍କ କଟାକ୍ଷ ଥିଲା, ‘ଖାର୍ଗେଜୀ…ଆଜିକାଲି ଆପଣ ମୋ ଉପରେ ବେଶ ରାଗୁଛନ୍ତି । ଆପଣ ଯଦି ରାଗିବାକୁ ଚାହୁଁଛନ୍ତି ହାଇଦ୍ରାବଦର ତତ୍କାଳୀନ ନିଜାମଙ୍କ ଉପରେ ରାଗନ୍ତୁ । ଭାରତରେ ବ୍ରିଟିଶ ଶାସନ ଚାଲିଥିବା ସମୟରେ ହାଇଦ୍ରାବାଦରେ ନିଜାମଙ୍କ ଶାସନ ଚାଲିଥିଲା । ନିଜାମଙ୍କ ରଜାକରମାନେ (ନିଜାମଙ୍କ ଖାସ ଅର୍ଦ୍ଧସାମରିକ ସେନା) ଆପଣଙ୍କ ଗ୍ରାମକୁ ପୋଡି ଛାରଖାର କରିଥିଲେ । ହିନ୍ଦୁ ପରିବାର ସେମାନଙ୍କ ବର୍ବରତାର ଶିକାର ହୋଇଥିଲେ । ଆପଣଙ୍କ ସମ୍ମାନୀୟ ମାତା, ଭଉଣୀ ଓ ପରିବାର ସଦସ୍ୟ ମଧ୍ୟ ନିଜାମଙ୍କ ରଜାକରଙ୍କ ହାତରେ ଜଳି ଯାଇଥିଲେ । ଯେତେବେଳେ ବି ସେମାନେ ବିଭାଜିତ ହୋଇଛନ୍ତି, ଏପ୍ରକାର ବର୍ବତାର ଶିକାର ହୋଇଛନ୍ତି । ଏହି ଅପ୍ରିୟ ସତ୍ୟକୁ ଆପଣ ଦେଶବାସୀ ସାମ୍ନାକୁ ଆଣନ୍ତୁ ।’ କଂଗ୍ରେସର ଭୋଟବ୍ୟାଙ୍କ ରାଜନୀତିକୁ ସୁରକ୍ଷିତ ରଖିବା ପାଇଁ ଦଳର ସଭାପତି ଖାର୍ଗେଜୀ ତାଙ୍କ ପିଲା ଦିନର ସେହି ପୀଡାକୁ ଦବାଇ ରଖିଛନ୍ତି । କାରଣ, ସେ ଜାଣନ୍ତି, ଏହି ସତ୍ୟ ପଦାକୁ ଆସିଲେ କଂଗ୍ରେସର ମୁସଲମାନ ଭୋଟବ୍ୟାଙ୍କ ଅନ୍ୟ ଆଡକୁ ଚାଲିଯିବ । କଂଗ୍ରେସର ଭୋଟବ୍ୟାଙ୍କ ରାଜନୀତି ପାଇଁ ଖାର୍ଗେଜୀ ତାଙ୍କ ପରିବାରର ବଳିଦାନକୁ ମଧ୍ୟ ଭୁଲିଗଲେ ବୋଲି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଜୀ ଆକ୍ଷେପ କରିଥିବା ବେଳେ ଏହାର ଉତ୍ତର ରଖିଛନ୍ତି କଂଗ୍ରେସ ସଭାପତିଙ୍କ ପୁତ୍ର ତଥା କର୍ଣ୍ଣାଟକ ସରକାରର ମନ୍ତ୍ରୀ ପ୍ରିୟଙ୍କ ଖାର୍ଗେ । ତାଙ୍କ ପିତା ପିଲା ଦିନର ସେହି ବ୍ୟକ୍ତିଗତ ପୀଡାରୁ କେବେ ରାଜନୈତିକ ଫାଇଦା ଉଠାଇ ନାହାନ୍ତି ବା ‘ଭିକ୍ଟିମ କାର୍ଡ’ ଖେଳି ନାହାନ୍ତି । ପିଲା ଥିବା ବେଳେ ଘଟିଥିବା ଏହି ଦୁଃଖଦ ଘଟଣାରୁ ସେ (ପିତା) ଅଳ୍ପକେ ବତ୍ତି ଯାଇଥିଲେ । ତାଙ୍କ ପିତା (ମଲ୍ଲିକାର୍ଜୁନ ଖାର୍ଗେ) ନଅ ଥରର ବିଧାୟକ, ସାଂସଦ, କେନ୍ଦ୍ର ମନ୍ତ୍ରୀ, ସଂସଦରେ ବିରୋଧୀ ଦଳ ନେତା ରହିବା ପରେ ଏବେ ନିଖିଳ ଭାରତ କଂଗ୍ରେସ କମିଟିର ସଭାପତି ଅଛନ୍ତି । ଅତୀତର ପୀଡାରୁ ତାଙ୍କ ପିତା କେବେ ରାଜନୈତିକ ଫାଇଦା ନେଇ ନାହାନ୍ତି ବା ଘୃଣାକୁ ପ୍ରଶ୍ରୟ ଦେଇ ନାହାନ୍ତି ବୋଲି ଜୁନିୟର ଖାର୍ଗେ ତାଙ୍କ ‘ଏକ୍ସ’ ପୋଷ୍ଟରେ କହିଛନ୍ତି । ତାଙ୍କ ପିତାଙ୍କ ପରିବାର ପ୍ରତି ଯେଉଁ ବର୍ବରତା ପ୍ରଦର୍ଶନ ହୋଇଥିଲା ସେଥିରେ ନିଜାମଙ୍କ ରଜାକରମାନେ ସଂଶ୍ଲୀଷ୍ଟ ଥିଲେ, ସମଗ୍ର ମୁସଲିମ୍ ସଂପ୍ରଦାୟ ନୁହେଁ । ‘ପ୍ରତ୍ୟେକ ସଂପ୍ରଦାୟରେ ଏବଂ ଗୋଷ୍ଠୀରେ ଏଭଳି ବିଭେଦକାରୀ ଅଛନ୍ତି, ଯେଉଁମାନେ କି ଅନ୍ୟର ଅନିଷ୍ଟ କଥା ଚିନ୍ତା କରନ୍ତି’ । ପିତା ୮୨ ବର୍ଷ ବୟସ୍କ ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କ ରାଜନୈତିକ ଜୀବନରେ ଭଗବାନ ବୁଦ୍ଧ, ବାସଭାନ୍ନା ଓ ସମ୍ବିଧାନ ପ୍ରଣେତା ବି.ଆର.ଆମ୍ବେଦକରଙ୍କ ନୀତି ଓ ଆଦର୍ଶକୁ ଗୁରୁତ୍ୱ ଦେଇ ଆସିଛନ୍ତି ଏବଂ ସେହି ରାସ୍ତାରେ ଚାଲିବାକୁ ସଂଗ୍ରାମ ଜାରି ରଖିଛନ୍ତି । ‘ଯୋଗୀଜୀ… ଆପଣ ମୋ ପିତାଙ୍କ ନୀତି ଓ ଆଦର୍ଶ ଉପରେ ବୁଲଡୋଜର ଚଳାଇ ପାରିବେ ନାହିଁ’ ବୋଲି ପୁଅ ପ୍ରିୟଙ୍କ ଖାର୍ଗେ ପାଲଟା ଆକ୍ରମଣ କରିଛନ୍ତି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ନିକଟରେ ମହାରାଷ୍ଟ୍ରର ଏକ ନିର୍ବାଚନ ସଭାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ‘ବଟେଙ୍ଗେ ତୋ କଟେଙ୍ଗେ…’ ସ୍ଲୋଗାନ ପାଇଁ ସମାଲୋଚନା କରିଥିଲେ । ‘ଅନେକ (ରାଜନେତା) ସାଧୁ ସନ୍ଥଙ୍କ ପରି ଗେରୁଆ ପୋଷାକ ପିନ୍ଧୁଛନ୍ତି । ରାଜନେତା ହୋଇଛନ୍ତି । ସେମାନଙ୍କ ଭିତରୁ କିଛି ମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି । ମୁଣ୍ଡ ଲଣ୍ଡା… ମୁଁ କହିବାକୁ ଚାହେଁ ସେମାନେ ଗେରୁଆ ପୋଷାକ ପରିତ୍ୟାଗ କରି ରାଜନେତାଙ୍କ ଭଳି ଧଳା ପୋଷାକ ପିନ୍ଧନ୍ତୁ, ଯଦି ସେ ନିଜକୁ ସନ୍ୟାସୀ ଭାବୁଛନ୍ତି, ରାଜନୀତି ପରିତ୍ୟାଗ କରନ୍ତୁ । ଗେରୁଆ ପୋଷାକ ପିନ୍ଧି ଘୃଣା ଓ ବିଭାଜନ ରାଜନୀତି କରନ୍ତୁ ନାହିଁ’ ବୋଲି କଂଗ୍ରେସ ସଭାପତି କଟାକ୍ଷ କରିଥିଲେ । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାହାର ଉତ୍ତର ଦେବାକୁ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ତାଙ୍କ ପିଲା ଦିନର ସେହି ଦୁଃଖଦ ଘଟଣା ମନେ ପକାଇ ଦେଇଥିଲେ । ମହାରାଷ୍ଟ୍ର ନିର୍ବାଚନ ରାଜନୀତି କେବଳ ଯୋଗୀ-ଖାର୍ଗେଙ୍କ ଏଭଳି ବୟାନବାଜୀରେ ସୀମିତ ନାହିଁ, କଂଗ୍ରେସ ନେତା କହ୍ନେୟା କୁମାର ମହାରାଷ୍ଟ୍ର ନିର୍ବାଚନରେ ‘ମହାୟୁତି’ ନେତା ଦେବେନ୍ଦ୍ର ଫଡନାଭିସ ଦେଇଥିବା ‘ଧର୍ମଯୁଦ୍ଧ’ ଆହ୍ୱାନକୁ କାଉଂଟର କରିବାକୁ ଯାଇ ଦେବେନ୍ଦ୍ରଙ୍କ ପତ୍ନୀ ଅମୃତା ଫଡନାଭିସ ଇନଷ୍ଟାଗ୍ରାମରେ କରୁଥିବା ରିଲ୍ କଥା ଉଠାଇ ବିଜେପି ଆଡୁ କଡା ବିରୋଧର ସମ୍ମୁଖୀନ ହୋଇଛନ୍ତି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ମହାୟୁତି’ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଥିବା ବରିଷ୍ଠ ବିଜେପି ନୋ ଦେବେନ୍ଦ୍ର ଫଡନାଭିସ ଗତ ସପ୍ତାହରେ ଅଉରଂଗାବାଦରେ ଏକ ନିର୍ବାଚନ ସଭାରେ ‘ଭୋଟ ଜିହାଦ’ କଥା ଉଠାଇ ଗତ ଲୋକସଭା ନିର୍ବାଚନରେ ଧୂଲେ ଲୋକସଭା ଆସନରେ ବିଜେପିର ପରାଜୟ ପାଇଁ ମାଲେଗାଓଁ ବିଧାନସଭା ନିର୍ବାଚନମଣ୍ଡଳୀରେ ହୋଇଥିବା ମୁସଲିମ୍ ଭୋଟ ଧ୍ରୁବୀକରଣକୁ ଦାୟି କରିଥିଲେ ଏବଂ ହିନ୍ଦୁ ମତଦାତାଙ୍କୁ ବିଧାନସଭା ନିର୍ବାଚନ ଏକ ‘ଧର୍ମଯୁଦ୍ଧ’ ବୋଲି କହି ନିଜ ପରିବାର ସହ ପ୍ରତ୍ୟେକ ହିନ୍ଦୁ ମତଦାତା ଏଥିରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । କଂଗ୍ରେସ ନେତା କହ୍ନେୟା କୁମାର ନାଗପୁରରେ ଏକ କଂଗ୍ରେସ ସମାବେଶରେ ଏହାକୁ ସମାଲୋଚନା କରି ‘ନିଜ ଧର୍ମକୁ ରକ୍ଷା କରିବା କେବଳ ଆମ ଦାୟିତ୍ୱ ନୁହେଁ, ପ୍ରତ୍ୟେକଙ୍କ ଏହି ଦାୟିତ୍ୱ ରହିଛି’ ବୋଲି କଟାକ୍ଷ କରିବା ସହ ଦେବେନ୍ଦ୍ର ‘ହିନ୍ଦୁ ଜିହାଦ’ କଥା କହୁଥିବା ବେଳେ ତାଙ୍କ ପତ୍ନୀ ଅମୃତା ଇନଷ୍ଟ୍ରାଗ୍ରମ୍ ରିଲ୍ ବନାଉଛନ୍ତି ବୋଲି କହିଥିଲେ । ବିଜେପି ଜାତୀୟ ମୁଖପାତ୍ର ଶେହେଜାଦ ପୁନାୱାଲା କହ୍ନେୟାଙ୍କ ମନ୍ତବ୍ୟ ଉପରେ ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । ଅମୃତାଙ୍କ ସଂପର୍କରେ କହ୍ନେୟାଙ୍କ ମନ୍ତବ୍ୟ ମହାରାଷ୍ଟ୍ରର ସମସ୍ତ ମରାଠି ମହିଳାଙ୍କ ପ୍ରତି ‘ଅପମାନସୂଚକ’ ବୋଲି ପୁନାୱାଲା କହିଛନ୍ତି । ଅପରପକ୍ଷରେ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଅଶୋକ ଚଭନ ନାନେ୍ଦଦରେ ଏକ ନିର୍ବାଚନ ସଭା ଅବସରରେ ଏକ ସମ୍ବାଦ ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ବଟେଙ୍ଗେ ତୋ କଟଙ୍ଗେ…’ ସ୍ଲୋଗାନ ‘ରୁଚିହୀନ, ମହାରାଷ୍ଟ୍ର ଜନତାଙ୍କ ପାଇଁ ଅର୍ଥହୀନ ଏବଂ ଲୋକେ ଏହାକୁ ପସନ୍ଦ କରୁ ନାହାନ୍ତି’ ବୋଲି କହିଛନ୍ତି । ‘ଭୋଟ ଜିହାଦ’ ଓ ‘ଧର୍ମଯୁଦ୍ଧ’ ସ୍ଲୋଗାନକୁ ମଧ୍ୟ ସେ ପସନ୍ଦ କରୁନଥିବା କହିଥିଲେ । ‘ମହାୟୁତି’ ଓ ବିଜେପିର ନୀତି ହେଉଛି – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ଓ ବିକଶିତ ମହାରାଷ୍ଟ୍ର । ତାହାକୁ ହିଁ ସେ ଗୁରୁତ୍ୱ ଦେଉଛନ୍ତି ବୋଲି ଚଭନ କହିଛନ୍ତି । ଅଶୋକ ଚଭନ ଦୀର୍ଘ ବର୍ଷ ଧରି କଂଗ୍ରେସ ରାଜନୀତିରେ ଥିଲେ ଏବଂ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଥିଲେ । ‘ଆଦର୍ଶ ହାଉସିଂ’ ଦୁର୍ନୀତିରେ ଫସି ସେ ୨୦୧୦ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସଂପ୍ରତ୍ତି ସେ ବିଜେପିରେ ଅଛନ୍ତି । ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) କୋଟାରେ ମରାଠୀଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଦାବି କରି ଆନ୍ଦୋଳନ କରୁଥିବା ମରାଠୀ ନେତା ମନୋଜ ଜରାଙ୍ଗଙ୍କ ପ୍ରତି ତାଙ୍କ ସମର୍ଥନ ଥିବା ଚଭନ କହିଛନ୍ତି । ଗତ ଫେବୃୟାରୀରେ ରାଜ୍ୟ ବିଧାନସଭାରେ ମୟାହୁତି ସରକାର ମରାଠୀ ସଂପ୍ରଦାୟକୁ ଶିକ୍ଷା ଓ ସସରକାରୀ ନିଯୁକ୍ତି କ୍ଷେତ୍ରରେ ୧୦ ପ୍ରତିଶତ ଆରକ୍ଷଣ ଦେବାକୁ ବିଲ୍ ଗୃହୀତ କରିଛନ୍ତି । ୨୦୨୪ ବଧାନସଭା ନିର୍ବାଚନରେ ‘ମହାୟୁତି’ ୨୮୮ ବିଧାନସଭା ଆସନରୁ ସଂଖ୍ୟାଗରିଷ୍ଠ ଆସନରେ ବିଜୟୀ ହେବ ଏବଂ ରାଜ୍ୟରେ ସରକାର କରିବ ବୋଲି ଚଭନ ଦୃଢୋକ୍ତି ପ୍ରକାଶ କରିଛନ୍ତି । ୨୦୧୯ ବିଧାନସଭା ନିର୍ବାଚନରେ ବିଧାନସଭାର ୨୮୮ ଆସନରୁ ବିଜେପି ସର୍ବାଧିକ ୧୦୫ ଆସନରେ ବିଜୟୀ ହୋଇଥିବା ବେଳେ ଅବିଭକ୍ତ ଶିବସେନା ୫୬, କଂଗ୍ରେସ ୪୪ ଓ ଏନସିପି ୫୪ ଆସନରେ ବିଜୟୀ ହୋଇଥିଲେ । ରାଜ୍ୟରେ ପ୍ରଥମେ ଏନସିପି ନେତା ଅଜିତ ପାୱାରଙ୍କ ସମର୍ଥନରେ ତିନି ଦିନ ପାଇଁ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ପରେ ଏନସିପି-ଶିବସେନା-କଂଗ୍ରେସ ମେଂଟ ବା ମହା ବିକାଶ ଅଘାଡି ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ସରକାର କଲେ । ଉଦ୍ଧବ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୨୨ରେ ଶିବସେନାରେ ଓ ୨୦୨୩ରେ ଏନସିପିରେ ବିଭାଜନ ଘଟିଛି । ୨୦୨୨ରେ ଶିବସେନାରେ ବିଭାଜନ ପରେ ମହାରାଷ୍ଟ୍ରରେ ଶିବସେନା (ଏକନାଥ ସିନ୍ଧେ) ଗୋଷ୍ଠୀ ବିଜେପି ସହ ମେଂଟ କରି ସରକାର କରିଛନ୍ତି ଏବଂ ସିନ୍ଧେ ମୁଖ୍ୟମନ୍ତ୍ରୀ ଅଛନ୍ତି । ୨୦୨୩ରେ ଏନସିପି ନେତା ଅଜିତ ପାୱାର ଦଳରେ ବିଭାଜନ ଘଟାଇ ଶିବସେନା (ସିନ୍ଧେ)-ବିଜେପି ସରକାରରେ ସାମିଲ ହୋଇଛନ୍ତି । ୨୦୨୪ ବିଧାନସଭା ନିର୍ବାଚନରେ ଶିବସେନା (ସିନ୍ଧେ)-ବିଜେପି-ଏନସିପି (ଅଜିତ ପାୱାରଙ୍କ ଶାସକ ମହାମେଂଟ ବା ‘ମହାୟୁତି’ ଏବଂ ଶିବସେନା (ଉଦ୍ଧବ ଠାକରେ)-କଂଗ୍ରେସ ଓ ଏନସିପି (ଶରଦଚନ୍ଦ୍ର ପାୱାର)ଙ୍କ ମହା ବିକାଶ ଅଘାଡି (ଏମଭିଏ) ମଧ୍ୟରେ ମୁହାଁମୁହିଁ ଲଢେଇ ହେଉଛି । ଦୁଇ ମେଂଟରେ ଅସନ୍ତୁଷ୍ଟଙ୍କ ଭିଡ଼ ଥିଲେ ମଧ୍ୟ ମହାନାୟକମାନେ ନିର୍ବାଚନ ପରିଚାଳନା କରୁଥିବାରୁ ଜନମତ କାହା ସପକ୍ଷରେ ଯିବ ତାହା ଦେଖିବା ଅପେକ୍ଷରେ ରହିଛି ସମଗ୍ର ଦେଶ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS