ବୁଲଡୋଜର ନ୍ୟାୟକୁ ନେଇ କଡା ଆଭିମୁଖ୍ୟ, ସୁପ୍ରିମ କୋର୍ଟ ଜାରି କଲେ ନିୟମାବଳୀ
ପ୍ରସାଦ ରାଓ
ନୂଆଦିଲ୍ଲୀ/୧୩ ନଭେମ୍ବର
ଦେଶର ବିଭିନ୍ନ ରାଜ୍ୟରେ ଅପରାଧୀଙ୍କୁ ଶିକ୍ଷା ଦେବା ନାମରେ ଯେଉଁ ‘ବୁଲଡୋଜର ନ୍ୟାୟ’ ଚାଲିଛି ତାହା ଉପରେ ସୁପ୍ରିମ କୋର୍ଟ କଡା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି । ସୁପ୍ରିମ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ଗତ ୧୦ ତାରିଖ ଦିନତାଙ୍କ କାର୍ଯ୍ୟକାଳର ଶେଷ ଦିବସରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ଆଇନର ଶାସନରେ ‘ବୁଲଡୋଜର ନ୍ୟାୟ’ ଗ୍ରହଣୀୟ ନୁହେଁ ବୋଲି ସ୍ପଷ୍ଟ କରିଥିଲେ । ସଂପତ୍ତି ନଷ୍ଟ ଧମକ ଦେଇ ନାଗରିକଙ୍କ ସ୍ୱରକୁ ଚାପି ଦିଆଯିବା କଦାପି ଗ୍ରହଣୀୟ ନୁହେଁ ବୋଲି ଜଷ୍ଟିସ ଚନ୍ଦ୍ରଚୂଡ ତାଙ୍କ ରାୟରେ ଦର୍ଶାଇ ଥିଲେ । ୧୧ ତାରିଖ ଦିନ ଜଷ୍ଟିସ ସଂଜୀବ ଖାନ୍ନା ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଏବଂ ଆଜି ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ବି.ଆର.ଗଭାଇ ଓ ଜଷ୍ଟିସ କେ.ଭି.ବିଶ୍ୱନାଥନଙ୍କ ଖଣ୍ଡପୀଠ କଡା ଆଭିମୁଖ୍ୟ ପ୍ରଦର୍ଶନ କରିବା ସହ ଏକ ଗାଇଡଲାଇନ୍ ଜାରି କରିଛନ୍ତି । ଜଣେ ଅଭିଯୁକ୍ତ ଅଦାଲତରେ ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ କାର୍ଯ୍ୟନିର୍ବାହୀ (ଏକଜିକ୍ୟୁଟିଭ)ମାନେ ତାଙ୍କୁ ଦୋଷୀ ଧରି ନେଇ ବିଚାର ବିଭାଗ ଓ ବିଚାର ବ୍ୟବସ୍ଥାର ସ୍ଥାନ ନେଇ ପାରିବେ ନାହିଁ ବୋଲି ଆଜି ଦୁଇ ଜଣିଆ ଖଣ୍ଡପୀଠ ରାୟ ଦେଇଛନ୍ତି । ଦେଶର ବିଭିନ୍ନ ରାଜ୍ୟ ବା ଅଂଚଳରେ ବିଭିନ୍ନ ଅପରାଧରେ ସଂପୃକ୍ତ ଥିବା ଅଭିଯୋଗରେ ଅଭିଯୁକ୍ତଙ୍କ ବିରୋଧରେ ହୋଇଥିବା ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରାଯାଇ ସୁପ୍ରିମ କୋର୍ଟରେ ଆଗତ ଆବେଦନଗୁଡିକୁ ବିଚାର କରି ଜଷ୍ଟିସ ଗଭାଇ ଓ ଜଷ୍ଟିସ ବିଶ୍ୱନାଥନଙ୍କ ଖଣ୍ଡପୀଠ ଆଜି ଏହି ରାୟରେ ଦେଇଛନ୍ତି । ଜଷ୍ଟିସ ଗଭାଇ ତାଙ୍କ ରାୟରେ କହିଛନ୍ତି, ନିଜ ପାଇଁ ଘରଟିଏ ପ୍ରତ୍ୟେକ ବ୍ୟକ୍ତି ଓ ପରିବାରର ସ୍ୱପ୍ନ । କାର୍ଯ୍ୟନିର୍ବାହୀଙ୍କୁ କାହାରି ବାସଗୃହକୁ ଭାଂଗି ଦେବା ଅଧିକାର ଦିଆଯିବ କି (?) – ତାହା ଆଜି ଅଦାଲତଙ୍କ ସମ୍ମୁଖରେ ବଡ ପ୍ରଶ୍ନ ହୋଇଛି । ଜଣେ ବ୍ୟକ୍ତି ବା ପରିବାରର ସ୍ଥିରତା ଓ ସୁରକ୍ଷାକୁ ମୁଣ୍ଡ ଉପରେ ଥିବା ଛାତଟି ସୁଦୃଢ କରିଥାଏ । ଜଣେ ବ୍ୟକ୍ତିଙ୍କ ବିରୋଧରେ ଆପରାଧିକ ମାମଲା ଥିଲେ ତାହାର ବିଚାରଣା ଅଦାଲତରେ ହୋଇଥାଏ ଏବଂ ଅଦାଲତ ହିଁ ଦୋଷୀକୁ ଦଣ୍ଡିତ କରିଥା’ନ୍ତି । ଭରତୀୟ ସମ୍ବିଧାନରେ ଏଭଳି ବ୍ୟବସ୍ଥା ରହିଛି । ତେବେ, ଅଭିଯୁକ୍ତ ଅଦାଲତରେ ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ତାଙ୍କୁ ଦୋଷୀ ବୋଲି ଧରି ନେଇ ଦଣ୍ଡବିଧାନ ସ୍ୱରୂପ ସଂପୃକ୍ତ ପରିବାର ବା ପରିବାରଗୁଡିକ ମୁଣ୍ଡ ଉପରେ ଥିବା ଛାତକୁ ଭୂ-ଲୁଂଠିତ କରିବା ଅଧିକାର କାର୍ଯ୍ୟନିର୍ବାହୀଙ୍କୁ ଅନୁମତି ଦିଆଯାଇପାରିବ କି (?) – ତାହା ହେଉଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ । ଏହି ପ୍ରଶ୍ନକୁ ବିଚାର କରିବାକୁ ହେଲେ ଆଇନରେ ଥିବା ବ୍ୟବସ୍ଥାକୁ ତର୍ଜମା କରିବାକୁ ପଡିବ, ଯାହାକି ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଉପରେ ପର୍ଯ୍ୟବସିତ । ସମ୍ବିଧାନରେ ବିଚାର ବିଭାଗ ଓ କାର୍ଯ୍ୟନିର୍ବାହୀଙ୍କ ଅଧିକାରକୁ ନେଇ ସ୍ପଷ୍ଟ ବିଭାଜନ ରହିଛି । କାର୍ଯ୍ୟନିର୍ବାହୀ କଦାପି ବିଚାର ବ୍ୟବସ୍ଥା (ଜୁଡିସିଆରୀ)ର ସ୍ଥାନ ନେଇ ପାରିବେ ନାହିଁ । କୌଣସି ବ୍ୟକ୍ତିଙ୍କ ବିରୋଧରେ ଅପରାଧ ମାମଲା ରହିଛି ବୋଲି ଯଦି କାର୍ଯ୍ୟନିର୍ବାହୀମାନେ ମୁନମୁଖୀ ଭାବେ ନାଗରିକମାନଙ୍କ ଘର ବୁଲଡୋଜର ଲଗାଇ ଭାଂଗି ଦିଅନ୍ତି ତେବେ ଆଇନର ଶାସନ ରହିଲା କେଉଁଠି (?) ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି । ଏହା ବିଚାର ବିଭାଗ ଓ କାର୍ଯ୍ୟନିର୍ବାହୀଙ୍କ ମଧ୍ୟରେ ଥିବା କ୍ଷମତା ବିଭାଜନକୁ ମଧ୍ୟ ଉଲଂଘନ କରୁଛି ବୋଲି ଜଷ୍ଟିସ ଗଭାଇ କହିଛନ୍ତି । ଯେଉଁ ସରକାରୀ ଅଧିକାରୀମାନେ ଆଇନକୁ ହାତକୁ ନେଇ ମନମୁଖୀ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଉତ୍ତରଦାୟୀ କରାଯିବା ଆବଶ୍ୟକ । ରାଜ୍ୟ ବା ରାଜ୍ୟ ସରକାରଙ୍କ ଅଧିକାରୀମାନେ ମନମୁଖୀ ଭାବେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇ ପାରିବେ ନାହିଁ । ରାଜ୍ୟର ଯଦି କୌଣସି ଅଧିକାରୀ ଯଦି କ୍ଷମତାର ଦୂରୁପଯୋଗ କରୁଛନ୍ତି ଓ କ୍ଷମତା ବାହାରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଛଡା ଯିବ ନାହିଁ ବୋଲି ସୁପ୍ରମି କୋର୍ଟ ଖଣ୍ଡପୀଠ ସ୍ପଷ୍ଟ ଭାବେ କହିଛନ୍ତି । ଜଣେ ବ୍ୟକ୍ତି କୋର୍ଟ ଦ୍ୱାରା ନିରପେକ୍ଷ ବିଚାରଣାର ସମ୍ମୁଖୀନ ହୋଇ ସାକ୍ଷ୍ୟ, ପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ ନହେବା ପର୍ଯ୍ୟନ୍ତ ତାଙ୍କୁ ଦୋଷୀ ବୋଲି ଘୋଷଣା କରାଯାଇପାରିବ ନାହିଁ । ଜଣେ ଅଭିଯୁକ୍ତ ହେଉ, ବିଚାରାଧୀନ ବନ୍ଦୀ ହେଉ ବା କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥାଉ – ଜଣେ ସାଧାରଣ ନାଗରିକ ଭଳି ସମାନ ଅଧିକାର ସେମାନଙ୍କର ରହିଛି । ଆତ୍ମସମ୍ମାନର ସହ ବଂଚିବାର ଅଧିକାର ରହିଛି । ସେମାନଙ୍କ ପ୍ରତି ଅମାନୁଷିକ ବ୍ୟବହାର କରାଯାଇପାରିବ ନାହିଁ । ବୁଲଡୋଜର ଲଗାଇ ସେମାନଙ୍କ ଘର ଭାଂଗି ଦିଆଯିବା ସାମାଜିକ ନ୍ୟାୟର ପରିପନ୍ଥୀ ଏବଯ ତାହା ଭୟର ବାତାବରଣ ସୃଷ୍ଟି କରୁଛି ବୋଲି ଖଣ୍ଡପୀଠ କହିଛନ୍ତି । ସମ୍ବିଧାନର ଅନୁଚ୍ଛେଦ ୧୪୨ରେ ମିଳିଥିବା କ୍ଷମତା ଆଧାରରେ ସୁପ୍ରିମ କୋର୍ଟ ଘରଭଂଗାକୁ ନେଇ ଆଜି ନୂତନ ନିର୍ଦେଶାବଳୀ ଜାରି କରିଛନ୍ତି । କାରଣଦର୍ଶାଅ ନୋଟିସ ଜାରି ବିନା କାହାରି ଘର ଭଂଗାଯାଇ ପାରିବ ନାହିଁ ଏବଂ ନୋଟିସର ଉତ୍ତର ଦେବାକୁ ସଂପୃକ୍ତ ବ୍ୟକ୍ତିଙ୍କୁ ୧୫ ଦିନ ସମୟ ଦେବାକୁ ପଡିବ । ଏହି ନୋଟିସରେ କେଉଁ ଧରଣର ବେଆଇନ ନିର୍ମାଣ କାର୍ଯ୍ୟ ହୋଇଛି ଏବଂ ନିଦ୍ଧିଷ୍ଟ ଭାବେ କେଉଁଠି ଆଇନର ଉଲଂଘନ ହୋଇଛି – ତାହା ବିସ୍ତୃତ ଭାବେ ଉଲ୍ଲେଖ କରିବାକୁ ପଡିବ । ସଂପୃକ୍ତ ସରକାରୀ କର୍ତ୍ତୃପକ୍ଷ ଅଭିଯୁକ୍ତଙ୍କ କଥାକୁ ଶୁଣିବା ପରେ ହିଁ ଆବଶ୍ୟକ ନିର୍ଦେଶନାମା ଜାରି କରିବେ । ଅଭିଯୁକ୍ତ ଘର ମାଲିକଙ୍କୁ ବେଆଇନ ନିର୍ମାଣ ହଟାଇବା ପାଇଁ ୧୫ ଦିନ ସମୟ ଦେବାକୁ ପଡିବ । ଏହାପରେ, ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଆଦେଶ ଉପରେ ଯଦି କୌଣସି ଅଦାଲତ ରୋକ୍ ଲଗାଇ ନାହାନ୍ତି ତେବେ ଯାଇ ବେଆଇନ ନିର୍ମାଣ ଉଚ୍ଛେଦ ଦିଗରେ ପଦକ୍ଷେପ ନେଇ ପାରିବେ । କୋର୍ଟଙ୍କ ଆଦେଶର ଉଲଂଘନ ହେଲେ ‘ଆଇନ ଅବମାନନା’ ମାମଲାର ସମ୍ମୁଖୀନ ହେବ ବୋଲି ସୁପ୍ରିମ କୋର୍ଟ ସରକାରୀ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି । ଯେଉଁଠି ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶାବଳୀ ଉଲଂଘନ କରାଯାଇ ସଂପତ୍ତି ନଷ୍ଟ କରାଯାଇଥିବା ଜଣାପଡିବ ସେଠାରେ ସଂପୃକ୍ତ ଅଧିକାରୀମାନେ ସେହି ସଂପତ୍ତିର ପୁନଃନିର୍ମାଣ କରି ପୂର୍ବାବସ୍ଥାକୁ ଫେରାଇ ଆଣିବାକୁ ବାଧ୍ୟ । ସମସ୍ତ ଖର୍ଚ୍ଚ ସେମାନଙ୍କ ଦରମାରୁ ଆଦାୟ କରାଯିବ ବୋଲି ସୁପ୍ରିମ କୋର୍ଟ ଖଣ୍ଡପୀଠ ଆଜିର ନିର୍ଦେଶାବଳୀରେ ସ୍ପଷ୍ଟ କରିଛନ୍ତି । ସମସ୍ତ ପୌର କର୍ତ୍ତୃପକ୍ଷ ତିନି ମାସ ମଧ୍ୟରେ ନିଜ ନିଜ ଡିଜିଟାଲ ପୋର୍ଟାଲ ପ୍ରସ୍ତୁତ କରି ସେଥିରେ ବେଆଇନ ନିର୍ମାଣ ନେଇ କେତେ କାରଣଦର୍ଶାଅ ନୋଟିସ ଜାରି ହୋଇଛି ଏବଂ ତାହା ଉପରେ ଚୂଡାନ୍ତ ଆଦେଶ କଣ ହୋଇଛି ତାହାର ବିସ୍ତୃତ ବିବରଣୀ ଉପସ୍ଥାପନ କରିବାକୁ ମଧ୍ୟ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି । ତେବେ, ରାସ୍ତା ଉପରେ, ଗଳିରେ, ଫୁଟପାଥ, ରେଳ ଲାଇନ, ଜଳାଶୟ ଭଳି ସର୍ବସାଧାରଣ ସ୍ଥାନ ଉପରେ ହୋଇଥିବା ବେଆଇନ ନିର୍ମାଣ ଉଚ୍ଛେଦ କରିବା ପାଇଁ କୋର୍ଟଙ୍କ ଏହି ନିର୍ଦେଶାବଳୀ ଲାଗୁ ନୁହେଁ ବୋଲି ସୁପ୍ରିମ କୋର୍ଟ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS