ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଆଦିବାସୀ; ତଥାପି ଆଦିବାସୀଙ୍କ ଭାଗ୍ୟ ବଦଳୁନି ?
ପ୍ରସାଦ ରାଓ
ଭୁବନେଶ୍ୱର,୧୧/ନଭେମ୍ବର
ଦେଶର ରାଷ୍ଟ୍ରପତି ହେଉଛନ୍ତି ଜଣେ ଆଦିବାସୀ ମହିଳା (ଓଡ଼ିଶାର) । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଜଣେ ଆଦିବାସୀ ନେତା । ରାଜ୍ୟ ମନ୍ତ୍ରୀ ପରିଷଦରେ ମଧ୍ୟ ଆଦିବାସୀଙ୍କ ସଂଖ୍ୟା କିଛି କମ୍ ନୁହେଁ । ଝାଡଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଓଡ଼ିଶାରେ ଜଣେ ଆଦିବାସୀ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ କରି ଆଦିବାସୀ ସମାଜକୁ ଏକ ବାର୍ତ୍ତା ଦେବାକୁ ଚାହିଁଛି ଯେ ଆଦିବାସୀ ସଂପ୍ରଦାୟ ପ୍ରତି ଦଳର ଯଥେଷ୍ଟ ଅନୁକଂପା ରହିଛି । ତେବେ, ଆଜି ମଧ୍ୟ ଓଡ଼ିଶାର ଦୁର୍ଗମ ପାର୍ବତ୍ୟାଂଚଳରେ ବସବାସ କରୁଥିବା ଆଦିବାସୀମାନେ ପେଟପୁରା ଖାଦ୍ୟ ଓ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଉ ନାହାନ୍ତି । ଖାଦ୍ୟାଭାବରୁ ଅଖାଦ୍ୟ ଖାଇ ସେମାନେ ମରୁଥିବା ବେଳେ ସରକାର ଆଦିବାସୀଙ୍କ ନାମରେ ରାଜନୀତି କରୁଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଗତ ଅକ୍ଟୋବର ୩୦ ତାରିଖ ରାତିରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ମାଣ୍ଡିପଂକା ଗ୍ରାମରେ ଘଟିଥିବା ଅପମୃତ୍ୟୁ ଘଟଣା । ଭାତ ରାନ୍ଧି ଖାଇବାକୁ ଘରେ ଚାଉଳ ନଥିବାରୁ ଏହି ଗ୍ରାମର କିଛି ମହିଳା ପେଟ ବିକଳରେ ଆମ୍ବଟାକୁଆ ଜାଉ ଖାଇ ଗୁରୁତର ଅସୁସ୍ଥ ହୋଇଥିଲେ । ପରଦିନ ସକାଳେ ସେମାନଙ୍କୁ ଗୁରୁତର ଅବସ୍ଥାରେ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ର୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ସେହି ଦିନ (ଅକ୍ଟୋବର ୩୧) ଜଣକର ଓ ପରଦିନ (ନଭେମ୍ବର ୦୧) ଅନ୍ୟ ଜଣକର ମୃତ୍ୟୁ ଘଟିଥିଲା । ଗୁରୁତର ଅସୁସ୍ଥ ୦୮ ମହିଳାଙ୍କ ମଧ୍ୟରୁ ଦୁଇ ଜଣ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୦୬ ଜଣ କଟକ ବଡ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ବ୍ରାହ୍ମଣୀଗାଁ ଡାକ୍ତର ଗୁରୁତର ଅସୁସ୍ଥ ଥିବା ମହିଳାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ଏବଂ ପରେ ବ୍ରହ୍ମପୁର ବଡ ମେଡିକାଲ ଡାକ୍ତରମାନେ ସେମାନଙ୍କୁ କଟକ ବଡ ମେଡିକାଲକୁ ରେଫର୍ କରି କାମ ସାରିଥିଲେ । କଟକ ବଡ ମେଡିକାଲରେ ଆଇସିୟୁରେ ରହି ଏହି ମହିଳାମାନେ ଚିକିତ୍ସିତ ହେଉଛନ୍ତି । ଆମ୍ବଟାକୁଆ ଜାଉର ବିଷକ୍ରିୟା ସେମାନଙ୍କ ଅଂଗ ପ୍ରତ୍ୟଂଗକୁ ଅଚଳ କରିଥିବା ବେଳେ ଚିକିତ୍ସା ପରେ ସେମାନେ କ୍ରମଶଃ ସୁସ୍ଥ ହେଉଥିବା କୁହାଯାଉଛି । ଏଥିରୁ ଦୁଇଟି କଥା ସ୍ପଷ୍ଟ ହେଉଛି । ପ୍ରଥମଟି ହେଉଛି, ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଆଜି ମଧ୍ୟ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଅପହଂଚ ରହିଛି । ଦ୍ୱିତୀୟ କଥା ହେଉଛି, ଭାରତ ସରକାର କୋଭିଡ -୧୯ ପରଠାରୁ ଦେଶର ୮୦ କୋଟି ଲୋକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦେଉଥିବା ଦାବି କରୁଥିବା ବେଳେ କନ୍ଧମାଳ ଜିଲ୍ଲାର ଦୁର୍ଗମ ମାଣ୍ଡିପଂକା ଗ୍ରାମର ଆଦିବାସୀ ମହିଳାମାନେ ଭାତ ରାନ୍ଧି ଖାଇବାକୁ ଚାଉଳ ନଥିବାରୁ ଘରେ ଗଚ୍ଛିତ ଥିବା ଆମ୍ବଟାକୁଆ ଗୁଣ୍ଡର ଜାଉ ଖାଇ ବିଷକ୍ରିୟାରେ ପଡିତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ଘଟି ସାରିଛି । ଏହି ଘଟଣା ପରେ ଗ୍ରାମବାସୀଙ୍କ ଅଭିଯୋଗ ହେଉଛି, ବିଭିନ୍ନ ଆଳ ଦେଖାଇ ରାଜ୍ୟ ସରକାର ତିନି ମାସ ହେଲା ଗ୍ରାମକୁ ପିଡିଏସ ଚାଉଳ ଯୋଗାଇ ନଥିବାରୁ ଭୋକ ସମ୍ଭାଳି ନପାରି ସଂପୃକ୍ତ ମହିଳାମାନେ ୩୦ ତାରିଖ ରାତିରେ ଘରେ ଗଚ୍ଛିତ ଥିବା ଆମ୍ବଟାକୁଆ ଚୁନାର ଜାଉ ଖାଇ ଗୁରୁତର ଅସୁସ୍ଥ ହୋଇଥିଲେ । ଗୁରୁତର ଅସୁସ୍ଥ ୦୮ ଜଣଙ୍କ ମଧ୍ୟରୁ ଜଣକର ବ୍ରାହ୍ମଣୀଗାଁ ସ୍ୱସ୍ଥ୍ୟ କେନ୍ଦ୍ରରୁ ବ୍ରହ୍ମପୁର ନିଆଯିବା ବାଟରେ ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ ଜଣେ ମହିଳା ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ନଭେମ୍ବର ୦୧ ତାରିଖ ଦିନ ପ୍ରାଣ ହରାଇଥିଲେ । ବାକି ଛଅ ଜଣଙ୍କୁ କଟକ ବଡ ମେଡିକାଲରେ ଚିକିତ୍ସା କରାଯାଉଛି । ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯଦି ଉପଯୁକ୍ତ ଚିକିତ୍ସା ଭିତ୍ତିଭୂମି ଥାଆନ୍ତା ତେବେ ଏହି ମହିଳାଙ୍କୁ ବ୍ରହ୍ମପୁର ବା କଟକ ସ୍ଥାନାନ୍ତର କରିବାକୁ ପଡିନଥା’ନ୍ତା ଏବଂ ରାଜ୍ୟ ସରକାର ଦୁଇଟି ଅପମୃତ୍ୟୁର ଅପବାଦ ମୁଣ୍ଡାଇ ନଥାନ୍ତେ । ରାଜ୍ୟ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶାସିତ ହେଉଥିବା ବେଳେ ଓ ସରକାରରେ ଆଦିବାସୀ ମନ୍ତ୍ରୀଙ୍କ ସଂଖ୍ୟା କିଛି କମ୍ ନଥିବା ବେଳେ ସରକାର ଏଭଳି ଏକ ଅପବାଦ ମୁଣ୍ଡାଇବା ନିଶ୍ଚିତ ଭାବେ ଲଜ୍ୟାଜନକ । ତେବେ, ରାଜ୍ୟ ସରକାର ଏହି ଘଟଣା ସଂପର୍କରେ ଅବଗତ ହେବା ପରେ ଯେଭଳି ପ୍ରତିକ୍ରିୟା ବ୍ୟକ୍ତ କଲେ ତାହା ସରକାର ଘଟଣାକୁ ଗମ୍ଭୀରତାର ସହ ନେଇନଥିବା ଭଳି ମନେ ହେଲା । ରାଜ୍ୟର ଜଣେ ବରିଷ୍ଠ ମନ୍ତ୍ରୀ କହିଲେ, ଆମ୍ଭଟାକୁଆ ଜାଉ ଖାଇବା ଆଦିବାସୀଙ୍କ ପରଂପରା । ତେଣୁ, ମାଣ୍ଡିପଂକା ଗ୍ରାମର ମହିଳାମାନେ ଆମ୍ବଟାକୁଆ ଜାଉ ଖାଇବାରେ କିଛି ବିଚିତ୍ରତା ନାହିଁ । ରାଜ୍ୟ ଯୋଗାଣ ମନ୍ତ୍ରୀ କହିଲେ, ରାଜ୍ୟରେ ଯଥେଷ୍ଟ ପରିମାଣର ଚାଉଳ ଗଚ୍ଛିତ ରହିଛି । ଖାଦ୍ୟାଭାବ ସମସ୍ୟା ନାହିଁ । ପୂର୍ବ ସରକାର ଅମଳରେ ହୋଇଥିବା ଘୋର ଅବ୍ୟବସ୍ଥା କାରଣରୁ ଆଜି ଏହି ସରକାରକୁ ଅପବାଦ ମୁଣ୍ଡାଇବାକୁ ପଡୁଛି । ଆଉ ଜଣେ, ଦୁଇ ଜଣ ବରିଷ୍ଠ ମନ୍ତ୍ରୀ ଗଣମାଧ୍ୟମରେ ବୟାନ ରଖିଲେ, ରାଜ୍ୟରେ ପୂର୍ବରୁ ମଧ୍ୟ ଆମ୍ବଟାକୁଆ ଜାଉ ଖାଇ ମୃତ୍ୟୁ ଘଟିଥିବା ନଜିର ରହିଛି । ତେଣୁ, ଅଯଥା ରାଜ୍ୟ ବିଜେପି ସରକାରଙ୍କୁ ବଦନାମ କରିବା ଉଦ୍ୟମ ହେଉଛି । ସରକାରଙ୍କୁ ସୁରକ୍ଷା ଦେଉଥିବା କିଛି ଗଣମାଧ୍ୟମ ଆଦିବାସୀଙ୍କ ଆମ୍ବଟାକୁଆ ଜାଉ ଖାଇବା ଅଭ୍ୟାସକୁ ନେଇ ଲମ୍ବା ରିପୋର୍ଟ ମଧ୍ୟ ଛାପିଲେ । ତେବେ, କେହି ପଚାରିଲେ ନାହିଁ, କେଉଁ ପରିସ୍ଥିତିରେ ମାଣ୍ଡିପଂକା ଗ୍ରାମରେ ତିନି ମାସ ହେଲା ପିଡିଏସ ଚାଉଳ ପହଂଚି ନଥିଲା ! ଯେଉଁ ସରକାର ବିଭିନ୍ନ ଆଳ ଦେଖାଇ ଚାଉଳ ଯୋଗାଇବା ବନ୍ଦ କରିଥିଲେ ମାଣ୍ଡିପଂକା ଗ୍ରାମରେ ଦୁଇଟି ଅପମୃତ୍ୟୁ ଘଟିବାକୁ ନେଇ ଜାତୀୟସ୍ତରରେ ଚର୍ଚ୍ଚାକୁ ଆସିଯିବା ପରେ ତୁରନ୍ତ ତିନି ମାସର ଚାଉଳ କୋଟା ଏକାଠି ସେହି ଗ୍ରାମରେ ପହଂଚାଇ ଦେଲେ । ମୁଖ୍ୟମନ୍ତ୍ରୀ ଖାଦ୍ୟ ଓ ଯୋଗାଣ ବିଭାଗ ଦାୟିତ୍ୱରେ ଥିବା ଶାସନ ସଚିବଙ୍କୁ ଅନ୍ୟ ବିଭାଗକୁ ବଦଳି କରି ଅନ୍ୟ ଜଣେ ଶାସନ ସଚିବଙ୍କ ହାତରେ ଯୋଗାଣ ବିଭାଗର ଅତିରିକ୍ତ ଦାୟିତ୍ୱ ସମର୍ପି ଦେଇଛନ୍ତି । ମାଣ୍ଡିପଂକା ଘଟଣାରୁ ରାଜ୍ୟ ସରକାରଙ୍କ ଦେହରେ ଯେଉଁ କଳଙ୍କ ଲାଗିଛି ତାହା ଛଡାଇବାକୁ ସରକାର ଉଦ୍ୟମ କରୁଥିଲେ ମଧ୍ୟ ଚର୍ଚ୍ଚା ଥମୁନାହିଁ । ରାଜ୍ୟର ଦୁର୍ଗମ ଆଦିବାସୀ ଅଂଚଳ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯେତେ ଯାହା ସ୍କିମ୍ ଥାଉନା କାହିଁକି ଖାଦ୍ୟାଭାବ ସମସ୍ୟା ଏକ ଚିରନ୍ତନ ସମସ୍ୟା ହୋଇ ରହି ଆସିଛି । ବନବାସୀ ପାହାଡ ତାଡି ନିଜ ପାଇଁ ଉତ୍ପାଦନ କରୁଥିବା ଖାଦ୍ୟଶସ୍ୟ ସାମୟିକ ଭାବେ ସେମାନଙ୍କ ଗୁଜରାଣ ମେଂଟାଇ ଥାଏ । ଖାଦ୍ୟାଭାବର ମୁକାବିଲା ପାଇଁ ସେମାନେ ଆମ୍ବ, ପଣସ ଫଳିବା ଋୁତୁରେ ଫଳ ଖାଇଥା’ନ୍ତି ଏବଂ ତିରୋଟ ସମୟରେ ଅଭାବ ମେଂଟାଇବା ପାଇଁ ଆମ୍ବଟାକୁଆ, ପଣସ ମଂଜି ପ୍ରଭୃତି ସଂଗ୍ରହ କରି ଗଚ୍ଛିତ ରଖନ୍ତି । ଭାତ ଖାଇବାକୁ ଚାଉଳ ନ ମିଳିଲେ ଆମ୍ବଟାକୁଆ ଚୁନା ଜାଉ ଖାଇ ଭୋକ ମେଂଟାନ୍ତି । ସମନ୍ୱିତ ଆଦିବାସୀ ଉନ୍ନୟନ ଯୋଜନା (ଆଇଟିଡିଏ) ମାଧ୍ୟମରେ ଆଦିବାସୀ ଅଂଚଳରେ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବ୍ୟୟ କରିଥିଲେ ମଧ୍ୟ ଦୁର୍ଗମ ଅଂଚଳରେ ବସବାସ କରୁଥିବା ଆଦିବାସୀଙ୍କ ଆର୍ଥିକ ଓ ସାମାଜିକ ସ୍ଥତି ପୂର୍ବବତ ରହିଛି । ରାଜ୍ୟର ଯେକୌଣସି ଆଦିବାସୀ ଅଧ୍ୟୁଷିତ ଅଂଚଳକୁ ଗସ୍ତ କଲେ ଜଣେ ତାହା ଅନୁଭବ କରିପାରିବ । ସେସବୁ ଅଂଚଳରେ ଥିବା ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ । ବିଭିନ୍ନ ସମୟରେ ଓ ଅଂଚଳରେ ଏହାର ବିକଳ ଚିତ୍ର ଦେଖିବାକୁ ମିଳିଛି । ମାଣ୍ଡିପଂକା ଗ୍ରାମରେ କେବଳ ତାହାର ପୁନରାବୃତ୍ତି ଘଟିଛି । ଦୁର୍ଗମ ଆଦିବାସୀ ଅଂଚଳରେ ବସବାସ କରୁଥିବା ଲୋକମାନେ କୌଣସି କାରଣରୁ ଗୁରୁତର ସ୍ୱାସ୍ଥ୍ୟ ସଂକଟର ସମ୍ମୁଖୀନ ହେଲେ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ସେଥିପାଇଁ ସେମାନଙ୍କୁ ଦୀର୍ଘ ରାସ୍ତା ଅତିକ୍ରମ କରିବାକୁ ପଡିଥାଏ । ଅନେକ ସମୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥା’ନ୍ତି ଏବଂ କଂପାଉଣ୍ଡରମାନେ ଡାକ୍ତରଙ୍କ ଦାୟିତ୍ୱ ତୁଲାଇ ଥା’ନ୍ତି । ଦୈବାତ କେଉଁଠି ଡାକ୍ତର ଥିଲେ ଚିକିତ୍ସା ପାଇଁ ଉପଯୁକ୍ତ ଭିତ୍ତିଭୂମି ନଥିବାରୁ ଗୁରୁତର ଅସୁସ୍ଥଙ୍କୁ ବହୁ ଦୂରରେ ଥିବା ବଡ ମେଡିକାଲ ବା ମେଡିକାଲ କଲେଜ ହସ୍ପିଟାଲକୁ ରେଫର୍ କରି ଦିଆଯାଏ । କାରଣ, ରୋଗୀକୁ ଥରେ ବଡ ମେଡିକାଲକୁ ରେଫର୍ କରି ଦେଲେ ସ୍ଥାନୀୟ ଡାକ୍ତର ନିଶ୍ଚିନ୍ତ ହୋଇଯାଆନ୍ତି । ସରକାରଙ୍କ ନିକଟରେ ଉତ୍ତରଦାୟୀ ହେବାକୁ ପଡି ନଥାଏ । କନ୍ଧମାଳରୁ ବ୍ରହ୍ମପୁର ଓ ବ୍ରହ୍ମପୁରରୁ କଟକ ବଡ ମେଡିକାଲ – ଗୁରୁତର ରୋଗୀଙ୍କୁ ରେଫର କରିଦେବା ଏକ ସ୍ୱାଭାବିକ ପ୍ରକ୍ରିୟାରେ ପରିଣତ ହୋଇସାରିଛି । ବିଷାକ୍ତ ଆମ୍ବଟାକୁଆ ଜାଉ ଖାଇ ମୃତ୍ୟୁବରଣ କରିଥିବା ମାଣ୍ଡିପଂକା ଗ୍ରାମର ଦୁଇ ମହିଳା ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯଦି ତୁରନ୍ତ ଉଚିତ ଚିକିତ୍ସା ପାଇଥା’ନ୍ତେ ତେବେ ସେମାନଙ୍କ ଅକାଳ ମୃତ୍ୟୁ ଘଟି ନଥା’ନ୍ତା ବୋଲି ଗ୍ରାମବାସୀ କହୁଛନ୍ତି । ତେବେ, ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଉତ୍ତରଦାୟିତ୍ୱ ନେବା ବଦଳରେ ଆମ୍ବଟାକୁଆ ଜାଉ ଖାଇବା ଆଦିବାସୀଙ୍କ ପରଂପରା ଓ ଅଭ୍ୟାସ ବୋଲି ଯୁକ୍ତି ବାଢିବା ସରକାରଙ୍କ ଅନଭିଜ୍ଞତା ଓ ଅସମ୍ବେଦନଶୀଳତାକୁ ପ୍ରମାଣିତ କରୁଛି । ଆଦିବାସୀମାନେ କେବଳ ଆମ୍ବଟାକୁଆ ଜାଉ ନୁହେଁ, ଝଡି ପୋକରୁ ଆରମ୍ଭ କରି ଅନେକ କିଛି ଖାଆନ୍ତି । ତେବେ, ତାହା ସଉକରେ ଖାଆନ୍ତି କି ଅଭାବରୁ ଖାଆନ୍ତି – ତାହା ସରକାର କହିବା ଆବଶ୍ୟକ । ମାଣ୍ଡିପଂକା ଘଟଣା ପରେ ଆଉ ଏକ ସମସ୍ୟା ମଧ୍ୟ ଲୋକଲୋଚନକୁ ଆସିଛି । ତାହା ହେଉଛି, ସରକାର ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମରେ ଆଦିବାସୀ ପରିବାରଙ୍କୁ ମାସକୁ ଜଣ ପିଛା ଯେଉଁ ପାଂଚ କିଲୋ ଚାଉଳ ଦେଉଛନ୍ତି ସେଥିରେ ଆଦିବାସୀଙ୍କ ପେଟ ପୁରୁନାହିଁ । ସରକାରୀ ଚାଉଳ ସହ ଆମ୍ବଟାକୁଆ ଜାଉ ସେମାନଙ୍କ ଖାଦ୍ୟ ହୋଇଛି । ଜାଉ ଅଧିକ ଦିନ ରହିଲେ ବିଷାକ୍ତ ହୋଇଯିବା ଆଶଙ୍କା ରହିଛି । ବନବାସୀ ଚାହୁଁଛନ୍ତି ସରକାର ସେମାନଙ୍କୁ ଜଣ ପିଛା ମାସକୁ ଅନ୍ତତଃ ୧୫ କିଲୋ ଲେଖାଏଁ ଚାଉଳ ଦିଅନ୍ତୁ । ମାଣ୍ଡିପଂକା ଘଟଣାର ଆରଡ଼ିସି ତଦନ୍ତ ଚାଲିଛି । ରିପୋର୍ଟ ମିଳିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ତେଣୁ, ଆଗକୁ କି କାର୍ଯ୍ୟାନୁଷ୍ଠାନ ହେଉଛି ଦେଖିବାକୁ ସମସ୍ତଙ୍କ ଅପେକ୍ଷା ରହିଛି । ଆଗାମୀ ବିଧାନସଭା ଅଧିବେଶନରେ ମଧ୍ୟ ଏହା ବଡ ପ୍ରସଙ୍ଗ ହେବ ବୋଲି ଆଲୋଚନା ହେଉଛି । ତେବେ, ସରକାର ନିଜକୁ ‘ନାବାଳକ’ କହି ରାଜ୍ୟର ବିଭିନ୍ନ ସମସ୍ୟା ପାଇଁ ପୂର୍ବ ସରକାରଙ୍କୁ ଦାୟି କରି ଖସିବା ଉଦ୍ୟମ କରୁଛନ୍ତି । ବିଧାନସଭାରେ ଆଲୋଚନା ହେଲେ ମୋହନ ମାଝୀ ସରକାର ୨୦୦୧ ଓ ୨୦୧୬ରେ ରାୟଗଡା ଜିଲ୍ଲା କାଶୀପୁରରେ ଆମ୍ବଟାକୁଆ ଜାଉ ଖାଇ ଘଟିଥିବା ମୃତ୍ୟୁକୁ ଆଳ କରି ବିରୋଧୀଙ୍କୁ ଜବାବ ଦେବା ନିଶ୍ଚିତ । ରାୟଗଡା ଜିଲ୍ଲାରେ ଆମ୍ବଟାକୁଆ ଜାଉ ଖାଇ ୨୦୦୧ରେ ୨୪ ଜଣ ଓ ୨୦୧୬ରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ୧୦ ଜଣ ଗୁରୁତର ହୋଇଥିଲେ ।
ମୁଖ୍ୟ ସଂପାଦକ,ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS