ହିନ୍ଦୁତ୍ୱବାଦୀଙ୍କ ନୂଆ ଆହ୍ୱାନ ‘ସଜାଗ ରହୋ…’
ପ୍ରସାଦ ରାଓ
୦୯/ନଭେମ୍ବର
ଚଳିତ ମାସରେ ହେବାକୁ ଥିବା ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ସମେତ ବିଭିନ୍ନ ରାଜ୍ୟର ବିଧାନସଭା ଓ ଲୋକସଭା ଉପ ନିର୍ବାଚନରେ ହିନ୍ଦୁ ଭୋଟକୁ ବିଭାଜିତ ହେବାରୁ ରୋକିବା ପାଇଁ ହିନ୍ଦୁତ୍ୱବାଦୀଙ୍କ ପକ୍ଷରୁ ବିଭିନ୍ନ ସ୍ଲୋଗାନ ଶୁଣିବାକୁ ମିଳୁଛି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ବଟେଙ୍ଗେ ତୋ କଟେଙ୍ଗେ, ଏକ୍ ରହେଙ୍ଗ ତୋ ନେକ୍ ରହଙ୍ଗେ’ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବଟେଙ୍ଗେ ତୋ କଟେଙ୍ଗେ, ବାଂଟନେ ୱାଲେ ମେହେଫିଲ ସଜାଏଙ୍ଗେ’ ସ୍ଲୋଗାନ ସହ ଆରଏସଏସ (ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ)ର ଆଉ ଏକ ସ୍ଲୋଗାନ ‘ସଜାଗ ରହୋ’ ସାମ୍ନାକୁ ଆସିଛି । ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀ ‘ଇଣ୍ଡି’ ମେଂଟ ସମ୍ବିଧାନ ବିପଦରେ ଥିବା, ବିଜେପି ବହୁମତ ପାଇଁ କ୍ଷମତାକୁ ଆସିଲେ ଅଳ୍ପସଂଖ୍ୟକଙ୍କ ଆରକ୍ଷଣ ବାତିଲ ହେବା ବିପଦ ରହିଥିବା ପ୍ରଭୃତି ପ୍ରଚାର କରି ସଂଖ୍ୟାଲଘୁ ଜାତି, ସଂପ୍ରଦାୟ ଓ ଅଳ୍ପସଂଖ୍ୟକଙ୍କ ଭୋଟ ଧ୍ରୁବୀକରଣରେ ସଫଳ ହୋଇଥିଲା । ଆରଏସଏସର ନିରବତା ମଧ୍ୟ ବିଜେପି ପାଇଁ ସମସ୍ୟା ହୋଇଥିଲା । ମହାରାଷ୍ଟ୍ରର ଧୂଲେ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାଂଚଟି ବିଧାନସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀ ସୁବାଷ ଭାମରେ କଂଗ୍ରେସ ପ୍ରାର୍ଥୀ ଶୋଭା ବଚ୍ଛବଙ୍କ ଠାରୁ ୧ ଲକ୍ଷ ୮୯ ହଜାର ୨୧୦ ଭୋଟରେ ଆଗୁଆ ଥିଲେ ମଧ୍ୟ ଏକମାତ୍ର ମାଲେଗାଓଁ ସେଂଟ୍ରାଲ ବିଧାନସଭା କ୍ଷେତ୍ରରେ (ସଂଖ୍ୟାଲଘୁ ସଂପ୍ରଦାୟ ବହୁଳ) କଂଗ୍ରେସ ପ୍ରାର୍ଥୀ ବଚ୍ଛବ ୧ ଲକ୍ଷ ୯୪ ହଜାର ୩୨୭ ଭୋଟରେ ଆଗୁଆ ରହି ବିଜେପି ପ୍ରାର୍ଥୀ ଭାମରେଙ୍କୁ ୫,୧୧୭ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ । ମାଲେଗାଓଁ ସେଂଟ୍ରାଲରୁ ବିଜେପିକୁ ମାତ୍ର ୪,୫୪୨ ଖଣ୍ଡ ଭୋଟ ମିଳିଥିଲା । ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗଙ୍କ ଭୋଟ ଧ୍ରୁବୀକରଣ ଫଳରେ ବିଜେପି ଧୂଲେ ଲୋକସଭା ଆସନରେ ପରାଜିତ ହୋଇଥିଲା । ଲୋକସଭା ନିର୍ବାଚନ ଫଳାଫଳକୁ ନେଇ ସମୀକ୍ଷା କରିବା ପରେ ବିଜେପି ଓ ଆରଏସଏସ ହିନ୍ଦୁ ଭୋଟ ବିଭାଜନକୁ ରୋକିବା ସକାଶେ ନୂଆ ରଣନୀତି ଆପଣାଇଛନ୍ତି । ‘ବଟେଙ୍ଗେ ତୋ କଟେଙ୍ଗେ’ ସ୍ଲୋଗାନ ଦେଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହିନ୍ଦୁ ଭୋଟ ଧ୍ରୁବୀକରଣ ଉଦ୍ୟମ ଆରମ୍ଭ କରିଥିବା ବେଳେ ଆରଏସଏସ୍ କାର୍ଯ୍ୟକର୍ତ୍ତାମାନେ ସକ୍ରିୟ ହୋଇ ‘ସଜାଗ ରହୋ’ ସ୍ଲୋଗାନ ଆରମ୍ଭ କରିଛନ୍ତି । ଆରଏସଏସ୍ କର୍ମୀ ଓ କାର୍ଯ୍ୟକର୍ତ୍ତାମାନେ ଛୋଟ ଛୋଟ ଗୋଷ୍ଠୀରେ ବାଂଟି ହୋଇ ନିର୍ବାଚନ ହେଉଥିବା ରାଜ୍ୟମାନଙ୍କରେ ଛୋଟ ଛୋଟ ସଭା ଆୟୋଜନ କରୁଛନ୍ତି ଏବଂ ହିନ୍ଦୁ ମତଦାତାଙ୍କୁ ବିଭାଜିତ ନହୋଇ ଏକାଠି ରହି ବିଜେପିର ବିଜୟରେ ସହାୟକ ହେବାକୁ ଜାଗରିତ କରୁଛନ୍ତି । ଏପରିକି କେରଳର ୱାଏନାଡ ଲୋକସଭା ଆସନ ପାଇଁ ହେଉଥିବା ଉପ ନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପାଇଁ ବଡ ବଡ ନିର୍ବାଚନ ସଭାର ଆୟୋଜନ କରୁଥିବା ବେଳେ ବିଜେପି ତାହାର ପ୍ରାର୍ଥୀ ନଭ୍ୟା ହରିଦାସଙ୍କ ପାଇଁ ଛୋଟ ଛୋଟ ସଭା ଆୟୋଜନ କରୁଥିବା ଏବଂ ଆରଏସଏସ କାର୍ଯ୍ୟକର୍ତ୍ତାମାନେ ସେଠାରେ ଉପସ୍ଥିତ ରହି ହିନ୍ଦୁ ଭୋଟ ଯେପରି ବିଭାଜନ ନହୁଏ ସେଦିଗରେ ହିନ୍ଦୁଙ୍କୁ ଜାଗ୍ରତ କରୁଥିବା ଦେଖିବାକୁ ମିଳୁଛି । ସଂଖ୍ୟାଲଘୁ ସଂପ୍ରଦାୟ ବିଜେପି ବିରୋଧରେ ସଂଗଠିତ ରହୁଥିବା ବେଳେ ବିରୋଧୀ ‘ଇଣ୍ଡି’ ମେଂଟ ନେତାମାନେ ହିନ୍ଦୁଙ୍କ ମଧ୍ୟରେ ଥିବା ବିଭିନ୍ନ ଗୋଷ୍ଠୀଙ୍କୁ ଜାତି ଆଧାରରେ ବିଭାଜିତ କରି ବିଜେପି ବିରୋଧରେ ପ୍ରୟୋଗ କରୁଥିବାରୁ ସମସ୍ତ ହିନ୍ଦୁ ଗୋଷ୍ଠୀଙ୍କୁ ଏକାତ୍ରିତ କରି ରଖିବା ପାଇଁ ଆରଏସଏସ ‘ସଜାଗ ରହୋ’ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ସୂଚନା ମିଳିଛି । ଚଳିତ ମାସ ୧୩ ଓ ୨୦ ତାରିଖରେ ଝାଡଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମେତ ବିଭିନ୍ନ ରାଜ୍ୟରେ ଲୋକସଭା ଓ ବିଧାନସଭା ଉପ ନିର୍ବାଚନ ହେଉଥିବାରୁ ବିଜେପି ଓ ଆରଏସଏସ ଏହି ନୂଆ ରଣନୀତି ଆପଣାଇଛନ୍ତି । ମହାରାଷ୍ଟ୍ରରେ ହିନ୍ଦୁ ଭୋଟର ଧ୍ରୁବୀକରଣ ଓ ଝାଡଖଣ୍ଡରେ ସଂଖାବହୁଳ ଆଦିବାସୀଙ୍କ ଭୋଟର ଧ୍ରୁବୀକରଣ ଉଦ୍ୟମ ଚାଲିଛି । ଝାଡଖଣ୍ଡରେ ବେଆଇନ ଭାବେ ଅନୁପ୍ରବେଶ କରି ରାଜ୍ୟ ସରକାରଙ୍କ ସହଯୋଗରେ ଏକପ୍ରକାର ସ୍ଥାୟୀ ବାସିନ୍ଦା ହୋଇସାରିଥିବା ବାଂଲାଦେଶୀ ଓ ରୋହିଙ୍ଗିଆ ଅନୁପ୍ରବେଶକାରୀଙ୍କୁ ବିଜେପି ଟାର୍ଗେଟ କରିଛି । ଏହି ଅନୁପ୍ରବେଶକାରୀମାନେ ଝାଡଖଣ୍ଡରେ ଆଦିବାସୀ ମହିଳାଙ୍କୁ ବାବାହ କରି ଜମିଜମା କବ୍ଚା କରୁଛନ୍ତି ଓ ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ସୁବିଧା ସୁଯୋଗ ହାତୋଉଛନ୍ତି । ରାଜ୍ୟରେ ଆଦିବାସୀ ସଂଖ୍ୟାଲଘୁରେ ପରିଣତ ହୋଇଥିବା ବେଳେ ଅନୁପ୍ରବେଶକାରୀମାନେ ଭୋଟ ଦେବା ଅଧିକାର ପାଇଁ ଆଦିବାସୀଙ୍କୁ ଲୁଟୁଛନ୍ତି ବୋଲି ବିଜେପି ଝାଡଖଣ୍ଡରେ ନିର୍ବାଚନ ପ୍ରଚାର ସମୟରେ ଗୁରୁତର ଅଭିଯୋଗ କରିବା ସହ ରାଜ୍ୟରେ କ୍ଷମତାକୁ ଆସିଲେ ଜଣ ଜଣ କରି ସେମାନଙ୍କୁ ଚିହ୍ନଟ କରିବ ଏବଂ ରାଜ୍ୟରୁ ବିଦା କରିବ ବୋଲି ପ୍ରତିଶ୍ରୁତି ଦେଇଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ନିଜେ ବିଭିନ୍ନ ନିର୍ବାଚନ ସଭାରେ ଏହି ପ୍ରତିଶ୍ରୁତି ଦେଇଛନ୍ତି । ଅପରପକ୍ଷରେ, ଗଲା ପାଂଚ ବର୍ଷହେଲା ରାଜ୍ୟରେ ଶାସନରେ ଥିବା ଜେଏମଏମ ଓ କଂଗ୍ରେସ ମେଂଟ କେନ୍ଦ୍ର ଗୃହ ମନ୍ତ୍ରୀ ଶାହାଙ୍କ ବ୍ୟାଖ୍ୟାନକୁ ରାଜନୀତି ଦ୍ୱାରା ପ୍ରେରିତ କହି ସମାଲୋଚନା କରିଛି । ରାଜ୍ୟରେ ବିଜେପି ଶାସନରେ ଥିବା ବେଳେ ଅନୁପ୍ରବେଶକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ କାହିଁକି ବୋଲି ଶାସକ ମେଂଟ ପ୍ରଶ୍ନ କରିଛି । ବିଜେପି କ୍ଷମତାକୁ ଆସିଲେ ଝାଡଖଣ୍ଡରେ ବିକାଶମୂଳକ କାର୍ଯ୍ୟ ନାଁରେ ଆଦିବାସୀଙ୍କ ଜଳ, ଜମି, ଜଂଗଲ ହଡପ କରିବା ଯୋଜନାରେ ରହିଛି ବୋଲି କଂଗ୍ରେସ ପାଲଟା ଅଭିଯୋଗ କରିଛନ୍ତି । ଝାଡଖଣ୍ଡରେ କଂଗ୍ରେସ ଓ ବିଜେପି ଆଦିବାସୀ କାର୍ଡ ଖେଳୁଥିବା ବେଳେ ମହାରାଷ୍ଟ୍ରରେ ଜାତିଗତ ଜନଗଣନା ଓ ହିନ୍ଦୁତ୍ୱ କାର୍ଡ ଖେଳୁଛନ୍ତି । ରାଜ୍ୟରେ ମହା ବିକାଶ ଅଘାଡି ସରକାର ପ୍ରତିଷ୍ଠା ହେଲେ ଜାତିଗତ ଜନଗଣନା କରାଯିବ, ସମସ୍ତଙ୍କ ପାଇଁ ସେମାନଙ୍କ ସଂଖ୍ୟା ଅନୁପାତରେ ଆରକ୍ଷଣ ସୁବିଧା ଦିଆଯିବ ଏବଂ ସମସ୍ତ ପ୍ରକାର ଆରକ୍ଷଣ ପାଇଁ ଯେଉଁ ୫୦ ପ୍ରତି ସିଲିଂ ରହିଛି ତାହାକୁ ହଟାଇ ଦିଆଯାଇ ଆରକ୍ଷଣ କୋଟା ବୃଦ୍ଧି କରାଯିବ ବୋଲି କଂଗ୍ରେସ ପ୍ରତିଶ୍ରୁତି ଦେଉଥିବା ବେଳେ ବିଜେପି ‘ଯୋଗୀ କାର୍ଡ’ ଖେଳି ହିନ୍ଦୁ ଭୋଟ ଏକାଠି ରଖିବା ପ୍ରୟାସରେ ଲାଗିଛି । କଂଗ୍ରେସ ଅନଗ୍ରସର ଜାତି ଓ ବର୍ଗଙ୍କ ବିରୋଧୀ । ଜାତିଗତଜନଗଣନା ନାମରେ ହିନ୍ଦୁଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରୁଛି ଓ ଗୋଟିଏ ଜାତି ସହ ଆଉ ଗୋଟିଏ ଜାତିକୁ ଲଢାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ମହାରାଷ୍ଟ୍ର ଓ ଝାଡଖଣ୍ଡରେ ଆୟାଜିତ ବିଭିନ୍ନ ସଭାରେ ଅଭିଯୋଗ କରିଛନ୍ତି । ‘ଏକାଠି ରହିଲେ ହିଁ ସୁରକ୍ଷିତ ରହିବ’ ବୋଲି ସେ ସମସ୍ତ ହିନ୍ଦୁଙ୍କୁ ଆହ୍ୱାନ ଦେଉଛନ୍ତି । ମହାରାଷ୍ଟ୍ରରେ ‘ମହାୟୁତି’ ସରକାରକୁ ପୁନର୍ବାର କ୍ଷମତାସୀନ କରିବାକୁ ସେ ଆହ୍ୱାନ ଦେବା ସହ ‘ମହାୟୂତି’ ସରକାର ହିଁ ରାଜ୍ୟରେ ବିକାଶର ଗ୍ୟାରେଂଟି ଦେଇପାରିବେ ବୋଲି କହିଛନ୍ତି । ଏମଭିଏ କ୍ଷମତାସୀନ ହେଲେ ରାଜ୍ୟରେ ଚାଲିଥିବା ବିକାଶ କାର୍ଯ୍ୟ ଓ ଯୋଜନ ସବୁ ଠପ୍ ହୋଇଯିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରବାସୀଙ୍କୁ ଚେତାଇ ଦେଇଛନ୍ତି । ମହାରାଷ୍ଟ୍ରରେ ବିଜେପି-ଶିବସେନା-ଏନସିପି ମେଂଟ ବା ମହାୟୁତି କ୍ଷମତାରେ ରହିଛି । କଂଗ୍ରେସ, ଶିବସେନା (ୟୁବିଟି) ଓ ଏନସିପି (ଶରଦଚନ୍ଦ୍ର ପାୱାର)କୁ ନେଇ ଗଠିତ ମେଂଟ ‘ମହା ବିକାଶ ଅଘାଡି’ ସହ ତାହାର ପ୍ରତ୍ୟକ୍ଷ ଲଢେଇ ହେଉଛି । ୨୦୧୯ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ କଂଗ୍ରେସ, ଶିବସେନା (ଅବିଭକ୍ତ) ଓ ଏନସିପି (ଅବିଭକ୍ତ)କୁ ନେଇ ‘ମହା ବିକାଶ ଅଘାଡି’ ଗଠନ ହେଲା ଏବଂ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ପ୍ରଥମ ମୁଖ୍ୟମନ୍ତ୍ରୀ ହେଲେ । ତେବେ, ୨୦୨୨ରେ ଶିବସେନାରେ ବିଦ୍ରୋହ କରି ଏହାର ନେତା ଏକନାଥ ସିନ୍ଧେ ବିଜେପି ସହ ମେଂଟରେ ରାଜ୍ୟରେ ନୂଆ ସରକାର ଗଠନ କଲେ ଓ ସିନ୍ଧେ ମୁଖ୍ୟମନ୍ତ୍ରୀ ହେଲେ । ୨୦୨୩ରେ ଏନସିପି ନେତା ଅଜିତ ପାୱାର ଦଳରେ ବିଭାଜନ ଘଟାଇ ସିନ୍ଧେ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଭାବେ ସାମିଲ ହେଲେ । ଏହି ମେଂଟ କ୍ଷମତାରେ ରହିଛି ଓ ସେହି ମେଂଟକୁ ‘ମହାୟୁତି’ କୁହାଯାଉଛି । ବିଜେପି- ଶିବସେନା (ସିନ୍ଧେ) ଓ ଏନସିପି (ଅଜିତ ପାୱାର) ମେଂଟ ଲଗାତର ଦ୍ୱିତୀୟ ଥର କ୍ଷମତାକୁ ଫେରିବା ଉଦ୍ୟମରେ ଥିବା ବେଳେ ‘ମହା ବିକାଶ ଅଘାଡି’ରେ ଥିବା ନେତାମାନେ ୨୦୨୨ରେ ଉଦ୍ଧବ ଠାକରେ ସରକାରଙ୍କୁ କ୍ଷମତାଚ୍ୟୁତ କରିଥିବା ମହାୟୁତି ନେତାମାନଙ୍କୁ ଠିକଣା ଜବାବ ଦେବାକୁ ପଣ କରିଛନ୍ତି । ୨୦୨୪ ଲୋକସଭା ନିର୍ବାଚନରେ ‘ମହା ବିକାଶ ଅଘାଡି’ ନେତାମାନେ କିଛିଟା ସଫଳତା ପାଇଥିବାରୁ ଚଳିତ ମାସ ବିଧାନସଭା ନିର୍ବାଚନରେ ‘ମହାୟୁତି’କୁ କ୍ଷମତାଚ୍ୟୁତ କରି ୨୦୨୨ର ପ୍ରତିଶୋଧ ନେବେ ବୋଲି ଆଶା ରଖିଛନ୍ତି । ଅପରପକ୍ଷରେ, ଝାଡଖଣ୍ଡରେ ଜେଏମଏମ-କଂଗ୍ରେସ ମେଂଟ ସରକାର ରହିଛି ଏବଂ ବିଜେପି ଏହି ମେଂଟକୁ ଗାଦିଚ୍ୟୁତ କରି ସରକାର ପ୍ରତିଷ୍ଠା କରିବା ଆଶା ରଖିଛି । ହରିୟାଣା (ଗତ ଅକ୍ଟୋବରରେ ହୋଇଥିବା ହରିୟାଣା ବିଧାନସଭା ନିର୍ବାଚନ) ବିଜୟ ପରେ ବିଜେପିର ମନୋବଳ ସର୍ବୋଚ୍ଚସ୍ତରରେ ରହିଥିବା ବେଳେ ମହାରାଷ୍ଟ୍ରରେ ବିରୋଧୀ ‘ମହା ବିକାଶ ଅଘାଡି’ ଓ ଝାଡଖଣ୍ଡରେ ‘ଇଣ୍ଡି’ ମେଂଟ ଆଡୁ କଡା ଚ୍ୟାଲେଂଜର ସମ୍ମୁଖୀନ ହେଉଛି । ମହାରାଷ୍ଟ୍ରରେ ଆରଏସଏସର ‘ସଜାଗ ରହୋ’ ସ୍ଲୋଗାନ ଏବଂ ଝାଡଖଣ୍ଡରେ ବିଜେପିର ‘ଅନୁପ୍ରବେଶକାରୀ’ କାର୍ଡ ହିନ୍ଦୁ ଓ ଆଦାବସୀ ଭୋଟକୁ କେତେଦୂର ସଂଗଠିତ କରିପାରୁଛି ତାହା ନଭେମ୍ବର ୨୩ରେ ନିର୍ବାଚନ ଫଳାଫଳ ଆସିଲେ ସ୍ପଷ୍ଟ ହୋଇଯିବ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS