ଜମ୍ମୁ-କଶ୍ମୀରରେ ୩୭୦ ଧାରା ପୁନର୍ବାହାଲ ପ୍ରଶ୍ନ ଉଠୁ ନାହିଁ : ସ୍ମୃତି ଇରାନୀ


ପ୍ରସାଦ ରାଓ
ନୂଆଦିଲ୍ଲୀ/୦୭/ନଭେମ୍ବର
ଜମ୍ମୁ-କଶ୍ମୀରରୁ ଉଚ୍ଛେଦ ହୋଇଥିବା ସମ୍ବିଧାନର ୩୭୦ ଓ ୩୫-ଏ ଧାରା ପୁନର୍ବାହାଲ ହେବା ପ୍ରଶ୍ନ ଉଠୁ ନାହିଁ ବୋଲି ଆଜି ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଇରାନୀ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଦେଇଛନ୍ତି । ଗତକାଲି ଜମ୍ମୁ-କଶ୍ମୀର ବିଧାନସଭାରେ ରାଜ୍ୟରେ ପୁଣି ଥରେ ସମ୍ବିଧାନର ୩୭୦ ଓ ୩୫-ଏ ଧାରା ବାହାଲ କରାଯିବା ଦାବିରେ ଏକ ଦାବି ପ୍ରସ୍ତାବ ଗୃହୀତ କରାଯାଇଥିଲା, ଯାହାକୁ କି ବିଜେପି ବିଧାୟକମାନେ କଡା ବିରୋଧ କରିଥିଲେ । ତେବେ, ଜମ୍ମୁ-କଶ୍ମୀରର ଶାସକ ନ୍ୟାସନାଲ କନ୍ଫରେନ୍ସ ସହ ଅନ୍ୟ ଆଂଚଳିକ ଦଳମାନେ ଏହି ଦାବିକୁ ଦୃଢ ସମର୍ଥନ ଜଣାଇଛନ୍ତି । ଏହାକୁ ନେଇ ଜମ୍ମୁ-କଶ୍ମୀର ବିଧାନସଭାରେ ଦୁଇ ଦିନ ହେଲା ହଟ୍ଟଗୋଳ ଜାରି ରହିଥିବା ବେଳେ ଜମ୍ମୁ-କଶ୍ମୀରରେ ଉଚ୍ଛେଦ ହୋଇଥିବା ୩୭୦ ଓ ୩୫-ଏ ଧାରା ଆଉ ଫେରିବା ପ୍ରଶ୍ନ ଉଠୁନାହିଁ ବୋଲି ସେ ବିଜେପି କର୍ମୀଙ୍କ ମାଧ୍ୟମରେ ଦେଶବାସୀ ଓ ବିରୋଧୀ ‘ଇଣ୍ଡି’ ମେଂଟକୁ ବୋଲି ସ୍ପଷ୍ଟ କରିବାକୁ ଚାହୁଁଛନ୍ତି ବୋଲି ଶ୍ରୀମତୀ ଇରାନୀ ଗଣାମଧ୍ୟମକୁ କହିଛନ୍ତି । ଭାରତରୁୁ ଜମ୍ମୁ-କଶ୍ମୀରକୁ ବିଚ୍ଛିନ୍ନ କରିବାକୁ ବିରୋଧୀ ‘ଇଣ୍ଡି’ ମେଂଟର ଉଦ୍ୟମ ସଫଳ ହେବ ନାହିଁ ବୋଲି ମଧ୍ୟ ସେ ଆଜି ଚେତାଇ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୯ ଅଗଷ୍ଟରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ସ୍ୱାଧୀନତା ପରଠାରୁ ସ୍ୱତନ୍ତ୍ର ସୁବିଧା ସୁଯୋଗ ଦେଇ ଆସୁଥିବା ସମ୍ବିଧାନର ୩୭୦ ଓ ୩୫-ଏ ଧାରାକୁ ଉଚ୍ଛେଦ କରିଥିଲେ ଏବଂ ଜମ୍ମୁ-କଶ୍ମୀର ରାଜ୍ୟ ପୁନର୍ଗଠନ ଆଇନ, ୨୦୧୯ କାର୍ଯ୍ୟକାରୀ କରି ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରିଥିଲେ । ଏହି ରାଜ୍ୟ ପୁନର୍ଗଠନ ଆଇନ ବଳରେ ଜମ୍ମୁ-କଶ୍ମୀର ଓ ଲଦାଖ – ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହୋଇଛି । କେନ୍ଦ୍ର ଶାସିତ ଅଂଚଳ ଜମ୍ମୁ-କଶ୍ମୀରରେ ବିଧାନସଭା ବ୍ୟବସ୍ଥା ଥିବା ବେଳେ ଲଦାଖ ପାଇଁ ବିଧାନସଭାର ବ୍ୟବସ୍ଥା ନାହିଁ । କେନ୍ଦ୍ର ଶାସିତ ଜମ୍ମୁ-କଶ୍ମୀରକୁ ‘ପୂର୍ଣ୍ଣାଂଗ ରାଜ୍ୟ’ ମାନ୍ୟତା ଦିଆଯାଇ ନଥିବାରୁ ଗଲା ପାଂଚ ବର୍ଷ ହେଲା କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଲ୍ୟୁଟିନାଂଟ ଗଭର୍ଣ୍ଣର (ଏଲଜି) ବା ଉପ ରାଜ୍ୟପାଳଙ୍କ ଦ୍ୱାରା ରାଜ୍ୟ ପରିଚାଳିତ ହୋଇଆସୁଛି । ୨୦୧୪ରେ ଅବିଭାଜିତ ଜମ୍ମୁ-କଶ୍ମୀର ବିଧାନସଭାର ଶେଷ ବିଧାନସଭା ନିର୍ବାଚନ ହୋଇଥିଲା । ୨୦୨୪ ସେପ୍ଟେମ୍ବର-ଅକ୍ଟୋବରରେ ବିଭାଜିତ ବା କେନ୍ଦ୍ର ଶାସିତ ଜମ୍ମୁ-କଶ୍ମୀରର ପ୍ରଥମ ବିଧାନସଭା ନିର୍ବାଚନ ହୋଇଛି ଏବଂ ଜମ୍ମୁ-କଶ୍ମୀର ନ୍ୟାସନାଲ କନ୍ଫରେନ୍ସ-କଂଗ୍ରେସ ମେଂଟ ସଂଖ୍ୟାଗରିଷ୍ଠ ମେଂଟ ଭାବେ ଉଭା ହୋଇ ରାଜ୍ୟରେ ସରକାର କରିଛନ୍ତି । ଜେକେଏନସି ନେତା ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ରହିଛନ୍ତି । କେନ୍ଦ୍ର ଶାସିତ ଜମ୍ମୁ-କଶ୍ମୀର ବିଧାନସଭାର ପ୍ରଥମ ଅଧିବେଶନରେ ରାଜ୍ୟକୁ ‘ପୂର୍ଣ୍ଣାଂଗ ରାଜ୍ୟ’ ମାନ୍ୟତା ଦିଆଯିବାକୁ ଦାବି ପ୍ରସ୍ତାବ ଗୃହୀତ କରାଯାଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରାଯାଇଥିବା ବେଳେ ରାଜ୍ୟରେ ୩୭୦ ଓ ୩୫-ଏ ଧାରାର ପୁନର୍ବାହାଲ କରାଯିବାକୁ ଗତକାଲି ଆଉ ଏକ ଦାବି ପ୍ରସ୍ତାବ ଗୃହୀତ କରାଯାଇଛି । ଗତକାଲି ଏହି ପ୍ରସ୍ତାବ ଗୃହୀତ କରାଯିବା ସମୟରେ ବିରୋଧୀ ଆସନରେ ଥିବା ବିଜେପି ବିଧାୟକମାନେ ତାହାର ଦୃଢ ବିରୋଧ କରିଥିଲେ ଓ ଗୃହର ମଧ୍ୟଭାଗକୁ ଯାଇ ବାଚସ୍ପତିଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ଜମ୍ମୁ-କଶ୍ମୀର ଉପ ମୁଖ୍ୟମନ୍ତ୍ରୀ ତଥା ଜେକେଏନସି ନେତା ସୁରିନ୍ଦର ଚୌଧୁରୀ ଗୃହରେ ୨୦୧୯ ପୂର୍ବରୁ ରାଜ୍ୟକୁ ମିଳୁଥିବା ସ୍ୱତନ୍ତ୍ର ସୁବିଧା ସବୁର ପୁନର୍ବାହାଲ କରାଯିବାକୁ ଦାବି ପ୍ରସ୍ତାବ ଆଗତ କରିଥିଲେ । ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବା ପରେ କେନ୍ଦ୍ର ସରକାର ରାଜ୍ୟର ଆଦିବାସୀ ସଂପ୍ରଦାୟଙ୍କୁ ଯେଉଁ ଅଧିକାର ସବୁ ଦେଇଛନ୍ତି ସେସବୁ ପ୍ରତ୍ୟାହୃତ ହୋଇଯିବା କଂଗ୍ରେସ, ଜାତୀୟ କନ୍ଫରେନ୍ସ ଓ ବିରୋଧୀ ‘ଇଣ୍ଡି’ ମେଂଟର ନେତାମାନେ ଚାହୁଁଛନ୍ତି କି (?) ବୋଲି ଶ୍ରୀମତୀ ଇରାନୀ ପ୍ରଶ୍ନ କରିଛନ୍ତି । କଂଗ୍ରେସ ୨୦୨୪ ବିଧାନସଭା ନିର୍ବାଚନରେ ଜେକେଏନସି ସହ ମେଂଟରେ ଥିଲେ ମଧ୍ୟ ଜେକେଏନସି ସରକାରରେ ସାମିଲ ନାହିଁ । ଦଳ ବାହାରେ ରହି ସରକାରଙ୍କୁ ସମର୍ଥନ ଦେଉଛି । ଗତକାଲି ଜମ୍ମୁ-କଶ୍ମୀର ବିଧାନସଭାରେ ଗୃହୀତ ପ୍ରସ୍ତାବକୁ ଆଜି ମଧ୍ୟ ବିଜେପି ବିଧାୟକମାନେ କଡା ବିରୋଧ କରିଛନ୍ତି । ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗରେ ବିଜେପିର ତିନି ଜଣ ବିଧାୟକଙ୍କୁ ଆଜି ବାଚସ୍ପତି ଅବ୍ଦୁଲ ରହିମ ରାଥେର ମାର୍ଶାଲ ଲଗାଇ ଗୃହରୁ ବାହାର କରିଦେଇଛନ୍ତି । ଗତକାଲି ବିଧାନସଭାରେ ଗୃହୀତ କରାଯାଇଥିବା ପ୍ରସ୍ତାବକୁ ନେଇ ଶାସକ ଓ ବିରୋଧୀ (ବିଜେପି) ବିଧାୟକମାନେ ହାତାହାତି ହୋଇଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS