ବିଧାନସଭାରେ ହଟ୍ଟଗୋଳ ଓ ହାତାହାତି: ତାରା ସାତ ଦିନ ପାଇଁ ନିଲମ୍ବିତ


ପ୍ରସାଦ ରାଓ
ଭୁବନେଶ୍ୱର ୧୧/୦୩:
ଆଜି ମଧ୍ୟ ହଟ୍ଟଗୋଳ, ହାତାହାତି ପରିସ୍ଥିତି ଭିତରେ ବିଧାନସଭା ଅଧିବେଶନ ଅଚଳ ହୋଇଛି । କଂଗ୍ରେସ ଓ ବିଜେଡି ବିଧାୟକମାନେ ଗୃହରେ ବିଶୃଙ୍ଖଳ ପରିସ୍ଥିତି ସୃଷ୍ଟି କରି ପ୍ରାରମ୍ଭରୁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ଅଚଳ କରିଥିଲେ । ଗୃହର ଅଧ୍ୟକ୍ଷ ଏକାଧିକ ଥର ଗୃହକୁ ମୁଲତବୀ ରଖିବା ସହ ଆଲୋଚନାକୁ ଆଗେଇ ନେବାକୁ ଉଦ୍ୟମ କରିଥିଲେ ମଧ୍ୟ ଅପରାହ୍ନ ସୁଦ୍ଧା ଅଚଳାବସ୍ଥା ଜାରି ରହିବାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖା ଯାଇଥିଲା । ଓଡ଼ିଶାରେ ନାରୀ ନିର୍ଯ୍ୟାତନା ବୃଦ୍ଧି ଅଭିଯୋଗ କରି କଂଗ୍ରେସ ବିଧାୟକମାନେ ଗୃହରେ ପ୍ଲାକାର୍ଡ ଦେଖାଇବା ସହ ହଟ୍ଟଗୋଳ କରୁଥିବା ବେଳେ ବିଜେଡି ବିଧାୟକମାନେ ବରିଷ୍ଠ ବିଜେପି ବିଧୟକ ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କ ଗତ ୮ ତାରିଖ ଦିନର ବିଚ୍ଛିନ୍ନତାବାଦୀ ମନ୍ତବ୍ୟକୁ ନେଇ ସରକାରଙ୍କୁ ଘେରି ଥିଲେ । ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ଗୃହର ମଧ୍ୟ ଭାଗକୁ ଯାଇ ପ୍ଲାକାର୍ଡ ଦେଖାଇବା ସହ ସରକାର-ବିରୋଧୀ ସ୍ଲୋଗାନ ଜାରି ରଖିବାରୁ ବିଜେପି ବିଧାୟକମାନେ ଗୃହରେ କଣ କହୁଛନ୍ତି, ତାହା କାହାରିକୁ ଶୁଣାଯାଉ ନଥିଲା । ବାଚସ୍ପତି ସୁରମା ପାଢୀ ଅପରାହ୍ନ ସାଢେ ଗୋଟାଏ ପର୍ଯ୍ୟନ୍ତ ଅଧିବେଶନ ଚାଲୁ ରଖିବା ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଥିଲେ ।ସନ୍ଧ୍ୟାରେ ବିଧାନସଭା ଅଧିବଶେନ ଆରମ୍ଭ ହେବା ପରେ ମଧ୍ୟ ଅଚଳାବସ୍ଥା ଦୂର ନହେବାରୁ ବିଧାନସଭା ବାଚସ୍ପତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ସକାଳେ ବିଧାନସଭାରେ ପ୍ରଶ୍ନୋତ୍ତର ସମୟରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ମାଇକ ଓପାଡିବାକୁ ଉଦ୍ୟମ କରିବା, ତାଙ୍କ ଟେବୁଲରୁ ଫାଇଲପତ୍ର ଝାଂପି ନେବା ଏବଂ ବାଚସ୍ପତିଙ୍କ ପୋଡିଅମ୍ ଉପରକୁ ପୋଷ୍ଟର ଫିଙ୍ଗିବା ଭଳି ବିଶୃଙ୍ଖଳ କାର୍ଯ୍ୟ ପାଇଁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ବାଚସ୍ପତି ସାତ ଦିନ ପାଇଁ ବିଧାନସଭାରୁ ନିଲମ୍ବନ କରିଛନ୍ତି । ଏହି ସାତ ଦିନ ସେ ବିଧାନସଭାକୁ ନ ଆସିବାକୁ ନିର୍ଦେଶ ଦେବା ସହ ବିଧାନସଭା ମାର୍ଶାଲଙ୍କୁ ମଧ୍ୟ ତାରାଙ୍କୁ ଗୃହରେ ପୁରାଇ ନ ଦେବାକୁ ନିର୍ଦେଶ ଦେଇଛନ୍ତି । ପରେ, ତାରା ଗଣମାଧ୍ୟମକୁ ବୟାନ ଦେଇ ‘ଏହା ଗଣତନ୍ତ୍ରକୁ ହତ୍ୟା’ ବୋଲି କହିଛନ୍ତି । କଂଗ୍ରେସ ବିଧାୟକମାନେ ତାରାଙ୍କ ନିଲମ୍ବନ ପ୍ରତିବାଦରେ ମୁହଁରେ କଳାପଟି ବାନ୍ଧିବା ସହ ଆଜି ରାତି ସାରା ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଧାରଣା ଦେବେ ବୋଲି ସୂଚନା ଦେଇଛନ୍ତି । ବିଜେଡି ମଧ୍ୟ ତାରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛି । ବାଚସ୍ପତି ବିଜେପିର ୧୮ ଜଣ ବିଧାୟକଙ୍କୁ କହିବାକୁ ସୁଯୋଗ ଦେଇଥିବା ବେଳେ ବିରୋଧୀ ଦଳର ଜଣେ ମଧ୍ୟ ବିଧାୟକଙ୍କୁ କହିବାକୁ ସୁଯୋଗ ନଦେବା କିଭଳି ଗଣତନ୍ତ୍ର ବୋଲି ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ ଗଣମାଧ୍ୟମରେ ପ୍ରଶ୍ନ କରିଛନ୍ତି । ଆସନ୍ତା କାଲି ବିରୋଧୀ ବିଧାୟକମାନେବାଚସ୍ପତିଙ୍କୁ ଭେଟି ଏହି ପ୍ରଶ୍ନ କରିବେ ବୋଲି ସାହୁ କହିଛନ୍ତି ।
ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଗତ ଶନିବାର (ମାର୍ଚ୍ଚ ୮ ତାରିଖ) ଦିନ ସମ୍ବଲପୁରରେ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ଦ୍ୱିତୀୟ କିସ୍ତି ଟଙ୍କା ବଂଟନ ବେଳେ ଉପସ୍ଥିତ ଜନସମାବେଶକୁ ଉଦବୋଧନ ଦେଇଥିଲେ ଓ ଓଡ଼ିଶାରେ କୋଶଳ ଅଂଚଳର ମିଶ୍ରଣ ଏକ ଐତିହାସିକ ଭୁଲ ଥିଲା ବୋଲି ମନ୍ତବ୍ୟ ଦେଇଥିଲେ । ଯାହାକି, ଏକ ନୂଆ ବିବାଦର ସୂତ୍ରପାତ କରିଛି । ଦୁଇ ଦିନ ହେଲା ରାଜ୍ୟ ବିଧାନସଭାରେ ବିରୋଧୀ ତାହାର ବିରୋଧ କରି ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି କରିଛନ୍ତି । ମିଶ୍ରଙ୍କ ବିଚ୍ଛନ୍ନତାବାଦୀ ମନ୍ତବ୍ୟକୁ ବରଦାସ୍ତ କରାଯିବ ନାହିଁ କହି ବିରୋଧୀ ବିଧାୟକମାନେ ଦୁଇ ଦିନ ହେଲା ବିଧାନସଭାକୁ ଅଚଳ କରିଛନ୍ତି । ଶୁକ୍ରବାରରୁ ଆରମ୍ଭ ହୋଇଥିବା ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଟେଜ ଅଧିବେଶନ ବିଜୁ ବାବୁଙ୍କ ପ୍ରତି ଶାସକ ଦଳର ଅସମ୍ମାନ ଓ ଜୟନାରାୟଣଙ୍କ ଟିପ୍ପଣୀକୁ ନେଇ ସୋମବାର ଅଚଳ ହୋଇଥିଲା । ଆଜି (ମଂଗଳବାର) ମଧ୍ୟ ବିରୋଧୀଙ୍କ ବିରୋଧ କାରଣରୁ ବିଧାନସଭା ଏକପ୍ରକାର ଅଚଳ ହୋଇଥିଲା । ସନ୍ଧ୍ୟାରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ବିରୋଧରେ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ମଧ୍ୟ ବିଧାନସଭା ଚାଲି ପାରିବ କି ନାହିଁ ସେନେଇ ଆଶଙ୍କା ସୃଷ୍ଟି କରିଛି ।
ବିଜେପି ‘ଓଡ଼ିଆ ଅସ୍ମିତା’ ନାମରେ ୨୦୨୪ ଜୁନରେ ହୋଇଥିବା ସାଧାରଣ ନିର୍ବାଚନରେ ଓଡ଼ିଶାରେ କ୍ଷମତାକୁ ଆସିଥିଲା । ତେବେ, ଗଲା କିଛି ବର୍ଷ ଧରି ମାର୍ଚ୍ଚ ୫ ତାରିଖରେ ରାଜ୍ୟରେ ବିଜୁ ଜୟନ୍ତୀ ଅବସରରେ ସରକାରୀ ଭାବେ ପାଳନ କରାଯାଉଥିବା ପଂଚାୟକରାଜ ଦିବସକୁ ଚଳିତ ବର୍ଷ ଏପ୍ରିଲ ୨୪କୁ ଘୁଂଚାଇ ଦେଇଛି । ଯାହାକି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପ୍ରବାଦ ପୁରୁଷ ତଥା କିମ୍ବଦନ୍ତୀ ରାଜନେତା ବିଜୁ ପଟ୍ଟନାୟକଙ୍କ ପ୍ରତି ଘୋର ଅସମ୍ମାନ ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି । ଏହା ଶାସକ ବିଜେପିର କିପ୍ରକାର ‘ଓଡ଼ିଆ ଅସ୍ମିତା (?)’ ବୋଲି ବିଜେଡି ବିଧାନସଭା ଭିତରେ ଓ ବାହାରେ ସରକାରଙ୍କୁ ପ୍ରଶ୍ନ କରି ବିଜେପିକୁ ଘେରୁଛି । ଓଡ଼ିିଆ ଅସ୍ମିତାକୁ ନେଇ ବିଜେଡି ଗର୍ଜୁଥିବା ବେଳେ ଶନିବାର ଦିନ ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ସମ୍ବଲପୁରରେ ଦେଇଥିବା ବିଚ୍ଛିନ୍ନତାବାଦୀ ମନ୍ତବ୍ୟ ବିରୋଧୀଙ୍କ ଗର୍ଜନକୁ ଅଧକ ତୀବ୍ରତର କରିଛି । ବିଜେଡି ଏହି ପ୍ରସଙ୍ଗରେ ସୋମବାର ଓ ମଂଗଳବାର ବିଧାନସଭାରେ ସରକାରଙ୍କୁ ଘେରିଛି ।
ବିଜେଡି ଏହି ପ୍ରସଙ୍ଗରେ ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରି ଅଚଳାବସ୍ଥା ସୃଷ୍ଟି କରିଥିବା ବେଳେ ରାଜ୍ୟରେ ମହିଳାଙ୍କ ପ୍ରତି ଅପରାଧ ବୃଦ୍ଧି ପାଉଥିବା ଅଭିଯୋଗ କରି କଂଗ୍ରେସ ସରକାରଙ୍କୁ ଘେରୁଛି । ସୋମବାର ଭଳି ଆଜି ମଧ୍ୟ ବିଧାନସଭାରେ ଉଭୟ କଂଗ୍ରେସ ଓ ବିଜେଡି ଅଚଳାବସ୍ଥା ସୃଷ୍ଟି କରିଥିଲେ । ଆଜି (ମଂଗଳବାର) ବିଧାନସଭା ଅଧିବେଶନ ଆରମ୍ଭରୁ ବିଜେଡି ଓ କଂଗ୍ରେସ ନିଜ ନିଜ ପ୍ରସଙ୍ଗ ଉଠାଇ ଗୃହର ମଧ୍ୟଭାଗରେ ପ୍ରବଳ ବିରୋଧ ପ୍ରଦର୍ଶନ କରିବାରୁ ଶାସକ ଦଳ ମନ୍ତ୍ରୀ, ବଧାୟକଙ୍କ ସହ ହାତାହାତି ପରିସ୍ଥିତି ସୃ୍େଟି ହୋଇଥିଲା । ଫଳରେ, ଅଧିବେଶନର ପ୍ରଥମ ପର୍ଯ୍ୟାୟ ସଂପୂର୍ଣ୍ଣ ଅଚଳ ହୋଇଥିଲା । ବିଜେପି ବିଧାୟକମାନେ ମଧ୍ୟ ଉଭୟ କଂଗ୍ରେସ ଓ ବିଜେଡିଙ୍କୁ ଗୃହରେ କଡା ବିରୋଧ କରିଥିଲେ । ବିଜେଡି ଓ କଂଗ୍ରେସ ନିକଟରେ ଅନ୍ୟ କିଛି ପ୍ରସଙ୍ଗ ନଥିବାରୁ ଓଡ଼ିଆ ଅସ୍ମିତା ଓ ରାଜ୍ୟରେ ମହିଳାଙ୍କ ପ୍ରତି ଅପରାଧ ବଢିଥିବା ନାମରେ ସରକାରଙ୍କୁ ଘେରିବା ସହ ବିଧାନସଭାକୁ ଅଚଳ କରୁଛନ୍ତି ବୋଲି ବିଜେପି ବିଧାୟକମାନେ ଅଭିଯୋଗ କରିଛନ୍ତି । ଏହାଦ୍ୱାରା ରାଜ୍ୟର ସମସ୍ୟା ବିଧାନସଭାରେ ଆଲୋଚନା ହୋଇପାରୁନାହିଁ ଏବଂ ରାଜ୍ୟବାସୀଙ୍କ କ୍ଷତି ହେଉଛି ବୋଲି କହିଥିଲେ ।
ଓଡ଼ିଆ ଅସ୍ମିତାକୁ ନେଇ ବିଜେଡିର ଅଭିଯୋଗକୁ ସମାଲୋଚନା କରି ବିଜେପି ବିଧାୟକମାନେ କହିଛନ୍ତି, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ୨୪ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ଓଡ଼ିଆ ଶିଖି ପାରିଲେ ନାହିଁ । ସେ ଓଡ଼ିଆରେ ପଦେ କହିପାରୁନାହାନ୍ତି ବା ଧାଡିଏ ଲେଖିପାରୁ ନାହାନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ବ୍ୟାନର ଓ ପୋଷ୍ଟରରୁ ବିଜୁ ବାବୁଙ୍କ ଫଟୋ ଗାଏବ ହୋଇଯାଇଥିଲା । ନବୀନ ବାବୁଙ୍କ ଫଟୋ ସହ ଜଣେ ଅଣ-ଓଡ଼ିଆ ପୂର୍ବ ପ୍ରଶାସକ ଭି.କେ.ପାଣ୍ଡିଆନଙ୍କ ଫଟୋ ତାହାର ସ୍ଥାନ ନେଇଥିଲା । ବିଜେଡି ବିଜୁ ବାବୁଙ୍କୁ ଅସମ୍ମାନ କରିଥିଲା ବୋଲି ବିଜେପି ବିଧାୟକମାନେ ଅଭିଯୋଗ କରିବା ‘ଏହା କଣ ବିଜେଡିର ଓଡ଼ିଆ ଅସ୍ମିତା ?’ ବୋଲି ପ୍ରଶ୍ନ କରିଛନ୍ତି । ସେହିଭଳି, ରାଜ୍ୟରେ କଂଗ୍ରେସ କ୍ଷମତାରେ ଥିବା ବେଳେ ଯେତିକି ନାରୀ ନିର୍ଯ୍ୟାତନା ଅଭିଯୋଗ ହୋଇଥିଲା ଏବେ ସେଭଳି ସ୍ଥିତି ନାହିଁ । କଂଗ୍ରେସ ରାଜ୍ୟରେ ନାରୀ ନିର୍ଯ୍ୟାତନା ବଢିଛି କହି ସରକାରଙ୍କୁ ଘେରିବା ଓ ବିଧାନସଭାକୁ ଅଚଳ କରିବା ହାସ୍ୟାସ୍ପଦ । ବିଜେଡି କଂଗ୍ରେସ ପିଠିରେ ଲାଉ ହୋଇ ବିଧାନସଭାକୁ ଅଚଳ କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ଆଜି ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ବିଧାୟକମାନେ ବିଧାନସଭା ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ନିକଟରେ ରାଜ୍ୟରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ବିଜେଡି ବିଧାୟକମାନେ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ସମ୍ବଲପୁର ମନ୍ତବ୍ୟକୁ ନେଇ ମଧୁ ବାବୁଙ୍କ ପ୍ରତିମୂର୍ତ୍ତୀ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ, ବିଧାନସଭା ଗୃହରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ ସମୟରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସମସ୍ତଙ୍କୁ ସ୍ତବ୍ଧ କରିଥିଲା । ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି ଗୃହ ବାହାରେ ଗଣମାଧ୍ୟମରେ ଅଭିଯୋଗ କରିଥିଲେ ଯେ, ଗୃହ ଭିତରେ ସେମାନେ ପ୍ରତିବାଦ କରୁଥିବା ବେଳେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ତାଙ୍କ ସାର୍ଟ କଲର୍ ଧରି ଘୋଷାଡିବା ସହ ରୁକ୍ଷ ବ୍ୟବହାର ପ୍ରଦର୍ଶନ କରିଥିଲେ । ରାଜ୍ୟରେ ମହିଳାଙ୍କ ପ୍ରତି ଅପରାଧ ବୃଦ୍ଧି ପ୍ରସଙ୍ଗରେ ସେମାନେ ଗୃହରେ ପ୍ରଶ୍ନ କରିଥିବା ବେଳେ ଗୃହ ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ତାହାର ଉତ୍ତର ଦେବା ବଦଳରେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଉତ୍ତର ରଖିଥିଲେ । କଂଗ୍ରେସ ବିଧାୟକମାନେ ତାହାର ପ୍ରତିବାଦ କରିବାରୁ ବିଜେପି ବିଧାୟକମାନେ, ବିଶେଷକରି ପ୍ରଥମ ଥର ପାଇଁ ଗୃହକୁ ନିର୍ବାଚିତ ହୋଇଥିବା ବିଧାୟକମାନେ ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କରିଥିଲେ । ଗୃହରେ ଅଧକ୍ଷତା କରୁଥିବା ବାଚସ୍ପତି ମଧ୍ୟ ବିଜେପି ପକ୍ଷ ନେଇଥିଲେ ।
ବାଚସ୍ପତିଙ୍କ କାର୍ଯ୍ୟ ଗଣତନ୍ତ୍ରକୁ ହତ୍ୟା କଲା ଭଳି ହୋଇଛି । ଆଜି ସକାଳେ ଯେଉଁ ବିଜେପି ବିଧାୟକମାନେ ବିରୋଧୀ ବିଧାୟକଙ୍କୁ ଟଣାଓଟରା କରିଥିଲେ ସେମାନଙ୍କ ନାମ ତାଲିକା ବାଚସ୍ପତିଙ୍କୁ ଦିଆଯାଇ ନିଲମ୍ବନ କରାଯିବାକୁ ଦାବି କରାଯାଇଥିଲେ ମଧ୍ୟ ବାଚସ୍ପତି ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି । ଅପରପକ୍ଷରେ, ତାଙ୍କୁ ସାତ ଦିନ ପାଇଁ ଗୃହରୁ ନିଲମ୍ବନ କରାଯାଇଛି ବୋଲି କଂଗ୍ରେସ ବିଧାୟକ ତାରା ବାହିନୀପତି ଅଭିଯୋଗ କରିଛନ୍ତି । ଏହା ବିରୋଧରେ କଂଗ୍ରେସର ପ୍ରତିବାଦ ଜାରି ରହିବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଆଜି ବିଧାନସଭାରେ କଂଗ୍ରେସ ଓ ବିଜେଡି ବିଧାୟକମାନେ ପ୍ରତିବାଦ ଆଳରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ମାଇକ୍ ଓପାଡିବାକୁ ଉଦ୍ୟମ କରିବା ସହ ତାଙ୍କ ଟେବୁଲ ଉପରୁ ଫାଇଲପତ୍ର ଝାଂପି ନେଇଥିଲେ । ବାଚସ୍ପତିଙ୍କ ପୋଡିଅମ୍ ଉପରେ ଚଢି ମାଇକ ଭାଂଗିବାକୁ ମଧ୍ୟ ଉଦ୍ୟମ ହୋଇଥିଲା । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ଗ୍ରହଣୀୟ ନୁହେଁ ବୋଲି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରତିକ୍ରିୟା ରଖିଛନ୍ତି ।
ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିବା ଓ ତାଙ୍କ ଉପରକୁ ପୋଷ୍ଟର ଫିଙ୍ଗବା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି ଦର୍ଶାଇ ବିଜେଡି ଓ କଂଗ୍ରେସ ବିଧାୟକମାନେ ଏଭଳି ବ୍ୟବହାର ପାଇଁ କ୍ଷମା ମାଗିବାକୁ ବିଧାୟକ ଟଙ୍କଧର ଦାବି କରିଛନ୍ତି । ବିଧାନସଭାରେ ଶାସକ ଓ ବିରୋଧୀ ବିଧାୟକମାନେ ହାତାହାତି ହେବା, ବିରୋଧୀ ଗୃହର ମଧ୍ୟଭାଗକୁ ଯାଇ ହଟ୍ଟଗୋଳ କରି ଗୃହକୁ ଅଚଳ କରିବା ଏକପ୍ରକାର ପରଂପରା ହୋଇସାରିଥିବା ବେଳେ ବିଧାନସଭା ବାହାରେ ବିଭିନ୍ନ ସଂଗଠନର ସେମାନଙ୍କ ଦାବିଗୁଡିକ ରଖି ଖରାତରାରେ ଆନ୍ଦୋଳନ ଓ ବିକ୍ଷୋଭ ଚଳାଇଛନ୍ତି । କେହି ମନ୍ତ୍ରୀ ବା ପ୍ରଶାସନିକ ଅଧିକାରୀ ବିକ୍ଷୋଭ ସ୍ଥଳକୁ ଯାଉ ନାହାନ୍ତି ବା ସେମାନଙ୍କ ଦୁଃଖ ବୁଝୁ ନାହାନ୍ତି । ବକ୍ଷୋଭକାରୀ ଏପକପ୍ରକାର ନିରାଶା ଭିତରେ ଥିବା ବେଳେ ବିଦାନସଭା ଭିତରେ ଯାହା ଚାଲିଛି ତାହା କାହା ସ୍ୱାର୍ଥ ପାଇଁ ବୋଲି ଏବେ ସର୍ବସାଧାରଣ ପ୍ରଶ୍ନ ହେଉଛି । ଉଭୟ ଶାସକ ଓ ବିରୋଧୀ ଏହାର ଜବାବ ଦେବା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS