ବିଧାନସଭା ଚାଲିଛି, ଗାନ୍ଧୀ ମାର୍ଗରେ ତିନଟି ସଂଗଠନର ବିକ୍ଷୋଭ


ପ୍ରସାଦ ରାଓ
ଭୁବନେଶ୍ୱର ୧୧/୦୩:
ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଚାଲିଥିବା ବେଳେ ମାଷ୍ଟର କ୍ୟାଂଟିନରୁ ବିଧାନସଭା ପର୍ଯ୍ୟନ୍ତ ରାସ୍ତା ବିଭିନ୍ନ ସଂଗଠନର ବିକ୍ଷୋଭ ସ୍ଥଳରେ ପରିଣତ ହୋଇଛି । ଆଜି ତିନିଟି ସଂଗଠନ ଭିନ୍ନ ଭିନ୍ନ ଦାବି ନେଇ ବିକ୍ଷୋଭ କରୁଥିବାରୁ ସମଗ୍ର ଅଂଚଳ ପୁଲିସ ଛାଉଣୀରେ ପରିଣତ ହୋଇଛି । ଓଡ଼ିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ରାଜ୍ୟ ରୋଷେୟା ଓ ସେବାୟତ ସଂଘ ଆଠ ଦଫା ଦାବିରେ ବିକ୍ଷୋଭ କରୁଛି । ସେହିଭଳି, ଓଡ଼ିଶା ଆଶା କର୍ମୀ ଆସୋସିଏସନ ପକ୍ଷରୁ ୧୮ ଦଫା ଦାବି ନେଇ ଆଜି ଗାନ୍ଧୀ ମାର୍ଗରେ ବିକ୍ଷୋଭ ଓ ଗଣଧାରଣା ଚାଲିଛି ।
ଓଡ଼ିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘକ୍ଷରୁ ଉପସ୍ଥାପିତ ୧୨ ଦଫା ଦାବି ମଧ୍ୟରେ ଅଣ-ଚିକିତ୍ସା ଜନସ୍ୱାସ୍ଥ୍ୟ ପରିଚାଳନା ପଦବୀ ସୃଷ୍ଟି କରାଯିବା ସହ ଚାକିରୀ ସ୍ଥାୟୀ କରାଯିବା, ଦରମା ଅସଙ୍ଗତି ଦୂର କରାଯାଇ ସର୍ବନିମ୍ନ ଦରମା ୪୦ ହଜାର ଟଙ୍କା କରାଯିବା, ପ୍ରତି ମାସର ଦରମା ସହ କାର୍ଯ୍ୟଦକ୍ଷତା ପ୍ରୋତ୍ସାହନ ଭତ୍ତା ପ୍ରଦାନ କରାଯିବା, ଏକ ବର୍ଷରୁ ଉଦ୍ଧ୍ୱର୍ ଓ ପାଂଚ ବର୍ଷରୁ କମ୍ ପରିଚାଳନା କର୍ମଚାରୀଙ୍କୁ ପିଏଲଇଆଇ ୩,୨୫୦ ଟଙ୍କା ପ୍ରଦାନ କରାଯିବା ସହ ପୂର୍ବରୁ ପ୍ରଦାନ କରାଯାଉଥିବା ପିଏଲଇଆଇ ରାଶି ବୃଦ୍ଧି କରାଯିବା, ନିଃଶୁଳ୍କ ପରିବାର ସ୍ୱାସ୍ଥ୍ୟ ବୀମା ଯୋଜନା ସର୍ବନିମ୍ନ ୧୫ ଲକ୍ଷ ଟଙ୍କା ଲାଗୁ କରାଯିବା, ଘର ଭଡା ଓ ମହଙ୍ଗା ଭତ୍ତା ସୁବଧା, ୧୦ ବର୍ଷ କାର୍ଯ୍ୟ କରିବା ପରେ ଏକଜିଟ୍ ପଲିସି (ସର୍ବନିମ୍ନ ୨୫ ଲକ୍ଷ ଟଙ୍କା) ଲାଗୁ କରାଯିବା, ସିଏଲ ଓ ଇଏଲ ସରକାରୀ ନିୟମ ଅନୁସାରେ ଲାଗୁ ହେବା, ସ୍ଥାନାନ୍ତର ନୀତିର ପରିବର୍ତ୍ତନ କରାଯିବା, ଏନଏଚଏମ କର୍ମଚାରୀଙ୍କ ନିମନ୍ତେ ବ୍ୟାଙ୍କ ଲୋନ ବ୍ୟବସ୍ଥା, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ଏଏଏମ)ରେ କାର୍ଯ୍ୟରତ ସିଏଚଓ/ଏନଓମାନଙ୍କ କାର୍ଯ୍ୟ ତଦାରଖ ଓ ପରିଚାଳନାରେ ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀଙ୍କ ଭୂମିକା ସମ୍ବନ୍ଧିତ ସବିଶେଷ ନିୟମାବଳୀ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ କରିବା, ବିଭିନ୍ନ ସମୟରେ ଓଡ଼ିଶା ସ୍ୱାସ୍ଥ୍ୟ ମିଶନରେ କାର୍ଯ୍ୟରତ ପରିଚାଳନା କର୍ମଚାରୀଙ୍କ ବିରୋଧରେ ହେଉଥିବା ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ସେସବୁର ସଠିକ ତଦନ୍ତ କରାଯିବା ପ୍ରଭୃତି ଅନ୍ୟତମ ।
ସଂଘ ପକ୍ଷରୁ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍ ଙ୍କୁ ସ୍ମାରକପତ୍ର ଦିଆଯାଇଥିଲେ ମଧ୍ୟ ଦାବି ପୂରଣ ଦିଗରେ ସରକାର ପଦକ୍ଷେପ ନେଉ ନଥିବାରୁ ସଂଘ ସଭାପତି ଅନିରୁଦ୍ଧ ପଣ୍ଡା ଓ ସଂପାଦକ ଗୋପବନ୍ଧୁ କର କ୍ଷୋଭ ପ୍ରକାଶ କରିଛନ୍ତି । ସରକାରଙ୍କୁ ଦେଇଥିବା ସ୍ମାରକପତ୍ରରେ ସେମାନେ ଅଭିଯୋଗ କରିଛନ୍ତି ଯେ, ୨୦୦୫ ମସିହାରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ) ଅଧିନରେ ୪୨୦୦ ପରିଚାଳନା କର୍ମଚାରୀ କାର୍ଯ୍ୟ କରି ଆସୁଥିବା ବେଳେ ୨୦ ବର୍ଷ ହେଲା ସେମାନଙ୍କ ନ୍ୟାଯ୍ୟ ଦାବିଗୁଡିକୁ ଅଣଦେଖା କରାଯାଉଛି । ରାଜ୍ୟ, ଜିଲ୍ଲା ଓ ବ୍ଲକସ୍ତରରେ ପ୍ରୋଗ୍ରାମ ମ୍ୟାନେଜମେଂଟ ଷ୍ଟାଫ ଭାବେ କାର୍ଯ୍ୟ କରି ଆସୁଥିବା କର୍ମଚାରୀ ମାନେ ଉଚ୍ଚଶିକ୍ଷିତ, କୁଶଳୀ, ଦକ୍ଷ ଓ ପରିଶ୍ରମୀ । ସ୍ୱାସ୍ଥ୍ୟ ବିଭାଗର ସମସ୍ତ କାର୍ଯ୍ୟକୁ ସେମାନେ ନିଷ୍ଠାର ସହ କାର୍ଯ୍ୟକାରୀ ଆସୁଛନ୍ତି ଓ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ବହୁବାର ଜାତୀୟସ୍ତରରେ ପୁରସ୍କୃତ ମଧ୍ୟ ହୋଇଛି । ତେବେ, ପରିଚାଳନା କର୍ମଚାରୀମାନେ ଯୁବାବସ୍ଥାରେ ସ୍ୱଳ୍ପ ଦରମା ଓ ଚୁକ୍ତି ଭିତ୍ତିରେ ନିଯୁକ୍ତ ପାଉଛନ୍ତି । ସେମାନଙ୍କ ହାରାହାରି ବୟସ ୪୫ ଛୁଇଁଲାଣି । ବର୍ତ୍ତମାନ ପରିସ୍ଥିତିରେ ସେମାନେ ସ୍ୱଳ୍ପ ଦରମାରେ ଚାକିରୀ କରି ପରିବାର ପ୍ରତିପୋଷଣ କରିବାକୁ ସକ୍ଷମ ହେଉନଥିବାରୁ ରାଜ୍ୟ ସରକାର ସେମାନଙ୍କ ଦାବିଗୁଡିକୁ ଗୁରୁତ୍ୱ ଦେବା ଆବଶ୍ୟକ ।
ସେହିଭଳି, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ରେେୟୋ ଓ ସେବାୟତ ସଂଘର ଦାବି ମଧ୍ୟରେ ୧୯୯୩ ଏପ୍ରିଲ ୧୩ ତାରିଖରୁ କାର୍ଯ୍ୟରତ ରେଷେୟା ତଥା ସେବାୟତଙ୍କୁ ସ୍ଥାୟୀ କରାଯାଉ, କୁକ୍ କମ୍ ଆଟେଣ୍ଡାଂଟ ମାନଙ୍କୁ ସର୍ବନିମ୍ନ ମାସିକ ବେତନ ୨୬ ହଜାର ଟଙ୍କା ଦିଆଯାଉ, ସମସ୍ତଙ୍କୁ ଇପିଏଫ ଓ ଇଏସଆଇ ପରିସରଭୁକ୍ତ କରାଯାଇ ସାମାଜିକ ସୁରକ୍ଷା ଦିଆଯାଉ, ମହିଳା କର୍ମଚାରୀଙ୍କୁ ପ୍ରସୂତିକାଳୀନ ଛୁଟି, ଦୈନିକ ୨୪ ଘଂଟା ବଦଳରେ ଆଠ ଘଂଟା କାର୍ଯ୍ୟ କରିବା ଅଧିକାର ସହ ଅଧିକ ସମୟ କାମ କଲେ ଓଭର ଟାଇମ ବ୍ୟବସ୍ଥା, ଚାକିରୀ ସମୟରେ ଦେହାନ୍ତ ବା ଅକ୍ଷମ ହେଲେ ପରିବାରର ଜଣେ ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ଏବଂ ୧୫ ଲକ୍ଷ ଟଙ୍କା ଅନୁକଂପା ରାଶି ପ୍ରଦାନ, କର୍ମ କ୍ଷେତ୍ରରୁ ଅବସର ନେବା ପରେ ଆଇନ ମୁତାବକ ଗ୍ରାଚ୍ୟୁଇଟି ଓ ଅବସରକାଳୀନ ପ୍ରାପ୍ୟ ପ୍ରଦାନ, ସମସ୍ତଙ୍କୁ ଜାତୀୟ ଛୁଟି ଦିବସରେ ଛୁଟି ଓ ସାପ୍ତାହିକ ଛୁଟି ପ୍ରଦାନ ପ୍ରଭୃତି ଅନ୍ତର୍ଭୁକ୍ତ । ସଂଘର ସଭାପତି ସୂର୍ଯ୍ୟକାନ୍ତ ବେହେରା ଓ ସଂପାଦକ ନିରଂଜନ ବେହେରା କହିଛନ୍ତି, ସଂଘ ପକ୍ଷରୁ ସାତ ଥର ଆନ୍ଦୋଳନ ହେଲାଣି, କିନ୍ତୁ ସରକାର ସେମାନଙ୍କ ଦାବିକୁ ଗୁରୁତ୍ୱ ଦେଉନଥିବା କ୍ଷୋଭର ବିଷୟ ।
ଏହି କର୍ମଚାରୀଙ୍କୁ ପୂର୍ବରୁ ଅର୍ଦ୍ଧ-କୁଶଳୀ ଶ୍ରମିକ ଭାବେ ମାସିକ ପାରିଶ୍ରମିକ ମିଳୁଥିଲା । ୨୦୨୨ ମାର୍ଚ୍ଚ ୨୨ ତାରିଖରେ ପାରିଶ୍ରମିକ ୧୨ ହଜାର ଟଙ୍କା ଧାର୍ଯ୍ୟ ହୋଇଥିଲା ।୨୦୨୪ ପୂର୍ବରୁ ରାଜ୍ୟ ସରକାର ସବୁ ସରକାରୀ ବିଭାଗର କିଛି କିଛି ଦାବି ପୂରଣ କରିଥିବା ବେଳେ ଅନୁସୂଚିତ ଜାତି, ଜନଜାତି ରୋଷେୟା ଓ ସେବାୟତ ସଂଘର ଦାବି ପୂରଣ କରି ନାହାନ୍ତି ବା ସେମାନଙ୍କ ଦୁଖ ଶୁଣି ନାହାନ୍ତି । ରାଜ୍ୟ ବିଜେପି ସରକାର ୨୦୨୪ ଜୁଲାଇ ୧୩ ତାରିଖରେ ମଜୁରୀ ବୃଦ୍ଧି ଘୋଷଣା କଲେ ସିନା ତାହା ଏପର୍ଯ୍ୟନ୍ତ ମିଳି ନାହିଁ । ସଂଘ ନେତାମାନେ ଗତ ବର୍ଷ ଜୁନ ମାସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରାଜ୍ୟ ଅତିଥି ଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ଏବଂ ସଂଘର କିଛି ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ଲିଖିତ ଭାବେ ସେମାନଙ୍କ ସମସ୍ୟା ଉପସ୍ଥାପନ କରିଥିଲେ । ଏହାପରେ ମଧ୍ୟ ସେମାନଙ୍କ ସମସ୍ୟାର ସମାଧାନ ହୋଇପାରୁନି । ଏହି ରୋଷେୟା ଓ ସେବାୟତମାନେ ରାସନ କାର୍ଡ, ପିଏମ ଆବାସ ଯୋଜନା, ପିଏମ୍ ସ୍ୱାସ୍ଥ୍ୟ କାର୍ଡ, ସୁଭଦ୍ର ଯୋଜନାରୁ ମଧ୍ୟ ବଂଚିତ । ୩୨ ବର୍ଷ ଧରି କୌଣସି କର୍ମଚାରୀଙ୍କୁ ନିୟମିତ କରାଯାଇନାହିଁ । ଦାବି ପୂରଣ ପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ନେତାମାନେ କହିଛନ୍ତି ।
ଓଡ଼ିଶା ଆଶା କର୍ମୀ ଆସୋସିଏସନର ଦାବିଗୁଡିକ ମଧ୍ୟ ପ୍ରାୟ ଏକାଭଳି । ସଂଘ ସଭାପତି ଲୋଭାକାନ୍ତ ସ୍ୱାଇଁଙ୍କ ସଭାପତିତ୍ୱରେ ଆଜି ଲୋୟର-ପିଏମଜିରେ ଅନୁଷ୍ଠିତ ବିଶାଳ ସମାବେଶରେ ୧୮ ଦଫା ଦାବି ଉପସ୍ଥାପନ କରାଯିବା ସହ ଦାବ ପୂରଣ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନଦୋଳନ ଜାରି ରହିବ ବୋଲି ଆଶାକର୍ମୀମାନେ ଚେତାବନୀ ଦେଇଛନ୍ତି । ସଭାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ନୀତିର କଡା ସମାଲୋଚନା କରାଯାଇଛି । ଏନଏଚଏମ ଅଧିନରେ କାର୍ଯ୍ୟ କରୁଥିବା ଆଶାକର୍ମୀଙ୍କୁ କେରଳ ଓ ଆନ୍ଧ୍ର ସରକାର ମାସିକ ୧୦ରୁ ୧୮ ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ପ୍ରୋତ୍ସାହନ ରାଶି ଦେଉଥିବା ବେଳେ ଓଡ଼ିଶା ସରକାଳ୍ସ୍ଳ୍ପ ପ୍ରୋତ୍ସାହନ ରାଶି ଦେଇ ଭଣ୍ଡାଇ ଚାଲିଛନ୍ତି ବୋଲି ସଂଘ ଅଭିଯୋଗ କରିଛି । ଆଶାକର୍ମୀଙ୍କ ସ୍ତାୟୀ କର୍ମଚାରୀ ମାନ୍ୟତା, ପ୍ରୋତ୍ସାହନ ରାଶି ପରିବର୍ତ୍ତେ ମାସିକ ୨୬ ହଜାର ଟଙ୍କା ଦରମା, ମୃତ୍ୟୁକାଳୀନ ସହାୟତା ୧୦ ଲକ୍ଷ ଟଙ୍କା, ମାସିକ ପେନସନ ୧୦ ହଜାର ଟଙ୍କା, ସ୍ମାର୍ଟ ଫୋନ ପାଇଁ ୧୦ ହଜାର ଟଙ୍କା, ସମସ୍ତଙ୍କୁ ଟିବିଆ ସହାୟତା, ଇପିଏଫ, ଇଏସଆଇ ସହ ଗ୍ରାଚ୍ୟୁଇଟି, ପ୍ରସବକାଳୀନ ସବେତନ ଛୁଟୀ ଓ ସାମାଜିକ ସୁରକ୍ଷା ଦିଆଯିବାକୁ ବିକ୍ଷୋଭ ସମାବେଶରେ ଦାବି କରାଯାଇଛି ।
ସିଆଟିୟୁ ନେତା ବଷ୍ଣୁ ମହାନ୍ତି, ସଂଘର ରାଜ୍ୟ ସଭାପତି ସ୍ୱାଇଁ, ସାଧାରଣ ସଂପାଦକ ଶକୁନ୍ତଳା ମହାକୁଡ, ରାଜ୍ୟ ୁପସଭାପତି ପୁଷ୍ପା ଦାସ, ଏଚ.ଏନ.ଯାଦବ, ସୁରେଶ ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ପାଢୀ, ସୁଲୋଚନା ପରିଡା, ସଂଯୁକ୍ତା ସେଠୀ, ମୀନା ବେହେରା, ରୀନା ନାୟକ, ରେବତୀ ପରିଡା, ପୀତବାସ ବେହେରା, ଚାପଦାରୀ ରାଉତ, ଲକ୍ଷ୍ମୀପ୍ରିୟା ମହାପାତ୍ର, ପ୍ରଦୀପ ନାୟକ ପ୍ରମୁଖ ଆଜିର ବିକ୍ଷୋଭ ସମାବେଶରେ ଉଦବୋଧନ ଦେଇ ୧୧ ବର୍ଷ ହେଲା ଆଶାକର୍ମୀଙ୍କୁ ଅଣଦେଖା କରାଯାଉଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆସନ୍ତାଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ରାଜ୍ୟ ବିଧାନସଭା ବଜେଟ ଅଧିବେଶନ ଫେବୃୟାରୀ ୧୩ ତାରିଖରୁ ଚାଲିଥିବା ବେଳେ ବିଭିନ୍ନ ସଂଗଠନ ପକ୍ଷରୁ ଗାନ୍ଧୀ ମାର୍ଗରେ ତୁହାକୁ ତୁହା ବିକ୍ଷୋଭ ଚାଲିଛି । କିନ୍ତୁ, କୌଣସି ମନ୍ତ୍ରୀ ବା ପ୍ରାଶାସନିକ ଅଧିକାରୀ ବିକ୍ଷୋଭକାରୀଙ୍କ ନିକଟରେ ପହଂଚୁ ନଥିବା ସରକାରଙ୍କ ମତିଗତିକୁ ସ୍ପଷ୍ଟ କରୁଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS