ପଲିଟିକାଲ୍ ଡ଼ାଏରୀ : ସୋନିଆଙ୍କ ନାକ କଟୁ କଟୁ ବର୍ତି ଗଲା…
– ପ୍ରସାଦ ରାଓ –
ଅଗଷ୍ଟ ୮ ତାରିଖ ଦିନ ଗୁଜୁରାଟର ଗୋଟିଏ ରାଜ୍ୟସଭା ଆସନରେ ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ନାଟକୀୟ ବିଜୟ ବିଜେପି ପାଇଁ ଯନ୍ତ୍ରଣାଦାୟକ ହୋଇଥିବା ବେଳେ ଏଆଇସିସି ସଭାପତି ସୋନିଆ ଗାନ୍ଧୀଙ୍କ ପାଇଁ ରାଜନୈତିକ ସଂଜୀବନୀ ସଦୃଶ ହୋଇଛି। ଏହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପଟେଲ ଥିଲେ ବିଜେପିର ପ୍ରମୁଖ ଟାର୍ଗେଟ୍ । କାରଣ ଥିଲା ସ୍ପଷ୍ଟ । ପଟେଲ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ରାଜନୈତିକ ସଚିବ କେବଳ ନ ଥିଲେ, କଂଗ୍ରେସରେ ଥିବା ବୟସ୍କ ପୀଢି ନେତାଙ୍କ ରାଜନୈତିକ ଭବିଷ୍ୟତର ଆଶା, ଭରସା ମଧ୍ୟ ଥିଲେ । ତାଙ୍କୁ ଧରାଶାୟୀ କରି କଂଗ୍ରେସକୁ ଅଧିକ ଦୁର୍ବଳ କରିବା ସହ ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ ୧୫୦ରୁ ଅଧିକ ଆସନ ଦଖଲ ଲକ୍ଷ୍ୟ ପୂରଣ କରିବା ବିଜେପିର ଉଦେ୍ଦଶ୍ୟ ଥିଲା । ତେଣୁ, ସୁଚିନ୍ତିତ ଭାବେ କଂଗ୍ରେସ ଓ ଅଦମ୍ମଦ ପଟେଲଙ୍କୁ ଧରାଶାୟୀ କରିବା ଯୋଜନା ପ୍ରସ୍ତୁତ କରି ଥିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ।
କଂଗ୍ରେସ ପାଇଁ ଅହମ୍ମଦ ପଟେଲଙ୍କ ବିଜୟ ଏଇଥି ପାଇଁ ଗୁରୁତ୍ୱପୂର୍ଣ ଥିଲା କି, ପଟେଲଙ୍କ ପରାଜୟ କେବଳ ଗୁଜୁରାଟ ନୁହେଁ, ସମଗ୍ର ଦେଶରେ କଂଗ୍ରେସର ସ୍ଥିତି ଦୋହଲାଇ ଦେବ । ଦଳର ଯୁବ ପୀଢି ନେତାଙ୍କ ଦ୍ୱାରା ପ୍ରତିଦିନ ପ୍ରତ୍ୟାଖାତ ହେଉଥିବା ବୟସ୍କ ବର୍ଗର ନେତାମାନେ ସେମାନଙ୍କ ଅସ୍ତିତ୍ୱକୁ ନେଇ ସନ୍ଦିହାନ ଥିଲେ । ପୁରୁଖା ନେତାମାନେ ନିଜେ ଜିତି ପାରୁ ନ ଥିବା ବେଳେ ଦଳକୁ କେମିତି ନେତଅତ୍ୱ ଦେବେ ବୋଲି ପ୍ରଶ୍ନ ଉଠିବାର ଅବକାଶ ରହି ଥିଲା । ତେଣୁ, ପଟେଲଙ୍କ ବିଜୟ ଦଳ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଥିଲା । ରାଜ୍ୟସଭାରେ କଂଗ୍ରେସର ସଭ୍ୟ ସଂଖ୍ୟା ନିକଟରେ ବିଜେପି ପଛକୁ ଚାଲି ଆସିଛି । ପଟେଲ ହାରିଲେ ରାଜ୍ୟସଭାରେ ଦଳର ସ୍ଥିତି ଅଧିକ ବିପନ୍ନ ହେବା ନେଇ କଂଗ୍ରେସ ନେତୃତ୍ୱର ଅଶ୍ୱସ୍ତି ବଢି ଚାଲି ଥିଲା । ଦୁଇ ଦଳ ନିଜ ନିଜ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟସଭା ନିର୍ବାଚନରେ ଗୋଟି ଚଳାଇ ଥିଲେ ।
ବିଜେପି ସର୍ବଦା ସ୍ୱଚ୍ଛ ରାଜନୀତି କରୁଥିବା ଦାବି କରି ଆସିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ବରିଷ୍ଟ ନେତା ଲାଲକୃଷ୍ଣ ଆଡୱାନୀ, ଯଶବନ୍ତ ସିଂହ, ଯଶବନ୍ତ ସିହ୍ନା, ମୁରଲୀ ମନୋହର ଯୋଶୀଙ୍କ ଭଳି ନେତାମାନେ ଦଳର ମଙ୍ଗ ଧରି ଥିବା ବେଳେ ବିଜେପିକୁ ‘ସାଂପ୍ରଦାୟିକ ଶକ୍ତି’ ଭାବରେ ଚିତ୍ରଣ କରାଯାଉଥିଲା ମଧ୍ୟ ‘ଦୁର୍ନୀତିଗ୍ରସ୍ତ ବା ସ୍ୱାର୍ଥସର୍ବସ୍ୱ ଦଳ’ ବୋଲି ଆକ୍ଷେପ କରିବାକୁ କେହି ସୁଯୋଗ ପାଉ ନ ଥିଲେ । କଂଗ୍ରେସ ହିଁ ଏଭଳି କଳଙ୍କ ବହନ କରୁଥିଲା । ନିର୍ବାଚନରେ ‘ଘୋଡା ବେପାର’ କଂଗ୍ରେସର ଏକଚାଟିଆ ଅଧିକାର ବୋଲି ସମାଲୋଚନା ହେଉଥିଲା । ତେବେ, ଭାରତର ରାଜନୈତିକ ଚିତ୍ର ବଦଳିବା ସହ କଂଗ୍ରେସର ଏହି ଏକଚାଟିଆ ଅଧିକାରର ଦାବିଦାରୀ ବଦଳି ଥିବା ଗୁଜୁରାଟ ରାଜ୍ୟ ସଭା ନିର୍ବାଚନରେ ଦେଖିବାକୁ ମିଳିଛି । କଂଗ୍ରେସ ବିଧାୟକଙ୍କୁ କିଣିବା ସକାଶେ ବିଜେପି ୧୫୦ କୋଟି ଟଙ୍କାର ଲୋଭ ଦେଖାଇ ଥିଲା ବୋଲି ଗୁଜୁରାଟର କଂଗ୍ରେସ ବିଧାୟକମାନେ ଅଭିଯୋଗ କରିଥିବା ବେଳେ ଏହାର ତଦନ୍ତ ପାଇଁ ଦାବି ଶିଥିଳ ପଡି ଯିବା ରହସ୍ୟମୟ ମନେ ହେଉଛି । ନିର୍ବାଚନ ଜିତିବା ପାଇଁ ବିଜେପି ୧୫୦ କୋଟି ଟଙ୍କା ଲାଂଚ ଯାଚିବା ଅଭିଯୋଗ ଯଦି ସତ ହୋଇଥାଏ ତେବେ ଶାହାଙ୍କ ନେତୃତ୍ୱରେ ବିଜେପି ସମଗ୍ର ଦେଶକୁ “କଂଗ୍ରେସ-ମୁକ୍ତ” କରିବା ସକାଶେ କିଭଳି କିଣା, ବିକା କୌଶଳ ଆରମ୍ଭ କରିଛି, ତାହା ପଦାରେ ପଡି ଯାଇଛି । ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ‘ଚତୁର ବଣିଆ’ କହିଥିବା ଶାହା ନିଜେ ଯେ ଜଣେ ‘ଚତୁର ବଣିଆ’- ତାହା ଏଥିରୁ ଜଣାପଡୁଛି ।
ଗୁଜୁରାଟର ତିନିଟି ରାଜ୍ୟସଭା ଆସନ ପାଇଁ ୮ ତାରିଖ ନିର୍ବାଚନ ହୋଇଥିଲା । ପ୍ରାର୍ଥୀ ଥିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା, କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ନିକଟରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ବଳବଂତ ସିଂ ରାଜପୁତ ଓ ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ । ୧୮୨ ଆସନ ବିଶିଷ୍ଟ ଗୁଜୁରାଟ ବିଧାନସଭାର ଛଅ ଜଣ କଂଗ୍ରେସ ବିଧାୟକ ଦୁଇ ସପ୍ତାହ ତଳେ ଇସ୍ତଫା ଦେଇ ଭୋଟଦାନ ଅଧିକାରରୁ ବଂଚିତ ହୋଇଥିଲେ । ଫଳରେ, ବିଧାନସଭାରେ ଭୋଟ ଦେବାକୁ ସକ୍ଷମ ବିଦାୟକଙ୍କ ସଂଖ୍ୟା ୧୭୬କୁ ଖସି ଯାଇଥିଲା । ବିଧାନସଭାରେ ବିଜେପିର ୧୨୧ ବିଧାୟକ ଥିବା ବେଳେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୫୭ରୁ ୫୧କୁ ଖସି ଯାଇଥିଲା । ବିଜେପି ବରିଷ୍ଠ ନେତା ଶଙ୍କର ସିଂ ବାଘେଲାଙ୍କୁ ‘ମୋହରା’ କରି କଂଗ୍ରେସ ବିଧାୟକ ଦଳରେ ବିଭାଜନ ଯୋଜନା କରିଥିଲା । ବାଘେଲା କଂଗ୍ରେସରୁ ଇସ୍ତଫା ଦେବା ପରେ ପରେ ତାଙ୍କ ଅନୁରକ୍ତ ଛଅ ବିଧାୟକ ଇସ୍ତଫା ଦେଇ ଭୋଟଦାନ ଅଧିକାର ହରାଇଥିଲେ । ବାଘେଲାଙ୍କ ବିଧାୟକ ପୁତ୍ର ମହେନ୍ଦ୍ର ସିଂ ବାଘେଲା କଂଗ୍ରେସ ଛାଡ଼ି ନଥିଲେ ମଧ୍ୟ ବିଜେପି ପ୍ରତି ତାଙ୍କର ଅନୁରକ୍ତ ରହି ଥିବା ଆଚରଣ ମାଧ୍ୟମରେ ସ୍ପଷ୍ଟ କରିସାରି ଥିଲେ । କଂଗ୍ରେସ ଛାଡି ଥିବା ଛଅ ବିଧାୟକଙ୍କ ମଧ୍ୟରୁ ତିନି ଜଣ ବିଜେପିରେ ଯୋଗ ଦେଇ ଦଳର ମନୋବଳ ଭାଂଗି ଦେଇଥିଲେ । ରାଜ୍ୟସଭା ଭୋଟ ନିୟମାବଳୀ ଅନୁଯାୟୀ ବିଧାନସଭାର ୧୮୨ ଆସନକୁ ଚାରି ଭାଗ କରାଯାଇ ଯେଉଁ ପ୍ରାର୍ଥୀ ୪୫ ବିଧାୟକଙ୍କ ପ୍ରଥମ ପସନ୍ଦ ଭୋଟ ପାଇବେ ସେ ବିଜୟୀ ଘୋଷିତ ହେବେ ବୋଲି ସୂଚାି ଦିଆଯାଇ ଥିଲା । ଦୁଇଟି ରାଜ୍ୟସଭା ଆସନ ପାଇଁ ଅମିତ ଶାହା ଓ ସ୍ମୃତି ଇରାନୀ ବିଜେପିର ପ୍ରଥମ ପସନ୍ଦ ଥିଲେ । ରାଜ୍ୟ ବିଧାନସଭାରେ ବିଜେପି ବିଧାୟକ ସଂଖ୍ୟା ୧୨୧ ଥିବାରୁ ୯୦ଟି ପ୍ରଥମ ପସନ୍ଦ ଭୋଟ ପାଇ ଅମିତ ଓ ସ୍ମୃତି ବିଜୟୀ ହେବା ନିଶ୍ଚିତ ଥିଲା । ବିଜେପିର ତୃତୀୟ ପସନ୍ଦ ପ୍ରାର୍ଥୀ ରାଜପୁତଙ୍କ ବିଜୟ ପାଇଁ କଂଗ୍ରେସ ବିଧାୟକ ଦଳରେ ବିଭାଜନ ନତାନ୍ତ ଜରୁରୀ ମନେ କରି ବିଜେପି ମୁଖ୍ୟ ଶାହା ନିର୍ବାଚନ କୌଶଳ ପ୍ରସ୍ତୁତ କରିଥିଲେ । ରାଜପୁତଙ୍କ ପାଇଁ ଦଳୀୟ ବିଧାୟକଙ୍କ ମାତ୍ର ୩୧ଟି ପ୍ରଥମ ପସନ୍ଦ ଭୋଟ ରହୁ ଥିବାରୁ ତାହାକୁ ଅନ୍ତତଃ ୪୪ ବା ୪୫ରେ ପହଂଚାଇବା ଥିଲା ଅମିତ ଶାହାଙ୍କ ଖେଳ ।
ବିହାରରେ ନୀତୀଶଙ୍କୁ ହାତ କରି ସରକାର ବଦଳାଇ ଦେଇତିବା ଶାହାଙ୍କ କୁଟୀଳ ରାଜନୀତିରୁ କଂଗ୍ରେସ ବିଧାୟକଙ୍କୁ ରକ୍ଷା କରିବା ପାଇଁ କର୍ଣ୍ଣାଟକର ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ସହାୟତାରେ ବିଦାୟକମାନଙ୍କୁ ସ୍ଥାନାନ୍ତର କରି ଦିଆଗଲା ବେଙ୍ଗାଲୁରୁ ନିକଟରେ ଥିବା ଏକ ବିଳାସପୂର୍ଣ୍ଣ ରିସର୍ଟକୁ । ନଜରବଂଦୀରେ ରକା ଯିବା ନେଇ କିଛି କଂଗ୍ରେସ ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ । ବିଧାୟକମାନଙ୍କୁ ରିସର୍ଟରେ ନଜରବଂଦୀ କରି ରଖା ଯାଇଥିବା ଅଭିଯୋଗକୁ କଂଗ୍ରେସ ଖଣ୍ଡନ କରିଥିଲେ ମଧ୍ୟ ବିଜେପି ସେମାନଙ୍କ ଉସୁକାଇବା ପାଇଁ ସବୁ ପ୍ରକାର କୌଶଳ ପ୍ରୟୋଗ କରି ଥିଲା । କର୍ଣ୍ଣାଟକର ସଂପୃକ୍ତ ପ୍ରଭାବଶାଳୀ ମନ୍ତ୍ରୀଙ୍କ ରିସର୍ଟ, ଘର ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆୟକର ବିଭାଗର ଚଢାଉ ହେଲା, ବହୁ କୋଟିର ନଗଦ ଅର୍ଥ, ଅଳଙ୍କାର ଓ ସଂପତ୍ତି କାଗଜପତ୍ର ଜବତ କରା ଗଲା । କଂଗ୍ରେସ ଉପରେ ଚାପ ସୃଷ୍ଟି କରାଗଲା । ଗୁଜୁରାଟରେ ବନ୍ୟା ବିପର୍ଯୟ ସମୟରେ କଂଗ୍ରେସ ବିଧାୟକମାନେ କର୍ଣ୍ଣାଟକର ଏକ ବିଳାସପୂର୍ଣ୍ଣ ରିସର୍ଟରେ ମଉଜମସ୍ତି କରୁଥିବାର ଚିତ୍ର ବ୍ୟାପକ ଭାବେ ପ୍ରସାରଣ କରାଗଲା । ତଥାପି, କଂଗ୍ରେସ ନେତୃତ୍ୱ ଓ ବିଧାୟକମାନେ ଅବିଚଳିତ ରହି ଠିକ୍ ଭୋଟ ପୂର୍ବରୁ ଗୁଜୁରାଟ ଫେରିଲେ ।
ତେବେ, ଶେଷ ମୂହୁର୍ତ ପର୍ଯ୍ୟନ୍ତ ବିଜେପି କଂଗ୍ରେସ ନେତୃତ୍ୱକୁ ଶାନ୍ତିରେ ରଖାଇ ଦେଲା ନାହିଁ । ସଦ୍ୟ ବିହାରରେ ଆରଜେଡ଼ି, କଂଗ୍ରେସକୁ ଝଟକା ଦେଇ ବିଜେପିର ହାତ ଧରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ଦଳ ଜେଡ଼ିୟୁର ଏକମାତ୍ର ବିଧାୟକଙ୍କୁ ବିଜେପି ସପକ୍ଷରେ ଭୋଟ ଦେବାକୁ ନିଦେ୍ର୍ଦଶ ଦେଇଥିଲେ । ବିଧାନସଭାରେ ଥିବା ଏନସିପିର ଦୁଇ ବିଧାୟକ ମଧ୍ୟରୁ ଜଣେ ଅନ୍ତତଃ କଂଗ୍ରେସ ସପକ୍ଷରେ ଭୋଟ ଦେବେ ବୋଲି କଂଗ୍ରେସ ପ୍ରାର୍ଥୀ ପଟେଲ ଆଶା ରଖି ଥିଲା । କିନ୍ତୁ, ଏନସିପି ମୁଖ୍ୟ ଶରଦ ପାୱାର ଓ ତାଙ୍କ ସାଂସଦ ଝିଅଙ୍କ ବିବୃତିରେ ତାଳମେଳ ନ ରହିବା ଶେଷ ପର୍ଯ୍ୟନ୍ତ କଂଗ୍ରେସକୁ ମାନସିକ ଚାପରେ ରଖି ଥିଲା । କର୍ଣ୍ଣାଟକରୁ ଫେରିବା ପରେ ୪୪ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ଜଣେ କରମ ସିଂ ମାକୱାନା ବିଜେପିକୁ ଭୋଟ ଦେବା ନିଷ୍ପତ୍ତି ଜଣାଇ ଦେଇ କଂଗ୍ରେସକୁ ଅଧିକ ଚାପଗ୍ରସ୍ତ କରିଥିଲେ । କଂଗ୍ରେସ ପ୍ରାର୍ଥୀ ଅହମ୍ମଦ ପଟେଲ ଅନ୍ତତଃ ୪୩ କଂଗ୍ରେସ ବିଧାୟକଙ୍କ ପ୍ରଥମ ପସନ୍ଦ ଭୋଟ ପାଇବା ଆଶା ରଖି ଜେଡ଼ିୟୁର ଏକମାତ୍ର ବିଧାୟକ ଛୋଟୁଭାଇ ଭାସୋଉଙ୍କୁ ଭରସା କରି ଥିଲେ । ପଟେଲଙ୍କ ବିଜୟକୁ ସମ୍ମାନର ପ୍ରଶ୍ନ ଭାବେ ବିଚାର କରୁଥିବା କଂଗ୍ରେସ ବିଜେପିକୁ ମାତ୍ ଦେବା ପାଇଁ ପ୍ରାଣପଣେ ଉଦ୍ୟମ କରୁଥିବା ବେଳେ ବିଜେପି ମୁଖ୍ୟ ଶାହା ପଟେଲଙ୍କୁ ପରାଜିତ କରି ସୋନିଆଙ୍କ ନେତୃତ୍ୱର ଦୁର୍ବଳତା ପଦାରେ ପକାଇବାକୁ ଗୋଟି ଚଳାଇ ଥିଲେ । ସବୁ ସମ୍ଭାବନାକୁ ସେ ଖୋଲା ରଖି ପ୍ରଥମ ପସନ୍ଦ ଭୋଟରେ ରାଜପୁତ ବା ପଟେଲ ନିର୍ଦ୍ଧାରିତ ସଂଖ୍ୟାରେ ଭୋଟ ନ ପାଇଲେ ଦ୍ୱିତୀୟ ପସନ୍ଦ ଭୋଟ ଗଣତି କରାଇବାକୁ ଛକି ରହିଥିଲେ । ଏହା ହୋଇଥିଲେ ବିଜେପିର ବିଜୟ ନିଶ୍ଚିତ ଥିଲା ।
କିନ୍ତୁ, ୮ ତାରିଖ ଭୋଟରେ ବିଜେପିକୁ ମାତ୍ ଦେଲା ଶାହାଙ୍କ ଏକ ଭୁଲ ଚାଲ୍ । କଂଗ୍ରେସ ପ୍ରାର୍ଥୀ ପଟେଲ ୪୦ ଭୋଟ ବି ପାଇବେ ନାହିଁ ବୋଲି ଶଙ୍କର ସିଂ ବାଘେଲା ଦୃଢ ଭାବେ କହୁ ଥିବା ବେଳେ କଂଗ୍ରେସ ବିଧାୟକ ମାକୱାନା ବିଜେପିକୁ କ୍ରସ୍ଭୋଟିଂ କରି ବିଜେପିର ବିଜୟ ଆଶା ବଢାଇ ଦେଇଥିଲେ । ତେବେ, ଶାହାଙ୍କ ସନେ୍ଦହୀ ମନ ସବୁ ଓଲଟପାଲଟ କରି ଦେଲା । ବୋଧହୁଏ, ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ଉପରେ ବିଜେପି ମୁଖ୍ୟଙ୍କ ପୂର୍ଣ୍ଣ ଆସ୍ଥା ନ ଥିଲା । ବିଜେପିକୁ ଭୋଟ ଦେଇଥିବା ସୁନିଶ୍ଚିତ କରିବା ସକାଶେ ସେମାନେ ବାଲଟ ପେପର ତାଙ୍କୁ ଦେଖାଇ ଭୋଟ ବାକ୍ସରେ ପକାଇବାକୁ ଶାହାଙ୍କ ନିଦେ୍ର୍ଦଶ ଥିଲା ! ଦୁଇ କଂଗ୍ରେସ ବିଧାୟକ ବିଜେପି ପ୍ରାର୍ଥୀ ରାଜପୁତଙ୍କୁ ଭୋଟ ଦେଇ ଥିବା ପ୍ରମାଣ ସ୍ୱରୂପ ଶାହାଙ୍କୁ ବାଲଟ ପେପର ଦେଖାଇ ଭୋଟ ବାକ୍ସରେ ପକାଇବା ବିଜେପି ପରାଜୟର କାରଣ ହେଲା । ନିୟମ ମୁତାବକ ଭୋଟ ଦେଉଥିବା ବାଧାୟକମାନେ ନିଜ ଦଳର ପୋଲିଂ ଏଜେଂଟଙ୍କ ବ୍ୟତୀତ ଅନ୍ୟ କାହାରିକୁ ବାଲଟ ପେପର୍ ଦେଖାଇ ପାରିବେ ନାହିଁ । ସେଭଳି କିଛି ହେଲେ, ସଂପୃକ୍ତ ବିଧାୟକଙ୍କ ଭୋଟଟି ନାକଚ ହୋଇଯିବ । ବିଜେପି ସପକ୍ଷରେ ଭୋଟ ଦେଇଥିବା ଦୁଇ କଂଗ୍ରେସ ବିଧାୟକଙ୍କ ଭୋଟ ଦେବା ସମୟରେ ବିଜେପି ମୁଖ୍ୟ ଅମିତ ଶାହାଙ୍କୁ ବାଲଟ ପେପର ଦେଖାଇ ଥିବା ପ୍ରମାଣିତ ହେବାରୁ ନିର୍ବାଚନ କମିସନ୍ ସେମାନଙ୍କ ଭୋଟକୁ ନାକଚ କରି ଦେଇ ଥିଲେ । ଏସଂପର୍କୀତ କଂଗ୍ରେସର ଦାବିକୁ ନିର୍ବାଚନ କମିସନ ଗ୍ରହଣ କରି ଭୋଟ ଗଣତି ଚାଲୁ ରଖି ଥିବା ବେଳେ ବିଜେପି ତାହାକୁ ବିରୋଧ କରି ଦୁଇ କଂଗ୍ରେସ ବିଧାୟକଙ୍କ ଭୋଟ ନାକଚ ନ କରିବାକୁ ଅଡ଼ି ବସିବାରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଭୋଟ ଗଣନା ବନ୍ଦ ରହି ଥିଲା । ଦୁଇ ଦଳର ଏକାଧିକ ପଦାଧିକାରୀ, ମନ୍ତ୍ରୀ, ସାଂସଦ ବିଭିନ୍ନ ପର୍ଯାୟରେ ନିର୍ବାଚନ କମିସନଙ୍କୁ ଭେଟି ସେମାନଙ୍କ ଯୁକ୍ତି ରଖିଥିଲେ ମଧ୍ୟ ଶେଷରେ ରାତି ଗୋଟାଏ ୪୫ ମିନିଟ ସମୟରେ ନିର୍ବାଚନ କମିସନ୍ ଫଳାଫଳ ଘୋଷଣା କରି କଂଗ୍ରେସ ପ୍ରାର୍ଥୀ ପଟେଲଙ୍କୁ ବିଜୟୀ ଘୋଷଣା କରିଥିଲେ । ଜେଡ଼ିୟୁ ଓ ଏନସିପି ବିଧାୟକଙ୍କ ସମର୍ଥନରେ ଏହି ଚମକ୍ରାର ହୋଇଥିବା ଚର୍ଚା ହେଉଛି । କଂଗ୍ରେସ ପ୍ରାର୍ଥୀ ଅହମ୍ମଦ ପଟେଲଙ୍କ ବିଜୟ କଂଗ୍ରେସ ଶିବିରକୁ ଉଲ୍ଲାସିତ କରିଛି । ଅନ୍ତଃତ, ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କ ନାକ କଟୁ କଟୁ ବର୍ତି ଗଲା ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS