ବିଜେପି ରାଜନୀତି: ମୁହଁ ପୋଡି ଦେଇଛି ବାବା-ପ୍ରୀତି, ଓଡ଼ିଶା ଦଖଲ ଅଭିଯାନ ପ୍ରଭାବିତ ହେବ !
– ପ୍ରସାଦ ରାଓ –
ଭୁବନେଶ୍ୱର,୨୮ ଅଗଷ୍ଟ: ଓଡ଼ିଶା ସମେତ ଅନ୍ୟ ଅଣ-ବିଜେପି ରାଜ୍ୟରେ କ୍ଷମତା ଦଖଲ ପାଇଁ ଗୋଟିଚାଳନା କରୁଥିବା ବିଜେପି ନେତୃତ୍ୱ ପାଇଁ ହରିଆନା ଘଟଣାବଳୀ ଏବଂ ତାହାକୁ ନେଇ ପଞ୍ଜାବ ଓ ହରିୟାନା ହାଇକୋର୍ଟଙ୍କ କଟୁ ମନ୍ତବ୍ୟ ଗତିରୋଧକ ହେବାର ଆଶଙ୍କା ସୃଷ୍ଟି କରିଛି । ୨୦୦୨ର ଦୁଇଟି ବଳକ୍ରାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ସିଂହଙ୍କ ପ୍ରତି କେନ୍ଦ୍ର ଓ ହରିଆନା ସରକାରଙ୍କ ଅହେତୁକ ଅନୁକଂପା ପ୍ରଦର୍ଶନ କରିଥିବା ହାଇକୋର୍ଟ ଅନୁଭବ କରିବା ପରେ ଦୁଇ ସରକାରଙ୍କ ପ୍ରତି କଟୁ ଟିପ୍ପଣୀ ଦେଇଛନ୍ତି । ମାନ୍ୟବର ହାଇକୋର୍ଟଙ୍କ ଟିପ୍ପଣୀ ରାମ ରହିମ ମାମଲାରେ ଅତି ନମନୀୟ ଆଚରଣ ପ୍ରଦର୍ଶନ କରି ଥିବା ହରିଆନା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଡୁଆରେ ପକାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପ ବିଜେପିକୁ ଅଡୁଆରେ ପକାଇବା ସହ ଦଳ କ୍ଷମତା ରାଜନୀତି ପ୍ରସଙ୍ଗରେ ଅନ୍ୟ ରାଜନୈତିକ ଦଳଙ୍କ ଠାରୁ କୌଣସି ଦୃଷ୍ଟିରୁ ଭିନ୍ନ ନୁହେଁ ବୋଲି ଧାରଣା ସୃଷ୍ଟି କରିଛି । ଭୋଟ ରାଜନୀତି ପାଇଁ ଯେ ଗୁରୁମିତ ରାମ ରହିମ ସିଂହଙ୍କ ଭଳି ଜଣେ ଅପରାଧପ୍ରବଣ ବ୍ୟକ୍ତିଙ୍କୁ ବର୍ଷ ବର୍ଷ ଧରି ସୁରକ୍ଷା ଦିଆ ଯାଉଥିଲା ଏବଂ ବଳକ୍ରାର ଅଭିଯୋଗ ଆଣିଥିବା ମହିଳାଙ୍କ କଂଠରୋଧ ଉଦ୍ୟମ ହୋଇଥିଲା, ତାହା ସିବିଆଇ ସ୍ୱତନ୍ତ୍ର ବିଚାରପତିଙ୍କ ରାୟରୁ ସ୍ପଷ୍ଟ ହୋଇ ଯାଇଛି । ମାମଲା ରଫାଦଫା କରିବା ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଉପରେ ଚାପ ପକା ଯାଇଥିବା ମଧ୍ୟ ସ୍ପଷ୍ଟ ହୋଇଛି । ଅଭିଯୋଗକାରୀ ମହିଳାମାନେ ନିଜର ନିରାପତ୍ତା ନେଇ ସନେ୍ଦହରେ ଥିବାରୁ ପ୍ରଥମେ ପ୍ରଥମେ ସାକ୍ଷ୍ୟ ଦେବାକୁ ଭୟ କରିଥିଲେ । ତଥାପି, ସିବିଆଇ ତଥ୍ୟ, ପ୍ରମାଣ ଯୋଗାଡ କରିବା ସହ ପୀଡ଼ିତା ମହିଳାଙ୍କୁ ଆଶ୍ୱାସନା ଦେଇ ସେମାନଙ୍କ ବୟାନ ରେକର୍ଡ କରାଇ ମାମଲାକୁ ଏକ ନିର୍ଣ୍ଣାୟକ ମୋଡରେ ପହଂଚାଇ ଥିଲା । ଦୁଇଟି ମହିଳାଙ୍କ ବଳକ୍ରାରୀ ଗୁରୁମିତ ରାମ ରହିମ ସିଂହଙ୍କୁ ଜେଲରେ ପହଂଚାଇ ନିଜର ଦକ୍ଷତା ଓ ନିରପେକ୍ଷତା ପ୍ରମାଣିତ କରିଛି । ସ୍ୱତନ୍ତ୍ର ସିବିଆଇ ଅଦାଲତ ବିଚାରପତି ଜଗଦୀପ ସିଂହ ମଧ୍ୟ ନିର୍ଭୟରେ ବଳକ୍ରାରୀ ବାବାଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଜେଲ୍ ଦଣ୍ଡ ଓ ୩୦ ଲକ୍ଷ ଟଙ୍କା ଜରିମାନା କରିବା ଦ୍ୱାରା ଅଭିଯୋଗକାରିଣୀ ନ୍ୟାୟ ପାଇଛନ୍ତି । ଏହି ମାମଲା ସ୍ୱଚ୍ଛ ଓ ନିର୍ମଳ ଶାସନର ଭରସା ଦେଉଥିବା କେନ୍ଦ୍ର ଓ ହରିଆନା ସରକାରଙ୍କ ମୁଖା ଖୋଲିବାରେ ମଧ୍ୟ ସଫଳ ହୋଇଛି । ଦେଶରେ କ୍ଷମତାସୀନ ଥିବା ଦଳ ଜଣେ ବଳକ୍ରାରୀ ବାବାଙ୍କ ପ୍ରତି ଯେଭଳି ଅନୁରକ୍ତି ବା ଅନୁକଂପା ଦେଖାଇଲେ, ତାହା ସମଗ୍ର ଦେଶରେ ଆଲୋଚନା ଓ ସମାଲୋଚନାର ବିଷୟ ହୋଇ ଥିବାରୁ ଆସନ୍ତା ସାଧାରଣ ନିର୍ବାଚନରେ ଅଣ-ବିଜେପି ଶାସିତ ରାଜ୍ୟରେ ବିଜେପି ଶାସନ ପ୍ରତିଷ୍ଠା ପାଇଁ ଚାଲିଥିବା ଉଦ୍ୟମ ପ୍ରଭାବିତ ହୋଇପାରେ ବୋଲି ଏବେ ଆଶଙ୍କା ପ୍ରକାଶ ପାଇଲାଣି ।
ବିଶେଷକରି, ସ୍ୱତନ୍ତ୍ର ସିବିଆଇ କୋର୍ଟ ବିଚାରପତି ସିଂହ ଗଲା ୨୫ ତାରିଖ ଦୁଇ ବଳକ୍ରାର ମାମଲାରେ ବଳକ୍ରାରୀ ବାବା ଗୁରୁମିତ ରାମ ରହିମ ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରି ରାୟ ଦେବା ପରେ ବାବାଙ୍କ ସମର୍ଥକଙ୍କ ଆଡୁ ଯେଭଳି ହିଂସାକାଣ୍ଡ ଓ ଜଳାପୋଡା ହେଲା ଏବଂ ତାହାକୁ ରୋକିବାରେ ଉଭୟ କେନ୍ଦ୍ର ଓ ହରିୟାନା ରାଜ୍ର ସରକାର ଅବହେଳା ପ୍ରଦର୍ଶନ କଲେ, ତାହା ସମଗ୍ର ଦେଶରେ ବିଜେପିର ଭାବମୂର୍ତୀକୁ କ୍ଷୁର୍ଣ୍ଣ କରିଛି । ହିଂସାକାଣ୍ଡରେ ୩୮ଟି ଜୀବନ ଯାଇଛି । ଶତାଧିକ ନିରୀହ ଆହତ ହେବା ସହ କୋଟି କୋଟି ଟଙ୍କାର ସଂପତ୍ତି ନଷ୍ଟ ହୋଇଛି । ଖବର ପ୍ରସାରଣ କରୁଥିବା ସାମ୍ବାଦିକମାନେ ମଧ୍ୟ ଦଙ୍ଗାକାରୀଙ୍କ ଆକ୍ରମଣରୁ ବାଦ୍ ପଡି ନାହାନ୍ତି । କୋର୍ଟ କାର୍ଯ୍ୟର ସିଧା ପ୍ରସାରଣରେ ବ୍ୟବହାର କରାଯାଉଥିବା ଓବି ଭ୍ୟାନ୍ଗୁଡ଼ିକୁ ମଧ୍ୟ ଦଙ୍ଗାକାରୀ ପୋଡି ଦେଇ ଥିଲେ । ଦଙ୍ଗାକାରୀ ଲାଠି, ପେଟ୍ରୋଲ ଓ ଅନ୍ୟାନ୍ୟ ଦହନଶୀଳ ପଦାର୍ଥ ବ୍ୟବହାର କରି ଆକ୍ରମଣ କରୁଥିବା ବେଳେ ସେଠାରେ ଉପସ୍ଥିତ ସୁରକ୍ଷା କର୍ମଚାରୀମାନେ ଜନଜୀବନକୁ ରକ୍ଷା କରିବେ କଣ, ନିଜେ ସୁରକ୍ଷିତ ସ୍ଥାନକୁ ଧାଉଁଥିବା ଦୃଶ୍ୟ ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ହରିଆନା, ପଞ୍ଜାବ, ଦିଲ୍ଲୀରେ ହିଂସା ଓ ଜଳାପୋଡାକାଣ୍ଡ ଯୋଗୁ ଯେଉଁ କୋଟି କୋଟି ଟଙ୍କାର ସଂପତ୍ତି କ୍ଷତିଗ୍ରସ୍ତ ହୋଇଛି ତାହା ବଳକ୍ରାରୀ ବାବା ଗୁରୁମିତଙ୍କ ବିଭିନ୍ନ ସଂପତ୍ତିକୁ ଜବତ କରାଯାଇ ଭରଣା କରାଯିବାକୁ ପଞ୍ଜାବ ଓ ହରିୟାନା ହାଇକୋର୍ଟ ନିଜ ଆଡୁ ନିଦେ୍ର୍ଦଶ ଦେବା ସରକାରଙ୍କ ପାଇଁ ଲଜ୍ୟାକର ପରିସ୍ଥିତି ସୃଷ୍ଟି କରିଛି । ପରିସ୍ଥିତିର ଭୟଙ୍କରତାକୁ ହାଇକୋର୍ଟ ଉପଲବ୍ଧି କରି ଥିବାରୁ ନିଜ ଆଡୁ ଏଭଳି ନିଦେ୍ର୍ଦଶ ଦେଇ ଥିଲେ । କିନ୍ତୁ, କେନ୍ଦ୍ର ସରକାର ତାହା ବୁଝି ମଧ୍ୟ ଅବୁଝା ରହିବା ଦେଶବାସୀଙ୍କୁ ବିସ୍ମିତ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘଟଣା ଦିନ ହିଁ ହିଂସାକାଣ୍ଡ ଓ ଜଳାପୋଡାକୁ ଦୃଢ ନିନ୍ଦା କରୁଥିବା ଟ୍ୱିଟ୍ କରିଥିଲେ । ରବିବାର ‘ମନ୍ କି ବାତ୍’ ରେଡିଓ କାର୍ଯ୍ୟକ୍ରମରେ ସେ ‘ଦେଶରେ କୌଣସି ପ୍ରକାର ହିଂସାକୁ ବରଦାସ୍ତ କରାଯିବ ନାହିଁଁ’ ବୋଲି ମନ୍ତବ୍ୟ ଦେଇ ନିଜର ଦାୟିତ୍ୱ ସାରି ଦେଇଛନ୍ତି । ଏହି ପରିସ୍ଥିତି ପାଇଁ ହରିଆନା ମୁଖ୍ୟମନ୍ତ୍ରୀ ଖଟ୍ଟର ଓ ତାଙ୍କ ସରକାରଙ୍କୁ ଦାୟୀ କରି ପଞ୍ଜାବ ଓ ହରିଆନା ହାଇକୋର୍ଟ କ୍ଷୋଭ ପ୍ରକାଶ କରି ଥିବା ବେଳେ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ବିରୋଧରେ କେନ୍ଦ୍ର ଆଡୁ କୌଣସି କାର୍ଯାନୁଷ୍ଠାନ ହେଲା ନାହିଁ । ଅନ୍ୟପକ୍ଷରେ, ଯେଭଳି ବିଶୃଙ୍ଖଳା ସୃଷ୍ଟି ହେଲା ସେଥିପାଇଁ ଖଟ୍ଟର ସରକାର ଦାୟି ନୁହନ୍ତି କହି ଦଳ ଓ କେନ୍ଦ୍ର ବିଜେପି ସୁରକ୍ଷା ଦେଲେ । କେନ୍ଦ୍ର ସରକାରଙ୍କ ଆଚରଣ ଦେଖି ହାଇକୋର୍ଟଙ୍କ କଟୁ ମନ୍ତବ୍ୟ ଦଳ ଓ ସରକାରଙ୍କ ମୁହଁ ପୋଡି ଦେଇ ଥିଲେ ବି ବିଜେପିର ଫୁଟାଣୀ ଭାଙ୍ଗିନି ବୋଲି ଏବେ ସାଧାରଣରେ ଆଲୋଚନା ହେଉଛି ।
ବିଡ଼ମ୍ବନାର ବିଷୟ ହେଉଛି, ବର୍ତମାନର ଏନଡ଼ିଏ ସରକାରଙ୍କୁ ଅଡ଼ୁଆରେ ପକାଇ ଥିବା ବାବା ଗୁରୁମିତ ରାମରହିମ ସିଂହଙ୍କ ଯୌନ ବ୍ୟଭିଚାର ମାମଲା ୨୦୦୨ ମସିହାରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାର ବାଜପେୟୀଙ୍କ ନେତୃତ୍ୱାଧୀନ ଏନ୍ଡ଼ିଏ ସରକାର ସମୟରେ ପଦାକୁ ଆସିଥିଲା । ବଳକ୍ରାର ପୀଡ଼ିତା ଗୋପନପତ୍ର ମାଧ୍ୟମରେ ପ୍ରଧାନମନ୍ତ୍ରୀ ବାଜପେୟୀ ଏବଂ ପଞ୍ଜାବ ଓ ହରିଆନା ହାଇକୋର୍ଟଙ୍କୁ ଗୁରୁମିତଙ୍କ ଆଶ୍ରମରେ ଚାଲିଥିବା ଯୌନ ବ୍ୟଭିଚାରର ବିସ୍ତୃତ ତଥ୍ୟ ଦେଇଥିଲେ ଏବଂ ଏହାର ତଦନ୍ତ ପାଇଁ ନିବେଦନ କରିଥିଲେ । ହାଇକୋର୍ଟ ଗୋପନୀୟ ଚିଠିକୁ ଭିତ୍ତି କରି ଏହାର ତଦନ୍ତ ଦାୟିତ୍ୱ ସିବିଆଇକୁ ହାତରେ ଦେଇଥିଲେ । ବାଜପେୟୀଙ୍କୁ ଚିଠି ପଠାଇ ଥିବା ଅଭିଯୋଗକାରିଣୀଙ୍କ ଭାଇ ଓ ଅଶ୍ରମ ବାହାରେ ଚିଠିଟି ପହଂଚିବାରେ ସହାୟତା କହିଥିବା ଆଶ୍ରମ ମ୍ୟାନେଜରଙ୍କୁ ବାବା ଗୁରୁମିତଙ୍କ ଇଂଗିତରେ ହତ୍ୟା କରାଯାଇଥିଲା । ଆଶ୍ରମ ଭିତରେ ଚାଲି ଥିବା ବଳକ୍ରାର କାହାଣୀ ଛାପିଥିବା ଜଣେ ସାମ୍ବାଦିକଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ପରବର୍ତୀ ସମୟରେ ସିବିଆଇ ତଦନ୍ତକୁ ଚପାଇ ଦେବାକୁ ଉଦ୍ୟମ ହୋଇଥିଲା । ସାକ୍ଷୀ ମାନଙ୍କୁ ଧମକ ଦିଆଯିବା ସହ ଆକ୍ରମଣ ଓ ହତ୍ୟା ମାଧ୍ୟମରେ ଭୟଭୀତ କରାଯିବାରୁ ଅଭିଯୋଗକାରୀମାନେ ସାମ୍ନାକୁ ଆସିବାକୁ ଭୟ କରିଥିଲେ । ସରକାରଙ୍କ ଆଡୁ ମଧ୍ୟ ସିବିଆଇକୁ ସହଯୋଗ ମିଳି ନଥିଲା । ଦୀର୍ଘ ପାଂଚ ବର୍ଷ କାଳ ସିବିଆଇ ତଦନ୍ତ ଆଗେଇ ପାରି ନଥିଲା ବୋଲି ଜଣେ ଅବସରପ୍ରାପ୍ତ ସିବିଆଇ ଅଧିକାରୀ ଖୁଲାସା କରିଛନ୍ତି । ତେବେ, ଦୁଇ ଅଭିଯୋଗକାରିଣୀଙ୍କୁ ୧୫ ବର୍ଷ ପରେ ନ୍ୟାୟ ମିଳିଛି । ସ୍ୱତନ୍ତ୍ର ସିବିଆଇ କୋର୍ଟ ୨୦୦୨ର ଏହି ଦୁଇଟି ବଳକ୍ରାର ମାମଲାରେ ଗୁରୁମିତ ରାମ ରହିମ ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରି ପୀଡ଼ିତାଙ୍କୁ ନ୍ୟାୟ ଦେଇଛନ୍ତି ।
ବାବା-ପ୍ରୀତି ପାଇଁ ପଞ୍ଜାବ ଓ ହରିୟାନା ହାଇକୋର୍ଟ ହରିୟାନା ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କୁ ଯେଭଳି ସମାଲୋଚନା କରିଛନ୍ତି, ତାହା ଦେଶର ବିଚାର ବ୍ୟବସ୍ଥାରେ ଏକ ବିରଳ ଘଟଣା । ସେହିଭଳି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରି କୋର୍ଟ କହିଛନ୍ତି, ମୋଦୀ ବିଜେପିର ନୁହେଁ, ଭାରତର ପ୍ରଧାନମନ୍ତ୍ରୀ । ହରିୟାନା ଘଟଣାରେ କେନ୍ଦ୍ର ସରକାରଙ୍କ ଉଦାସୀନତା ଗ୍ରହଣୀୟ ନୁହେଁ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିଷ୍କ୍ରିୟତାକୁ ମାନ୍ୟବର ହାଇକୋର୍ଟ ଅତ୍ୟନ୍ତ ପ୍ରଭାବଶାଳୀ ଢଙ୍ଗରେ ସମାଲୋଚନା କରି ସରକାରଙ୍କ ଦାୟିତ୍ୱ ସଂପର୍କରେ ସଚେତ କରିଛନ୍ତି । ଆଧ୍ୟାତ୍ମିକ ବାବା ଗୁରୁମିତ ରାମ ରହିମ ସିଂହଙ୍କୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କରି ଦେଶର ବିଚାର ବ୍ୟବସ୍ଥା ପ୍ରତି ପୁନଃ ଆସ୍ଥାଭାବ ସୃଷ୍ଟି କରିଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ସାକ୍ଷୀମାନଙ୍କୁ ଧମକଚମକ, କିଛି ଲୋକଙ୍କୁ ହତ୍ୟା କରି ଅନ୍ୟମାନଙ୍କୁ ଭୟଭୀତ କରିବା ଚାଲ୍ ଏବଂ ଗୁରୁମିତଙ୍କ ପ୍ରତି ହରିୟାନା ସରକାରଙ୍କ ଅନ୍ଧ ଆନୁଗତ୍ୟ ୧୫ ବର୍ଷ ତଳର ଏହି ମାମଲାର ମୋଡ ବଦଳାଇ ପାରିଲା ନାହିଁ । ବଳକ୍ରାରୀ ବାବାଙ୍କ ଅଖଣ୍ଡ ପ୍ରଭାବ ଏବଂ ସରକାରଙ୍କ ଅସହଯୋଗ ମନୋଭାବ ସତ୍ୱେ ସିବିଆଇ ବହୁ କଷ୍ଟରେ ଦୁଇ ବଳକ୍ରାର ମାମଲାର ସାକ୍ଷ୍ୟ, ପ୍ରମାଣ ଯୋଗାଡ କରି ବଳକ୍ରାରୀକୁ ଜେଲ୍ ରେ ପହଂଚାଇଛନ୍ତି । ସରକାରଙ୍କ ଦ୍ୱାରା ନିଯୁକ୍ତ ଡ଼େପୁଟୀ ଆଡଭୋକେଟ ଜେନେରାଲ ଦୋଷୀ ସାବ୍ୟସ୍ତ ହେବା ପରେ ଜେଲ୍ ଯାଉଥିବା ବାବା ଗୁରୁମିତ ରାମ ରହିମ ସିଂହଙ୍କ ଗଂଠିଲି ବୋହିବା ଘଟଣା ମଧ୍ୟ ବାବାଙ୍କ ପ୍ରତି ରାଜ୍ୟ ସରକାରଙ୍କ ଆଶକ୍ତିକୁ ପ୍ରମାରିତ କରିଛି । ଡ଼େପୁଟୀ ଆଡଭୋକେଟ ଜେନେରାଲ ନିଜର ମର୍ଯାଦାକୁ ଜଳାଂଜଳୀ ଦେଇ ବଳକ୍ରାରର ଗଂଠିଲି ବୋହିବା ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ପରେ ହିଁ ସରକାର ବାଧ୍ୟ ହେଲା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ । ସେହିଭଳି, ଆଇନଶୃଙ୍ଖଳା ରକ୍ଷାରେ ବିଫଳତା ପାଇଁ ନିଜେ ସରକାର ଦାୟି ଥିବା ବେଳେ ତଳସ୍ତରର ଜଣେ ପୋଲିସ ଅଧିକାରୀଙ୍କୁ ଦଣ୍ଡିତ କରି ହାତ ଧୋଇ ନେବା ସରକାରୀ ଅପାରଗତାର ଆଉ ଏକ ପ୍ରମାଣ । ପ୍ରଧାନମନ୍ତ୍ରୀ ମୋଦୀ ‘ମନ୍ କି ବାତ୍’ରେ ଯାହା କହିଥାଆନ୍ତୁନା କାହିଁକି, ବିଜେପି ଦେହରେ ଲାଗି ସାରିଥିବା ହରିୟାନା କଳଙ୍କ ଯେ ଏତେ ସହଜରେ ଛାଡିବ ନାହିଁ, ସେକଥା ଯେକେହି କହିବ ।
ହରିୟାନା ସରକାର ଦୋଷୀ ସାବ୍ୟସ୍ତ ବଳକ୍ରାରୀ ବାବାଙ୍କୁ ଜେଲ୍କୁ ନେବା ସକାଶେ ହେଲିକପଟର୍ରେ ବ୍ୟବସ୍ଥା କରିବା ଏବଂ ଜେଲରେ ବାବାଙ୍କୁ ଜଣେ ସହାୟତା ଦିଆଯିବା ମଧ୍ୟ ଆଉ ଏକ ବିରଳ ଘଟଣା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ଅଂଚଳ ଗସ୍ତ ବେଳେ ବ୍ୟବହାର କରୁଥିବା ହେଲିକପ୍ଟର୍ ବଳକ୍ରାରୀ ବାବାଙ୍କୁ ଜେଲ୍ ନେବାରେ ବ୍ୟବହାର କରାଯାଇଥିବା ସୋସିଆଲ ମିଡ଼ିଆରେ ଭାିରାଲ ହୋଇଛି । ବାବାଙ୍କ ଦର୍ଶନ ଓ ଆଶୀର୍ବାଦ ପାଇଁ ଯେତେବେଳେ ହରିଆନା ସରକାରଙ୍କ ବୟୋଜ୍ୟେଷ୍ଠ ମନ୍ତ୍ରୀମାନେ ତାଙ୍କ ଦୁଆରକୁ ଛୁଟନ୍ତି ଏବଂ କୋଟି କୋଟି ଟଙ୍କା ଉପହାର ଆକାରରେ ଦିଅନ୍ତି ସେଠି ବାବାଙ୍କୁ ଜେଲ୍ ନେବାକୁ ହେଲିକପ୍ଟର ବ୍ୟବହାର ହେବା ଏବଂ ଜେଲ୍ରେ ଭିଆଇପି ମର୍ଯାଦା ଦିଆଯିବା ବହ କଥା ନୁହେଁ । ଦୁର୍ନୀତିମୂଳକ ଉପାୟରେ ଅଜସ୍ର ସଂପତ୍ତି ଠୁଳ କରି ଜେଲ୍ ଦଣ୍ଡ ଭୋଗୁ ଥିବା ଏଆଇଏଡ଼ିଏମକେ ସାଧାରଣ ସଂପାଦିକା ଶଶିକଳା ମଧ୍ୟ କର୍ଣାଟକର ଏକ ଜେଲ୍ରେ ଭିଆଇପି ସୁବିଧା ପାଉଥିବା ଜେଲ୍ ବିଭାଗର ଜଣେ ମହିଳା ପଦସ୍ଥ ଅଧିକାରୀ ସରକାରଙ୍କ ଦୃଷ୍ଟିକୁ ଆଣିଥିଲେ । ବାବା ରାମ ରହିମ ତ କେନ୍ଦ୍ର ଓ ହରିଆନା ରାଜ୍ୟ ସରକାରଙ୍କ ପ୍ରିୟପାତ୍ର । ତାଙ୍କୁ ରୋହତକ ଜେଲ୍ରେ ଭିଆଇପି ମିଳିବନି କେମିତି ? ଓଡ଼ିଶାରେ ମଧ୍ୟ ସାରଥୀଙ୍କ ଭଳି ବହୁ ତଥାକଥିତ ଆଧ୍ୟାତ୍ମିକ ବାବା ବିଚାରାଧୀନ ବନ୍ଦୀ ଭାବେ ଜେଲ୍ରେ ଅଛନ୍ତି । ବିଜେଡ଼ି ସରକାରର ବହୁ ମନ୍ତ୍ରୀ, ବିଧାୟକ ଓ ସାଂସଦ ସାରଥୀଙ୍କ ଆଶ୍ରମକୁ ଯାଇ, ପାଦ ତଳେ ବସି ଆଶୀର୍ବାଦ ଭିକ୍ଷା କରୁଥିଲେ । ରୋହତକ ଓ କର୍ଣ୍ଣାଟକ ଜେଲ୍ରେ ବାବା ଓ କ୍ଷମତାଶାଳୀଙ୍କୁ ମିଳୁ ଥିବା ଭିଭିଆଇପି ସୁବିଧା ଦେଖି ସେମାନେ ମଧ୍ୟ ଓଡ଼ିଶାରେ ସେଭଳି ସୁବିଧା ଯୋଗାଇ ଦେବାକୁ ଦାବି କରିବା ବିଚିତ୍ର ନୁହେଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଦି ଏହି ବାବାମାନଙ୍କୁ ଭିଆଇପି ସୁବିଧା ଦେବେ ଓଡ଼ିଶାର ବିଜେପି ନେତୃବର୍ଗଙ୍କ ପ୍ରତିକ୍ରିୟା କଣ ହେବ?
ଏଥର ଆମେ ମୂଳ ପ୍ରସଙ୍ଗକୁ ଆସିବା । ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶା ସମେତ ନିର୍ବାଚନ ହେବାକୁୁ ଥିବା ଅଣ-ବିଜେପି ଶାସିତ ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠା ପାଇଁ ଦଳର ନୀଳନକ୍ସା ପ୍ରସ୍ତୁତ ହୋଇ ସାରିଥିବା କୁହାଯାଉଛି । ଲୋକସଭା ଆସନ ମଧ୍ୟରୁ ୩୫୦ଟି ଗୋଟାଇବା ପାଇଁ ବିଜେପିର ଲକ୍ଷ୍ୟ ରଖିଛି । ହରିଆନା ଘଟଣା ପୂର୍ବରୁ ଦେଶର ଗୁଇନ୍ଦା ବିଭାଗ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କୁ ବିଜେପି ପ୍ରତି ବେଶ୍ ଜନ ସମର୍ଥନ ରହି ଥିବାର ଏକ ଗୋଲାପି ଚିତ୍ର ଦେଖାଇଛନ୍ତି । ତେଣୁ, ଆଗୁଆ ନିର୍ବାଚନ ପାଇଁ ସଜବାଜ ଚାଲିଛି । ଓଡ଼ିଶାରେ ବିଜେପି ନିଜ ଉପସ୍ଥିତି ଜାହିର କରିବା ସକାଶେ ଏବେ ଛୋଟ ଛୋଟ କଥାରେ ବିଜେଡ଼ି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରୁଛି । ସେ ବିଜେଡ଼ିର ପାଣ୍ଠି ସଂଗ୍ରହ ତଥ୍ୟକୁ ନେଇ ହେଉ ବା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ଖର୍ଚର ହିସାବକୁ ନେଇ ହେଉ । ଦଳର ଯୁବ ମୁଖପାତ୍ରମାନେ ଆକ୍ରମଣାତ୍ମକ ଢଙ୍ଗରେ ନବୀନଙ୍କୁ ଅଥୟ କରୁ ଥିବାରୁ ଏବେ ବିଜେଡ଼ି ତାହାର ମୁଖ୍ୟପାତ୍ର ତାଲିକା ବଦଳାଇଛି । ନବୀନଙ୍କ ଟ୍ୱିଟର୍ ଆକାଉଂଟ ଏବେ ବିଜେପିର ପ୍ରମୁଖ ଟାର୍ଗେଟ୍ ହୋଇଛି । ଭଦ୍ରଖ ହିଂସାକାଣ୍ଡ ବେଳେ ଦଳ ନବୀନଙ୍କ ଅପାରଗତାକୁ ସମାଲୋଚନା କରି ତାଙ୍କ ଇସ୍ତଫା ଦାବି କରିଥିଲା । କିନ୍ତୁ, ଏବେ ହରିଆନା ଘଟଣାରେ ୨୫ ତାରିଖର ହିଂସା ଓ ଜଳାପୋଡା ଘଟଣାର ରାଜନୀତିକରଣ କରା ନ ଯିବାକୁ ବିଜେପି ରାଜ୍ୟ ଶାଖା ପରାମର୍ଶ ଦେଉଛି । ଏଭଳି ଦୋମୁହାଁ ନୀତି ଆଗାମୀ ଦିନରେ ବିଜେପିକୁ କେତେଦୂର ସହାୟକ ହେବ, ତାହା ସମୟ କହିବ।
ଏକଥା ସତ ଯେ, ଓଡ଼ିଶାରେ ବିଜୁ ଜନତା ଦଳର ୧୭ ବର୍ଷର ଶାସନରେ ଜନସାଧାରଣ ଅତିଷ୍ଠ । ବିଶେଷକରି, ନୂଆ ଭୋଟର ଓ ଯୁବ ସମାଜ ପରିବର୍ତନ କଥା କହୁଛନ୍ତି । କଂଗ୍ରେସର ଦୁର୍ବଳ ସ୍ଥିତି ଓ ବିଜେଡ଼ି ବିରୋଧରେ ଯୁବକଙ୍କ ମଧ୍ୟରେ ଥିବା ଅସନ୍ତୋଷ ବିଜେପିକୁ ଉତ୍ସାହି କରିଛି । ତେବେ, ହରିୟାନା ଘଟଣାରେ ସେଠାକାର ବିଜେପି ସରକାରଙ୍କ ଅପାରଗତା ଏବଂ କେନ୍ଦ୍ର ସରକାରଙ୍କ ଉଦାସୀନତା ପଦାକୁ ଆସିବା ପରେ ଓଡ଼ିଶାରେ ସାମାଜିକ ଗଣମାଧ୍ୟମ ଓ ସର୍ବସାଧାରଣରେ ଯେଭଳି ପ୍ରତିକୂଳ ମନ୍ତବ୍ୟମାନ ପ୍ରକାଶ ପାଉଛି, ତାହା ବିଜେପିର ‘ଓଡ଼ିଶା ଦଖଲ ଅଭିଯାନ’କୁ ବହୁ ମାତ୍ରାରେ ପ୍ରଭାବିତ କରିବ ବୋଲି ମତପ୍ରକାଶ ପାଉଛି ।
Right Sir