ଡ଼େରା ବାବା ରାମରହିମଙ୍କୁ ୨୦ ବର୍ଷ ଜେଲ୍ ଓ ୩୦ ଲକ୍ଷ ଜରିମାନା, ଦୁଇ ଦୁଷ୍କର୍ମ ପୀଡ଼ିତାଙ୍କୁ ମିଳିବ ୧୫ ଲକ୍ଷ ଲେଖାଏଁ କ୍ଷତିପୂରଣ
ରୋହତକ, ଅଗଷ୍ଟ ୨୮: ୨୦୦୨ରେ ଡ଼େରା ସଚ୍ଚା ସୌଦା ମୁଖ୍ୟ ବାବା ଗୁରୁମିତ ରାମ ରହିମ ସିଂହଙ୍କ ବିରୋଧରେ ହୋଇଥିବା ଦୁଇଟି ଦୁଷ୍କର୍ମ ମାମଲାରେ ତାଙ୍କୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ସହ ୩୦ ଲକ୍ଷ ଟଙ୍କା ଜରିମାନା ଆଦେଶ ହୋଇଛି । ପ୍ରତିଟି ମାମଲାରେ ୧୦ ବର୍ଷ ଜେଲ୍ ଓ ୧୫ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ହୋଇ ଥିବାରୁ ଏବଂ ଗୋଟିଏ ଦଣ୍ଡ ସରିଲା ପରେ ଅନ୍ୟ ଦଣ୍ଡ ଭୋଗିବେ ବୋଲି ବିଚାରପତି ରାୟ ଦେଇଥିବାରୁ ଗୁରୁମିତ ୨୦ ବର୍ଷ ଜେଲ୍ରେ ରହିବା ପକ୍କା ବୋଲି ସିବିଆଇ ଓକିଲ ସୂଚନା ଦେଇଛନ୍ତି । ଦୁଇ ମାମଲାରେ ଯେଉଁ ୩୦ ଲକ୍ଷ ଟଙ୍କା ଜରିମାନା ଆଦାୟ ହେବ ତାହା ପୀଡ଼ିତାଙ୍କୁ କ୍ଷତିପୂରଣ ଭାବେ ଦିଆଯିବ । ପ୍ରତ୍ୟେକ ୧୫ ଲକ୍ଷ ଟଙ୍କା ଲେଖାଏଁ ପାଇବେ ବୋଲି ଜଣାପଡିଛିି ।
ସୋମବାର କଡା ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ବିଚାରପତି ଜଗଦୀପ ସିଂହ ସୁନାରିଆ ଜିଲ୍ଲା କାରାଗାର ପରିସରରେ ଆୟୋଜିତ ଅସ୍ଥାୟୀ ଅଦାଲତରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ତିନି ଥାକିଆ ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ରାମରହିମଙ୍କ ଏହି ଦଣ୍ଡ ଘୋଷଣା ହୋଇଥିଲା । ବିଚାରପତି ଜଗଦୀପ ସିଂହ ଗତ ଅଗଷ୍ଟ୨୫ ତାରିଖ ଦିନ ବାବା ଗୁରୁମିତ ରାମ ରହିମ ସିଂହଙ୍କୁ ଦୁଇଟି ଯାକ ଦୁଷ୍କର୍ମ ମାମଲାରେ ଦୋଷୀ ଘୋଷଣା କରି ଥିଲେ । ତେବେ, ଦଣ୍ଡାର ପରିମାଣ ଶୁଣାଇବା ବାକି ଥିଲା । ରାମ ରହିମ ସିଂହଙ୍କୁ ଦୋଷୀ ଘୋଷଣା କରାଯିବା ପରେ ୨୫ ତାରିଖ ହରିଆନା, ପଞ୍ଜାବ, ଦିଲ୍ଲୀ ପ୍ରଭୃତି ଅଂଚଳରେ ବାବାଙ୍କ ସମର୍ଥକଙ୍କ ଆଡୁ ଯେଭଳି ହିଂସା ଓ ଜଳାପୋଡା ଘଟିଲା ତାହାକୁ ନଜରରେ ରଖି ସୋମବାର ଦଣ୍ଡାଦେଶ ଶୁଣାଣୀ ପାଇଁ ବାବାଙ୍କ ରଖା ଯାଇଥିବା ରୋହତକର ସୁନାରିଆ କାରାଗାର ପରିସରରେ ହିଁଁ ଅଦାଳତ ବସି ଥିଲା । ତିନି ଥାକିଆ ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ଥିବା ଅଦାଲତକୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ବିଚାରପତି ଜଗଦୀପ ସିଂହ ହେଲିକପ୍ଟରରେ ଆସି ଥିଲେ । ଏବଂ ଅସ୍ଥାୟୀ ଅଦାଲତରେ ବସି ଦଣ୍ଡର ପରିମାଣ ପଢି ଶୁଣାଇ ଥିଲେ ।
ଭିନ୍ନ ଭିନ୍ନ ଦୁଇଟି ଦୁଷ୍କର୍ମ ମାମଲାରେ ୧୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ହୋଇଥିବାରୁ ଏହି ଦଣ୍ଡ ଏକାଠି ନୁହେଁ, ଗୋଟିଏ ସରିବା ପରେ ଅନ୍ୟଟି ଭୋଗିବାକୁ ପଡ଼ିବ ବୋଲି ବିଚାରପତି ରାୟ ଦେଇଥିବା ସିବିଆଇ ଓକିଲ କହିଛନ୍ତି । ବିଚାରପତି ଜଗଦୀପ ସିଂହ ତାଙ୍କ ରାୟ ପଢି ଶୁଣାଇବା ପୁର୍ବରୁ ବାବା ଗୁରୁମିତଙ୍କ ସମର୍ଥକମାନେ ସିର୍ସାରେ ଦୁଇଟି ଗାଡି ପୋଡି ଦେଇଥିବା ଜଣାପଡିଛି । ୨୫ ତାରିଖ ପଂଚକୁଲା ସିବିଆଇ ସ୍ୱତନ୍ତ୍ର କୋର୍ଟରେ ବିଚାରପତି ଜଗଦୀପ ସିଂହ ବାବା ଗୁରୁମିତ ରାମ ରହିମ ସିଂହଙ୍କୁ ଦୁଇଟି ଦୁଷ୍କର୍ମ ମାମଲାରେ ଦୋଷୀ ଘୋଷଣା କରିବା ପରେ ଯେଉଁ ହିଂସାକାଣ୍ଡ ଘଟି ଥିଲା ସେଥିରେ ୩୮ ଜଣ ପ୍ରାଣ ହରାଇ ଥିଲେ । ତେଣୁ, ସୋମବାର ଦଣ୍ଡାଦେଶ ଶୁଣାଣୀ ଥିବାରୁ ପଞ୍ଜାବ ଓ ହରିଆନାର ବାତାବରଣ ସରଗରମ ରହିଥିଲା । ନିରାପତ୍ତା ଅଧିକାରୀମାନେ ୨୫ ତାରିଖର ଭୁଲ ଯେପରି ପୁନରାବୃତ୍ତି ନ ହେବ ସେଥିପ୍ରତି ସଚେତନ ରହି ବ୍ୟାପକ ଖାନତଲାସୀ ଓ ଚଢାଉ ଚଳାଇ ଥିଲେ । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜ ନିଜ ରାଜ୍ୟର ପ୍ରଶାସନ ଓ ପୋଲିସ ଅଧିକାରୀଙ୍କୁ ନେଇ ଜରୁରୀ ବୈଠକରେ ବ୍ୟସ୍ତ ଥିଲା ବେଳେ ସାମରିକ ବାହିନୀ ଜୱାନମାନେ ପଂଚକୁଲାରେ ପ୍ଲାଗ୍ ମାର୍ଚ୍ଚ କରିଥିଲେ ।
ସୋମବାର ଅପରାହ୍ନ ୨ଟା ୧୫ ମିନିଟରେ ସ୍ୱତନ୍ତ୍ର ସିବିଆଇ ବିଚାରପତି ଜଗଦୀପ ସିଂହ ଦୋଷୀ ସାବ୍ୟସ୍ତ ଗୁରୁମିତ ରାମ ରହିମ ସିଂହଙ୍କ ଦଣ୍ଡାଦେଶ ଶୁଣାଇବା ପାଇଁ ରୋହତକର ସୁନାରିଆ ଜେଲ ପରିସରରେ ପହଂଚି ଥିଲେ । ତାଙ୍କ ପୁର୍ବରୁ ଗୁରୁମିତଙ୍କ ଛଅ ଜଣିଆ ଓକିଲ ଦଳ ଏସକେ ନରୱାନାଙ୍କ ନେତୃତ୍ୱରେ ଜେଲ ପରିସରରେ ପହଂଚି ଥିଲେ । ବିଚାରପତି ଜଗଦୀପ ସିଂହ ଅସ୍ଥାୟୀ ଅଦାଲତରେ ଦଣ୍ଡ ଶୁଣାଣୀ କାର୍ଯ୍ୟ ଆରମ୍ଭ କରି ଦଣ୍ଡର ପରିମାଣକୁ ନେଇ ଯୁକ୍ତି ଉପସ୍ଥାପନ ସକାଶେ ଦୁଇ ପକ୍ଷ ଓକିଲଙ୍କୁ ୧୦ ମିନିଟ ଲେଖାଏଁ ସମୟ ଦେଇଥିଲେ । ସିବିଆଇ ଓକିଲ ଦୁଇଟି ଦୁଇ ଦୁଷ୍କର୍ମ ମାମଲାରେ ବାବା ଗୁରୁମିତ ରାମ ରହିମ ସିଂହଙ୍କୁ ଆଜୀବନ କାରାଦଣ୍ଡ ଦେବା ସପକ୍ଷରେ ଯୁକ୍ତି ଦର୍ଶାଇ ଥିବା ବେଳେ ଗୁରୁମିତଙ୍କ ଓକିଲ ନିବେଦନ କରିଥିଲେ ଯେ, ବାବା ଜଣେ ସମାଜସେବୀ ହୋଇଥିବାରୁ ଏବଂ ବହୁ ସମାଜକଲ୍ୟାଣ କାର୍ଯ୍ୟ କରି ଥିବାରୁ ତାଙ୍କ ପ୍ରତି ଦଣ୍ଡର ପରିମାଣ ସ୍ଥିର କଲା ବେଳେ ସାମାନ୍ୟ କୋହଳ ମନୋଭାବ ପ୍ରଦର୍ଶନ କରାଯାଉ । ଅପରାହ୍ନ ୩ଟା ସମୟରେ ବିଚାରପତି ସିଂହ ରାମ ରହିମଙ୍କ ପ୍ରତି ବିଧାନ କରାଯାଇଥିବା ଦଣ୍ଡର ପରିମାଣ ପଢି ଶୁଣାଇବା ବେଳେ ବାବାଙ୍କ ଆଖିରୁ ଲୁହ ଝରୁଥିବା ଏବଂ ଦଣ୍ଡ କୋହଳ କରାଯିବାକୁ ନିବେଦନ କରୁଥିବା ଦେଖିବାକୁ ମିଳିଥିଲା । ସୋମବାର ଘୋଷଣା କରାଯାଇଥିବା ଦଣ୍ଡାଦେଶ ବିରୋଧରେ ହାଇକୋର୍ଟରେ ଅପିଲ କରାଯିବ ବୋଲି ସନ୍ଧ୍ୟାରେ ଗୁରୁମିତ ରାମ ରହିମଙ୍କ ଓକିଲ କହିଛନ୍ତି । ଦଣ୍ଡ ଘୋଷଣା ପରେ ହରିଆନାର ସିର୍ସାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ପଞ୍ଜାବର ବର୍ଣ୍ଣାଲାରେ ସୋମବାର ରାତି ୯ଟାରୁ ମଙ୍ଗଳବାର ସକାଳ ୯ଟା ପର୍ଯ୍ୟନ୍ତ କର୍ଫୁ୍ୟ ଜାରୀ କରାଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS