ଭାରତୀୟ ହକି କିମ୍ବଦନ୍ତୀ ଧ୍ୟାନଚାନ୍ଦଙ୍କୁ ସ୍ମରଣ କଲା ଦେଶ
ନୂଆଦିଲ୍ଲୀ, ଅଗଷ୍ଟ ୩୦: ଅଗଷ୍ଟ ୨୯ ତାରିଖ ଥିଲା ଭାରତୀୟ ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ । ଏହି ଦିନଟିକୁ ସରକାରୀ ଭାବେ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳନ କରାଯାଇ ଆସୁଛି । ଏହି କିମ୍ବଦନ୍ତୀ ହକି ଖେଳାଳୀ ୧୯୦୫ ମସିହା ଅଗଷ୍ଟ ୨୯ ତାରିଖରେ ୟୁପିର ଆଲ୍ଲାହାବାଦ ସହରରେ ଜନ୍ମ ନେଇ ଥିଲେ । ତାଙ୍କ ପିତା ଶ୍ୟାମେଶ୍ୱରଦତ୍ତ ସିଂହ ସେନାରେ କାର୍ଯ୍ୟ କରୁଥିଲେ । ଧ୍ୟାନଚାନ୍ଦ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି । ମାତ୍ର ୧୬ ବର୍ଷ ବୟସରେ ସେ ପିତାଙ୍କ ପଦାଙ୍କ ଅନୁସରଣ କରି ସେନାରେ ଯୋଗ ଦେଇଥିଲେ । ଦିନରେ ହକି ଖେଳିବାର ସୁବିଧା ନଥିବାରୁ ଧ୍ୟାନ୍ ରାତିରେ ଖେଳୁ ଥିଲେ । ତେଣୁ ସାଥିମାନେ ତାଙ୍କୁ ‘ଚାନ୍ଦ୍’ ବୋଲି ଡାକୁ ଥିଲେ । ପରବର୍ତୀ ସମୟରେ ତାଙ୍କ ନାମ ସହିତ ‘ଚାନ୍ଦ’ ଯୋଡି ହୋଇ ସେ ଧ୍ୟାନ ସିଂହରୁ ଧ୍ୟାନଚାନ୍ଦ୍ ଭାବେ ପ୍ରଖ୍ୟାତ ହୋଇ ଗଲେ ।
୧୯୨୮ ଆମାଷ୍ଟରଡ଼ମ୍ ଅଲମ୍ପିକ୍ସରେ ଭାରତୀୟ ହକି ଦଳ ପ୍ରଥମ ଥର ପାଇଁ ଅଂଶ ଗ୍ରହଣ କରିଥିଲା । ଏହି ଅଲମ୍ପିକ୍ସରେ ଭାରତ ଆଡୁ ମୋଟ ୨୯ଟି ଗୋଲ୍ ସ୍କୋର୍ ହୋଇଥିବା ବେଳେ ବିପକ୍ଷ ଦଳ ଗୋଟିଏ ବି ଗୋଲ୍ ଦେବାରେ ସକ୍ଷମ ହୋଇ ନ ଥିଲେ । ଭାରତ ଦେଇଥିବା ୨୯ ଗୋଲ୍ରୁ ଧ୍ୟାନଚାନ୍ଦଙ୍କ ଏକକ ଅବଦାନ ଥିଲା ୧୪ । ଆମାଷ୍ଟରଡ଼ମ୍ ଅଲମ୍ପିକ୍ସରୁ ଭାରତୀୟ ହକି ଦଳ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା, ଯାହାର ଶ୍ରେୟ ଯାଇଥିଲା ଧ୍ୟାନଚାନ୍ଦ୍ଙ୍କୁ । କେବଳ ଅମାଷ୍ଟରଡ଼ମ୍ ଅଲମ୍ପିକ୍ସ ନୁହେଁ, କ୍ରମାଗତ ଭାବେ ତିନିଟି ଅଲମ୍ପିକ୍ସରେ ଭାରତୀୟ ହକି ଦଳକୁ ସ୍ୱର୍ଣ୍ଣ ପଦକ ଜିତାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୧୯୨୮ (ଆମାଷ୍ଟରଡ଼ମ), ୧୯୩୨(ଲସ୍ ଏଞ୍ଜଲସ୍) ଓ ୧୯୩୬ (ଜର୍ମାନୀର ବର୍ଲିନ) ଅଲମ୍ପିକ୍ସ୍ରେ ଭାରତ ସ୍ୱର୍ଣ୍ଣ ବିଜୟୀ ହୋଇଥିଲା । ୧୯୩୨ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ବିଜେତା ହେବା ପରେ ଭାରତୀୟ ହକି ଦଳ ବିଶ୍ୱ ବିଜୟରେ ବାହାରି ଥିଲା । ବିଶ୍ୱ ଗସ୍ତ ସମୟରେ ଭାରତୀୟ ହକି ଦଳ ମୋଟ ୩୩୮ଟି ଗୋଲ୍ ସ୍କୋର୍ କରିଥିବା ବେଳେ ଧ୍ୟାନଚାନ୍ଦ ଏକାକୀ ୧୩୩ଟି ଗୋଲ୍ ଦେଇ ଥିଲେ । ଏହା ପରେ ତାଙ୍କୁ ଭାରତୀୟ ହକି ଦଳର ଅଧିନାୟକ ନିଯୁକ୍ତ କରାଯାଇ ଥିଲା । ୧୯୩୫ରେ ନ୍ୟୁଜିଲାଣ୍ଡ୍ ଓ ଅଷ୍ଟ୍ରେଲିଆ ଗସ୍ତ ଅବସରରେ ଭାରତ ମୋଟ ୫୮୪ ଗୋଲ୍ ସ୍କୋର୍ କରିଥିବା ବେଳେ ଧ୍ୟାନଚାନ୍ଦଙ୍କ ଏକାକୀ ସ୍କୋର୍ ଥିଲା ୨୦୧ । ୧୯୩୬ ବର୍ଲିନ ଅଲମ୍ପିକ୍ସରେ ସେ ଭାରତକୁ ୮-୧ ଗୋଲ୍ରେ ବିଜୟୀ କରାଇ ତୃତୀୟ ସ୍ୱର୍ଣ୍ଣ ଦେଇଥିଲେ । ୫୧ ବର୍ଷ ବୟସରେ ସେ ସେନାରୁ ଅବସର ନେବା ପରେ ସୁଦ୍ଧା ହକିର ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ । ତାଙ୍କ ଶେଷ ଜୀବନ ଝାନସୀରେ କଟିଥିଲା ।
ଏହି ମହାନ ଖେଳାଳୀଙ୍କୁ ଜନ୍ମ ଦିନ ଅବସରରେ ସମଗ୍ର ଦେଶ ମନେ ପକାଇଛି । ବିଶ୍ୱ ଯେତେବେଳେ ଯୁଦ୍ଧ ଓ ରାଜନୈତିକ ରକ୍ତପାତର ଘନଘଟା ମଧ୍ୟ ଦେଇ ଗତି କରୁଥିଲା, ସେତେବେଳେ ମେଜର ଧ୍ୟାନଚାନ୍ଦ ଭାରତକୁ ବିଶ୍ୱ କ୍ରୀଡା ଦରବାରରେ ପ୍ରତିଷ୍ଠା ଦେବାରେ ଲାଗି ପଡିଥିଲେ । ଗୋଲ୍ ଦେବାର ନିଶା ଏବଂ ହକି ବଲ୍ ଉପରେ ତାଙ୍କର ଅବିଶ୍ୱସନୀୟ ନିୟନ୍ତ୍ରଣ ତାଙ୍କୁ ଅବିସ୍ମରଣୀୟ କରି ଦେଲା । ଧ୍ୟାନଚାନ୍ଦଙ୍କ ହକି ଷ୍ଟିକ୍ରେ ଚୁମ୍ବକ ଖଂଜା ଯାଇଥିବା ସନେ୍ଦହ କରି ନେଦରଲାଣ୍ଡ କର୍ତୃପକ୍ଷ ଏକାଧିକବାର ତାଙ୍କ ହକି ଷ୍ଟିକ୍କୁ ଭାଂଗି ପରୀକ୍ଷା କରାଇଥିଲେ । ପରେ ଟୋକିଓରେ ମଧ୍ୟ ତାଙ୍କ ଷ୍ଟିକ୍କୁ ପରୀକ୍ଷା କରାଯାଇଥିଲା । କିନ୍ତୁ, କୌଣସି ସୁଫଳ ମିଳି ନଥିଲା । ତେବେ, ଷ୍ଟିକ୍ରେ ଅଠା ଲାଗି ଥିବା ସେମାନେ ପ୍ରଚାର କରିଥିଲେ । ଭାରତ ସରକାର ଏହି ହକି କିମ୍ବଦନ୍ତୀଙ୍କୁ ହକି କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ୧୯୫୬ରେ ପଦ୍ମ ଭୂଷଣ ଉପାଧୀରେ ଭୂଷିତ କରିଥିଲେ । ୧୯୪୮ ପର୍ଯ୍ୟନ୍ତ ସେ ଦେଶ ପାଇଁ ଖେଳି ଥିଲେ । ଧ୍ୟାନଚାନ୍ଦ ତାଙ୍କ ଆଦ୍ୟ ଜୀବନରେ ରେସଲିଂକୁ ଫୋକେସ୍ କରିଥିଲେ ସୁଦ୍ଧା ସେନାରେ ଯୋଗ ଦେବା ପରେ ହକିକୁ ଆଦରି ଥିଲେ । ତାଙ୍କ ଜନ୍ମ ଦିନକୁ ସ୍ମରଣୀୟ କରିବା ସକାଶେ ଭାରତ ସରକାର ଏହି ଦିନଟିକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରିବା ସହ ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ ନୈପୁଣ୍ୟ ପ୍ରଦର୍ଶନ କରି ଆସିଥିବା ଦେଶର କ୍ରୀଡ଼ାବିତ୍ମାନଙ୍କୁ ସମ୍ମାନିତ କରି ଆସୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୯ ତାରିଖ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଧ୍ୟାନଚାନ୍ଦଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିବା ସହ କହିଥିଲେ, ଭାରତରେ ଦକ୍ଷ କ୍ରୀଡ଼ାବିତଙ୍କ ସଂଖ୍ୟା କିଛି କମ୍ ନୁହେଁ । ତେବେ, ଯୁବ ଖେଳାଳୀଙ୍କ ଦକ୍ଷତାକୁ ବହୁଗୁଣିତ କରିବା ପାଇଁ କେନ୍ଦ୍ର ସରକାରଙ୍କ କ୍ରୀଡା ମନ୍ତ୍ରଣାଳୟ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ସରକାର ନିକଟରେ ‘ନ୍ୟାସନାଲ ସ୍ପୋର୍ଟସ୍ ଟ୍ୟାଲେଂଟ୍ ସର୍ଚ୍ଚ’ ନାମରେ ଏକ ୱେବ୍ ପୋର୍ଟାଲ ଆରମ୍ଭ କରିଥିବା ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପୋର୍ଟାଲ୍ ଦେଶର ଯୁବ ଖେଳାଳୀଙ୍କ ଦକ୍ଷତା ବଢାଇବା ସହ ସଫଳତାର ମାର୍ଗଦର୍ଶନ କରିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS