ମୁମ୍ବାଇରେ ପ୍ରଳୟଙ୍କରୀ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ
ମୁମ୍ବାଇ: ଦୁଇ ଦିନର ପ୍ରଳୟଙ୍କରୀ ବର୍ଷା ଯୋଗୁ ମୁମ୍ବାଇ ସହରରେ ଯେଉଁ ଅଚଳାବସ୍ଥା ସୃଷ୍ଟିି ହୋଇଥିଲା ବୁଧବାର ସେଥିରେ ସାମାନ୍ୟ ସୁଧାର ଆସିଛି । ବିଭିନ୍ନ ରୁଟ୍ରେ ମେଟ୍ରୋ ଟ୍ରେନ ଚଳାଚଳ ଆରମ୍ଭ କରି ଥିବାରୁ ସହରବାସୀ ଆଶ୍ୱସ୍ତ ହୋଇଛନ୍ତି । ତେବେ, ୨୯ ତାରିଖ ପ୍ରଳୟଙ୍କରୀ ବର୍ଷା ଯୋଗୁ ସହର ଭିତରେ ଯେଉଁ ଅଂଟା ଉଚ୍ଚର ପାଣି ଜମି ଥିଲା ତାହା କମି ଥିଲେ ସୁଦ୍ଧା ଅଚଳାବସ୍ଥା ପୂର୍ଣ୍ଣତଃ ଦୂର ହୋଇ ନ ଥିବା ଜଣାପଡିଛି । ହଜାର ହଜାର ବିଏମସି କର୍ମଚାରୀ ସହରରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ଅହରହ କାର୍ଯ୍ୟ କରୁଥିବା ବିଏମସି କର୍ତୃପକ୍ଷ ବୁଧବାର ସୂଚନା ଦେଇଛନ୍ତି ।
ମୁମ୍ବାଇ ସହରରେ ପ୍ରଳୟଙ୍କରୀ ବର୍ଷା ଯୋଗୁ ଦୁଇ ଦିନ ଧରି ସାଧାରଣ ଜୀବନଯାତ୍ରା ଠପ୍ ହୋଇ ଯାଇଥିଲା । ୨୯ ତାରିଖରେ ୩୦୦ ମିମି ମୌସୁମୀ ବର୍ଷା ହୋଇଥିବା ପାରିପାଗ କେନ୍ଦ୍ର କହିଛି । ସହରର ବିଭିନ୍ନ ଅଂଚଳ ଅଂଟାଏ ପାଣିରେ ବୁଡ଼ି ରହି ଥିଲା । ରାସ୍ତାଘାଟ, ରେଳ ଆଡ୍ଡା, ବିମାନ ବନ୍ଦର ପ୍ରଭୃତି ଜଳାର୍ଣ୍ଣବ ହୋଇ ପରିବହନ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଠପ୍ ହୋଇ ଯାଇଥିଲା । ଏହି ବ୍ୟବସାୟିକ ସହରରେ ପ୍ରତି ଦିନ ନିୟୁତାଧିକ ଲୋକ ଯାତାୟତ ପାଇଁ ମେଟ୍ରୋ ଟ୍ରେନ୍ ଉପରେ ନିର୍ଭର କରି ଥା’ନ୍ତି । ପ୍ରବଳ ବର୍ଷା, ପବନ ଓ ସହରର ବିଭିନ୍ନ ଅଂଚଳରେ ଅଂଟା ଉଚ୍ଚରେ ପାଣି ଚାଲିବାରୁ ଯାତ୍ରୀମାନେ ନିଜ ନିଜ କର୍ମସ୍ଥଳ, ଷ୍ଟେସନ ବା ନିଜ କାର୍ ଭିତରେ ଅଟକି ରହିଥିଲେ । ଭିକରୋଲିର ସୂର୍ଯ୍ୟ ନଗରରେ ମାଟି ଅତଡା ଖସି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବର୍ଷା ନଗରରେ ଘର ଭୁଶୁଡ଼ି ଜଣକ ମୃତ୍ୟୁ ଘଟି ଥିବା ଏବଂ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି ।
ସହରର ରାସ୍ତାଘାଟ ଜଳାର୍ଣ୍ଣବ ହୋଇ ରହି ଥିବାରୁ ଯାତାୟତ ବିପଦପୂର୍ଣ୍ଣ ହୋଇ ପଡ଼ିଥିଲା । ବନ୍ୟା ଜଳରେ ବୁଡ଼ି ରହିଥିବା ସହରର ମେନାହାଲ୍ ଗୁଡ଼ିକ ମୃତ୍ୟୁଯନ୍ତା ହୋଇ ଥିବାରୁ ସାମାନ୍ୟ ଅସତର୍କ ହେଲେ ସେଥିରେ ଖସି ପଡିବାର ଆଶଙ୍କା ରହି ଥିଲା । ପଥଚାରୀମାନେ ଭୟରେ ଅତ୍ୟନ୍ତ ସତର୍କତାର ସହ ଘରକୁ ବାହୁଡୁ ଥିଲେ । ମଙ୍ଗଳବାର ପରିସ୍ଥିତି ସହରବାସୀଙ୍କୁ ୨୦୦୫ର ଭୟାନକ ପରିସ୍ଥିତି ମନେ ପକାଇ ଦେଇଥିବା ଚର୍ଚ୍ଚା ହେଉଛି । ୨୦୦୫ରେ ପ୍ରଳଙ୍କରୀ ବର୍ଷାରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ଥିଲା । ପ୍ରବଳ ବର୍ଷା ଓ ଝଡ ଯୋଗୁ ଆରବ ସାଗରରେ ଅତ୍ୟୁଚ୍ଚ ଲହଡି ଉଠି କୂଳରେ ପିଟି ହେଉଥିଲା । ତେଣୁ, ଗତ ୨୯ ତାରିଖ ପ୍ରବଳ ବର୍ଷା ଯୋଗୁ ସହର ଭିତରେ ଅଂଟା ଉଚ୍ଚରେ ଚାଲି ଥିବା ବନ୍ୟାଜଳ ନିଷ୍କାସିତ ହୋଇପାରି ନ ଥିଲା । ଆହୁରୀ ୨୪ ଘଂଟା ଧରି ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କାର୍ଯ୍ୟାଳୟର ସତର୍କ ସୂଚନା ଜନସାଧାରଣଙ୍କୁ ଆତଙ୍କିତ କରି ରଖିଛି । ୨୦ ନିୟୁତରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ମେଗାପୋଲିର ବାସିନ୍ଦା ବର୍ଷ ଛାଡୁ ଛାଡୁ ପରସ୍ପର ସହ ଯୋଗଯୋଗ କରି କେଉଁଠି କଣ ହୋଇଛି, ସେମାନଙ୍କ ସଂପର୍କୀୟ ଠିକ୍ ଠାକ୍ ଅଛନ୍ତି କି ନାହିଁ ଜାଣିବାକୁ ଚେଷ୍ଟା କରିଥିଲେ ।
ମୁମ୍ବାଇର ଥିବା ତିନିଟି ଯାକ ସବ୍ଅର୍ବାନ ରେଳ ଆଡ୍ଡା – ସେଂଟ୍ରାଲ, ୱେଷ୍ଟର୍ଣ୍ଣ ଓ ହାରବର୍ ରେଳପଥ ଉପରେ ପ୍ରତି ଦିନ ସାତ ନିୟୁତରୁ ଅଧିକ ଯାତ୍ରା ନିର୍ଭର କରି ଥା’ନ୍ତି । ଏହି ତିନିଟି ଯାକ ରେଳ ଆଡ୍ଡା ବନ୍ୟା ଜଳରେ ବୁଡି ରହି ଥିଲା । ସେହିପରି, ପ୍ରବଳ ବର୍ଷା, ପବନ ଓ ଗତିପଥ ଠିକ୍ ଭାବେ ଦୃଶ୍ୟମାନ ନ ହେବା କାରଣରୁ ଛତ୍ରପତି ଶିବାଜୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି । ୨୯ ତାରିଖ ବିମାନ ଚଳାଚଳ ପ୍ରାୟ ୪୫ ମିନିଟ ବିଳମ୍ବିତ ହୋଇଥିବା ବେଳେ ଅନ୍ୟୁନ ଛଅଟି ବିମାନର ଉଡାଣ ବାତିଲ କରାଯାଇଥିଲା । ମୁମ୍ବାଇ ଠାରୁ ପ୍ରାୟ ୭୦ କିମି ଉତ୍ତରରେ ଥିବା ଆସାନଗାଓଁ ନିକଟରେ ନାଗପୁର- ମୁମ୍ବାଇ ଦୁରୋନ୍ତ ଏକ୍ସପ୍ରେସ୍ର ନଅଟି ବଗି ଲାଇନଚ୍ୟୁତ ହୋଇଥିଲା । ପ୍ରବଳ ବର୍ଷା ଯୋଗୁ ମାଟି ଅତଡା ଖସି ଏହି ରେଳ ଦୁର୍ଘଟଣା ହୋଇଥିବା ଜଣାପଡିଛି । ରେଳ ଧାରଣାର କିଛି ଅଂଶ ନଷ୍ଟ ହୋଇଯାଇଛି । ତେବେ, ଶୁଖର କଥା – ଟ୍ରେନ୍ ଯାତ୍ରୀଙ୍କ କୌଣସି କ୍ଷୟକ୍ଷତି ହୋଇ ନାହିଁଁ । ଟ୍ରେନ୍ ଡ୍ରାଇଭର ମାଟି ଅତଡା ଖସିବା ଦେଖି ତୁରନ୍ତ ବ୍ରେକ୍ ଦେଇଥିଲେ ବୋଲି ରେଳବାଇ ବୋର୍ଡ ଅଧ୍ୟକ୍ଷ୍ ଅଶ୍ୱୀନ ଲୋହାନୀ ନୂଆଦିଲ୍ଲୀରେ ସୂଚନା ଦେଇଛନ୍ତି ।
ମୁମ୍ବାଇରେ ଗଣେଶୋତ୍ସବ ଚାଲି ଥିବାରୁ ମଙ୍ଗଳବାର ଅଧିକାଂଶ ସ୍କୁଲ ଛୁଟୀ ଥିଲା । ବୁଧବାରକୁ ମଧ୍ୟ ମହାରାଷ୍ଟ୍ର ସରକାର ଛୁଟୀ ଘୋଷଣା କରି ଥିଲେ । କେନ୍ଦ୍ରୀୟ ମୁମ୍ବାଇର କିଙ୍ଗ୍ ଏଡୱାର୍ଡ ମେମୋରିଆଲ ହସପିଟାଲରେ ପ୍ରବଳ ମାତ୍ରାରେ ବର୍ଷା ଜଳ ପଶି ତଳ ମହଲାକୁ ଜଳାର୍ଣ୍ଣବ କରିବାରୁ ସେଠାରେ ଥିବା ଶିଶୁ ରୋଗ ବିଭାଗ ୱାର୍ଡକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଡାକ୍ତରମାନେ ବାଧ୍ୟ ହୋଇଥିଲେ । ତେବେ, ହସପିଟାଲର ଜରୁରୀ ଚିକିତ୍ସା ବିଭାଗରେ ନର୍ଦ୍ଦମା ପାଣି ପଶି ଥିବାରୁ ସଂକ୍ରମଣର ଆଶଙ୍କା ରହିଥିବା ସେମାନେ କହିଛନ୍ତି । ମହାରାଷ୍ଟ୍ର ସରକାର ଓ ବ୍ରିହନ୍ ମୁମ୍ବାଇ ମୁନିସିପାଲ କର୍ପୋରେସନ୍ ୧୪୦ଟିି ପଂପ୍ ସାହାଯ୍ୟରେ ବନ୍ୟାଜଳ ନିଷ୍କାସନ ଦିଗରେ ଅହରହ ଉଦ୍ୟମ କରୁଛନ୍ତି । ଅତି ଆବଶ୍ୟକ ନ ଥିଲେ ଜନସାଧାରଣ ଘରୁ ନ ବାହାରିବାକୁ ପ୍ରାଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ସୁରକ୍ଷିତ ରହିବାକୁ ଏବଂ ସଂକ୍ରମଣକୁ ଏଡାଇବା ପାଇଁ ପ୍ରତିଷେଧକ ବ୍ୟବସ୍ଥା କରିବାକୁ ନିବେଦନ କରିବା ସହ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ଙ୍କ ସହ ଆଲୋଚନା କରି ସମସ୍ତ ପ୍ରକାର କେନ୍ଦ୍ରୀୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS