ନବୀନ ସରକାରଙ୍କ ନିର୍ବାଚନ ସଜବାଜ: ପୋଲିସ ଡ଼ିଜି ବଦଳିଲେ, କେ.ବି.ସିଂହଙ୍କ ସ୍ଥାନରେ ଆର.ପି.ଶର୍ମା ହେଲେ ରାଜ୍ୟ ପୁଲିସ ମୁଖ୍ୟ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ ସାଧାରଣ ନିର୍ବାଚନ ସମ୍ଭାବନାକୁ ଆଖିରେ ରଖି ଗୋଟିଏ ପରେ ଗୋଟିଏ ସୁଧାର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ରାଜ୍ୟ ସରକାରୀ କର୍ମଚାରୀ ଓ ପେନ୍ସନ୍ଭୋଗୀ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପିଛିଲା ଦିନରୁ ସପ୍ତମ ବେତନ କମିସନ ସୁପାରିଶ ଅନୁଯାୟୀ ବର୍ଦ୍ଧିତ ବେତନ ଓ ପେନ୍ସନ୍ ସେପ୍ଟେମ୍ବରରୁ ମିଳିବ ବୋଲି ମଙ୍ଗଳବାର ଘୋଷଣା କରି ସେମାନଙ୍କୁ ଖୁସୀ କରିଥିବା ବେଳେ ବୁଧବାର ରାଜ୍ୟ ପୁଲିସ ମହା ନିଦେ୍ର୍ଦଶକଙ୍କୁ ବଦଳାଇ ଆଇନଶୃଙ୍ଖଳାରେ ସୁଧାର ଆଣିବାକୁ ସରକାର ଚାହୁଁ ଥିବା ସଂକେତ ଦେଇଛନ୍ତି । ସଂଜୀବ ମାରିକଙ୍କ ସମୟ ପୂର୍ବରୁ ହଟାଇ ରାଜ୍ୟ ପୁଲିସ ମହା ନିଦେ୍ର୍ଦଶକ ହୋଇଥିବା କନୱର ବ୍ରିଜେଶ ସିଂହ (କେବି ସିଂହ)ଙ୍କୁ ଆଜି ରାଜ୍ୟ ପୁଲିସ ମହା ନିଦେ୍ର୍ଦଶକ ପଦରୁ ହଟା ଯାଇ ତାଙ୍କ ସ୍ଥାନରେ ଭିଜିଲାନ୍ସ ବିଭାଗର ନିଦେ୍ର୍ଦଶକ ଥିବା ରାଜେନ୍ଦ୍ର ପ୍ରସାଦ ଶର୍ମା (ଆରପି ଶର୍ମା)ଙ୍କୁ ଅବସ୍ଥାପିତ କରାଯାଇଛି ।
କେବି ସିଂହ ବିଭିନ୍ନ କାରଣରୁ କିଛି ମାସ ହେଲା ବିବଦମାନ ହୋଇ ପଡି ଥିଲେ । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ଅସମ୍ଭାଳ ଅବସ୍ଥାକୁ ଚାଲି ଆସିଛି । ଅତୀତରେ ଭୁବନେଶ୍ୱର-କଟକ ପୁଲିସ କମିସନର ଭାବେ ଦାୟିତ୍ୱ ତୁଲାଇ ଥିବା ଏବଂ ତତ୍ପରେ ଭିଜିଲାନ୍ସ ବିଭାଗ ନିଦେ୍ର୍ଦଶକ ପଦରେ ଅବସ୍ଥାପିତ ହୋଇ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନକୁ ଯୋରଦାର କରିଥିବା ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ରାଜ୍ୟ ସରକାର ପୁଲିସ ଡ଼ିଜି ଭାବେ ଅବସ୍ଥାପିତ କରି ରାଜ୍ୟରେ ପୁଲିସ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବାକୁ ଚାହୁଁ ଥିବା ସ୍ପଷ୍ଟ ହୋଇଛି । ଶର୍ମା ଜଣେ ଦକ୍ଷ ଓ ସଚ୍ଚୋଟ ଅଫିସର ଭାବେ ଜଣାଶୁଣା । ବିଦାୟୀ ଡ଼ିଜିପି କେବି ସିଂହଙ୍କୁ ଓଏସ୍ଆରଟିସି ଚେୟାରମ୍ୟାନ୍ ଭାବେ ଅବସ୍ଥାପିତ କରାଯାଇଛି । ଅତୀତରେ ପୁଲିସ ଡ଼ିଜି ପ୍ରକାଶ ମିଶ୍ରଙ୍କୁ ମଧ୍ୟ ନବୀନ ସରକାର ଏହି ଢଙ୍ଗରେ ହଟାଇ ଦେଇ ସଂଜୀବ ମାରିକଙ୍କୁ ଡ଼ିଜିପି କରିଥିଲେ ।
ବୁଧବାର ହୋଇଥିବା ବଡ଼ ଧରଣର ଅଦଳବଦଳରେ, ରାଜ୍ୟ କ୍ରାଇମ୍ ବ୍ରାଂଚ୍ର ସ୍ୱତନ୍ତ୍ର ଡ଼ିଜି ବିଜୟ କୁମାର ଶର୍ମାଙ୍କୁ ଅରୁଣ ରାୟଙ୍କ ସ୍ଥାନରେ ଡ଼ିଜି (ପ୍ରିଜନ୍ସ) ଭାବେ ନିଯୁକ୍ତି ଦିଆଯାଇତିବା ବେଳେ ରାୟଙ୍କୁ ଏଡ଼ିଜି, ପୋଲିସ ହେଡ୍କ୍ୱାଟର୍ସ ଭାବେ ଅବସ୍ଥାପିତ କରାଯାଇଛି । ପୂର୍ବତନ ଭୁବନେଶ୍ୱର-କଟକ ପୁଲିସ କମିସନର ବିକେ ଶର୍ମା ପରବର୍ତୀ ଡ଼ିଜିପି ହେବେ ବୋଲି କିଛି ଦିନ ହେଲା କଳ୍ପନାଜଳ୍ପନା ଚାଲିଥିଲା ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS