ପଲିଟିକାଲ୍ ଡ଼ାଏରୀ – ଓଡ଼ିଶା କଂଟାବାଡରେ ଲୁଗା ପକାଇ କଳି କରୁଛନ୍ତି ନେତା…
– ପ୍ରସାଦ ରାଓ –
ଭୁବନେଶ୍ୱର ହେଉଛି ରାଜ୍ୟ ରାଜନୀତିର ମୂଳ କେନ୍ଦ୍ର । ଏଠି ସୋରିଷ ଫୁଟିଲେ ସାରା ରାଜ୍ୟରେ ତା’ର ବାସ୍ନା ଚହଟି ଯାଏ । ତେଣୁ, ରାଜଧାନୀରେ ରହୁ ଥିବା ନେତାମାନେ ମିଡ଼ିଆକୁ ଅସ୍ତ୍ର କରି ନିଜର ପତିଆରା ବଢାଇବାର ସବୁ ପ୍ରକାର କାରସାଦି କରିଥା’ନ୍ତି । ମିଡ଼ିଆ ମଧ୍ୟ ବାଛି ବାଛି କୁହାଳିଆ ନେତାଙ୍କ ପାଟିରୁ କଥା ଖସାଇ ହଟଚମଟ ସୃଷ୍ଟି କରିବାକୁ ପଛାଏ ନାହିଁଁ । କିଛି ବର୍ଷ ତଳେ ନେତାମାନେ ସତର୍କତାର ସହ ନିଜର ମତ ସାବ୍ୟସ୍ତ କରୁଥିଲେ । ଜନତାଙ୍କ ଉପରେ ତାହାର ପ୍ରଭାବ କଣ ହେବ, ତାହା ଆକଳନ କରି ମାପିଚୁପି ମତ ରଖୁ ଥିଲେ । ସଂବେଦନଶୀଳ ପ୍ରସଂଗ ସବୁ ଚର୍ଚ୍ଚାକୁ ଆସୁଥିଲା ଏବଂ ଭୋଟରମାନେ ସେଥିରୁ ନିଜ ନେତାଙ୍କ ବୁଦ୍ଧିମତ୍ତା ବା ଚାତୁର୍ଯ୍ୟକୁ ଆକଳନ କରୁଥିଲେ । ଏବେ ସମୟ ବଦଳି ଯାଇଛି । ନେତାମାନେ ସତ, ମିଛ ଠୋ’ ଠୋ’ କରି କହୁଛନ୍ତି । ନ୍ୟୁଜ୍ ଚ୍ୟାନେଲରେ ମୁହଁ ଦେଖାଇବାର ନିଶା ଏତେ ଘାରିଛି ଯେ, କିଛି ଗୋଟାଏ ମନ୍ତବ୍ୟ ଦେବା ସମୟରେ ଜନସାଧାରଣ ତାହା ବିଶ୍ୱାସ କରିବେ କି ନାହିଁ, ସେକଥା କେହି ଚିନ୍ତା କରୁ ନାହାନ୍ତି । ଶାଳୀନତା ନାମକ ଶବ୍ଦ ଆଉ ନେତାଙ୍କ ଡ଼ାଏରୀରେ ନାହିଁ । କଂଟାବାଡରେ ଲୁଗା ପକାଇ କଳି କରିବା ଆଜିକାଲି ନେତାଙ୍କ ନିତିଦିନିଆ ଫେସନରେ ପରିଣତ ହୋଇଛି ।
ଉଦାହରଣ ଭାବେ ନିଆ ଯାଇ ପାରେ ୨୦୧୯ରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଭାଜପା-ବିଜେଡ଼ି ଓ କଂଗ୍ରେସ ନେତାଙ୍କ ଭିତରେ ଚାଲିଥିବା ଟଣାଓଟରାକୁ । ୨୦୧୭ ପଂଚାୟତ ନିର୍ବାଚନରେ ଓଡ଼ିଶାରେ ଭାଜପାର ଭୋଟ ହାର ଅଚାନକ ୩୩ ପ୍ରତିଶତକୁ ବଢି ଯିବା ଦଳକୁ ଉତ୍ସାହିତ କରିଛି । ଭାଜପା କଂଗ୍ରେସକୁ ପଛରେ ପକାଇ ରାଜ୍ୟରେ ଦୁଇ ନମ୍ବର ସ୍ଥାନକୁ ଉଠିଛି । ଦଳର ସଭାପତିଙ୍କ ନିର୍ବାଚନ ମଣ୍ଡଳୀରେ ଖାତା ପଛେ ଖୋଲି ନ ଥାଉ ୨୦୧୯ରେ ଓଡ଼ିଶା ଦଖଲର ସ୍ୱପ୍ନ ଦେଖୁଛନ୍ତି ରାଜ୍ୟ ଭାଜପା ନେତାମାନେ । ପଂଚାୟତ ନିର୍ବାଚନରେ ସଫଳତା ସେମାନଙ୍କୁ ଏତେ ମୁଖୁରା କରିଛିି ଯେ, ମୁହଁରେ ଲଗାମ ରହୁନି । କଥା କଥାରେ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡ଼ିର ଶ୍ରାଦ୍ଧ କରିବାକୁ ପଛାଉ ନାହାନ୍ତି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହି ଯାଇଛନ୍ତି ଏଥର ୧୪୭ରୁ ୧୨୦ ବିଧାନସଭା ଆସନ ଦଖଲ କରିବାକୁ ହେବ । ପଂଚାୟତ ନିର୍ବାଚନରେ ଗ୍ରାମାଂଚଳ ଭୋଟର ବିଜେଡ଼ିକୁ ସାମାନ୍ୟ ଝଟକା ଦେଇଛନ୍ତି । ନବୀନଙ୍କ ୧୭ ବର୍ଷର ଶାସନ ବିରୋଧରେ ମଧ୍ୟ ଅନାସ୍ଥା ଭାବ ସୃଷ୍ଟି ହେଲାଣି । ତେଣୁ ଦଳ ଉତ୍ସାହର ସହ ଲାଗି ପଡିଲେ ୨୦୧୯ରେ ଓଡ଼ିଶା ଦଖଲ ସମ୍ଭବ । ଶାହାଙ୍କ ଏହି ମନ୍ତ୍ର ରାଜ୍ୟ ଭାଜପା ନେତାଙ୍କୁ ଉତ୍ସାହିତ କରିଛି ଏବଂ ସକାଳୁ ଉଠିଲେ ନବୀନଙ୍କ ଖୁଣ ଖୋଜୁଛନ୍ତି ଦଳର ମୁଖପାତ୍ରମାନେ ବିବୃତି ଦେଇ ଘାଇଲା କରିବା ସକାଶେ । ଶାହାଙ୍କ ୧୨୦ ବିଧାନସଭା ଆସନ ଦଖଲ ଅଙ୍କ କୋଉଠୁ ଆସିଲା ତାହା କାହାରିକୁ ଜଣା ନଥିବା ଓଡ଼ିଶାର ମଙ୍ଗୁଆଳ ଦାୟିତ୍ୱରେ ଥିବା କେନ୍ଦ୍ର ମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟରୁ ସ୍ପଷ୍ଟ ହେଉଛି । ତାଙ୍କ ଯୁକ୍ତି ଅତ୍ୟନ୍ତ ଆମୋଦ ଦାୟକ । ଦଳର ରାଷ୍ଟ୍ରୀୟ ସଭାପତି ଯେତେବେଳେ କହିଛନ୍ତି ଯୁଆଡେ ହେଲେ ୧୨୦ ସଂଖ୍ୟା ଆସିବ । ତେଣୁ, ୨୦୧୯ରେ ଓଡ଼ିଶାରୁ ବିଜେଡ଼ି ବିଦା ହେବା ନିଶ୍ଚତି, ଏହା ହେଉଛି ଧର୍ମେନ୍ଦ୍ରଙ୍କ ଆକଳନ ।
‘ଓଧକୁ ଦେଖି ବଣଭୂଆ ମାତିଲା’ ଭଳି ନ୍ୟାୟରେ ଶାସକ ବିଜେଡ଼ି ଭାଜପାର ୧୨୦ ଅଙ୍କ ପଛରେ ଧାଇଁଛି । ଦଳର କୁହାଳିଆ ନେତା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଶାହାଙ୍କ ହିସାବକୁ ଭୁଲ ପ୍ରମାଣ କରିବାକୁ ଯାଇ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ୯୫ ଭାଗ ବିଧାନସଭା ଆସନ ବିଜେଡ଼ିକୁ ପାଇବା ନିଶ୍ଚିତ ଥିବା ବେଳେ ଶାହା କେଉଠୁ ୧୨୦ ଆସନ ପାଇବେ ବୋଲି ପ୍ରଶ୍ନ କରିଛନ୍ତି । ପଶ୍ଚିମ ଓଡ଼ିଶା ସଂପର୍କରେ କିନ୍ତୁ ପାତ୍ରଙ୍କ ଆକଳନ ଅସ୍ପଷ୍ଟ । ତେବେ, ବିଜେଡ଼ି ଏଥର ୧୪୭ରୁ ୧୨୩ ଆସନ ପାଇବା ନିଶ୍ଚିତ ବୋଲି ପାତ୍ର ସାମ୍ବାଦିକଙ୍କୁ କହି ବିଜେଡ଼ି ମନର ଭୟ ଦୂର କରିବାକୁ ଚେଷ୍ଟା କରିଛନ୍ତି । ୨୦୧୪ ବିଧାନସଭା ନିର୍ବାଚନରେ ଦଳ ୧୧୭ ଆସନ ପାଇଥିଲା । ତେବେ, ପାତ୍ରଙ୍କ ମତକୁ ‘ବ୍ୟକ୍ତିଗତ ମତ’ କହି ଦଳର ମୁଖପାତ୍ର ପ୍ରଶାନ୍ତ ନନ୍ଦ ବିଜେଡ଼ି ୧୪୭ ଆସନରୁ ନିର୍ବାଚନ ଳଢିବ ଜିତିବା ପାଇଁ ବୋଲି ମନ୍ତବ୍ୟ ଦେବା ଦଳର ପୁରୁଖା ନେତାଙ୍କ ମଧ୍ୟରେ ସମନ୍ୱୟ ଅଭାବ ଥିବା ସୂଚନା ଦେଉଛି ।
ବିଜେଡ଼ି ଶାସନ ପ୍ରତି ଜନସାଧାରଣରେ ସୃଷ୍ଟି ହୋଇଥିବା ଅନାସ୍ଥା ଭାବ ସଂପର୍କରେ ଦଳର ମୁଖିଆ କିନ୍ତୁ ଚେତିଲେଣି । ପାଦ ତଳୁ ମାଟି ଖସୁଛି ଦେଖି ସେ ତାଙ୍କ ରଣନୀତି ବଦଳାଇଛନ୍ତି । ‘ନବୀନ ନିବାସ’ରୁ ଗୋଡ କାଢି ନବୀନ ଗ୍ରାମାଂଚଳକୁ ଯାଉଛନ୍ତି । ଦଳର ତଳସ୍ତରର କର୍ମୀମାନଙ୍କୁ ଭେଟି ବୁଥ୍ ଓ ୱାର୍ଡ ସ୍ତରରେ ସଂଗଠନ ସଜାଡିବାର ମନ୍ତ୍ର ଫୁଙ୍କୁଛନ୍ତି । ଭାଜପାର ପଦାଙ୍କ ଅନୁସରଣ କରି ଆରଏସ୍ଏସ୍ ଢାଂଚାରେ ବିଜେଡ଼ିର କର୍ମଶାଳା ଓ ତାଲିମ ଶିବରମାନ ଆୟୋଜନ କରାଯାଇ ନେତା ଓ କର୍ମୀଙ୍କୁ ତାଲିମ ଦିଆଯାଉଛି । ଦୁର୍ନୀତି ବିରୋଧରେ ‘ଜିରୋ ଟଲରାନ୍ସ’ ଏବେ ଦଳର ମୁଖ୍ୟ ଆଭିମୁଖ୍ୟ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ‘ଥ୍ରି-ଟି’ ଫର୍ମୁଲାକୁ ସରକାରୀ କଳ ଶୁଆ ଭଳି ଘୋଷୁଛି । ରାଜ୍ୟ ପୁଲିସ ମୁଖିଆଙ୍କ ଅଚାନକ ବଦଳି ଏବଂ ଜଣେ ନିର୍ମଳ ଭାବମୂର୍ତୀ ଥିବା ଦକ୍ଷ ଅଧିକାରୀଙ୍କୁ ପୋଲିସ ମହାନିଦେ୍ର୍ଦଶକ ଭାବେ ନିଯୁକ୍ତି ଦିଆଯିବା ମାଧ୍ୟମରେ ଦଳର ଭାବମୂର୍ତୀ ସଜାଡିବା ପାଇଁ ନବୀନଙ୍କ ପ୍ରୟାସର ସୂଚନା ଦେଉଛି । ସରକାର କୌଣସି ପ୍ରକାର ପଂଚମ ଥର ପାଇଁ କ୍ଷମତାକୁ ଆସିବା ସକାଶେଁ ବ୍ୟଗ୍ର, ତାହା ଏହି ପଦକ୍ଷେପ ସଂକେତ ଦେଉଛି । ୨୦୦୦ ମସିହାରୁ ରାଜ୍ୟରେ ବିଜେଡ଼ି କ୍ଷମତାସୀନ ରହିଛି । ଚାରିଟି ସାଧାରଣ ନିର୍ବାଚନର ଲଢି ସାରିଛି । ୨୦୧୯ରେ ପଂଚମ ଥର ପାଇଁ ନିର୍ବାଚନକୁ ଯିବ । ତେବେ, ପ୍ରଥମ ଥର ପାଇଁ ଦଳ ରକ୍ଷାତ୍ମକ କୌଶଳ ଆପଣାଇଛି । ଅମିତ ଶାହା-ମୋଦୀଙ୍କ ମିଳିତ ରଣକୌଶଳର ପ୍ରତିହତ କରିବା ହେଉଚି ନବୀନଙ୍କ ପ୍ରାଥମିକତା । ଦଳର କୁହାଳିଆ ନେତାମାନେ ତଂଟି ଫଟାଇ ଯାହା କୁହନ୍ତୁନା କାହିଁକି, ବିଜେଡ଼ିକୁ ଭାଜପା ଭୟ ଘାରିଛି । ଅମିତ ଶାହାଙ୍କ ଘନ ଘନ ଓଡ଼ିଶା ଗସ୍ତ ଏବଂ ରାଜ୍ୟ ଭାଜପା ନେତୃବର୍ଗଙ୍କୁ ସେ ଦେଇଥିବା ଟାର୍ଗେଟ୍ ହିଁ ଏଥର ଭାଜପା-ବିଜେଡ଼ି ମୁକାବିଲାକୁ ଯୋରଦାର କରିବ । ଓଡ଼ିଶାବାସୀ ଏପର୍ଯ୍ୟନ୍ତ ଭାଜପାକୁ ବିଜେଡ଼ିର ବିକଳ୍ପ ଭାବ ଗ୍ରହଣ କରି ନାହାନ୍ତି । ତେବେ, ପରିବର୍ତନ ସପକ୍ଷରେ ରହି ଥିବା କ୍ଷୀଣ ଅନ୍ତଃସ୍ରୋତ କେତେବେଳେ ବନ୍ୟାରେ ପରିଣତ ହେବ, ତାହା ଏବେ ଠାରୁ କହିବା ସମ୍ଭବ ନୁହେଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS